ସହରକୁ ଆସିଲା ପରେ ଶିଖିଗଲି
କେମିତି ରାଜରାସ୍ତାର କଳା ଆସ୍ତରରେ
ଗ୍ରାମ ପଥକୁ କବର ଦିଆଯାଏ
ଅଣଓସାରିଆ ଧୂଳି ଧୂସର ରାସ୍ତାକୁ ଭୁଲି
ମାର୍ବଲ ଚଟାଣରେ ପାଦ ରଖାଯାଏ ।
କେମିତି ସୁରମ୍ୟ ପ୍ରାସାଦର ଚିକ୍କଣ ପ୍ରାଚୀରକୁ
ବିଦେଶୀ ରଙ୍ଗର ଚିତ୍ରରାଜି ଚମକାଏ ।
ବୋଉର ଝୁମ୍ପୁଡ଼ି କାନ୍ଥରେ ପିଠଉ ବଟା ଅଙ୍କାବଙ୍କା
ଝୋଟି ଚିତା ସବୁ କ୍ଷଣକ ଭିତରେ ଲିଭିଯାଏ ।
କେମିତି ସାହେବମାନଙ୍କ ନୈଶ୍ୟ ଭୋଜିରେ
ଦାମୀ ବ୍ୟଞ୍ଜନକୁ ବିଲାତ ଢଙ୍ଗରେ ଫୋପାଡ଼ନ୍ତି,
ବସ୍ତିର କାଙ୍ଗାଳ କ୍ଷୁଧାର୍ତ୍ତେ ଚିତ୍କାରୀ
ରାସ୍ତା କଡ଼ ଅଇଁଠା ବାନ୍ତିକୁ ଚାଟୁଥାନ୍ତି ।
କେମିତି ଗ୍ରାମ୍ୟ ଯୁବକର ସ୍ୱପ୍ନିଳ ଆଖିସବୁ
ଭୋଡ଼କା, କୋକିନ ଗନ୍ଧରେ ମୋଦିହୁଏ,
ସୁନ୍ଦରୀ ନାରୀ ଓ ବିଦେଶୀ ସ୍କଚ୍ ତାକୁ
ବିପର୍ଯ୍ୟୟ ଆଡ଼କୁ ଟାଣିନିଏ ।
ଆହୁରି ବି ଶିଖିଗଲି
କେମିତି ସହର ସୌନ୍ଦର୍ଯ୍ୟକରଣ କରି
ସ୍ୱଚ୍ଛତାର ପୁରସ୍କାର ଅଣାଯାଏ,
ସେପଟେ ସହର ଉପାନ୍ତେ ବାସହରା ବାସିନ୍ଦାମାନଙ୍କୁ
ଅଳିଆ ଭାବି ସଫା କରାଯାଏ ।
କେମିତି ଶିକ୍ଷିତ ବେକାରୀ ସୃଷ୍ଟି କରିବାକୁ
ବିଶ୍ୱବିଦ୍ୟାଳୟମାନଙ୍କୁ ସରକାରୀ ମାନ୍ୟତା ଦିଆଯାଏ,
ନାରୀ ଶିକ୍ଷା ଅଭାବରେ ତଳ ବସ୍ତିର
ମାଳମାଳ ରେବତୀଙ୍କ
ପେଟ ଓ ଦେହ ପୋଡ଼ିଯାଏ ।
ସହରକୁ ଆସି ଦେଖିନେଲି
କେମିତି ବୁଲାଓ ବାଟ ଭିକାରୀଙ୍କ ଉପରେ
ମଧ୍ୟରାତ୍ରୀରେ ମଦ୍ୟପର ଗାଡ଼ି ଚଢ଼ିଯାଏ,
ମାଳିକାଣୀର ବିଲାତି ଆଲସିସିଆନଙ୍କୁ
କୋଳରେ ଧରି ପ୍ରାତଃ ଭ୍ରମଣରେ ବୁଲାଯାଏ ।
ହେଲେ ଶିଖିପାରିଲିନି
ରେଳ ଷ୍ଟେସନରେ କୁଲି ମାନଙ୍କଠାରୁ
ତାଙ୍କ କାର୍ଯ୍ୟର ମହତ୍ତ୍ୱ ।
ଟାଣ ଖରାରେ ବୁଲୁଥିବା ରିକ୍ସାବାଲାଠାରୁ
ତା’ କର୍ମର ବିଶେଷତ୍ୱ ।
ବସ୍ ଷ୍ଟପରେ ଜୋତା ପଲିସ କରୁଥିବା ମୋଚିଠାରୁ
ତା’ ଆତ୍ମ ସ୍ୱାଭିମାନକୁ ।
ମୁନିସପାଲିଟିର ଅଳିଆ ସଫେଇ ବାଲାଙ୍କଠୁ
ବିବେକି ବଡ଼ ପଣିଆକୁ ।
ଶିଖିପାରିଲିନି ଫେରିବାଲାଠୁ,
ମୂଲ ଲାଗୁଥିବା ବୁଢ଼ାବାପାଠୁ,
ହୋଟେଲରେ ବାସନ ମାଜୁଥିବା ବିଧବା ମା’ଠୁ,
ନିତି ମନ୍ଦିରରେ ଫୁଲ ଗୁନ୍ଥୁଥିବା
ଅବିବାହିତ ଭଉଣୀଠୁ,
ପ୍ରତିଦିନ ହୋଟେଲରେ ବଳକା ଅଇଁଠା ଖାଇ
ପ୍ଲେଟ ମାଜୁଥିବା ଶିଶୁ ଶ୍ରମିକଠୁ
ବୋଧହୁଏ ଏହା ସଂପ୍ରତି
ସହରୀ ସଭ୍ୟତାର ଆତ୍ମଗ୍ଲାନି ।
ତେଣୁ ମୁଁ ଶିଖିପାରିଲିନି
ଶିଖିପାରିଲିନି
ଶିଖିପାରିଲିନି ।
– ପ୍ରଭାତ ବଳ
Comments
ପ୍ରଭାତ ବଳ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।