ମା’ ମାଲୋ ଲକ୍ଷ୍ମୀ ମା’ ତୋତେ କୋଟି କୋଟି ପ୍ରଣାମ । ମା’ ମୁଁ ଲକ୍ଷ୍ମୀ । ମାନେ ମୋ’ ନାଁ ଲକ୍ଷ୍ମୀ । ତୁ ତ ନିଶ୍ଚୟ ଜାଣିଥିବୁ । ତୁ ସବୁ ଜାଣିଛୁ । ତୋଠୁ କେଉଁ କଥା ଅଛପା ଅଛି କହିଲୁ?ହେଲେ ମୋର ମଧ୍ୟ ପୁରୁଣା ଅଭ୍ୟାସ ଅଛି ନା । ତେଣୁ ନିଜ ପରିଚୟଟା ଟିକେ ଦେଇଦେଲି ।
ପରିଚୟ ମାନେ । ମୁଁ ବାପଘରେ ଅନ୍ୟ ଗୋତ୍ରରେ ପରିଚିତ ଥିଲି । ଆଉ ବିବାହ ପରେ ମୋର ଅନ୍ୟ ଗୋଟିଏ ଗୋତ୍ର ହୋଇଗଲା । ଖାଲି ଗୋତ୍ର ନୁହଁ ମୋ ସର୍ବନାମ ମଧ୍ୟ ବଦଳି ଯିବାରୁ ମୁଁ ଟିକେ ହଡ଼ବଡ଼େଇ ଯାଏ ନିଜ ନାଁ ହଠାତ୍ କହିଲା ବେଳେ । ପିଲାଦିନରୁ ଆଜିଯାଏଁ ଗୋଟିଏ ପ୍ରକାର କହୁଥିଲି, ଏବେ ଆଉ ଗୋଟିଏ କହିଲା ବେଳେ ଅସୁବିଧା ତ ହେବ ନା । ତେଣୁ ଖାଲି ନିଜ ପ୍ରଥମ ନାଁକୁ ଆଜି ପରିଚୟ ଭାବି ତୋତେ କହିଦେଲି । ତୁ ତ ମୋ ମା’ ନିଶ୍ଚୟ ମୋ କଥା ବୁଝି ପାରୁଥିବୁ ।
ମା’ ତୁ ତ ସମସ୍ତଙ୍କୁ ସମ ଦୃଷ୍ଟିରେ ଦେଖୁ । ହେଲେ ନାରୀମାନଙ୍କୁ ଏମିତି ହନ୍ତସନ୍ତ କରିବାକୁ ସୁଯୋଗ କାହିଁକି ଦେଉଛୁ ମା? ଦୁଇ କୂଳକୁ ସମ୍ଭାଳିବାକୁ ଯାଇ ନାରୀମାନେ ନିଜ କଥା ଭୁଲି ଯାଉଛନ୍ତି । ନାରୀର ସମ୍ମାନ ପାଇଁ ତୋ’ ତ୍ୟାଗ ଆଉ ସଂଘର୍ଷ ଗାଥା ଶୁଣି ଶୁଣି ମୁଁ ବଡ଼ ହେଇଛି । ହେଲେ ଏ ସମାଜରେ ନାରୀର ସ୍ଥାନ ତଥାପି କିଛି ବି ବଦଳିନି ମା’ । ତୁ ମୋ କଥା ବୁଝୁଛୁ ନା?
