ଏହା ଭିତରେ ସୁଇଜରଲାଣ୍ଡ ଆସିବା ପ୍ରାୟ ଏକ ବର୍ଷରୁ ଅଧିକ ସମୟ ହୋଇ ଗଲାଣି । ବ୍ୟସ୍ତ ବହୁଳ ଜୀବନରୁ ଯେବେବି ସମୟ ମିଳେ ପ୍ରାୟ ଆମେ ପରିବାର ସହ କୌଣସି ନା କୌଣସି ଜାଗାକୁ ବୁଲିବାକୁ ଚାଲିଯାଉ । ମନ ଟିକେ ହାଲକା ଲାଗେ ଓ ପରିବାର ସହ ସମୟ କାଟିବାର ଅବସର ବି ମିଳିଯାଏ । କିନ୍ତୁ ଏ ବର୍ଷ ମାର୍ଚ୍ଚ ମାସରୁ ବହୁତ କିଛି ବଦଳି ଯାଇଥିଲା । ଏହି ବର୍ଷ ଫେବୃଆରୀ ମାସରେ ଯେତେବେଳେ ସବୁ କିଛି ସାମାନ୍ୟ ଥିଲା ପ୍ରାୟ ସମସ୍ତେ ବରଫ ଉପରେ ଖେଳା ଯାଉଥିବା ଖେଳ ସବୁ ଖେଳିବାକୁ ଏଠିକାର ପର୍ବତ ଉପରକୁ ଯାଉଥିଲେ । ଯେହେତୁ ଏସବୁ ଖେଳ ଖେଳିବାକୁ ଯଥେଷ୍ଟ ମାତ୍ରାରେ ବରଫ ଦରକାର ଓ ବର୍ଷର କିଛି ମାସରେ ହିଁ ଏତେ ମାତ୍ରାରେ ବରଫ ଉପଲବ୍ଧ ହୋଇଥାଏ ତେଣୁ କେହି ଏହାକୁ ହାତଛଡ଼ା କରିବାକୁ ଚାହାନ୍ତି ନାହିଁ । ଏସବୁ ଖେଳରେ ବ୍ୟବହୃତ ସାମଗ୍ରୀ ସବୁ ପ୍ରାୟତଃ ଲୋକମାନେ କିଣିକି ରଖିଥାନ୍ତି ନହେଲେ ଜଣେ ଚାହିଁଲେ ଭଡ଼ାରେ ମଧ୍ୟ ଏସବୁ ଆଣିପାରିବ ନ ହେଲେ ପର୍ବତ ଉପରେ ଥିବା ରିସୋର୍ଟରୁ ମଧ୍ୟ ନେଇ ବ୍ୟବହାର କରି ପାରିବ । ସେମିତି ଏକ ଛୁଟି ଦିନ ଦେଖି ଆମେ ମାର୍ଟିନି ପାଖରେ ନେନ୍ଦାଜ (Nendaz) ନାମକ ସ୍ଥାନକୁ ବୁଲିବାକୁ ବାହାରିଲୁ । ଆମ ଅଫିସର କିଛି ସହକର୍ମୀ ଏହି ସ୍ଥାନକୁ ବୁଲି ଯିବାକୁ ପରାମର୍ଶ ଦେଇଥିଲେ ।
ମାର୍ଟିନିରୁ ବାହାରି ଆମେ ଟ୍ରେନରେ ସିଅନ୍ (Sion) ନାମକ ସହରକୁ ଗଲୁ । ଟ୍ରେନରୁ ଓହ୍ଲାଇବା ପରେ ଆମେ ବସଷ୍ଟାଣ୍ଡକୁ ଗଲୁ । ବସଷ୍ଟାଣ୍ଡରୁ କିଛି ଖାଦ୍ୟ ସାମଗ୍ରୀ କିଣି ସେଠୁ ବସରେ ବସି ନେନ୍ଦାଜ ଅଭିମୁଖେ ଯାତ୍ରା ଆରମ୍ଭ କଲୁ । ବସର ପ୍ରାୟ ଯାତ୍ରୀ ବରଫରେ ଖେଳିବାକୁ ନିଜ ନିଜ ସାମଗ୍ରୀ ସହ ଆସିଥାନ୍ତି । ବସଟି ଧୀରେ ଧୀରେ ପାହାଡ଼ ଉପରକୁ ଉପରକୁ ଉଠିବାକୁ ଲାଗିଲା । ନେନ୍ଦାଜ, ସୁଇଜରଲାଣ୍ଡରେ ଅବସ୍ଥିତ ପ୍ରମୁଖ ସ୍କି ରିସର୍ଟ (Ski Resort) ମଧ୍ୟରୁ ଅନ୍ୟତମ । ଏଠାରେ ଥିବା ସ୍କି ବିଦ୍ୟାଳୟରେ ସ୍କି ଓ ବରଫରେ ଖେଳା ଯାଉଥିବା ଖେଳ ଶିଖିବାକୁ ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ଆସି ରହିଥାନ୍ତି । ବସଟି କିଛି ସମୟ ଗଲାପରେ ଶେଷରେ ନେନ୍ଦାଜ ପଞ୍ଚି ଯାଇଥିଲା । ସେଠୁ ଉପରକୁ ଯିବାକୁ କେବଲ୍ କାର୍ରେ (Cable Car) ଆମେ ଟିକେଟ୍ କଲୁ । ପାହାଡ଼ ଉପରକୁ ଚଢ଼ୁଥିବା କେବଲ୍ କାର୍ସବୁ ଦେଖି ପ୍ରଥମେ ମୋ ମନରେ ଟିକେ ଭୟ ସଞ୍ଚାର ହୋଇଥିଲା । କିନ୍ତୁ ବରଫରେ ଭର୍ତ୍ତି ପାହାଡ଼କୁ ଏତେ ପାଖରେ ଦେଖି ଓ ଲୋକମାନଙ୍କ ଉତ୍ସାହ ଦେଖି ଆଉ କିଛି ନ ଭାବି ଆମେ କେବୁଲ୍ କାର୍ ଭିତରେ ପ୍ରବେଶ କଲୁ । କେବୁଲ୍ କାର୍ଟି ଧୀରେ ଧୀରେ ଉପରକୁ ଉଠିଲା ବେଳେ ମୋର ଆଉ ତଳକୁ ଦେଖିବାର ସାହସ ନ ଥିଲା । ପାହାଡ଼ର ଶୀର୍ଷ ଭାଗରେ ଥିବା ମୋଣ୍ଟ ଫୋର୍ଟର (Mont Fort) ଉଚ୍ଚତା ପ୍ରାୟ ୩୩୩୦ ମିଟର ହେବ । ପାହାଡ଼ ଉପରେ ପହଞ୍ଚିଲା ପରେ ଏକ ଭିନ୍ନ ଅନୁଭୂତି ହେଲା । ଚାରିଆଡ଼େ ଖାଲି ବରଫ ଓ ତା’ ଉପରେ ଖରା ପଡ଼ି ଚକମକ କରୁଥାଏ । ସମସ୍ତେ ଆଣିଥିବା ଖେଳ ସାମଗ୍ରୀ ବାହାର କରି ନିଜେ ନିଜେ ପ୍ରସ୍ତୁତ ହୋଇ ସ୍କି ଓ ଅନ୍ୟାନ୍ୟ ଖେଳ ଖେଳିବା ଆରମ୍ଭ କରି ଦେଇଥିଲେ । ଆମେ ଚାରିପଟ ପାହାଡ଼କୁ ଦେଖି ସାରିବା ପରେ କିଛି ଫୋଟୋ ଉଠାଇଲୁ । ତା’ ପରେ ଗୋଟେ ଜାଗାରେ ବସି ନେଇଥିବା ଖାଦ୍ୟ ଖାଇବାରେ ଲାଗିଲୁ । ଖାଇ ସାରି କାଠର ଗୋଟେ ବେଞ୍ଚ ଉପରେ ବସି ମନଭରି ଜାଗାକୁ ଉପଭୋଗ କରିବାକୁ ଲାଗିଲୁ । ପାହାଡ଼ ଶୀର୍ଷରୁ ଦେଖିଲେ ଅନ୍ୟ ସବୁ ବରଫ ପାହାଡ଼ ଅତି ସୁନ୍ଦର ଦେଖା ଯାଉଥିଲା । ସେଠାରେ ବସି ବହୁ ସମୟ ଅତିବାହିତ କରି ଶେଷରେ ପୁଣି କେବଲ୍ କାର୍ରେ ବସି ଫେରିବାକୁ ଲାଗିଲୁ ଯଦିଓ ଏଥର ଟିକେ କମ ଭୟ ଲାଗୁଥିଲା । ତଳକୁ ଆସି କିଛି ସମୟ ଅପେକ୍ଷା କଲାପରେ ବସ୍ ଆସିଲା ଓ ଆମେ ପୁଣି ସିଅନ୍ ଅଭିମୁଖେ ଯାତ୍ରା କଲୁ ଓ ସେଠାରୁ ଟ୍ରେନରେ ପୁଣି ମାର୍ଟିନି ଫେରି ଆସିଲୁ । ନେନ୍ଦାଜର ଯାତ୍ରା ଦୂରରୁ ଦେଖା ଯାଉଥିବା ବରଫ ପାହାଡ଼କୁ ଅତି ନିକଟରେ ଦେଖିବାର ଏକ ନିଆରା ଅନୁଭୂତି ଥିଲା ।
ଯଦିଓ ତା’ପରେ ପୁଣି କିଛି ନୂଆ ଜାଗା ବୁଲିବାର ଯୋଜନା ହୋଇଥିଲା କିନ୍ତୁ ମାର୍ଚ୍ଚ ମାସରୁ ଏଠିକାର ପରିସ୍ଥିତିରେ ପରିବର୍ତ୍ତନ ଆସିଯାଇଥିଲା । ସୁଇଜରଲାଣ୍ଡର ସୀମା ଇଟାଲୀ ସହ ଲାଗି ଥିବାରୁ ଏଠିକାର ପରିସ୍ଥିତି ମଧ୍ୟ ଖରାପ ହେବାକୁ ଲାଗିଥିଲା । ଯଦିଓ ଏଠାକାର ସରକାର ଓ ଲୋକମାନେ ପରିସ୍ଥିତିର ଗୁରୁତ୍ୱକୁ ବୁଝି ସତର୍କ ହୋଇ ଯାଇଥିଲେ ଓ ବହୁ ପଦକ୍ଷେପ ନେଇଥିଲେ ଯାହାର କିଛିଟା ସୁଫଳ ଏବେ ଦେଖିବାକୁ ମିଳୁଛି । ଭାରତ ଭଳି ସମ୍ପୂର୍ଣ୍ଣ ବନ୍ଦ ଏଠାରେ ହୋଇ ନଥିଲେ ମଧ୍ୟ ଜରୁରୀ ସାମଗ୍ରୀକୁ ଛାଡ଼ି ବାକି ସବୁ ଦୋକାନ ବନ୍ଦ କରି ଦିଅଯାଇଛି । ଶିକ୍ଷାନୁଷ୍ଠାନ ସବୁ ବନ୍ଦ କରି ଦିଆଯାଇଛି । ଅଫିସ ବନ୍ଦ ନ ହେଲେ ମଧ୍ୟ ଘରୁ ରହି କାମ କରିବାର ବିକଳ୍ପ ବ୍ୟବସ୍ତା ଦିଆଯାଇଛି । ଆମର ଏକ ଗବେଷଣା ଅନୁଷ୍ଠାନ ହୋଇଥିବାରୁ ପ୍ରାୟତଃ ସମସ୍ତେ ଘରେ ରହି କାମ କରୁଛନ୍ତି । ଯେହେତୁ ଅଫିସ ସମ୍ପୂର୍ଣ୍ଣ ବନ୍ଦ ହୋଇ ନାହିଁ କିନ୍ତୁ ଅଫିସରେ ହାତ ଗଣତି ଲୋକଙ୍କୁ ଦେଖିବାକୁ ମିଳୁଛି । ପ୍ରାୟ ପ୍ରତିଦିନ ସଫାସଫି ଜାରି ରହିଛି । ଏପରି ସମୟରେ ମଧ୍ୟ ନୂଆ କରି ଆସିଥିବା ଜଣେ ରକ୍ଷଣାବେକ୍ଷଣ କର୍ମଚାରୀ, ଯାହାଙ୍କ ବୟସ ପ୍ରାୟ ୫୦ ପାଖାପାଖି ହେବ, ଯେଉଁ ନିଷ୍ଠାର ସହ ନିଜ କାମ କରୁଛନ୍ତି ତାହା ମୋତେ ଅଭିଭୂତ କରି ଦେଇଛି । ପ୍ରାୟ ସମୟରେ ସକାଳୁ ସକାଳୁ ଆମେ ଦୁହେଁ ମୁଁହାମୁଁହି ହୋଇଗଲେ ପରସ୍ପରକୁ ଫ୍ରେଞ୍ଚରେ ବୋନଜୁ (Bonjour) କହି ପୁଣି ନିଜ ନିଜ କାମରେ ଆଗେଇଯାଉ । ଯଦିଓ ସହକର୍ମୀମାନେ ପ୍ରାୟ ସମୟରେ ଭର୍ଚୁଆଲ୍ ମିଟିଂରେ (Virtual Meeting) ଦେଖା ହେଉଛନ୍ତି କିନ୍ତୁ ପରସ୍ପର ସହ ମିଶି କଫି ପିଇ ଆଲୋଚନା କରିବାର ମଜା ଆଉ ହୋଇ ପାରୁନି ।
ମାର୍ଟିନିରେ ଏ ଭିତରେ ଶୀତ ଦିନ ଯାଇ ବସନ୍ତର ଆଗମନ ହୋଇଗଲାଣି । ଅବଶ୍ୟ ଏ ବର୍ଷ ଶୀତ ଦିନେ ଏଠିକାର କିଛିଟା ଫୋଟ ଉଠାଇବାର ସୁଯୋଗ ମିଳିଥିଲା । ଶୀତଦିନେ ଯେବେ ତୁଷାରପାତ ହୁଏ ଏଠିକାର ଖୋଲା ପଡ଼ିଆରେ ବରଫ ଜମା ହୋଇ ଧଳାର ଗାଲିଚା ଭଳି ଦେଖାଯାଏ ଓ ତା’ ମଧ୍ୟରେ ଥିବା ଥୁଣ୍ଟା ଗଛ ସବୁ ଏକ ହିମ ମରୁଭୂମି (Cold Desert) ଭଳି ଦୃଶ୍ୟମାନ ହୁଏ ଯାହା ଦେଖିଲେ ହିଁ ଅନୁଭବ କରିହେବ ।
ବସନ୍ତର ଆଗମନରେ ଏଠାକାର ପରିବେଶ ବହୁତ ବଦଳି ଗଲାଣି । ଧୀରେ ଧୀରେ ପକ୍ଷୀମାନଙ୍କ ମଧୁର ସ୍ୱର ଶୁଣିବାକୁ ମିଳୁଛି ଓ ବିଭିନ୍ନ ପ୍ରଜାତିର ପକ୍ଷୀ ମଧ୍ୟ ଦେଖିବାକୁ ମିଳୁଛନ୍ତି । ପତ୍ରଝଡ଼ା ଗଛମାନଙ୍କରେ ପୁଣି ନୂଆ ପତ୍ର କଅଁଳିଲାଣି । ବରଫର ଧଳା ଚାଦରରେ ଢାଙ୍କି ହୋଇଥିବା ପାହାଡ଼ ସବୁ ପୁଣି ସବୁଜ ଦେଖା ଗଲାଣି ।
