ବଣମଲ୍ଲୀ

banamalli

ସକାଳ ସାତଟା । ହାୱଡ଼ାପୁରୀ ସୁପର ଫାଷ୍ଟ ଏକ୍ସପ୍ରେସ ଭୁବନେଶ୍ୱରର ଚାରି ନମ୍ବର ପ୍ଲାଟଫର୍ମରେ ଲାଗିଲା । ଟ୍ରେନ ପହଞ୍ଚିବା ସମୟରୁ ଦୁଇ ଘଣ୍ଟା ଡେରି ଥିଲା । ଟ୍ରେନରେ ଆଜି ନାହିଁ ନଥିବା ଭିଡ଼ । ଆଗକୁ ଚାରି ପାଞ୍ଚ ଦିନ ଛୁଟି ଥିବାରୁ ବଙ୍ଗାଳି ଯାତ୍ରୀ ପୂରା ଟ୍ରେନ ଉପରେ  କବ୍ଜା କରିନେଇଛନ୍ତି । ଅଧିକାଂଶ ଯାତ୍ରୀଙ୍କ ଗନ୍ତବ୍ୟ ସ୍ଥାନ ପୁରୀ । ନିଜର ବ୍ୟାଗକୁ ସିଟ ତଳୁ ବାହାରକରି ଟ୍ରେନ ବାହାରକୁ ଆସିଲା ସିଦ୍ଧାର୍ଥ । ଷ୍ଟେସନ ବାହାରେ ଦେଖିଲା ଝିପି ଝିପି ବର୍ଷା । ଟ୍ୟାକ୍ସିଟେ ନେଇ ଘରକୁ ଯିବ ବୋଲି ଟ୍ୟାକ୍ସି ଷ୍ଟାଣ୍ଡ ଆଡ଼କୁ ମୁହାଁଇଲା ସେ । କିଏ ଜଣେ ପଛରୁ ଡାକିଲା: ସାର, ଟ୍ୟାକ୍ସି ହବ? କାଇଁକି କେଜାଣି ସ୍ୱରଟା ଭାରି  ଚିହ୍ନl ଚିହ୍ନl ଲାଗିଲା ତାକୁ ।  ବୁଲି ପଡ଼ି ଦେଖିଲା ଚାଳିଶ ପଇଁଚାଳିଶ ବର୍ଷର ଲୋକଟିଏ ।  ମୁହଁରେ ଅନାବନା ପୁଳାଏ ଦାଢ଼ି ରଖିଛି ।  ତାକୁ ଦୋ ଦୋ  ଚିହ୍ନl ହବା ଆଗରୁ ସେ କହିପକାଇଲା: ଆରେ ସିଦ୍ଧ ଭାଇ, ନମସ୍କାର । ମତେ ଚିହ୍ନି ପାରୁଛ? ଏଥର ଆଉ ଚିହ୍ନିବାକୁ ବାକି ନଥିଲା ସିଦ୍ଧାର୍ଥର ସେ ରାଜୁ ବୋଲି ।

କିରେ ରାଜୁ?? ତମେ ଏଠି?? ଟାକ୍ସି ଚଲାଉଚ?? ଆଉ ଏତେ ବୁଢ଼ା କଣ ଦେଖା ଯାଉଛ, ମୋଠୁ ତମେ ଢେର ସାନ ପିଲାଟା? ଆଖିକୁ ବିଶ୍ୱାସ କରିପାରୁନଥିଲା ସିଦ୍ଧାର୍ଥ ରାଜୁକୁ ଏମିତି ଅବସ୍ଥାରେ ଦେଖିବ  ବୋଲି । ତାର ଏତେ ଗୁଡ଼ାଏ ପ୍ରଶ୍ନରେ ଗମ୍ଭୀର ମୁହଁ ହେଇଗଲା ରାଜୁର । କହିଲା, ଭାଇ ତମେ ଘରକୁ ଯିବ ଟି? ଗାଡି ରେ ବସ, ଚାଲ ରାସ୍ତାରେ କଥା ହେଇକି ଯିବା । ହେଲେ ସିଦ୍ଧାର୍ଥର ମୁଣ୍ଡ ଭିତରଟା ଖାଲି ଅଡ଼ୁଆ ସୁତା ଭଳି ଗୁଡ଼େଇ ତୁଡ଼େଇ ହେଇଯାଉଥିଲା ।

