ନୀଳାଦ୍ରୌ ଶଙ୍ଖମଧ୍ୟେ ଶତଦଳ କମଳେ ରତ୍ନ ସିଂହାସନସ୍ଥମ୍…
ସର୍ବାଳୋଙ୍କାର ଯୁକ୍ତ ନବଘନ ରୁଚିରେ ସଂଯୁକ୍ତମଚାଗ୍ରଜେନ ଭଦ୍ରାୟ ବାମଭାଗେ ରଥଚରଣ ଯୁଥମ…
ବ୍ରହ୍ମରୁଦ୍ରେନ୍ଦ୍ରଗମ୍ୟମ ବେଦାନାମ ସାରମିଶମ୍ ସ୍ୱଜନ ପରିବୃତମ୍…
ବ୍ରହ୍ମଦାରୁମ୍ ନମାମି… ବ୍ରହ୍ମଦାରୁମ ସ୍ମରାମି… ବ୍ରହ୍ମଦାରୁମ ପ୍ରତ୍ୟୟାମି…
ଜଗାରେ…ସତ କହ ତ… କ’ଣ ମୁଁ ତୋ’ ବିଷୟରେ କିଛି ଲେଖି ପାରିବି କି? ତୁ ତ ଅବ୍ୟକ୍ତ… କିନ୍ତୁ ବ୍ୟକ୍ତ ହେଇଯାଉ ଯେତେବେଳେ ତୋ’ର ଇଚ୍ଛା ହୁଏ । ତେବେ କହ ମୁଁ ଇଚ୍ଛା କରି ତୋତେ ଶବ୍ଦରେ କିପରି ବର୍ଣ୍ଣନା କରି ପାରିବି? ଯଦି ତୁ ଇଚ୍ଛା କରୁ ତେବେ ସିନା ଯାଇ କିଛି ଲେଖିହେବ…!!?? ଆଉ ତୁ ଶବ୍ଦରେ ନୁହଁ ଭାବରେ ବନ୍ଧା । ଭାବରେ ହିଁ କେବଳ ବ୍ୟକ୍ତ ହୋଇପାରୁ… ତେବେ କେଉଁ ଶବ୍ଦର ସାହାରା ନେଇ ମୁଁ ତୋ’ ବିଷୟରେ ଲେଖିବି କହ…!!??
ତୁ ଅନନ୍ତ… ତୋ’ର ଆଦି ନାହିଁ କି ଅନ୍ତ ବି ନାହିଁ । ତେବେ କହ ତୋ’ କଥା ବିଷୟ କେଉଁଠୁ ଆରମ୍ଭ କରି ପାରିବି? ସେହି ଦିନରୁ… ଯେଉଁ ଦିନ ସୃଷ୍ଟି ସଂରଚନା ହୋଇଥିଲା ନା ସେଦିନଠାରୁ ଯେଉଁଦିନ ପ୍ରଳୟ ହୋଇଥିଲା?? ସେହି ଦିନଠାରୁ ଯେଉଁ ଦିନ ପ୍ରାଣ ଜୀବିତ ହୋଇଥିଲା ନା ସେହି ଦିନଠାରୁ ଯେଉଁଦିନ ମୃତ୍ୟୁ ତୋ’ ପାଦପଦ୍ମ ତଳେ ଲୀନ ହୋଇଯାଇଥିଲା!!??
ମତ୍ସ୍ୟ, କଚ୍ଛପ, ବରାହ, ନୃସିଂହ, ବାମନ, ରାମ, ପର୍ଶୁରାମ, ବଳରାମ କିମ୍ବା ବୁଦ୍ଧ ଅବତାର ପରେ ସମ୍ଭାବ୍ୟ କଳ୍କୀ ଅବତାର… କହ ତୁ କେଉଁଠି ନାହୁଁ ଆଉ କହ ତୋ’ ବିନା ଆଉ କିଏ ବା କେଉଁଠି ଅଛି? ତୁ ହିଁ କ୍ଷୀରସାଗର ଉପରେ ଅନନ୍ତ ଶୟନରେ ରହି ବ୍ରହ୍ମଦେବଙ୍କୁ ନିଜ ନାଭିଦେଶରେ ଧାରଣ କରିଛୁ ନା? ତୁ ହିଁ ବାରମ୍ବାର ରୂପ ବଦଳେଇ ଭକ୍ତର ରକ୍ଷା ପାଇଁ ଅବତାର ନେଇ ନେଇ ଆଜି ଅବତାରୀ ହୋଇଛୁ ନା? ତେବେ ତୋ’ ବିଷୟ କହ କେଉଁଠାରୁ ଆରମ୍ଭ ହୋଇଛି…!!??
ତଥାପି କାଳିଆ… ଦ୍ଵାପର ଅବସାନ ପରେ କଳିଯୁଗ ଆରମ୍ଭ ହୋଇଛି ଆଉ ତୁ ଏଇ କଳିଯୁଗର ଦିଅଁ ହୋଇ ଧରାପୃଷ୍ଠରେ ବିରାଜମାନ କରିଛୁ । ତେଣୁ ସେହି ଦ୍ଵାପର ଯୁଗର ଅନ୍ତଠାରୁ ହିଁ ତୋ’ ଅଲୌକିକ କଥାବସ୍ତୁ ଉପରେ କିଛି ଆଲୋକପାତ କଲେ ବୋଧେ ଗ୍ରହଣୀୟ ହେବ…!!??
ମହାଭାରତ ମହାଯୁଦ୍ଧର ପରିସମାପ୍ତି ଘଟେଇ, ଧରା ବକ୍ଷରେ ପୁଣ୍ୟର ପୁନରୁଦ୍ଧାର କରେଇ ସାରିବା ପରେ ତୁ… ବାସୁଦେବ ଶ୍ରୀକୃଷ୍ଣ… ମୁଣ୍ଡ ପୋତି ସହି ନେଇଥିଲୁ ମାତା ଗାନ୍ଧାରୀଙ୍କ ସେହି ନିଷ୍ଠୁର ଅଭିଶାପ…!! ସେଦିନ ଯୁଧିଷ୍ଠିରଙ୍କ ରାଜ୍ୟାଭିଷେକ ଥିଲା । ତୋ’ ପୁଣ୍ୟ ହାତରୁ ସେ ମୁକୁଟ ଧାରଣ କରିବା ଅବସରରେ ମାତା ଗାନ୍ଧାରୀ ଆସି ରାଜସଭାରେ ପ୍ରବେଶ କରିଥିଲେ ।ଆଉ ନିଜ ଶତପୁତ୍ରଙ୍କୁ ହରେଇଥିବା ଅଭାଗୀ ଜନନୀ ହିସାବରେ ତୋ’ ଆଡ଼େ ନିଜ କ୍ରୋଧର ତୀକ୍ଷ୍ଣ ବର୍ଚ୍ଛା ଚଲେଇ ଗାନ୍ଧାରୀ କହିଥିଲେ… ଯେପରି ସେ ନିଜ ସନ୍ତାନଗଣଙ୍କୁ ହରେଇ ସାରି ନିର୍ବଂଶ ହୋଇ ଏକୁଟିଆ ବିଳାପ କରୁଥିଲେ… ଠିକ୍ ସେହିପରି ତୁ ମଧ୍ୟ ଅଚିରେ ନିଜ ବଂଶ ଧ୍ଵଂସ ହେବା ବିଭତ୍ସ ରୂପର ମୁକସାକ୍ଷୀ ହୋଇ ଏକାକୀ ଜୀବନ ହାରିବୁ…!!
କେତେ କେତେ ବୀର ଜୀବନ ହରାଇଥିଲେ ସେହି ମହାଯୁଦ୍ଧରେ…!! ସମସ୍ତଙ୍କ ପ୍ରାଣରେ ରହି ସେମାନଙ୍କ କଷ୍ଟକୁ ଅଙ୍ଗେ ନିଭାଇ ମଧ୍ୟ ତୁ କିଛି କହିଲୁ ନାହିଁ । ସେମିତି ରଙ୍ଗ ଅଧରେ ଟିକେ ବାଙ୍କୁଆ ହସ ହସି ଦେଲୁ, ଯେମିତି ହସି ଦେଉ ତୁ ଯଶୋଦା ମା’ ଲବଣୀ ଚୋରେଇ ଖାଇବା ପରେ ଯେତେବେଳେ ତୋ’ କାନ ଧରି ତୋତେ କିଛି କହି ଦେଉଥିଲେ…!! ସେମିତି ଅଳପ ହସ ହସିଦେଲୁ ଯେମିତି ତୁ ହସି ଦେଉଥିଲୁ ଯେତେବେଳେ ଗୋପୀଗଣ ତୋତେ ମନଇଚ୍ଛା ଗାଳି ଦେଉଥିଲେ କି ଅନ୍ୟମାନେ ମଧ୍ୟ ତୋତେ ଛଳିଆ, ରଣଛୋଡ଼ କି ଦଗାଦିଆ କାହ୍ନୁ କହି ଆକ୍ଷେପ କରି ଦେଉଥିଲେ…!! ତୋତେ ସତରେ କେବେ ଦୁଃଖ ଲାଗେନା ନା ଭକ୍ତ କିଛି କହିଦେଲେ…?? ଜାଣିଥିଲୁ ତୁ…ମାତା ଗାନ୍ଧାରୀଙ୍କ ଅଭିଶାପ କେବଳ ଏକ ମାଧ୍ୟମ ଥିଲା…ତୋ ମହାଲୀଳାର ଏକ ଅଂଶ ବିଶେଷ ଥିଲା…!! ଠିକ୍ ଯେମିତି…ଅଭିମନ୍ୟୁର ବଧ ଆଉ ପରୀକ୍ଷିତଙ୍କ ଜନ୍ମ…!!
କୁରୁକ୍ଷେତ୍ର ରକ୍ତରଞ୍ଜିତ ହୋଇ ଯାଇଥିଲା ନବଯୁବକ ଅଭିମନ୍ୟୁର ନିର୍ମମ ହତ୍ୟା ସହିତ ଆତ୍ମୀୟ ମାନଙ୍କ ହାତରେ କ୍ରୁର ଭାବରେ ଅମାନୁଷିକ ମୃତ୍ୟୁକୁ ସାମ୍ନା କରିଥିଲା ସେହି ବାଳକ ଯିଏ ତୋ’ର ଭଣଜା, ତୋ’ର ଶିଷ୍ୟ ଆଉ ତୋ’ର ହୃଦୟର ଏକ ଅଭିବାଜ୍ୟ ଅଂଶ ଥିଲା !! ତା’ର ପ୍ରତ୍ୟେକ ବିକଳ ଚିତ୍କାର ତୋ’ ଆତ୍ମାରୁ ହିଁ ତ ବାହାରୁଥିଲା…!! କିନ୍ତୁ ଧର୍ମ ସଂସ୍ଥାପନରେ ଏହି ବିନାଶ ଲୀଳା ଅତ୍ୟାବଶ୍ୟକ ଥିଲା । ତେଣୁ ତ ତୁ ସେଦିନ ମଧ୍ୟ ମୌନ ରହି ସହି ଯାଇଥିଲୁରେ କାଳିଆ…!! ଅଶ୍ଵତ୍ଥାମା ଯେତେବେଳେ ନୃଶଂସ ହୋଇ ଦ୍ରୌପଦୀଙ୍କର ପାଞ୍ଚ ନିରୀହ ପୁତ୍ରଙ୍କୁ ହତ୍ୟା କରିଥିଲା ତୋ ଆଖିରୁ ଅଗ୍ନି ବର୍ଷା ହୋଇଥିଲା ଆଉ ବ୍ରହ୍ମାସ୍ତ୍ର ପ୍ରେରଣ କରି ସେ ଉତ୍ତରାର ଗର୍ଭ ନଷ୍ଟ କରିବାକୁ ଉଦ୍ୟମ କରିବା ପରେ ନିଜ ଜୀବନର ସମସ୍ତ ପୁଣ୍ୟଫଳକୁ ଦେଇ ତୁ ବଞ୍ଚେଇ ଦେଇଥିଲୁ ନା ପରୀକ୍ଷିତକୁ?? ସେହି ପରୀକ୍ଷିତକୁ… ଯାହାଙ୍କ ଦ୍ଵାରା କଳିଯୁଗର ପ୍ରାରମ୍ଭ ହୋଇଥିଲା ତୋ’ର ଏହି ସଂସାରରେ? ଅନ୍ୟାୟ ଦେଖି ସହି ତୁ ଚୁପ୍ ରହିଛୁ କେବଳ ଜଗତର କଲ୍ୟାଣ ପାଇଁ । ଆଉ ଆଜି କେମିତି ତୁ ପ୍ରତିବାଦ କରିଥାନ୍ତୁ? ତେଣୁ ଆଜି ମଧ୍ୟ ଚୁପ୍ ହୋଇ ସହିଗଲୁ ଗାନ୍ଧାରୀଙ୍କ ଅଭିଶାପ… ତୋ’ ବଂଶ ନଷ୍ଟ ହେବାର ଦାରୁଣ ଭବିଷ୍ୟତକୁ ସ୍ଵୀକାର କରିନେଲୁରେ କାଳିଆ…!! ଧନ୍ୟ ତୋ ନ୍ୟାୟ… ଧନ୍ୟ ତୋର ତ୍ୟାଗ…!!
ସେହି ଅଭିଶାପ ଫଳବତୀ ହେବା ପାଇଁ ବୋଧେ ସେଦିନ ଶାମ୍ବ ମନରେ ସେପରି ବିକାର ଭାବ ଉତ୍ପନ୍ନ ହୋଇଥଲା…!! ଋଷିମାନଙ୍କର ସିଦ୍ଧ ଶକ୍ତି ପରୀକ୍ଷଣ ଇଚ୍ଛା କ’ଣ ଖାଲିଟାରେ କେହି କରିପାରେ କି? ତାହା ମଧ୍ୟ ତୋ’ ବଂଶଧର ହୋଇ? ଶାମ୍ବ ଏକ ଅସନ୍ନପ୍ରସବା ନାରୀ ବେଶରେ ସଜ୍ଜିତ ହୋଇ ମୁନିଋଷି ଗହଣକୁ ଆସିଥିଲା ଆଉ ଅନ୍ୟ ଯାଦବମାନେ ସେହି ମିଥ୍ୟା ଗର୍ଭର ଆଗତ ଭବିଷ୍ୟତ ଜାଣିବାକୁ ଚାହିଁଥିଲେ… ତ୍ରୀକାଳଦର୍ଷୀ ମହାତ୍ମା ସବୁ ଜାଣିପାରି ଅଭିଶାପ ଦେଇଥିଲେ… ସେହି ଗର୍ଭଜାତ ହିଁ ଯାଦବ ବଂଶ ଧ୍ୱଂସର କାରଣ ହେବ…!!
ଦୁନିଆ ସାରା ଲୋକଙ୍କୁ ସତଶିକ୍ଷା ଦେଇ ତୁ ଗୀତାଜ୍ଞାନ ବାଣ୍ଟି ଚାଲିଥିଲା ବେଳେ ତୋ’ ନିଜ ବଂଶୋଜ କିପରି ଏତେ ଅସତ୍ ପଥରେ ଚାଲି ପାରିଲେ କାଳିଆ? କେବେ କ’ଣ ତୁ ସେମାନଙ୍କୁ ସତ ରାସ୍ତାରେ ଆସିବାକୁ ପ୍ରେରଣା ଦେଇନୁ କି ନିର୍ଦ୍ଦେଶ ଦେଇନୁ? ନା ସେମାନଙ୍କ ଉତ୍ସୃଙ୍ଖଳତା ଦେଖି ସେମାନଙ୍କୁ ଦଣ୍ଡ ଦେବାକୁ ଉଦ୍ୟମ କରିନୁ ସତ କହ…!! କଳୁଷିତ ବାତାବରଣ ମଧ୍ୟରେ କଳୁଷିତ ଭାବ ଗ୍ରାସ କରିବା ଫଳରେ ଯାଦବମାନେ ପରସ୍ପର ଯୁଦ୍ଧ କରିବା ପ୍ରାୟ ସ୍ଥିତି ଉତ୍ପନ୍ନ ହେଲା । ଯାହା ତୋତେ ଭୀଷଣ ମାନସିକ ଯନ୍ତ୍ରଣା ଦେଲା । ସେଥିପାଇଁ ତ ନିଜ ସମୃଦ୍ଧ ଦ୍ୱାରକା ନଗରୀକୁ ଜଳ ପ୍ଲାବିତ କରେଇ ଦେଇ ନିଜ ଥକି ଯାଇଥିବା ଶରୀରଟାକୁ ଟିକେ ଲମ୍ବେଇ ଦେଲୁ ଶିଆଳି ଲତାର ମୂଳରେ…!!
କ’ଣ ଭାବି ଚାଲିଥିଲୁ କାଳିଆ? ଗୋଡ଼ ଲମ୍ବେ଼ଇ ଆଖି ଅଧା ବନ୍ଦ କରି କ’ଣ ଭାବୁଥିଲୁ କି କିପରି ତୋ’ ଜନ୍ମ ଆଗରୁ ହିଁ ତୋ’ ପିତାମାତା କିପରି ବନ୍ଦୀଗୃହରେ ରହି ଦିନରାତି ଲୁହ ଝରେଇ ତୋ’ ଆସିବା ବାଟକୁ ଚାହିଁ ରହିଥିଲେ…!! କେବେ ତୁ ଜନ୍ମ ହେବୁ ଆଉ କେବେ ସେମାନଙ୍କ ଦୁଃଖ ଦୂର ହେବ? ସେହି ଅମୃତ ବେଳାରେ ଅର୍ଦ୍ଧରାତ୍ରିରେ ବନ୍ଦୀଶାଳା ଉଜ୍ୱଳ କରି ଦେବକୀ ମାତାଙ୍କ ଗର୍ଭରୁ ଜନ୍ମ ନେଲୁ ତୁ… ହେଲେ ତୁ କ’ଣ ସେମାନଙ୍କୁ ରକ୍ଷା କରିଥାନ୍ତୁରେ?? ବସୁଦେବ ତ ତୋତେ ରକ୍ଷା କରିବା ପାଇଁ ଟୋକେଇ ଭିତରେ ସାଇତି ରଖି ନେଇଗଲେ ନା ନନ୍ଦପୁରକୁ…!!
ଯମୁନା ବାଟରେ ବାଟ ଓଗାଳିଲା ହେଲେ ତୋ’ ପ୍ରତିଶ୍ରୁତି ପାଇ ଦି’ଭାଗ ହେଲା । ତାକୁ ଧୀରେ କହି ଦେଇଥିଲୁ ନା ତୁ ଯେ ତା’ କୂଳରେ ତୋ’ର ଦିବ୍ୟଲୀଳା ସମ୍ପାଦନ କରିବୁ…!!ଗୋପପୁର ପୂରି ଉଠିଥିଲା ତୋ’ ଆଗମନରେ… ସବୁଠି ଖୁସିର ବାତାବରଣ ଥିଲା ବେଳେ ତୁ କିନ୍ତୁ ଭାବି ଚାଲିଥିଲୁ କିପରି କଂସ ପଠେଇଥିବା ଅସୁରମାନଙ୍କୁ ବିନାଶ କରି ତୋ’ର ବାଲ୍ୟଲୀଳା ଦେଖେଇବୁ…!!??