ଏହି ସମୟରେ ସ୍ଥାନୀୟ ପ୍ରଶାସନ ମାର୍ଟିନିର ଚାରିଆଡ଼େ ଖୁବ ସୁନ୍ଦର ଫୁଲ ଗଛ ସବୁ ଲଗାଇବା ଆରମ୍ଭ କରି ଦେଲେଣି ଯାହା ଏଠିକାର ସୌନ୍ଦର୍ଯ୍ୟକୁ ବହୁ ଗୁଣରେ ବଢ଼ାଇ ଦେଇଛି । ଏସବୁ ଫୁଲ ଗଛ ମଧ୍ୟରେ ତୁଲିପ୍ (Tulip) ଫୁଲ ଦେଖିବାକୁ ବହୁତ ସୁନ୍ଦର ଲାଗେ । ନିର୍ଜନ ରାସ୍ତାରେ ଏକୁଟିଆ ଘରୁ ଅଫିସକୁ ଚାଲି ଚାଲି ଗଲାବେଳେ ରାସ୍ତା କଡ଼ରେ ଲଗା ଯାଇଥିବା ଏହି ଫୁଲକୁ ଦେଖି ମୁଁ ପ୍ରାୟ କିଛି ସମୟ ରହିଯାଏ । ବହୁବାର ଏହାର ଫୋଟ ମଧ୍ୟ ନେଇଛି । କିନ୍ତୁ ଏବର୍ଷ ପରିସ୍ଥିତି ଟିକେ ଅଲଗା ହୋଇ ଯାଇଛି । ରାସ୍ତାରେ ବହୁତ କମ ଲୋକଙ୍କୁ ଦେଖିବାକୁ ମିଳୁଛନ୍ତି । ସମସ୍ତଙ୍କ ମୁଁହରେ ଏକ ଅଜଣା ଆଶଙ୍କା ସ୍ପଷ୍ଟ ବାରି ହୋଇ ପଡ଼ୁଛି । ଏବେକାର ପରିସ୍ଥିତିରେ କିଛି ସମୟ ଠିଆ ହୋଇ ଏସବୁ ସୌନ୍ଦର୍ଯ୍ୟକୁ ଦେଖିବାକୁ କେହି ନାହାନ୍ତି ।
ଏପ୍ରିଲ ମାସ ସରି ଆସିଲା ବେଳକୁ ଧୀରେ ଧୀରେ ମାର୍ଟିନି ପରିସ୍ଥିତିରେ କିଛିଟା ସୁଧାର ଆସିଲାଣି । ବହୁତ ଦିନ ହେବ ବନ୍ଦଥିବା ଗୁରୁବାର ହାଟ ପୁଣି ଖୋଲିଲାଣି । ଅବଶ୍ୟ ବହୁତ କମ ଲୋକ ଆସୁଛନ୍ତି ଓ ସମସ୍ତେ ଯଥେଷ୍ଟ ସତର୍କତା ଅବଲମ୍ବନ କରୁଛନ୍ତି । ବହୁତ ଦିନ ବନ୍ଦ ଥିବା ଦୋକାନ ମଧ୍ୟରୁ କିଛିଟା ଖୋଲିବାର ପ୍ରସ୍ତୁତି ଆରମ୍ଭ କଲେଣି । କିଛି ଦିନ ପରେ ସବୁକିଛି ଧୀରେ ଧୀରେ ସାମାନ୍ୟ ହୋଇଯିବ ବୋଲି ଲୋକମାନେ କହୁଛନ୍ତି । ଅବଶ୍ୟ ଏସବୁ ଏବେଠୁ କହିବା ଟିକେ କଷ୍ଟ । ଏଠିକାର ସରକାର ବହୁ ଉତ୍ତମ ପଦକ୍ଷେପ ନେଇଛନ୍ତି ଓ ଲୋକମାନଙ୍କର ନିଜ ସରକାର ଉପରେ ଯଥେଷ୍ଟ ବିଶ୍ୱାସ ଅଛି । ସରକାର ଦେଉଥିବା ସବୁ ପରାମର୍ଶକୁ ସମସ୍ତେ ପାଳୁଛନ୍ତି । କିନ୍ତୁ ପୁରା ବିଶ୍ୱର ସାମ୍ପ୍ରତିକ ଅବସ୍ଥାକୁ ଦେଖିଲେ ଲାଗୁଛି ଯେମିତି ଏକ ଅଦୃଶ୍ୟ ଶକ୍ତି ସବୁ ନିୟନ୍ତ୍ରଣ କରୁଛି । ମନୁଷ୍ୟର ସବୁ ଜ୍ଞାନ, ବୁଦ୍ଧି ତା’ ନିଜ ଅସ୍ତିତ୍ୱ ବଞ୍ଚାଇବାରେ ଲାଗିଛି । ଲାଗୁଛି ଯେପରି ମଣିଷଙ୍କୁ ନିଜର ଶ୍ରେଷ୍ଠତା ପ୍ରତିପାଦନର ଭ୍ରମ ଛାଡ଼ି ପ୍ରକୃତି ସହ ସନ୍ତୁଳନ ରଖି ଚାଲିବାର ଏକ ଅଲିଖିତ ଚେତାବନୀ ମିଳିଛି ।
ଏସବୁ ଭିତରେ କର୍ମମୟ ଜୀବନ ଆଗ ଭଳି ଚାଲିଛି । କାମରେ ବ୍ୟସ୍ତ ରହି ସମୟ ଅତିବାହିତ ହୋଇ ଯାଉଛି । ଦୈନନ୍ଦିନ ଜୀବନରେ ଆଗ ଅପେକ୍ଷା କିଛିଟା ପରିବର୍ତ୍ତନ ବି ଆସିଛି ଯେପରି କିଛି ନୂଆ ଜିନିଷ ଶିଖିବା, ପରିବାର ସହ ବେଶୀ ସମୟ ବିତେଇବା, ନିଜ ଆଗ୍ରହ ମୁତାବକ କାମ କରିବା, ପୁରୁଣା ସାଙ୍ଗମାନଙ୍କର ନିକଟତର ହେବା ଇତ୍ୟାଦି ଓ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅନ୍ୟମାନଙ୍କ ପ୍ରତି ଅଧିକ ସମ୍ବେଦନଶୀଳ ହେବା ।
ଦୈନନ୍ଦିନ ଜୀବନରେ କୌଣସି କାମରେ ଘରୁ ବାହାରି ମାର୍ଟିନିର ନିର୍ଜନ ରାସ୍ତାରେ ଏକୁଟିଆ ଗଲାବେଳେ ଲାଗେ ଯେମିତି ପୁଣି କିଛି ଦିନ ପରେ ଏ ସବୁ ରାସ୍ତା ଘାଟ ଆଗଭଳି ଗାଡ଼ି, ମୋଟର, ଓ ଲୋକମାନଙ୍କ କୋଳାହଳରେ ଭରିଯିବ ଓ ଛାଇ ହୋଇଥିବା ନିର୍ଜନତା ସେ ଭିତରେ ହଜିଯିବ ।
– ଡକ୍ଟର ଶାନ୍ତିପ୍ରିୟ ପରିଡ଼ା
Comments
ଡ. ଶାନ୍ତିପ୍ରିୟ ପରିଡ଼ା ପେଶାରେ ଜଣେ ଇଞ୍ଜିନିୟର୍ ଏବଂ ନିଶାର ତାଙ୍କର ନୂଆ ନୂଆ ଜାଗା ବୁଲିବା ଆଉ ସେହି ସ୍ଥାନଗୁଡ଼ିକର ବର୍ଣ୍ଣନ କରନ୍ତି ସେ କାହାଣୀ ମାଧ୍ୟମରେ ।