୧୪୪ ବର୍ଷ ଓରଫ ଶ୍ରୀ-ତତ୍ତ୍ୱ ସଂସ୍କୃତି

144 years of Shree Tatwa Sanskruti

ମହାପ୍ରଭୁଙ୍କ ରହସ୍ୟମୟ ପାତାଳି ସମୟ ଓଡ଼ିଶା ଇତିହାସର ଏକ ମହତ୍ତ୍ୱପୂର୍ଣ୍ଣ ସନ୍ଧିକ୍ଷଣ ଅଟେ । ଉତ୍କଳ ଇତିହାସରେ ଘଟିଥିବା ଏହି ଘଟଣା-ଗ୍ରନ୍ଥି ଖୋଲିବା ନିମନ୍ତେ ଉଲ୍ଲେଖିତ ୧୪୪ ବର୍ଷର ସମୟ ନିରୂପଣ କଲା ବେଳେ ତତ୍କାଳୀନ ସାମାଜିକ, ଆଧ୍ୟାତ୍ମିକ ଓ ରାଜନୈତିକ ପରିବେଶର ବ୍ୟାଖ୍ୟା ଅତି ଆବଶ୍ୟକ ଅଟେ । ମାଦଳାପାଞ୍ଜି ଲେଖିଲେ – ଶ୍ରୀ ଚନ୍ଦ୍ରକରଦେବ ଭୋଗ କଲେ ବ୧୩ରସ । ଏ ଉତ୍ତାରୁ ହତପାଟ ହୋଇ ମୁଗଲେ ଭୋଗକଲେ ବ ୩୫ । ଗାଏ ପରମେଶ୍ୱର ପାତାଳି ହୋଇ ରହିଲେ ବ ୧୪୪ । ଏହା ମହାପ୍ରଭୁଙ୍କ ପାତାଳି ଲୀଳା ଅଟେ । ଏହାର ପ୍ରତ୍ୟେକ ଅଙ୍କ ମିଶ୍ରଣର ଫଳ ନବଧା ଭକ୍ତିର ପ୍ରତୀକ ତଥା ଶ୍ରୀ-ତତ୍ତ୍ୱ ଧାରକ ଅଟନ୍ତି । ନବଧା ଭକ୍ତିରସରେ ନବ ଦିବସ ବ୍ୟାପୀ କରା ଯାଉଥିବା ମାତୃପୂଜା ଦ୍ୱାରା ଶ୍ରୀଶକ୍ତିଙ୍କ ଉଦ୍ଜାଗରଣ ହୋଇଥାଏ । ଦେବୀ ଭାଗବତରେ ମେଧାସ ମହର୍ଷିଙ୍କ ଦ୍ୱାରା ଦୁର୍ଗା ସପ୍ତଶତୀ ଗାଥାର ସନ୍ନିବେଶ ଭାରତବର୍ଷରେ ସନାତନ ଧର୍ମର ପୁନର୍ଜାଗରଣ ପ୍ରକ୍ରିୟାର ଅୟମାରମ୍ଭ କ୍ଷଣ ଥିଲା । ବ୍ରହ୍ମବନ ମଧ୍ୟସ୍ଥ ମହାନଦୀ ତଟ ଉଦୟାଦ୍ରୀରେ ଗଣପତିଙ୍କ ପ୍ରସ୍ତରେ ଖୋଦିତ ପ୍ରତିମା (ଭୁବନେଶ୍ୱର ଖଣ୍ଡଗିରିର ଗଣେଶ ଗୁମ୍ଫା) ସମ୍ମୁଖରେ ପୂର୍ବଜଙ୍କ ଦ୍ୱାରା ରଚିତ ଗଣପତୈଥର୍ବୋପନିଷଦରେ ପୁରୁଷୋତ୍ତମଙ୍କ ସଗୁଣ ଉପାସନାରେ ନିର୍ଗୁଣ ବ୍ରହ୍ମଙ୍କ ପ୍ରଦର୍ଶନ-ତତ୍ତ୍ୱ ମେଧାସ ମହର୍ଷିଙ୍କ ଦ୍ୱାରା ରଚିତ ଦୁର୍ଗା ସପ୍ତଶତୀ ମାଧ୍ୟମରେ ପ୍ରସ୍ଫୁଟିତ ହେଲା । ଯଜାତି କେଶରୀଙ୍କ ଦ୍ୱାରା ଆରମ୍ଭ କରା ଯାଇଥିବା ଦୁର୍ଗା ମାଧବଙ୍କ ସହ ଅଗ୍ରପୂଜ୍ୟ ଗଣପତିଙ୍କ ଉପାସନା ଶ୍ରୀ ତତ୍ତ୍ୱର ପ୍ରତୀକ ଅଟନ୍ତି ଯାହାଙ୍କ ଆହ୍ୱାନ ଓଡ଼ିଶାର ପ୍ରତ୍ୟେକ ପୂଜା ପଦ୍ଧତ୍ତିରେ ପ୍ରଥମେ କରାଯାଏ ।

ବିଶ୍ୱ ବ୍ରହ୍ମାଣ୍ଡରେ ଘଟୁଥିବା ପ୍ରତି ମୂହୁର୍ତ୍ତର ଘଟଣାବଳୀ ମଧ୍ୟରେ ଏହି ଘଟଣା ମଧ୍ୟ ମହାପ୍ରଭୁଙ୍କ ଗୋଚର ଓ ନିର୍ଦ୍ଦେଶରେ ସମ୍ପନ୍ନ ହୋଇଛି । ମାଦଳାପାଞ୍ଜିଙ୍କ ୩୭୮୩ ବର୍ଷର ତତ୍ତ୍ୱ ଭଳି ମହାପ୍ରଭୁଙ୍କର ରହସ୍ୟମୟ ୧୪୪ ବର୍ଷ ଓରଫ ଶ୍ରୀ-ତତ୍ତ୍ୱ ସଂସ୍କୃତିର ଗ୍ରନ୍ଥି ଉନ୍ମୋଚନ ଓଡ଼୍ରର ସୋମବଂଶ (ଦ୍ୱିତୀୟ) ବା କେଶରୀ ବଂଶ (ପ୍ରଥମ)ଙ୍କ ରାଜତ୍ୱ ପ୍ରାରମ୍ଭ ସମୟରେ ପହଞ୍ଚିବାର ନିର୍ଦ୍ଧିଷ୍ଟ ରାସ୍ତା ଅଟେ ।

ବୁଦ୍ଧଙ୍କ ନିର୍ବାଣର ଶତବାର୍ଷିକୀରେ ସନାତନ ଧର୍ମର ସର୍ବାସ୍ତିବାଦ ବିଚାରରୁ ବିଚ୍ୟୁତ ହୋଇ ଥେରାବାଦ ବିଚାରକୁ ରାଜ୍ୟ-କୟ ଉଦ୍ଦେଶ୍ୟରେ ବ୍ୟବହୃତ ଆକ୍ରାମଣାତ୍ମକ ମନୋଭାବକୁ ଆଦୃତ କରିବା ଫଳରେ ସମାଜରେ ଉତ୍ପନ୍ନ ଭୟ ସଙ୍କୁଳିତ ଭାବକୁ ପ୍ରଶମିତ କରିବା ନିମନ୍ତେ ଶ୍ରୀ-ସଂସ୍କୃତିର ପୁନର୍ଜାଗରଣର ଆବଶ୍ୟକତା ଅନୁଭବ ହୋଇଥିଲା । ମାର୍କଣ୍ଡେୟ ପୁରାଣ ଅନ୍ତର୍ଗତ ଦେବୀ ଭାଗବତର ଦୁର୍ଗା ସପ୍ତଶତୀ ଖଣ୍ଡ ଅନୁସାରେ କୋଳବିଧ୍ୱଂସୀମାନଙ୍କ ଆକ୍ରମଣ ଦ୍ୱାରା କଳିଙ୍ଗରେ ରାଜତ୍ୱ କରୁଥିବା ଚୈତ୍ର ବଂଶୀ ରାଜା ସୁରଥ ବ୍ରହ୍ମବନକୁ ପଳାୟନ କରିଥିଲେ । ସେ ସମୟରେ ସମାଧି ବୈଶ୍ୟ ମଧ୍ୟ ତାଙ୍କ ପରିବାର ଓ ବ୍ୟବସାୟକୁ ହରେଇ ସେଠାରେ ପହଞ୍ଚିଥିଲେ । ଉଭୟଙ୍କୁ ବ୍ରହ୍ମବନର ଅଙ୍ଗିରସ ଗୋତ୍ରୀୟ କଣ୍ୱ ମହର୍ଷିଙ୍କ ପୁତ୍ର ମେଧାତିଥି ଋଷି-ବଂଶଜ ମହର୍ଷି ମେଧାସ ଶ୍ରୀ-ସଂସ୍କୃତିର ପୁନର୍ଜାଗରଣ ନିମନ୍ତେ ପରାମର୍ଶ ଦେଇଥିଲେ । ତାକୁ ପାଳନ କରିବାରୁ ସେମାନେ ତାଙ୍କ ରାଜ୍ୟ ଫେରି ପାଇଥିବା ଏହି ଉପାଖ୍ୟାନର ବିଷୟବସ୍ତୁ ଅଟେ । ପ୍ରତୀତ ହୁଏ ଏହା ଖ୍ରୀଷ୍ଟପୂର୍ବ ୧୭୭୨ ମସିହା କଳାଶୋକଙ୍କ କଳିଙ୍ଗ ଆକ୍ରମଣ ସମୟର କଥାବସ୍ତୁ ଅଟେ ଯାହାକୁ ପୁରାଣକାରମାନେ ନିଜସ୍ୱ ଢଙ୍ଗରେ ସୁରକ୍ଷିତ କରିଥିଲେ । ଦୁର୍ଗା ସପ୍ତଶତୀକୁ ସ୍ମୃତିବଦ୍ଧ କଲାବେଳେ ସେଥିରେ ଦିଆ ଯାଇଥିବା ସ୍ୱରୋଚିସ ମନ୍ୱାନ୍ତର, ମେଧାସ ମହର୍ଷିଙ୍କ ସମୟକୁ ଦୀର୍ଘ ଅନ୍ତରାଳର ସମୟର ପ୍ରତୀକାତ୍ମକ ରୂପେ ବୁଝାଇଛନ୍ତି । କୋଳବିଧ୍ୱଂସକାରିଣୀ ହର୍ଯ୍ୟଙ୍କ ବଂଶୀ କଳାଶୋକ ଅଟନ୍ତି । କଳାଶୋକ ରାଜକୁମାର ଥିବା ଅବସ୍ଥାରେ ବାରଣାସୀରେ ରାଜତ୍ୱ କରୁଥିବା କୋଳ-ଜାତିକୁ ସମୂଳେ ନଷ୍ଟ କରିଥିଲେ । ସିଂହାସନ ଆରୋହଣ କଲା ପରେ କଳିଙ୍ଗ ଆକ୍ରମଣର ଯୋଜନା କରି କୋଶଳ, ମହାକାନ୍ତାର ପାର ହୋଇ କଳିଙ୍ଗର ଦନ୍ତପୁରରେ ପହଞ୍ଚିଥିଲେ । ଦନ୍ତପୁରରୁ ଜଳପଥରେ କଳାଶୋକଙ୍କ ଅମାତ୍ୟ ରକ୍ତବାହୁ ବା ଖଲ୍ଲାଟୋକ ଓଡ଼୍ରର ଶ୍ରୀକ୍ଷେତ୍ରରେ ଆସି ପହଞ୍ଚିଥିଲେ । ସେତେବେଳେ ପୁରୀ ଜନଶୂନ୍ୟ, ଶ୍ରୀହୀନ ହୋଇ ସାରିଥିଲା । ଯାହା ବଳକା ଥିଲା, ମହୋଦଧୀରେ ଆସିଥିବା ସୁନାମୀ (ଖଣ୍ଡ ପ୍ରଳୟ) ତାକୁ ବି ଶୂନ୍ୟ କରି ଦେଇଥିଲା ।

