ରବିବାର ଦ୍ୱିପ୍ରହର.. ଉଦୁଉଦିଆ ଖରା କିନ୍ତୁ ଆକାଶରେ ଚାଲିଛି କିଛି ଧଳା ଭସା ବାଦଲମାନଙ୍କର ଲୁଚକାଳି ଖେଳ ଏବଂ ତାଙ୍କ ସହିତ ତାଳ ମିଳାଇ ନାଚିଯାଉଛି ଏକ ଛୋଟ କଳା ବାଦଲ ।
ସବୁ ରବିବାର ପରି ଆଜି ବି ମୀରା ରୋଷେଇ କରିଛି ରୋହି ମାଛ ବେସର, ଉଷୁନା ଚାଉଳ ଭାତ, ରସୁଣ ଛୁଙ୍କ ଦେଇ ମୁଗ ଡାଲି, ବଡ଼ି ବାଇଗଣ ଚକଟା ସାଙ୍ଗକୁ କଷି କାକୁଡ଼ି ଖଣ୍ଡ । “ଓଃ… କି ସୁନ୍ଦର ଖାଦ୍ୟ । ଲାଗୁଛି ସତେ ଯେମିତି ଘରେ ବସି ଖାଉଛି, ବାପା, ବୋଉ, ଜୀବନ, ଭେଣୋଇ ଭାଇ, ନାନୀ ସମସ୍ତଙ୍କ ସାଙ୍ଗରେ ମୁଁ ।” ରଞ୍ଜନ ଭାତ ଗୁଣ୍ଡା ଖାଉ ଖାଉ କହୁଥାଏ । ମୀରା ଏହା ଶୁଣି ମନେ ମନେ ଖୁସି ହେବା କଥା ଯେ ତା’ ରୋଷେଇର ପ୍ରଶଂସା କରା ହେଉଛି କିନ୍ତୁ ସେ ଭାବୁଥାଏ, ରଞ୍ଜନ ଯାହା କହିଲେ ତାହା ସତ ନୁହେଁ କି?
“ଲାଗୁଛି ଯେମିତି ଘର ଭଳି”, ହେଲେ ସତରେ କ’ଣ ଏ ଘର? ଏ କ’ଣ ସେଇ ଅତି ଆପଣାର “ଆନନ୍ଦ ଭବନ?” ଘରଠାରୁ ଏତେ ଦୂର, ନିଜ ଜୀବିକା ନିର୍ବାହ ପାଇଁ… ଅର୍ଥ ଉପାର୍ଜନ ପାଇଁ… ଏକ ଉନ୍ନତତର ଜୀବନ ଯାପନ ଆଶାରେ ଛାଡ଼ି ଆସିଛନ୍ତି ସେମାନେ ତାଙ୍କର ଅତି ପ୍ରିୟ “ଆନନ୍ଦ ଭବନ”, ଯାହାକି ଅସୁମାରୀ ଆନନ୍ଦର ଗନ୍ତାଘର ।
ମେଟ୍ରୋ ସହରରେ ନିଜର ଏକ 2bhk ଆପାର୍ଟ୍ମେଣ୍ଟ, ଗୋଟିଏ ଛୋଟ କାର୍, ନିସ୍ତବ୍ଧ ପରିବେଶ, ରଞ୍ଜନର ୧୦ ଘଣ୍ଟିଆ MNC ଚାକିରୀ, କିଛି ଅନ୍ତରଙ୍ଗ ପଡ଼ୋଶୀ ଓ ବନ୍ଧୁ, ବର୍ତ୍ତମାନ ଏତିକି ହେଉଛି ମୀରା ଓ ରଞ୍ଜନର ତଥାକଥିତ ସମ୍ବଳ। ହେଲେ ଆନନ୍ଦ ଭବନ… କେଜାଣି କାହିଁକି ଆଜି ଭାରି ମନେ ପଡ଼ୁଛି ।
ରଞ୍ଜନ, ତା’ ସାନଭାଇ ଜୀବନ ଓ ବଡ଼ ଭଉଣୀ ମୀନାର ପିଲାଦିନର ଅଭୁଲା ସ୍ମୃତି, ବାପାଙ୍କର ତାଗିଦ୍, ସ୍କୁଲ୍ ସାରଙ୍କ ବେତ ପାହର, ବୋଉ ହାତର ସେ ସୁଆଦିଆ ରାନ୍ଧଣା। ଖାଲି ସେତିକି ନୁହେଁ, ବରଗଛ ଓହଳ, ସିଦ୍ଧେଶ୍ୱର ମହାଦେବଙ୍କ ଜାଗର ଦୀପ, ଅଚ୍ୟୁତ ଗୋସେଇଁଙ୍କ ସନ୍ଧ୍ୟା ଆଳତି ଓ ଚିତ୍ରୋତ୍ପଳା ନଦୀର ସେ ମନୋରମ ସୂର୍ଯ୍ୟାସ୍ତ… ସବୁକିଛି ପଛରେ ରହିଯାଇଛି ଯେମିତି !
