ଶ୍ଵେତ ବରଫ ଚାଦର ଉପରେ ଅନସାରୀ ସହ ବସି କଫିର ମଜା ନେଉଥିଲୁ ଦୁଇ କମ୍ପାନୀ ବନ୍ଧୁ । ସାଥିରେ ଟ୍ରେନିଙ୍ଗ ଆଉ ବହୁ ଦିନ ପରେ ଏବେ ଦୁଇ ଜଣ ସାଥୀରେ ପୋଷ୍ଟିଂ । ୯ ବର୍ଷର ଅନୁଭୂତି ଆଦାନ ପ୍ରଦାନ ଚାଲୁଥିବା ବେଳେ କଫି ମଗ୍ କେତେବେଳେ ଥଣ୍ଡା ପାଣି ହୋଇଗଲାଣି ଜଣା ପଡ଼ିନଥିଲା । ନ ମାସ ହେଲା ଇଣ୍ଟରନେଟ୍ ନାହିଁ ଆଉ ଟେଲିଫୋନ ବୁଥର ଲମ୍ବା ଲାଇନରେ ଛିଡ଼ା ହୋଇ ଘରସହ ଦି’ପଦ କଥା ହେବାପାଇଁ ମନରେ ଦ୍ଵନ୍ଦ ସୃଷ୍ଟି ହେଉଥିଲା । ବ୍ରେଡ୍ ଜାମ୍, ଭାତ, ଡାଲି, ରୁଟି ଥିଲା ଖାଇବା । ଘୋଡ଼ା ତଳୁ ୧୫ ଦିନରେ ଥରେ ଯାହା ଆଣି ଦିଏ ସେଇ ଖାଇବା ଚାଲିଥାଏ । ବରଫ ବନ୍ଧୁକ ତମ୍ବୁ ଆଉ ବର୍ଦିକୁ ଆପଣେଇ ନେଇଥିବା ମଣିଷ ନିଜ ପରିବାରଠାରୁ ବହୁତ ଦୂରକୁ ଚାଲିଗଲା ଭଳି ଲାଗୁଥିଲା ।
୭ ମାସ ପୂର୍ବରୁ ଛୁଟି ଯାଇଥିଲି । ବନ୍ଧୁ ବାନ୍ଧବଙ୍କ ବହୁତ ଅଭିଯୋଗ ଚାକିରି କଲା ପରେ ସମସ୍ତଙ୍କୁ ଭୁଲିଗଲି । ୨୪ ଦିନରୁ ୧୪ ଦିନ ସବୁ କୁଣିଆ ଘରେ ବୁଲିବାରେ ଚାଲିଗଲା ଆଉ ବାକି ଦିନ ସାଙ୍ଗ ସାଥୀ ଛୁଟିରୁ ଆଣିଥିବା ମିଲିଟାରି ମଦରେ ଏତେ ବ୍ୟସ୍ତ ରହିଗଲି ଯେ ନିଜ ମା’ ଆଉ ଭଉଣୀସହ ମନ ଖୋଲି କଥା ହୋଇ ପାରିଲି ନାହିଁ ।
ଲୋନରେ ହୋଇଥିବା କୋଠା ଦୁଇ ବଖରା ଆଉ ମାସକୁ ଭଉଣୀକୁ କେଇ ଟଙ୍କା ଦେଇ କର୍ତ୍ତବ୍ୟ ସରିଗଲା ବୋଲି ଭାବେ କିନ୍ତୁ ଏବେ ଏକାନ୍ତ ସମୟରେ ସେମାନେ ବହୁତ ମନେ ପଡ଼ନ୍ତି । ଛୁଟିରେ ଥିଲାବେଳେ ହଠାତ୍ ଭଉଣୀ ଦୋକାନରେ ଗୋଟେ ନୀଳ ଶାଢ଼ୀ କିଣିବ ବୋଲି କହିଲା । ଶାଢ଼ୀଟା ମୋର ପସନ୍ଦ ନଥିଲା ତଥାପି ତା’ର ବାଧ୍ୟ ବାଧକତାରେ କିଣି ଦେଇ ଚାଲି ଆସିଲି । ୭ ମାସ ହୋଇଗଲା ମୁହଁ କାହାର ଦେଖିନି ୧୪ ଦିନ ହେଲା ଫୋନ ବି କରି ପାରିନି….
ହଠାତ୍ ଗୋଟେ ବୁଲେଟ କିଣିବାକୁ ମନ ହେଲା ଆଉ ପାଖ ବ୍ୟାଙ୍କକୁ ଗଲି ଗୋଟେ ଡିଡି କରିବାକୁ । କିନ୍ତୁ ଇଏ କ’ଣ ! କ୍ୟାସୀଅୟର କହୁଛି ଆକାଉଣ୍ଟରେ ଏତେ ଟଙ୍କା ନାହିଁ ଆଉ ଷ୍ଟେଟ ମେଣ୍ଟ ଦେଖିଲା ବେଳକୁ ୩ ଲକ୍ଷ ଟଙ୍କା ଥର ଥର କରି ୪ ଦିନ ହେଲା ଉଠା ସାରିଲାଣି । ସଙ୍ଗେ ସଙ୍ଗେ ଯାଇ ବୁଥ୍ ପାଖରେ ଛିଡ଼ା ହୋଇ ଗଲି ଆଉ କଲ୍ କଲା ବେଳକୁ ଭଉଣୀ ମୋବାଇଲ ଅଫ୍ । ମନ ବହୁତ୍ କଥା ଭାବୁ ଥିଲା । ଘର ପାଖ ଜିତୁ ନମ୍ୱର ବହୁ କଷ୍ଟରେ ମନ ପକାଇ ଲଗାଇଲି । ଫୋନ ଉଠାଇ ତା’ଠାରୁ ଯାହା ଶୁଣିଲି ସେଇଥିରେ ମୋ’ ପାଦ ତଳୁ ମାଟି ଖସିଗଲା । ଗଲା କୁମାର ପୂର୍ଣ୍ଣିମା ଦିନ ଗାଁ ଗଡ଼ିଆକୁ ଯାଇଥିଲା ବେଳେ ପାହାଚରେ ଗୋଡ଼ ଖସି ଭଉଣୀର ମୁଣ୍ଡ ମାଡ଼ ହୋଇ ଯାଇଛି ଆଉ ଏ ଯାଏ ଚେତା ଫେରିନି ଆଜିକୁ ପାଞ୍ଚ ଦିନ ହୋଇଗଲା । ରାକ୍ଷୀ ପୂର୍ଣ୍ଣିମାରେ ଓଡ଼ିଶାରୁ ରାକ୍ଷୀ ଆସି ପହଞ୍ଚିଲେ ଲାଗୁଥିଲା ସତେ ଯେମିତି ରକ୍ଷା କବଚ ଭଉଣୀ ପଠେଇଛି !! ଆଉ ରାକ୍ଷୀ ଉପହାର ବଦଳରେ କେତେବେଳେ ନୀଳ ଡ୍ରେସ, ନୀଳ ଚୁଡ଼ିଦାର ତ କେବେ ଶାଢ଼ୀ… ଆଜି ଭଉଣୀର ଜୀବନ ସଂଗ୍ରାମର ବଡ଼ ଯୁଦ୍ଧରେ ଏକା ବୁଢ଼ୀ ମା’କୁ ଛାଡ଼ି ଦେଇ ମୁଁ ନିରୁପାୟ ।
ଦଉଡ଼ି ଯାଇ ଭଉଣୀ ଅବସ୍ଥା ଜଣାଇଲି ଉତ୍ତର ମିଳିଲା ସବୁ ମେଡ଼ିକାଲ୍ କାଗଜ ସ୍ପୀଡ଼ ପୋଷ୍ଟରେ ପଠେଇବାକୁ । ଦେଖି ସାରିଲେ ଛୁଟି ମିଳିବ… ସବୁବେଳେ ଶାନ୍ତ ରହୁଥିବା ମନ ଭିତରେ ଖେଳି ଯାଇଥିଲା ଏକ ଘୂର୍ଣ୍ଣି ଝଡ଼ । ତା’ ପରେ ପୁଣି ଜିତୁକୁ ଫୋନ୍ କରି କହିଲି ହସ୍ପିଟାଲ ଯାଇ ଭଉଣୀ ମୋବାଇଲ ଚାର୍ଜ କରି ମା’କୁ ଟିକେ ଦବୁ ।
ହାତ ଯୋଡ଼ି ଖଟର ଗୋଟେ କଣରେ ଚୁପ୍ ହୋଇ ବସିଥାଏ ସାରା ରାତି । କ’ଣ ଚାଲିଥାଏ ତାହା ଭଗବାନ ଜାଣନ୍ତି ହଠାତ ସକାଳ ହୋଇଗଲା । ସିଧା ଦୌଡ଼ିଲି ଫୋନ ବୁଥ୍କୁ ଆଉ ମା’କୁ ଫୋନ ଲଗାଇଲି । ମା’ ଫୋନ ଉଠାଇ କହିଲା, “ବାପା ନେ ଭଉଣୀ ସହ କଥା ହ…” ମୁଁ କିଛି କହିବା ଆଗରୁ ସେ କହିଲା, “ଭାଇ ନୀଳ ଶାଢ଼ୀଟା ଖରାପ ହୋଇଗଲା ଛୁଟିରେ ଆସିବା ବେଳେ ଗୋଟେ ଭଲ ନୀଳ ଶାଢ଼ୀ ଆଣି ଆସିବୁ…”
– ଅମିୟ ରଞ୍ଜନ ବେଉରା
Comments
ଅମୀୟ ରଞ୍ଜନ ବେଉରା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।