ଏଠାରେ ଉଲ୍ଲେଖ କରା ଯାଇପାରେ ଯେ କଳିଙ୍ଗ ଓ ଓଡ଼୍ର ମହାଭାରତ ସମୟରୁ ଭିନ୍ନ ଭିନ୍ନ ରାଜ୍ୟ ଥିଲେ । ସମୁଦ୍ରଗୁପ୍ତଙ୍କ ପ୍ରୟାଗରାଜ ସ୍ତମ୍ଭଲିପିରୁ ଜଣା ପଡ଼େ ସେ ଦକ୍ଷିଣକୁ ମହାକାନ୍ତାର ରାସ୍ତା, ଆଧୁନିକ ଛତିଶଗଡ଼ – ଓଡ଼ିଶା ସୀମାବର୍ତ୍ତୀ ଅଞ୍ଚଳ ମାଧ୍ୟମରେ ପ୍ରବେଶ କରିଥିଲେ । ଐତିହାସିକ ଦିଲ୍ଲୀପ ଚକ୍ରବର୍ତ୍ତୀ ମତବ୍ୟକ୍ତ କରୁଛନ୍ତି ଯେ ସମୁଦ୍ରଗୁପ୍ତ ସମ୍ରାଟ ଅଶୋକଙ୍କ ଦାକ୍ଷିଣାତ୍ୟ ବିଜୟ ରାସ୍ତାକୁ ଅନୁସରଣ କରିଥିଲେ । ପ୍ରଖ୍ୟାତ ଓଡ଼ିଆ ଐତିହାସିକ ସ୍ୱର୍ଗତ ପଦ୍ମଶ୍ରୀ ସତ୍ୟନାରାୟଣ ରାଜଗୁରୁ ରାଜା ସୁରଥଙ୍କୁ କଳିଙ୍ଗ ଯୁଦ୍ଧର ରାଜା ରୂପେ ଚିହ୍ନଟ କରିଥିବା ବିଷୟ ତାଙ୍କ ପୁତ୍ର ଶ୍ରୀ ସୀତାକାନ୍ତ ରାଜଗୁରୁ Odisha review April 2010ର ଏକ ଆଲେଖ୍ୟରେ ପ୍ରକାଶ କରିଛନ୍ତି । ଶ୍ରୀ ରାଜଗୁରୁ ଲେଖୁଛନ୍ତି – ତାଙ୍କ ପିତା ସ୍ୱର୍ଗତ ସତ୍ୟନାରାୟଣ ରାଜଗୁରୁ ମହୋଦୟ ପାରଳାଖେମୁଣ୍ଡିର ମହେନ୍ଦ୍ରତନୟା ନଦୀର ଆନ୍ଧ୍ର ପାର୍ଶ୍ୱ ତଟଦେଶରେ ନିର୍ମାଣାଧୀନ ରାସ୍ତାର ଭୂମି ଖନନ ବେଳେ ମିଳିଥିବା ତାମ୍ରଶାସନକୁ ଆନ୍ଧ୍ର ସରକାରଙ୍କ ଅନୁରୋଧରେ ସେଥିରେ ଥିବା ଲିପି ପାଠ କରି କଳିଙ୍ଗ ଯୁଦ୍ଧ ସମୟରେ କଳିଙ୍ଗର ରାଜା ଚୈତ୍ରବଂଶୀ ସୁରଥ ଥିବା ବିଷୟ କହିଛନ୍ତି । ବର୍ତ୍ତମାନ ସେହି ତାମ୍ରଲିପି ଆନ୍ଧ୍ର ସରକାରଙ୍କ ଅଧୀନରେ ଅଛି । ଏହା କଳିଙ୍ଗ ଯୁଦ୍ଧ ବଂଶଧାରା ନଦୀ ତଟଦେଶ ଦନ୍ତପୁରରେ ହୋଇଥିବା ଦିଗରେ ସୂଚିତ କରେ । ଦନ୍ତପୁର ବାଣିଜ୍ୟିକ କେନ୍ଦ୍ର ଥିଲା ତଥା ସେଠାରୁ ପୂର୍ବ ଏସିଆକୁ ଯାତ୍ରାର ସମସ୍ତ ସୁବିଧା ଥିଲା । ସର୍ବୋପରି ବୁଦ୍ଧଙ୍କ ଦନ୍ତ ସେଠାରେ ରହିଥିଲା । ସେହି ବନ୍ଦରରୁ ବୁଦ୍ଧତ୍ୱ ପ୍ରାପ୍ତ ହେଲା ପରେ ସିଂହଳ ଦ୍ୱୀପ ଦୁଇଥର ଯାତ୍ରା କରିଥିଲେ । ଦନ୍ତପୁରରେ ବୁଦ୍ଧଙ୍କ ଦନ୍ତ ଥିବା ବିଷୟ ସିଂହଳ ରାଜା ନିଶଙ୍କ ମଲ୍ଲ (ଖ୍ରୀଷ୍ଟପୂର୍ବ ୪୨ ମସିହା)ଙ୍କ ପୋଲନ୍ନରୁୱ ଶିଳାଲେଖ (EZ, Vol. II, pp. 70-83)ରୁ ସ୍ପଷ୍ଟ ହୁଏ । ନିଶଙ୍କ ମଲ୍ଲ ପ୍ରାଚୀନ ବିଜୟଙ୍କ ବଂଶଜ ରୂପେ ପରିଚୟ ଦେଇ ଦନ୍ତପୁର ଠାରେ ସଂରକ୍ଷିତ ଥିବା ବୁଦ୍ଧଙ୍କ ଦନ୍ତ ସହ ପରାକ୍ରମବାହୁଙ୍କ ମୃତ୍ୟୁ ପରେ ସିଂହଳ ଯାଇ ପହଞ୍ଚିଥିଲେ ।

ଶ୍ରୀ-ସଂସ୍କୃତି ମାତୃ ପୂଜନ ପଦ୍ଧତ୍ତି ବା ଶ୍ରୀତତ୍ତ୍ୱ ଅଟେ । ଭଗବତ ଗୀତା ୧୦:୩୪:୨ରେ ଶ୍ରୀକୃଷ୍ଣଙ୍କ ଶ୍ଳୋକ – କୀର୍ତିଃ ଶ୍ରୀର୍ବାକ୍ଚ ନାରୀଣାଂ ସ୍ମୃତିର୍ମେଧା ଧୃତିଃ କ୍ଷମା (ସ୍ତ୍ରୀ ମାନଙ୍କ ମଧ୍ୟରେ ମୁଁ କୀର୍ତ୍ତି, ଶ୍ରୀ, ବାକ, ସ୍ମୃତି, ମେଧା, ଧୃତି କ୍ଷମା ଅଟେ) – ଭିନ୍ନ ଭିନ୍ନ ସମୟରେ କୀର୍ତ୍ତି, ଶ୍ରୀ, ବାକ୍‌ସ୍ମୃତି, ମେଧା, ଧୃତି ଓ କ୍ଷମା ନାମ୍ନୀ ସ୍ତ୍ରୀମାନେ ସେମାନଙ୍କ ନାଁ’ର ସାର୍ଥକତା ପ୍ରଦାନ କରୁଥିବା କାର୍ଯ୍ୟାବଳୀ ଦ୍ୱାରା ସମାଜରେ ଆଦୃତ ଓ ନାମାଙ୍କିତ ହୋଇଥିଲେ । ସେମାନଙ୍କ ପ୍ରସିଦ୍ଧି, ସମ୍ପନ୍ନତା, ମଧୁରବାଣୀ, ସ୍ମରଣଶକ୍ତି, ବୁଦ୍ଧିମତା, ଧାରଣ କରିବା ଶକ୍ତି ଓ ଧୈର୍ଯ୍ୟଶୀଳନ କାର୍ଯ୍ୟକଳାପ ସମାଜକୁ ଯଶସ୍ୱୀ କରିଥିଲା । ଏହା ଶ୍ରୀ-ତତ୍ତ୍ୱଧାରକ ଅଟେ । ଭଗବତ ଗୀତାରେ ଏହି ସପ୍ତମାତୃକାଙ୍କୁ ଉପସ୍ଥାପିତ କରିବାର ଅନେକ ସହସ୍ର ବର୍ଷ ପୂର୍ବେ ଭରତମୁନି ତାଙ୍କ ନାଟ୍ୟ ଶାସ୍ତ୍ରର ୩:୮୫:୮୭ରେ ସପ୍ତ ନାଟ୍ୟମାତୃକା ସରସ୍ୱତୀ, ଧୃତି, ମେଧା, ହ୍ରୀ, ଶ୍ରୀ, ଲକ୍ଷ୍ମୀ ଓ ସ୍ମୃତିଙ୍କୁ ବର୍ଣ୍ଣନା କରିଛନ୍ତି, ଯେଉଁମାନେ ଶ୍ରୀତତ୍ତ୍ୱ ବିଶେଷ ଅଟନ୍ତି ।

ଋଗବେଦରେ ଶ୍ରୀ ଦେଦୀପ୍ୟମାନ, ଜାଜ୍ଜଲ୍ୟମାନ, ପରମ ଆନନ୍ଦ ଓ କୃଷ୍ଣକାୟ ମେଘଖଣ୍ଡ ମଧ୍ୟର ବିଜୁଳୀ ଅଟନ୍ତି । ବାସ୍କଳ ଶାଖାର ଶ୍ରୀ-ସୁକ୍ତ (ଯାହାକୁ ଖିଲ-ସୁକ୍ତ ଅର୍ଥାତ ପରବର୍ତ୍ତୀ କାଳରେ ଯୋଡ଼ା ଯାଇଥିବା ସୁକ୍ତ କୁହାଯାଏ)ର ଶ୍ରୀ ସକଳପ୍ରାଣୀର ଆଧାରଭୂତା, ଗନ୍ଧାନୁଲେପନୀ, ଦୁରାରୋଗ୍ୟ-ପୀଡ଼ା-ବିନାଶନୀ, ଐଶ୍ୱର୍ଯ୍ୟଦାୟିନୀ ତଥା ଦୁର୍ଗା ସପ୍ତଶତୀରେ ଜଗତଧାତ୍ରୀ ଅଟନ୍ତି । ସେ ଭୃଗୁ ମହର୍ଷି କନ୍ୟା ବିଷ୍ଣୁପତ୍ନୀ ଲକ୍ଷ୍ମୀ (ଶ୍ରୀ), କୋଳାସୁରକୁ ବଦ୍ଧ କରିଥିବା ମହାଲକ୍ଷ୍ମୀ (ଦୁର୍ଗା) ଅଟନ୍ତି ।

