କାଲି ରାକ୍ଷୀ ପୂର୍ଣ୍ଣିମା । ମୋନା, ଟିକି, ମିତାଲି ନିଜ ନିଜ ଭାଇଙ୍କୁ ରାକ୍ଷୀ ବାନ୍ଧିବାକୁ ସଜ ହେଉଛନ୍ତି । ତେଣେ ଗୁମ୍ ମାରି ସୋଫା ଉପରେ ମୁହଁ ମାଡ଼ି ଶୋଇଛି ଆଶା । ମା’ ଶର୍ମିଷ୍ଠାଙ୍କୁ ଅନେକ ଥର କହିଲାଣି ସେ, ଭାଇଟିଏ ତା’ର ଦରକାର । ଆଉ କୋଉ ଦିନ ନ ହେଲା ନାହିଁ ରାକ୍ଷୀପୂର୍ଣ୍ଣିମା ପାଇଁ ତ ନିହାତି ଦରକାର । ଭାଇଟିଏ ଥିଲେ ସେ ବି ରାକ୍ଷୀ ଦୋକାନକୁ ଯାଇ ରାକ୍ଷୀ ବାଛନ୍ତା । ତା’ ହାତରେ ରାକ୍ଷୀ ବାନ୍ଧନ୍ତା । ମନଲାଖି ଉପହାର ବି ଦାବି କରନ୍ତା । ହେଲେ ସେମିତି ହେଉଛି କୁଆଡ଼ୁ । ସ୍କୁଲ ଯାଇ ହେଉନି ବୋଲି ସାଙ୍ଗମାନେ ଭିଡିଓ କଲ୍ କରି ତାକୁ ଦେଖେଇ ହେଉଛନ୍ତି । ଏତକ ଭାବୁଭାବୁ ଅନ୍ତରରୁ କୋହଟାଏ ଆସିଲା ଯେମିତି । ଆଶାର ଦୁଇ ଧାର ଲୁହ ବୋହିଗଲା ।
ଶର୍ମିଷ୍ଠା ରୋଷେଇ ଘରୁ ଆସି ଆଶାର ଶୁଖିଲା ମୁହଁ ଦେଖି ଲୁହ ପୋଛିଲେ । କ’ଣ ହେଲା ଧନ । ପୁଣି ରାକ୍ଷୀ ବାନ୍ଧିପାରିବୁନି ବୋଲି ମନ ଦୁଃଖ କଲୁ । କହିଲେ, “ପିନୁ ମାଉସୀ ପୁଅ ମୁନା ଭାଇକୁ ରାକ୍ଷୀ ବାନ୍ଧିଦେ । ତୁ ତ ରାଜି ହେଉନୁ । ପୁଣି କାହିଁ ଦୁଃଖ । କ’ଣ କରିବା ଏବେ । ଆଉ କାନ୍ଦେନା । ବାପା ଆସନ୍ତୁ ତୋତେ ବୁଝାଇବେ ।”
ଚାରିଘଣ୍ଟା ପରେ ମାନସ ବାବୁଙ୍କ ଆଗମନ । ଧୋଇ ଧାଇ ହୋଇ ପିଲାଙ୍କ ଶୋଇବା ଘରକୁ ଯିବା ତାଙ୍କ ଅଭ୍ୟାସ । ଦୁଇ ଝିଅ, ସ୍ତ୍ରୀଙ୍କୁ ନେଇ ତାଙ୍କ ସଂସାର । ସେ ବାପାମା’ଙ୍କ ଗୋଟିଏ ପୁଅ ଥିଲେ । ଭଉଣୀ ନ ଥିଲା । ଭାଗ୍ୟ ଏମିତି ବିବାହ ପରେ ତାଙ୍କର ଦୁଇ ଝିଅ ହେଲେ । ମନରେ ଚାହିଁଥିଲେ ହେଁ ଆଉ ଇଚ୍ଛା କଲେନାହିଁ । ଆଶାକୁ ପାଖକୁ ଡାକିଲେ ସେ, “ଆସ ମା’ । କ’ଣ ହୋଇଛି ତୁମର ବୁଝିବା ।”
ଲୁହ ପୋଛି ରାକ୍ଷୀ ବାନ୍ଧିବି, ଭାଇ ଦରକାର ବୋଲି କହିଲା ଆଶା । ବାସ୍ ଏତିକି କଥା ବୋଲି କହିଲେ ମାନସ ବାବୁ । ଖାଲି ଭାଇକୁ ରାକ୍ଷୀ ବନ୍ଧା ଯାଏନି । ତୁମେ ଚାହିଁଲେ ଆକାଂକ୍ଷା ଅପାକୁ ବି ବାନ୍ଧି ପାରିବ । ସେ ତୁମଠାରୁ ବଡ଼ । ତୁମେ ପଡ଼ିଗଲେ ସେ କିଭଳି ତୁମକୁ ଉଠାଇ ଗେଲ କରେ ମନେ ଅଛି ନା । ଭାଇଟିଏ ବି ଠିକ୍ ସେମିତି କରେ ।
– ହଉ ବାପା । କାଲି ମୁଁ ଅପାଭାଇକୁ ବାନ୍ଧିବି ରାକ୍ଷୀ ।
– ହା…ହା…ହା…ଏଥର ଖୁସି ତ…
– ସାଗରିକା ପଟ୍ଟନାୟକ
Comments
ସାଗରିକା ପଟ୍ଟନାୟକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।