ଅତଳ ସାଗର

Odia Story Atala Sagar (ଅତଳ ସାଗର) by Sushama Parija

ସେଦିନ ବଜାର ଭିତରେ “ନ୍ୟୁ ମାରିଅନ୍” ହୋଟେଲରୁ ବାହାରିଲା ବେଳକୁ ରାସ୍ତା ଆରପଟେ ଠିଆ ହୋଇଥିବା ଲୋକଟିକୁ ଦେଖି ଅଟକିଗଲା ସୌମିତ୍ର, ଚେହେରାଟି ଖୁବ୍ ଚିହ୍ନା ଚିହ୍ନା ମନେହେଉଥିଲେ ମଧ୍ୟ ଆଉ ଟିକିଏ ଭଲ କରି ଦେଖିବାକୁ ଚେଷ୍ଟା କରି ରାସ୍ତା ପାର୍ ହୋଇ ଆଗେଇଗଲା ଲୋକଟି ପାଖକୁ । ହଠାତ୍ ବୁଲି ପଡ଼ି ଚାହିଁଲା ଲୋକଟି ଏବଂ “ଆରେ ସୋମୁ ! ବହୁତ ଦିନ ପରେ…“କହି ଯେତେବେଳେ ତା’କୁ କୁଣ୍ଢେଇ ପକାଇଲା ଲୋକଟି, ସେତେବେଳକୁ ଯାଇ ମନେ ପଡ଼ିଲା ସୌମିତ୍ରର ଯେ ସିଏ ଦେବେଶ୍ ନନ୍ଦ, ତା’ର କଲେଜ୍ ସାଙ୍ଗ । ଆନନ୍ଦାତିଶଯ୍ୟରେ ତା’କୁ ଛାତିରେ ଭିଡ଼ି ଧରି କହି ଉଠିଲା “ଆରେ ଭାଇ ! ଏତେ ଦିନ ପରେ ତତେ ଦେଖି ହଠାତ୍ ଚିହ୍ନି ପାରିଲିନି । ଆଉ ତୋ’ର ସେ ଘଞ୍ଚ କଳା ଛୁଟି ସବୁ କିଏ ନେଇ ଗଲା କିରେ !? “ଦୁଇ ବନ୍ଧୁ ହୋ ହୋ ହୋଇ ହସି ଉଠିଲେ । ସତେ ଯେମିତି ତିରିଶି ବର୍ଷ ତଳକୁ ଫେରି ଯାଉଥିଲେ ସେମାନେ । ଏଇଠି ରାସ୍ତା ଉପରେ ଠିଆ ହୋଇ ଗପିବା ନା’ କ’ଣ? “ଆ’ ଏଇ ପାଖ ହୋଟେଲରେ ବସିବା, ଦୁଇ ପଦ ଦୁଃଖ ସୁଖ ହେବା” କହିଲା ସୌମିତ୍ର । “ଆରେ ନା’ ନା’ ଚାଲ୍ ବରଂ ଚାଲି ଚାଲି ଟିକିଏ ଯିବା । ଏଇ ଆଗରେ ତ ପାର୍କ୍ ସେଇଠି ବସି ପୁରୁଣା ଦିନକୁ ଟିକେ ମନେ ପକେଇବା ।” ଦୁଇ ବନ୍ଧୁ ଚାଲି ଚାଲି ଆଗେଇ ଗଲେ ପାର୍କ୍ ଆଡ଼କୁ । ପାର୍କର ସବୁଜ ନରମ ଘାସ ଉପରେ ଚାଲୁ ଚାଲୁ ସୌମିତ୍ରଙ୍କର ମନେ ପଡ଼ି ଯାଉଥିଲା ପୁରୁଣା ଦିନ ସବୁ…

ତିରିଶି ବର୍ଷ ତଳେ, ରେଭେନ୍ସା କଲେଜରେ ଗ୍ରାଜୁଏସନ୍ କରିବା ବେଳେ ନ୍ୟୁ ହଷ୍ଟେଲରେ ତା’ର ରୁମମେଟ୍ ଥିଲା ଦେବେଶ୍ । ତିନି ବର୍ଷ କାଳ ଏକାଠି ରହିବା ଭିତରେ ଖୁବ୍ ଅନ୍ତରଙ୍ଗ ହୋଇ ଯାଇଥିଲେ ଦୁହେଁ । ଦୁହିଁଙ୍କର ନିମ୍ନ ମଧ୍ୟବିତ୍ତ ପରିବାରର ଆର୍ଥିକ ପରିସ୍ଥିତି ଆଉ ଭଲ ପାଠ ପଢ଼ି ନିଜେ ନିଜକୁ ଗଢ଼ିବାର ଉଚ୍ଚାଭିଳାଷ ବୋଧହୁଏ ଆହୁରି ଘନିଷ୍ଠ କରିଥିଲା ସେମାନଙ୍କୁ । ଖୁବ୍ ମନ ଲଗାଇ ପାଠ ପଢ଼ି ଅନର୍ସ ଡିଷ୍ଟିଙ୍କସନରେ ପାଶ୍ କରିଥିଲେ ଦୁହେଁ । ତା’ପରେ ନିଜ ନିଜର ଗାଆଁକୁ ଫେରି ଯାଇଥିଲେ ନିଜର ଭାଗ୍ୟ ଅନ୍ୱେଷଣରେ । ନିଜକୁ ଗଢ଼ୁ ଗଢ଼ୁ ଏମିତି ତଲ୍ଲୀନ ହୋଇ ଯାଇଥିଲେ ଯେ ୟା’ ଭିତରେ ତିରିଶି ବର୍ଷ ବିତି ଯାଇଥିଲେ ମଧ୍ୟ ଦୁଇ ଅନ୍ତରଙ୍ଗ ବନ୍ଧୁ ପରସ୍ପରକୁ ଥରୁଟିଏ ହେଲେ ଭେଟିବାକୁ ଚେଷ୍ଟା ମଧ୍ୟ କରି ନାହାଁନ୍ତି କେବେ । ଆଜି ଦୁଇ ଜଣ ଯାକ ଉତ୍ତର ପଚାଶ ବର୍ଷରେ, ନିଜ ନିଜ ସଂସାରରେ ବ୍ୟସ୍ତ । ଆଜି ଅଚାନକ ଭାବରେ ଭେଟିଛନ୍ତି ପରସ୍ପରକୁ । ପାର୍କର ବେଞ୍ଚ ଉପରେ ବସୁ ବସୁ ସୌମିତ୍ର ଚାହିଁଲା ଦେବେଶକୁ । ଦେବେଶର ସାଧାରଣ ପୋଷାକପତ୍ର ସୂଚାଇ ଦେଉଥିଲା ଯେ ସେ ଖୁବ୍ ସାଧାରଣ ଜୀବନଯାପନ କରୁଛି । ନିଜକୁ ତା’ ସହିତ ତୁଳନା କଲେ କାହିଁ କେତେ ଉପରେ ସେ । ଗୋଟିଏ ପ୍ରତିଷ୍ଠିତ କମ୍ପାନୀର ସିଇଓ ଭାବେ ମୁମ୍ୱାଇରୁ ଏଇ କିଛି ଦିନ ତଳେ ସେ ବଦଳି ହୋଇ ଆସିଛି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରକୁ । ଜଣେ କର୍ପୋରେଟ୍ ପର୍ସୋନେଲ୍ ଭାବରେ ତା’ର ସ୍ଥାନ ଖୁବ୍ ଉଚ୍ଚରେ । ଦେହରେ ଦାମୀ କୋଟ୍ ସୁଟ୍ ଟାଇ, ଆଖିରେ ଗୋଲଡ଼େନ୍ ଫ୍ରେମ୍‌ର ଚଷମା, ପାଦରେ ଦାମୀ ବୁଟ୍ ପିନ୍ଧି ସେ ଦିଶୁଛି କୌଣସି ସଂଭ୍ରାନ୍ତବଂଶୀୟ ଅଥବା ଜଣେ ବ୍ୟୁରୋକ୍ରାଟ୍ ଭଳି । ପାର୍କରେ ଆଖପାଖରେ ଥିବା ଲୋକମାନଙ୍କୁ ତାଙ୍କ ଆଡ଼କୁ ଚାହିଁବାର ଦେଖି ସୌମିତ୍ର, ତା’କୁ ଟିକିଏ ଅପ୍ରସ୍ତୁତ ଲାଗିଲା । ଭାବିଲା ପଥଚାରୀମାନେ ବୋଧହୁଏ ଦୁହିଁଙ୍କୁ ତୁଳନା କରୁଛନ୍ତି । ଦେବେଶ୍ କିନ୍ତୁ ଥିଲା ନିର୍ବିକାର । ପୁରୁଣା ଦିନ ଭଳି ହସ ଲାଖି ରହିଥିଲା ତା’ ମୁହଁରେ ।ଦେବେଶ ଗପି ଯାଉଥିଲା…

