ଦିନେ ଆଶ୍ରମରେ ସାନ୍ଧ୍ୟ ପ୍ରାର୍ଥନା ପରେ ଦୈନିକ ପ୍ରବଚନ ସାରି ଉଠୁଥିବା ବେଳେ ଅନ୍ତେବାସୀ ଜଣେ ଉତ୍ସୁକ ଜିଜ୍ଞାସୁ ପ୍ରବକ୍ତାଙ୍କୁ ପ୍ରଶ୍ନ କଲେ, “ମହାଶୟ ! ଗତ ସନ୍ଧ୍ୟାରେ ଆପଣ ବୁଝାଇ କହିଥିଲେ କି ମନୁଷ୍ୟ ପ୍ରକୃତିର ସର୍ବଶ୍ରେଷ୍ଠ ସୃଷ୍ଟି । ତେବେ ମନୁଷ୍ୟମାନଙ୍କ ଭିତରେ ପୁଣି ଶ୍ରେଷ୍ଠ କିଏ? ନାରୀ ନା ପୁରୁଷ??” ପ୍ରବକ୍ତାଙ୍କ ଉଜ୍ଜ୍ୱଳ ମୁଖମଣ୍ଡଳରେ ଚିରାଚରିତ ଧାରେ ସ୍ମିତହାସ୍ୟ ଉକୁଟି ଉଠିଲା । କିଛିକ୍ଷଣ ଉତ୍ତାରୁ ସେ ଉତ୍ତର ଦେଲେ, “ଋଗ୍ ବେଦର ଦେବୀ ସୂକ୍ତ ବା ସୂକ୍ତ ଉପନିଷଦ କହେ, ଦେବୀ ହିଁ ବ୍ରହ୍ମ ! ସେ ପୁରୁଷ, ସେ ହିଁ ପ୍ରକୃତି; ସେ ହିଁ ପରମାନନ୍ଦ, ସେ ପୁଣି ମହା ବିକାର; ସେ ଜନ୍ମା, ସେ ପୁଣି ଅଜନ୍ମା; ସେ ହିଁ ପଞ୍ଚତତ୍ୱ ତେଣୁ ସେ ହିଁ ବ୍ରହ୍ମାଣ୍ଡ… ପୁନଶ୍ଚ ମହାଭାରତର ଆଦିପର୍ବ କହେ, ସ୍ତ୍ରୀ ହେଉଛି ସେହି ପବିତ୍ର ଭୂମି ଯିଏ ତା’ର ସ୍ୱାମୀକୁ ପୁନର୍ଜନ୍ମ ଦିଏ । ଏପରିକି ପରମ ସିଦ୍ଧି ଲାଭ କରିଥିବା ଋଷିମାନେ ମଧ୍ୟ ସ୍ତ୍ରୀ ବିନା ପୁରୁଷ ସୃଷ୍ଟି କରିପାରିବେ ନାହିଁ ! ଅତଃ ସ୍ତ୍ରୀ ହିଁ ଶ୍ରେଷ୍ଠ ।”
“ମହାଶୟ ! ଯଦି ସ୍ତ୍ରୀ ହିଁ ଶ୍ରେଷ୍ଠ, ତେବେ ଯୁଗେ ଯୁଗେ ସେ ଅବହେଳିତ, ନିର୍ଯାତିତ, ନିଷ୍ପେସିତ କ’ଣ ପାଇଁ? କ’ଣ ପାଇଁ ପରମ୍ପରା ଓ ରୀତିନୀତିର ଦ୍ୱାହି ଦେଇ ଏ ପୁରୁଷ ସମାଜ ଚପାଇ ରଖିଛି ନାରୀ ଜାତିକୁ?”