ନନ୍ଦବାବାଙ୍କ ଅଭୟ, ଯଶୋଦା ମାଆଙ୍କ ସ୍ନେହ ପରଶ ସହିତ ଭାଇ ବଳରାମଙ୍କ ସହଯୋଗ ଆଉ ରାଧାରାଣୀର ପ୍ରେମଭାବ ତୋ’ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ଥିଲା । କୁଆଡ଼େ ଗଲା କାଳିଆ ବୃନ୍ଦାବନର ସେ ଖେଲୁଆଡ଼ ଭାବ…!! ସେ ଲବଣିଚୋରା ଆଉ ସେ ରାସଲୀଳା? ଜୀବନର କଟୁସତ୍ୟ ତୋତେ ଟାଣି ଆଣିଲା କର୍ତ୍ତବ୍ୟ ଭୂଇଁକୁ…!! ଏଇଠି କେବଳ ନ୍ୟାୟ ସତ୍ୟ ଧର୍ମ ଅପେକ୍ଷା କରିଥିଲେ ମୁକ୍ତ ହେବାକୁ । ଆଉ ସେଇଥିପାଇଁ ତୋତେ ରଚିବାକୁ ହୋଇଥିଲା ଏ ବିନାଶ ଲୀଳା…!!
କଂସବଦ୍ଧ ପରେ ଆରମ୍ଭ ହୋଇଥିଲା ଏକ ଭିନ୍ନ ଅଧ୍ୟାୟ । ଗୋକୁଳର ସେହି ଚପଳ ଶିଶୁ ଦ୍ଵାରକାନଗରୀ ପ୍ରତିଷ୍ଠା କରିଥିଲା । ଯାଦବମାନଙ୍କୁ ଉଚିତ ସମ୍ମାନ ଆଉ ମର୍ଯ୍ୟାଦା ଦେବା ପାଇଁ ଭବ୍ୟ ନଗର ସ୍ଥାପନା କରି ମଧ୍ୟ ରାଜା ହୋଇନଥିଲୁ ତୁ…!! କିନ୍ତୁ ସେହି ରାଜ୍ୟ ମଧ୍ୟ ପରିତ୍ୟାଗ କରି ଛୁଟି ଆସିଥିଲୁ କୁରୁକ୍ଷେତ୍ରକୁ…!! ପାଞ୍ଚାଳୀ ବସ୍ତ୍ରହରଣ ସହିତ ଜତୁଗୃହ ବିଧ୍ୱଂଶ ଏବଂ ଅନ୍ୟାନ୍ୟ ଅନ୍ୟାୟ ତୋତେ ବାଧ୍ୟ କରି ଦେଇଥିଲା ଏହି ମହାଯୁଦ୍ଧ ରଚନା କରିବାକୁ…!! କହିଲୁ କାଳିଆ… ସାତ ଦିନର ଶିଶୁ ହୋଇ ପୁତନା ପରି ରାକ୍ଷସୀକୁ ଯିଏ ଅଚିରେ ମୃତ୍ୟୁ ଦେଇଥିଲା ସେ କ’ଣ ଚାହିଁଥିଲେ ଦୁର୍ଯ୍ୟୋଧନକୁ ଉଚିତ ଶିକ୍ଷା ଦେଇ ପାରି ନଥାନ୍ତା? କିନ୍ତୁ ତୁ କହିବା କଥା ପୂରା ଅଲଗା ଥିଲା । ଧର୍ମ ସ୍ଥାପନ ପାଇଁ ଅଧର୍ମ ନାଶ ହେବା କେବଳ ଏକ ସଂହାରଲୀଳା ମାଧ୍ୟମରେ ସମ୍ଭବ ଥିଲା…!! ଆଉ ସେଇଥିପାଇଁ ଭାଇ ବନ୍ଧୁ କୁଟୁମ୍ବ ପରସ୍ପର ସହିତ ମହାଯୁଦ୍ଧ କରି ନିଜ ନିଜ ପରମଗତି ଲାଭ କରିବା ପରେ ଯାଇ ତୁ ଫେରି ଯାଇଥିଲୁ ଦ୍ୱାରକାକୁ…!!
ଆଛା କହିଲୁ କାଳିଆ… ଏଇ ସବୁ ଲୀଳା ସହିତ ଶାମ୍ବ ହାତରେ ହୋଇଥିବା ଅପରାଧକୁ କାହିଁକି ଯୋଡ଼ିଦେଲୁରେ…? ସେତିକି କ୍ଷମା କରିଦେଇଥିଲେ ତ…
କ୍ରମଶଃ…
– ମଧୁମିତା ମିଶ୍ର
Comments
ମଧୁମିତା ମିଶ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।