“ଆଉ … ତୁ ଏବେ କ’ଣ କରୁଛୁ କହ? ତୋ’ ପିଲାମାନେ କ’ଣ କରୁଛନ୍ତି? ଏତେଦିନ କେଉଁଠି ଥିଲୁ?? ଓଡ଼ିଶା ବାହାରେ ବୋଧହୁଏ ! ନହେଲେ ନିଶ୍ଚୟ କେବେ କେଉଁଠି ନା କେଉଁଠି ଦେଖା ହୋଇ ଯାଇଥାନ୍ତା ଆମର । ତୁ ଆଗ ଅପେକ୍ଷା ଖୁବ୍ ସ୍ମାର୍ଟ୍ ଦିଶୁଛୁରେ ! ! ବହୁତ ଭଲ ଲାଗିଲା ତୋ’ତେ ଦେଖି । ବେଳେବେଳେ ବହୁତ ମନେ ପଡ଼େ ତୋ’କଥା, ହେଲେ ଠିକଣା ନଥିବାରୁ ମନମାରି ଚୁପ୍ ହୋଇ ରୁହେ” ଇତ୍ୟାଦି ଇତ୍ୟାଦି … । ନିଜ ଅଜାଣତରେ ନିଜ ସମ୍ମାନର ସଙ୍କୋଚ ଟିଏ ଆବୋରି ବସୁଥିଲା ସୌମିତ୍ରକୁ । ମୋଟେ ସହଜ ହୋଇ ପାରୁନଥିଲା ଦେବେଶ୍ ସହିତ । ତା’ର ହାତରେ ଯେ ବେଶୀ ସମୟ ନାହିଁ, ଏଇ କଥା ଜଣାଇଦେବାକୁ ସେ ହାତ ଘଣ୍ଟାକୁ ଚାହିଁ କହିଲା…

“ମୁଁ ପାଠ ପଢ଼ା ପରେ ମୁମ୍ୱାଇ ଚାଲି ଯାଇଥିଲି ମୋ’ର ଜଣେ ଦୂର ସଂପର୍କୀୟ ମାମୁଁଙ୍କ ପାଖକୁ । ସେଇଠି ଏମ୍.ବି.ଏ କରି ଗୋଟିଏ କମ୍ପାନୀରେ ଚାକିରୀ କରୁଥିଲି । ସେଇଠି ବାହା ସାହା ହୋଇ ଘର ସଂସାର କଲି, ଦୁଇଟି ପୁଅ ମୋ’ର ସେମାନେ ଇଞିନିୟରିଂ କରି ଏବେ ବିଦେଶରେ କାର୍ଯ୍ୟରତ । ବର୍ଷଟିଏ ହେବ ମୁଁ ଆସିଛି ଆମ କମ୍ପାନୀର ଭୁବନେଶ୍ଵର ଆଞ୍ଚଳିକ କାର୍ଯ୍ୟାଳୟର ମୁଖ୍ୟ କାର୍ଯ୍ୟାନିର୍ବାହୀ ହୋଇ । ଏଇଠି ଫ୍ଲାଟ୍ ଟିଏ କିଣିଛି, ମୁଁ ଏବଂ ମୋ ମିସେସ୍ ଦୁଇଜଣ ରହୁଛୁ ସେଇଠି । ଆଉ ତୋ’ ଖବର କ’ଣ କହ? କ’ଣ କରୁଛୁ? ପିଲାମାନେ କ’ଣ କରୁଛନ୍ତି?? ରହୁଛୁ କେଉଁଠି?”
ନିଜର ସ୍ୱଭାବସୁଲଭ ଢଙ୍ଗରେ ଅଳ୍ପ ହସି ଉତ୍ତର ଦେଲା ଦେବେଶ୍…

“ନାହିଁରେ ମୁଁ ତୋ’ ଭଳିଆ କୌଣସି ଚାକିରୀ କରି ପାରିଲିନି । ଗ୍ରାଜୁଏସନ୍ ପରେ, ସୋସିଓଲୋଜିରେ ଏମ୍.ଏ ପାଶ୍ କଲି । ତୁ ତ ଜାଣିଛୁ ଆମ ପରିବାର କଥା, ମୋ’ ଉପରେ ସାନ ଭାଇର ପଢ଼ାପଢ଼ି, ମା’ ଏବଂ ସାନ ଦୁଇ ଭଉଣୀମାନଙ୍କ ଦାୟିତ୍ଵ, ଏଇ ସବୁ ଛାଡ଼ିଦେଇ ବାପା ବହୁତ ଆଗରୁ ଆଖି ବୁଜିଥିଲେ । ପାଠ ସରିବା ପରେ ଛୋଟ ମୋଟ ବିଜିନେସ୍ ଆରମ୍ଭ କରିଥିଲି । ସବୁ କାମ ଧୀରେ ଧୀରେ ସାରିଲି, ନିଜ ସଂସାର କଲି । ଏବେ ଦୁଇ ଝିଅ ବାହାସାହା ହୋଇ ଓଡ଼ିଶା ବାହାରେ ନିଜ ନିଜର ସଂସାର ନେଇ ବ୍ୟସ୍ତ । ପୁଅଟି ଦିଲ୍ଲୀ ଆଇ ଆଇ ଟି’ରେ ପ୍ରଫେସର୍ ଅଛି । ଏଠି ଆମେ ଦୁଇ ପ୍ରାଣୀ ଅଛୁ ଏଇ ସହରରୁ ଟିକିଏ ଦୂର ପୁରୁଣା ଭୂବନେଶ୍ୱରର କପିଳପ୍ରସାଦରେ । ତୁ’ ତ ଏବେ ଏଇ ସହରରେ ରହୁଛୁ, କେବେ ସମୟ ବାହାର କରି ଆସିବୁ ତୋ’ ପତ୍ନୀଙ୍କୁ ସାଙ୍ଗରେ ଧରି, ବହୁତ ଭଲ ଲାଗିବ ଦୀପାଳୀ, ମାନେ ମୋ ପତ୍ନୀକୁ । ମୁଁ ସବୁବେଳେ ତା’କୁ ତୋ’ କଥା କହେ । ବାହାଘର ପରେ କେବେ ଦେଖିନାହିଁ ବୋଲି ସେ ମନ ଦୁଃଖ କରେ ।”

