ଭୋକର ତାଣ୍ଡବ

Bhokara-Tandav

ସିଗ୍ନାଲ୍ ପାଖରେ ଗାଡ଼ିଟା ରହୁ ରହୁ ରାସ୍ତା ସେପାଖରୁ ତିନି ଚାରିଟା ପିଲା ଦଉଡ଼ି ଆସି ଲେସି ହେଇଗଲେ ଝରକାରେ ଆଉ ଦାନ୍ତ ନିକୁଟି, ପେଟ ଦେଖେଇ “ବାବୁ, ଭୋକ ଲାଗୁଛି, କିଛି ଖାଇବାକୁ ଦିଅ” କହୁ କହୁ କାନ୍ଦି ପକେଇବାର ଦେଖି, ଦେବବ୍ରତ ଚମକି ପଡ଼ିଲେ । ପାଣ୍ଡୁର ପଡ଼ି ଆସିଥିବା ମୁହଁରେ ତାଙ୍କର ଭୋକର ଉଦ୍ଧଣ୍ଡ ନୃତ୍ୟକୁ ସତେ ଯେମିତି ସେ ନିଜ ଭିତରେ ଅନୁଭବ କରୁଥିଲେ । ଝରକା ଖୋଲି ସଦ୍ୟ କିଣିଥିବା କଦଳୀ ଅଙ୍ଗୁରର ଥଳିଟା ନିର୍ଦ୍ୱନ୍ଦରେ ସେମାନଙ୍କ ହାତକୁ ବଢେ଼ଇ ଦେଇ ଆଖି ବୁଜିଦେଲେ ସେ । ପିଲାଗୁଡ଼ାଙ୍କର ଆଖିରେ ଖେଳି ଯାଇଥିବା ବିସ୍ମୟଭରା ଆନନ୍ଦକୁ ସେ ଚାହିଁ ପାରୁନଥିଲେ । ପେଟ ଭିତରୁ କିଛି ଗୋଟାଏ ହାବୁକା ମାରି ଉଠି ଆସୁଥିଲା ।

“କ୍ୟା କର୍ ରହେ ହୋ ସାହେବ? ୟେ ଲୋଗ୍ ତୋ ସବ୍ ଲୁଟେରେ ହେଁ । ଗାଡ଼ି ଦେଖା ନହିଁ କି ଭୁଖ୍ କା ବାହାନା କର୍ କେ ଦୌଡ୍ ଆତେ ହେଁ । ଝୁଠ୍‍ ବୋଲ୍ ତେ ହେଁ ସାଲେ । କ୍ୟା ଦିନ୍ ଭର୍ ସଚ୍ ମେଁ କୁଛ୍ ନହିଁ ଖାୟେ ହୋଙ୍ଗେ?”

ସିଗ୍‍ନାଲ୍‍ ସବୁଜ ହେଇ ସାରିଥିଲା ଆଉ ଗାଡ଼ି ଆଗକୁ ବଢ଼ି ସାରିଥିଲା । ପିଲାଗୁଡ଼ା ବେଶ୍‍ ପଛରେ ରହି ଯାଇଥିଲେ । କିନ୍ତୁ ଏବେ ବି ପଞ୍ଜାବୀ ଡା୍ରଇଭର୍‍ର କଥା ଚାଲୁ ରହିଥିଲା । ହେଲେ ସେସବୁ କଥା ଦେବବ୍ରତଙ୍କ କାନରେ ପଶୁ ନଥିଲା । ତାଙ୍କ ଆଖି ଆଗରେ ଖାଲି ନାଚି ଯାଉଥିଲା ନିଜ ପିଲାଦିନର ଏମିତି ଏକ ଦୃଶ୍ୟ, ଯାହାକୁ ବର୍ଷ ପରେ ବର୍ଷ ବିତିଗଲା ପରେ ବି ସେ ଭୁଲି ପାରୁନାହାନ୍ତି । ଭୋକ କେତେ ପ୍ରାଣଘାତୀ ହୋଇପାରେ, ସେକଥା ଭରା ପେଟବାଲା କେବେ ବି ବୁଝି ପାରିବ ନାହିଁ । ହେଲେ ସେ ଜାଣନ୍ତି, ବୁଝନ୍ତି ।

କେମିତି ବୁଝି ପାରିବେ ନାହିଁ! ଆଜି ସିନା ଡାଇନିଙ୍ଗ୍‍ ଟେବୁଲ୍‍ରେ ବସି ନଅ ତିଅଣ ଛ’ଭଜା ଖାଇବାର ସୌଭାଗ୍ୟ ତାଙ୍କର ହୋଇ ଯାଇଛି, ହେଲେ ଦିନ ଥିଲା ଟୋପାଏ ପେଜ ପାଇଁ ବାର ଦୁଆର ଶୁଣ୍ଢୀ ପିଣ୍ଡା ବୁଲୁଥିଲେ ସେ । ବୋଉ ଥିଲା ପର୍ଯ୍ୟନ୍ତ କୌଣସି ମତେ ଯୋଗାଡ଼ ଯନ୍ତ୍ର କରି ପିଲାଙ୍କ ପେଟ ଭରି ଦଉଥିଲା, ହେଲେ ସେ ଥିଲା ବା କେତେ ଦିନ ! ବାଳୁତ ଦେବୁ ନିଜ ହାତରେ ଖାଇ ଶିଖିବା ପୂର୍ବରୁ ହିଁ ବୋଉ ଆରପାରିକୁ ଯାଇ ସାରିଥିଲା । ତା’ ପରର ଦିନ ସବୁ କେମିତି କଟିଛି, ସେକଥା ମନେ ପକେଇ ପାରନ୍ତିନି ଆଉ ।

ସାନ ଭାଇଭଉଣୀମାନଙ୍କର ଭୋକ ବିକଳିଆ ମୁହଁ ଗୁଡ଼ାକ ଆଜି ବି ମନେ ପଡ଼ିଗଲେ, ନିଦ ଭାଙ୍ଗିଯାଏ ତାଙ୍କର । ସବା ସାନଭାଇ ମଦନାଟା ପୁଣି ସବୁବେଳେ ଖାଇବା ବିକଳ । ଯେତେ ଖାଇଲେ ବି ପେଟ ପୂରେନା । ସେଇ କଥାକୁ ନେଇ ଗାଁ ଲୋକେ ତାକୁ ଥଟ୍ଟା କରନ୍ତି । ବିସ୍କୁଟ୍‍ କି ଚକଲେଟ୍‍ଟିଏ ଧରେଇ ଘରର କାମ ସବୁ କରାନ୍ତି । ଗାଈ ଗୁହାଳ ସଫା କରାନ୍ତି । ସେ ବି ଲୋଭରେ ହସି ହସି ସବୁ କରିଦିଏ । କେବେ କେବେ ସେଇ ଦୁର୍ମୂଲ୍ୟ ପଦାର୍ଥ ସବୁ ହାତକୁ ଆସେ, ଆଉ କେବେ ଠକି ଦିଅନ୍ତି ଲୋକେ । କାନ୍ଦି କାନ୍ଦି ଆସି ସେ ଯେତେବେଳେ ଦେବବ୍ରତଙ୍କ ଆଗରେ ଗୁହାରି କରେ, ଗରମ ହୋଇଯାଏ ରକ୍ତ ତାଙ୍କର । କିନ୍ତୁ ଅସହାୟତାର ବେଡ଼ି ପାଦକୁ ଜାବୁଡ଼ି ଧରେ । କ’ଣ କହିପାରିବେ ସେ ଗାଁ ଲୋକଙ୍କୁ! ତାଙ୍କରି ଆଶ୍ରାରେ କଟୁଥିବା ଜୀବନ ଭିତରେ ପୁଣି ସେମାନଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାର ସାହସ! ନା, ସମ୍ଭବ ନୁହେଁ । ବରଂ ମଦନା ଉପରେ ବିରକ୍ତ ହୁଅନ୍ତି କାହିଁକି ଏମିତି ବିକଳ ହେଉଛି ଖାଇବାକୁ ଦିନରାତି !