ମାଦଳାପାଞ୍ଜିରେ ଉଲ୍ଲେଖ ମହାପ୍ରଭୁଙ୍କ ପାତାଳିର ୧୪୪ ବର୍ଷ ସଂଖ୍ୟା ସ୍ୱୟଂ ଶ୍ରୀ-ତତ୍ତ୍ୱ ଅଟନ୍ତି । ଏହାର ପ୍ରତ୍ୟେକ ଅଙ୍କକୁ ମିଶେଇଲେ ମିଶ୍ରଣ ଫଳ ୯ ହୁଏ । ଏହାକୁ ତତ୍ତ୍ଵଜ୍ଞାନୀ ମାନେ ନବଧା ଭକ୍ତି ବା ଶ୍ରୀତତ୍ତ୍ୱ (ଶ୍ରବଣ, କୀର୍ତ୍ତନ, ସ୍ମରଣ, ପୂଜନ, ବନ୍ଦନ, ପାଦ ସେବନ, ଦାସ୍ୟ, ସଖ୍ୟ ଓ ଆତ୍ମ ନିବେଦନ ଭାବ) ରୂପେ ଚିନ୍ତନ କରିଥାନ୍ତି । ବୈଷ୍ଣବୀୟ ଦର୍ଶନ ଅନୁସାରେ, ଆଶ୍ୱୀନ ମାସରେ ଶାରଦୀୟ ନବରାତ୍ରରେ ପାଳିତ ମାତୃ ପୂଜା ଶରୀର ଭିତରେ ଥିବା ଆତ୍ମାଙ୍କ କାର୍ଯ୍ୟ କରୁଥିବା ଶରୀରର ସ୍ୱସ୍ଥତା ନିମନ୍ତେ ମାତା ଦୁର୍ଗାଙ୍କ ପ୍ରତିନିଧିତ୍ୱ କରୁଥିବା ଆବଶ୍ୟକ ନଅ ଗୋଟି ଔଷଧୀୟ ବୃକ୍ଷଙ୍କ ଗୁଣକୀର୍ତ୍ତି ସହ ମାତାଙ୍କ ପୂର୍ବ ଶୋର୍ଯ୍ୟ, ପରାକ୍ରମ ବ୍ୟାଖ୍ୟାନକୁ ନବଧା ଭକ୍ତି ଭାବ ରୂପେ ଉପାସନା କରା ଯାଇଥିଲେ ତାହା ସାଧିତ ହୋଇଥାଏ । ଭଗବତ ଗୀତାରେ ଉଲ୍ଲେଖ ଏହି ଶ୍ଳୋକ ଯଥାର୍ଥରେ ପରମାତ୍ମାଙ୍କ ଚତୁର୍ଦ୍ଦିଗରେ ମହାମାୟାଙ୍କ ଉପସ୍ଥିତିକୁ ଏକାତ୍ମା ରୂପେ ଦର୍ଶାଇଥାଏ । ଅର୍ଦ୍ଧନାରୀଶ୍ୱର ଶିବଙ୍କ ଉପାସନା, ଗର୍ଗ-ସଂହିତାର ପରମାତ୍ମା ନିଜ ଭିତରୁ ରାଧାଙ୍କୁ ଉତ୍ପନ୍ନ କରିବା ତଥା ଶ୍ରୀମନ୍ଦିରରେ ଅତିବଡ଼ିଙ୍କ ଜଗନ୍ମୋହିନୀ ବେଶରେ ଜଗନ୍ନାଥଙ୍କ ଦର୍ଶନ କରିବା ଆଦି ୧୪୪ ବର୍ଷ ତତ୍ତ୍ୱ ସମ୍ୱନ୍ଧିତ ଅଟେ ।

ବାରାଣାସୀର କୋଳମାନଙ୍କ ବିଧ୍ୱଂସୀକାରିଣୀ ଶକ୍ତିର ସଂହାର କରିବା ନିମନ୍ତେ କୋଳାସୁରକୁ ନିଧନ କରିଥିବା ମହଲକ୍ଷ୍ମୀ ବା ଦୁର୍ଗା ଉପାସନାର ପୁନର୍ଜାଗରଣର ଆବଶ୍ୟକତା ରହିଥିବା ବିଷୟ ବ୍ରହ୍ମବନର ମେଧାସ ମହର୍ଷି ତାଙ୍କ ଶିଷ୍ୟ ମାନଙ୍କୁ ପରାମର୍ଶ ଦେଉଥିଲେ । ଷଷ୍ଠ ବର୍ଷରେ ବ୍ରତୋପନୟନ ସଂସ୍କାର ପରେ ବ୍ରହ୍ମବନରେ ଶ୍ରୀ-ସଂସ୍କୃତିର ଭକ୍ତିରସରେ ମଜ୍ଜିତ ମେଧାସ ମହର୍ଷିଙ୍କ ଶିଷ୍ୟତ୍ୱ ଗ୍ରହଣ କରିଥିବା ବିରଜା ମନ୍ଦିରର ଅଙ୍ଗିରସ ଗୋତ୍ରୀୟ ପୂଜକ ଦମ୍ପତ୍ତିଙ୍କ ଦ୍ୱାରା ପାଳିତ ଇନ୍ଦ୍ରବଳ ପରବର୍ତ୍ତୀ କାଳରେ ଉତ୍କଳ ରାଜା ସୋମବଂଶୀ ଯଜାତି କେଶରୀ ନାମରେ ମେଧାସ ମହର୍ଷି (ଆନୁମାନିକ ସମୟ: ଖ୍ରୀଷ୍ଟପୂର୍ବ ୧୫୯୦-୧୪୯୦)ଙ୍କ ପୌରହିତ୍ୟରେ ଦ୍ୱିଭୂଜା ଦୁର୍ଗା ରୂପିଣୀ ମା ବିରଜାଙ୍କ ନବ ଦିବସ ବ୍ୟାପି ବାସନ୍ତିକ ଉତ୍ସବ ପାଳନ ପରେ ଦଶମୀ ତିଥିରେ ସମ୍ପୂର୍ଣ୍ଣ ଉତ୍କଳ ଅଭିମୁଖେ ଯାତ୍ରା କରିଥିବା ଅଶ୍ୱର ବିଜୟଯାତ୍ରା ଉତ୍ସବ ଅଶ୍ୱମେଧ ଯଜ୍ଞ ବୈତରଣୀ କୂଳରେ ଅନୁଷ୍ଠିତ କରିଥିଲେ । ଏହି ଅଶ୍ୱ ବିଜୟ-ଧ୍ୱଜା-ଧାରଣ ପୂର୍ବକ ଓଡ଼୍ର ଅଭିମୁଖେ ବ୍ରହ୍ମବନର ମେଧାସ ମହର୍ଷିଙ୍କର ଆଶ୍ରମ ଦେଇ ଯାତ୍ରା କରିଥିଲା । ଶ୍ରୀହୀନ ପୁରୁଷୋତ୍ତମ କ୍ଷେତ୍ରରେ ଶ୍ରୀ-ସଂସ୍କୃତିର ଉତ୍ଥାନ ଜନ ଚେତନାର ଆଧ୍ୟାତ୍ମ୍ୟ-ପ୍ରେରିତ-ସାମାଜିକି ବିଜିଗୀଷ ଭାବନାକୁ ଜାଗ୍ରତପୂର୍ବକ କର୍ମକାରିକା ପ୍ରଚଳନର ସ୍ୱତଃ ସ୍ୱରୂପ ଥିଲା । ଅଙ୍ଗିରସ ଗୋତ୍ରୀୟ ଅଶ୍ୱମେଧୀ ଇନ୍ଦ୍ରବଳ ଓରଫ ଯଜାତି କେଶରୀ ଶେଷ ସୋମବଂଶୀ ରାଜା ଚନ୍ଦ୍ରକର ଦେବଙ୍କ ବଂଶଜ ଥିଲେ । ସେମାନେ ବିରଜା କ୍ଷେତ୍ରରେ ଗୋପନ ଜୀବନ ଯାପନ କରୁଥିଲେ ।

ଖ୍ରୀଷ୍ଟପୂର୍ବ ୧୫୫୧ରେ ମହାପ୍ରଭୁଙ୍କ ବିଗ୍ରହ ଶ୍ରୀକ୍ଷେତ୍ରରେ ଅନୁପସ୍ଥିତ ଥିବା ବିଷୟରେ ମାଦଳାପାଞ୍ଜି ଉଲ୍ଲେଖ କରୁଛନ୍ତି – ଏଠାରୁ କେଶରୀ ପାଟରାଜା ହୋଇଥିଲେ । ପ୍ରଥମ ପାଟ ଯଯାତି କେଶରୀ ହୋଇଲେ । ଏ ରାଜା ବଡ଼ ଶୂରବନ୍ତ ମହାଦାନୀ । ଏ ମହାରାଜଙ୍କ ଅ୧୧ଙ୍କେ ସନ୍ନ୍ୟାସୀ ବ୍ରହ୍ମଚାରୀ ବ୍ରାହ୍ମଣମାନଙ୍କୁ ପଚାରିଲେ ଓଡ଼ିଶା ରାଜାର ପ୍ରଭୁ ଯେ ଶ୍ରୀ ଜଗନ୍ନାଥ ମହପ୍ରଭୁ ସେ କାହିଁ ଛନ୍ତି? ସେମାନେ କହିଲେ ମୁଗଲ ଗୋଳ ହୋଇଲାକୁ ସୋମୋଦ୍ର ମାଡ଼ି ଅଇଲାକୁ ଅପର ଦିନ ହୋଇଲା । ଶ୍ରୀ ପରମେଶ୍ୱରଙ୍କୁ ପାତାଳୀ କରି ସୁନୁପୁର୍ ଆଡ଼େ କଉଁଠାରେ ବିଜେ କରାଇଲେ ଗାଁତବ ନୋହୁ । ଆମ୍ଭ ବାପ ଅଜା କହନ୍ତି ଦିଅବର ଏହି, ଏଥିତଳେ ଦିଅଁଙ୍କୁ ପୋତିଥିଲେ । ଏହା ଶୁଣି ରାଜ କଟୁରିଆ ବ୍ରାହ୍ମଣଙ୍କୁ ଆଣି ସେ ଗଛ କଟାଇ ଖୋଳାଇଲେ । ପରମେଶ୍ୱରଙ୍କୁ ବାହର କଲେ । ସେ ଦିନେ ଶ୍ରୀ ମୂର୍ତ୍ତିମାନ ମାଟିଖାଇ ଛିନ୍ନଭିନ୍ନ ହୋଇଛନ୍ତି । ଦେଅମାନଙ୍କୁ ଲୁଗା ଗୁଡ଼ିଆଇ ମୁଣାରେ ପୂରେଇ ମୁଦାଇଲେ । ଏ ଉତ୍ତାରୁ ଦଇତାପତିଙ୍କୁ ଲୋଡ଼ାଇଲେ । ଦଇତାମାନେ ବିରିବନ୍ଧରେ ଥିଲେ । ପତିମାନେ ରତନପୁର ସିମାରେ ଥିଲେ । ଏମାନଙ୍କୁ ଅଣାଇ ବିଧିପତ୍ର ପ୍ରମାଣେ ଦାରୁ ଛେଦନ କରାଇ ପରମେଶ୍ୱରଙ୍କୁ ସୁମୂର୍ତ୍ତି କରାଇଲେ । ଏ ଘଟଣାବେଳେ ରାଜା ସେବକ ତାଟି ଭିତର କଲେ । ଗଛକଟା କଟୂରିଆ ବ୍ରାହ୍ମଣ ପାଞ୍ଚ ଦେବା । ଏହାଙ୍କ ଗୋତ୍ର ବଛସ । ଜ୫ଣକୁ ଜ୧୦ଣ । ପତିମାନଙ୍କର ଏଗାରହ ଜଣକୁ ଛଅ ଜଣ । ଦଇତା ମାନଙ୍କର ଉଲୁକ ଗୋତ୍ର । ଜ ୮ଣକୁ ପରିଛା ଗାଏ ଚବିସ ଜଣ । ଶ୍ରୀ ପୁରୁଷୋତ୍ତମେ ସଙ୍ଖ ନାଭି ମଣ୍ଡଳେ ହା ୩୮ ତ କରି ପଟୋଳ ଗୋଟାଏ ତୋଳି ପ୍ରତିଷ୍ଠା କରି ପରମେଶ୍ୱରଙ୍କୁ ବିଜେ କରାଇଲେ । ଏ ମହାରାଜାଙ୍କ ଅ ୧୩ ଙ୍କେ କକଡ଼ା ଦି ୨୫ ନେ (ଖ୍ରୀଷ୍ଟପୂର୍ବ ୧୫୪୦-୩୯) ସିଂଘାସନେ ବିଜେ କରାଇଲେ ।

ମାଦଳାପାଞ୍ଜି ୨ୟ ଲେଖୁଛନ୍ତି – ଅ ୫୯ ଙ୍କେ ମେଷ ଦି ୨୫ ନେ (ଖ୍ରୀଷ୍ଟପୂର୍ବ ୧୪୮୪-୮୩) ସିଂହାସନେ ବିଜେ କରାଇଲେ । ଏହି ଦିନେ ବିମଳାଙ୍କ ଦେଉଳ ହା ୧୮ ତ ମାପରେ ତୋଳାଇଲେ ।

ଓଡ଼୍ର ରାଜବଂଶାବଳୀ ମହାପ୍ରଭୁଙ୍କ ଠାବ ସମ୍ୱନ୍ଧରେ ପ୍ରଚଳିତ କିମ୍ୱଦନ୍ତୀକୁ ବର୍ଣ୍ଣନା କରି ଲେଖିଛନ୍ତି ଯେ ମହାପ୍ରଭୁଙ୍କ ସ୍ଥାନ ଠାବ କରୁଥିବା ଦଳଙ୍କୁ ଜଣେ ବୃଦ୍ଧା ତ୍ରିକୂଟ ପର୍ବତର ପାଦଦେଶରେ ଥିବା ବରଗଛ ପଛରେ ରହିଥିବା ଖୋଲ ଦିଗରେ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ । ବରଗଛ ପଶ୍ଚାଦଦେଶରେ ଗୁମ୍ଫା ଭିତରେ ମହାପ୍ରଭୁଙ୍କ କାଷ୍ଠର ଜୀର୍ଣ୍ଣମୂର୍ତ୍ତିମାନ ରହିଥିବା ସେମାନେ ଦେଖିଥିଲେ । ସେଠାରୁ ବାହାରକୁ ଆସି ସେହି ବୃଦ୍ଧାଙ୍କୁ ଦେଖି ନ ଥିଲେ । ତାଙ୍କ ଚିହ୍ନ ବର୍ଣ୍ଣ ନ ଥିଲା । ସେ ଅଦୃଶ୍ୟ ହୋଇ ଯାଇଥିଲେ । ତାଙ୍କୁ ଦେବୀ ବିରଜାଙ୍କ ପ୍ରତିରୂପ ଭାବେ ଜ୍ଞାନୀମାନେ କଳନା କରିଥାନ୍ତି ।

ସେ ସେଠାରେ ମହାପ୍ରଭୁଙ୍କ ସଗୁଣ ରୂପର ସ୍ଥଳରକ୍ଷକ, ପ୍ରାଣବାୟୁ ସଦୃଶ୍ୟ ବିଦ୍ୟମାନ ଥିଲେ । ପ୍ରାଣବାୟୁକୁ “ପ୍ରଶ୍ନ ଉପନିଷଦ”, ତାଙ୍କ ଦ୍ୱିତୀୟ ପ୍ରଶ୍ନର ଉତ୍ତରରେ – ମାତେବ ପୁତ୍ରାନ ରକ୍ଷସ୍ୟ ଶ୍ରୀଶ୍ଚ ପ୍ରଜ୍ଞା ଚ ବିଧେୟ ନ ଇତି – ଜୀବନ ଶକ୍ତି ରୂପେ ବର୍ଣ୍ଣନା କରିଛନ୍ତି । ଶରୀର ରୂପୀ ଶ୍ରୀମନ୍ଦିରରେ ଜଗନ୍ନାଥ ପରଂବ୍ରହ୍ମ, ଦେବୀ ବିମଳା ତାହାର ପ୍ରାଣବାୟୁ ଅଟନ୍ତି ଯିଏ ମଣିପୁର ଅଥବା ମଣିବନ୍ଧ ଚକ୍ରରେ ପଞ୍ଚବାୟୁକୁ ସନ୍ତୁଳନ କରାଇ ଥାନ୍ତି ।

ଦେବୀ ଭାଗବତ ଲେଖିଲେ: ବିମଳା ସା ମହାଦେବୀ ଜଗନ୍ନାଥସ୍ତୁ ଭୈରବ; ସୃଷ୍ଟିଭୂତ ମହାଶକ୍ତି ମଣିପୁର ନିବାସିନୀ । ବିମଳା ସା ପରାଶକ୍ତି ଉଡ଼୍ଡୀୟାନ ପୁରେଶ୍ୱରୀ; ଅଞ୍ଜୁନ ଦେହି ମେ ଦେବୀ ବହିର୍ଯୋଗେ ମାଂଅମ୍ୱିକେ; ମାଧବ ଭୈରବ ସାକ୍ଷାତ୍ ପ୍ରାଣାତୋସ୍ମି ଜଗତପତେ ।

ବିମଳାଙ୍କୁ ଭୈରବୀ ତଥା ଜଗନ୍ନାଥଙ୍କୁ ଭୈରବ ରୂପେ ଉପସ୍ଥାପନା କରୁଥିବା ଏହି ପଦ ୧୪୪ ବର୍ଷ ସମ୍ୱନ୍ଧୀୟ ତତ୍ତ୍ୱ ଅଟେ ଯାହାକୁ ମାର୍କଣ୍ଡେୟ ପୁରାଣର ଆଧୁନିକୀକରଣ ବେଳେ ଅଙ୍ଗିରସ ଗୋତ୍ରୀୟ ଋଷିମାନଙ୍କ ଦ୍ୱାରା ଯୋଡ଼ା ଯାଇଥିଲା । ତ୍ରିକୂଟ ପର୍ବତ ଗୁମ୍ଫା ମଧ୍ୟରେ ବିରାଜମାନ ଦାରୁବ୍ରହ୍ମ ସ୍ୱ ଅପଲକ ନେତ୍ର ପରିଧିକୁ ଦେବୀଙ୍କ ମଧ୍ୟରେ ବିଦ୍ୟମାନ କରେଇ ଅଜ୍ଞାନୀ, କୀକଟ ମାନଙ୍କ କୁଦୃଷ୍ଟିରୁ ଦୂରେଇ ରଖିଥିଲେ । ବୃଦ୍ଧା ରୂପିଣୀ ଦେବୀ ବିରଜା ଆବିର୍ଭାବି ଥିଲେ ଯାହାଙ୍କୁ ୧୮ ହାତର ପୋଟଳ ମଧ୍ୟରେ ଶ୍ରୀମନ୍ଦିରର ଦକ୍ଷିଣ-ପଶ୍ଚିମ କୋଣରେ ବିମଳା ଦେବୀ ରୂପରେ ସ୍ଥାପିତ କରିଥିଲେ, ଯାହାଙ୍କ ବେଲପତ୍ରର ସ୍ପର୍ଶରେ ମହାପ୍ରଭୁଙ୍କୁ ଲାଗି ହୋଇଥିବା ଓଦନଃ (କଠୋପନିଷଦରେ ବ୍ୟବହୃତ ଶବ୍ଦ – ଅନ୍ନ, ପାକ ହୋଇଥିବା ଭୋଜନ) ମହାପ୍ରସାଦରେ ପରିଣତ ହୋଇଥାଏ । ତାଙ୍କ ଅନ୍ୟତମ ରୂପ ରୂପେ ମାତା ସମଲେଶ୍ୱରୀଙ୍କ ଉପାସନା ସେହି ସମୟରୁ ଆରମ୍ଭ ହୋଇଥିବା ବିଷୟ ଐତିହାସିକମାନେ ବର୍ଣ୍ଣନା କରିଥାନ୍ତି । କୋଟ ସମଲେଇର ମନ୍ଦିର ଦେବୀଙ୍କ ମୂଳପୀଠ ଅଟେ, ଯାହାକୁ ଯଜାତି କେଶରୀ ନିର୍ମାଣ କରିଥିଲେ । ଆଜି ବି ମାତା ସମଲେଶ୍ୱରୀ ଦେବୀଙ୍କ ପୂଜା ଦେବୀ ବିରଜା ଓ ବିମଳାଙ୍କ ସଦୃଶ୍ୟ ଭୁବନେଶ୍ୱରୀ ମନ୍ତ୍ରରେ ହୋଇଥାଏ ।

ମାଦଳାପାଞ୍ଜି ଲେଖିବା ବାକ୍ୟ – ଶୋଭନ ଦେବ ଭୋଗ କଲେ ବ ୯୬ । ଏହି ମହାରାଜାଙ୍କ ଅ ୨ ଙ୍କେ ଡିଲିରୁ ରକ୍ତବାହୁ ଆସିବା ବାରତାକୁ ପରମେଶ୍ୱରଙ୍କୁ ସୁନୁପୁର ଗୋପଲୀ ଘେନିଗଲେ – ତତ୍କାଳୀନ ଓଡ଼୍ରରେ ଉପୁଜିଥିବା ପରିସ୍ଥିତି ସମ୍ପର୍କରେ ଅନେକ କିଛି କହିଥାଏ । ସେହି ସମୟ ଓଡ଼୍ର ନିମନ୍ତେ ଏକ ଘଡ଼ିସନ୍ଧି ମୂହୁର୍ତ୍ତ ଥିଲା ଯଦିଓ ସେତେବେଳେ ବୁଦ୍ଧ ଅବତାର ରୂପେ ସ୍ୱୀକୃତ ନ ଥିଲେ, ତଥାପି ତାହା ଜଗନ୍ନାଥଙ୍କ ବୌଦ୍ଧ ଅବତାର ଉପରାନ୍ତ ସମୟ ଥିଲା । ସ୍କନ୍ଦପୁରାଣ ଅନୁଯାୟୀ ବୁଦ୍ଧ ଖ୍ରୀଷ୍ଟପୂର୍ବ ୧୯୬୨ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ସିଂହଳ ରାଜବଂଶ କାଳାନୁକ୍ରମ ମହାବଂଶ ଅନୁଯାୟୀ ସେ ୮୪ ବର୍ଷର ଜୀବନ ଯାପନ କରିଥିଲେ ତଥା ତାଙ୍କ ନିର୍ବାଣର ଏକ ଶତ ବର୍ଷ ପାଳନ ହର୍ଯ୍ୟଙ୍କ ବଂଶୀ ଶୁଶୁନାଗଙ୍କ ପୁତ୍ର କଳାଶୋକଙ୍କ ସିଂହାସନ ଆରୋହଣର ୧୦ ବର୍ଷ ଶେଷରେ ହୋଇଥିଲା । ଅର୍ଥାତ୍‌ ଖ୍ରୀଷ୍ଟପୂର୍ବ ୧୭୭୨ ମସିହାରେ କଳାଶୋକ ସିଂହାସନ ଆରୋହଣ କରିଥିଲେ । ମାଦଳାପାଞ୍ଜି ଅନୁଷରେ ଖ୍ରୀଷ୍ଟପୂର୍ବ ୧୭୭୩ ମସିହାରେ ଶୋବନ ଦେବ ସିଂହାସନ ଆରୋହଣ କରିଥିଲେ । ଦିଲ୍ଲୀ (ମଗଧ) ପାତିସାଙ୍କ ଅମାତ୍ୟ ରକ୍ତବାହୁର ପୁରୁଷୋତ୍ତମ ଆଗମନର ସମ୍ୱାଦରେ ଭୟଭୀତ ପୂର୍ବକ ମହାପ୍ରଭୁଙ୍କୁ ପାତାଳୀରେ ନେଇ ବୌଦ୍ଧାଞ୍ଚଳରେ ରଖିଥିବା ସମୟ ଖ୍ରୀଷ୍ଟପୂର୍ବ ୧୭୭୨ ହେବ ।

ଶୋବନ ଦେବଙ୍କ ପଳାୟନ ପରେ ଦିଲ୍ଲିର ପାତିସାଙ୍କ ଅମୁରା (ପ୍ରତିନିଧି, ସେନାପତି) ପୁରୁଷୋତ୍ତମ ଆସି ଦେଖିଥିଲେ ପୁରୁଷୋତ୍ତମ ଜନଶୂନ୍ୟ ଓ ମନ୍ଦିର ବିଗ୍ରହ ଶୂନ୍ୟ । ସେହି ସମୟରେ ସମୁଦ୍ର ସ୍ଥଳଭାଗ ଭିତରକୁ ପଶି ଆସିଥିଲା । ଉଡ଼୍ର ରାଜବଂଶାବଳୀ ଲେଖୁଛନ୍ତି, ସ୍ଥଳଭାଗକୁ ମାଡ଼ି ଆସିଲା ପରେ ଭୀଷଣ ଶବ୍ଦପୂର୍ବକ ସମୁଦ୍ରଜଳ ପ୍ରଥମେ ସମୁଦ୍ର ଭିତରକୁ ଚାଲି ଯାଇଥିଲା ଓ ପରେ ପରେ ତୀବ୍ର ବେଗରେ ଶକ୍ତିଶାଳୀ ସୁଉଚ୍ଚ ତରଙ୍ଗମାନ ସ୍ଥଳ ଭାଗରେ ମାଡ଼ି ଯାଇ ପାଣି ବଡ଼ମୂଳ ଘାଟି ପର୍ଯ୍ୟନ୍ତ ଯାଇଥିଲା । ବଡ଼ମୂଳ ଘାଟି ଅଧୁନା ଓଡ଼ିଶା, ବାଲୁଗାଁ ନିକଟସ୍ଥ ଖଲ୍ଲିକୋଟ ଘାଟି ଅଟେ । ସେ ସମୟରେ ଚିଲିକା ହ୍ରଦ ଓ ଭାର୍ଗବୀ ଭିତରେ ଦୟା ନଦୀର ସୃଷ୍ଟି ସେ ସମୟରେ ହୋଇଥିଲା । ପାତିସାଙ୍କ ଅମୁରା ରକତବାହୁ ହର୍ଯ୍ୟଙ୍କବଂଶୀ କଳାଶୋକ (ଖ୍ରୀଷ୍ଟପୂର୍ବ ୧୭୭୨- ଖ୍ରୀଷ୍ଟପୂର୍ବ ୧୭୪୪)ଙ୍କ ଅମାତ୍ୟ ଖଲ୍ଲାଟୋକ ଥିଲେ (ଦିବ୍ୟା ବଦାନ ୩୭୨.17) । ପୁରୁଷୋତ୍ତମରେ ସେ ରକ୍ତବାହୁ ନାମରେ କୁଖ୍ୟାତ ଥିଲେ । ରକ୍ତବାହୁ: ଅର୍ଥାତ୍‌ ରକ୍ତରେ ରଞ୍ଜିତ ହସ୍ତ । ରକ୍ତବାହୁ ଏକ ବିଶୁଦ୍ଧ ଓଡ଼ିଆ ଶବ୍ଦ ଅଟେ । ହର୍ଯ୍ୟଙ୍କବଂଶୀ ମାନେ ଈକ୍ଷ୍ୟାକୁ ବଂଶଜ ଓ ବ୍ରାର୍ତ୍ୟଧର୍ମୀ ଥିଲେ । ବ୍ରାର୍ତ୍ୟଧର୍ମୀମାନେ ନିର୍ଗୁଣ ଉପାସନାରେ ବିଶ୍ୱାସ କରୁଥିଲେ । ସେଥିପାଇଁ ମାଦଳାପାଞ୍ଜି ସେହି ରାଜାଙ୍କୁ ସମ୍ୱୋଧନରେ ପାତିସା ବ୍ୟବହାର କରିଛନ୍ତି । ପାତିସା ଅର୍ଥ ଦୁଷ୍ଟ ମର୍କଟ (ପାତି ମାଙ୍କଡ଼) ରାଜା ।

କାଶୀ ଓ କୋଶଳ ଅଧିକୃତ ସମୟରେ କଳାଶୋକଙ୍କ ମହାମାତ୍ୟ ଖଲ୍ଲାକୋଟ ବନାମ ରକ୍ତବାହୁର ପରାକ୍ରମ ଓ ଦମନଲୀଳା ଓଡ଼୍ର ସୈନିକଙ୍କୁ ଅବଗତ ଥିଲା । ପଡ଼ୋଶୀ କଳିଙ୍ଗରେ କଳାଶୋକଙ୍କ ଆକ୍ରମଣ ଓ ଅନୀତିପୂର୍ଣ୍ଣ ଗରିଲା-ଯୁଦ୍ଧ ଫଳରେ ସମାଜରେ ସୃଷ୍ଟି ହୋଇଥିବା କରୁଣ, ଲୋମଟାଙ୍କୁରା ଚିତ୍କାରରେ ପୂର୍ଣ୍ଣ କାହାଣୀମାନ ସେମାନେ ଶୁଣି ସାରିଥିଲେ । ଅପର ପକ୍ଷରେ ବୁଦ୍ଧଙ୍କ ସମୟରେ ରାଜା କପ୍ଫିଣାଙ୍କ ଉତ୍କଳ ଅଧିକୃତ ଫଳରେ ମହାନଦୀର ଉତ୍ତର ପାଖ ତାଙ୍କ ଅଧୀନରେ ରହିଥିଲା । କର୍ମାଜିତଙ୍କ ପୂର୍ବରୁ ପ୍ରାଚୀନ ବିରଜାକ୍ଷେତ୍ର ସହ ସୋମବଂଶୀଙ୍କ ସମ୍ପର୍କ ଚ୍ଛିନ୍ନ ହୋଇ ସାରିଥିଲା । ଓଡ଼୍ର ରାଜାଙ୍କ ପକ୍ଷରେ ଥିବା ତୋଷଳ ଉପତ୍ୟକାର ବୀର ଓଡ଼୍ର ଯୋଦ୍ଧାମାନେ ବୁଦ୍ଧ ନିର୍ବାଣର ଶତ ବାର୍ଷିକୀରେ ଥେରାବାଦ (ଜିନଚକ) ସପକ୍ଷରେ ରହି ଓଡ଼୍ର ରାଜାଙ୍କୁ ସହଯୋଗ କରିବା ନିମନ୍ତେ ଇଛା ପ୍ରକାଶ କରି ନ ଥିଲେ । ଫଳରେ ଓଡ଼୍ରର ଦୁର୍ବଳ, ଶୌର୍ଯ୍ୟଶୂନ୍ୟ ସୋମବଂଶୀ ଶୋଭନଦେବ ଉପାୟଶୂନ୍ୟ ଅବସ୍ଥାରେ ପହଞ୍ଚି, କଳିଙ୍ଗ ଆକ୍ରମଣ ପରେ କଳାଶୋକଙ୍କ ଅମାତ୍ୟ ସମୁଦ୍ର ରାସ୍ତାରେ ପୁରୁଷୋତ୍ତମ ଆସୁଥିବା ସମ୍ୱାଦ ପାଇ ସେମାନଙ୍କର ସମ୍ମୁଖୀନ ନ ହୋଇ ପାରିବା ଅସାମର୍ଥ୍ୟତାର ଭୟ ଓ ଅପାରଗ ପଣିଆର ହୀନ ଭାବନାଗ୍ରସ୍ତ ଶୋବନଦେବ କିଛି ସେବାୟତଙ୍କ ସାହାଯ୍ୟରେ ନୌକା ଦ୍ୱାରା ଭାର୍ଗବୀ ଓ ତାପରେ ମହାନଦୀ ହୋଇ ସୁନୁପୁର ଗୋପାଳି ଅଞ୍ଚଳରେ ପୁରୁଷପୁରର ପୁରୁଷୋତ୍ତମଙ୍କୁ ମଣ୍ଡପ କରି ୪୫ ବର୍ଷ କାଳ ରଖିଥିଲେ । ମହାପ୍ରଭୁଙ୍କୁ ନେଇ ଗଲା ବେଳେ ଭାର୍ଗବୀରେ ସୁନାମୀ ଜନିତ ବନ୍ୟା ଆସି ନ ଥିଲା । ଚିଲିକା ଓ ଦୟା ନଦ୍ଦୀର ସୃଷ୍ଟି ଖ୍ରୀଷ୍ଟପୂର୍ବ ୧୭୭୨ରେ ହୋଇଥିଲା । (pramodpanda.wordpress.comର ଆଲେଖ୍ୟ ଚିଲିକା ହ୍ରଦ ଦେଖନ୍ତୁ)

ବେଦବୀର ଆର୍ଯ୍ୟଙ୍କ ସଂଶୋଧିତ ଐହୋଲ ଲିପି ଅନୁସାରେ ସୋମବଂଶର ଶେଷ ରାଜା ଚନ୍ଦ୍ରକର ଦେବଙ୍କ ୧୩ ବର୍ଷର ଶାସନ (ଖ୍ରୀଷ୍ଟପୂର୍ବ ୧୬୬୪) ମହାଭାରତ ଯୁଦ୍ଧ ଉପରାନ୍ତ କଳିଯୁଗ ରାଜବୃତ୍ତାନ୍ତରେ ବର୍ଣ୍ଣିତ ୧୪୯୮ ବର୍ଷର ସମୟ ଅଟେ ।

