ସ୍ୱର୍ଣ୍ଣମୟୀ ମାଆ ମୋର ଉତ୍କଳ ଜନନୀ

Odia Essay on Swarnamayee Mora Utkala Janani (ସ୍ୱର୍ଣ୍ଣମୟୀ ମାଆ ମୋର ଉତ୍କଳ ଜନନୀ) by Chinmayee Sahoo

“ସ୍ୱର୍ଣ୍ଣମୟୀ ମାଆ ମୋର ଉତ୍କଳ ଜନନୀ”
ସ୍ୱତନ୍ତ୍ର ପ୍ରଦେଶ ଉତ୍କଳର ଜୟଗାନ କଲାବେଳେ ମନକୁ ଆସିଥାଏ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ଏହି ସୁନ୍ଦର ପଂକ୍ତିଟି । ସତରେ ଏହି ସ୍ୱର୍ଣ୍ଣପ୍ରସୂ ଓଡ଼ିଶା ମାଟିରେ ଜନ୍ମ ନେଇଛନ୍ତି କାହିଁ କେତେ ଯୁଗଜନ୍ମା ପୁରୁଷ, ଯାହାଙ୍କର ନିଷ୍ଠା, ତ୍ୟାଗ, ପ୍ରୀତି, ଧର୍ମ, ଭକ୍ତି ବଳରେ ଆମେ ପାଇଛନ୍ତି ସ୍ୱତନ୍ତ୍ରତାର ପରିଚୟ । ଆଜି ଜଦି କେହି ତା’ର ପିଲାଦିନକୁ ଫେରିଯାଏ ତା’ କାନରେ ଗୁଞ୍ଜରି ଉଠିବ ସେହି ଦୁଇପଦ କଥା- “ପାଠ ପଢ଼ିବି, କାଳିଆ ଘୋଡ଼ାରେ ଚଢ଼ିବି, ମଧୁବାବୁ ସଙ୍ଗେ ଲଢ଼ିବି ।”

ତୁଳସୀ ଦୁଇପତ୍ରରୁ ବାସିଲା ପରି “ତୁମ ପରି ଛୋଟ ପିଲାଟିଏ” କବିତାର ସେହି ଛୋଟ ପିଲା ଦିନେ ବଡ଼ ହୋଇ ମଧୁ ବାରିଷ୍ଟର ବୋଲାଇଲା । ଉତ୍କଳ ଜାତିର କର୍ଣ୍ଣଧାର ସାଜି “ଉତ୍କଳ ଗୌରବ” ଉପାଧିରେ ଭୂଷିତ ହେଲା । ୧୮୪୮ ମସିହା ଅପ୍ରେଲ ମାସ ୨୮ ତାରିଖ, ଚୌଧୁରୀ ରଘୁନାଥ ଦାସ ଏବଂ ପାର୍ବତୀ ଦେବୀଙ୍କର କୋଳ ମଣ୍ଡନ କରିଥିଲା ସେହି ଅନନ୍ୟ ପ୍ରତିଭା ଯିଏ କି ତା’ ଜୀବନକାଳ ମଧ୍ୟରେ ସବୁକିଛି ପ୍ରଥମେ କରି ଦେଖାଇବାର ସୌଭାଗ୍ୟ ଅର୍ଜନ କଲା । ଓଡ଼ିଆ ଲୋକମାନେ ତାଙ୍କୁ ମନେ ରଖିଛନ୍ତି ପ୍ରଥମ ଗ୍ରାଜୁଏଟ୍, ପ୍ରଥମ ଏମ୍.ଏ., ପ୍ରଥମ ବିଲାତ ଯାତ୍ରୀ, ପ୍ରଥମ ଓକିଲ, ପ୍ରଥମ ଓଡ଼ିଶା-ବିହାର ବିଧାନ ସଭାର ସଦସ୍ୟ ଭାବରେ । କଟକ ଜିଲ୍ଲାର ଏକ ଛୋଟିଆ ଗ୍ରାମ, ସତ୍ୟଭାମାପୁର । ସେହିଠାରୁ ଆରମ୍ଭ ହୋଇଥିଲା ତାଙ୍କ ଜୀବନ ଯାତ୍ରା । ବାପା-ମାଆ ତାଙ୍କ ନାମ ରଖିଥିଲେ ଚୌଧୁରୀ ଗୋବିନ୍ଦ ବଲ୍ଲଭ ଦାସ । ପିଲାଦିନୁ ହିଁ ତାଙ୍କ ଉଜ୍ୱଳ ଭବିଷ୍ୟତର ସୂଚନା ମିଳିଥିଲା । ଗାଆଁ ଚାଟଶାଳୀରୁ ପ୍ରାରମ୍ଭିକ ଶିକ୍ଷା ସମାପ୍ତିଠାରୁ ଆରମ୍ଭ କରି ରେଭେନ୍ସା କଲିଜିଏଟ୍ ସ୍କୁଲ ପର୍ଯ୍ୟନ୍ତ ତାଙ୍କ ଶିକ୍ଷାଜୀବନରେ କେବେ ବିରତି ଆସିନାହିଁ । କୁହାଯାଏ “ଇଚ୍ଛାଥିଲେ ଉପାୟ ବଳେ ଆସେ ।” ଅର୍ଥର ଅଭାବ କ’ଣ କେବେ କେଉଁ ମଣିଷକୁ ଉଚ୍ଚଶିକ୍ଷାରୁ ନିବୃତ କରିପାରେ? ଜଣେ ସ୍ୱାଭିମାନୀ ଓ ଆତ୍ମନିର୍ଭରଶୀଳ ବ୍ୟକ୍ତିତ୍ୱ ଭାବେ ଏହାକୁ ଭୁଲ୍ ପ୍ରମାଣିତ କରିଥିଲେ ଗୋବିନ୍ଦ ବଲ୍ଲଭ ।

