ଆସନ୍ତାକାଲି ଠାରୁ ତାଲା ବନ୍ଦ ହେବ ୭ଟି ଜିଲ୍ଲାରେ ।
– କ’ଣ? ସତରେ !
– ହଁ ପରା । ରାଜ୍ୟରେ ପ୍ରଥମ କୋରୋନା ରୋଗୀ ଚିହ୍ନଟ ହେବା ପରେ ରାଜ୍ୟ ସରକାରଙ୍କ ଘୋଷଣା । ଧାରା ୧୪୪ ଲାଗିବ ୭ଟି ଜିଲ୍ଲାରେ ।
– ତା’ ମାନେ ସବୁ ଯିବା ଆସିବା ପରିବହନ ବନ୍ଦ କାଲିଠାରୁ? ତା’ ମାନେ ମୁଁ ଆଉ ଆସିପାରିବିନି ତ ଏଠିକୁ !?
– ହଁ ଭଲ ହେବ । ଘରେ ରହିବ । ପଦାକୁ ବାହାରିବନି । ଗୋଟେ କୋରୋନା ଭାଇରସ୍ ହିଁ ପୁରା ମାନବ ସଭ୍ୟତାକୁ ପଦା କରିପାରିବ । ସାମାଜିକ ଦୂରତ୍ତ୍ୱ – ସୋସିଆଲ ଡିଷ୍ଟାନ୍ସିଂ ହିଁ କେବଳ ଉପାୟ । ଆଉ ବିକଳ୍ପ ଏବେ ଯାଏଁ ନାହିଁ । ତେଣୁ ଯେତେ ସମ୍ଭବ ସେତେ ଦୂରେଇ ରହିବା କଥା । ନିହାତି ଦରକାର ନଥିଲେ ଘରୁ ବାହାରିବା କଥା ହିଁ ନାହିଁ ।
– ହେଲେ !?
– ହେଲେ??
– ମୁଁ ଏଠିକୁ ନ ଆସିଲେ ରହିବି କେମିତି?
– କେମିତି?? କେମିତି କ’ଣ ଯେ? ଘରେ ରହିବ ଆଉ କ’ଣ?
– ଆପଣ ଏମିତି କ’ଣ କହୁଛନ୍ତି ଯେ !! ମୁଁ ଆଉ ଆସିବିନି । ଆଉ ଏଠି ବସିବିନି । ଆପଣଙ୍କ ସାଙ୍ଗରେ ଦେଖା ହେବିନି । ମନ ଭଲ ଲାଗିବନି ମୋର ।
– ଆରେ କିଛି ଦିନର କଥା ତ ! ସରକାର ରୋକ ହଟାଇଲେ ପୁଣି ଆସିବ । ଆରେ ତମେ କ’ଣ ବାହାରିଲଣି ଯିବା ପାଇଁ??
– ହଁ ପରା ଡେରି ହେଇଗଲାଣି । ଏବେ ବାହାରିଲେ ବସ୍ଟା ଧରି ପାରିବି । ଘଣ୍ଟାଟେ ଲାଗିବ ଘରେ ପହଞ୍ଚିବାକୁ ।
– ଆରେ ଆଉ ଟିକେ ରୁହ ମୁଁ ଛାଡ଼ିଦେବି ବସଷ୍ଟାଣ୍ଡରେ… ରୁହ ।
– ହଉ । ଠିକ୍ ଅଛି ।
ଆରେ ଏଇ ଝିଅଟା ଏଇ ଭିତରେ ଗୋଟେ ଆପଣାର ପଣ ଲଗେଇ ଦେଇଚି । ଡେରି ହେଇଯାଉଚି, ବସ ଷ୍ଟାଣ୍ଡରେ ଛାଡ଼ିଦେଇ ମାନବିକତା ଦେଇପାରିବା ଛଡ଼ା ଆଉ କ’ଣ କରିହେବ । ଆସିଲା ଦିନରୁ ନିଜ କାମ କରି ଚାଲିଛି । ମୋ କାମରେ ମୋତେ ସାହାଯ୍ୟ କରିବା ପାଇଁ ମୋତେ ଅପେକ୍ଷା କରିଛି । ବେଳେ ବେଳେ ଡେରି ସଞ୍ଜଯାଏଁ । ହେଲେ ତାକୁ ବସଷ୍ଟାଣ୍ଡରେ ଛାଡ଼ି ଆସିଲା ବେଳେ ମୋତେ କାହିଁକି ଖରାପ ଲାଗେ । ଗୋଟେ ଖାଲି ପଣ ଲାଗେ । ମନେ ମନେ ତା’ର ଫୋନ୍ କଲ୍କୁ ଅପେକ୍ଷା କରେ । ଠିକରେ ବସିଚି କି ନାହିଁ । କିଛି ଅସୁବିଧା ନାହିଁ ତ !? ନହେଲେ ଖାଲି ଧନ୍ୟବାଦ କହିବାକୁ ଅନ୍ତତଃ ଫୋନ୍ ଟିକେ କରନ୍ତାନି !!
