ସଞ୍ଜ ବୁଡ଼ିଲା ବେଳଠାରୁ ଶୀତ ପଡ଼ି ସାରିଥିଲା,
ସେ ପହଞ୍ଚି ସାରିଥିଲା ଷ୍ଟେସନ୍ ପାଖରେ
କୋଉ ସକାଳୁ ମୁଠାଏ ଚୁଡ଼ା ଖାଇ
ଏକମୁହାଁ ହୋଇ ଘରୁ ବାହାରି ଆସିଥିଲା ।
କ’ଣଟା ଆଉ କରିଥାନ୍ତା ଯେ !?
ଆଉ ସହି ହେଉ ନଥିଲା ଶୀତରେ
ଦିନ ସାରା ଥମୁନଥିବା
ବୁଢ଼ା ବାପାଙ୍କର ଛାତି ଥରା ଧଇଁ କାଶ,
ରାତିରେ ଚୁଲିପଖାରେ କନାପୁଡ଼ା ଦେଇ
ନିଜର ଫୁଲି ଯାଇଥିବା ପାଦକୁ
ସେକ ଦେଉଥିବା ବୋଉର ବିକଳ ଚାହାଣୀ,
ସହି ହେଉନଥିଲା ବୟସ ଗଡ଼ି ଯାଉଥିବା
ଅଭିଆଡ଼ି ବିନି ଅପାର ଉଦାସୀଆ ମୁହଁ ॥
ଖୁବ୍ ଦୁଃଖ ଦେଉଥିଲା ତା’କୁ,
ତାଙ୍କ ଅଛିଆଁ ଘରର ସତର କଣା ଛପର ତଳୁ
ସକାଳର କୁହୁଡ଼ି, ଦିନରେ ସୂର୍ଯ୍ୟର ତାପ,
ରାତିରେ ମଗୁଶିରର ଶୀତୁଆ ଜହ୍ନରେ
ପ୍ରବଳ ଶୀତରେ ଥରଥର ଦେହ ଚାରୋଟି ॥
ଏଇ ସବୁ ସଜାଡ଼ିବା ପାଇଁ ତ
ସେ ତିନି ବର୍ଷ ତଳେ ମାଟ୍ରିକ୍ ପରେ
କଲେଜ୍ ନ ଯାଇ ନାଥ ଦାଦାଙ୍କ ସହିତ
ଦାଦନ ଖଟିବାକୁ ଯାଇଥିଲା ସୁରତ,
ହେଲେ ସଜାଡ଼ି ପାରିଲା କୋଉଠି??
ସୁରତର ସୂତାକଳରେ ଦାଦନ ଖଟି,
ଅଧାପେଟ ଖାଇ, ଅଧକାନିଆ ଶୋଇ
ଯାହା ବି ରୋଜଗାର କରିଥିଲା
ସେତକ ତ ସ୍ୱାହା ହୋଇଗଲା କରୋନା ପେଟରେ ।
ଜୀବିକା ହରେଇ ସର୍ବସ୍ୱାନ୍ତ ହୋଇ ସେ
ସରକାରୀ ବସ୍ରେ ଫେରି ଆସିଥିଲା
ନିଜ ଗାଆଁକୁ, ନିଜ ଜୀବନ ବଞ୍ଚାଇବାପାଇଁ ॥
ଆସିଲାବେଳେ କେତେ କ’ଣ ଆଶ୍ୱାସନା ମିଳିନଥିଲା
ତଥାକଥିତ ଦ୍ୱିତୀୟ ଈଶ୍ୱରମାନଙ୍କ ପାଖରୁ !!
“ତୁମେ ଫେରିଆସ, ଅର୍ଥ ଦେବୁ,କାମ ଦେବୁ, ସୁରକ୍ଷା ଦେବୁ”
ଆଃ ! ପବନରେ ମିଳେଇଗଲା ସେଇ ସବୁ ପ୍ରତିଶ୍ରୁତି !
ପୁନଶ୍ଚ ଉତ୍ତରିତ ହେଲା ସେଇ ଚିରାଚରିତ ଦୃଶ୍ୟ,
ସେଇ ଦୁଃଖ, ସେଇ ଭୋକ, ସେଇ ଅସହାୟପଣ,
ଯାହା ବାଧ୍ୟ କରିଥିଲା ତା’କୁ, ତା’ପରି ଅନେକଙ୍କୁ
ପୁଣି ଫେରିବାକୁ ସେଇ ଦାଦନ ଖଟଣିର ନର୍କକୁ ॥
ଚାଲିଚାଲି ଥକି ପଡ଼ିଥିବା ତା’ର ଦୁର୍ବଳ ଶରୀର
ଟିକିଏ ବିଶ୍ରାମ ଲୋଡ଼ୁଥିଲା, ଆଖି ବୁଜି ହୋଇ ଆସୁଥିଲା,
ଷ୍ଟେସନ୍ ଭିତରେ ପ୍ରବଳ ଭିଡ଼, ପୁଲିସର କଟକଣା
ମାଳ ମାଳ ତା’ରି ଭଳି ଦାଦନମୁହାଁ ମଣିଷମାନଙ୍କ
ସେଇ ଭିଡ଼ ଭିତରେ ଅଣନିଶ୍ୱାସୀ ହୋଇ
ସେ ବାହାରି ଆସିଲା ଷ୍ଟେସନ୍ ବାହାରକୁ ॥
ରାସ୍ତା କଡ଼ରେ ଫୁଟ୍ ପାଥ୍, କିଛି ସର୍ବହରାଙ୍କ ମେଳି,
ସେଇଠି ମୁଣ୍ଡ ତଳେ ବ୍ୟାଗଟି ରଖି ବିଶ୍ରାମ ନେଲା ।
ଭୋକିଲା ପେଟରେ ନିଦ ଘାରିଲା, ଗହନ ନିଦ !
ରାତି ଅଧରେ ଅଭିସାର କଲା ଯନ୍ତ୍ର ଦାନବଟିଏ
ତା’ରି ପାଦତଳେ ନିଷ୍ପେଶିତ ହୋଇଗଲା ସେ,
ସବୁଦିନ ପାଇଁ ମୁକ୍ତ ହୋଇ ଗଲା ସବୁ ଯନ୍ତ୍ରଣାରୁ ॥
– ସୁଷମା ପରିଜା
Comments
ସୁଷମା ପରିଜା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।