୧୮୬୬ ମସିହାର କଥା; ଯେତେବେଳେ ଓଡ଼ିଶାରେ ଉଚ୍ଚଶିକ୍ଷାର ଦୟନୀୟ ପରିସ୍ଥିତି, ଠିକ୍ ସେତିକିବେଳେ ନିଜର ସ୍ୱଳ୍ପ ସଞ୍ଚିତ ଅର୍ଥକୁ ନେଇ କଲିକତା ଅଭିମୁଖେ ଯାତ୍ରା କଲେ ଗୋବିନ୍ଦ ବଲ୍ଲଭ । ସେହିଠାରୁ ଆରମ୍ଭ ହେଲା ତାଙ୍କ ସଂଘର୍ଷମୟ ଜୀବନର ଉତ୍‌ଥାନ-ପତନ । ଲୋକମାନଙ୍କର କ୍ରୁର ସମାଲୋଚନାକୁ ତିଳେ ମାତ୍ର ଭୃକ୍ଷେପ ନକରି ସେ ଅନାୟାସରେ ଖ୍ରୀଷ୍ଟିଆନ୍ ଧର୍ମ ଗ୍ରହଣ କଲେ ଓ ନିଜର ନାମ ପରିବର୍ତ୍ତନ କରି ଗୋବିନ୍ଦ ବଲ୍ଲଭରୁ ସେ ହେଲେ ମଧୁସୂଦନ ଦାସ । ତା’ପରେ ଗୋଟିଏ ପରେ ଗୋଟିଏ ସଫଳତାର ଶିଡ଼ି ଚଢ଼ି ଓଡ଼ିଆମାନଙ୍କ ପାଇଁ ସାଜିଲେ ପ୍ରେରଣାର ଉତ୍ସ । ୧୮୭୦ ମସିହାରେ ପ୍ରଥମ ଓଡ଼ିଆ ବି.ଏ. ଓ ୧୮୭୩ରେ ଇଂରାଜୀରେ ଏମ୍.ଏ. ପାସ୍ କରିବାପରେ ସେ ବି.ଏଲ୍. ପରୀକ୍ଷା ଦେଇଥିଲେ । ବି.ଏଲ୍. ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ କଲିକତା ହାଇକୋର୍ଟରେ ଓକିଲାତି ଜୀବନ ଆରମ୍ଭ କରିଥିଲେ । ସେଠାରେ ଏକ ଖ୍ରୀଷ୍ଟିଆନ୍ ଯୁବତୀ ସୌଦାମିନୀ ଦେବୀଙ୍କୁ ବିବାହ କରି ୧୮୮୦-୮୧ ମସିହାବେଳକୁ ଫେରିଆସିଥିଲେ କଟକ । ଖ୍ରୀଷ୍ଟିଆନ୍ ଧର୍ମ ଗ୍ରହଣ କରିଥିବାରୁ ସାମାଜିକ ଚଳଣୀ ହିସାବରୁ ଗାଁ ବାହାରେ ଛୋଟିଆ କୋଠାଟିଏ ଗଢ଼ି ରହୁଥିଲେ । ଓଡ଼ିଆ ଜାତିର ଗୌରବ ପାଇଁ ଯେ ଆପ୍ରାଣ ଚେଷ୍ଟିତ ସେ ବା ତେଲ-ଲୁଣର ସଂସାର ଭିତରେ ହଜିଯିବ କିପରି? କ୍ଷଣସ୍ଥାୟୀ ବୈବାହିକ ଜୀବନ କେବେ ତାଙ୍କ ସଂଗ୍ରାମ ପଥରେ ଅନ୍ତରାୟ ସାଜିନି । ନିଜର ପ୍ରଖର ବୁଦ୍ଧି ବଳରେ ସେ ନିଜକୁ ପ୍ରଖ୍ୟାତ ଓକିଲ ଭାବେ ପ୍ରତିଷ୍ଠିତ କରିଥିଲେ । କଟକ ହାଇକୋର୍ଟରେ ଓକିଲ ଥିବାବେଲେ ଇଂରେଜ ସରକାର ପୁରୀ ରାଜାଙ୍କଠାରୁ ଜଗନ୍ନାଥ ମନ୍ଦିରର ପରିଚାଳନା ଭାର କାଢ଼ିନେବାପାଇଁ ଆଇନ୍ ପ୍ରଣୟନ କରିଥିଲେ । ସେ ନିଜ ଦକ୍ଷତାର ପରାକାଷ୍ଠା ଦେଖାଇ ଏହା ବିରୁଦ୍ଧରେ ଲଢ଼େଇ କରି ସେହି ଆଇନ୍‌କୁ ରଦ୍ଧ କରିଥିଲେ ।

