ଚାରିମାସ ପୁର୍ବରୁ ସତିଆ ତେଲେଙ୍ଗାନାକୁ ଦାଦନ ଖଟି ଆସିଥିଲା କୋରୋନାର ପ୍ରଥମ ଲହରୀ ପରେ ପରେ, ଝାଟିମାଟି କୁଡ଼ିଆ ଘରେ ବୃଦ୍ଧ ମାଆବାପା, ଦୁଇ ଛୁଆ ଓ ସାବିକୁ ଛାଡ଼ି । କଣ୍ଟ ଥିଲା ସାବିତ୍ରୀ ବ୍ରତକୁ ଆସିବ ବୋଲି, ରାସନ୍ ଚାଉଳ ଓ ଅନ୍ୟାନ୍ୟ ଦରକାରୀ ସାମଗ୍ରୀ ବ୍ୟବସ୍ଥା କରି ବିଦାୟ ନେଇ । ଏପଟେ ସାବି ପରିବାରର ଅନ୍ୟ ଯାବତୀୟ ଖର୍ଚ୍ଚ ଭରଣା ପାଇଁ ପାଖ ପଡ଼ିଶାଘରେ ପାଇଟିକରି ସୁଖଦୁଃଖରକରି ଚଳେଇ ନେଉଥାଏ ।
“ଆରେ ସତିଆ ! ତୋ’ ଘରୁ ଖବର ଆସିଛିରେ, ତୋ’ ସ୍ତ୍ରୀକୁ ଭାରି ଜର… ଯିବୁ ଯଦି ଯାଆ, ତୋ’ ହିସାବ କରିନେ ।”
“ମାଲିକ୍ ! ମୁଁ ଯିବି ନିଶ୍ଚିତ, କଣ୍ଟ ନ ପୁରୁଣୁ ଯିବାକୁ ହେବ ।”
ପାଦେ ଚାଲି ଚାଲି, କେବେ ଟ୍ରକ୍ ଡାଲାରେ ବସି, କେବେ କାହା ସାହାଯ୍ୟରେ କଷ୍ଟ କରି ସାବିତ୍ରୀ ବ୍ରତ ପନ୍ଦର ଦିନ ଆଗରୁ ସତିଆ ଘରକୁ ଫେରି ଆସିଛି । ପରୀକ୍ଷାରେ ଜଣାପଡ଼ିଲା ସାବିକୁ କୋରୋନା ହୋଇଛି । ମୁଣ୍ଡରେ ତା’ର ଅକାଳ ଚଡ଼କ ପଡ଼ିଗଲା । କିଛିଦିନ ସଙ୍ଗରୋଧରେ ରଖିଲା ସାବିକୁ । ସେବା ଯତ୍ନ ନିଜେ କଲା ମାତ୍ର ଜର ଛାଡ଼ିଲା ନାହିଁ । ଆଶା ଦିଦି କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରିବା ପାଇଁ ପରାମର୍ଶ ଦେଲେ ଓ ତଦନୁଯାୟୀ ସାବି ସାତଦିନ ହେଲା ସେଠାରେ ।
ମାଆବାପା ଓ ଦୁଇ ଛୁଆମାନଙ୍କ ସବୁ ଭାର ବହନ କଲା ସତିଆ । ଆଣିଥିବା ପଇସାପତ୍ର ସାବି ପାଇଁ ଓ ଘର ଖର୍ଚ୍ଚରେ ସରି ଆସିଲାଣି । ସତିଆ ସବୁବେଳେ ଈଶ୍ୱରଙ୍କୁ ଗୁହାରି ହେଉଥାଏ ସାବିକୁ ସୁସ୍ଥ କରେଇ ତା’ ପାଖକୁ ଫେରାଇ ଦେବାପାଇଁ । ମଝିରେ ମଝିରେ ଆଶା ଦିଦିଠାରୁ ସାବିର ଦେହପା’ କଥା ବୁଝୁଥାଏ ।
ଆଜି ସାବିତ୍ରୀ ବ୍ରତ ପୂଜା… ସତିଆ ପାହାନ୍ତିଆରୁ ଉଠି ନିତ୍ୟକର୍ମ ସାରି ବାପାମାଆ ଆଉ ଛୁଆମାନଙ୍କୁ ଜଳପାନ କରେଇ ରନ୍ଧା ସାରି ଦେଇ ବଜାର ବାହାରିଲା । ବ୍ରତ ପୂଜା ପାଇଁ ଆବଶ୍ୟକୀୟ ସବୁ ସରଞ୍ଜାମ କଷ୍ଟେମଷ୍ଟେ ଯୋଗାଡ଼ କରିଆଣିଲା ବି । ସାବି ଯେପରି ତା’ପାଇଁ ନିର୍ଜଳା ଓପାସ କରେ ଆଜି ସେ ସାବି ପାଇଁ ଓପାସ ରଖିଛି । ମଧ୍ୟାହ୍ନ ହେଲା, ସାବି ପାଇଁ ଆକୁଳ ହୋଇ ଯମରାଜଙ୍କୁ ପ୍ରାର୍ଥନା କରି କରି ଅବଶ ହୋଇ ପଡ଼ୁଥାଏ ସେ । ଦୂରରୁ ସାହିପଡ଼ିଶାର ସଧବାମାନେ ବଟବୃକ୍ଷ ତଳେ ହୁଳହୁଳି ଦେଇ ବ୍ରତ ପୂଜା ଆରମ୍ଭ କରିବା ସବୁ ଦେଖୁଥାଏ ସତିଆ ।