“ଜିଜ୍ଞାସୁ ! ପ୍ରାଚୀନ ସମାଜରେ ବି ନାରୀ ଥିଲେ ଆଧୁନିକା । ସେ ସମୟର ଚିରାଚରିତ ଖୋଳପା ଭିତରୁ ବାହାରି ସେମାନେ ସୃଷ୍ଟି କରିପାରିଥିଲେ ସେମାନଙ୍କର ସ୍ୱତନ୍ତ୍ର ପରିଚୟ । ବେଦ ଉପନିଷଦ ସମୟରେ ମଧ୍ୟ ଗାର୍ଗୀ ମୈତ୍ରେୟୀ ଭଳି ମନିଷୀମାନେ ତତ୍କାଳୀନ ସମାଜରେ ଆଣିପାରିଥିଲେ ପରିବର୍ତ୍ତନ । ଏମିତି କି ବିଗତ ଦୁଇ ଶତାବ୍ଦୀରେ ମଧ୍ୟ ରକ୍ଷଣଶୀଳ ଭାରତୀୟ ସମାଜର ଅଙ୍କୁଶ ଭିତରୁ ନିଜକୁ ମୁକୁଳିତ କରି ସେମାନେ ସୃଷ୍ଟିକରିଥିଲେ ସ୍ୱତନ୍ତ୍ର ପରିଚୟ । ସେ ଝାଂସୀର ରାଣୀ ଲଷ୍ମୀବାଇ ହୁଅନ୍ତୁ, ପାଶ୍ଚାତ୍ୟ ଭେଷଜ ବିଜ୍ଞାନରେ ଜ୍ଞାନ ଆହରଣ ପାଇଁ ପ୍ରଥମ ଦକ୍ଷିଣ ଏସୀୟ ଭାବେ ଆମେରିକାରେ ପାଦ ଦେଇଥିବା ଆନନ୍ଦିବାଈ ଯୋଶୀ ହୁଅନ୍ତୁ, ତତ୍କାଳୀନ ସାମାଜିକ ବ୍ୟବସ୍ଥାରେ ପ୍ରଚଳିତ ଆଇନ କାନୁନର ଶୃଙ୍ଖଳରୁ ବାହାରି ଆଇନର ପାଠ ପଢ଼ି ଭାରତର ପ୍ରଥମ ମହିଳା ଜଜ୍ ହୋଇପାରିଥିବା ଜଷ୍ଟିସ ଆନ୍ନା ଚାଣ୍ଡି ହୁଅନ୍ତୁ ବା ପୁରୁଷମାନେ ପ୍ରାଧାନ୍ୟ ବିସ୍ତାର କରିଥିବା ଉଡ଼ାଯାହାଜର କକପିଟରେ ସମ୍ମାନର ସହ ସ୍ଥାନ ପାଇଥିବା ପାଇଲଟ କ୍ୟାପଟେନ ପ୍ରେମ ମାଥୁର ହୁଅନ୍ତୁ, ସମସ୍ତେ ଥିଲେ ସେମାନଙ୍କ ସମୟର ଅଧୁନିକ ନାରୀ । ସମସ୍ତେ ତଥାକଥିତ ପରମ୍ପରା ଓ ରୀତିନୀତିକୁ ଆଉଥରେ ଲେଖିଥିଲେ ନିଜ ନିଷ୍ଠା ଆଉ ସାଧନା ବଳରେ ।”
“ତେବେ ମହାଶୟ, ତତ୍କାଳୀନ ସମୟରେ ନାରୀ ବେଶୀ ଆଧୁନିକ ଥିଲେ ନା ଏବେ ଅଛନ୍ତି?”
“ତତ୍କାଳିକ ସାମାଜିକ ବ୍ୟବସ୍ଥାକୁ ତର୍ଜମା କଲେ ଜଣାଯାଏ, ସେ ସମୟର ନାରୀ ନିଃସନ୍ଦେହ ଆଜିର ନାରୀମାନଙ୍କଠାରୁ ଥିଲେ ଯଥେଷ୍ଟ ଆଗରେ । ସେ ସମୟରେ କଟକଣାର ଦୃଢ଼ ପ୍ରାଚୀର ଭାଙ୍ଗି, ପରମ୍ପରା ଆଉ ରୀତିନୀତିର ବହଳିଆ ଆସ୍ତରଣକୁ ଆଡ଼େଇ ପୁରୁଷ ପ୍ରାଧାନ୍ୟ ସମାଜରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ଥିଲା ଆଜିର ସମୟଠାରୁ ଯଥେଷ୍ଟ କଷ୍ଟକର ।” ପ୍ରବକ୍ତା ଉତ୍ତର ଦେଲେ ଆଉ ବିଦାୟ ନେଉଥିବା ସମୟରେ ଗୁଣୁଗୁଣଉ ଥିଲେ ପଦେ ସୁନ୍ଦର କବିତା;
“ନୁହେଁ ସେ ଦୁର୍ବଳା, ଅବଳା ସବଳା
ବିଜୁଳି ସମ ସେ ଉଜ୍ୱଳା ଚଞ୍ଚଳା
ସିଂହପରେ କେବେ ସଂହାରିଣୀ ସାଜେ
ପୁଣି କେବେ ସିଏ କୋମଳ କମଳା ।”
ଏ ସଂଖ୍ୟାର ସମସ୍ତ ଲେଖକ ଲେଖିକାମାନଙ୍କୁ ସେମାନଙ୍କର ସୁନ୍ଦର ଲେଖା ପାଇଁ ଶୁଭେଚ୍ଛା ।
ଆନ୍ତର୍ଜାତିକ ମହିଳା ଦିବସର ଆଗୁଆ ଶୁଭେଚ୍ଛା ଓ ଶୁଭକାମନା ସହ
ଜୟ ଜଗନ୍ନାଥ !!!
Comments
ତାପସ ରଞ୍ଜନ ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ସହ-ସମ୍ପାଦକ ଏବଂ ସେ ବିଭିନ୍ନ ଆଧ୍ୟାତ୍ମିକ ତଥା ସାମାଜିକ କଥାବସ୍ତୁ ଉପରେ ଗପ, କବିତା, କାହାଣୀ ଆଦି ରଚନା କରନ୍ତି ।