“ହଁ, ହଁ, ନିଶ୍ଚୟ ଆସିବି, ତୋ’ର ଫୋନ୍ ନମ୍ୱରଟି ଦେଇଥା’ ଆଉ ମୋର ଏଇ କାର୍ଡ୍ ଟି ରଖିଥା’ । ମଝିରେ ମଝିରେ କଥା ହେବା । ଆଜି ଟିକିଏ ଅଲଗା କାମ ଅଛି । ଏବେ ଉଠିବା ।”

ଏତେ କହି ଉଠିଲେ ଦୁଇ ବନ୍ଧୁ । ଚାଲି ଚାଲି ରାସ୍ତା ଉପରେ ପହଞ୍ଚିଲା ପରେ ସୌମିତ୍ର ନିଜର ଦାମୀ ଅଡ଼ି କାରର ଚାବି ଖୋଲୁ ଖୋଲୁ କହିଲା…

“ଦେବୁ ! କେମିତି ଯିବୁରେ? ସଞ୍ଜ ହୋଇ ଆସିଲାଣି, ଆ’ ମୋ କାର୍‌ରେ ବସ୍ । ଚାଲ୍ ତୋ ଘର ପାଖରେ ଛାଡ଼ିଦେବି ।”

ଦେବେଶ୍ ଆଶ୍ୱାସନା ଦେଲା “ନାହିଁ ରେ, ମୋ’ ପାଇଁ ବ୍ୟସ୍ତ ହ’ ନା’ । ମୁଁ ନିଜ ଗାଡ଼ି ନେଇ ଆସିଛି” । ହାତ ହଲାଇ ବିଦାୟ ଜଣାଇ ଦେବେଶ୍‌ରାସ୍ତା ଆରପଟେ ରଖା ହୋଇଥିବା ତା’ର ଛୋଟ ମାରୁତି ଜେନ୍ କାର୍ ଆଡ଼କୁ ନିର୍ଦ୍ଦେଶ କଲା । ଗୋଟାଏ ଦୀର୍ଘ ନିଶ୍ୱାସ ବାହାରି ଆସିଲା ସୌମିତ୍ର ମୁହଁ ରୁ । କାର୍ ଭିତରେ ପଶି ନିଜର ଦାମୀ ସିଗାରେଟ୍ କେଶ୍‌ରୁ ସିଗାରେଟ୍ ଟିଏ ବାହାର କରି ମୁହଁରେ ଲଗାଇ ଷ୍ଟିଅରିଂ ଘୁରାଇଲା । ଘରକୁ ଫେରିବା ବେଳକୁ ବାଟସାରା ଦେବେଶ୍‌ର କଥା ହିଁ ଭାବୁଥିଲା ସେ । “ବିଚରା, କେତେ ପାଠ ଶାଠ ପଢ଼ିଲା, କେତେ ଭଲ ନମ୍ୱର ରଖି ପାଶ୍ କଲା, ହେଲେ ଭଲ ଚାକିରୀଟିଏ କରିପାରିଲାନି ଘରର ପରିସ୍ଥିତି ଦୃଷ୍ଟିରୁ । ଜୀବନର ସୁଖ ଟିକିଏ ଭୋଗି ପାରିଲାନି । ଚିନିବୁହା ବଳଦଟିଏ ହୋଇ ରହିଗଲା । ଓଃ, ପୁଅର୍ ଚ୍ୟାପ୍ ।”

ଘରକୁ ଫେରି ସେଦିନ ରାତିରେ ଆଉ ଭଲ ନିଦ ହେଲାନି ସୌମିତ୍ରକୁ । ଡେଲି ଡୋଜରୁ ଦୁଇ ପେଗ୍ ଅଧିକ ନେଇ ଶୋଇବାକୁ ଚେଷ୍ଟାକଲା । ସନ୍ଧ୍ୟାରେ ସେ ଫେରିବା ବେଳଠାରୁ ସୋନାଲୀ ତା’ର ଅନ୍ୟମନସ୍କତା ଠିକ୍ ଲକ୍ଷ୍ୟ କରୁଥିଲା । ସ୍ୱାମୀର ଅନ୍ୟମନସ୍କତାର କାରଣଟି ଖୁବ୍ ସହଜରେ ବାହାର କରିନେଇପାରେ ସେ । ଆରମ୍ଭରୁ ସେ ଦେଖି ଆସୁଛି ସୌମିତ୍ର ଖୁବ୍ ସେନସିଟିଭ୍ । ସେ ସୁଖରେ ଯେତିକି ଉଲ୍ଲସିତ, ଦୁଃଖରେ ସେତିକି ଅଧୀର । ପରିବାରରେ ସଂପର୍କ ହୁଗୁଳା ଥିଲେ ପିଲାମାନେ ଏମିତି ବିଷୟାସକ୍ତ ଏବଂ ସ୍ୱାର୍ଥୀ ହୁଅନ୍ତି ଏକଥା ସେ ନିଜେ ଅନୁଭବ କରିଛି । ତେଣୁ ବାହାଘର ପର ଠାରୁ ସେ ନିଜ ସ୍ୱାମୀ ଆଉ ପିଲା ଦୁହିଁଙ୍କ ବ୍ୟତୀତ ଆଉ କାହାରି କଥା ଚିନ୍ତା କରିନାହିଁ କେବେ ବି । ସେଇଥିପାଇଁ ତ ସୌମିତ୍ର ଏତେ ମାତ୍ରାରେ ଅନୁଗତ ତା’ର । ପିଲାମାନେ ମଧ୍ୟ ପାପାଙ୍କ ଅପେକ୍ଷା ମାତାଙ୍କର ନିଷ୍ପତ୍ତି ଉପରେ ଗୁରୁତ୍ୱ ଦେଇଥାନ୍ତି । ଆଜି ଏ ଘରଦ୍ୱାର, କୋଠାବାଡ଼ି, ସୁନାଗହଣା, ସମେତ ଯାବତୀୟ ଐଶ୍ୱର୍ଯ୍ୟର ମାଲିକାଣି ସିଏ । ଟିକିଏ ଅଧିକ ପାଖକୁ ଲାଗି ଆସି ସୌମିତ୍ର ମୁଣ୍ଡରେ ଆଙ୍ଗୁଳିର ଚାଳନା କରୁ କରୁ ତା’ର ମଥାର ଓଠ ରଖିଲା ସୋନାଲି । କାନ ପାଖରେ ମଧୁର କଣ୍ଠରେ କହିଲା…

