ପ୍ରତୀକ୍ଷାର ପ୍ରତୀକ୍ଷା

Odia Story Pratikshara Pratiksha (ପ୍ରତୀକ୍ଷାର ପ୍ରତୀକ୍ଷା) by Kumar Gourab Adhikari

“ପ୍ରୟାସ, ୨୩.୦୯.୨୦୦୨

କେମିତି ଅଛ ତୁମେ? ଆଶା କରୁଛି ଭଲରେ ଥିବ । ଏଥର ଦୁର୍ଗାପୂଜାରେ ତୁମେ ଆସିବ ନା ଗାଁକୁ? ଦୁଇ ବର୍ଷରୁ ଆସିନାହଁ ତୁମେ । ଏଥର ନ ଆସିଲେ ମୁଁ ଆଉ ତୁମ ସହ କଥା ହେବିନି । ମୋ ସହ ଥରଟିଏ ଦେଖା କରିବାକୁ ଆସିବ ନା? ଜାଣିନି ଆମେ ଆଉ କେବେ ବି ଦେଖା କରି ପାରିବା କି ନା । ଏ ଜନ୍ମରେ ହୁଏତ ଆଉ ଦେଖା ନ ହେଇପାରେ । ଡାକ୍ତର ବାବୁ କହୁଥିଲେ କାଳେ ମୋ ପାଖରେ ଆଉ ବେଶି ଦିନ ନାହିଁ । ଶେଷ ଥର ପାଇଁ ତୁମକୁ ଦେଖିବାକୁ ମୋର ବହୁତ ଇଚ୍ଛା ହଉଛି । ତୁମର ସେଇ ଉଷ୍ମ ହାତର ସ୍ପର୍ଶକୁ ମୁଁ ମୋ ହାତରେ ଶେଷଥର ପାଇଁ ଅନୁଭବ କରିବାକୁ ଚାହୁଁଛି । ଶେଷଥର ପାଇଁ ତୁମ ଆଖିରେ ମୋ ଆଖି ମିଶାଇ ଦେଖିବାକୁ ଚାହୁଁଛି । ତୁମ ହାତରେ ହାତ ଛନ୍ଦି ସେଇ ମନ୍ଦିର ପାଖ ରାସ୍ତାରେ ଚାଲିବାକୁ ଚାହୁଁଛି । ତୁମର ସେ ଛୋଟ ଛୋଟ କଥା ଧରି ତୁମ ସହ ଝଗଡ଼ା କରିବାକୁ ଚାହୁଁଛି । ତୁମ ଉପରେ ଅଭିମାନ କରିବାକୁ ଚାହୁଁଛି । ତୁମ ସହ ଟିକେ ସମୟ ବିତେଇବାକୁ ଚାହୁଁଛି । ତୁମେ ସବୁବେଳେ କହୁଥିଲ ନା, ମୁଁ ତୁମ ଆଖିରେ ଆଖି ମିଶାଇ ଚାହିଁ ପାରେ ନାହିଁ । ଜାଣିନି, ତୁମ ଆଖିରେ କେମିତି ଗୋଟେ ଅଦୃଶ୍ୟ ଶକ୍ତି ଥାଏ, ମୋ ଆଖି ଆପେ ଆପେ ତଳକୁ ହେଇଯାଏ । ହେଲେ ଦେଖିବ, ଏଥର ଆସିଲେ ମୁଁ ତୁମ ଆଖିରେ ଆଖି ମିଶାଇ କଥା କହିବି । ଆଉ ଶୁଣ, ଆସିବା ବେଳେ ମୋ ପାଇଁ ସେଇ ଗୋଲାପୀ ରଙ୍ଗର ଗୋଲାପ ଫୁଲ ଗୋଟେ ଆଣିଦେବ ନା? କେବେଠୁ ତୁମେ ମୋତେ ଫୁଲ ବି ଦେଇନ । ଏଥର ଆଣିଦେବ ନା?

ଇତି,
ତୁମର ପ୍ରତୀକ୍ଷା”

ଚିଠିଟା ହାତରେ ଧରି ସ୍ତବ୍ଧ ହେଇ ଛିଡ଼ା ହେଇଛି ପ୍ରୟାସ । କିଛି ବୁଝିପାରୁନି ସେ । ଚୁପ ହେଇ ବସିପଡ଼ିଲା ପାଖ ଚେୟାର ଉପରେ । ଆଖିରେ ଲୁହର ସାଗର ଜକେଇ ଆସିଲା । କିଛି କ୍ଷଣରେ ଟପ ଟପ ହେଇ ଲୁହଧାର ବୋହି ଆସିଲା । ଚିଠିର ଅକ୍ଷର କିଛି ଲିଭିଗଲା ଆଖିର ଲୁହରେ ଓଦା ହେଇ । ବୁଝିପାରୁନଥିଲା ସେ କିଛି । ସବୁକିଛି ତାକୁ ଅବାସ୍ତବର ଦୁନିଆ ଭଳି ଲାଗୁଥିଲା । ସେ ଯାହା ସବୁ ଚିଠିରେ ପଢ଼ିଲା, ସବୁ ତାକୁ ଏକ ଦୁସ୍ୱପ୍ନ ହିଁ ଲାଗୁଥିଲା । ଏ ଦୁସ୍ୱପ୍ନଟା ଏବେ ଭାଙ୍ଗିଯାଅନ୍ତା କି । ଏସବୁ ଅବାସ୍ତବ ହେଇ ରହିଯାଅନ୍ତା !

ହସ୍ପିଟାଲର ସେଇ ୧୫ ନମ୍ୱର ରୁମରେ ଶୋଇରହିଥିଲା ପ୍ରତୀକ୍ଷା । ପ୍ରୟାସର ଆସିବା ବାଟକୁକୁ ଆବେଗର ସହ ଅପେକ୍ଷା କରିଥିଲା । । ପ୍ରତୀକ୍ଷା ପାଖ ଟେବୁଲ ଉପରେ ଥିବା କ୍ୟାଲେଣ୍ଡର ଟାକୁ ଦେଖିଲା । । ଆଜି ଶୁକ୍ଳ ଦ୍ଵିତୀୟା, ଆଉ ଛଅ ଦିନ ପରେ ଦୁର୍ଗାପୂଜା । ସବୁବର୍ଷ ଦୁର୍ଗାପୂଜାରେ ପ୍ରୟାସ ସହ ତା’ର ଦେଖା ହୁଏ । କଲେଜ ସରିବାର ସାତ ବର୍ଷ ଭିତରେ ଦୁଇଜଣଙ୍କ ବୋଧେ ସାତ ଥର ହିଁ ଦେଖା ହେଇଛି । ସବୁ ବର୍ଷ ଏଇ ସମୟରେ ପ୍ରୟାସ ବିଦେଶରୁ ଛୁଟି ନେଇ ଗାଁକୁ ଆସେ, ଆଉ ପ୍ରତୀକ୍ଷା ଚାତକଟିଏ ଭଳି ପ୍ରୟାସର ବାଟକୁ ଅନେଇଥାଏ । ଏବର୍ଷ କିନ୍ତୁ କିଛି ଅଲଗା । ସମୟର ଚକ୍ର ଏ ବର୍ଷ ପ୍ରତୀକ୍ଷାଠୁ ଛଡ଼େଇ ନେଇଛି ତା ଆଶାକୁ, ତା ସ୍ୱପ୍ନକୁ ।

ପ୍ରତୀକ୍ଷା, ବୋଧେ ନାଁଟା ହିଁ ଅଭିଶାପ ହେଇଯାଇଛି ତା’ ପାଇଁ । ଜୀବନର ପ୍ରତିଟି କ୍ଷେତ୍ରରେ ସେ ଆଜି ଯାଏଁ ପ୍ରତୀକ୍ଷା କରିଆସିଛି । ଆରମ୍ଭରୁ ହିଁ ଜୀବନଟା ତା’ର ସଂଘର୍ଷମୟ ହେଇ ରହିଛି । ଛୋଟବେଳୁ ସେ ବାପାମାଙ୍କ ସ୍ନେହଠୁ ନେଇ ଦେଶ ବିଦେଶ ବୁଲିବାର ସ୍ୱପ୍ନ ଯାଏ, ସେ ଅପେକ୍ଷା ହିଁ କରିଛି । ସେ ଜାଣିନି ତା’ର ସ୍ୱପ୍ନ ପୂରା ହେବ କି ନା । ହେଲେ ବି କେବେ ମୁହଁରେ ହସ ଫୁଟେଇବାରେ ସଂକୋଚ କରିନି ସେ । ସବୁ ପରିସ୍ଥିତିର ସାମ୍ନା କରିଛି ସେଇ ମୁହଁରେ ସ୍ମିତହାସ୍ୟ ସହ । ଆଜି ଯେତେବେଳେ ଜୀବନ ଯୁଦ୍ଧରେ ସେ ହାରିବାକୁ ବସିଛି, ଅପେକ୍ଷା କରିଛି ସେ ତା’ ପ୍ରୟାସକୁ । ଚାହୁଁଛି ସେ ତା’ ଶେଷ ଇଚ୍ଛା ପୂରା କରିବାକୁ ।

