ମନୁଷ୍ୟ ହେଉଛି ଭଗବାନଙ୍କ ସର୍ବୋତ୍ତମ ସୃଷ୍ଟି । କିନ୍ତୁ ଏହି ସର୍ବୋତ୍ତମ ସୃଷ୍ଟି ସମୂଳେ ବିଧ୍ୱଂସ ହେବାକୁ ବସେ, ଯେତେବେଳେ ଅହଙ୍କାର ରୂପୀ ରାକ୍ଷାସ ତାକୁ ଗ୍ରାସ କରିବା ଆରମ୍ଭ କରେ । ଏହି ଅହଙ୍କାର ଯୋଗୁଁ ସେ ଅଜ୍ଞାନ ରୂପକ ଅନ୍ଧକାରରେ ସମ୍ପୂର୍ଣ୍ଣ ରୂପେ ଅନ୍ଧ ହୋଇଯାଏ । ତାକୁ ସର୍ବଶ୍ରେଷ୍ଠ ପ୍ରାଣୀ ରୂପେ ବିବେଚିତ କରୁଥିବା ସମସ୍ତ ଗୁଣ ଏହି ଅନ୍ଧକାର ମଧ୍ୟରେ ଲୀନ ହୋଇଯାଏ ଏବଂ ଏହି କାରଣରୁ ସେ ପଥଭ୍ରଷ୍ଟ ହୋଇ କୁକର୍ମ କରିବା ଆରମ୍ଭ କରିଦିଏ ଓ ତତ୍ ସଙ୍ଗେ ନିଜର ବିନାଶକୁ ମଧ୍ୟ ଅବିଳମ୍ବେ ଆମନ୍ତ୍ରଣ କରିଦିଏ । ଇତିହାସ ସାକ୍ଷୀ ରହିଛି, ଯେବେ ଯେବେ ଅହଙ୍କାରରେ ପରିପୂର୍ଣ୍ଣ ହୋଇ ମନୁଷ୍ୟ ନିଜ କୁକର୍ମ ଦ୍ୱାରା ଅମାନବିକତାର ପରିଚୟ ଦେଇଛି, ତେବେ ତେବେ ସ୍ୱୟଂ ଭଗବାନ ତା’ର ବିନାଶ କରି ମାନବିକତାର ଅସ୍ତିତ୍ୱକୁ ରକ୍ଷା କରିଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି କି “ଅହଙ୍କାର ଦ୍ୱାରା କର୍ମ ଉପରେ କିପରି ପ୍ରଭାବ ପଡ଼େ?” ଏବଂ “ଇତିହାସରେ ଏଭଳି କେଉଁ ଉଦାହରଣ ରହିଛି?”… ଏହାର ପ୍ରତ୍ୟୁତ୍ତରରେ ମୁଁ ଅତୀତରେ ଘଟିଯାଇଥିବା କିଛି ମହତ୍ତ୍ୱପୂର୍ଣ୍ଣ ଘଟଣାକୁ ଏଠାରେ ଉଦାହରଣ ସ୍ୱରୂପ ଉଲ୍ଲେଖ କରିବି ।
ବାହୁବଳ ଓ ଶକ୍ତିକୁ ପାଇ ନିଜକୁ ସର୍ବଜ୍ଞ ଓ ସର୍ବଶ୍ରେଷ୍ଠ ମନେ କରିବା ହେଉଛି ଅହଙ୍କାର । ଦୟା, କରୁଣା, ଜିଜ୍ଞାସା ଭଳି ମନୋବୃତ୍ତିକୁ ତ୍ୟାଗ କରିଦେବା ହେଉଛି ଅହଙ୍କାର । ତେବେ ମନରେ ଅହଙ୍କାର ଜାଗ୍ରତ ହେବା ଦ୍ୱାରା ମନୁଷ୍ୟର ବିଚାର କରିବା ଶକ୍ତି ବହୁ ମାତ୍ରାରେ ଲୋପ ପାଇଯାଏ ଏବଂ ସେ ବିବେକ ଶୂନ୍ୟ ହୋଇ ଭୁଲ୍ ଠିକ୍ର ବିଚାର ନ କରିପାରି ଅସତ୍ ମାର୍ଗରେ ଯାତ୍ରା କରିବା ଆରମ୍ଭ କରିଦିଏ । ଅହଙ୍କାର ଯୋଗୁଁ ମାନବକଲ୍ୟାଣରେ ବାଧା ସୃଷ୍ଟି ହୁଏ ଏବଂ ଏହା ନିରାଟ ସତ୍ୟ ଯେ, ମାନବ କଲ୍ୟାଣରେ ବାଧା ସୃଷ୍ଟି ହେବା ଅର୍ଥ ଭଗବାନଙ୍କ ଅବତାର ଧାରଣ କରିବା ଏବଂ ଭଗବାନଙ୍କ ଅବତାର ଧାରଣ କରିବା ଅର୍ଥ ଅହଙ୍କାରୀର ସମୂଳେ ବିନାଶ କରିବା ।
ପାଳନକର୍ତ୍ତା ତଥା ପରମ ପୂଜ୍ୟ ଶ୍ରୀବିଷ୍ଣୁଙ୍କ ଦଶାବତାରର ମହାନ୍ ଗାଥା କାହାକୁ ବା ଅଜଣା ! ମାନବିକତାର ରକ୍ଷା ଏବଂ ମାନବ କଲ୍ୟାଣ ନିମନ୍ତେ ସେ ସର୍ବଦା ଅବତାର ଧାରଣ କରି ଧରା ପୃଷ୍ଠରେ ଅବତୀର୍ଣ୍ଣ ହୋଇଛନ୍ତି (ମାତ୍ର କଳ୍କୀ ଅବତାରରେ ବର୍ତ୍ତମାନ ପର୍ଯ୍ୟନ୍ତ ଅବତୀର୍ଣ୍ଣ ହୋଇନାହାନ୍ତି) । ଯଦି ଆମେ ଏହି ଗାଥାକୁ ଟିକିଏ ଗଭୀର ଭାବେ ଅନୁଧ୍ୟାନ କରିବା ତେବେ ଜାଣିପାରିବା ଯେ ଭଗବାନଙ୍କ ନଅଗୋଟି ଅବତାର ମଧ୍ୟରୁ ସାତଗୋଟି ଅବତାର କେବଳ ଅହଙ୍କାରୀଙ୍କ ବିନାଶ ନିମନ୍ତେ ଉଦ୍ଦିଷ୍ଟ ଥିଲା ଓ ଅନ୍ୟ ଦୁଇଟି (କୁର୍ମ ଏବଂ ବୁଦ୍ଧାବତାର) ମାନବ କଲ୍ୟାଣ ନିମନ୍ତେ ଉଦ୍ଦିଷ୍ଟ ଥିଲା । ତେବେ ଅହଙ୍କାର ସହ ଜଡ଼ିତ ଏହି ସାତଗୋଟି ଅବତାର ବିଷୟରେ ମୁଁ ନିମ୍ନରେ ବର୍ଣ୍ଣନା କରୁଅଛି ।
ମତ୍ସ୍ୟ ଅବତାରରେ ହୟଗ୍ରୀବ –
ଏହା ଥିଲା ପ୍ରଥମ ଅବତାର । ହୟଗ୍ରୀବ ଭଗବାନଙ୍କ ଅସ୍ତିତ୍ୱକୁ ନ ମାନି, ଅହଙ୍କାରରେ ପରିପୂର୍ଣ୍ଣ ହୋଇ ନିଜକୁ ସର୍ବଶକ୍ତିମାନ ମନେ କରୁଥିଲା ଏବଂ ଏହା ସହ ସେ ବ୍ରହ୍ମାଙ୍କଠାରୁ ବେଦ; ଯାହାକି ମାନବ କଲ୍ୟାଣ ନିମନ୍ତେ ପ୍ରଯୁଜ୍ୟ ଥିଲା; ସେଗୁଡ଼ିକର ହରଣ କରି ଜଘନ୍ୟ ଅପରାଧ କରିଥିଲା । ଏହି କାରଣରୁ ଭଗବାନ ଶ୍ରୀବିଷ୍ଣୁ ମତ୍ସ୍ୟ ଅବତାର ଧାରଣ କରି ହୟଗ୍ରୀବର ବଧ କରିଥିଲେ ଏବଂ ଏହିଭଳି ଭାବେ ଅହଙ୍କାର ଦ୍ୱାରା ହୟଗ୍ରୀବ ନିଜ ମୃତ୍ୟୁକୁ ଆମନ୍ତ୍ରଣ କରିଥିଲା ।
ବରାହାବତାରରେ ହିରଣ୍ୟାକ୍ଷ –
ଏହା ଥିଲା ତୃତୀୟ ଅବତାର । ହିରଣ୍ୟକଶ୍ୟପର ବଡ଼ଭାଇ ଥିଲା ହିରଣ୍ୟାକ୍ଷ । ଯେତେବେଳେ ସେ ମାନବକଲ୍ୟାଣରେ ବାଧା ସୃଷ୍ଟି କରି ମନୁଷ୍ୟଙ୍କ ଉପରେ ଅତ୍ୟାଚାର କଲା ଏବଂ ଧରିତ୍ରୀ ମାତାଙ୍କ ଅପହରଣ କଲା, ସେତେବେଳେ ଭଗବାନ ବିଷ୍ଣୁ ବରାହାବତାର ଧାରଣ କରି ତା’ର ବଧ କରିଥିଲେ ଏବଂ ଏହିଭଳି ଭାବେ ଅହଙ୍କାର ଯୋଗୁଁ ହିରଣ୍ୟାକ୍ଷର ମୃତ୍ୟୁ ହୋଇଥିଲା ।
ନୃସିଂହାବତାରରେ ହିରଣ୍ୟକଶ୍ୟପ –
ଏହା ଥିଲା ଚତୁର୍ଥ ଅବତାର । ହିରଣ୍ୟକଶ୍ୟପ ବ୍ରହ୍ମାଙ୍କ ବର ଯୋଗୁଁ ନିଜକୁ ଏତେ ଶକ୍ତିଶାଳୀ ମନେ କରୁଥିଲା ଯେ ଭଗବାନଙ୍କୁ ନୀଚ ବୋଲି ବୋଲି ଭାବୁଥିଲା କିନ୍ତୁ ନିଜ ପୁତ୍ର ପ୍ରହ୍ଲାଦର ଅପାର ବିଷ୍ଣୁଭକ୍ତିକୁ ସହ୍ୟ କରି ନ ପାରି ତା’ ପ୍ରତି ଅକଥନୀୟ ଅତ୍ୟାଚାର କରୁଥିଲା ଏବଂ ତାକୁ ବାରମ୍ବାର ମାରିବାକୁ ଉଦ୍ୟମ କରୁଥିଲା । ପରିଶେଷରେ ଭଗବାନ ନୃସିଂହ ଅବତାର ଧାରଣ କରି ହିରଣ୍ୟକଶ୍ୟପର ବଧ କରିଥିଲେ ଏବଂ ପ୍ରହଲ୍ଲାଦର ରକ୍ଷା କରିଥିଲେ । ଏହିଭଳି ଭାବେ ଅହଙ୍କାରର ଶିକାର ହୋଇ ହିରଣ୍ୟକଶ୍ୟପ ନିଜ ମୃତ୍ୟୁକୁ ଲୋଡ଼ିଥିଲା ।
ବାମନାବତାରରେ ବଳି –
ଏହା ଥିଲା ପଞ୍ଚମ ଅବତାର । ପ୍ରହଲ୍ଲାଦ ପୌତ୍ର ବଳି ଯେ କି ମହାଦାନୀ ଥିଲା, ସେ ଦେବଲୋକ ପରେ ମାନବଲୋକ ଅଧିକାର କରି ତ୍ରିଲୋକ ବିଜୟୀ ହେବା ପାଇଁ ଉଦ୍ୟତ ହୋଇଥିଲା ଓ ଏହି କାରଣରୁ ସେ ଅକାରଣରେ ମାନବମାନଙ୍କ ଉପରେ ଆକ୍ରମଣ କରିଥିଲା । ସେହି ସମୟରେ ବଳିର ଏହି ଅହଙ୍କାରକୁ ଚୂର୍ଣ୍ଣ କରିବା ପାଇଁ ସ୍ୱୟଂ ଭଗବାନ ବାମନାବତାର ଧାରଣ କରି ଧରା ପୃଷ୍ଠରେ ଅବତୀର୍ଣ୍ଣ ହୋଇଥିଲେ ଓ ବଳିର ଅହଙ୍କାରକୁ ସମୂଳେ ନଷ୍ଟ କରିଥିଲେ ।
ପର୍ଶୁରାମ ଅବତାରରେ ସହସ୍ର ଅର୍ଜୁନ –
ଏହା ଥିଲା ଷଷ୍ଠ ଅବତାର । ରାଜା ସହସ୍ର ଅର୍ଜ୍ଜୁନ ଭଗବାନ ଦତ୍ତାତ୍ରୟଙ୍କ କୃପାରୁ ସହସ୍ର ବାହୁର ଶକ୍ତି ପାଇ ନିଜକୁ ଶକ୍ତିଶାଳୀ ମନେ କରୁଥିଲା । କ୍ଷତ୍ରିୟଙ୍କ ବିନା ସଂସାରର ଅସ୍ତିତ୍ୱ ଅସମ୍ଭବ ବୋଲି ମନେ କରି ସେ ବ୍ରାହ୍ମଣ ମାନଙ୍କୁ ହେୟ ଜ୍ଞାନ କରୁଥିଲା । ସେ ଅନ୍ୟ କ୍ଷତ୍ରିୟ ରାଜାଙ୍କ ସହ ମିଶି ମୁନି, ଋଷିଙ୍କ ଉପରେ ଅକଥନୀୟ ଅତ୍ୟାଚାର କରିବା ମଧ୍ୟ ଆରମ୍ଭ କରିଦେଇଥିଲା । ଏହି କାରଣରୁ ସ୍ଵୟଂ ଭଗବାନ ପର୍ଶୁରାମ ଅବତାର ଧାରଣ କରି ସହସ୍ର ଅର୍ଜୁନ ସମେତ ଅନ୍ୟ କ୍ଷତ୍ରିୟଙ୍କର ବଧ କରିଥିଲେ । ଏହିଭଳି ଭାବେ ରାଜା ସହସ୍ର ଅର୍ଜ୍ଜୁନ, ଅହଙ୍କାର କରି ନିଜ ମୃତ୍ୟୁକୁ ଲୋଡ଼ିଥିଲା ।
ରାମ ଅବତାରରେ ରାବଣ –
ଏହା ଥିଲା ସପ୍ତମ ଅବତାର । ତ୍ରେତୟା ଯୁଗରେ ରାବଣ ବ୍ରହ୍ମାଙ୍କଠାରୁ ବର ପାଇ ନିଜକୁ ସର୍ବଶକ୍ତିଶାଳୀ ମନେ କରୁଥିଲା । ସେ ଭଗବାନ ବିଷ୍ଣୁଙ୍କ ପୂଜା ଓ ଯଜ୍ଞ ବନ୍ଦ କରିବା ନିମନ୍ତେ ସମସ୍ତ ମୁନି ଋଷିମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରିବା ମଧ୍ୟ ଆରମ୍ଭ କରିଦେଇଥିଲା । ମୁନି ଋଷିଙ୍କ ଏ ଦୁର୍ଦ୍ଦଶା ଦେଖି ସ୍ୱୟଂ ଭଗବାନ ରାମ ଅବତାର ଧାରଣ କରି ଧରାପୃଷ୍ଠରେ ଅବତୀର୍ଣ୍ଣ ହୋଇଥିଲେ । ପରେ ବନବାସ ସମୟରେ ସେ ସୀତାଙ୍କ ହରଣ କରି ନିଜ ମୃତ୍ୟୁକୁ ଅବିଳମ୍ବେ ଆମନ୍ତ୍ରଣ କରିଥିଲା ଓ ରାମ-ରାବଣ ଯୁଦ୍ଧରେ ଭଗବାନ ରାମଙ୍କ ଦ୍ୱାରା ତା’ର ବଧ ହୋଇଥିଲା । ରାବଣ ମହାଜ୍ଞାନୀ ଥିଲା ମାତ୍ର ଅହଙ୍କାର ଯୋଗୁଁ ସେ ବିବେକ ଶୂନ୍ୟ ହୋଇ ନିଜ ମୃତ୍ୟୁକୁ ଲୋଡ଼ିଥିଲା ।
