ସାରା ଦେଶରେ ଲକ ଡାଉନ
ଘୋଷଣା ହେବ ପରେ ।
ଦିନ ସାରା ଘରେ ବସି
ସନ୍ଧ୍ୟାରେ ଜରୁରୀ କାମ ପାଇଁ
ଗାଆଁ ଛକକୁ ଯାଇ ଦେଖିଲି,
କାଲି ଯେଉଁ ଛକ
ଜନଗହଳିରେ ଲୋକରଣ୍ୟ ଥିଲା
ଆଜି ନିଶବ୍ଦ ସୁନଶାନ ।
ଭଙ୍ଗା ଚାଳିଆରେ
ବରା ଛାଣି ନିଜ ଗୁଜୁରାଣ
ମେଣ୍ଟାଉ ଥିବା ବୁଢ଼ୀ ମାଉସୀ
ଚିନ୍ତାମଗ୍ନ ଋଷି ପରି
କପାଳରେ ହାତ ଦେଇ ବସିଛି ।
ସତେ ଯେମିତି ତା’ ମୁଣ୍ଡରେ
ଚିନ୍ତାର ଚଡ଼କ ।
ପଚାରିଲି, “ମାଉସୀ
ଭଲ ଅଛୁ ତ?”
ବୁଢ଼ୀ ମାଉସୀ ଦରଦୀ
ସ୍ୱରରେ କହିଲା,
“ପୁଅ କେଉଁ ଦେଶରୁ ଏ ରୋଗ
ବଇରାଗ ଆସିଲା ଯେ,
ମୋ ପେଟରେ ଲାତ ମାରିଦେଲା ।”
ଏବେ ଖାଲି ସରକାର ବାହାଦୂର
ଆଉ ଭଗବାନ ହିଁ ସାହା ।
ନିରୀହ ବୁଢ଼ୀ ମାଉସୀର
ପଦିଏ କଥା ଆଙ୍କି ଦେଉଥିଲା
ତା’ ଅସହାୟତାର ଚିତ୍ର ।
ହଠାତ ଛକର ଆର ମୁଣ୍ଡରେ
ଦେଖା ହେଲା ମଧୁ ଦାଦା ସହ ।
ମଧୁ ଆମ ଏ ଖଣ୍ଡ ମଣ୍ଡଳର
ନାମକରା ଗୁପଚୁପବାଲା ।
ବିହାରର କେଉଁ ଉପାନ୍ତ ଅଞ୍ଚଳରୁ
ପେଟ ଚାଖଣ୍ଡ ପାଇଁ
ପଳେଇ ଆସିଥିଲେ ଓଡ଼ିଶା,
ସପରିବାର ସହ ।
ଗାଁ ଛକରେ ଗୁପଚୁପ ବିକି
ଚାରି ପ୍ରାଣୀଙ୍କ ପେଟ ପୋଷେ ।
ଦରଦୀ କଣ୍ଠରେ ପଚାରିଲି,
“ମଧୁ ଦାଦା ଆଉ ସବୁ ଭଲ ତ?”
ସେ କିଛି ଉତ୍ତର ନ ଦେଇ
ସେ ନିରବ ରହିଲା ।
ତା’ ନୀରବତା ଓ ଛଳଛଳ ଆଖିରୁ
ସ୍ୱତଃ ଭାବରେ ବାରି ହେଉଥିଲା
ତା’ ହୃଦୟର କୋହ ।
କିଛି ତେଜରାତି ସାମାନ ନେଇ
ଘରକୁ ଫେରୁଥିବା ବେଳେ ।
ଦେଖା ହେଲା ବାଲ୍ୟବନ୍ଧୁ
ଚଷା ପୁଅ ମାଧବ ସହ ।
ମୁଁ ଗାଆଁ ଛାଡ଼ିବାର ପ୍ରାୟ
ଦୀର୍ଘ ଦିନ ପରେ ତା ସହ ଭେଟ ।
ଇଚ୍ଛା ହେଉଥିଲା ମାଧବ ଭାଇକୁ
ଆଲିଙ୍ଗନ କରି କୁଣ୍ଡେଇ ଧରନ୍ତି ।
ହେଲେ ଇଛା ସତ୍ତ୍ୱେ ସେସବୁ
ସମ୍ଭବ ନ ଥିଲା ।
ପଚାରିଲି, “ମାଧବ
ଚାଷବାସ ସବୁ ଭଲ ତ”?
ସେ କିଛି କ୍ଷଣ ନିରବ
ରହି କହିଲା,
“ଏଥର କଲରା ବାଇଗଣ ରୋପିଥିଲା,
କେଟେ ଛନଛାନିଆ ହୋଇ ଫଳିଥିଲା ।
ମାତ୍ର ଏବେ ତ ବିକ୍ରିବଟା
ସବୁ ବନ୍ଦ ।
ଅଧା ପରିବା ପଚି ସାରିଲାଣି ।”
ପୁଣି ଦୃଢ଼ୋକ୍ତି ସହ କହିଲା
ସେ ଯାହା ହେଉ
“ଜିଇ ଥିଲେ ଜୀବିକା ।।”
ତା’ ପଦିଏ କଥା ସୁଚାଇ ଦେଉଥିଲା
ଗଣ୍ଡେ ଖାଇ ଦଣ୍ଡେ ବଞ୍ଚି
ସାରା ସମାଜକୁ ଅନ୍ନ ଯୋଗାଉ ଥିବା
ଚାଷୀ ପୁଅର ସାହସର ପରିଚୟ ।।
ଶେଷରେ ଭାବିଲି
ଏ ଲକ୍ ଡାଉନ୍ କରୋନା ପାଇଁ ସତ ।
ତା’ ସହ ନିରୀହ ଖଟିଖିଆ
ଭାଗ୍ୟର ଲକ୍ ଡାଉନ୍ ନୁହେଁ ତ??
– ଅଶ୍ୱିନି କୁମାର
Comments
ଅଶ୍ୱିନି କୁମାର ବାଗ ନବରଙ୍ଗପୁର ଜିଲ୍ଲାର ଚକଳାପଦର ଝରିଗାଁ ସ୍କୁଲରେ ଜଣେ ସରକାରୀ ଶିକ୍ଷକ ଭାବରେ କାର୍ଯ୍ୟରତ । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରନ୍ତି ।