ପ୍ରୟାସ, ଜୀବନର ଆରମ୍ଭରୁ ଆଜି ଯାଏ ସେ ପ୍ରୟାସ କରିଛି ଜିତିବାକୁ । ସ୍କୁଲଠୁ କଲେଜ ଯାଏ ଆଉ ଫ୍ରାନ୍ସରୁ ଉଚ୍ଚ ଶିକ୍ଷା ପରେ ଜର୍ମାନୀରେ ଏକ ମଲ୍ଟି ନେସନଲ କମ୍ପାନୀରେ ଚାକିରୀ ପାଇବା ଯାଏଁ, ପ୍ରତିଟି କ୍ଷେତ୍ରରେ ସେ ପ୍ରୟାସ କରିଆସିଛି । ଆଉ ଅନେକ କ୍ଷେତ୍ରରେ ସେ ସଫଳତା ବି ପାଇଛି ।

ପ୍ରତୀକ୍ଷା ସହ ତା’ର ଦେଖା ହୁଏ କଲେଜର ପ୍ରଥମ ବର୍ଷରେ । ଲାଇବ୍ରେରୀର ଗୋଟିଏ କୋଣରେ ବସି ପଢ଼ୁଥିବା ପ୍ରତୀକ୍ଷାକୁ ସେଦିନ ଯେବେ ପ୍ରୟାସ ଦେଖିଥିଲା, ଏକ ଅଦୃଶ୍ୟ ଶକ୍ତି ତାକୁ ଟାଣିନେଇଥିଲା ପ୍ରତୀକ୍ଷା ପାଖକୁ । ପ୍ରତୀକ୍ଷା ସହ ପ୍ରୟାସର ବନ୍ଧୁତା ଖୁବ କମ ସମୟରେ ଗଢ଼ିଉଠିଥିଲା । ଦୁହେଁ ଦୁହିଁଙ୍କ ସହ ସମୟ ବିତାଇବାକୁ ଭଲ ପାଉଥିଲେ । କ୍ଲାସ ପରେ ସେଇ ବବ୍ଲୁ ଭାଇ କଫି ସପ୍‌ରେ ବସି ଦୁଇଜଣ ସାଙ୍ଗ ହେଇ କଫି ପିଉଥିଲେ । ଦୁହିଁଙ୍କ ଜୀବନ ହସ ଖୁସିରେ ବିତୁଥିଲା ।

କଲେଜ ଶେଷବର୍ଷରେ ପ୍ରୟାସ ଇଣ୍ଟେରନ୍ୟାସନାଲ ସ୍କଲାରସିପ୍ ପାଇଁ ଯୋଗ୍ୟ ବିବେଚିତ ହେବା ପରେ ସୁଦୂର ଫ୍ରାନ୍ସର ଏକ ବିଶ୍ୱବିଦ୍ୟାଳୟରେ ଏମ.ଏସ. କରିବାକୁ ଚାଲିଯାଇଥିଲା । ପ୍ରୟାସ ପ୍ରଥମେ ଯିବାକୁ ଇଚ୍ଛା କରୁନଥିଲା । କିନ୍ତୁ ପ୍ରତୀକ୍ଷା ପ୍ରୟାସକୁ ବୁଝେଇ ଯିବା ପାଇଁ ମନାଇ ନେଇଥିଲା । ପ୍ରୟାସର ଜୀବନରେ ଏତେ ଭଲ ସୁଯୋଗ ହାତଛଡ଼ା ହେଉ, ଏକଥା ପ୍ରତୀକ୍ଷା ଚାହୁଁ ନଥିଲା ।