ତୋତେ କିଛି ବି ଅଜଣା ନାହିଁ । ତଥାପି, କହି ଦେଉଛି; ପିଲା ଦିନରୁ ତୋ’ ପୁରାଣ ମୁଁ ଶୁଣି ଆସିଛି । ଜଗନ୍ନାଥ ମହାପ୍ରଭୁ ତୋତେ ଘରୁ ବାହାରି ଯିବାକୁ କହିବାରୁ ତୁ ବାହାରିଗଲୁ । କାରଣ ଥିଲା ତୋ’ର ସମାନତା ଭାବ । ନୀଚ କି ଉଚ୍ଚ ବିଚାର ତୋ’ ମନରେ ନାହିଁ । ହେଲେ ଆଜି ଯଦି ଜଣେ ନିରାଶ୍ରୟୀ ନୀଚ ଜାତି ମହିଳାଙ୍କ ଉପରେ ଦୟା କରି ମୁଁ ତାଙ୍କୁ ଘର କାମ ପାଇଁ ଆଣି ରଖିଦେଲି । ଅପରାଧୀଟେ ହେଇଗଲି? ତାଙ୍କ ପୁଅବୋହୂ ତାଙ୍କୁ ଘରୁ ବାହାର କରି ଦେଇଛନ୍ତି ମା’ । ମୋ ମନ ବୁଝିଲା ନାହିଁ, କିଛି ହେଲେ କାମ କରି ସେ ନିଜ ପେଟ ପୋଷନ୍ତୁ ବୋଲି ଭାବି ଏତିକି କଲି । ହେଲେ ମୋ ଶାଶୁଘର ଲୋକେ କେତେ କଥା ମୋତେ କହିଲେ । ତୁ ବୁଝି ପାରୁଛୁ ନା ମାଆ?
ତୋ’ ବାପା ସାଗର ରାଜାଙ୍କୁ ଲୁଣିଆ ବୋଲି କାଳିଆ ଠାକୁର କହିଲେ ବୋଲି ତୁ କେତେ ମନ ଦୁଃଖ କଲୁ । ଆଉ ମୋ ବାପାମାଆ, ପରିବାର ଏପରିକି ଚଉଦ ପୁରୁଷକୁ କେତେ କ’ଣ ଶୁଣାଇ ଦିଆ ଯାଉଛି । ସେଇଟା ମଧ୍ୟ ମୁଁ ଯଦି ସାମାନ୍ୟ ଟିକେ ଭୁଲ୍ କରି ବସେ ତେବେ? ଦଶ ଦୋଷ କ’ଣ ମାଆ ତୁ କହିଲା ପରି ଗୋଟିଏ ଭୁଲ୍ ମଧ୍ୟ କେହି ଛାଡ଼ୁ ନାହାନ୍ତି । ଯାହା ଅସୁବିଧା ହେଲେ ବି ବାପଘରୁ ଶିଖିନି ବୋଲି କହିବା ଅଭ୍ୟାସ ହେଇ ଯାଇଛି ସମସ୍ତଙ୍କର । ଏସବୁ ଶୁଣି ମୋ ମନ କ’ଣ ଦୁଃଖ ହେବନି କି ମାଆ?
ତୋତେ ମଧ୍ୟ ପ୍ରଥମେ ସାଗର ଦୁଲଣୀ ଓ ପରେ ବିଷ୍ଣୁଙ୍କ ଘରଣୀ କହିଲେ ହିଁ ତୁ ପ୍ରସନ୍ନ ହେଉ । ହେଲେ ମୁଁ ଯଦି ମୋ ବାପଘରେ ବିତାଇ ଥିବା ଦିନଚର୍ଯ୍ୟା କି ନୀତି ନିୟମ ଆଗ କହି ପରେ ଶାଶୁଘର ଚଳଣି ବିଷୟରେ କୁହେ, ମହାପାପ କରିଦେଲା ପରି ସମସ୍ତଙ୍କୁ କାହିଁକି ଲାଗେ ମାଆ? କ’ଣ ଝିଅଟିଏ ବାହା ହୋଇଗଲା ପରେ ତା’ ପୁରୁଣା ଜୀବନଶୈଳୀ ମନେ ପକେଇବା ମଧ୍ୟ ଅପରାଧ? ତା’ହେଲେ ତୋତେ କାହିଁକି ପିତାଙ୍କ ପରିଚୟରେ ତୁଷ୍ଟ କରା ହେଉଛି ମାଆ? ମୁଁ ସତରେ ବୁଝି ପାରୁନି ଏ ଅବିଚାର ସବୁ କ’ଣ ପାଇଁ?
