ଆହ୍ୱାନ

Odia Poem Ahwan (ଆହ୍ୱାନ) by Sanghamitra Kanungo

ବେଳେ ବେଳେ ଏମିତି ବି ହୁଏ,
ସବୁ ସୁଖର ଏରୁଣ୍ତି ବନ୍ଧ ଡେଇଁ କିଏ ଜଣେ ପଶି ଆସେ,
ବହୁ ପ୍ରଶ୍ନର ପସରା ଧରି,
ଆନ୍ଦୋଳିତ ହୁଏ ମନ

ମୁଁ ପରା ଈଶ୍ୱରଙ୍କ ସର୍ବୋତ୍ତମ ସୃଷ୍ଟି,
ଘରର ମୁଁ ଲକ୍ଷ୍ମୀ ।
ଏକାଧାରେ ଜାୟା, ପୁଣି ଜନନୀ, ଭଗିନୀ ।
ପ୍ରେମ, ପ୍ରୀତି, ପ୍ରଣୟର ମୁଁ ପରା ତ୍ରୀବେଣୀ ।
ତେବେ କୁହ ମୁଁ କାହିଁକି ଜଳେ ଏଠି,
ଉପେକ୍ଷାର କଳା ମଶାଣୀରେ?
ମୁଁ କାହିଁକି ଭାସେ ଏଠି,
ଯାତନାର ମୃତ ଉଜାଣିରେ?
ମୋ ପାଇଁ କିଆଁ ଏଠି ବନ୍ଧା ସବୁ ନୀତି ଓ ନିୟମ,
ମୋ ଅଧିକାର ନେଇ ଏଠି ବ୍ୟଙ୍ଗ ଓ ବିଦ୍ରୁପ ଚରମ?

ନାରୀ ଓ ପୁରୁଷ ପରା, ମୁଦ୍ରାଟିର ଏପାଖ ସେପାଖ,
ତେବେ ଜଣକ ମୁହଁରେ ହସ,
ମୋ କପାଳେ କିଆଁ ଏତେ ଦୁଃଖ? ମୋ ଠିକଣା
ବଦଳୁଛି ବାରମ୍ବାର, ଦିନ ପରେ ଦିନ ।
ଅମୁକଙ୍କ ଝିଅ, ସମୁକଙ୍କ ସ୍ତ୍ରୀ ଆଉ କାହା ମା ହୋଇ,
ହେଉଥାଏ ସଦା ହୀନିମାନ ।

ତେବେ ତୁମେ କୁହ, କେତେ ଦିନ ଚାଲିଥିବ,
ମୋ ସହିତ ଏଇମିତି ଲୁଚକାଳି ଖେଳ,
କେତେ ଦିନ ଜନମିବା ଆଗୁ, ମା ପେଟେ
ମୋତେ ଭେଟୁଥିବ ମହାକାଳ ।
କେତେ ଦିନ ହେଉଥିବି ଦୁଃଷ୍କର୍ମର ଶିକାର ମୁଁ
ଦିନ ଦିପହରେ, କେତେ ଦିନ ମରୁଥିବି,
ଲୁହ ଆଉ ଲହୁ ପିଇ,
ଜହ୍ଲାଦର ଘୃଣିତ ବାହୁରେ?

ଏବେ ସମୟ ଆସିଛି, ଏଇ ଦେଖ
ବାଳ ସୂର୍ଯ୍ୟ କିରଣରେ, ରକ୍ତମୟ ପ୍ରାଚୀର ଆକାଶ,
ଏଇ ମୁଁ ଭାଙ୍ଗିଲି ଦେଖ, ସମାଜର ଚାରିକାନ୍ଥ
ଛିଣ୍ତାଇଲି ପୁରୁଷର ଶକ୍ତ ନାଗଫାଶ ।
ସ୍ନେହ, ପ୍ରେମ ମମତାର ଶିକୁଳିକୁ ଫେଇ,
ଏଇ ଥର ଦେଖ ମୋର ରୁଦ୍ରାଣୀର ବେଶ
ସମାଜର ନାଲି ଆଖି, ପୁରୁଷର ଚାଟୁ ବାଣୀ,
କରି ପାରିବନି ମତେ ନିଷ୍କ୍ରିୟ, ବିବଶ ।

ସମାଜରେ ନାହିଁ ଆଜି ଭେଦଭାବ,
କିଏ ନାରୀ, କିଏ ବା ପୁରୁଷ,
ସବୁ ତ’ ଈଶ୍ୱର ଦାନ, ସବୁ ତ’ ସମାନ
ଜନ୍ମ, ମୃତ୍ୟୁ, ଜୀବନ, ଆୟୂଷ ।
ଜାଗି ଉଠୁ ନାରୀ ଜାତି, ଗାଉ ଆଜି ଜାଗୃତିର ଗୀତି ।
ପୁରୁଷ ବି ସେ ଗୀତିରେ ସୁର ଧରୁ, ପାହିଯାଉ,
ବିଭେଦର ମିଛ ଅମା ରାତି ।

– ସଂଘମିତ୍ରା କାନୁନ୍‌ଗୋ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...