କେବେ କେବେ ତ’ ରାଗରେ ହାତ ବି ଉଠେଇ ଦିଅନ୍ତି । ହେଲେ ସେ କ’ଣ ବୁଝିପାରେ କି ଦେବବ୍ରତଙ୍କ ବେଦନାକୁ ! ଓଲଟି ଅଭିମାନ କରେ ଭାଇ ଉପରେ । ଯୁକ୍ତି କରେ ତାଙ୍କ ସହିତ, “ସେ ତ’ ମତେ କହିଥିଲେ ତାଙ୍କ ନାଳ ସଫା କରିଦେଲେ ସେ ମତେ ପିଠା ଦେବେ ବୋଲି । ନିଜ ହାତରେ ମଇଳା ସବୁ କାଢ଼ି ବାହାରେ ଫିଙ୍ଗି ଦେଇଛି । ଆଉ ସେ କାହିଁକି ମତେ ପିଠା ଦେବେନି ଯେ । ଏବେ କହୁଛନ୍ତି ପିଠା ସରିଯାଇଛି ! ସେ ମିଛ କହୁଛନ୍ତି ଭାଇ । ମୁଁ ନିଜେ ଦେଖିଛି, ତାଙ୍କ ପୁଅ ହାତରେ ଦି’ଟା ପିଠା ଥିଲା । ତୁ ଯାଇ ତାଙ୍କୁ ଟିକିଏ କହ, ସେ ମତେ ଗୋଟେ ଦେବ ।”

କୁନି କୁନି ହାତରେ ଲାଗିଥିବା ମଇଳାକୁ ଦେବବ୍ରତ ବଡ଼ ବିକଳ ହୋଇ ଚାହାନ୍ତି । ଆଖିରେ ଲୁହ ଭରିଯାଏ । ଲୋକଙ୍କର ନିଷ୍ଠୁରତା ପ୍ରତି ମନ ନିରବ ବିଦ୍ରୋହ କରେ । କିନ୍ତୁ ପ୍ରକାଶ କରିବା ସମ୍ଭବ ନୁହେଁ । ଯାହାଙ୍କ ବିରୁଦ୍ଧରେ ମଦନା କହୁଛି, ସେ ହିଁ ତାଙ୍କ ସମସ୍ତଙ୍କର ଅନ୍ନଦାତା । ତାଙ୍କ ଦାନାପାଣିର ପ୍ରବନ୍ଧକ । କାଲିକୁ ଯଦି ରାଗରେ କାମ ଦେବାକୁ ମନା କରିଦେବେ, ତେବେ ଦେବୁର ସାରା ପରିବାର ଭୋକ ଉପାସରେ ଛଟପଟ ହେବେ ସିନା, ଆଉ କୋଉଠୁ କିଛି ଯୋଗାଡ଼ କରି ହେବନି । ଏ ଗାଁରେ ତାଙ୍କ ପରି ଅନାଥକୁ ସାହାରା ଦେବାବାଲା ଅଛନ୍ତି ବା କେତେ ଜଣ !

କିନ୍ତୁ ମଦନାର ଜିଦି, ଭାଇ ଯାଇ ତାଙ୍କୁ ପାଟି କର । କହ, ମୋ ପିଠା ମତେ ଦେବେ । ମୁଁ ତାଙ୍କ କାମ କରିଛି । ଯଦି କହିବେ ତ ଆଉ କିଛି କାମ ବି କରିଦେବି, ହେଲେ ପିଠା ଖାଇବି ମୁଁ ।