ଆଜି ବି ମନେପଡ଼େ ଚତୁର୍ଥ ଶ୍ରେଣୀର ସାହିତ୍ୟ ବହିରେ ଥିବା ସେହି “ହଜିଲା ଦିନର କଥା” । “ଗରିବଙ୍କ ପାଇଁ ଯାହାର ପ୍ରାଣ ବିଳପି ଉଠେ ସେ ବା କ୍ଷୀର ବିକିବ କିପରି?” ସତରେ ଗରିବମାନଙ୍କ ପାଇଁ ମାଗଣାରେ ଅଦାଲତରେ ଲଢ଼ି ନ୍ୟାୟ ପାଉଥିବା ମଣିଷ ଦୀନଦୁଃଖୀଙ୍କୁ କ୍ଷୀର ବିକ୍ରି କିରି ପଇସା ଆଣି ପାରିବ ନାହିଁ ।

ଓଡ଼ିଶାକୁ ସମୃଦ୍ଧି ପଥରେ ଆଗେଇ ନେବାପାଇଁ ସେ ଥିଲେ ସାରାଜୀବନ ବ୍ରତୀ । ରାଜ୍ୟରେ ଥିବା ବେକାରୀ ସମସ୍ୟାକୁ ଦୂର କରିବାପାଇଁ ସେ ନେଇଥିବା ପଦକ୍ଷେପଗୁଡ଼ିକ ମନେପକାଇଲେ ପ୍ରଥମେ ମନକୁ ଆସେ ତାଙ୍କ ପ୍ରତିଷ୍ଠିତ ଚମଡ଼ା ଜୋତା କାରଖାନା “ଉତ୍କଳ ଟ୍ୟାନେରୀ”ର କଥା । ଓଡ଼ିଶାରେ ପ୍ରସ୍ତୁତ ହେଉଥିବା ଚମଡ଼ା ଜୋତାକୁ ବାହାରକୁ ପଠାଇ ସେ ରୋଜଗାରର ପନ୍ଥା ଖୋଜିଥିଲେ । ତାଙ୍କର ଉଦ୍ୟମରେ ଗଠିତ ଏହି ଶିଳ୍ପାନୁଷ୍ଠାନରେ ଓଡ଼ିଆ ଶ୍ରମିକମାନେ ଜୋତା ତିଆରି କରି ନିଜର ଗୁଜୁରାଣ ମେଣ୍ଟାଉଥିଲେ । ଏପରିକି ଗୋଟୀଏ ଜୋତା ଖରାପ ହେଲେ ମଧୁବାବୁ କାରଖାନର ସବୁ ଜୋତାକୁ ପୋଡ଼ି ପକାଉଥିଲେ । ଖାଲି ଜୋତା କାରାଖାନା କାହିଁକି ଓଡ଼ିଶାର ଶିଳ୍ପୋନ୍ନତିର ଲକ୍ଷ୍ୟ ନେଇ ତାରକସି କାମ, ଅରଟରେ ସୂତା କାଟିବା, ଲୁଗା ବୁଣିବା, କପାଚାଷ ପରି କାହିଁ କେତେ ଉପାୟରେ ସେ ଲୋକମାନଙ୍କୁ କର୍ମସଂସ୍ଥାନ ଯୋଗାଇ ପାରୁଥିଲେ ।

ଓଡ଼ିଆ ଭାଷାକୁ ଲୋପ କରିଦେବାପାଇଁ ଯେତେବେଳେ ପ୍ରଚଣ୍ଡ ଆକ୍ରମଣ ଚାଲିଥିଲା, ମଧୁସୂଦନଙ୍କର ଶୟନେ, ସପନେ, ଜାଗରଣେ ଉଦ୍ଭାସିତ ହୋଇ ଉଠୁଥିଲା କେବଳ ଗୋଟିଏ ସ୍ୱପ୍ନ “ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ” । ଖଣ୍ଡ ବିଖଣ୍ଡିତ ଉତ୍କଳ ନିଜର ଅସ୍ତିତ୍ୱ ପାଇଁ ସଂଗ୍ରାମ କରୁଥିବାବେଳେ ଭାଷାଭିତ୍ତିକ ରାଜ୍ୟ ଗଠନ କରିବାପାଇଁ ସେ ସାଜିଥିଲେ ଜଣେ ସଚ୍ଚା ଜନନାୟକ । ଉତ୍କଳ ଜନନୀର ସେବା ଓ ଓଡ଼ିଆ ଭାଷା ସାହିତ୍ୟର ସରୁକ୍ଷାପାଇଁ ଭାବବିହ୍ୱଳ ହୋଇ “ଓଡ଼ିଶା ଗ୍ରାଜୁଏଟ୍ ଆସୋସିଏସନ୍” ନାମକ ଏକ ଅନୁଷ୍ଠାନ ଗଢ଼ିଥିଲେ । ତାଙ୍କର ଉଜ୍ୱସ୍ୱିନୀ ଭାଷଣ ମାଧ୍ୟମରେ ଓଡ଼ିଆମାନଙ୍କ ମଧ୍ୟରେ ଜାଗରଣ ସୃଷ୍ଟି କରିପାରୁଥିଲେ । ବଙ୍ଗ ପ୍ରଦେଶର ଏକ ଅଂଶ ଭାବେ ବିବେଚନା କରାଯାଉଥିବା ଓଡ଼ିଶାରେ ବଙ୍ଗଳା ଭାଷାର ପ୍ରାଦୁର୍ଭାବ ଦେଖି ସେ ତାଙ୍କର ଲେଖନୀ ଚଳାଇଥିଲେ ଓ ସେ ନିଜର ଜାତୀୟତାବାଦୀ ଲେଖା ମାଧ୍ୟମରେ ଲୋକମାନଙ୍କ ମନରେ ଜାତୀୟ ଚେତନାର ବିକାଶ କରିପାରୁଥିଲେ । ବଙ୍ଗଳାର ବଡ଼ଲାଟ୍ ଗଭର୍ଣ୍ଣର ସାର୍ ରିଚାର୍ଡ଼ ଥମ୍ପସନ୍‌ଙ୍କ ଦ୍ୱାରା କଲିକତା ସମ୍ମିଳନୀରେ ମାଡ୍ରାସ ସେଣ୍ଟ୍ରାଲ୍ ପ୍ରେସିଡେନ୍ସିରୁ ଗଞ୍ଜାମ କୋରାପୁଟ ଓ ସମ୍ବଲପୁରକୁ ଆଣି ବୃହତ୍ ଓଡ଼ିଶା ଗଠନର ପ୍ରସ୍ତାବ ଦେଇଥିଲେ । ପରେ ୧୮୮୬ରେ କଲିକତା ଓ ୧୮୮୭ ମସିହାରେ ମାଡ୍ରାସ ଜାତୀୟ କଂଗ୍ରେସ ସମ୍ମିଳନୀ ଉତ୍କଳ ସଭା ଆନୁକୂଲ୍ୟରେ ଓଡ଼ିଆ ଭାଷା ଓ ଓଡ଼ିଆ ପ୍ରଦେଶ ଗଠନ ସମ୍ପର୍କରେ ଦୃଢ଼ ଦାବି ଉପସ୍ଥାପନ କରିଥିଲେ । ତାଙ୍କର ବଳିଷ୍ଠ ଉଦ୍ୟମରେ ୧୯୦୩ ଡିସେମ୍ବର ୩୦ ଓ ୩୧ ତାରିଖରେ “ଉତ୍କଳ ସମ୍ମିଳନୀ” ନାଁ’ରେ ପ୍ରାଦେଶିକ ସ୍ତରରେ ସ୍ଥାୟୀ ଅନୁଷ୍ଠାନ ଜନ୍ମଲାଭ କଲା, ଯାହାର ଲକ୍ଷ୍ୟ ଥିଲା-

