ପାଶ୍ଚାତ୍ୟ ଭେଷଜ ବିଜ୍ଞାନରେ ଡିଗ୍ରୀ ହାସଲ କରିଥିବା ପ୍ରଥମ ଭାରତୀୟ ମହିଳା ହେଉଛନ୍ତି ଆନନ୍ଦୀବାଈ ଗୋପାଲ ଜୋଶୀ । ସେ ଭାରତର ପ୍ରଥମ ହିନ୍ଦୁ ଡାକ୍ତରାଣୀ; ପୁଣି ଆମେରିକା ଯାଇଥିବା ପ୍ରଥମ ହିନ୍ଦୁ ମହିଳା । ପୁଣେର ଏକ ରକ୍ଷଣଶୀଳ ବ୍ରାହ୍ମଣ ପରିବାରରେ ୩୧ ମାର୍ଚ୍ଚ ୧୮୬୫ରେ ସେ ଜନ୍ମ ହୋଇଥିଲେ । ତାଙ୍କର ପିତୃଦତ୍ତ ନାମ ଥିଲା ଯମୁନା । ମାତ୍ର ନଅ ବର୍ଷ ବୟସରେ ଗୋପାଲରାଓ ଜୋଶୀଙ୍କ ସହ ତାଙ୍କର ବିବାହ ହୋଇଥିଲା । ଗୋପାଲରାଓ ବୟସରେ ଆନନ୍ଦୀଙ୍କଠାରୁ କୋଡ଼ିଏ ବର୍ଷ ବଡ଼ ଥିଲେ । ସେ ଡାକ ବିଭାଗରେ ଜଣେ କିରାଣୀ ଭାବରେ ଚାକିରି କରୁଥିଲେ ଏବଂ ନାରୀ-ସ୍ୱାଧୀନତା ଓ ନାରୀ-ଶିକ୍ଷାର ସମର୍ଥକ ଥିଲେ । ପତିଙ୍କ ପ୍ରଚେଷ୍ଟାରେ ଆନନ୍ଦୀ କଲକାତାରେ ଇଂରାଜୀ ଭାଷା ଶିକ୍ଷା କରିଥିଲେ । ସେ ଚଉଦ ବର୍ଷ ବୟସରେ ମାଆ ହୋଇଥିଲେ । ହେଲେ, ନବଜାତକ ମାତ୍ର ଦଶ ଦିନ ବଞ୍ଚିଥିଲା । ସନ୍ତାନର ମୃତ୍ୟୁ ତାଙ୍କୁ ଡାକ୍ତରୀ ପଢ଼ିବାକୁ ଅନୁପ୍ରାଣିତ କରିଥିଲା ।
ସେ କାଳରେ ବିନା ବାହ୍ୟ ସହାୟତାରେ ଆମେରିକାରେ ରହି ପଢ଼ିବା ଭାରତୀୟ ହିନ୍ଦୁ ମହିଳାଙ୍କ ପାଇଁ ଅସମ୍ଭବ ଥିଲା । ଗୋପାଲରାଓ ସହାୟତା ନିମନ୍ତେ ରୟାଲ୍ ୱାଇଲ୍ଡର୍ ନାମକ ମାର୍କିନ୍ ଧର୍ମଯାଜକଙ୍କ ସହାୟତା ଲୋଡ଼ିଥିଲେ । ଜୋଶୀ ଦମ୍ପତି କିରସ୍ତାନ ଧର୍ମ ଗ୍ରହଣ କଲେ, ଆମେରିକାରେ ସେମାନଙ୍କର ରହଣି ପାଇଁ ବ୍ୟବସ୍ଥା କରାଯିବ ବୋଲି ରୟାଲ୍ ପ୍ରସ୍ତାବ ଦେଇଥିଲେ । ହେଲେ, ଗୋପାଲରାଓ ତାହା ଗ୍ରହଣ କରି ନ ଥିଲେ । ପରେ ଥିଓଡିସିଆ କାର୍ପେଣ୍ଟର୍ ନାମା ମାର୍କିନ୍ ମହିଳା ଆନନ୍ଦୀଙ୍କ ସମ୍ପର୍କରେ ଜାଣି, ତାଙ୍କୁ ସାହାଯ୍ୟ କରିଥିଲେ । ଥିଓଡିସିଆଙ୍କ ସହାୟତାରେ ଆନନ୍ଦୀ ୧୮୮୩ରେ ଏକ ଜଳଜାହାଜରେ ଆମେରିକା ଯାଇ ପେନ୍ସିଲ୍ଭାନିଆସ୍ଥିତ ମହିଳା ଭେଷଜ ମହାବିଦ୍ୟାଳୟରେ ଭର୍ତ୍ତିହୋଇଥିଲେ । ଭାରତର ତତ୍କାଳୀନ ଭାଇସ୍ରୟ ଆନନ୍ଦୀଙ୍କୁ ଦୁଇ ଶହ ଟଙ୍କାର ଆର୍ଥିକ ସହାୟତା ଯୋଗାଇଦେଇଥିଲେ । ଅନ୍ୟ କେତେକ ସୂତ୍ରରୁ ମଧ୍ୟ ସାହାଯ୍ୟ ମିଳିଥିଲା । ଆମେରିକାର ଖାଦ୍ୟ-ପରିବେଶ ଆନନ୍ଦୀଙ୍କ ଦେହରେ ଯାଇ ନ ଥିଲା । ସେ ରୁଗ୍ଣ ହୋଇପଡ଼ିଥିବା ସତ୍ତ୍ୱେ ୧୮୮୬ ମସିହାରେ ଭେଷଜ ବିଜ୍ଞାନରେ ଡିଗ୍ରୀ ଲାଭ କରି ଭାରତ ଫେରିଥିଲେ । ଭାରତ ଫେରିବା ପରେ ତାଙ୍କୁ ବିଶେଷ ସମ୍ବର୍ଦ୍ଧନା ମିଳିଥିଲା । ମହାରାଣୀ ଭିକ୍ଟୋରିଆ, ତାଙ୍କୁ ଏକ ବାର୍ତ୍ତା ମାଧ୍ୟମରେ ଅଭିନନ୍ଦନ ଜଣାଇଥିଲେ । ‘ଆର୍ଯ୍ୟ ହିନ୍ଦୁଙ୍କ ମଧ୍ୟରେ ପ୍ରସବ ତତ୍ତ୍ୱ’ ବିଷୟରେ ସେ ସନ୍ଦର୍ଭ ଲେଖି ଭେଷଜ ବିଜ୍ଞାନରେ ଡିଗ୍ରୀ ଲାଭ କରିଥିଲେ । ଆମେରିକାରେ ପ୍ରଚଳିତ ବିଭିନ୍ନ ଭେଷଜ ପୁସ୍ତକ ସହ ଭାରତୀୟ ଆୟୁର୍ବେଦ ଶାସ୍ତ୍ର ଆଧାରରେ ସେ ସନ୍ଦର୍ଭ ରଚନା କରିଥିଲେ । କୋହ୍ଲାପୁରର ରାଜା ତାଙ୍କୁ ସ୍ଥାନୀୟ ଆଲ୍ବର୍ଟ୍ ଏଡ୍ୱାର୍ଡ୍ ହସ୍ପିଟାଲ୍ରେ ନିଯୁକ୍ତି ଦେଇଥିଲେ । ହେଲେ ଦୀର୍ଘ କାଳ ଧରି ରୋଗୀ ସେବା କରିବା ଆନନ୍ଦୀଙ୍କ ଭାଗ୍ୟରେ ନ ଥିଲା । ମାତ୍ର ବର୍ଷକ ପରେ ୧୮୮୭ ଫେବ୍ରୁଆରି ମାସ ୨୬ ତାରିଖରେ ରାଜଯକ୍ଷ୍ମାରେ ପୀଡ଼ିତ ହୋଇ ତାଙ୍କର ପରଲୋକ ହୋଇଥିଲା । ସେତେବେଳକୁ ତାଙ୍କୁ ମାତ୍ର ବାଇଶ ବର୍ଷ ପୂରି ନ ଥିଲା ।
ଆନନ୍ଦୀଙ୍କ ସମ୍ମାନର୍ଥେ ଶୁକ୍ର ଗ୍ରହର ଏକ ବିଶାଳ ଗର୍ତ୍ତ ତାଙ୍କ ସାଙ୍ଗିଆ ଅନୁଯାୟୀ ‘ଜୋଶୀ’ ଭାବେ ନାମିତ । ୨୦୧୯ରେ ତାଙ୍କ ଜୀବନୀ ଆଧାରରେ ଏକ ମରାଠୀ ଫିଲ୍ମ ତିଆରି କରାଯାଇଥିଲା । ତାଙ୍କ ଜୀବନକୁ ନେଇ ‘ଆନନ୍ଦୀ ଗୋପାଲ’ ନାମକ କାଳ୍ପନିକ ଉପନ୍ୟାସ ରଚନା କରିଥିଲେ ଶ୍ରୀକୃଷ୍ଣ ଜନାର୍ଦ୍ଦନ ଜୋଶୀ । ଏହାକୁ ନାଟ୍ୟ ରୂପ ଦିଆଯିବା ସହ ଏକ ଦୂରଦର୍ଶନ ଧାରାବାହିକ ନିର୍ମାଣ କରାଯାଇଥିଲା । ଏସବୁର ବହୁ ପୂର୍ବରୁ ତାଙ୍କର ଦେହାନ୍ତର ବର୍ଷକ ପରେ ୧୮୮୮ ମସିହାରେ ପ୍ରଥମେ ତାଙ୍କର ଜୀବନୀ ଲେଖିଥିଲେ ମାର୍କିନ୍ ଲେଖିକା ତଥା ମହିଳା ସକ୍ରିୟତାବାଦୀ କାରୋଲିନ୍ ୱେଲ୍ସ ହେଲି ଡାଲ୍ । ଆନନ୍ଦୀଙ୍କୁ ସେ ବ୍ୟକ୍ତିଗତ ଭାବେ ଜାଣିଥିଲେ ଏବଂ ଶ୍ରଦ୍ଧା କରୁଥିଲେ । ଆନନ୍ଦୀ, ପତିଙ୍କ ଦ୍ୱାରା ନିର୍ଯାତିତ ହେଉଥିବା, ଏହି ଜୀବନୀ ପୁସ୍ତକରେ ସେ ଲେଖିଥିଲେ, ଯାହାକୁ ନେଇ ସେହି ସମୟରେ ବିବାଦ ସୃଷ୍ଟି ହୋଇଥିଲା ।
– ସିନ୍ଧୁଜ୍ୟୋତି ତ୍ରିପାଠୀ
Comments
ସିନ୍ଧୁଜ୍ୟୋତି ତ୍ରିପାଠୀ ଜଣେ ଓଡ଼ିଆ ସ୍ତମ୍ଭକାର । ସେ ଓଡ଼ିଆ ସମ୍ବାଦପତ୍ର “ସମ୍ବାଦ” ସଂସ୍ଥାର ଜଣେ ବେତନଭୋଗୀ କର୍ମଚାରୀ ।