ତୁ ବି କବିତା

Odia Poem Tu Bi Kabita (ତୁ ବି କବିତା) by Prafull Kumar Sahoo

ମୋ କବିତାକୁ ଦେଖି ଦେଖି,
ଶୁଣି ଶୁଣି
ମୋ ବାଇ
କବିତା ପାଇଁ ବାଇ ।

କହୁଛି
“ମତେ ଟିକେ ତମ
କବିତାରେ ରଖୁନ, ବାବୁ
କବିତାମାନେ ତ
ପରି/ପରିକା
ଜହ୍ନ ପରି
ଗବ ଗବ ଫୁଟୁଥିବା
ଭାତ ହାଣ୍ଡି ପରିକା…
ଏମିତି କେତେ କିସମ କିସମ
ମୁଁ କାହା ପରିକା?

ଅଳନ୍ଧୁରୁ ମୁଁ ସାଉଁଟୁଛି
ମେଞ୍ଚା ମେଞ୍ଚା ଧଳା ବାଳ
ଗୁମୁରୁ ଥାଏ ତହିଁ
ବୁଢ଼ୀ ମା’ଟିଏ,
ପୁଣି ବୁଢ଼ିଆଣି ଜାଲରେ ଖେଳେ
ବୁଢ଼ୀ ଅସୁରୁଣୀ
ଟିକିଏ ବେପରୁଆ ହେଲେ
ବାନ୍ଧି ଦବ ଆଖିରେ ପଟି
ଧରି ନବ ମୁଣ୍ଡ ଚୁଟି;
ମୁଁ ଧରିଛି ସିନା କୋତରା କନାରେ
ଲାଗିଛି ତହିଁ
ନିମ୍ବ ଫେଣ
ମୁଁ ସୁତୁରୀ ମ
ହାତ ମୋର ସ୍ୱଚ୍ଛ ଭାରତ ।

ସବୁ ଦିନ ମୁଁ ଦେଖେ
ସବୁ ଏଠି ଏକାକାର
ଛୋଟ ବଡ଼ ବାସନଙ୍କ
ବ୍ୟଞ୍ଜନ ପୀରତି
ମେଳ ହେଇ ପାପୁଲି ଚାଟୁଥା’ନ୍ତି
ସକାଳୁ ସଞ୍ଜଯାଏ,
ମୋ ହାତକୁ ଚାହିଁ ରହିଥାନ୍ତି
ଫୁଲ ଦାନୀ, ଫୁଲ କୁଣ୍ଡ
ପାଣି ମୁନ୍ଦେ ପାଇଁ…

ତମ ଘରେ ପଶିଗଲେ
ଲାଗେ ମୁଁ ଉଆସ ଭିତରେ
ତାକୁ ମାଜି ପୋଛି ଚମକାଇ ଦିଏ
ସେ ଚମକ ସାମ୍ନାରେ
ହଜିଯାଏ ହାୟ
ମୋ କୁଆଁରୀ ମନ…

ସବୁଠାରୁ କଷ୍ଟ ଲାଗେ
ଯେତେବେଳେ ମତେ ପରସି ଦିଅ
ଭାତ ଡାଲି
ଠୁଙ୍କାମାରି ବସିଥାଏ ମୁଁ
ଡାଇନିଂ ଟେବୁଲ ପାଖ
ଚଟାଣ ଉପରେ ।

ଦର୍ପଣରେ ଦେଖାଯାଏ
ପୁରୁଣା କୁର୍ତ୍ତି ଆଉ ଓଢ଼ଣୀ ନାଇ
ମୁଁ ଯେମିତି
କବିତାଟିଏ ।
ମୋ ଲୁହରେ କ’ଣ
ଖେଳି ପାରିବ ତମ ଶବ୍ଦର
ଗଦ ଗଦ ଆଖି?
କୁହ କବି, କୁହ !”

କଣ୍ଠରୁଦ୍ଧ ହେଇଯାଏ ମୋର
ଡାକି ପାରେନି
କହି ପାରେନି
ତୁ ବି କବିତା
ନୁହଁ କବିତା ପରିକା,
ତୁ ପରୀ ପରିକା କହିଲେ
କିଏ ମାନିବ
ପୃଥିବୀ ଓଲଟି ପଡ଼ିବ ସିନା !
ଝିଅ
ତୋ’ର ଡେଣା ନାହିଁ ସିନା
ଉଡ଼ିବାରେ ବାଧା କାହିଁ?

ପକ୍ଷୀ ତ ଉଡ଼ି ପାରେ
କେଇ କୋଶ ଉଚ୍ଚ
ତୁ ଉଡ଼ି ପାରିବୁ ଜହ୍ନ ମଙ୍ଗଳ
ଅନ୍ତରୀକ୍ଷ ଯାଏଁ
ଡେଣା ନ ଥାଇ ବି ତୁ ଉଡ଼ି ପାରିବୁ !

ତୁ ଉଡ଼ିପାରୁ
ଉଡ଼େଇ ପାରୁ
ତୁ ଏକ ବିସ୍ମୟ ପକ୍ଷୀ
ଜୀବନ ପରି ପରିବ୍ୟାପ୍ତ, ଅସୀମ
ସାକ୍ଷାତ୍ କଳ୍ପନା (ଚାୱଲା)
ସୁନ୍ଦର ହଳଦୀ ବସନ୍ତ
ସୁରିଲା କୋଇଲି
ସକାଳର ଦୂତ ଡାମରା କାଉ
ଦୂର ଗଗନର ଅଦୃଶ୍ୟ ଗରୁଡ଼
କ୍ଷିପ୍ର
ଜେଟ୍ ବିମାନ
ମହାକାଶ ଯାନ
ମୁଣ୍ଡରେ ତୋ’ ଆକାଶ ଛତା

ଉଡ଼, ଉଡ଼, ଉଡ଼
ବିନା ଡେଣାରେ ଯେ ଉଡ଼ିପାରେ
ସେ ମଣିଷ,
ପଞ୍ଜୁରୀର ଜାଲି ଭାଙ୍ଗି ଯେ ଉଡ଼ିପାରେ,
ବିନା ଡେଣାରେ ଉଡ଼ି ଉଡ଼ି
ଗୀତ ଗାଇ ପାରେ
ସେ ଝିଅ ।

– ପ୍ରଫୁଲ୍ଲ କୁମାର ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...