ନାରୀକୁ ପାଦର ପାଣ୍ଢୋଇ କହିଲେ ବୋଲି ତୁ ତୋ’ ସ୍ଵାମୀଙ୍କ ଉପରେ ଅଭିମାନ କରି ତାଙ୍କୁ ଉପଯୁକ୍ତ ବୁଦ୍ଧି ଶିଖେଇବାକୁ ମନସ୍ଥ କଲୁ । ଆଉ ମୋ ସ୍ୱାମୀ ଯେତେବେଳେ ମୋତେ ସେପରି କୁହନ୍ତି, ଘର କାମ ସବୁର ସତେ ଯେମିତି କିଛି ମହତ୍ତ୍ଵ ହିଁ ନାହିଁ । ବାହାରର ସବୁ କ୍ରୋଧ ଆଉ ବିରକ୍ତି ସେ ମୋ ଉପରେ ବାହାର କରି ଦିଅନ୍ତି । ହେଲେ ମୋ ମନର ଅବସ୍ଥା? ମୁଁ କାହା ଉପରେ ମୋ ରାଗ ଶୁଝେଇବି? ଟିକେ ଉଚ୍ଚା ସ୍ଵର କରି କଥା କହିବାର ଅଧିକାର ମଧ୍ୟ ମୋର ନାହିଁ । ମୋ ହୃଦୟ ଯନ୍ତ୍ରଣାକୁ ତୁ ବୁଝି ପାରୁଛୁ ନା ମାଆ?
ତୁ ଯେମିତି ଶ୍ରୀମନ୍ଦିରର ଅନ୍ନଦାତ୍ରୀ ମୁଁ ମଧ୍ୟ ମୋ ଘର ଭିତରେ ଅନ୍ନଦାତ୍ରୀ ନା? ମୁଁ ଥାଉ ଥାଉ ମୋ ଘରେ ବି କାହାରି ପେଟ କେବେ ଖାଲି ରହେନି ନା ମା । ତୋତେ କଡ଼ା କଥା ଯଦି ଭଲ ଲାଗେନା ତେବେ କହ ମୋତେ କଟୁ କଥା କହିଲେ ମୁଁ ମଧ୍ୟ ମନ ଦୁଃଖ କରିବି ନା ନାହିଁ?
ନିଜ ମନର ଆଶା, ଉଦ୍ଦୀପନା, ସ୍ୱପ୍ନ ସବୁକୁ ଜଳାଞ୍ଜଳି ଦେଇ ସ୍ୱାମୀ, ଶାଶୁ, ଶ୍ଵଶୁର ସମସ୍ତଙ୍କୁ ଆପଣା କରି ଦିଅର ନଣନ୍ଦ ସହିତ ଜୀବନ କାଟି ଚାଲିଛି । ପିଲାମାନଙ୍କ ଅଳୀ ଅର୍ଦ୍ଦଳି ସବୁକୁ ଆନନ୍ଦରେ ଗ୍ରହଣ କରୁଛି । ତା’ ବୋଲି କ’ଣ ମୋର ମନଟିଏ ନାହିଁ? ମାନ ସମ୍ମାନ ନାହିଁ? ମୋ ଶିକ୍ଷା ଦୀକ୍ଷା ଉପରେ ସବୁବେଳେ ପ୍ରଶ୍ନବାଚୀ? ପୁରୁଷ ତ ବିବାହ ପରେ ବଦଳେନି । କିନ୍ତୁ ନାରୀ ଏକଦମ ବଦଳି ଯାଉ, ଏଇଟା କାହିଁକି ସମସ୍ତେ ଚାହାନ୍ତି? ଆଉ ଟିକେ ଯଦି ବ୍ୟତିକ୍ରମ ହୁଏ ତେବେ?
