ମଉସା ଉଠିଲେ ୟୁନିଟ୍ ୬ ଛକରୁ । ଯିବେ ଏ.ଜି. ଛକ ପର୍ଯ୍ୟନ୍ତ । ୫ ଟଙ୍କାଟିଏ ବଢ଼େଇ ଦେଲେ ମହିଳା କଣ୍ଡକ୍ଟରକୁ । ସେ କହିଲେ, “ମଉସା ୮ ଟଙ୍କା ଦିଅ ।”
“କାହିଁକି? ମୁଁ ତ ସବୁଦିନେ ୫ ଟଙ୍କା ଦିଏ !”
“ମଉସା ଏଇଟା ଏସି ବସ୍ । ୧୦ ଟଙ୍କା ସର୍ବନିମ୍ନ ଭଡ଼ା । କିନ୍ତୁ ଆପଣ ୬୦ ବର୍ଷରୁ ଉର୍ଦ୍ଧ୍ୱ; ତେଣୁ ୮ ଟଙ୍କା ।”
ଅନେକ ଯୁକ୍ତି ତର୍କ କଲା ପରେ ସେ ୧୦ ଟଙ୍କିଆ ମୁଦ୍ରାଟିଏ ବଢ଼େଇ ଦେଲେ । କିନ୍ତୁ ଦୁର୍ଭାଗ୍ୟକୁ କଣ୍ଡକ୍ଟର ପାଖରେ ୨ ଟଙ୍କା ମୁଦ୍ରା ନଥିଲା । ସେ ବଡ଼ ବ୍ୟସ୍ତ ହେଇ ପଡ଼ିଲେ । ସେ କହିଲେ, “ମଉସା ଆପଣ ଓହ୍ଲେଇବା ପୂର୍ବରୁ କେହି ଦେଲେ ମୁଁ ଆପଣଙ୍କୁ ଦେଇଦେବି ।” ବାସ୍ ଆଉ ସମ୍ଭାଳେ କିଏ । ମଉସା ନିଜର ସମସ୍ତ ରାଗ ଅହଂକାର ସେ ମହିଳା କଣ୍ଡକ୍ଟର ଉପରେ ସାରିଦେଲେ ।
“ମୋତେ ଚିହ୍ନି ନ । ମୁଁ ସଚିବାଳୟରେ ୩୫ ବର୍ଷ ଚାକିରୀ କରିଛି । ମୁଁ ତୋ’ ନାଆଁରେ ଅଭିଯୋଗ କରିବି । ତୋତେ ଚାକିରୀରୁ ସସ୍ପେଣ୍ଡ କରେଇବି ।”
ସେ ଝିଅଟିର ଅସହାୟତା ତା’ ମୁହଁରେ ସ୍ପଷ୍ଟ ବାରି ହେଇ ପଡ଼ୁଥିଲା । ମୁଁ କିଛି ବିଶ୍ୱାସ କରି ପାରୁନଥିଲି । ଏଇଟା କ’ଣ ଭୂବନେଶ୍ୱରିଆ ଜୀବନ ଧାରା ! ସଚିବାଳୟରେ ୩୫ ବର୍ଷ ଚାକିରୀ କଲା ପରେ ସାମାନ୍ୟ ୨ ଟଙ୍କା ପାଇଁ ଗୋଟିଏ ନିଜ ଝିଅ ବୟସର ମହିଳା ସହ ଏମିତି ବ୍ୟବହାର??
ସେ କଣ୍ଡକ୍ଟରକୁ ଡାକି ପର୍ସରୁ କାଢ଼ି ୨ ଟଙ୍କା ମୁଦ୍ରାଟିଏ ଧରେଇ ଦେଲି । ସେ କହିଲା ଆପଣଙ୍କ ଟିକେଟ ତ ନେଇ ସାରିଛନ୍ତି । ମୁଁ କହିଲି ହଁ ଯେ ଏଇ ୨ ଟଙ୍କା ନେଇ ସେ ମଉସାଙ୍କୁ ଦେଇ ଆସ । ସେ କୃତଜ୍ଞତାରେ ମୋ ଆଡ଼େ ଚାହିଁଲା ।
ମୁଁ ଏତେ ଦିନ ପରେ ଜାଣିଲି ଯେ ୨ ଟଙ୍କାର ମୂଲ୍ୟ କେତେ । ୨ ଟଙ୍କା ଯେ ଗୋଟେ ଉଚ୍ଚ ପଦସ୍ଥ ଅଫିସରର ମାନବିକତା ଓ ମହିଳାର ସମ୍ମାନଠାରୁ ବଡ଼… ସବୁ ଦେଖିଲା ପରେବି ବିଶ୍ୱାସ ହେଉ ନଥିଲା ॥
– ବିଶ୍ୱନାଥ କିଙ୍କର ରାଉତ
Comments
ବିଶ୍ୱନାଥ କିଙ୍କର ରାଉତ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।