ତାଳପଦେଶ୍ୱରୀ

Odia Poem Talapadeswari (ତାଳପଦେଶ୍ୱରୀ) by Biswajyoti Mohanty

ବୋଧହୁଏ ଗୋଟେ ଯୁଗ ପରେ, ସମୟର ବିପରୀତେ, ସାହସ ଜୁଟାଇ ହଜିବାକୁ,
ଯାଇଥିଲି ଏକାନ୍ତରେ ଖୋଜିବାକୁ, ନିରେଖିବାକୁ, ଟିକେ ଛୁଇଁବାକୁ,
ସୌଧ ଯାହା ଗଢ଼ିଯାଇଥିଲ ହାତ ଧରି,
ମୋ ଶ୍ୱାସର ଉତ୍ତେଜନାକୁ ପ୍ରଶାନ୍ତ କରି,
ଜଳୁଛି ଜାଗର ମହାଦୀପର ଲେଲିହାନ ଶିଖା ପରି ସେ,
ନା ଶ୍ମଶାନର ଜୁଇ ପାଉଁଶ ସମ ଦିଶେ ।

ଅସହାୟ ହାୟ ସମୟ ! ଅପରିବର୍ତ୍ତିତ ଲାଗେ ଅନେକ କିଛି, ସମୟର ନୃଶଂସ ଝଡ଼ ପରେ ବି,
ସେଇ ରଙ୍ଗଣୀ ଫୁଲ ଗଛ, ପାଖେ ଚଉଁରା, ଆଉ ସାମ୍ନାରେ ବସିଛ ତମେ ଏବେ ବି ।
ତାଳ ମିଳାଇ ତୁମ ପଦ ଚିହ୍ନେ ପ୍ରଦକ୍ଷିଣ ବେଳେ,
ସେ ଅଲୋଡ଼ା ଶୁଅନ୍ତା ଗଛଟି ଆଜି ବି ବାଟ ଓଗାଳେ,
ଅଜାଣତେ ମୋ ହାତ ଚାଲିଯାଏ ତମ ମଥା ପରେ,
ବୋଧହୁଏ ଗଛରୁ ଆଘାତ ଆଶଙ୍କାରେ,
ହୁଏତ ପାରିନ ଦେଖି ପ୍ରେମର ସେ ନିର୍ମଳ ଛବି,
ନହେଲେ ଜାଣେ ହସିଥାନ୍ତ ମୁରୁକି, ନାକକୁ ଟେକି ।

କିଛି ଗୋଟେ ମନାସୁଥିଲ ମାଆଙ୍କ ଆଗେ ହାତ ଯୋଡ଼ି,
ଅତି ଗୋପନୀୟ ଯେମିତି କିଛି ଜଣାଉଥିଲ ମନ ଖୋଲି,
ସ୍ମିତ ହସିଲି, ଭାବିଲି
ସେବେ ମୁଖ୍ୟ ଥିଲି ମୁଁ ପ୍ରାର୍ଥନାରେ ତୁମ,
ଏବେ ବି ଥିବି ହେଉ ପଛେ ସ୍ୱଳ୍ପ,
ମାଆଙ୍କୁ ଆଜି ମନେ ମାଗିଲି କିଛି,
ଜୀବନ ତୁମ ହେଉ ସୁଖମୟ! ଦିଅ ପଛେ ମୋ ଭାଗରୁ ବାଛି ।

ଘଣ୍ଟୁଆ ଡାକେ, ବୁଲି ଦେଖେ ତ ଆଳତୀ ବେଳ ଆସନ୍ନ,
ସ୍ୱପ୍ନ ଥିଲା ନା ଆସିଥିଲ ସତେ, କାହିଁ ନାହିଁ ତ ଚିହ୍ନ ! ଲାଗେ ଅସମ୍ପୂର୍ଣ୍ଣ ।
ଲାଗିଲା ଯେମତି ସେ ବିରାଟ ଢୋଲ, ଝାଞ୍ଜ, ଘଣ୍ଟ ଆଉ ଘଣ୍ଟା ମିଶି କରୁଛନ୍ତି ଉପହାସ,
ମୋ ଏକାନ୍ତତାର, ମୋ ଅସମ୍ପୂର୍ଣତାର ।
ସେ ମତ୍ତୁଆ ଘଣ୍ଟୁଆ ଆଉ ପୂଜାରୀ ବି ଖୁସିରେ ପାଗଳ
ଚେତାଇ ମୋତେ ଅନୁପସ୍ଥିତି ତୁମର,
ଆଉ ମା ବି ନିରୁତ୍ତର, ଥାଇ ବି ନଥିଲା ପରି ଅବତାର ନୀରବତାର ।

– ବିଶ୍ୱଜ୍ୟୋତି ମହାନ୍ତି

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...