କୃଷ୍ଣ ଅବତାରରେ କଂସ –
ଏହା ଥିଲା ଅଷ୍ଟମ ଅବତାର । ଦ୍ୱାପର ଯୁଗରେ କଂସ ନିଜକୁ ଅତ୍ୟନ୍ତ ଶକ୍ତିଶାଳୀ ମନେ କରୁଥିଲା । ତା’ଦ୍ୱାରା ମୁନି ଋଷିମାନେ ଅକଥନୀୟ ଅତ୍ୟାଚାରର ସମ୍ମୁଖୀନ ହେଉଥିଲେ । ଋଷିମାନଙ୍କ ଏ ଦୁର୍ଦ୍ଦଶା ଦେଖି ମାନବିକତାର ରକ୍ଷା କରିବା ନିମନ୍ତେ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣଙ୍କ ଅବତାର ଧାରଣ କରି ତା’ର ବଧ କରିଥିଲେ । ଏହାପରେ ଅହଙ୍କାରୀ ଶିଶୁପାଳର ମଧ୍ୟ ବଧ କରିଥିଲେ । ଏହିପରି ଭାବେ କଂସ ଏବଂ ଶିଶୁପାଳ ଅହଙ୍କାର ଦ୍ୱାରା ଗ୍ରାସିତ ହୋଇ ନିଜ ମୃତ୍ୟୁକୁ ଲୋଡ଼ିଥିଲେ ।
ତେବେ ଉପରୋକ୍ତ ବ୍ୟାଖ୍ୟା ଗୁଡ଼ିକରୁ ଭଗବାନଙ୍କ ଅବତାର ସହ ଅହଙ୍କାର ମଧ୍ୟରେ ନିହିତ ଥିବା ସମ୍ପର୍କକୁ ଆମେ ଭଲ ଭାବେ ଜାଣିପାରିଲେ ଓ ତତ୍ ସଙ୍ଗେ ଅହଙ୍କାର କେତେ ଭୟଙ୍କର ଏବଂ ତା’ର ପରିଣାମ କେତେ ବିନାଶକାରୀ ସେ ବିଷୟରେ ମଧ୍ୟ ବହୁତ କିଛି ଜାଣିପାରିଲେ । ମନୁଷ୍ୟ କେତେ ଶକ୍ତିଶାଳୀ ଅଥବା କେତେ ଜ୍ଞାନୀ ହେଉ ନା କାହିଁକି, ଅହଙ୍କାର ଦ୍ୱାରା ସମସ୍ତଙ୍କ ବିନାଶ ସୁନିଶ୍ଚିତ । ଅହଙ୍କାର ଦ୍ୱାରା ନିଜର ଉନ୍ନତି ସହ ଜନକଲ୍ୟାଣରେ ମଧ୍ୟ ବାଧା ସୃଷ୍ଟି ହୁଏ ।ଏଣୁ ଜୀବନରେ ଗର୍ବ, ଅହଙ୍କାର ତ୍ୟାଗ କରି ସମସ୍ତଙ୍କ ପ୍ରତି ଦୟା, କରୁଣା, ପ୍ରେମ ଓ ପରୋପକାରିତାର ମନୋଭାବ ରଖିବା ଉଚିତ୍ ।
– ବିଦିଶା ପାତ୍ର
Comments
ବିଦିଶା ପାତ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।