“ବେବି ! ୟୁ ଆର୍ ଲୁକିଂ ସୋ ଡିପ୍ରେସଡ଼୍ ଟୁ ଡେ, ହ୍ୱାଟ୍ ହାପେଣ୍ଡ? ଏନିଥିଙ୍ଗ୍ ସିରିୟସ୍? ପ୍ଲିଜ୍ ଶେୟାର ଉଇଥ୍ ମି, ୟୁ ଉଇଲ ବି ରିଲାକସଡ଼୍, ଡୋଣ୍ଟ ବି ଷ୍ଟ୍ରେସଡ଼୍, ଟେକ୍ ଇଟ୍ ଇଜି ବେବି ” ।

ପତ୍ନୀର ଆଶ୍ୱାସନା ଭରା କଥାରେ ମହମ ଭଳି ତରଳି ଗଲା ସୌମିତ୍ର । ଗୋଟି ଗୋଟି କରି କହିଗଲା ଆଜିର ଦୁଃଖର କାରଣ । ହୋ, ହୋ ହୋଇ ହସି ଉଠିଲା ସୋନାଲୀ, ସୌମିତ୍ରର ନାକକୁ ଧୀରେ ଚାପି ଦେଇ ଗେହ୍ଲେଇ ହୋଇ କହିଲା “ୟୁ ଆର୍ ସୋ ଚାଇଲଡ଼ିସ୍ ବେବି, ସମସ୍ତଙ୍କର ନିଜ ନିଜର ଭାଗ୍ୟ ଅଛି । ଜୀବନରେ ସମସ୍ତଙ୍କୁ ସମାନ ଫଳ ମିଳି ନଥାଏ । ଆଚ୍ଛା କହିଲ ଦେଖି, ତୁମ ହାତର ପାଞ୍ଚଟି ଯାକ ଆଙ୍ଗୁଠି କ’ଣ ସମାନ? ତେବେ ତୁମ ଦୁଇ ବନ୍ଧୁଙ୍କ ଭାଗ୍ୟ କେମିତି ସମାନ ହୋଇଥାନ୍ତା । ଦେବେଶ୍ ତାଙ୍କର ଭାଗ୍ୟଫଳ ଭୋଗ କରୁଛନ୍ତି ଆଉ ତୁମେ ତୁମର । ଏଥିରେ ଏତେ ଭାବୁକତାର ହେବାର କ’ଣ ଅଛି? ବି ଇଜି ମ୍ୟାନ୍, ଲାଇଫ୍ ଇଜ୍ ଲାଇକ୍ ଦିସ୍ । ଆଉ ଗୋଟିଏ କଥା ଶୁଣ, ତୁମେ ଏମିତି ଭାବପ୍ରବଣ ହୋଇ ଆଉ ସାଙ୍ଗକୁ କିଛି ଦେଇ ପକେଇବନି । ଏମିତି ତ ପିଲାମାନଙ୍କର ଷ୍ଟଡ଼ି ଲୋନ୍, ଆମର ହାଉସିଂ ଲୋନ୍, କାର୍ ଲୋନ୍ ଇତ୍ୟାଦି ଇତ୍ୟାଦି ଶୁଝିଲା ବେଳକୁ ଆମେ କଣ୍ଠାଗ୍ରତ ହେଉଛେ । ମାସ ଶେଷ ବେଳକୁ ହାତ ପୁରା ଖାଲି । ଭଲ ଶାଢ଼ୀ ଟିଏ କିଣିବାକୁ ହେଉ, କି ଭଲ ରେଷ୍ଟୁରାଣ୍ଟ୍ ଟିଏ ଯିବାକୁ ହେଉ, ମତେ ଶହେଥର ଭାବିବାକୁ ପଡ଼ୁଛି । ସେଥିରେ ତୁମର ଏସବୁ ନାଟକ ସମ୍ଭାଳିବା ପାଇଁ ମୋ’ର ଆଉ ଧୈର୍ଯ୍ୟ ନାହିଁ । ସାବଧାନ ଥିବ, ତୁମ ସମ୍ୱେଦନଶୀଳତାରୁ ଯେମିତି କିଛି ଫାଇଦା ନ ଉଠାନ୍ତୁ ସିଏ “ । ପତ୍ନୀର କଥା ଗୁଡ଼ିକ ଖୁବ୍ ଯୁକ୍ତିଯୁକ୍ତ ମନେ ହେଲା ସୌମିତ୍ରର । ସେ ସବୁ ଭାବନାକୁ ମୁଣ୍ଡରୁ ବାହାର କରି ଫୋପାଡ଼ି ଦେଇ ନିଶ୍ଚିନ୍ତ ହୋଇ ଶୋଇ ପଡ଼ିଲା ।

ଦୁଇ ତିନ ଦିନ ପରେ ଦିନେ ଅଫିସରୁ ଫେରି ସ୍ୱାମୀ ସ୍ତ୍ରୀ ଦୁହେଁ ବସି ଚାହା ପିଉଛନ୍ତି, ସେଇ ସମୟରେ ଆସିଲା ଦେବେଶ୍‌ର ଫୋନ୍ । “ଘରେ ଅଛୁ କିରେ ସୋମୁ ! ଏଇ ପଟ ଦେଇ ଯାଉଥିଲି ତ ତୋ’ର ଆପାର୍ଟମେଣ୍ଟ୍ ଆଖି ଆଗରେ ପଡ଼ିଲା, ଭାବିଲି ଭାଉଜଙ୍କୁ ଟିକେ ଦେଖା କରିଯିବି ।” ଫୋନ୍‌ରିସିଭର୍ ଉପରେ ହାତ ରଖି ସୌମିତ୍ର ଜଣାଇଦେଲା ସୋନାଲିକୁ ଦେବେଶ୍ ଚାହୁଁଛି ଘରକୁ ଆସିବାଲାଗି । ପ୍ରଚଣ୍ଡ ବିରକ୍ତିରେ ମୁହଁ ମୋଡ଼ିଲା ସୋନାଲି “ଦେଖିଲ ! ମୁଁ କହୁଥିଲି ନା’ ଏମାନେ ଏମିତି ବୋଲି । ଟିକିଏ ସମବେଦନା ଦେଖାଇଲେ ପରା ଗୋଟାପଣେ ତୁମ ଉପରେ ସବାର ହୋଇଯିବେ । ଦେଖ, ଦିନ ଦୁଇଟା ନ ଯାଉଣୁ ଟଙ୍କା ମାଗିବାକୁ ଆସି ହାଜର ହେଲେଣି । ସିଧା ସିଧା ମନା କରି ଦିଅ ତାଙ୍କୁ, ମୁଁ ଏଠି ନାହିଁ ବୋଲି ।” ଟିକିଏ ଥତମତ ହୋଇ ଭାବିଲା ସୌମିତ୍ର, ଏତେଦିନ ପରେ ବନ୍ଧୁଟି ଭେଟ ହୋଇଛି, ଏମିତି କେମିତି ମନା କରିଦେବ ତା’କୁ !? କ’ଣ ଭାବିବ ଦେବେଶ୍? ନା’ ସିଏ ବରଂ ଆସୁ ଏଠିକି, ତାଙ୍କର ରହଣିଚଳଣି ଦେଖି ନିଜେ ହୃଦୟଙ୍ଗମ କରୁ ଯେ ସିଏ ଆଉ ସୌମିତ୍ରର ସମାସ୍କନ୍ଦ ହୋଇ ରହିନାହିଁ । ତା’ର ନିଜର ସ୍ଥାନ କଳନା କରି ସିଏ ନିଜେ ବଳେ ଦୂରେଇ ଯିବ ତା’ଠାରୁ । ତା’ ହେଲେ ସାପ ମରିବନି କି ବାଡ଼ି ଭାଙ୍ଗିବନି । ସେଇ କଥା ମନରେ ସ୍ଥିର କରି ସେ ଫୋନ୍‌ରେ କହିଲା “ହଁ, ହଁ, ଏଇ ତ ସାଙ୍ଗେ ସାଙ୍ଗେ ଆସି ପହଞ୍ଚିଲି ଅଫିସ୍‌ରୁ, ଆ’ ଉପରକୁ ଆ’ । ଫ୍ଲାଟ ନମ୍ୱର ଚାରିଶହ ଦଶ, ଚତୁର୍ଥ ମହଲା, ଲିଫଟ୍ ଅଛି, ସିକ୍ୟୁରିଟିକୁ ମୋ’ କାର୍ଡ୍ ଦେଖେଇବୁ, ସେ ଛାଡ଼ିଦେବ । ଚିରେଇତା ଖାଇଲା ଭଳିଆ ମୁହଁ କରି ଚାହା କରିବାକୁ କିଚେନ୍ ଭିତରକୁ ଚାଲିଗଲେ ସୋନାଲି ।