ଚୁପଚାପ୍ ସହି ଚାଲିଛି ବୋଲି କେହି କିଛି ବୁଝୁ ନାହାନ୍ତି ବୋଧେ । କାହିଁ ପୁରୁଷ ଭୁଲ କଲେ ତ ଆମେ କେହି ତାଙ୍କ ପରିବାରକୁ କାଠଗଡ଼ା ଭିତରକୁ ଆଣୁନା? ଏପରିକି ଆମ ପିଲେ ଭୁଲ୍ କଲେ ଆମେ କହୁ ପିଲେ କଥା ଶୁଣୁ ନାହାନ୍ତି । କିନ୍ତୁ ଘରର ବୋହୂ ଭୁଲ କଲେ ଆଉ ତ୍ରାହି ନାହିଁ । ଭାବୁଛି ତୋ’ ପରି ଯଦି ଥରୁଟିଏ ସାହସ କରି ପାରନ୍ତି ତେବେ ହୁଏତ ମୋ ନିଜ ସମ୍ମାନ ମୁଁ ଫେରି ପାଆନ୍ତି । ମୋ ବିରହରେ ମୋ ଅନୁପସ୍ଥିତିରେ ସମସ୍ତେ ବୁଝି ପାରନ୍ତେ ମୋ ମହତ୍ତ୍ଵ ।
ଭାବୁଛି କିଛି ସମୟ ଘରଦ୍ଵାର ଛାଡ଼ି ପଳେଇବି । ସ୍ତ୍ରୀ ଜନ୍ମ ପାଇଛି ବୋଲି ଆଉ କେତେ ସହିବି କହିଲୁ ମାଆ? ଘରେ କିଛି ଅସୁବିଧା ହେଲେ ବୋହୂ ଖରାପ । ପିଲାଙ୍କ କିଛି ଅସୁବିଧା ହେଲେ ମା’ ଖରାପ । ଆଉ ସ୍ୱାମୀଙ୍କ କିଛି ଅଭାବ ଅସୁବିଧା ହେଲେ ପତ୍ନୀ ଖରାପ । ଭଲ କେବେ ନାହିଁ? ତୋ’ ପରି ମନେ ହୁଏ ମୁଁ ବି ଥରେ ମୋ ପରିବାରକୁ ଟିକେ ବୁଦ୍ଧି ଦିଅନ୍ତି । ନାରୀକୁ ଉପଯୁକ୍ତ ସମ୍ମାନ ନ ଦେଲେ ପରିଣାମ କ’ଣ ହୁଏ ଟିକେ ଜଣେଇ ଦିଅନ୍ତି । ଛୋଟବଡ଼ ନିଷ୍ପତ୍ତି ଘରର ଘରଣୀଟିଏ ନେଇ ପାରିବ ଆଉ ଏ ଶରୀର ଭିତରେ ନାରୀର ମନ ଟିକିଏ ଅଛି ବୋଲି ସମସ୍ତଙ୍କୁ ଚେତେଇ ଦିଅନ୍ତି ।
କିନ୍ତୁ…
ବଡ଼ଠାକୁର ବାର ବର୍ଷ ଯାଏଁ ଅନ୍ନ ଜଳ ପାଇବେନି କହି ତୁ ବାହାରିଗଲୁ । ସତକୁ ସତ ଠାକୁରେ ଭୋକ ଉପାସରେ ରହି ମଧ୍ୟ ଖାଇବାକୁ ନ ପାଇ ହୃଦୟଙ୍ଗମ କଲେ ତୋ’ ମହାନତା । କିନ୍ତୁ ମା’ ମୋର ଟିକେ ସନ୍ଦେହ ହେଉଛି ।
ସନ୍ଦେହ ହେଉଛି ତୁ ଘର ଛାଡ଼ି ଚାଲିଗଲା ପରେ ତୋ’ ପିତା ସାଗର ଦେବ ସିନା କିଛି ଜାଣି ପାରିଲେନି, ହେଲେ ଆଜିକାଲି ତ ପ୍ରତି ମୁହୂର୍ତ୍ତରେ ସମସ୍ତଙ୍କ ସହିତ ମୋବାଇଲ ଆଉ ଅନଲାଇନ୍ ଯୋଗାଯୋଗ ହେଇ ଯାଉଛି; ଲୋକେସନ ଟ୍ରାକ ହେଇ ପାରୁଛି । ଆଉ ସେଥିପାଇଁ ମୁଁ କୁଆଡ଼େ ଗଲେ ସମସ୍ତଙ୍କଠାରୁ ସେକଥା ଲୁଚାଇବା ସମ୍ଭବ ନୁହେଁ । ସମସ୍ତେ ଏକଥା ଜାଣିଦେଲେ ଆଉ କିଛି ବି ଲାଭ ହେବନି…
ତା’ ଛଡ଼ା କାଳିଆ ଠାକୁର ସିନା ଖାଇବାକୁ ପାଇଲେନି । କାରଣ ତୁ ସବୁ ଭୋଗ ସହିତ ଛପନ କୋଟି ଭଣ୍ଡାର ବେତାଳଙ୍କ ହାତରେ ଆଣିଦେଲୁ । ମୁଁ କ’ଣ କରିବି ଯେ? ଯେଉଁଦିନ ଘରେ ରୋଷେଇ ହେବନି ସଙ୍ଗେ ସଙ୍ଗେ ସ୍ଵିଗୀ କି ଜୋମାଟୋ ଆସି ଖାଇବାଟା ଦେଇଦେବ । ଆଉ କିଏ ଭୋକରେ ରହିବ ଯେ ମୋ ବାଟ ଚାହିଁବ?