ସେମାନଙ୍କ ପରି ସେ ମଧ୍ୟ ନିଜ କୁଡ଼ିଆ ଆଗରେ ବିଧିବିଧାନ ମତେ ଯାହା ଜାଣିଲା ପୂଜାପାଠ କରି ସ୍ତ୍ରୀ ସାବି ପାଇଁ ଶୁଭ ମନାସିଲା । ତା’ ହୃଦୟରୁ କେବଳ ଗୋଟିଏ ବାକ୍ୟ ଝଙ୍କୃତ ହେଉଥାଏ, ସାବି ସୁସ୍ଥ ହୋଇ ଫେରିଆସୁ । ମନରେ ତା’ର କେବଳ ଗୋଟିଏ ହିଁ ଚିନ୍ତା; ସାବିର ଚିନ୍ତା । ଦୀର୍ଘ ଦଶ ବର୍ଷ ସାବି ସହିତ ତା’ ସୁଖଦୁଃଖର ଦୁନିଆ । ସବୁବେଳେ ସାବି ତା’ର ଆଉ ପରିବାରବର୍ଗଙ୍କ ସେବାରେ । କେବେ ତା’ କର୍ତ୍ତବ୍ୟରେ ହେଳା କରିନି କି କିଛି ହେଲା ନ ହେଲା ବୋଲି ମନ ଊଣା କରିନି । ଆଜି ତା’ ବିନା ସବୁ ଯେମିତି ଖାଁ ଖାଁ !! ଚତୁର୍ଦ୍ଦିଗ ତା’ ବିନା ସତିଆ ପାଇଁ ଅନ୍ଧକାରମୟ । ବାରମ୍ୱାର ସେ ଯମରାଜଙ୍କ ଉଦ୍ଦେଶ୍ୟରେ ନେହୁରା ହେଉଥାଏ । ଏକ ଅଜଣା ଆତଙ୍କରେ ତା’ ହୃଦୟ ଉଦବେଳିତ ହୋଉଯାଉଥାଏ । କେଉଁ ଏକ ଦୁଃସମ୍ୱାଦ କାଳେ ଶୁଣିବାକୁ ପଡ଼ିପାରେ, ଆଖିରୁ ତା’ର ଧାର ଧାର ହେଇ ଲୁହ ବହିଯାଉଥାଏ ।
“ବା ! ଖାଇବୁ ଆ”, ଝିଅଟିର ଡାକରେ ପ୍ରକୃତିସ୍ଥ ହେଲା ସତିଆ । ପୂଜା ପ୍ରସାଦ ଯାହା ଟିକିଏ ଯୋଗାଡ଼ କରିଥିଲା ସମସ୍ତଙ୍କୁ ଦେଲା ଓ ନିଜେ ଟିକିଏ ଚାଖି ଓପାସ ଭଙ୍ଗ କଲା । ଦୁଖ, ଭୟ ଓ ନିରାଶାର ଅସଂଖ୍ୟ ଢେଉ ତା’ ଆତ୍ମାକୁ ଦୋହଲାଇ ଦେଉଥାଏ ।
ଅପରାହ୍ନ ସମୟରେ ଆଶା ଦିଦି ଖବର ଦେଲେ ସେ ସାବିକୁ ହସ୍ପିଟାଲରୁ ଡିସଚାର୍ଜ୍ କରେଇ ଘରକୁ ନେଇ ଆସୁଛନ୍ତି । ସତିଆର ସତେ ଯେମିତି ଶରୀରରେ ପ୍ରାଣ ସଞ୍ଚରିଗଲା । ଆନନ୍ଦାଶ୍ରୁ ବନ୍ଧ ବାଡ଼ ନ ମାନି ଅନବରତ ବୋହି ଚାଲୁଥାଏ । ଅପଲକ ନୟନରେ ଉପରକୁ ଅନାଇ ସତେ ଯେମିତି ସେ କହୁଥାଏ, “ଯୁଗ ଯୁଗ ଧରି ତମେ ଅସଂଖ୍ୟ ସାବିତ୍ରୀମାନଙ୍କୁ ତାଙ୍କର ସତ୍ୟବାନ ଫେରାଇଛ ପ୍ରଭୁ ! ଆଉ ଆଜି ମୋ ଭଳି ଦୀନହୀନ ଅକିଞ୍ଚନ ସତିଆକୁ ତା’ ସାବିତ୍ରୀ ଫେରାଇ ଦେଲ ।”
ସନ୍ଧ୍ୟା ସମୟ ଗୋଧୂଳି ରତରତ, ହସ୍ପିଟାଲ ଗାଡ଼ିରେ ସାବି ଫେରି ଆସିଛି ସତିଆ ପାଖକୁ ।
– ଅରବିନ୍ଦ କୁମାର ଗୁପ୍ତା
Comments
ଅରବିନ୍ଦ କୁମାର ଗୁପ୍ତା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।