କିଛି ସମୟ ପରେ ଧଇଁ ସଇଁ ହୋଇ ଦୁଇ ହାତରେ ଦୁଇଟି ବଡ଼ ବଡ଼ ବ୍ୟାଗ୍ ଝୁଲାଇ ଆସି ପହଞ୍ଚିଲା ଦେବେଶ୍ । କବାଟ ଖାଲି ରଖି ଠିଆ ହୋଇଥିଲା ସୌମିତ୍ର । ଦେବେଶର ମୁହଁରେ ସେଇ ଚିରାଚରିତ ହସ ଲାଖି ରହିଛି । ବ୍ୟାଗ୍ ଦୁଇଟା ତଳେ ଥୋଇ ଦେଇ କୋଳେଇ ନେଲା ସୌମିତ୍ରକୁ । କହିଲା “ଭାଇରେ ! ତୁମ ବଡ଼ବଡ଼ିଆଙ୍କ ଆଦବକାଇଦା ସବୁ ଅଲଗା । ଗେଟ୍ ପାଖରେ ବସିଥିବା ତୋ’ ସିକ୍ୟୁରିଟି କହିଲା, ଆଗ ବ୍ୟାଗ୍ ଯାଞ୍ଚ ହେବ, ତେବେ ଯାଇ ଭିତରକୁ ଛାଡ଼ିବି । ଯେତେ କହିଲି ଏଥିରେ କିଛି ନାହିଁ, ଦୁଇ ଚାରିଟା କଞ୍ଚା ପାଚିଲା ଅମୃତଭଣ୍ଡା, ଦି’ଫେଣା ଦେଶୀ କଦଳୀ ଆଉ ନଡ଼ିଆ ପୁଞ୍ଜାଏ ଅଛି, ମୋଟେ ମାନିଲା କି ! ସବୁ ଗୋଟା ଗୋଟା କରି କାଢ଼ି ତଳେ ଥୋଇଲା, ପୁଣି ବ୍ୟାଗ୍‌ରେ ଭର୍ତ୍ତି କଲା, ସେଇଆକୁ ଧରି ଏ ପାଞ୍ଚ ମହଲା ଶିବିରରେ ଚଢ଼ି ଆସିଲି । ନେଲୁ, ନେଲୁ, ଏତକ ଭାଉଜଙ୍କୁ ଦେ’ ରଖିଦେବେ । ଆରେ ଏଗୁଡ଼ିକ ପରା ଘର ଜିନିଷ, ତୁ ଏଠି କୋଉଠି ପାଉଥିବୁ? ସବୁ ସାରଦିଆ ଜିନିଷ କିଣି ଖାଉଥିବୁ ବଜାରରୁ ।”

ବନ୍ଧୁକୁ ଡ୍ରଇଁରୁମ୍‌ର ମୋଟାଗଦିବାଲା ସୋଫା ଉପରେ ବସାଇଦେଇ ଘର ଭିତରକୁ ସୋନାଲିକୁ ମନେଇବାକୁ ଚାଲିଗଲା ସୌମିତ୍ର । ଦେବେଶ୍ ବସି ବସି ଦେଖୁଥିଲା ଘରର ସାଜସଜ୍ଜା । ଖୁବ୍ ଦାମୀ ଫର୍ଣ୍ଣିଚର, ସୁନ୍ଦର ପରଦା, ଛାତରୁ ଖୋଲୁଥିବା ଆଲୁଅ ଝଡ଼, ଦାମୀ ୱାଲ୍ ପେଣ୍ଟିଂ, ହୋମ୍ ଥିଏଟର୍, ସେମାନଙ୍କ ପସନ୍ଦକୁ ତାରିଫ୍ କରୁଥିଲା ମନେମନେ । ପତ୍ନୀକୁ କୌଣସି ପ୍ରକାରେ ମନେଇ ସୌମିତ୍ର ଆସି ବସିଲା ଦେବେଶ୍ ପାଖରେ । ନିଜର, ନିଜ ପିଲାମାନଙ୍କର, ନିଜର ଅଫିସର ବ୍ୟବସାୟିକ କାରବାର ଇତ୍ୟାଦି ଇତ୍ୟାଦି ପ୍ରୌଢ଼ି ବଖାଣି ଦେବେଶକୁ ଜଣାଇ ଦେବାକୁ ଚାହୁଁଥିଲା ସେ ଦେବେଶ ଅପେକ୍ଷା କେତେ ଉପରେ । ହେଲେ ଦେବେଶର ସେଥିପ୍ରତି କୌଣସି ଆଗ୍ରହ ନଥିବାର ଲକ୍ଷ୍ୟ କରି ଚୁପ୍‌ରହିଲା ସୌମିତ୍ର । ସୋନାଲି ଔପଚାରିକ ଭାବରେ ଚାହା ଆଉ ପକୁଡ଼ି ଆଣି ପରଶି ଦେଲା ସେମାନଙ୍କୁ । ଜଳଖିଆ ଖାଇବା ପରେ ବିନମ୍ରତାର ସହିତ ସେମାନଙ୍କୁ ଧନ୍ୟବାଦ ଜଣାଇ କେବେ ସମୟ ସୁବିଧା ଦେଖି ନିଜ ଘରକୁ ଆସିବା ଲାଗି ନିମନ୍ତ୍ରଣ ଜଣାଇ ଫେରିଗଲା ଦେବେଶ ।

ପରବର୍ତ୍ତୀ ମାସରେ ଦଶହରା ପାଇଁ ଖୁବ୍ କାମ ବଢ଼ିଯାଏ ଯାଇଥିଲା ସୌମିତ୍ରର । ଦୁଇ ଦିନ ପରେ ହେଡ଼୍ ଅଫିସ୍‌ରେ ଥିଲା କମ୍ପାନୀର ବୋର୍ଡ୍ ମିଟିଂ, ସେଥିପାଇଁ ଆନୁସଙ୍ଗିକ କାଗଜପତ୍ର, ଷ୍ଟେକ୍ ହୋଲ୍ଡରମାନଙ୍କ ପାଇଁ ଗିଫ୍ଟ୍ ଇତ୍ୟାଦି ବ୍ୟବସ୍ଥା କରିବାରେ ବ୍ୟସ୍ତ ରହିଲା ସେ । ବୋର୍ଡ୍ ମିଟିଂ ସରିବା ପରେ ହେଡ଼୍ ଅଫିସରୁ ନିର୍ଦ୍ଦେଶ ଆସିଲା ଭୂବନେଶ୍ୱରର ଜଣେ ଷ୍ଟେକ୍ ହୋଲ୍ଡର୍ କୌଣସି ଅନିବାର୍ଯ୍ୟ କାରଣବଶତଃ ଅନୁପସ୍ଥିତ ରହିଥିବା ହେତୁ ବୋର୍ଡର ରିଜୋଲ୍ୟୁସନରେ ତାଙ୍କର ଦସ୍ତଖତ କରାଇ ଆଣି ସ୍କାନ୍ କରି ଦୁଇ ଘଣ୍ଟା ମଧ୍ୟରେ ପୁନଶ୍ଚ ପଠାଇବାକୁ ପଡ଼ିବ ସୌମିତ୍ରକୁ । ଡାଇରେକ୍ଟରଙ୍କ ବାସସ୍ଥାନର ଠିକଣା ମଧ୍ୟ ଜଣାଇ ଦିଆଗଲା । ତୁରନ୍ତ ନିଜର କାର୍ ଧରି ବାହାରିଗଲା ସୌମିତ୍ର । ଜିପିଏସ୍ ଅନ୍ କରି ଗୁଗୁଲ୍ ମ୍ୟାପ୍ ଦେଖି ଦେଖି ଡାଇରେକ୍ଟରଙ୍କ ଠିକଣାରେ ପହଞ୍ଚିଲା ସେ । “ଦେବାଶ୍ରମ” ଆପାର୍ଟମେଣ୍ଟର ସୁଦୃଶ୍ୟ ଛଅ ମହଲା ବିଲ୍ଡିଂ ଖୋଜିବା ପାଇଁ ବିଶେଷ ପରିଶ୍ରମ କରିବା ପାଇଁ ପଡ଼ିଲା ନାହିଁ ତା’କୁ । ସାମନା ଗେଟରେ ଥିବା ସିକ୍ୟୁରିଟି ଗାର୍ଡକୁ ନିଜର ପରିଚୟ ଦେଇ ଶ୍ରୀମତୀ ଦୀପାଳୀ ମିଶ୍ରଙ୍କ ଫ୍ଲାଟ୍ ନମ୍ୱର କେତେ ବୋଲି ପଚାରିଲା ସୌମିତ୍ର । ସମ୍ମାନ ଜଣାଇ ଅଳ୍ପ ହସି କହିଲା ସିକ୍ୟୁରିଟି ଗାର୍ଡ୍ “ସାର୍ ! ଯିଏ ବି ମାଡ଼ାମ୍‌ଙ୍କୁ ଖୋଜିବା ପାଇଁ ଆସନ୍ତା, ସିଏ ଏଇ ଭ୍ରମରେ ପଡ଼ନ୍ତି, ଏଇ ଆପାର୍ଟମେଣ୍ଟଟି ସିନା ମାଡ଼ାମଙ୍କର ହେଲେ ସିଏ ଏଠି ରୁହନ୍ତି ନାହିଁ, ଏଇ ରାସ୍ତା ଆର ପଟେ ଦେଖୁଛନ୍ତି ଯେଉଁ ଘରଟି ସେଇଠି ରୁହନ୍ତି ସିଏ । ଆପଣ ସେଇ ପଟକୁ ଯାଆନ୍ତୁ, ବ୍ୟସ୍ତ ହେବେନି ସାର୍ ! ସେ ଘରର ଗେଟ୍ ସବୁବେଳେ ଖୋଲାଥାଏ, କେବଳ ଉପର ହୁକ୍ ଟି ପଡ଼ିଥାଏ, ସେଇଟି ଖୋଲିଲେ ଗେଟ୍ ଭିତରେ ଘାସର ଲନ୍, ଦୁଇ ପଟ ଯାକ ବିରାଟ ଫୁଲ ଆଉ ଯାବତୀୟ ପନିପରିବାର ବଗିଚା, ବଗିଚା ଟପିଲେ ଯେଉଁ ଏକ ମହଲା ଘରଟି ଦିଶିବ ସେଇଠି ରହନ୍ତି ମାଡ଼ାମ । ସେ ଘରର ଦ୍ୱାର ମଧ୍ୟ ସବୁବେଳେ ଖୋଲା, ଠିକ୍ ଆମ ସାର୍ ଆଉ ମାଡ଼ାମଙ୍କ ହୃଦୟ ଭଳି । ତାଙ୍କର ପିଲାମାନେ ତ ସମସ୍ତେ ବାହାରେ, ବାବୁ ଆଉ ମା’ ସେଇଠି ବଗିଚା କାମ କରୁଥିବେ ନହେଲେ ପଛ ବାଡ଼ିରେ ଗଛମାନଙ୍କ ସେବା କରୁଥିବେ । ନିଶ୍ଚୟ ଦେଖା ହୋଇଯିବେ “ । ସିକ୍ୟୁରିଟି ଗାର୍ଡଟି ପୁଣି ଥରେ ସମ୍ମାନ ଜଣାଇ ଗେଟ୍ ବନ୍ଦ କଲା । ରାସ୍ତା ଆରପଟେ ଯାଉ ଯାଉ ସୌମିତ୍ର ଭାବୁଥିଲା ଏ ଡାଇରେକ୍ଟର୍ ଜଣକ ପାଗଳ ନା’ କ’ଣ? ଏଡ଼େ ସୁନ୍ଦର ସୁଦୃଶ୍ୟ ଆପାର୍ଟମେଣ୍ଟ୍ ଛାଡ଼ି ସେ ପୁରୁଣା କାଳିଆ ଘରେ ପଡ଼ି ରହିଛି ! ସେ ଯାହା ହେଉ, ତା’କୁ ଦିଆ ଯାଇଥିବା କାମ ତ ନିଶ୍ଚୟ କରିବାକୁ ପଡ଼ିବ ଭାବି ସେଇ ପୁରୁଣାକାଳିଆ ଘରର ଗେଟ୍ ଖୋଲି ଭିତରକୁ ପଶିଲା ସେ । ଲନର ସୁନ୍ଦର ଘାସ ଗାଲିଚା, ତା’ ଭିତରେ ଗୋଟିଏ ପଟେ ନାନା ଜାତି ଫୁଲଗଛ ଭର୍ତ୍ତି । ସଜଫୁଲର ବାସ୍ନାରେ ମହକି ଉଠୁଥିଲା ଚତୁର୍ଦ୍ଦିଗ । ଅନ୍ୟ ପଟରେ ଭେଣ୍ଡି, ଜହ୍ନି, କାକୁଡ଼ି, କଲରାର ରଞ୍ଜା, ପଟାଳି ହୋଇ ଲାଗିଛି କୋଶଳା ଶାଗ, ଧନିଆପତ୍ର ଆଉ ଲଙ୍କା ଗଛ । ସୌମିତ୍ରକୁ ଲାଗୁଥିଲା ଯେମିତି ତାଙ୍କର ଗାଆଁ ଘରେ ପହଞ୍ଚି ଯାଇଛି ସେ ! ଗାଆଁର ସ୍ମୃତି ଧୀରେ ଧୀରେ ଉଜ୍ଜୀବିତ ହୋଇ ଉଠୁଥିଲା ତା’ ମନରେ, ମନ ଫେରି ଯାଉଥିଲା ଅତୀତକୁ । ଅନ୍ୟମନସ୍କତା ଭିତରେ ସେ ବଗିଚା ଡେଇଁ ଘର କବାଟ ପାଖରେ ପହଞ୍ଚି ଯାଇଥିଲା । ବାହାରକୁ ଚାହିଁ କଲିଂ ବେଲ୍‌ର ସୁଇଚ୍ ଟିଏ ଖୋଜି ନିରାଶ ହେଲା । କବାଟରେ ହାତ ମାରି ଦେଖିଲା, ସତକୁ ସତ କବାଟ ଖୋଲା ଅଛି । ଘର ଭିତରକୁ ପଶି ଦେଖିଲା ସାଧାରଣ ବୈଠକଖାନାଟିଏ । ଟେବୁଲ୍ ଚେୟାର୍ ସହିତ ସାଧାରଣ ସୋଫାସେଟ୍ ଟିଏ ପଡ଼ିଛି । ଟେବୁଲ୍‌ର ସଫେଦ୍ କଭର୍ ଉପରେ ରଖାଯାଇଛି ଡେସ୍କଟପ୍ ସହିତ ଲାପଟପ୍ ଟିଏ । ପାଖରେ ରହିଛି ଏଇ କିଛିଦିନ ତଳେ ସେ ତାଙ୍କର କମ୍ପାନୀର ଷ୍ଟେକ୍ ହୋଲଡ଼ରମାନଙ୍କ ପାଇଁ କିଣିଥିବା ଗିଫ୍ଟଟି । ଏଥର ସେ ନିଜେ ଡାଇରେକ୍ଟରଙ୍କ ପାଇଁ ଆଣିଥିବା ବଡ଼ ଫ୍ଲାୱାର୍‌ର ବୁକେ ଟିକୁ ସେଇ ଟେବୁଲ୍ ଉପରେ ରଖି ନିଜେ ଆସି ରଖିଲା ସେଇଠି ଏବଂ ସୋଫା ଉପରେ ବସିବା ଘରେ ନିଜର ଉପସ୍ଥିତି ଜଣାଇବା ଲାଗି ଟିକିଏ ଶବ୍ଦ କରି କାଶିଲା । ତା’ର କାଶିବା ଶବ୍ଦ ଶୁଣି ଘର ଭିତରପଟୁ କାହାର ଆସିବାର ପଦଧ୍ୱନି ଶୁଭିଲା । ଅଳ୍ପ ସମୟ ମଧ୍ୟରେ ବୈଠକଖାନାର ପରଦା ଆଡ଼େଇ ଯିଏ ପ୍ରବେଶ କଲେ ତାଙ୍କୁ ଦେଖି ସର୍ପାହତ ଭଳି ଚମକି ଉଠିଲା ସୌମିତ୍ର । ସାଧାରଣ କୁର୍ତ୍ତା ପାଇଜାମା ପିନ୍ଧି କାନ୍ଧରେ ପଡ଼ିଥିବା ଗାମୁଛାରେ ହାତ ପୋଛି ପୋଛି ଆସୁଥିଲା ଦେବେଶ୍ । ସୌମିତ୍ରକୁ ନିଜ ଘରେ ଦେଖି ଭା ବିହ୍ଵଳିତ ହୋଇ ଭିତରକୁ ଚାହିଁ ଡାକ ପକାଇଲା ସେ – “ଆରେ ଦୀପାଳୀ ! ଆସ ଦେଖିବ କିଏ ଆସିଛି ଆମ ଘରକୁ । ସେଦିନ ମୁଁ ତମକୁ କହିଥିଲି ନା ମୋ ପ୍ରିୟ ବନ୍ଧୁ ସୌମିତ୍ର କଥା । ଦେଖ ଆଜି ସୋମୁ ନିଜେ ଆସି ପହଞ୍ଚିଛି ଆମ ଘରେ, ଆମକୁ ସାକ୍ଷାତ କରିବା ପାଇଁ । କହୁଥିଲି ନା’ ସୋମୁ ଆମର କେତେ ସ୍ନେହୀ, କେତେ ଭଲପାଏ ମତେ । ଦେଖ ଆଜି ଅଫିସ୍ ଟାଇମରେ ମଧ୍ୟ ସେ ସମୟ ବାହାର କରି ଆସିଛି ଆମକୁ ଭେଟିବାକୁ ।” ପାଖକୁ ଆସି ସୌମିତ୍ରକୁ କୋଳେଇ ନେଲା ଦେବେଶ୍ । ଖୁସିରେ କହିଲା – “ଏତେ ଦିନ ପରେ ଆସିଛୁ, ବସ୍ ଏଠି ଦି’ଘଣ୍ଟା । ତୋ’ ଭାଉଜ ଖୁବ୍ ସୁନ୍ଦର ରୋଷେଇ କରେ, ତା’ ହାତ ରନ୍ଧା ଖାଇକି ଯିବୁ । ଆରେ ଆମ ବାଡ଼ିରେ ସଜନାଛୁଇଁ ଭଜା ଆଉ ତୋ’ ଭାଉଜ ହାତର ବଢ଼ି ଥରେ ଖାଇଲେ ସାରା ଜୀବନ ଝୁରୁଥିବୁ ମ !”

ଘର ଭିତରୁ ବାହାରି ଆସିଲେ ଜଣେ ମଧ୍ୟବୟସ୍କା ମହିଳା । ସାଧାରଣ ସମ୍ୱଲପୁରୀ ଶାଢ଼ୀରେ ସେ ଦିଶୁଥିଲେ ଦେବୀ ଟିଏ ଭଳି ଉଦାର, ଉଜ୍ୱଳ ରଙ୍ଗର ମୁହଁରେ ତାଙ୍କର ବଡ଼ ନାଲି ସିନ୍ଦୂର ଟୋପା ଟି ଖୁବ୍ ମାନୁଥିଲା ତାଙ୍କୁ । ମୁହଁରେ ଲାଖି ରହିଥିଲା ଆତ୍ମୀୟତାର ହସଧାରେ । ସୌମିତ୍ରଙ୍କୁ ଦେଖି ମଥାର ଓଢ଼ଣାଟି ସଜାଡ଼ି ସେ ଦୁଇ ହାତ ଯୋଡ଼ି ନମସ୍କାର ଜଣାଇଲେ । ସୌମିତ୍ର ଆଖିରେ ପଲକ ପଡ଼ୁନଥିଲା, ହତଚକିତ ହୋଇ ସେ କେବେ ଦେବେଶକୁ ଚାହୁଁଥିଲା ତ କେବେ ଦୀପାଳିକୁ । ତା’ର ବିଶ୍ୱାସ ହେଉ ନଥିଲା ଯେ ତାଙ୍କ କମ୍ପାନୀର ଶତକଡ଼ା ଅଠତିରିଶଭାଗ ଅଂଶଧନର ମାଲିକାଣି ତା’ର ବନ୍ଧୁ ଦେବେଶର ପତ୍ନୀ ଦୀପାଳୀ ! ! ସେମାନଙ୍କର ପୁଣି ରାଜଧାନୀରେ ଏବତେବଡ଼ ଆପାର୍ଟମେଣ୍ଟ୍ ଟିଏ ଅଛି । ଦେବେଶ୍ ତ ସେଦିନ କହିଥିଲା ତା’ର ପିଲାମାନେ ତ ଉଚ୍ଚଶିକ୍ଷିତ, ସ୍ୱାବଲମ୍ୱୀ ଏବଂ ଭାରତର ବିଭିନ୍ନ ମେଟ୍ରୋ ସିଟିମାନଙ୍କରେ ନିଜ ନିଜର କ୍ଷେତ୍ରରେ ପ୍ରତିଷ୍ଠିତ । ଏତେ ସଂପତ୍ତିର ମାଲିକ ହୋଇ ମଧ୍ୟ ସେମାନେ ଏତେ ସାଧାରଣ ଜୀବନ ଯାପନ କରୁଛନ୍ତି । ସେମାନଙ୍କ ମନରେ ତିଳେ ହେଲେ ସେଇ ଐଶ୍ୱର୍ଯ୍ୟ କି ପଦ ପଦବୀର ଅହଂକାର ନାହିଁ । ଅଥଚ ସେ… ଆଉ ତା’ର ପତ୍ନୀ ସୋନାଲି…?? ନିଜକୁ ଦେବେଶ୍ ସମ୍ମୁଖରେ ନିହାତି ନ୍ୟୁନ ମନେ କରୁଥିଲା ସୌମିତ୍ର । ଦୀପାଳିକୁ ମାଡ଼ାମ୍ ଡାକିବ କି ଭାଉଜ, ଆଉ କେମିତି ଅଫିସ୍ କଥା କହିବ ଚିନ୍ତା କରି ପାରୁନଥିଲା ସେ । ଦେବେଶ୍ କିନ୍ତୁ ଚିରାଚରିତ ଢଙ୍ଗରେ ଗପି ଚାଲିଥିଲା ଅନର୍ଗଳ । ସୌମିତ୍ର ହାଣକୁ ଗଲା ଛେଳି ଭଳି ତା’ ପଛେ ପଛେ ଚାଲୁଥିଲା ।

