ସମ୍ପର୍କର ସନ୍ଧ୍ୟା ପବନ

samparakara-sandhya-pabana

ମନେପଡ଼ୁଛି ! ବୋହୂ ବୋହୂକା ଖେଳୁଥିଲେ ପିଲାବେଲେ,
ନଦୀ ବାଲିର ଶଯ୍ୟା ଉପରେ ଜହ୍ନ ଆଲୁଅ ତଳେ,
ଖେଳ ଶେଷରେ, କଥା ମଝିରେ, ସରିଲା ଯଦି କାହାଣୀ,
ସଞ୍ଜବନର ଥଣ୍ଡାପବନ ଢାଳୁଥିଲା ସଞ୍ଜିବନୀ,
ସାନ୍ଧ୍ୟ ପବନ ଓ ଆମ ସମ୍ପର୍କ କେତେ ସରସ ଥିଲା,
ସମାପିତ ଏକ ଅଧ୍ୟାୟ ପରି କୁଆଡ଼େ ଉଭେଇଗଲା । (୧)

ମନେପଡ଼ୁଛି ! କରିଥିଲେ ପବନର ନାମକରଣ,
ଡାକିବା କ୍ଷଣି ଆସିଯାଉଥିଲା ନେଇ ନିଜ ମନଯାନ ।
ତା’ର ଶୀତଳ ସ୍ପର୍ଶରେ ଥିଲା ଆବେଗର ଶିହରଣ,
ଆମ ଶାନ୍ତ ଏକ ନିଦ୍ରାର ସେ ହିଁ ଥିଲା କାରଣ,
ସମ୍ପର୍କର ଏକ ପ୍ରତୀକ ରୂପେ, ସାନ୍ଧ୍ୟ ପବନ ଥିଲା,
ସମାପିତ ଏକ ଅଧ୍ୟାୟ ପରି କୁଆଡ଼େ ଉଭେଇ ଗଲା । (୨)

ଆଜି ପୁଣି ମୁଁ ଯାଇ ପହଞ୍ଚିଲି, ସେହି ନଦୀର ପାଶେ,
ପୂର୍ବ ନାମିତ ନାମରେ ଡାକରେ ସାନ୍ଧ୍ୟ ପବନ ଆସେ,
ପହଞ୍ଚିଥିଲା ମୋ ପାଖରେ, ତା’କୁ ଚିହ୍ନି ମୁଁ ନ ପାରିଲି,
ବଦଳି ଗଲାଣି ଥଣ୍ଡା ପବନ, ଝାଞ୍ଜି ବହୁଛି ଖାଲି । (୩)

ନିଷ୍କପଟ ଶୀତଳତାରେ ଭରିଛି, ଆବିଳତାର ତାପ,
ଆହତ ଏକ ପ୍ରାଣୀ ପରି କରୁଅଛି ବିଳାପ,
ସମ୍ପର୍କ ରୂପି ବହିରେ ଏ ପବନ ପୃଷ୍ଠାପରି ଥିଲା,
ସମାପିତ ଏକ ଅଧ୍ୟାୟ ପରି କୁଆଡ଼େ ଉଭେଇଗଲା । (୪)

– ଅଭୟ କୁମାର ପଣ୍ଡା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...