ମୀରାର ଶାଶୁଘର ଓ ବାପଘର ମଧ୍ୟରେ ଦୂରତା ଅତିବେଶୀରେ ୫ କି.ମି. ହେବ । ମୀରା ବାହାଘର ପରେ କେବେବି ନିଜକୁ ବୋହୂ ବୋଲି ଭାବିନି। ତା’ ଶାଶୁଘର ଲୋକେ ମଧ୍ୟ ତାକୁ ଝିଅ ପରି ବ୍ୟବହାର କରିଛନ୍ତି । ତେଣୁ ଆଜି ସେ ଆନନ୍ଦ ଭବନର ଘୋ ଘା, ବନ୍ଧୁ ବାନ୍ଧବ, ପୂଜା ପାର୍ବଣ, ପୁନେଇ ପରବ, ପିଠା ପଣା ଓ ସାହି ଦଶହରା ମେଢ଼ ସବୁକୁ ମନେ ପକାଉଛି ।
ନିଜ ବାଲ୍କୋନିରୁ ଭସା ବାଦଲକୁ ଦେଖି ଓ ଘର କଥା ଭାବି ଭାବି ମୀରା ହଜି ଯାଉଥାଏ ଅନେକ ଅସୁମାରୀ ସ୍ମୃତି ଭିତରେ । ସେ ଭାବୁଥାଏ ସତରେ କ’ଣ ଭସା ବାଦଲ ଭିତରେ ଯୋଉ କଳା ବାଦଲଟି ଅଛି ସେ ଏବେ ବରଷିବ? ନା ଧଳା ଭସା ବାଦଲ ତାକୁ ବି ନିଜ ସାଙ୍ଗରେ ଉଡ଼େଇ ନେବ? ତାକୁ ଲାଗୁ ଥାଏ ସତେ ଯେମିତି ଧଳା ବାଦଲ ସବୁ ଆନନ୍ଦ ଭବନ ଆଡ଼କୁ ଅଗ୍ରସର ଓ ଛୋଟ କଳା ବାଦଲଟି ବାସ୍ ତା’ ମେଟ୍ରୋ ସହରର ଜୀବନ, ଯିଏ ଅଗ୍ରସର ହେବାକୁ ଅନିଚ୍ଛୁକ । ସତରେ କ’ଣ କଳା ବାଦଲଟି ସବୁଦିନ ପାଇଁ ଏଇଠି ରହିଯିବ ଓ ଏଇଠି ହିଁ ବରଷି ଯିବ? ନା ସେ ବି ଧଳା ବାଦଲ ଗୋଷ୍ଠୀ ସହିତ ଭାସିଯିବ ସେମାନଙ୍କ ପ୍ରିୟ “ଆନନ୍ଦ ଭବନ”କୁ?
ଭାବନାର ଏକ ନୀରବ ଗୁମ୍ଫା ଭିତରେ ମୀରା ନିଜକୁ ହଜାଇ ଦେଉଥିବା ଦେଖି , ରଞ୍ଜନ ତା’ ଧର୍ମପତ୍ନୀର ମନର ଅବସ୍ତାକୁ ହୃଦୟଙ୍ଗମ କରି ପାରିଲା ବୋଧହୁଏ । ସେ ତୁରନ୍ତ ମୀରାକୁ ଏକ ତାଛଲ୍ୟ ଭରା କଣ୍ଠରେ କହିଲା “ବୁଝିଲ, ଟିକେଟ ହେଇ ସାରିଲାଣି ମ… ଘରକୁ ଯିବା ପାଇଁ । ଏଇ ଥର ଡଙ୍ଗାଭସାରେ ନିଶ୍ଚୟ କଦଳୀ ପାଟୁକା ଡଙ୍ଗା ଭସେଇବା ଓ ସିଦ୍ଧେଶ୍ୱର ମନ୍ଦିରରେ ୧୦୮ ବେଲ ପତ୍ର ଚଢ଼ାଇବା । ଆଉ ମୁଁ ବୋଉକୁ କହିବି, ତୁମକୁ ଚିତଉ ପିଠା କରିବା ଶିଖେଇ ଦେବ । କି ରୋଷେଇ କରୁଛ ମ ତୁମେ? ମୋ ବୋଉ ପରିକା ଚିତଉ ପିଠା ତ ଆଜି ଯାଏ ହେଲାନି ତୁମ ଦ୍ଵାରା ।”
ମୀରା, ରଞ୍ଜନର ତାଛଲ୍ୟ ଶୁଣି ଅଭିମାନ କରିବାର ନାଟକ କରୁ କରୁ ଜୋରରେ ହସି ପକାଇଲା ଓ ରଞ୍ଜନ ନିଜ ମୋବାଇଲରୁ ଆନନ୍ଦ ଭବନକୁ ଭିଡ଼ିଓ କଲ୍ କଲା । ସେପଟୁ ବାପା କହୁଥାନ୍ତି, “ଆରେ ରଞ୍ଜନ, ଆଜି ତୁ କ’ଣ ଖାଇଲୁ? ଦେଖେ ଏପଟେ, ଆନନ୍ଦ ଭବନରେ ଆଜି ମଟନ୍ ଝୋଳ…।” ମୀରା ପୁଣି ଝରକା ବାଟ ଦେଇ ଦେଖୁଥିଲା, କଳା ବାଦଲ ଖଣ୍ଡଟା ଧଳା ବାଦଲମାନଙ୍କ ସାଙ୍ଗରେ ଉଡ଼ି ଯାଉଛି, ବହୁତ ଦୂରକୁ ।
– ଶର୍ମିଷ୍ଠା ସାହୁ
Comments
ଶର୍ମିଷ୍ଠା ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।