ରାଗରେ ଠାଏକିନା ତା’ ଗାଲରେ ବସେଇ ଦେଇଥିଲେ ସେଦିନ ଦେବବ୍ରତ ଆଉ ଜୋର୍‍ରେ ପାଟି କରିଥିଲେ, “ସେ କ’ଣ ମୋ ସାଙ୍ଗ ହେଇଛନ୍ତି ଯେ ଯାଇ ତାଙ୍କ ସହିତ ପାଟିତୁଣ୍ଡ କରିବି ! ତତେ ସବୁବେଳେ ମନା କରିଛି ଯାଇ ୟା’ ତା’ ଘରେ କାମ କରି ଖାଇବା ମାଗିବୁନି, ତୁ କାହିଁକି ଯାଇଥିଲୁ । ତୁ କ’ଣ ଭିକାରି ହେଇଛୁ… ସକାଳେ ତତେ ଦେଇଥିଲି ନା ଖାଇବାକୁ… ପୁଣି କାହିଁ ଯାଇ ତାଙ୍କ ଗନ୍ଧିଆ ନାଳ ସଫା କରୁଥିଲୁ…”

କିନ୍ତୁ କାହାକୁ ସେ ପାଟି କରୁଥିଲେ! କିଏ ଶୁଣୁଥିଲା ସେଠି ! ଗୋଟାଏ ଚାପୁଡ଼ାରେ ମଦନା ତ’ ତଳେ ପଡ଼ି ଛଟପଟ ହେଇ ସେତିକିବେଳୁ ନିରବୀ ଯାଇଛି । କାନରୁ ବାହାରି ଆସୁଛି ତାଜା ରକ୍ତଧାର । ଚମକି ପଡ଼ିଲେ ସେ । ମଦନା.. ମଦନା… ଦୁଇ ଚାରି ଥର ଡାକିଲେ । ହେଲେ ତାଙ୍କରି ଡାକ ତାଙ୍କରି ପାଖକୁ ଫେରି ଆସୁଥିଲା କରୁଣତାର ରାଗିଣୀ ହୋଇ.. ସବୁଦିନ ପାଇଁ ଭୋକ ତା’ର ଶାନ୍ତ ହେଇ ଯାଇଥିଲା ।

“ସାହାବ୍‍, ୟେ ଯୋ ଭିକାରି ଲୋଗ୍‍ ହୈ ନା, ୟେ ବଡେ ଭୁକଡ୍‍ ହୋତେ ହେଁ.. ପେଟ୍‍ ମେଁ କିତ୍‍ନା ଭି ଡାଲୋ, ଭର୍‍ତା ହି ନହିଁ.. ଆପ୍‍ନେ ସବ୍‍କୁଛ୍‍ ପକଡ଼ା ଦିୟା, ଦେଖ୍‍ନା, କଲ୍‍ ଫିର୍‍ ତଙ୍ଗ୍‍ କରେଙ୍ଗେ… ଇନ୍‍ ଲୋଗୋଁ କା ମାନ୍‍ ସନ୍ମାନ୍‍ ତୋ କୁଛ ହୈ ନହିଁ…”

“ସର୍ଦ୍ଧାର୍‍ଜୀ, ଆପ କଭୀ ଭୁଖ୍‍କା ତାଣ୍ଡବ୍‍ ଦେଖା ହୈ? ଉସ୍‍କେ ସାମ୍ନେ ୟେ ମାନ୍‍ ସନମାନ୍‍ କ୍ୟା ଚିଜ୍‍ ହୈ? କୁଛ୍‍ ଭି ତୋ ନହିଁ…” କହୁ କହୁ ତାଙ୍କ ଆଖିରୁ ଝରି ଆସୁଥିବା ଲୁହକୁ ସେ ରୁମାଲ୍‍ କାଢ଼ି ପୋଛି ତ’ ଦେଲେ, ହେଲେ ବିଗତ ତିରିଶ ବର୍ଷରୁ ହୃଦୟରୁ ନିଗିଡ଼ି ଚାଲିଥିବା ଲୁହକୁ ପୋଛିବାକୁ ଆଜି ପର୍ଯ୍ୟନ୍ତ ବି କୌଣସି ରୁମାଲ ସେ ପାଇ ପାରିନାହାନ୍ତି ।

କମଳା ଶତପଥୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...