ଭଷା ବାଦଲର ଛାଇ

bhasa-badalara-chhai

ପ୍ରଦୋଷର ପ୍ରାଇଭେଟ କମ୍ପାନୀ ଚାକିରୀଟା ଚାଲିଯାଇଛି । ସଞ୍ଚିତ ଅର୍ଥରେ କେତେଦିନ ଚଳିବେ? ଏଇ କିଛିଦିନ ତଳେ ଝିଅ ଝିଲିର ଜନ୍ମଦିନ ଥିଲା । ପ୍ରଦୋଷର ସ୍ତ୍ରୀ ସବିତା ଝିଅ ଝିଲି ପାଇଁ ଡ୍ରେସ କିଣି ବାହାରିଥିଲା । ମାତ୍ର ଝିଲି ଅଭିଜ୍ଞ ଝିଅଟି ପରି କହି ଉଠିଥିଲା, “ଦେଖ ମାମା ! ମୋର ଏତେ ସବୁ ଡ୍ରେସ ଅଛି, ଆଉ ଆଣିବା ଦରକାର କ’ଣ? ବାବାଙ୍କ ଚାକିରୀ ହେଇଗଲେ ମତେ ବଳେ ନୂଆ ଡ୍ରେସ କିଣିକି ଦେବେନି ।”

ରାଜା ପାଳି ଧରିଥିଲା ମାତ୍ର ବର୍ଷେ ବଡ଼ ଭଉଣୀ ଝିଲି ପଛରେ । “ମାମା ! ଜାଣିଛନା, ଆମ ସ୍କୁଲରେ ଏଥର ପିକନିକ ଆର ସପ୍ତାହରେ ହବ । ପିଲାମାନେ କଣ୍ଟିଲୋ ଓ ଭଟାରିକା ଯିବେ । ମୁଁ ମନା କରିଦେଇଛି । ବାବାଙ୍କର ଚାକିରୀ ନାହିଁ । ଏତେ ପଇସା ଦେଇ କାହିଁକି ଯିବି? ଆର ବର୍ଷ କିନ୍ତୁ ନିଶ୍ଚୟ ଯିବି ।”

ସବିତାର ସେଦିନ ଇଛା ହେଉଥିଲା ଦି’ଜଣଙ୍କୁ ଛାତିରେ ଜାକି ଧରି ଆହୁରି ଗେଲ କରି କାନ୍ଦନ୍ତା । “ରାଜା, ଝିଲି ! ତମେ ସବୁ କେମିତି ଏତେ ଶୀଘ୍ର ବଡ଼ ହୋଇଗଲ? କେମିତି ଏତେ କଥା ବୁଝିପାରୁଛ ।”

ଧୀରେ ଧୀରେ ପିଲାମାନଙ୍କର ମାନସିକ ପ୍ରସ୍ତୁତିକୁ ଗ୍ରହଣ କରିବାକୁ ବାଧ୍ୟ ହୋଇଥିଲେ ଉଭୟ ପ୍ରଦୋଷ ଓ ସବିତା । ସେଥିରେ କିନ୍ତୁ ସୁଖ ନଥିଲା, ଥିଲା କେବଳ ପୁଳାଏ ଦୁଃଖ ଆଉ ଅବଶୋଷ । ପ୍ରଦୋଷ ଏକ ପଥରମୂର୍ତ୍ତି ପରି କେବଳ ଅନୁଭବ କରୁଛି ଓ ନୀଳକଣ୍ଠ ପରି ପିଇଯାଉଛି କିଛି ନକରିପାରିବାର ଦୁଃଖର ଗରଳକୁ ।

ସବିତା ଆଖିରେ ଲୁହ ବୋଲ ମାନୁନଥିଲା । ଗୋଟାପଣେ ସେ ଓଦା ହବାକୁ ଯାଉଥିଲା ତତଲା ଲୁହରେ । ପ୍ରଦୋଷ ମଧ୍ୟ ପ୍ରାଇଭେଟ ଚାକିରି ଗଲାରୁ ଗୋଟେ ଜିନିଷ ଠିକ୍‌ରେ ବୁଝିପାରିଥିଲା, “ମନୁଷ୍ୟ ଜୀବନରେ ଭସା ବାଦଲର ଛାଇ ନୁହେଁ, ବରଗଛ ଛାଇ ଦରକାର ।”

ବିଶ୍ୱଜିତ ରାଉତ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...