ଏଇଠି ଗାଡ଼ିର ସିଟରେ ବସିକି ମୋ ମୁହଁକୁ ବଲ ବଲ ଅନେଇଚି । କିଛି କହୁନି । ଖାଲି କହିବ କହିବ ଲାଗୁଚି… ଛାଡ଼ ହେ ! ସେ କଥା କହୁ ନ କହୁ ମୋର କ’ଣ ଯାଉଚି । ଛାଡ଼ିଦେଲେ ବସ୍ ପାଖେ ମୋ କାମ ସରିଲା ।
ଆରେ ତା’ ମୁହଁ ଏମିତି ଥମ୍ ଥମ୍ କାହିଁକି ଦେଖାଯାଉଚି । କାନ୍ଦିପକେଇବ ନା କ’ଣ?? ନିରବତାର ବରଫ ଭାଙ୍ଗି ପଚାରିଲା ସେ;
– କଣ ହେଲା? ତମ ମନ ଭଲ ନାହିଁ କି??
– ନାହିଁ ଆପଣ ବୁଝିପାରିବେ ନାହିଁ ।
– ଆରେ ବସ୍ ଷ୍ଟାଣ୍ଡ ଆସିଗଲା । ଦେଖିଲ ତମ ୧୬ ନଂ ବସଟା ଆସୁଛି ନା ଓଭରବ୍ରିଜ ତଳୁ? ହଁ ହଁ ଏଇଟା ତ ତମ ଘରକୁ ଯିବା ବସ୍ ।
– ସାର୍ ମୁଁ ଯାଉଚି । ଜାଣିନି କେବେ ଦେଖା ହେବ ପୁଣି । ଆଉ କୋଉ ପରିସ୍ଥିତିରେ । ମୁଁ ଆପଣଙ୍କୁ ବହୁତ ମନେ ପକେଇବି ।
ଆଖି ତା’ର ଲୁହରେ ଭର୍ତ୍ତି । ଆଉ କିଛି କହିବାକୁ ଚାହୁଁଥିଲା ବୋଧେ ଗଳା କୋହରେ ରୁନ୍ଧି ହେଇଗଲା ବୋଧେ ! କିଛି ତ କହିଲାନି ଆଉ ।
– ଆରେ ଯାଅ ଶୀଘ୍ର ବସରେ ବସିଯାଅ ।
– ହଁ ସାର୍ ଯାଉଚି ।
ଯାହା ହେଉ ବସ୍ରେ ବସିଗଲା । ପଳେଇବ ଏବେ । ଆଖିରୁ ଦୂରେଇଯିବ ତା’ର ଶେଥାଳିଆ ମୁହଁଟା । ତା’ ପରେ ଅଦୃଶ୍ୟ । ଆଉ ମୁଁ ବି ବ୍ୟସ୍ତ ହେଇଯିବି ମୋ ଜଞ୍ଜାଳରେ । ସବୁ ତ ଭୁଲି ହେଇଯାଏ ସମୟ ସହ ।
ଆରେ ସେ ବୋଧେ କ’ଣ ବସ୍ରୁ ଓହ୍ଲାଉଛି ନା କ’ଣ? ଆରେ ହଁ ତ । ସେଇ ! ଓହ୍ଲେଇକି ପଛ ଆଡ଼କୁ କ’ଣ ଆସିଲାଣି । ଆରେ ଏ ତ ମୋରି ଆଡ଼କୁ ଆସୁଛି । କାରର ବ୍ରେକ୍ ଚିପି ଷ୍ଟାଣ୍ଡରେ ରଖି ଓହ୍ଲେଇପଡ଼ିଲେ ସେ । ଆରେ ସେ ଏତେ ଜୋରରେ ଦୌଡ଼ିକି କୁଆଡ଼କୁ ଆସୁଚି ।
ଆରେ ମୋ ଛାତିରେ ଲାଗିଯିବ ଆସିକି ନା କ’ଣ !? ତା’ ପରେ ସ୍ୱୀକାର ଉକ୍ତି ସବୁ । ମାନ ଅଭିମାନ ସବୁ ।
ଆରେ ନାହିଁ ସେ ତ ମୋଠୁ ଅଳ୍ପ ଦୂରରେ ଠିଆ ହେଇଚି । କିଛି କହୁନି, ଖାଲି ଆଖିରୁ ଲୁହ ଗଡ଼ୁଛି । ମୁଁ ଆଉ ଯିବି କି !? ସେ ଫେରିକି ଆସିଛି ଏତେ ବାଟ, ମୁଁ ଯାଉଛି ତାକୁ ଛାତିକୁ ଆଉଜେଇ ନେବି । ନା ନା ସବୁ ଲୋକମାନେ ଦେଖୁଛନ୍ତି, ବସଷ୍ଟାଣ୍ଡ ଉପରେ ଏମିତି କ’ଣ ଗୋଟେ କରବି । ଆରେ ଆରେ ବସ୍ଟା ଛାଡ଼ିଲାଣି, ତୁମେ ଯାଅ । ବସ୍ଟା ପଳେଇଲେ ଘରେ ପହଞ୍ଚିବାକୁ ଆହୁରି ଡେରି ହେଇଯିବ । ଏଥର ସେ ଆଉ କିଛି କହିଲାନି । ସିଧାଯାଇ ବସରେ ବସିଗଲା ।
ଯାହା ହେଉ ଗଲା ଗୋଟେ ଟେନସନ୍ । ଓହୋ ଟିକେ ନିଶ୍ୱାସ ନେଇଯାଉ । କ’ଣ ପାଇଁ ତଥାପି ମନ ଭିତରଟା ଖାଲି ଖାଲି ଲାଗୁଚି । କ’ଣ ଗୋଟେ ଛାଡ଼ିଗଲା ଭଳି । ଗାଡ଼ିଟା ବୁଲାଏ । ଆରେ ଇଏ କ’ଣ? ମୁଁ ଗାଡ଼ି ଚଲେଇ ପାରୁନି ଆଦୌ । କ’ଣ ହେଲା ମୋତେ? ପକ୍ଷାଘାତ ଘାରିଗଲା ଅସମୟରେ ନା କ’ଣ?? ନାହିଁ ମୁଁ ସ୍ମୃତିଦଗ୍ଧ ଆହତ । ନିଜ ଅହଂ ତଳେ ଆହତ ମୋର ନିରୀମାଖି ମନ । ଯିଏ ସଂସାର ଜଞ୍ଜାଳ, ବୟସ ବନ୍ଧନରୁ ବହୁତ ଦୂରରେ ନିଜଠାରୁ ନିଜକୁ ଲୁଚାଇ ଖୋଜିହେଉଚି ସ୍ନେହର ସେଇ ଦୁଇ ଠୋପା ଲୁହ । ଆଃ ଝିଅଟା ମୋ କାନ୍ଧରେ ମୁଣ୍ଡ ରଖି କାନ୍ଦି ପକାଇଥାନ୍ତା ସିନା !!!
– ମାଧବୀ ମଧୁସ୍ମିତା ଭଞ୍ଜ ଦେଓ
Comments
ମାଧବୀ ମଧୁସ୍ମିତା ପେଶାରେ ଜଣେ ଗବେଷିକା । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି ।