ବ୍ରିଟେନରୁ ଫେରିବା ସମୟରେ ସଂଯୁକ୍ତ ଆରବର ରାଜଧାନୀ ଏବଂ ଅନ୍ୟତମ ବିତ୍ତଶାଳି ରାଷ୍ଟ୍ର ଆବୁଧାବିରେ (Abu Dhabi) ଦୁଇ ଦିନ ରହିବା ଯୋଜନା କରାଯାଇଥିଲା । ଯେହେତୁ ପୂର୍ବରୁ ଦୁବାଇ ମାଧ୍ୟମରେ ଆରବୀୟ ସଂସ୍କୃତି ଉପରେ ସମ୍ୟକ ଧାରଣା ହୋଇଯାଇଥିଲା, ଆବୁଧାବି ପହଞ୍ଚିବା ପରେ ବିଶେଷ କିଛି ନୂଆ ଲାଗିଲାନି । ଏବଂ ଗୋଟିଏ କଥା ହିଁ ସମାନ ଥିଲା, ଅସହ୍ୟ ତାତି । ପର୍ସିଆନ ଗଲ୍ଫ ସାଗର ଘେରି ରହିଥିବା ପ୍ରାଚୁର୍ଯ୍ୟମୟ ଦ୍ୱୀପ ଆବୁଧାବି ସଂଯୁକ୍ତ ଆରବର ଦ୍ୱିତୀୟ ଜନବହୁଳ ରାଜ୍ୟ ଏବଂ ବ୍ୟବସାୟିକ ଶିଳ୍ପିକରଣର କେନ୍ଦ୍ର ସ୍ଥଳ ଅଟେ । ଆରବୀୟ ଲୋକକଥା ଅନୁସାରେ ଆବୁ ଧାବି, ଆବୁ (ପିତା) ଏବଂ ଧାବି (ଏକ ପ୍ରଜାତିର ହରିଣ) ଶବ୍ଦର ମିଶ୍ରଣ ।
ଏଡିନବରରୁ ପ୍ରାୟ ୮ ଘଣ୍ଟାର ଉଡ଼ାଣ ପରେ ଆମେ ପହଞ୍ଚିଲୁ ଆବୁ ଧାବି ଅନ୍ତର୍ଜାତୀୟ ବିମାନ ବନ୍ଦର ଠାରେ । ବିମାନରୁ ଓହ୍ଲାଇ ଆସିବା ସମୟରେ ସେଠିକାର ସମୟରେ ବାଜି ଥିଲା ରାତି ଆଠଟା । ତାପମାତ୍ରା ୪୦ ଡିଗ୍ରୀ ଉପରେ । ମତେ ଲାଗିଲା ଗରମ ପବନରେ ମୋ ଦେହ ମୁଣ୍ଡ ଜଳି ଯିବ କି ଆଉ । ତାପମାତ୍ରା ସମ୍ପୂର୍ଣ ଓଲଟା, ୪ ଡିଗ୍ରୀରୁ ୪୫ ଡିଗ୍ରୀ । ସାଧାରଣତଃ ଜୁନ, ଜୁଲାଇରେ ସେଠି ତାପମାତ୍ରା ବେଳେବେଳେ ୪୯ ଡିଗ୍ରୀ ଟପିଯାଏ ।
ଟାକ୍ସିରେ ହୋଟେଲରେ ପହଞ୍ଚି କ’ଣ ଟିକିଏ ଖାଇ ଦେଇ ବିଶ୍ରାମ ନେଲି । ସକାଳୁ ନିଦ ଭାଙ୍ଗିଲା ପାଖରେ ଥିବା ଏକ ମସଜିଦରୁ ଆସୁଥିବା ଅଜାନ ସ୍ୱରରେ । ଝରକା ବାହାରୁ ଦେଖା ଯାଉଥିଲା ନଭଃଶୁମ୍ଭି ଅଟ୍ଟାଳିକାଗୁଡ଼ିକ । ଦୁବାଇ ସହର ପରି ଆବୁଧାବିରେ ଅନେକ ଭାରତୀୟ ବସ ବାସ କରନ୍ତି । ସକାଳର ଅସହ୍ୟ ଖରା ଯୋଗୁଁ ବୁଲା ବୁଲି କାର୍ଯ୍ୟକ୍ରମ ଉପରବେଳା ଲାଗି ସ୍ଥଗିତ ରଖାଗଲା ।