ରାଜୁର ଟାକ୍ସି ମାଷ୍ଟର କେଣ୍ଟିନ, ପିଏମଜି ରାସ୍ତା ହେଇ ଆଗେଇଚାଲିଲା ସଚିବାଳୟ ମାର୍ଗରୁ ଆଚାର୍ଯ୍ୟ ବିହାର ରାସ୍ତାରେ । ବାଟରେ ଆସିଲା ରିଜିଓନାଲ କଲେଜ । ଏଥର ଆଉ ସମ୍ଭାଳିପାରିଲାନି ସିଦ୍ଧାର୍ଥ, ରାଜୁ ମନରେ ହାବୁକା ମାରୁଥିବା କଥା ଗୁଡ଼ାକୁ ବାହାର କରିବାକୁ । ଏଇ ସେ ଜାଗା, ଯୋଉଠୁ ସେ ରାଜୁକୁ ଚିହ୍ନିଥିଲା । କୋଡ଼ିଏ ବର୍ଷ ତଳେ ଭୁବନେଶ୍ୱର ସହର ଆଜି ଭଳି ନଥିଲା । ଏଇ ରିଜିଓନାଲ କଲେଜ କ୍ୟାମ୍ପସ ଥିଲା ତାଙ୍କର ଚରା ଭୂଇଁ ।  ଚାରିଟା ବାଜିଲା ମାତ୍ରେ ସିଦ୍ଧାର୍ଥ, ରାଜୁ ଆଉ ଦଶବାର ଜଣ ପିଲା ଏକାଠି ହେଇଯାଉଥିଲେ କ୍ରିକେଟ ଖେଳିବା ଲାଗି ଏଇ କ୍ୟାମ୍ପସରେ । ଖେଳୁଥିଲା ରାଜୁ !! ପ୍ରତି ବଲରେ  ଛକା ମାରିବା ତାର ଚାଲେଞ୍ଜ ନୁହେଁ ଶପଥ ଥିଲା । ବୋଲରମାନଙ୍କୁ ଏମିତି ନିର୍ଦ୍ଦୟ ଭଳି ପ୍ରହାର କରୁଥିଲା ଯେ ବିଚରା କେହି ବୋଲର ତାଆଗରେ ତିଷ୍ଠି ପାରୁନଥିଲେ ।  କେତେ ଥର ଯେ ବଲ କଲେଜର ଉଚ୍ଚ ପାଚେରୀ ଡେଇଁ ବାହାର ରାସ୍ତାକୁ ଯାଇଛି ତା ହିସାବ ନଥିଲା । ଲେଡ଼ିଜ ହଷ୍ଟେଲ ଝରକା କାଚ ଭାଙ୍ଗିବା ତାପାଇଁ ଗୋଟେ ବଡ ସଫଳତା ଥିଲା । ତା ଟିମରେ ଥିବା ସବୁ ପିଲା ଏଥିରେ ଖୁସିରେ କୁରୁଳି ଉଠୁଥିଲେ, କାଇଁକିନା ସେଇ ବାହାନାରେ କିଛି ମିଛିମିଛିକା ରାଗ ଦେଖେଇ କନକନିଆ ହେଇ ଏପଟ ସେପଟ ହଉଥିବା ସୁନ୍ଦର ଚେହେରା ସବୁ ସେ ଭଙ୍ଗା ଝରକା ଭିତରୁ ଉଙ୍କି ମାରୁଥିଲେ । କାଚ ଭାଙ୍ଗିବା ଶବ୍ଦ ଶୁଣି ହଷ୍ଟେଲ ସିକ୍ୟୁରିଟି ଗାର୍ଡ଼ ଦଉଡ଼ିଆସୁଥିଲା ଆକଟ କରିବା ଲାଗି, କିନ୍ତୁ ତାଆକଟ ଭିତରୁ ବି ଗୋଟେ ରୋମାଞ୍ଚକର ହସ ଛପି ଛପି ବାହାରିପଡ଼ୁଥିଲା । ସବୁ ପିଲା ପ୍ରଶଂସା କରୁଥିଲେ, ବାଃ ବାଃରେ ରାଜୁ, ତୁ ନିଶ୍ଚୟ ତେନ୍ଦୁଲକର ଠୁ ଆଗକୁ ଯିବୁ…. ବିଚରା ଧଡ଼ୁ କିନ୍ତୁ ହାଲିଆ ହେଇ ଯାଉଥିଲା ତାକୁ ବୋଲିଂ କରି କରି । ସବୁଠୁ ଅଧିକ ପ୍ରହାର ତାହାରି ବୋଲିଂ ହିଁ ଖାଉଥିଲା ଆଉ ସବୁ ଦିନ ଗଡ଼ ଜିଣି ସଗର୍ବରେ ଘରକୁ ଫେରୁଥିଲା ରାଜୁ ଅଜସ୍ର ପ୍ରଶଂସା ଶୁଣି ଶୁଣି ।