ଘଣ୍ଟାଟି ମଧ୍ୟରେ ରନ୍ଧା ବଢ଼ା ସାରି ଖୁବ୍ ଆଦର ଯତ୍ନରେ ଦୁଇ ବନ୍ଧୁଙ୍କୁ ବଳେଇ ବଳେଇ ଖୁଆଇଲେ ଦୀପାଳି, ଠିକ୍ ଗାଆଁର ସାଧାରଣ ବୋହୂଟିଏ ଭଳି । ତା’ପରେ ବାସନ କୁସନ ଉଠେଇ ନେଇ ରୋଷେଇ ଘରେ ରଖି ଦେଇ ଆସି ବସିଲେ ଲାପଟପ୍ ପାଖରେ । ସିଷ୍ଟମ୍ ଅନ୍ କରି କ’ଣ ସବୁ ଦେଖିବା ପରେ ସୌମିତ୍ରକୁ ଚାହିଁ କହିଲେ “ସରି ସୌମିତ୍ର ବାବୁ ! ଇନଫ୍ରା ଚେୟାରର ବୋର୍ଡ୍ ମିଟିଂ ଏଇ କୋଭିଡ଼୍ ଭୟରେ ଯୋଗ ଦେଇ ପାରିଲିନି । କମ୍ପାନୀର ମେସେଜ୍ ଆସିଛି, ସେମାନେ ଆପଣଙ୍କୁ ପଠାଇଛନ୍ତି ରିଜୋଲ୍ୟୁସନ୍ ଆଉ ପ୍ରୋସିଡ଼ିଂସରେ ମୋର ସିଗନେଚର୍ ନେବା ଲାଗି । ସରି ୱାନସ୍ ଏଗେନ୍ ଟୁ ଟ୍ରବୁଲ୍ ଇଉ ।” କମ୍ପାନୀ ଦେଇଥିବା କାମଟି କରାଇଲା ବେଳକୁ ଲଜ୍ଜାରେ ଭାଙ୍ଗି ପଡ଼ୁଥିଲା ସୌମିତ୍ର । କିଛି ଗୋଟାଏ ହଜେଇଦେଲା ଭଳି ଶୂନ୍ୟତାରେ ଭରି ଯାଉଥିଲା ତା’ର ହୃଦୟ । ବାରମ୍ୱାର ତୁଳନା କରି ଚାଲିଥିଲା ସେ ନିଜକୁ, ସୋନାଲିକୁ ଆଉ ଦେବେଶ୍ ଦୀପାଳୀକୁ । ଯେତେ ଯେତେ ଭାବୁଥିଲା ସେତେ ସେତେ ଛୋଟ ହୋଇ ଯାଉଥିଲା ନିଜ ଭିତରେ ସଂକୁଚିତ ହୋଇ ପଡ଼ୁଥିଲା ଆହୁରି ଆହୁରି ।

ତା’କୁ ଲାଗୁଥିଲା ତା’ର ବନ୍ଧୁ ଦେବେଶ୍ ଗୋଟିଏ ଅତଳ ସାଗର, ଖୁବ୍ ଧୀର ସ୍ଥିର, ମର୍ଯ୍ୟାଦାବନ୍ତ, ନିଜର ଗଭୀରତା ବଜାୟ ରଖି ଶାନ୍ତିରେ ନିଶ୍ୱାସ ମାରୁଥିବା ହିରଣ୍ୟଗର୍ଭଟିଏ । ଆଉ ସେ…?? ନିଜର ଆତ୍ମବଡ଼ିମାର ପ୍ରଚଣ୍ଡ ପ୍ରଦର୍ଶନ କରି ଉତ୍ତୁଙ୍ଗ ଲହଡ଼ିମାଳା ତୋଳି ଗର୍ଜନ କରି ଆସି ବେଳାଭୂମିରେ ମଥାପାତି ଲୀନ ହୋଇ ଯାଉଥିବା ଫେନିଳ ତରଙ୍ଗଟିଏ ମାତ୍ର । ଗଭୀର ଆତ୍ମଶ୍ଳାଘାରେ ଜର୍ଜରିତ ହୋଇ ସେମାନଙ୍କ ପାଖରୁ ବିଦାୟ ନେଇ ନିଜ କାର୍ ପାଖକୁ ଫେରିଲା ସୌମିତ୍ର ।

– ସୁଷମା ପରିଜା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...