ଏହି ଅଳ୍ପଦିନ ତଳେ ମୁଁ ଏବେଂ ମୋର ଜନେ ବନ୍ଧୁ ଏକ ସାହିତ୍ୟ ସଭାରେ ଯୋଗଦାନ ଦେବାକୁ ଯିବାକୁ ଥାଏ । କାହିଁକି କେଜାଣି ଚିନ୍ତାକଲି ଆଗଦିନ ପୁରୀ ଯାଇ ରାତି ରହଣୀରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ । ପରଦିନ ସକାଳେ ଆସି କଟକରେ ସାହିତ୍ୟ ସଭାରେ ଯୋଗ ଦେବାକୁ ହେବ । ସପ୍ତାହ ଆଗରୁ ଯୋଜନା ମୁତାବକ ଟିକଟ ହେଇଗଲା ରେଳଯୋଗେ ଯାତ୍ରା ପାଇଁ । ବୋଧହୁଏ ପ୍ରଭୁଙ୍କର ଆମ ଉପରେ ଅହେତୁକ କୃପା ଥିଲା ତେଣୁ ଟିକଟ ସମ୍ଭବ ହେଲା । ଯିବାଦିନ ସକାଳେ ସ୍କୁଲକାମ ସାରି ଆମେ ଦୁହେଁ ଭଦ୍ରକ ରେଳ ଷ୍ଟେସନରେ ବାଇକ୍ ରଖି ଅପେକ୍ଷା କଲୁ ଆମର ଇପସିତ ଗାଡ଼ିକୁ ।
ନିର୍ଦ୍ଧାରିତ ସମୟର ୧୦ ମିନିଟ୍ ପୂର୍ବରୁ ଗାଡ଼ି ଷ୍ଟେସନ୍ରେ ପହଞ୍ଚିଗଲା । ଏହା ସହିତ ପୁରୀରେ ମଧ୍ୟ ଆଗରୁ ପହଞ୍ଚିଗଲା ଆମ ଗାଡ଼ି । ଓହ୍ଲେଇ ପଡ଼ି ସଅଳ ପାଦରେ ବାହାରକୁ ଯାଇ ଟାଉନ୍ ବସ୍ରେ ବଡ଼ଦାଣ୍ଡରେ ପହଞ୍ଚି ଲଜ୍ ଠିକ୍ କରି ଆମର ଜିନିଷପତ୍ର ରଖି ବିଶ୍ରାମ ନେଇ ମନ୍ଦିରକୁ ଯିବାକୁ ଇଚ୍ଛା କରୁଥିବାବେଳେ କାହିଁକି କେଜାଣି ମନକୁ ଆସିଲା, ନା ଆମେ ଆଗ ମନ୍ଦିର ଯାଇ ପ୍ରଭୁଙ୍କୁ ଦର୍ଶନ କରିବା ପରେ ବରଂ ଫେରିଆସି ବିଶ୍ରାମ ନେବା । ସେହି ଲକ୍ଷ୍ୟରେ ଆମେ ମନ୍ଦିର ଅଭିମୁଖେ ବାହାରିଲୁ । ଅରୁଣସ୍ତମ୍ଭକୁ ମୁଣ୍ଡିଆମାରି ବାଇଶି ପାହାଚ ଦେଇ କାଶୀ ବିଶ୍ୱନାଥଙ୍କୁ ଦର୍ଶନ କରି ଏବଂ ସେଇଠି ଦୀପଟିଏ ଜାଳିଦେଇ ଆଗକୁ ଆଗକୁ ଗଲୁ । ପାଟିରୁ ବାହାରି ଆସୁଥାଏ ଯୋଡ଼ିଏ ଶବ୍ଦ, ଜୟ ଜଗନ୍ନାଥ ।
ବାରିକେଟ ଦେଇ ସାତ ପାହାଚ ଅତିକ୍ରମ କରି ଗରୁଡ଼ ସ୍ତମ୍ଭକୁ କୁଣ୍ଢେଇବା ସମୟରେ ପ୍ରଭୁଙ୍କୁ ଦର୍ଶନ କରିବାବେଳେ ଆଖିରୁ ଦୁଇଧାର ଲୁହ ଗଡ଼ିପଡ଼ିଲା । ତା’ପରେ ଆଗକୁ ଯାଇ ବାହାର କାଠ ପାଖରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କଲୁ । ଅତ୍ୟନ୍ତ ଭିଡ଼ ତଥାପି ଦର୍ଶନ ସୁରୁଖୁରୁରେ ହେଲା ଏବଂ ସେଇଠି ପ୍ରଭୁଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରି ବାହାରକୁ ଆସି ମା’ ବିମଳା ମନ୍ଦିର, ଲକ୍ଷ୍ମୀ ମନ୍ଦିର, କଳ୍ପବଟ, ମୁକ୍ତିମଣ୍ଡପ, ପତିତପାବନ ଦର୍ଶନ ସାରି ଆନନ୍ଦ ବଜାରରେ ଆନନ୍ଦ ମନରେ ଅବଢ଼ା ସେବନ ପରେ ପୁଣିଥରେ ପ୍ରଭୁଙ୍କ ଦର୍ଶନ କରିବାକୁ ଆସିବା ବେଳକୁ ବ୍ୟାରିକେଟରେ ଅନେକ ଲୋକ । ଆମ ପରେ ବୋଧହୁଏ ନୀତିକାନ୍ତି ପାଇଁ ଦର୍ଶନ ବନ୍ଦ ରହିଛି । ତେଣୁ ଅନେକ ସମୟ ଧରି ଦର୍ଶନ ବନ୍ଦ । ପାଖରେ ଥିବା ସେବାୟତଙ୍କୁ ପଚାରି ବୁଝିବାରୁ ସେ କହିଲେ ଆହୁରି ଅନେକ ସମୟ ନୀତିକାନ୍ତି ହେବ । ସେତେବେଳକୁ ରାତି ପ୍ରାୟ ନଅଟା । ଭାବିଲି ଟିକିଏ ବିଶ୍ରାମ ନେଇ ଅଧିକ ସମୟ ଲଜ୍ରେ ବିତେଇ ଆସିଥିଲେ ବୋଧହୁଏ ଏତକ ଦର୍ଶନ ସମ୍ଭବ ହୋଇନଥାନ୍ତା । ସବୁ ପ୍ରଭୁଙ୍କର କୃପା । ମନେ ପଡ଼ୁଥାଏ ସନ୍ଥ ତୁଳସୀଦାସଙ୍କ ଦୋହାରୁ ପଦେ – “ବିନୁ ପଦ ଚଲଇ ସୁନଇ ବିନୁ କାନା ।”
ବାସ୍ତବରେ ଆମକଥାକୁ ଶୁଣିପାରୁଥିବା, ଆମ କଥାକୁ ବୁଝିପାରୁଥିବା ଏବଂ ଆମକୁ ସଅଳ ପହଞ୍ଚେଇ ଦେଇ ଦର୍ଶନ ଦେବା ବାସ୍ତବରେ ମୋ ଅନ୍ତର୍ଯ୍ୟାମୀ ଠାକୁର କୋଟି ବ୍ରହ୍ମାଣ୍ଡର ନାଥ କାଳିଆ ସାଆନ୍ତଙ୍କ ଛଡ଼ା କିଏ ହୋଇପାରେ ।
ଧନ୍ୟ କାଳିଆ ସାଆନ୍ତ । ଧନ୍ୟ ତୋ’ର ମହିମା ।
– ସଦାନନ୍ଦ ପାଣିଗ୍ରାହୀ
Comments
ସଦାନନ୍ଦ ପାଣିଗ୍ରାହୀ ପେଶାରେ ଜଣେ ଶିକ୍ଷକ ଏବଂ ନିଶା ତାଙ୍କର କବିତା ଲେଖିବା । ସେ କବିତା ଲିଖନ ପାଇଁ ଅନେକ ସ୍ଥାନରେ ପୁରସ୍କୃତ ମଧ୍ୟ ହୋଇଛନ୍ତି ।