ବିଜୟା ଦଶମୀରେ ଦଶାନନ ରାବଣ ଉପରେ ବିଜୟ ପ୍ରାପ୍ତି ପରେ ପୁରୁଷୋତ୍ତମ ଶ୍ରୀ ରାମଚନ୍ଦ୍ର, ମାତା ଜାନକୀ ତଥା ଭାଇ ଲକ୍ଷ୍ମଣଙ୍କ ସହ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନର ଦିନ ହେଉଚି ଏହି ଦୀପାବଳି । ଚଉଦ ବର୍ଷର ବନବାସ ପରେ ପ୍ରତ୍ୟାବର୍ତ୍ତନର ଉତ୍ସବ ତ ହେବାର ହିଁ ଥିଲା ! ଅଯୋଧ୍ୟାର ପ୍ରତ୍ୟେକ ଘର ଦୀପାଲୋକରେ ଏପରି ଉଦ୍ଭାସିତ ହେଉଥିଲା ଯେ, ଅମାବାସ୍ୟାର ଅନ୍ଧକାର ମଧ୍ୟ ନିଜର ଅସ୍ତିତ୍ୱ ଖୋଜୁଥିଲା । ଅଧର୍ମ ଉପରେ ଧର୍ମର ବିଜୟର ପ୍ରତୀକ ଧୀରେ ଧୀରେ ଆମ ପରମ୍ପରାରେ ପରିଣତ ହୋଇଗଲା ।
ଦୀପାବଳି ଅମାବାସ୍ୟାରେ ଓଡ଼ିଆ ଘରର ପରମ୍ପରା କିନ୍ତୁ ନିଆରା । ମହାଳୟା ପକ୍ଷରୁ ଆବାହନ କରି ମର୍ତ୍ୟମଣ୍ଡଳକୁ ଆଣିଥିବା ଆମ ପୂର୍ବଜମାନଙ୍କୁ ବିଦାୟ ଦେବାର ଦିନ ହେଉଛି ଆଜିର ଦିନ । ଦୀର୍ଘ ତିନିପକ୍ଷ ମର୍ତ୍ତ୍ୟରେ ବିଚରଣ ପରେ ସ୍ୱର୍ଗକୁ ଯିବାପାଇଁ ସେମାନଙ୍କୁ ଆଲୋକ ପ୍ରଦାନ କରିବାର ଦିନ । କାଉଁରିଆ କାଠି ଜାଳି ‘ବଡ଼ ବଡ଼ିଆ ହୋ, ଅନ୍ଧାରେ ଆସ, ଆଲୁଏ ଯାଅ; ଗଙ୍ଗା ଯାଅ; ଗୟା ଯାଅ; କାଶୀ ଯାଅ; ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର ଯାଅ; ମହାପ୍ରସାଦ ଖାଇ ବାଇଶି ପାହାଚେ ଗଡ଼ୁଥାଅ’ ଗାଇ ବଡ଼ ବଡ଼ୁଆଙ୍କୁ ବିଦାୟ ଦେବାର ଦିନ । ଦୀପାବଳିର ଚାକଚକ୍ୟରେ ଆମେ ଭୁଲି ଗଲେଣି ସେ ଦିନକୁ । ଭୁଲି ଗଲେଣି ଅଗଣା ମଝିରେ ଗୋବର ଲିପା କୋଠିରେ କୁଲାରେ ଛୋଟ ଛୋଟ କଟା ଫଳରେ ସଜଡ଼ା ସଳିତା କାଠି ସବୁକୁ ଜଳେଇବାର ପରମ୍ପରାକୁ । ଭୁଲି ଗଲେଣି ସନ୍ଧ୍ୟାରେ ଭୋଗ ଉଦ୍ଦେଶ୍ୟରେ ସଜଡ଼ା ଯାଇଥିବା ଚୁଡ଼ାଘଷା ସୁଜି କ୍ଷୀରିର ସ୍ଵାଦକୁ । ଭୁଲି ଗଲେଣି ପୟା ଶ୍ରାଦ୍ଧକୁ, ଭୁଲି ଗଲେଣି ଆମ ପୂର୍ବ ପୁରୁଷଙ୍କୁ । ଏ ସବୁ ଚିନ୍ତାକଲେ ହତାଶାର ଦୀର୍ଘଶ୍ଵାସଟିଏ ବାହାରି ଆସେ ଆପେ ଆପେ । ତଥାପି ଆମକୁ ଆମ ସଂସ୍କୃତି, ଆମ ପରମ୍ପରାକୁ ବଜାୟ ରଖିବାକୁ ହିଁ ହେବ ।
ଦୀପାବଳିର ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖି ପରିବେଶ ପ୍ରତି ଯତ୍ନବାନ ହେବା ମଧ୍ୟ ଆଜିର ଦିନର ବଡ଼ ଆହ୍ୱାନ । ଆମ ଉତ୍ତର ପିଢ଼ୀକୁ ଏକ ସୁସ୍ଥ ଓ ପ୍ରଦୂଷଣ ମୁକ୍ତ ବାତାବରଣ ଉପହାର ଦେବା ତଥା ଆମ ପରିବେଶକୁ ବାସୋପଯୋଗୀ କରି ରଖିବା ଆମର କର୍ତ୍ତବ୍ୟ ।
ସମସ୍ତଙ୍କୁ ଦୀପାବଳୀର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।
ଜୟ ଜଗନ୍ନାଥ
Comments
ତାପସ ରଞ୍ଜନ ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ସହ-ସମ୍ପାଦକ ଏବଂ ସେ ବିଭିନ୍ନ ଆଧ୍ୟାତ୍ମିକ ତଥା ସାମାଜିକ କଥାବସ୍ତୁ ଉପରେ ଗପ, କବିତା, କାହାଣୀ ଆଦି ରଚନା କରନ୍ତି ।