୧. ପ୍ରାକୃତିକ ଓଡ଼ିଶାର ଏକତ୍ରୀକରଣ
୨. ଓଡ଼ିଶାର ସମୁଦାୟ ବିକାଶ
୩. ସମସ୍ତ ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକୁ ଏକ ଶାସନାଧୀନ କରିବା
୪. ବିଛିନ୍ନାଞ୍ଚଳ ଓଡ଼ିଆମାନଙ୍କ ସ୍ୱାର୍ଥରକ୍ଷା ।

୧୯୦୫ ମସିହା ବଙ୍ଗ ବିଭାଜନ ସମୟରେ ଲର୍ଡ଼ କର୍ଜନଙ୍କର ଏକ ଐତିହାସିକ ନିଷ୍ପତ୍ତି ବଳରେ ଓଡ଼ିଶାକୁ ଏକ ଡିଭିଜନ୍ ରୂପେ ଗଠନ କରିଥିଲେ । ୧୯୦୭ ମସିହାରେ ମଧୁବାବୁ ଲଣ୍ଡନ ଯାତ୍ରା କରି ସମସ୍ତ ରାଜନୈତିକ ନେତାମାନଙ୍କ ଉପରେ ଚାପ ପକାଇଥିଲେ । ୧୯୨୮ ମସିହା ସାଇମନ କମିଶନ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ତାଙ୍କ ଅଖଣ୍ଡ ଯୁକ୍ତି ଓ ନ୍ୟାୟଚିତ ଦାବି ଆଗରେ ଅବନତ ହୋଇଥିଲା । ୧୯୩୫ ମସିହାରେ ଭାରତ ଶାସନ ଆଇନ କାର୍ଯ୍ୟକାରୀ କରାଗଲା ଏବଂ ଏହି ଆଇନ୍ ୨୮୯ ଧାରାରେ ଓଡ଼ିଶା ଓ ସିନ୍ଧୁକୁ ଦୁଇଟି ପ୍ରଦେଶ ଭାବରେ ଗ୍ରହଣ କରାଗଲା । ୧୯୩୬ ମସିହା ମାର୍ଚ୍ଚ ମାସ ୮ ତାରିଖ ଦିନ “ଓଡ଼ିଶା ଅର୍ଡ଼ର୍” ଇଂରେଜ ସରକାରଙ୍କ ଦ୍ୱାରା ଅନୁମୋଦିତ ହୋଇଥିଲା, ଯାହା ଫଳରେ ୧୯୩୬ ମସିହା ଅପ୍ରେଲ ମାସ ୧ ତାରିଖ ଦିନ ପ୍ରତିଷ୍ଠା ଲାଭ କଲା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ । ଯେଉଁ ପ୍ରଦେଶରେ ରହିଲା ୬ ଗୋଟି ଜିଲ୍ଲା; କଟକ, ପୁରୀ, ସମ୍ବଲପୁର, ବାଲେଶ୍ୱର, ଗଞ୍ଜାମ, କୋରାପୁଟ । ସାର୍ ଜନ୍ ଅଷ୍ଟିନ୍ ହବାକ୍ ହେଲେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରଥମ ଗଭର୍ଣ୍ଣର ।

