ତୁମେ ମୋ ଜୀବନର ଅନିର୍ବାଯ୍ୟ ଅବଶୋଷ,
ମୁଁ ନିଜ ଭବିଷ୍ୟତର ବିକଳାଙ୍ଗ ଅବଶେଷ ।
ତୁମେ କାହାଣୀରେ ଅଳସ ଭାଙ୍ଗୁଥିବା ସମ୍ମୋହନୀ କଳାକାର,
ମୁଁ ଉପେକ୍ଷିତ ପରଦାରେ ନାଟକ କରୁଥିବା ଏକ ଯାଯାବର ।
ଅରୁଣିମା ବୋଳା ପ୍ରତି ସକାଳର ମୂର୍ଚ୍ଛିତ କାମନା ତୁମେ,
ଶାପ ଜୁଡୁବୁଡୁ ଅନେକ ସ୍ୱପ୍ନର ସୁନ୍ଦର କବରୀ ମୁଁ ଯେ ।
ଚଉରା ମୂଳରେ ଭାସି ବୁଲୁଥିବା ସକାଳ ଆରତୀ ତୁମେ,
ସୁରଭି ଜଙ୍ଗଲେ ନିତି ଜଳୁଥିବା ସାମାନ୍ୟ କାଠିଟି ମୁଁ ଯେ ।
ଆଶାର ପୁଟୁଳି ବନ୍ଧା ବିରାଟ କଳ୍ପବଟ ତୁମେ,
ମୁଁ……!
ମୁଁ ତ ଶେଷ ସନ୍ତକ ଧରି ମଶାଣିରେ ତୁଳସୀ ଚାରା ହୋଇ ଜନ୍ମ ।
ତୁମେ ସହରୀ ଦ୍ଵାରରେ ଚିକ୍ ଚିକ୍ ହୋଇ ଝଲସୁଥିବା ସୌଧ,
ମୁଁ କେଉଁ ଏକ ବସ୍ତିରେ ଦଣ୍ଡାୟମାନ ଝାଟି ମାଟି କଙ୍କାଳ ।
ତୁମେ ପାହାଡ଼ କନ୍ଦିରୁ ଝରିପଡୁଥିବା ଘୁଙ୍ଗୁର ପିନ୍ଧା ଆତ୍ମା,
ମୁଁ ମରୁଭୂମିରେ ଜୀବନ ଖୋଜୁଥିବା ଅସମାହିତ ନିସଙ୍ଗତା ।
– ସ୍ୱାତୀସ୍ମିତା ବାରିକ
Comments
ସ୍ୱାତୀସ୍ମିତା ବାରିକ ଓଡ଼ିଆ ଭାଷାରେ ବିଭନ୍ନ ପ୍ରକାରର ଗପ/କବିତା ଆଦି ରଚନା କରିଥାନ୍ତି । ତାଙ୍କ ରଚିତ ଅନେକ ଗୁଡ଼ିଏ ଗପ, କବିତା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇଛି ।