ପିଲାଦିନୁ ସ୍ୱପ୍ନ ଥିଲା ବଡ଼ ହୋଇ ଚାକିରି କରିବି,
ପରିଣତ ବୟସରେ ବାପାଙ୍କ କାନ୍ଧରୁ ଭାର ନେବି,
ପୁଳା ପୁଳା ଟଙ୍କା ଖରଚ କରି ମୁଁ ପାଠ ଯେ ପଢ଼ିଲି,
ଆଜି ଚାକିରିଟେ ନପାଇ ଶିକ୍ଷିତ ବେକାରୀ ସାଜିଲି ।
ବାପା ଦେଲେ ଅର୍ଥ ଯାହାକୁ ସଞ୍ଚିଥିଲେ ଜୀବନସାରା,
ଏପଟେ ରାତି ହେଲେ ଚାଳ ପଟେ ଦିଶଇ ତାରା,
ଟଙ୍କା ଅଭାବରୁ ହୋଇପାରୁନି ବୁଢ଼ୀ ମା’ର ଚିକିତ୍ସା,
ଭଉଣୀ ତା’ ବିବାହ ପାଇଁ ମନେ ବାନ୍ଧିଛି କେତେ ଆଶା ।
ଘର ବଡ଼ ପୁଅ ବୋଲି ମୁଣ୍ଡେ ପରିବାର ଶତ ଚିନ୍ତା,
କିଛି କରିପାରିନି ବୋଲି ପଡ଼ୋଶୀ ଦିଅନ୍ତି ଗଞ୍ଜଣା,
ସମୟର କରାଳ ଗତି ପାଖରେ ନାଚାର ମୁଁ ସାଜେ,
ପାଟି ମୂକ ପାଲଟେ ଆଖି ଲୁହେ ଓଠ ଦୁଇଟା ଭିଜେ ।
ଚାକିରୀ ପାଇଁ ମୁଁ ଦ୍ଵାର ଦ୍ଵାର ବୁଲେ ସକାଳଠୁ ସଞ୍ଜ,
ସବୁଆଡ଼େ ମୁଦ୍ରାରାକ୍ଷସ ମାଗନ୍ତି ଆଗଦିଅ ଲାଞ୍ଚ,
ଚାକିରି ଦେବା ନାମରେ ଚାଲେ ଖାଲି ଏଠି ପ୍ରହସନ,
ହାତୀଟା ସୁନାକଳସୀ ଢାଳେ ଯାହା ପାଶେ ଅଛି ଧନ ।
ଭୋଟ ବେଳରେ ରୋଜଗାର ଦବାର ଭାଷଣ ଶୁଭିଲା,
ଭୋଟପରେ ସେ କଥା ପ୍ରତିନିଧିଙ୍କ ମନରୁ ହଜିଲା,
ବେକାରୀର ଉତ୍କଟ ରୂପ ଦିଶେ ଆଜି ସଂସାରେ,
ସରକାରଙ୍କ ଦୃଷ୍ଟି ନାହିଁ ଧ୍ୟାନ ଖାଲି ରାଜଗାଦିରେ ।
ବୁଢ଼ା ବୟସରେ ବାପାଙ୍କୁ ସାହାରା ଦେବା ବଦଳରେ,
ନିଜେ ବୋଝଟେ ସାଜି ଲଟକିଗଲି ତାଙ୍କ କାନ୍ଧରେ,
ଶିକ୍ଷିତ ହୋଇବି ଇଏ କି ବିଡ଼ମ୍ବନା ମୋ ଭାଗ୍ୟର?
ବୋଧେ ଶିକ୍ଷିତ ହେବାର ମିଳିଲା ଏ ଶ୍ରେଷ୍ଠ ପୁରସ୍କାର ।
– ଗଣେଶ ଦାସ
Comments
ଗଣେଶ ଦାସ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରନ୍ତି । ତାଙ୍କ ରଚିତ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।