କିନ୍ତୁ ଭାଗ୍ୟର ବିଡ଼ମ୍ବନା, ସେତେବେଳକୁ ଓଡ଼ିଶା ମାଟି ହରେଇ ସାରିଥିଲା ତା’ର ସୁଯୋଗ୍ୟ ସନ୍ତାନକୁ । ୧୯୩୪ ମସିହାର ଫେବୃଆରୀ ମାସ ୪ ତାରିଖରେ ମଧୁବାବୁଙ୍କର ମୃତ୍ୟୁ ଏକ ଗଭୀର ଶୂନ୍ୟସ୍ଥାନ ସୃଷ୍ଟି କରିଥିଲା ଲକ୍ଷ୍ୟ ଲକ୍ଷ୍ୟ ଓଡ଼ିଆଙ୍କ ମନରେ । ଏହା ମୁକ୍ତ କଣ୍ଠରେ ସ୍ୱୀକାର କରାଯାଇପରେ ଯେ, ଓଡ଼ିଆ ଜାତିର ଗର୍ବ ଓ ଗୌରବ ମଧୁବାବୁ ଆଜି ବି ଚିର ଜୀବିତ ତାଙ୍କର ଅମ୍ଳାନ କୀର୍ତ୍ତିପାଇଁ । ଆଜି ଯଦି ଓଡ଼ିଶାର ମାନଚିତ୍ର ଭାରତରେ ସ୍ଥାନ ପାରିଛି ତାହା କେବଳ ତାଙ୍କର ନିସ୍ୱାର୍ଥପର ତ୍ୟାଗପୂତ ଜୀବନର ନିଦର୍ଶନ ।

ଓଡ଼ିଆ ଗର୍ବକରେ ଓଡ଼ିଶାକୁ ନେଇ, ଓଡ଼ିଆ ଭାଷାକୁ ନେଇ, ଓଡ଼ିଶାର ମର୍ଯ୍ୟାଦାକୁ ନେଇ ହେଲେ ବାସ୍ତବରେ ସେ ଭୁଲିଯାଏ ସେହି ମର୍ଯ୍ୟାଦାବାଦ ପୁରୁଷକୁ ଯିଏ ତା’ର ଚିର ନମସ୍ୟ । ସମ୍ପ୍ରତି ସମାଜରେ ମଧୁବାବୁଙ୍କ କଥା ଉଠିଲେ କେବଳ କେତେକ ଶିକ୍ଷିତ ଗୋଷ୍ଠୀଙ୍କୁ ଛାଡ଼ିଦେଲେ ସାଧାରଣ ଲୋକ ତାଙ୍କୁ ମନେ ପକାଇବା କଷ୍ଟ । ସେମାନେ ଭୁଲିଯାଇଛନ୍ତି ତାଙ୍କର ଜାତିର ସ୍ୱାଭିମାନର ପ୍ରତୀକ ସେହି ମଧୁସୂଦନଙ୍କୁ ଯିଏ ସବୁ କ୍ଷେତ୍ରରେ ଓଡ଼ିଆମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ନିଜର ମନ୍ତ୍ରୀପଦ ପର୍ଯ୍ୟନ୍ତ ତ୍ୟାଗ କରିବାକୁ ପଛେଇ ନଥିଲେ ।

ଏହି ପରିପ୍ରେକ୍ଷୀରେ କେବଳ ଏତିକି କୁହାଯାଇପାରେ, ଯଦି ଓଡ଼ିଶାର ଜନସାଧାରଣ ତା’ଜାତିର ଗୌରବକୁ ଭୁଲିଯିବ, ତେବେ ହୁଏତ ନିଜକୁ ସ୍ୱତନ୍ତ୍ର କହିବାର ଅଧିକାର ଦିନେ ନା ଦିନେ ହରେଇ ବସିବ, ଏଥିରେ ସନ୍ଦେହର ଅବକାଶ ନାହିଁ ।

– ଚିନ୍ମୟୀ ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...