ତା’ ପରେ ମାଆ ତୁ ମନ୍ଦିରରୁ ବାହାରିଲା ପରେ ବିଶ୍ଵକର୍ମାଙ୍କୁ ଡାକି ଚାରିକୋଶ ପ୍ରମାଣେ ଉଆସ ନିର୍ମାଣ କରି ସେଇଠି ରହିଲୁ । କିନ୍ତୁ ମୁଁ ଘରୁ ବାହାରିଲା ପରେ କାହାକୁ ଡାକିବି କହିଲୁ? ଆଜିକାଲି ଦୁନିଆ ଯାହା ହେଇଛି ଏକୁଟିଆ ସ୍ତ୍ରୀ ଲୋକଟିଏ କାହା ଉପରେ ବିନା ଦ୍ୱିଧାରେ ନିର୍ଭର କରିବା କ’ଣ ସହଜ କଥା କି ! ଦୁନିଆ ତ ଚାହିଁ ବସିଛି କାହାର କିଛି ଅସୁବିଧା ହେଲେ ଆହୁରି ଟିକେ ହଇରାଣ କରିବାକୁ । ଏମିତିରେ ନିଜ ଲୋକଙ୍କଠାରୁ ଦୂରେଇ ରହିବା ଅସମ୍ଭବ ଲାଗୁଛି ମାଆ । ତୁ ହିଁ କହ ମୁଁ କ’ଣ କରିବା ଠିକ୍ ହେବ?
ବାୟୁଦେବ, ଅଗ୍ନିଦେବ, ଦେବୀ ସରସ୍ଵତୀ ସମସ୍ତେ ତୋ’ କଥା ଶୁଣି କାଳିଆ ଦିଅଁଙ୍କୁ ତୋ’ ମହିମା ଜଣେଇବା ପାଇଁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ । ହେଲେ ମୋ ପାଇଁ କେଉଁ ଦେବତା ଆସିବେ ଲୋ ମା? ଆଉ ମୋ ସ୍ୱାମୀ କି ଶାଶୁଘର ଲୋକଙ୍କ ଧାରଣା କିଏ ବଦଳେଇବ କହିଲୁ?
ତୁ କହିଛୁ ତୋତେ ଛାଡ଼ି ମହାପ୍ରଭୁ ଯଦି ଘର କରିବେ, କଳିଯୁଗରେ ନାରୀଙ୍କୁ ନର ଆଉ ଖୋଜିବେନି । ହେଲେ ମା’, ଏବେ ନାରୀ ଆଉ ପୁରୁଷ ସମସ୍ତେ ତ ସବୁ କାମଦାମ ଜାଣି ସାରିଲେଣି । ମେସିନ୍ ସବୁ ମଧ୍ୟ ଆସିଗଲାଣି । କପଡ଼ା ସଫା, ବାସନ ସଫା, ଘରସଫା ସବୁ କିଛି ମେସିନ କରି ଦେଉଛି । ଆଉ ରୋଷେଇ ଖାଦ୍ୟ ତ ରେଡିମେଡ୍ ମିଳି ଯାଉଛି । କ’ଣ ଯେ ମୁଁ କରିବି ସେହି କଥା ଭାବୁଛି । ତୋ’ ସଂଘର୍ଷ ଆଉ ଚେଷ୍ଟା ଅପୂରଣୀୟ ଅସମ୍ପୂର୍ଣ୍ଣ ରହିଯିବ ଯଦି ଗୋଟିଏ ନାରୀ ହୋଇ ଆଉ ଲକ୍ଷ୍ମୀ ନାମ ପାଇ ମଧ୍ୟ ମୁଁ ମୋ ଘରେ ସମ୍ମାନ ଟିକେ ପାଇବିନି । ଆଉ ତୋ’ କଥାର ମହତ୍ତ୍ଵ ନ ରହିଲେ ତୋ’ର ଏ ପୂଜା, ଆୟୋଜନ, ଆବାହନ ସବୁ ବୃଥା ହୋଇଗଲା ପରି ମନେ ହେଉଛି । ତୁ ହିଁ ମୋତେ ରାସ୍ତା ଦେଖା ମାଆ ।
ବର୍ଷ ପରେ ବର୍ଷ ମାର୍ଗଶୀର ଆସୁଛି । ମୁଁ ନୂଆ ଅରୁଆ ଚାଉଳ ବାଟି ଘରେ ଝୋଟି ପକାଉଛି । ଘର ଦୁଆର ଗୋବରରେ ଲିପା ପୋଛା କରି ଖଟୁଲୀ ବସେଇ ମାଣ ସଜାଡ଼ି ଫଳମୂଳ ସହିତ କେତେ ପିଠାପଣା କରି ମନ ଦେଇ ତୋ’ ପୂଜା କରିଛି ମାଆ । କିନ୍ତୁ ମୋ ମନ ଯେମିତି ଆନ୍ଦୋଳିତ ହେଉଛି ସେକଥା ତୁ ହିଁ ବୁଝି ପାରିବୁ ନା?
ନାରୀ ଜାତିର ଗର୍ବ ଆଉ ଅଭିମାନ ତୁ । ଆଉ ତୋ’ ପୂଜା ପାଇଁ ଯେତେ ତତ୍ପରତା, ନାରୀକୁ ବୁଝିବା ପାଇଁ କିନ୍ତୁ ସେତିକି ନାହିଁ । ତୁ ଭାବିବୁନି ଦୁନିଆ ଦିନକୁ ଦିନ ଆଧୁନିକ ହୋଇ ବଦଳି ଯାଉଛି ବୋଲି । ମଣିଷ ପ୍ରକୃତି ପରା ଇଏ; ମରଣ ସହିତ ହିଁ ତୁଟିବ । ଯାହା ଥିଲା, ତାହା ହିଁ ଅଛି । ମୁଁ କ’ଣ କରିବି ତୁ ମୋତେ ଟିକେ ରାସ୍ତା ଦେଖେଇବୁ ମାଆ । ତୋତେ ମନ କଥା ଲୁଚେଇ ପୂଜା କରିବାକୁ ମନ ଡାକିଲାନି । ତେଣୁ ସବୁ କହିଦେଲି । ଆଜି ଶେଷ ଗୁରୁବାର । ତୃତୀୟ ଭୋଗ ପାଇଁ ସର ପୂଳି, ମୁଗ ପୂଲି ସହିତ ପୋଡ଼ପିଠା ଭୋଗ ଲଗେଇ ସାରିଲିଣି । ତୋତେ ଏବେ ଗୁରୁବାର ପେଡ଼ି ଭିତରେ ସଜେଇ ରଖିଦେବି । ବର୍ଷେ ପରେ ଯାଇ ତୁ ପୁଣି ବାହାରିବୁ ।
ହେଲେ ମା’ ଏହି ବର୍ଷ ଭିତରେ ମୋ ସମସ୍ୟା ସମାଧାନ ହେଲେ ଯାଇ ଆର ବର୍ଷକୁ ଏହି ପେଡ଼ି ଖୋଲିବି । ସତ କହୁଛି, ଯଦି ତୁ ଚଳନ୍ତି ଦେବୀ ହୋଇ ଚଞ୍ଚଳା ହୋଇ ଏମିତି ଚୁପ ରହିବୁ ତେବେ ମୁଁ ଆଉ ଏ ପ୍ରକାର ଦେଖାଣିଆ ପୂଜା କରିବିନି । ନାରୀ ସମ୍ମାନ ପାଇଁ ହେଉ କି ସମାଜରେ ସମାନତା ପାଇଁ ହେଉ ଯଦି ତୋ’ର ସବୁ ପଦକ୍ଷେପ ବୃଥା ହେଇଛି, ତେବେ ଏ ମାଣବସା ଏତିକି ଥାଉ ।
ଏଇଟା ମୋ ମନର ମୋ ହୃଦୟର ଭିତିରି କଥା ମାଆ । ହଁ ମନେ ରଖିଥିବୁ, ମୋ ନାଁ ବି ଲକ୍ଷ୍ମୀ । ଏମିତି ଖାଲିଟାରେ କିଛି କଥା କୁହେନି ମୁଁ । ଯାହା କୁହେ କାମରେ କରି ଦେଖେଇବି । ମୋ ଦୋଷ ଧରିବୁନି । ମୋ ମାନ ରଖିବୁ ମା’ ଲକ୍ଷ୍ମୀ ମାନ ରଖିବୁ ।
ଲକ୍ଷ୍ମୀ ଏପରି କହି ଗୁରୁବାର ପେଡ଼ି ବନ୍ଦ କରିଦେବା ପରେ ମା’ ଲକ୍ଷ୍ମୀ କୋପିତ ହୋଇ ଜଗନ୍ନାଥଙ୍କୁ ପ୍ରଶ୍ନ କଲେ, “ଆପଣ ତ ସମାନତା କଥା କହିଥିଲେ ମହାବାହୁ । ହେଲେ ସମାଜରେ ଆହୁରି ସମାନତା ଆସିନାହିଁ । ମୋତେ କ’ଣ ପୁନଃ ଏଥିପାଇଁ ସଂଗ୍ରାମ କରିବାକୁ ହେବ?”
ମହାପ୍ରଭୁ ଅଳ୍ପ ହସି କହିଲେ, “ନା ମହାମାୟା । ତୁମେ ଧୈର୍ଯ୍ୟ ଧର । ମୁଁ ସ୍ଵୟଂ ଦେଖୁଛି ପ୍ରକୃତରେ କ’ଣ ଅସୁବିଧା ହୋଇଛି ।” ମା’ ଲକ୍ଷ୍ମୀ ପୁଣି କହିଲେ, “ଆପଣ ତ ଭକ୍ତ ଗହଣରେ ସର୍ବଦା ବ୍ୟସ୍ତ ରହୁଛନ୍ତି । ଶ୍ରୀମନ୍ଦିର ସବୁବେଳେ ଲୋକାରଣ୍ୟ ରହୁଛି । ଜନସମାଜ ଭିତରକୁ ଯାଇ ସେମାନଙ୍କ ସ୍ଥିତି ଅନୁଧ୍ୟାନ କରିବା ପାଇଁ କିଛି ଦିନ ଶ୍ରୀମନ୍ଦିର ବନ୍ଦ କଲେ ଭଲ ହେବ । ଆଉ ସମ୍ପୂର୍ଣ ପରିବାରକୁ ଘର ଭିତରେ କିଛି ସମୟ ରଖିବାକୁ ହେବ । ତେବେ ଯାଇ ସିନା ଆପଣ କିଛି ନିଷ୍କର୍ଷ ବାହାର କରି ପାରିବେ ।”
ସତକୁ ସତ କିଛି ଦିନ ମଧ୍ୟରେ ଅବାଞ୍ଛିତ ଭୁତାଣୁ ଯୋଗୁଁ ଶ୍ରୀମନ୍ଦିର ଦୁଆର ବନ୍ଦ ହେଲା, ସମସ୍ତେ ଘରେ ରହିଲେ ଆଉ କାଳିଆ ଠାକୁର ନିଜେ ଘର ଘର ବୁଲି ଅନୁଧ୍ୟାନ କରିବା ଆରମ୍ଭ କଲେ ପ୍ରତ୍ୟେକ ଘରର କିଛି କୁହା ଆଉ ଅକୁହା କାହାଣୀ ।
ଏହା ଦେଖି ମା’ ଲକ୍ଷ୍ମୀ ଖୁସି ହୋଇ ମନେ ମନେ କହି ଉଠିଲେ, “ହେ ଜଗତ ଠାକୁର । ଆପଣ ନିଜେ ତତ୍ପର ହୋଇଛନ୍ତି । ଏଥର ଏ ସମାଜ ସମସ୍ତ ପ୍ରକାର କୁସଂସ୍କାର (ଭାଇରସ) ମୁକ୍ତ ହୋଇଗଲେ ଆପଣଙ୍କ ମନ୍ଦିର ଆଉ ମୋ ଗୁରୁବାର ପେଡ଼ିସବୁ ଠିକ୍ ସମୟରେ ଖୋଲି ପାରିବ ।”
– ମଧୁମିତା ମିଶ୍ର
Comments

ମଧୁମିତା ମିଶ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।