ଗାଡ଼ିର ହର୍ନରେ ପ୍ରକୃତିସ୍ଥ ହେଲା ସିଦ୍ଧାର୍ଥ । ରାଜୁକୁ ପଚାରିଲା ଆରେ ରାଜୁ, କଣ ହେଲା ତମର?? ତମର ରଣଜୀରେ ସିଲେକ୍ସନ ହବାର ଥିଲା!! ତମକୁ ନେଇ ମୁଁ ସେତେବେଳେ କେତେ ସ୍ୱପ୍ନ ଦେଖିଚି ! ନାସନାଲ ଲେବଲରେ ଖେଳିବ, ନାଁ କମେଇବ ବୋଲିମୁଣ୍ଡରୁ ବୋହିଯାଉଥିବା ଝାଳକୁ ପୋଛି ଗୋଟେ ଲମ୍ବା ନିଶ୍ୱାସ ନେଲା ରାଜୁ । କହିଲା ଭାଇ, ସବୁ ସେଇ ଭାଗ୍ୟ l ଯୋଉ ଦିନ ସିଲେକ୍ସନ ଥିଲା, ସେଦିନ ସକାଳୁ ହଠାତ ବାପାଙ୍କୁ ହାର୍ଟ ଷ୍ଟ୍ରୋକ ଦେଲା । ସବୁ ସ୍ୱପ୍ନ ମୋର ସେଇଠି ଭାଙ୍ଗି ଚୁନା ହେଇଗଲା । ଏପଟେ ବାପାଙ୍କୁ ହରାଇଲି ଆଉ ସେପଟେ ମୋ ଜୀବନର ସବୁଠାରୁ ସୁଖର ଦିନ ଆସିବା ଆଗରୁ ବାଟ ଭାଙ୍ଗି ଚାଲିଗଲା ।  କୋଉ ଭଲ ପାଠ ପଢ଼ୁଥିଲି ଯେ ଚାକିରୀ ଖଣ୍ଡେ ମିଳିଥାନ୍ତା? ଯଦି ସିଲେକ୍ସନ ହେଇଯାଇଥାନ୍ତା ତାହେଲେ ହୁଏତ ସରକାରୀ ଚାକିରୀ ପାଇଥାନ୍ତି ।  ବାପା ଗଲା ପରେ କ୍ଵାଟରବି ଛାଡ଼ିବାକୁ ପଡ଼ିଲା, ମତେ ସବୁ ଆଡ଼େ ଅନ୍ଧାର ଦେଖାଗଲା ।  ଉପାୟ ନପାଇ ବୋଉକୁ ନେଇ ଗାଁକୁ ଚାଲି ଗଲି ।  ହେଲେ ଗାଁରେ ସେଇ ସମାନ ଅବସ୍ଥା । ପିଲା ଦିନରୁ କେବେ ଗାଁରେ ରହିନି, ସେଠି ବି ଚଳି ହେଲାନି ।  ଯୋଗକୁ ଆମ କ୍ରିକେଟ ସାଙ୍ଗ ବାବୁଲି ଭାଇ ଦେଖାହେଇଗଲେ, ସେ ମତେ ଡ୍ରାଇଭିଂ ଶିଖି ଗାଡ଼ି ଚଳେଇବାରେ ସାହାଯ୍ୟ କଲେ ।  ଆଗରୁ ତାଙ୍କ ଟ୍ରାଭେଲସ ଗାଡ଼ି ଚଳାଉଥିଲି, ଏବେ ନିଜେ ଗୋଟେ ସେକେଣ୍ଡ ହାଣ୍ଡ ଗାଡ଼ି କିଣି ଚଲଉଛି ।  ବୋଉର ଆଉ ଦେହ ଭଲ ରହୁନି ବୋଲି ଏମିତି ଲୋକାଲ ଡ୍ୟୁଟି କରୁଛି । ଏକାବେଳକେ ଏତେ କଥା କହି ଗୋଟେ ଲମ୍ବା ନିଶ୍ୱାସ ନେଲା ରାଜୁ । ସିଦ୍ଧାର୍ଥର ପୁଣି ପ୍ରଶ୍ନ: ଆଉ ତମ ରୁନି କୁଆଡ଼େ ଗଲା? ତାକୁ ବାହା ହେଇଚ ନା ଆଉ କାହାକୁ? ଏଥର ରାଜୁ ଆଖି ଛଳ ଛଳ ହେଇଗଲା । କହିଲା ଆଉ ବାହା ହେଲି କେତେ ବେଳେ? ଆଉ ସେ ମତେ ବାହା ହେଇଥାନ୍ତା ବା କାହିଁକି? ଯଦି କ୍ରିକେଟ ଖେଳି ପଇସା କମେଇଥାନ୍ତି ତାହେଲେ ସିନା ସେ ମୋର ହେଇଥାନ୍ତା, ହେଲେ ଏଇ ବେକାରିଆ ଅନାଥର ହାତ ସେ କାଇଁକି ଧରିବ? ଏବେ ଆଉ କାହା ଘରର ଶୋଭା ବଢ଼ାଉଚି  ସିଏ ।

ରାଜୁର ପିଠିକି ସସ୍ନେହରେ ଥାପୁଡ଼େଇ ଦେଲା ସିଦ୍ଧାର୍ଥ । ତାମନ ହାଲକା କରିବା ପାଇଁ ଏଣୁ ତେଣୁ ପୁରୁଣା ସ୍ମୃତି ସବୁ ସେ ମନେପକାଇଦେଲା ରାଜୁକୁ ।  ଆରେ ଏଇତ, ଆମ ଲେନ ଆସିଗଲା କହୁ କହୁ ଟ୍ୟାକ୍ସି ଆସି ସିଦ୍ଧାର୍ଥଘର ଗେଟ ପାଖରେ ଠିଆ ହେଲା । ରାଜୁର ମନା କରିବା ସତ୍ୱେ ଜବରଦସ୍ତି ତାପାଉଣା ଦେଇ ଗୋଟେ ଭାରି ମନ ନେଇ ଗେଟ ଖୋଲିଲା ସେ । ସତରେ……… ବଣମଲ୍ଲୀ ବଣରେ ଫୁଟି ଝରିଯାଏ । ତା ଭାଗ୍ୟ ତାକୁ ସୁଯୋଗ ଦିଏନି ତା ବାସ୍ନାରେ କେହି ଆତ୍ମହରା ହେଉ ବୋଲି । ସେ ଧଡ଼ୁର କି ଭାଗ୍ୟ !! ରାଜୁକୁ କ୍ରିକେଟରେ ସାମ୍ନା କରିନପାରୁଥିବା ଧଡ଼ୁ  ପୁଣି ନାସନାଲ ଲେବଲରେ ସିଲେକ୍ଟ ହେଇଗଲା, ସରକାର ତାକୁ ପ୍ରାଚୁର୍ଯ୍ୟରେ ପୋତି ପକାଇଲେଆଉ ବିଚରା ରାଜୁ….. ନିଜ ପେଟ ପୋଷିବା ପାଇଁ ଏଇ ମହାନଗରୀରେ ଟାକ୍ସି ଚଳାଉଛି….. ହାୟରେ ଜୀବନ !!!!!

ଅନୁସୂୟା ଜେନା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...