ରସାୟନ ବିଜ୍ଞାନରେ ପି.ଏଚ୍.ଡି ପାଇଁ ବୋଷ୍ଟନ୍ ବିଶ୍ୱବିଦ୍ୟାଳୟରେ ପଢ଼ିବାର ସୁଯୋଗ ପାଇଲି, ଖୁସିରେ ଗୋଡ଼ ତଳେ ଲାଗୁନଥାଏ; ଯଥା ଶୀଘ୍ର ଉନିଭର୍ସିଟିରେ ଜଏନ୍ କଲି । ସବୁକିଛି ସ୍ୱପ୍ନିଳ ଲାଗୁଥାଏ । ସବୁଦିନ ହଷ୍ଟେଲରୁ ବସ୍ ଧରି ଉନିଭର୍ସିଟି ଯାଏ ଆଉ ସନ୍ଧ୍ୟାରେ ଫେରେ । ପାଠପଢ଼ା ପାଇଁ ସ୍କଲାର୍ସିପ୍ ମଧ୍ୟ ପାଉଥାଏ; ମୋଟ ଉପରେ ମୁଁ ମୋର ସ୍ୱାବଲମ୍ବୀ ହେବାକୁ ଖୁବ ଉପଭୋଗ କରୁଥାଏ ।
କିଛି ଦିନ ପରେ ମୋ ଜୀବନ ପରିଧିରେ ଭିକ୍ଟର୍ ଆସିଲା । ଇଉନାଇଟେଡ୍ କିଙ୍ଗ୍ଡମ୍ର ପିଲା, ମୋତେ ବହୁତ ଭଲ ଲାଗେ ସେ । ଧୀରେ ଧୀରେ ତା’ ସହ ଅନ୍ତରଙ୍ଗତା ବଢ଼ୁଥାଏ, ଲାଗୁଥାଏ ସେ ହିଁ ମୋର ଉପଯୁକ୍ତ ଜୀବନସାଥୀ ଯାହାକୁ ଏତେଦିନ ଧରି ଖୋଜୁଥିଲି । ସେଦିନ ଲ୍ୟାବ୍ରେ ଡେରି ହୋଇଗଲା; ରାତି ହେଇଅସୁଥାଏ ଆଉ ମୁଁ ବସ୍ଷ୍ଟପ୍ରେ ଏକା ବସିଥାଏ । ହଠାତ ମୁହଁ ମୋବାଇଲ୍ରୁ ଉଠାଇବା ବେଳକୁ ଦେଖିଲି ଅତି ସୁନ୍ଦର ଝିଅଟିଏ ମୋ ସାଙ୍ଗରେ ବେଞ୍ଚରେ ବସିଛି ।
ସେ କେତେବେଳେ ଆସିଗଲା ମୁଁ ଜାଣି ବି ପାରିଲିନି, ସେଥିପାଇଁ ଟିକେ ଚମକିଗଲି ସତ, କିନ୍ତୁ ତା’ର ଚେହରାରେ ଗୋଟେ ଚୁମ୍ବକୀୟ ଆକର୍ଷଣ । ମୋବାଇଲ୍ର ନେଟୱର୍କ ବି ଚାଲିଗଲା ଠିକ ସେତିକିବେଳେ ଆଉ ପରିବେଶ ପୁରା ହେମାଳ ହେଇଗଲା, ଲାଗିଲା କାଳେ ସ୍ନୋ-ଷ୍ଟର୍ମ୍ ଆସୁଥିବ, କିନ୍ତୁ ଆକାଶ ପରିଷ୍କାର ଥାଏ । ଆମେ ଦୁଇଜଣ ଗପିବା ଆରମ୍ଭ କଲୁ । ସେ ବି ୟୁନିଭର୍ସିଟିରେ ପଢ଼େ ଆଉ ସବୁଦିନ ଏଇ ସମୟରେ ତା’ କାମ ସରେ ।
ଅଳ୍ପ ଦିନ ଭିତରେ ଆମେ ଘନିଷ୍ଠ ହୋଇଗଲୁ, ସେ ତା’ର ସବୁ କଥା ମୋତେ କହେ, ମୁଁ ବି ଭିକ୍ଟର କଥା ତାକୁ କହିଥାଏ । ସେ ତା’ କଥା ଶୁଣିଲେ ସବୁବେଳେ ଚୁପ ହେଇଯାଏ, କିଛି କହେନି । ମୋତେ କିନ୍ତୁ ଗୋଟେ କଥା ସବୁବେଳେ କହେ, “ଅଜଣା ଲୋକଙ୍କୁ କେବେ ବି ବିଶ୍ୱାସ କରିବୁନି, ମୁଁ ବହୁତ ଅନୁତପ୍ତ ସେମିତି କରି ।” ତା’ କଥା ଅନୁସାରେ ଧୀରେ ଧୀରେ ମୁଁ ଭିକ୍ଟରଠାରୁ ଦୂରତା ରଖିବାକୁ ଚେଷ୍ଟା କରୁଥାଏ ଆଉ ଫଳସ୍ୱରୂପ ସେ ଅତି ପ୍ରତିକ୍ରିୟାଶୀଳ ହେଉଥାଏ ଓ ତା’ର ଅସଲି ସ୍ୱରୁପ ମୋ ଆଗକୁ ଅଧିକ ଅଧିକ ସଫା ହେଇ ଆସୁଥାଏ ।
ସେ ମୋତେ ଏବେ ମାନସିକ ଭାବରେ ବହୁତ କଷ୍ଟ ଦେବା ଆରମ୍ଭ କରିଦିଏ; କିଛି ମିଥ୍ୟା ଗୁଜବ ବି ମୋ ନାଁରେ ଉଡ଼ିବା ଆରମ୍ଭ ହେଇସାରିଥାଏ ଆଉ ଏ ସବୁ ମୂଳରେ କିଏ ମୁଁ ଭଲ ଭାବରେ ଜାଣିଥାଏ । ତା’ର ଛଦ୍ମମୁଖା ମୋ ଆଗରେ ସମ୍ପୂର୍ଣ୍ଣ ଖୋଲିସାରିଥାଏ ଆଉ ମୁଁ ଜେନିକୁ ଏଥିପାଇଁ ଧନ୍ୟବାଦ ଦେଉଥାଏ । ସେଦିନ ଲ୍ୟାବ୍ କାମରେ ଏତେ ଡେରି ହେଇଗଲା ଯେ ମୁଁ ଦଉଡ଼ି ଦଉଡ଼ି ବସ୍ ଧରିବାକୁ ଗଲି କିନ୍ତୁ ସବୁ ବସ୍ ଯାଇସାରିଥାଏ । ହଠାତ ଦେଖିଲି ଜେନି ତଳେ ବେଞ୍ଚ ପାଖରେ ପଡ଼ିଛି, ପାଖରେ ବହୁତ ଗୁଡ଼ିଏ ବଟିକା ବିଛାଡ଼ି ହୋଇ ପଡିଛି ।
ସଙ୍ଗେ ସଙ୍ଗେ ତାକୁ ଧରିଲି, ଦେହ ତା’ର ପୁରା ଥଣ୍ଡା, ଜୀବନ ନଥାଏ । ନିଦବଟିକାର ଗୋଟିଏ ବୋତଲ ଆଉ ଗୋଟେ ଫୋଟୋଗ୍ରାଫ୍ ସେଠି ପଡ଼ିଥାଏ, ଫୋଟୋ ଟି ଦେଖିଲି ଭିକ୍ଟରର ଥିଲା; ଟିକେ ଆଶ୍ଚର୍ଯ୍ୟ ଲାଗିଲା । ସେତେବେଳକୁ ବିକଳ ହୋଇ ଲିଫ୍ଟ ମାଗୁଥାଏ ମୁଁ, କିନ୍ତୁ ଗୋଟେ ବି ଗାଡ଼ି ଏତେ ରାତିରେ ରାସ୍ତାରେ ଯାଉ ନଥାଏ । ହଠାତ ଗୋଟେ ଗାଡ଼ି ଅଟକିଲା, ଜଣେ ବୃଦ୍ଧା ଚଲାଉଥିଲେ, ଡାକିଲେ ବସିବାକୁ, ମୁଁ ବ୍ୟସ୍ତ ହୋଇ ଜେନି କଥା କହିଲି ସେ ବିସ୍ମିତ ହୋଇ ଦେଖିଲେ; କହିଲେ, “କୋଉଠି କିଏ ଅଛି? ତମେ ତ ଏଠି ଏକା ।” ପଛକୁ ବୁଲିଲି ସମ୍ପୂର୍ଣ୍ଣ ଏକା ମୁଁ । ତେବେ ସେ ନିଦବଟିକା ସେ ଫୋଟୋଗ୍ରାଫ ଆଉ ଏତେ ଦିନର ବନ୍ଧୁତା, ଜେନିର ମୃତ ଶରୀର କ’ଣ ମୋର ଭ୍ରମ ଥିଲା? ଚୁପ୍ଚାପ୍ ଗାଡ଼ିରେ ବସିଲି, ଗାଡ଼ି ଡୋର୍ ବନ୍ଦ କଲା ବେଳେ ନଜର ପଡ଼ିଲା ପାଖ ଇଲେକ୍ଟରୀ ପୋଲ ଉପରେ, ଯେଉଁଥିରେ ଲାଗିଥିଲା ଜେନିର ଫୋଟୋ ଆଉ ତଳେ ଲେଖା ହେଇଥିଲା RIP ।
ପରେ ଜାଣିଲି ଜେନି ସେହି ଜାଗାରେ ୪ ବର୍ଷ ତଳେ ନିଦାବଟିକା ଖାଇ ଆତ୍ମହତ୍ୟା କରିଥିଲା, କାରଣ କ’ଣ କେହି ଜାଣିନଥିଲେ । କିନ୍ତୁ ମୁଁ ଜାଣିଥିଲି କାହିଁକି । ଆଉଥରେ ମୋ ପ୍ରିୟ ବାନ୍ଧବୀକୁ ଭେଟିବାକୁ ବିକଳ ହେଉଥିଲି ଶେଷ ଦେେଖାର ଅସମ୍ପୂର୍ଣ୍ଣତାକୁ ପୂୂର୍ଣ୍ଣ କରିବାକୁ ।
– ସୌମ୍ୟା ରଥ
Comments
ସୌମ୍ୟା ପ୍ରିୟଦର୍ଶିନୀ ରଥ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗଳ୍ପ ରଚନା କରିଥାନ୍ତି । ସେ ମୁଖ୍ୟତଃ ଭୂତ ଗପରେ ଲୋକପ୍ରିୟତା ଅର୍ଜନ କରିଛନ୍ତି । ତାଙ୍କ ରଚିତ ଗପଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନିତ ହେବା ସହିତ ପାଠକୀୟ ଆଦୃତି ଲାଭ କରିଛି । ସେ ଭୂତ ଗପ ବ୍ୟତୀତ ପ୍ରେମ ଭର ଗପ ତଥା ସାମାଜିକ ଚଳଣୀକୁ ନେଇ କିଛି କିଛି କ୍ଷୁଦ୍ର ଗପ ମଧ୍ୟ ରଚନା କରିଥାନ୍ତି ।