ଟିକିଏ ଖରା କମିବା ପରେ ଆମେ ଗଲୁ ବିଶ୍ୱପ୍ରସିଦ୍ଧ ଶେଖ ଜାୟେଦ ମସଜିଦ (Shekh Zayed Grand Mosque) ଅଭିମୁଖେ । ଆଖି ଝଲସି ଯାଉଥିବା ଏହି ମସଜିଦର କୀର୍ତ୍ତିରାଜି ନିହାତି ରୂପେ ପ୍ରଶଂସା ଯୋଗ୍ୟ । ମସଜିଦର ଶୀର୍ଷ ଭାଗ ଓ ହତା ମଧ୍ୟ ଥିବା ଖଜୁରୀ ଗଛ ଗୁଡ଼ିକରେ ହୋଇ ଥିବା ସୁବର୍ଣ୍ଣ କାରୁକାର୍ଯ୍ୟ ପ୍ରମାଣ ଦେଉ ଥିଲା ଆରବୀୟ ପ୍ରାଚୁର୍ଯ୍ୟର । ମସଜିଦର ମୁଖ୍ୟ ପ୍ରାର୍ଥନା ଗୃହର ଚଟ୍ଟାଣକୁ ଆଚ୍ଛାଦିତ କରୁଥିବା ବିଶ୍ୱର ସବୁଠାରୁ ବୃହତ ଗାଲିଚା ଥିଲା ସେଠିକାର ଅନ୍ୟତମ ବିଲକ୍ଷଣତା । ଯିଏ ଯେଉଁଠାର ହେଇଥାଉ କାହଁକି ନା, ମସଜିଦ ଭିତରକୁ ପ୍ରବେଶ କଲା ମାତ୍ରେ ହିଁ ମହିଳାମାନଙ୍କ ଲାଗି ବୁର୍ଖା ପିନ୍ଧିବା ବାଧ୍ୟତାମୂଳକ । ପ୍ରହରୀ ମାନେ ବି ସଜାଗ ଥା’ନ୍ତି, କାହା ମୁଣ୍ଡରୁ ପଣତ ଯେପରି ଖସି ନଯାଏ । ଏପରିକି କାହା କାନ୍ଧରେ ହାତ ପକାଇ ଫୋଟୋ ବି ଉଠାଇବା ମନା ।
ପ୍ରବଳ ଗରମ ହେଉ ଥିବାରୁ, ଟିକିଏ ସାଷ୍ଟାମ ହେବା ଲାଗି ଗୋଟିଏ ଜାଗାରେ କିଛି ସମୟ ବିଶ୍ରାମ ନେଉଥିବା ସମୟରେ, ଦେଖିଲି କିଛି ଇଉରୋପୀୟ ଯୁବତୀମାନେ ବୁର୍ଖା ପିନ୍ଧି ଫୋଟୋ ଉଠାଉ ଥିଲେ । ସେମାନେ ଗ୍ରୀସ ଦେଶରୁ ଆସିଥିବା ପର୍ଯ୍ୟଟନ ବିଷୟର ଛାତ୍ରୀ ଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଛାତ୍ରୀ ଭର୍ଜିନିଆଙ୍କ ସହ କଥା ହୋଇ ଜାଣିଲି ସେମାନେ ବିଶ୍ୱବିଦ୍ୟାଳୟ ତରଫରୁ ତଥ୍ୟ ସଂଗ୍ରହ ଓ ପ୍ରତକ୍ଷ ଅଭିଜ୍ଞତା ଲାଗି ଆବୁଧାବି ଭ୍ରମଣରେ ଆସିଥିଲେ ।
ସେଦିନ ଫେରିବା ବେଳକୁ ରାତି ହୋଇ ଯାଇଥିଲା, କିନ୍ତୁ ଗରମର ପ୍ରକୋପ କିଛି କମ ନଥିଲା । ଫେରିବା ସମୟରେ ବିଶ୍ୱ ପ୍ରସିଦ୍ଧ ଗଗନ ଚୂମ୍ଭି ଅଟ୍ଟାଳିକା Al Bahr towers ଆଖିରେ ପଡ଼ିଲା । ସପୁରି ଆକୃତି ହେତୁ Pineapple Tower କୁହା ଯାଉଥିବା ଏହି ଅଟ୍ଟାଳିକାର ବିଶେଷତ୍ୱ ଏହାର ଛତା ସଦୃଶ କାଚ ଝରକାଗୁଡ଼ିକ ଯାହା ସୂର୍ଯ୍ୟ ତାପ ଅନୁସାରେ ଆପେ ଆପେ ଖୋଲିଯାଏ ଏବଂ ବନ୍ଦ ବି ହୋଇଯାଏ ।
ଆବୁଧାବିରେ ବି ଦୁବାଇ ସମକକ୍ଷ ଅନେକ ପ୍ରସିଦ୍ଧ ଦର୍ଶନୀୟ ସ୍ଥାନ ଅଛି । କିନ୍ତୁ, ମାତ୍ର ଦୁଇ ଦିନ ହାତରେ ଥିବାରୁ ଅଳ୍ପ କିଛି ଦେଖିବାର ସୁଯୋଗ ମିଳି ଥିଲା ଏବଂ ଦ୍ୱିତୀୟତଃ, ମୁଖ୍ୟ ବାଧକ ସାଜି ଥିଲା ସେଠିକାର ଅସହ୍ୟ ତାପମାତ୍ରା । ଫେରିବା ସମୟରେ ଟାକ୍ସି ଝରକାରୁ ଆବୁଧାବି ସହରକୁ ଆଖି ପୁରାଇ ଦେଖିନେଲି । ଆଉ ଆରବ୍ୟ ରଜନୀର ଅନ୍ୟତମ ସହରଠାରୁ ବିଦାୟ ନେଲା ବେଳେ ମୋ ପାଟିରୁ ଆପେ ଆପେ ବାହାରିଯାଇଥିଲା ‘ଶୁକ୍ରାନ୍ ଜଜିଲାମ୍’ ମାନେ ବହୁତ ବହୁତ ଧନ୍ୟବାଦ ।
– ଡ. ଅମ୍ରିତା ପାଣି
Comments
ଡ. ଅମ୍ରିତା ପାଣି ଓଡ଼ିଆ ଭାଷାରେ କିଷମ କିଷମର ଗପ ଓ ଭ୍ରମଣ କାହାଣୀ ଆଦି ରଚନା କରନ୍ତି । ତାଙ୍କ ରଚିତ ଗପଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇବା ସହିତ ପାଠକୀୟ ଆଦୃତି ଲାଭ କରିଛି । ତାଙ୍କ ବିଦେଶ ଯାତ୍ରାର କିଛି ଅନୁଭୂତିକୁ ସେ ଶବ୍ଦରେ ସଜେଇ ସୁନ୍ଦର ଭାବରେ ବଖାଣନ୍ତି ସେ ଦେଶକୁ, ରାଜ୍ୟକୁ, ସହର ଅବା ସ୍ଥାନକୁ । ସେମିତି କିଛି ଭ୍ରମଣକାହାଣୀ ମଧ୍ୟ ପ୍ରକାଶ ପାଇଛି ଶୁଭପଲ୍ଲବରେ ।