ଏହା ମାଦଳପାଞ୍ଜିଙ୍କ ଉପରୋକ୍ତ ଉକ୍ତିକୁ ପ୍ରମାଣିତ କରୁଛି । ନନ୍ଦବଂଶକୁ ବୌଦ୍ଧ ସାହିତ୍ୟ ଡକାୟତ ଦଳର ସର୍ଦ୍ଦାର ବଂଶ ରୂପେ ଅଭିହିତ କରିଛନ୍ତି । ମାଦଳାପାଞ୍ଜିଙ୍କ ପାତିସା ଶବ୍ଦ ଏହି ସନ୍ଦର୍ଭରେ ଉପଯୁକ୍ତ ବିବେଚିତ ହୁଏ । ମାଦଳାପାଞ୍ଜି ଲେଖୁଛନ୍ତି, ସୋମବଂଶ ପରେ ଓଡ଼୍ରରେ ଯବନ ମାନଙ୍କ ରାଜତ୍ୱ ୩୫ ବର୍ଷ ପର୍ଯ୍ୟନ୍ତ ଖ୍ରୀଷ୍ଟପୂର୍ବ ୧୬୨୯ (୧୬୬୪-୩୫) ହୋଇଥିଲା । ସମ୍ଭବତଃ ସେହି ସମୟରେ ମାଦଳାପାଞ୍ଜି ଲେଖିବା ମଧ୍ୟ ବନ୍ଦ ହୋଇ ଯାଇଥିଲା । ତା ପରେ କେଶରୀ ବଂଶର ପାଟରାଜା ଯଜାତି କେଶରୀଙ୍କ ୮୪ ଅଙ୍କର ଶାସନ ପରେ ତାଙ୍କ ପୁତ୍ର ସୂର୍ଯ୍ୟ କେଶରୀଙ୍କ ୨୩ ଅଙ୍କରେ ଦିଲ୍ଲୀ (ମଗଧ)ରେ ଆଠ ବଂଶ ପର୍ଯ୍ୟନ୍ତ ଶାସନ କରିଥିବା ବ୍ରାହ୍ମଣ ବଂଶ ଶାସନ କରିଥିଲେ । ପୁରାଣ ଅନୁସାରେ ନନ୍ଦ ବଂଶଙ୍କ ପରେ ମଗଧରେ ମୌର୍ଯ୍ୟ ବଂଶ ଶାସନ କରିଥିଲେ । ତା ପରେ ଶୁଂଗ ବଂଶ ଶାସନକୁ ଆସିଥିଲେ । ତେଣୁ ରାଜା ଯଜାତିଙ୍କ ସଠିକ ସମୟ ଜାଣିବା ନିମନ୍ତେ ସୁର୍ଯ୍ୟ କେଶରୀଙ୍କ ୨୩ ଅଙ୍କର ସମୟ ନିର୍ଦ୍ଧାରଣ ପୂର୍ବକ ମାଦଳାପାଞ୍ଜିଙ୍କ ସମୟସାରଣୀରେ ଭାରତ ଇତିହାସରୁ ଜାଣିବାକୁ ହେବ ।

ମହାବଂଶ ଉଲ୍ଲେଖ କରିଛନ୍ତି – ବୁଦ୍ଧବର୍ଷ (ଥେରାବାଦ: ବୁଦ୍ଧଙ୍କ ମୃତ୍ୟୁ ଶତବାର୍ଷିକୀ ପାଳନ ଅବସରରେ ତାଙ୍କ ପ୍ରଚଳିତ ଜ୍ଞାନମାର୍ଗକୁ ଥେରାବାଦର ଆଖ୍ୟା ଦିଆ ଯାଇଥିଲା । ଖ୍ରୀଷ୍ଟପୂର୍ବ ୧୭୬୨-୬୧ ମସିହା)ର ୨୧୮ ବର୍ଷ ପରେ ଅଶୋକବର୍ଦ୍ଧନ (ଖ୍ରୀଷ୍ଟପୂର୍ବ ୧୫୪୪-୪୩) ସିଂହାସନ ଆରୋହଣ କରିଛନ୍ତି । ଅର୍ଥାତ୍, ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ୨୪ ବର୍ଷ, ବିନ୍ଦୁସାରଙ୍କ ୨୫ ବର୍ଷ ଏଭଳି ମୋଟ ୪୯ ବର୍ଷ ପରେ ଅଶୋକ ଶାସନ ଭାର ଗ୍ରହଣ କରିଛନ୍ତି । ମୌର୍ଯ୍ୟ ଚନ୍ଦ୍ରଗୁପ୍ତଙ୍କ ଅମାତ୍ୟ ଚାଣକ୍ୟଙ୍କ କୂଟନୀତି ଫଳରେ ମାଦଳାପାଞ୍ଜିଙ୍କ ଅନୁସାରେ ଖ୍ରୀଷ୍ଟପୂର୍ବ ୧୬୬୪ ମସିହାରେ ମଗଧ ଶାସନକୁ ଆସିଥିବା ନନ୍ଦବଂଶ ସମାପ୍ତ ହୋଇଥିବା ଏକ ଐତିହାସିକ ସତ୍ୟ ଅଟେ । ମାଦଳାପାଞ୍ଜିରେ ବର୍ଣ୍ଣିତ ତଥ୍ୟ ଅନୁଯାୟୀ ତାହା ମହା ପଦ୍ମନନ୍ଦ ବନାମ ମହାବଂଶର ଉଗ୍ରସେନଙ୍କ ୫୯ ବର୍ଷ ଓ ତାଙ୍କ ପୁତ୍ର ମାନଙ୍କ ୧୨ ବର୍ଷ, ଏହିଭଳି ନନ୍ଦ ବଂଶର ୭୧ (୧୬୬୪-୧୫୯୩) ବର୍ଷର ଶାସନ ଥିଲା । ଅର୍ଥାତ୍, ମୋର୍ଯ୍ୟ ଚନ୍ଦ୍ରଗୁପ୍ତ ଖ୍ରୀଷ୍ତପୂର୍ବ ୧୫୯୪-୯୩ ମସିହାରେ ଶେଷ ନନ୍ଦ ବଂଶୀଙ୍କ ଠାରୁ ମଗଧ ଅଧିକାର କରିଛନ୍ତି । ଅଶୋକ ବର୍ଦ୍ଧନଙ୍କ ୩୬ ବର୍ଷର ଶାସନ ପରେ ଶେଷ ମୌର୍ଯ୍ୟ ବଂଶର ୧୩୭ ବର୍ଷ ଶାସନ ଶାସନ ଖ୍ରୀଷ୍ଟପୂର୍ବ ୧୪୫୬ରେ ସମାପ୍ତ ହୋଇଥିଲା ।

ପୁଷ୍ୟମିତ୍ର ଶୁଂଙ୍ଗ ଶେଷ ମୌର୍ଯ୍ୟ ରାଜାଙ୍କ ବ୍ରାହ୍ମଣ ମନ୍ତ୍ରୀ ଥିଲେ । ଶେଷ ମୌର୍ଯ୍ୟବଂଶୀଙ୍କୁ ହତ୍ୟା କରି ତାଙ୍କ ଶାସନ ଆରମ୍ଭ ହୋଇଥିଲା ତାହା ସୂର୍ଯ୍ୟ କେଶରୀଙ୍କ ୨୩ ଅଙ୍କର ସମୟ ଥିଲା । ସେହି ସମୟ ଠାରୁ ପଶ୍ଚାଦଦେଶେ ଯଜାତି କେଶରୀଙ୍କ ୮୪ ଅଙ୍କ (ପ୍ରତ୍ୟକ୍ଷ ୮୩ ବର୍ଷର ରାଜତ୍ୱ)ର ଶାସନ ଓ ସୂର୍ଯ୍ୟ କେଶରୀଙ୍କ ୨୩ ଅଙ୍କ (ପ୍ରତ୍ୟକ୍ଷ ୨୨ ବର୍ଷର ରାଜତ୍ୱ) ଗଣନା କଲେ, ଯଜାତି କେଶରୀଙ୍କ ଶାସନ ଆରମ୍ଭ ସମୟ ଖ୍ରୀଷ୍ଟପୂର୍ବ ୧୫୬୧ ମସିହା ଅଟେ । ସ୍ୱର୍ଗତ ଆର୍ତ୍ତ ବଲ୍ଲଭ ମହାନ୍ତିଙ୍କ ଦ୍ୱାରା ସଙ୍କଳିତ ମାଦଳାପାଞ୍ଜିରେ ଯଯାତିଙ୍କ ଶାସନରୁ ଏହାକୁ ଶକାବ୍ଦରେ ଲିପିବଦ୍ଧ କରା ଯାଇଛି । ସ୍ୱର୍ଗତ ମହାନ୍ତି ତିନୋଟି ପାଞ୍ଜିର ତଥ୍ୟକୁ ସଙ୍କଳିତ କରିଥିଲେ । ପ୍ରଥମ ତଡ଼ାଉ କରଣଙ୍କ ଓ ଦ୍ୱିତୀୟ ଦେଉଳ କରଣଙ୍କ ପାଞ୍ଜି ଥିଲା । ସେଥିରେ ସମ୍ୱତ୍ସରର ସମୟ କିଛି ଲେଖା ଯାଇନାହିଁ ନ ଥିଲା । ତୃତୀୟ ପାଞ୍ଜି ରାଜବାଟିରୁ ସଂଗୃହୀତ ହୋଇଥିଲା, ଯେଉଁଥିରେ ଶକାବ୍ଦ ସମ୍ୱତ୍ସର ଲେଖା ଯାଇଥିଲା । ଏହି ଶକାବ୍ଦ ସମ୍ୱତ୍ସର ମାଦଳାପାଞ୍ଜିଙ୍କ ସତ୍ୟତାରେ ପ୍ରଶ୍ନଚିହ୍ନ ସୃଷ୍ଟି କରିଥିଲା ।

ଶୋବନ ଦେବଙ୍କ ୨ୟ ଅଙ୍କରେ ମହାପ୍ରଭୁଙ୍କୁ ସେବାୟତମାନେ ରକ୍ତବାହୁର ଭୟରେ ଗୋପାଳି ନେଇ ପଳାୟନ ସମୟରେ ତାଙ୍କ ସହ ଥିବା ପ୍ରତିମା ନିମ୍ୱ କାଷ୍ଠରେ ନିର୍ମିତ ହୋଇଥିଲା । ୧୭୬ ବର୍ଷ କାଳ ପର୍ବତ ଖୋଲରେ ବିନା ପୂଜା, ଅର୍ଚ୍ଚନା ଓ ନବକଳେବର ପଦ୍ଧତ୍ତିରେ ରହିଲା ପରେ କାଷ୍ଠର ଆକୃତି ଓ ରଙ୍ଗରେ କ୍ଷୟ ଆସି ଯାଇଥିଲା । ସେଥିପାଇଁ ମାଦଳାପାଞ୍ଜି ଲେଖିଲେ – ଦେଅମାନଙ୍କୁ ଲୁଗା ଗୁଡ଼ିଆଇ ମୁଣାରେ ପୂରେଇ ମୁଦାଇଲେ ।

ଏଥିରୁ ଏହା ପ୍ରମାଣିତ ହୁଏ ଯେ ମହାପ୍ରଭୁଙ୍କ ବିଗ୍ରହ ପୂର୍ବରୁ ସୋମବଂଶୀ ଚକ୍ରବର୍ତ୍ତୀ ଭୋଜଦେବ (ଖ୍ରୀଷ୍ଟପୂର୍ବ ୨୩୪୮ – ୨୨୨୧) କାଷ୍ଠରେ ନିର୍ମିତ ହୋଇଥିଲା । ତାଙ୍କ ସମୟରେ ମାଦଳାପାଞ୍ଜି ଲେଖିବା ବାକ୍ୟ ଗଛ କଟାଇ ନଈରେ ନାବ ଭିଆଇଲେ – ପୁରୁଷୋତ୍ତମ ଶ୍ରୀକ୍ଷେତ୍ରକୁ ଛୋଟ ବଡ଼ ଆଦି ବିଭିନ୍ନ ସୁନାବ୍ୟା ନଦୀ ମାନଙ୍କ ଦ୍ୱାରା ଭକ୍ତମାନଙ୍କ ପହଞ୍ଚିବା ନିମନ୍ତେ ଗମନାଗମନର ବିଶେଷ ସୁବିଧା ପ୍ରକାରେ ବଡ଼ ବଡ଼ ବୃକ୍ଷ କାଟି ତା’ର କାଷ୍ଠରେ ନିର୍ମିତ ଡଙ୍ଗା ମାନଙ୍କର ପ୍ରଚଳନ କରିବା ବିଷୟରେ ସୂଚିତ କରେ । ଏହା ମଧ୍ୟ ତତ୍କାଳୀନ ସୋମବଂଶୀ ଭୋଜଦେବ ବିରଜାକ୍ଷେତ୍ରରୁ ରାଜଧାନୀ ଉଠେଇ ଆଣି ପୁରୁଷୋତ୍ତମ ଶ୍ରୀକ୍ଷେତ୍ରର ମହତ୍ତ୍ୱ ବୃଦ୍ଧି କରିବା ମସୁଧାରେ ଥିବା ଦର୍ଶାଏ । କାଷ୍ଠ ଶିଳ୍ପର ପ୍ରସାର ପ୍ରକ୍ରିୟାରେ ପୁରୁଷୋତ୍ତମ ମହାପ୍ରଭୁଙ୍କ କାଷ୍ଠ ପ୍ରତିମା କେତୁଭଦ୍ରଙ୍କ ନିର୍ମାଣ ସେ କରାଇ ଥିଲେ । ଯଜାତି କେଶରୀଙ୍କ ସମୟରେ ଲିପିବଦ୍ଧ ହୋଇଥିବା ରତନପୁର ଓ ବିରିବନ୍ଧରୁ ମହାପ୍ରଭୁଙ୍କ ନିମ୍ୱକାଷ୍ଠର ପ୍ରତିମା ନିର୍ମାଣ ଓ ପ୍ରତିଷ୍ଠା ବିଶେଷଜ୍ଞ ମାନେ (ଦଇତା ଓ ପତିମାନେ) ସେହି ସମୟରେ ଶ୍ରୀକ୍ଷେତ୍ର ଆସି ପହଞ୍ଚି ଥିବା ବିଷୟ ସୂଚିତ କରେ ।

ହାତୀଗୁମ୍ଫାରେ ଖୋଦିତ ଶିଳାଲିପି ଅନୁସାରେକଳିଙ୍ଗ ସମ୍ରାଟ ଖାରବେଳ (ଖ୍ରୀର୍ଷ୍ଟପୂର୍ବ ୧୦୩୧)ଙ୍କ ହାତୀଗୁମ୍ଫା ଶିଳାଲେଖର ୧୧ତମ ଧାଡ଼ି – କଳିଙ୍ଗ ସମ୍ରାଟ ମହାମେଘବାହନ ଐର ଖାରବେଳ ତାଙ୍କ ରାଜତ୍ୱର ୧୧ତମ ରାଜତ୍ୱ ବର୍ଷରେ ୧୩୦୦ ବର୍ଷ ପୂର୍ବେ କଳିଙ୍ଗୀୟ ରାଜାଙ୍କ ଦ୍ୱାରା ନିମ୍ୱ କାଷ୍ଠରେ ନିର୍ମିତ କେତୁଭଦ୍ରଙ୍କ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ – ମାଦଳାପାଞ୍ଜିଙ୍କ ଉକ୍ତିର ପୁଷ୍ଟି କରୁଛି । ଏହା ଯେ ଖାରବେଳଙ୍କ ପୂର୍ବର ଗ୍ରନ୍ଥ, ତାହା ମଧ୍ୟ ପ୍ରମାଣିତ କରୁଛି ।

କେତୁଭଦ୍ର ପୁରୁଷୋତ୍ତମ ଶ୍ରୀ ଜଗନ୍ନାଥଙ୍କ ଅନ୍ୟ ଏକ ନାମ ଅଟେ ।

ମାଦଳାପାଞ୍ଜିରେ ଶୋବନ ଦେବଙ୍କ ରାଜତ୍ୱରେ ପ୍ରଥମ ଥର ପାଇଁ ଅଙ୍କ ଗଣନା ଲେଖା ଯାଇଛି । ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଜୟନ୍ତୀ ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ତିଥି ଅଟେ । ସେହି ତିଥିରେ ପ୍ରଥମ ଥର ନିମନ୍ତେ ରାଜା ଯଜାତି ଅଙ୍କ ଗଣନା ପଦ୍ଧତ୍ତିର ପ୍ରଚଳନ ଆରମ୍ଭ କରିଥିଲେ । ଯଜାତି କେଶରୀ ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଜୟନ୍ତୀ ତିଥିରେ ରାଜ୍ୟାଭିଷେକ ହୋଇଥିଲେ । ସେ ସମୟ ଠାରୁ ତାଙ୍କ ଅଙ୍କ (ପ୍ରତ୍ୟକ୍ଷ ରାଜତ୍ୱ ବର୍ଷ) ଆରମ୍ଭ ଗଣନାରେ ୧ ଠାରୁ ୯ ମଧ୍ୟରେ ଥିବା ୦ ଓ ୬ ସଂଖ୍ୟାର ଗୁରୁତ୍ୱ ଅଧିକ ଥିଲା । ୦ (ଶୂନ୍ୟ) ନିର୍ଗୁଣ ବ୍ରହ୍ମଙ୍କୁ ପ୍ରତିନିଧିତ୍ୱ ଓ ୬ (ଷଷ୍ଠ) ଇନ୍ଦ୍ରିୟ ତଥା ମନ ଠାରୁ ଉର୍ଦ୍ଧ୍ୱେ ଜ୍ଞାନମାର୍ଗରେ ସଗୁଣରୁ ନିର୍ଗୁଣ ବ୍ରହ୍ମଙ୍କ ଦିଗରେ ଗତିଶୀଳ ଶକ୍ତିଙ୍କ ପ୍ରତିନିଧି କରେ, ଯାହାଙ୍କୁ ଦୁର୍ଗା ସପ୍ତଶତୀ, ଦୁର୍ଗାଙ୍କ ନବ ଦିବସୀୟ ଉପାସନାର ଷଷ୍ଠ ଦିବସରେ ଦେବୀ କାତ୍ୟାୟାନୀ (ଯଜୁର୍ବେଦ ରଚୟିତା ଯାଜ୍ଞବଳ୍କଙ୍କ ସ୍ତ୍ରୀ)ଙ୍କ ରୂପେ ଉପସ୍ଥାପନା କରିଥିଲେ । ତେଣୁ ରାଜତ୍ୱ ବର୍ଷର ଷଷ୍ଠ ତଥା ଡାହାଣ ପାଖେ ଥିଵା ୦ ଓ ୬ ସଂଯୋଗିତ ସଂଖ୍ୟାକୁ ପରୋକ୍ଷ ରାଜତ୍ୱ ବର୍ଷ ରୂପେ ଗଣନା କରିବା ଆରମ୍ଭ କରା ଯାଇଥିଲା । ୧୦ ବର୍ଷ ତାର ବ୍ୟତିକ୍ରମ ଥିଲା । ଏହି ଅଙ୍କ ସଗୁଣ (୧)ଙ୍କ ସହ ଓ ନିର୍ଗୁଣ (୦) ବ୍ରହ୍ମଙ୍କ ମିଶ୍ରଣ ଥିଲା । ସମ୍ପୂର୍ଣ୍ଣ ସନାତନୀ ବିଚାର ପର୍ଯ୍ୟାୟଭୁକ୍ତ ଏହି ତତ୍ତ୍ୱ ସୂଚିତ କରୁଛି ଯେ ଯଜାତି କେଶରୀ ବ୍ରହ୍ମଜ୍ଞାନୀ ଥିଲେ । ଶୋବନ ଦେବଙ୍କ ୨ ଅଙ୍କରେ ମହାପ୍ରଭୁଙ୍କୁ ନେଇ ସେବାୟତ ମାନଙ୍କ ପଳାୟନର ସମୟ ନିର୍ଦ୍ଧାରଣ ଯଜାତିଙ୍କ ସମୟରେ ହୋଇଥିଲା । ଯଜାତିଙ୍କ ଅଙ୍କ ଓ ରାଜତ୍ୱ ବର୍ଷ ସୂଚିତ କରେ ଯେ ସେ ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ତିଥିରେ ସିଂହାସନ ଆରୋହଣ ପରମ୍ପରା ଅନୁସାରେ ଓଡ଼୍ର ବା ଉତ୍କଳର ରାଜାଙ୍କ ଅଭିଷିକ୍ତ ହେବା ପର ପ୍ରଥମ ଭାଦ୍ରବ ଶୁକ୍ଳ ଦ୍ୱାଦଶୀରେ ରାଜାଙ୍କ ୨ୟ ଅଙ୍କ ହୁଏ । ଏହାଦ୍ୱାରା ଶୋବନ ଦେବ ପରବର୍ତ୍ତୀ ଭାଦ୍ରବ ଶୁକ୍ଳ ଦ୍ୱାଦଶୀ (୩ୟ ଅଙ୍କ) ପୂର୍ବରୁ ପଳାୟନ କରିଥିବା ବିଷୟ ସୂଚିତ ହୁଏ । ତେଣୁ ତାହା ତାଙ୍କ ପ୍ରଥମ ରାଜତ୍ୱ ବର୍ଷ ଅଟେ ।

ମାଦଳାପାଞ୍ଜିରେ ଉଲ୍ଲେଖିତ ୪୫ ବର୍ଷ କାଳ ମହାପ୍ରଭୁଙ୍କ ମଣ୍ଡପ-ପୂଜା ପାତାଳିରେ ଗଣା ଯିବ ନାହିଁ । ପାତାଳି ସ୍ୱାଭାବିକ ରୂପେ ଲୋକଲୋଚନରୁ ଉହାଡ଼ରେ ଭୂମିଗତ, ଲୁଚି ରହିବା ଅଥବା ଲୁଚେଇ ରଖିବା ପ୍ରକ୍ରିୟା ଅଟେ । ଖ୍ରୀଷ୍ଟପୂର୍ବ ୧୭୭୩ରେ ରାଜା ଶୋବନ ଦେବଙ୍କ ରାଜ୍ୟାଭିଷେକ ହେଲା । ସେ ଖ୍ରୀଷ୍ଟପୂର୍ବ ୧୭୭୨ରେ ମହାପ୍ରଭୁଙ୍କୁ ଗୋପାଳି ମଣ୍ଡପରେ ୪୫ ବର୍ଷ ପୂଜା କଲେ । ତାପରେ ୧୭୨୭ରେ ହର୍ଯ୍ୟଙ୍କ ବଂଶୀ କଳାଶୋକଙ୍କ ପୁତ୍ରମାନଙ୍କ ଭୟରେ ତାଙ୍କୁ ବର୍ତ୍ତମାନର କୋଟସମଲାଈ (ସୁବର୍ଣ୍ଣପୁର ଜିଲ୍ଲା, ଓଡ଼ିଶା) ତ୍ରିକୂଟ ପାହାଡ଼ ଭିତରେ ଲୁଚାଇ ରଖିଥିଲେ । ତା ପରେ ମଧ୍ୟ କୁଶାଣ କନିଷ୍କଙ୍କ ଭୟ ଥିଲା । ମହାପଦ୍ମନନ୍ଦ ଖ୍ରୀଷ୍ଟପୂର୍ବ ୧୬୬୪ରେ ମଗଧ ସିଂହାସନ ଆରୋହଣ କରିବା ସମୟରେ ସୋମବଂଶୀ ଚନ୍ଦ୍ରକର ଦେବଙ୍କ ପରିବାର ବିରଜା କ୍ଷେତ୍ରରେ ଗୋପନ ଜୀବନ ଯାପନ କରୁଥିଲେ ।

ଯଜାତି କେଶରୀଙ୍କ ୧୩ ଅଙ୍କରେ ଅର୍ଥାତ ଖ୍ରୀଷ୍ଟପୂର୍ବ ୧୫୪୮ରେ ପୁରୁଷୋତ୍ତମର ପୁରୁଷମଣ୍ଡପ ଠାରେ ବିଗ୍ରହ ମାନଙ୍କୁ ନବକଳେବର ପୂର୍ବକ ସ୍ଥାପନା କଲେ । ତେଣୁ ଶୋବନ ଦେବଙ୍କ ସମୟରେ ମହାପ୍ରଭୁଙ୍କ ପାତାଳି ୫୦ ବର୍ଷ ଅଟେ । ଉପରୋକ୍ତ ସମସ୍ତ ତଥ୍ୟ ଅନୁଯାୟୀ ମହାପ୍ରଭୁଙ୍କ ପ୍ରଥମ ଲିପିବଦ୍ଧ ପାତାଳି ସମୟ ୧୪୪ର ବର୍ଷ ବିନ୍ୟାସ ୯୬+୧୩+୩୫ କୌଣସିମତେ ହୋଇ ପାରିବ ନାହିଁ; ଏହା ଏକ ଆନୁମାନିକ ବର୍ଷ-ବିନ୍ୟାସ ଅଟେ । ବରଂ ସଠିକ ବିନ୍ୟାସ ଶୋବନ ଦେବଙ୍କ ବଳକା ୫୦ ବର୍ଷ + ଚନ୍ଦ୍ରଦେବଙ୍କ ୧୩ ବର୍ଷ + ନନ୍ଦବଂଶର ୭୧ ବର୍ଷ + ରାଜା ଯଜାତିଙ୍କ ୧୧ ଅଙ୍କ ବା ୧୦ ବର୍ଷ – ହେବ, ଯେଉଁଥିରେ ମୌର୍ଯ୍ୟବଂଶୀଙ୍କ ୩୨ ବର୍ଷ ଶାସନ ଉଲ୍ଲେଖ କରା ଯାଇ ନାହିଁ । ସମ୍ଭବତଃ ପରବର୍ତ୍ତୀ କାଳରେ ମୌର୍ଯ୍ୟବଂଶ, ଓ ହର୍ଯ୍ୟଙ୍କ ବଂଶୀ ଅଶୋକଙ୍କ ସମ୍ୱନ୍ଧରେ ସଠିକ ତଥ୍ୟର ଅଭାବରେ ସେମାନେ ମୋର୍ଯ୍ୟ ବଂଶ (ଚନ୍ଦ୍ରଗୁପ୍ତଙ୍କ ଠାରୁ ଯଜାତି କେଶରୀଙ୍କ ଶାସନ ଆରମ୍ଭ ଯାଏଁ, ୧୫୯୩ – ୧୫୬୧) = ୩୨ ବର୍ଷ ସେଥିରେ ଉଲ୍ଲେଖ କରି ନ ଥିଲେ । ମହାପ୍ରଭୁଙ୍କ ବାସ୍ତବିକ ପାତାଳିର ସମୟ ମୋଟ ୧୭୬ ବର୍ଷ (୫୦+୧୩+୭୧+୩୨+୧୦) ଅଟେ ।

୨୨୧ ବର୍ଷ ପୁରୁଷୋତ୍ତମ କ୍ଷେତ୍ରରୁ ଅନୁପସ୍ଥିତି, ୧୭୬ ବର୍ଷର ପାତାଳିର ସମୟକୁ ୧୪୪ ବର୍ଷ ରୂପେ ମାନି ନେବା ମହାପ୍ରଭୁଙ୍କ ଲୀଳା ଥିଲା, ଯାହା ନବଧା ଭକ୍ତି ଦିଗେ ନିର୍ଦ୍ଦେଶିତ ଥିଲା, ଯାହାକୁ ଅଙ୍ଗିରସ ଗୋତ୍ର ଇନ୍ଦ୍ରବଳ ବାଲ୍ୟକାଳରୁ ଆପଣେଇ ଥିଲେ । ମାତା ବିରଜାଙ୍କ ଉପାସନା ଦ୍ୱିଭୁଜା ଦୁର୍ଗା ରୁପେ ଆରମ୍ଭ ହୋଇଥିଲା । ଦେଶର ଶାସକଙ୍କ ବ୍ୟକ୍ତିଗତ ଈଶ୍ୱର ବିଶ୍ୱାସ ଚତୁର୍ଦ୍ଦିଗରେ ସ୍ୱୟଂମେବ ଦୈବୀ ସୁରକ୍ଷାର ବଳୟ ସୃଷ୍ଟି କରିଥାଏ । ତାହା ସହସ୍ରାଧିକ ସୈନିକଙ୍କ ସହ ହାତୀଘୋଡ଼ା ଓ ଆୟୁଧ ଐଶ୍ୱରୀୟ ସୁରକ୍ଷା-ବଳୟ ମଧ୍ୟରେ ସନ୍ଥ ମାନଙ୍କ ପାଳନ କରିଥାଏ । ଯଜାତି କେଶରୀଙ୍କ କ୍ଷେତ୍ରରେ ବି ତାହା ହୋଇଥିଲା । ଯାହା ଫଳରେ ତତ୍କାଳୀନ ବଳଶାଳୀ ମଗଧର ମୌର୍ଯ୍ୟବଂଶ (ଖ୍ରୀଷ୍ଟପୂର୍ବ ୧୫୯୩-୧୪୫୯)ଙ୍କ ତରଫରୁ କୌଣସି ଆକ୍ରମଣ ହୋଇ ପାରି ନ ଥିଲା ।

ମାଦଳାପାଞ୍ଜିରେ ଲଲାଟ କେଶରୀ (ଖ୍ରୀ.ପୂ ୧୪୧୮-୧୩୭୦)ଙ୍କ ଦ୍ୱାରା ଭୁବନେଶ୍ୱର ଦେଉଳରେ ଶ୍ରୀସଂସ୍କୃତି ପଦ୍ଧତ୍ତିରେ ଶକ୍ତି ସ୍ଥାପନାର ବିବରଣ ମିଳେ – “ଏ ଦେଉଳ ଆଗ ବିଲରେ ଶକ୍ତି ଥିଲେ । ମହାପ୍ରଭୁଙ୍କ ଆଜ୍ଞା ହୋଇଲା । ଏ ଶକ୍ତି ଛାମୁ ଦ୍ୱାରେ ନ ଗଲା । ଆପଣା ଇଛାରେ ରାତ୍ରିଲାଗି ହୋଇଲେ । ଆରଦିନ ରାଜା ଦେଖି ବଡ଼ ଆନନ୍ଦ ହୋଇଲେ ।” ଅର୍ଥ – ବିଶାଳକାୟ ଶକ୍ତି ରୂପିଣୀ ଯୋନିପୀଠ ମୁଖ୍ୟଦ୍ୱାର ରାସ୍ତାରେ ଉଠେଇ ନେଇ ପାରି ନ ଥିଲେ । ଅନ୍ଧାର ରାତ୍ରିକାଳେ ମହାପ୍ରଭୁଙ୍କ ଆଜ୍ଞାରେ ସ୍ୱୟଂମେବ ଗର୍ଭଗୃହ ଭିତରେ ଯାଇ ପହଞ୍ଚିଥିଲେ । ତତ୍ପରଦିନ ରାଜା ତାହା ଦର୍ଶନ କରି ଆନନ୍ଦିତ ହୋଇଥିଲେ । ସଂପ୍ରତି ଭୁବନେଶ୍ୱର ଠାରେ ଲିଙ୍ଗରାଜ ମନ୍ଦିର ସନ୍ନିକଟ ଶୁକଶାରୀ ମନ୍ଦିର ବୋଲାଉଥିବା ମନ୍ଦିରର ଭଗ୍ନାବଶେଷର ମାଟିସ୍ତୁପ ତଳୁ ମିଳିଥିବା ବିଶାଳକାୟ ଶକ୍ତି ରୂପିଣୀ ଯୋନିପୀଠ ମାଦଳାପାଞ୍ଜିଙ୍କ ଏହି ବାକ୍ୟର ସାକ୍ଷୀ ଅଟନ୍ତି । ଯଜାତି କେଶରୀଙ୍କ ଦ୍ୱାରା ଶ୍ରୀମନ୍ଦିର ପ୍ରତିଷ୍ଠା ଦିନ ଶୁଭ ପ୍ରଦାନ କରାଯାଇଥିବା ଓ ତାଙ୍କ ପ୍ରପୌତ୍ର ଲଲାଟ କେଶରୀଙ୍କ ଦ୍ୱାରା ତାଙ୍କ ୨୭ ଅଙ୍କ (ଖ୍ରୀଷ୍ଟପୂର୍ବ ୧୩୮୭-୧୩୮୬)ରେ ପ୍ରତିଷ୍ଠା କରା ଯାଇଥିବା ଭବନେଶ୍ୱର ଦେଉଳ ଶ୍ରୀସଂସ୍କୃତିର ପ୍ରତୀକ ଅଟେ ।

(ଲିଙ୍ଗରାଜ ମନ୍ଦିର ଉଦ୍ୟୋତ କେଶରୀଙ୍କ ପୁତ୍ର ଲଲାଟେନ୍ଦୁ କେଶରୀଙ୍କ ଦ୍ୱାରା ଖ୍ରୀଷ୍ଟପୂର୍ବ ୫ରେ ପ୍ରତିଷ୍ଠା ହୋଇଥିଲା ।)

ପରବର୍ତ୍ତୀ ସମୟରେ ଏହାର ଅନ୍ୟ ଏକ ବଳିଷ୍ଠ ଉଦାହରଣ ଗଜପତି ପୁରୁଷୋତ୍ତମ ଦେବଙ୍କ କାଞ୍ଚି ଅଭିଯାନରେ ଅଦୃଶ୍ୟ ରୂପେ କଳାଘୋଡ଼ା ଓ ଧଳାଘୋଡ଼ାରେ ଯାଇଥିବା ମହାପ୍ରଭୁଙ୍କ ଉପାଖ୍ୟାନ ଅଟେ । ଯାହାର ସ୍ମୃତି ଶ୍ରୀମନ୍ଦିରର ଜଗମୋହନ କୋଠା ଭିତର ଚିତ୍ରପଟ୍ଟକରେ ମିଳେ ।

ତତ୍ତ୍ୱଜ୍ଞାନୀମାନଙ୍କ ଦ୍ୱାରା ଏହି ତତ୍ତ୍ୱର ତଥା ଓଡ଼୍ର ଇତିହାସରୁ ମେଧାସ ମହର୍ଷିଙ୍କ ତଥ୍ୟର ଅଧିକରୁ ଅଧିକ ଅନାବରଣର ଆବଶ୍ୟକତା ରହିଛି ।

(ପୁସ୍ତକ ପ୍ରେରଣା – ମାଦଳାପାଞ୍ଜି, ଓଡ଼୍ର ଦେଶ ରାଜବଂଶାବଳୀ, ମହାବଂଶ, ଧମ୍ମପଦ, ଭାଗବତ ପୁରାଣ, ଦୁର୍ଗା ସପ୍ତଶତୀ, ରାଜତରଙ୍ଗିଣୀ, ନୀଳମତ ପୁରାଣ, ସ୍କନ୍ଦ ପୁରାଣ, ଏକାମ୍ର ପୁରାଣ, ଓଡ଼୍ରଦେଶର ଇତିହାସ, The Real Birth Place of Buddha, A History of Buddhism in India, The Chronology of India)

– ପ୍ରମୋଦ କୁମାର ପଣ୍ଡା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...