ଏଇ ଭିତରେ ଦୀର୍ଘ ୭ ବର୍ଷ ବିତିଯାଇଛି । ପ୍ରୟାସ ସବୁ ବର୍ଷ ଦୁର୍ଗାପୂଜାରେ ଗାଁକୁ ଆସେ । ଆଉ ପ୍ରତୀକ୍ଷା ସବୁ ବର୍ଷ ପ୍ରୟାସର ବାଟକୁ ଚାହିଁ ରହିଥାଏ । ଦୁଇ ଜଣ ପରସ୍ପରଙ୍କୁ ଚିଠି ପଠାନ୍ତି । ଗତ ବର୍ଷ କିନ୍ତୁ ପ୍ରୟାସ ଆସିପାରିନାହିଁ । ସେ ଚିଠି ଲେଖି ପ୍ରତୀକ୍ଷାକୁ ଭୁଲ ବି ମାଗିଛି । ପ୍ରତୀକ୍ଷା ବି ସବୁ ଥର ପରି ପ୍ରୟାସ ଉପରେ ଅଭିମାନ କରି ପୁଣି ଆପେ ଆପେ ଭୁଲିଯାଏ ।

କିନ୍ତୁ ଏଇ କିଛି ମାସ ହେବ ପ୍ରୟାସ ଠୁ କିଛି ଚିଠି ପାଇନାହିଁ ପ୍ରତୀକ୍ଷା । ସବୁ ଥର ଡାକ ପିଅନ ପ୍ରତୀକ୍ଷା ଘର ସାମ୍ନା ଦେଇ ଯିବା ବେଳେ ପ୍ରତୀକ୍ଷା ତାଙ୍କୁ ଡାକି ପଚାରେ, “ରମେଶ ଭାଇ, ମୋର କିଛି ଚିଠି ଆସିନି କି?” ଆଉ ରମେଶ ମୁଣ୍ଡ ହଲେଇ ନା ବୋଲି କହି ଚାଲିଯାଏ । ପ୍ରତୀକ୍ଷା ମୁହଁ ଶୁଖେଇ ଫେରିଆସେ ଘର ଭିତରକୁ । ମନେ ମନେ ବସି ଭାବେ, ପ୍ରତୀକ୍ଷାର ପ୍ରତୀକ୍ଷାର କ’ଣ ଅନ୍ତ ନାଇଁ?

ସମୟର ସ୍ରୋତ ସବୁ ଖୁସିକୁ ଗୋଟିଏ ପଲକରେ ଛଡ଼େଇ ନେଇଯାଏ । ଏଇ ଭିତରେ ଅଚାନକ ପ୍ରତୀକ୍ଷା ଅସୁସ୍ଥ ହେଇପଡ଼େ ଓ ଡାକ୍ତରଖାନାରେ ଆଡ଼ମିଟ ହବାକୁ ପଡ଼େ ତାକୁ । ପ୍ରତୀକ୍ଷା ବି ଜାଣିସାରିଛି କି ତା’ ପାଖରେ ଆଉ ବେଶୀ ଦିନ ସମୟ ନାହିଁ । ଶେଷ ଥର ପାଇଁ ସେ ପ୍ରୟାସକୁ ଦେଖିବାକୁ ଅନେଇ ବସିଛି । ସେ ପ୍ରୟାସକୁ ଏ ବିଷୟରେ କିଛି କହିବାକୁ ଚାହୁଁ ନଥିଲେ ବି ଏଥରର ଚିଠିରେ ପ୍ରୟାସକୁ ସବୁ କିଛି ସତ କଥା ଲେଖିଦେଇଛି । ଜାଣିନି ତା’ ଚିଠି ପ୍ରୟାସ ପାଖରେ ପହଁଚିଛି କି ନାଇଁ ! ପ୍ରୟାସ ତା’ ଚିଠି ପଢ଼ିଛି କି ନାଇଁ । ସେ ଆସିବ କି ନାଇଁ । ସେ ଜାଣିନି, ତା’ର ପ୍ରତୀକ୍ଷାର ଅନ୍ତ ଘଟିବ କି ନାଇଁ !

– କୁମାର ଗୌରବ ଅଧିକାରୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply