ଇଶ୍ୱର ସୃଷ୍ଟି କି ବିଚିତ୍ର । କାହାର ପରମାୟୁ ଅଧିକ ତ କାହାର ପରମାୟୁ ଗୋଟିଏ ଦିନର । ସେହି ଗୋଟିଏ ଦିନରେ ଯେ ସେ ତା’ର ପ୍ରୟୋଜନ ସମସ୍ତଙ୍କ ପାଖରେ ହୋଇଥାଏ । “ସେ ହେଉଛି ଫୁଲ” । ତା’ର ସୁବାସ ଚତୁର୍ଦ୍ଦିଗରେ ମହକିତ ହୋଇଥାଏ । ସେ କେତେବେଳେ ଇଶ୍ୱରଙ୍କ ଗଳାର ହାର ତ କେବେ ମଥାରେ ଟାହିଆ ହୋଇ ସଜାଇ ହୁଏ । ପୁଣି ନାରୀର ଗଭାର ଗଜରା, ଗୃହର ସାଜସଜ୍ଜା ଓ ଅତୀଥି ସତ୍କାର, ସେ ନବଜୀବନର ଆରମ୍ଭରେ ଥାଏ ବରଣମାଳା ହୋଇ; ବାସର ସେଜରେ ସଜେଇ ହୁଏ ପୁଣି ଜୀବନର ଶେଷ ସଜ୍ୟାରେ ଥାଏ । ତାକୁ କୁହାଯାଏ ଅନିତ୍ୟ ଓ ଅବିନାଶି ।
ଗୋଟିଏ ଦିନର ପରମାୟୁ ନେଇ ସେ ଜନ୍ମ ହୁଏ । ସକାଳର କାକର ବିନ୍ଦୁରେ ତା’ର ଦେହ ଓଦା ହୁଏ । ମହୁମାଛି ତା’ର ମଧୁ ନିଏ ଶୋଷି, ପୁଣି ଭ୍ରମରର ଗୁଣୁଗୁଣୁ ଶବ୍ଦରେ ତା’ର ମନ ଆନନ୍ଦରେ ଭାସେ । ସେ ଭାବେ ଭ୍ରମର ଏହିଭଳି ନିତିଗୀତ ଗାଉ ଆଉ ମୁଁ ଶୁଣେ । ପ୍ରଜାପତି ତା’ର ଦେହରେ ବସି ଚୁପିଚୁପି କଥା ତା’ର ମନକୁ ମୋହେ । ସେ ଭାବେ ସଂସାରରେ ମୋ’ଠାରୁ ସୁଖି କେହି ନାହାନ୍ତି । ଏତେ ସ୍ୱପ୍ନକୁ ରାତି କାହିଁ । ରାତିର ଶିଥିଳତାରେ ସେ ଆସ୍ତେ ଆସ୍ତେ ଫୁଟିଉଠେ କୁମାରୀ ବୟସ ନେଇ । ଭାବେ ମୁଁ ରୁହନ୍ତିକି ସବୁଦିନ ପାଇଁ । ରବିତେଜରେ ଆସ୍ତେ ଆସ୍ତେ ମଉଳିବାକୁ ଲାଗେ ପୁଣି ଅଦରକାରୀ ହୋଇଯାଏ, ବାସିରେ ସେ ହୁଏ ପରିଚିତା । ଠାକୁରଙ୍କ ବାସି ହାର ତ, ଗଜରା ବି ବାସି, ଯେଉଁ ସୁଗନ୍ଧ ତା’ର ସମସ୍ତଙ୍କର ମନ ମୋହୁଥିଲା । କିଛି ସମୟ ଅନ୍ତରରେ ତା’ର ସୁଗନ୍ଧ ଦୁର୍ଗନ୍ଧରେ ବଦଳିଗଲା । କେହି ବୁଝନ୍ତିନି ତାକୁ । ତା’ର ଜନ୍ମହୁଏ କେବଳ ସମାଜ ମଙ୍ଗଳ ପାଇଁ । ଅଳ୍ପ ଆୟୁରେ ଜନ୍ମହୋଇ ସେ ମଧ୍ୟ କାହାର କ୍ଷତି କରେ ନାହିଁ । ବରଂ ସମସ୍ତଙ୍କର ଶୁଭ ଚିନ୍ତନ କରି ଜୀବନକୁ ଆହୂତି ଦିଏ; “ସେ ହେଉଛି ଅଭିନେତ୍ରୀ ଫୁଲ ।”
– ଗୀତାଞ୍ଜଳି ବାରିକ
Comments
ଗୀତାଞ୍ଜଳି ବାରିକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।