ବହୁ ପଲ୍ଲୀ-ଜନନୀ ଆଜି ସେମାନଙ୍କ ଶିକ୍ଷିତ ସନ୍ତାନଙ୍କୁ ହରାଇ ବସିଛନ୍ତି । ଅର୍ଥବଳରେ ହେଉ, ଭାଗ୍ୟବଳରେ ହେଉ ବା ଅଧ୍ୟବସାୟ ବଳରେ ହେଉ ଯେଉଁମାନେ ଶିକ୍ଷିତ ରୂପେ ଉଦୀୟମାନ ହୁଅନ୍ତି, ସେମାନଙ୍କ ସମ୍ଵନ୍ଧରେ ପଲ୍ଲୀଗ୍ରାମରେ ବହୁ କଳ୍ପନାଜଳ୍ପନା ଚାଲେ । ବିଦ୍ୟାର୍ଥୀ ଜୀବନରେ ସେମାନେ ପିତା-ମାତାଙ୍କ ଆଶା ଭରସାର ସ୍ଥଳ ହୋଇ, ଗ୍ରାମବୃଦ୍ଧମାନଙ୍କ ପ୍ରଶଂସାର ଦୃଷ୍ଟାନ୍ତ ହୋଇ ଓ କୁମାରୀମାନଙ୍କ ଅପାଙ୍ଗର କେନ୍ଦ୍ର ହୋଇ ଗ୍ରାମଭୂମି ମଣ୍ଡନ କରିଥାନ୍ତି । କିନ୍ତୁ ସମୟ ଆସେ, ଯେତେବେଳେ କି ଗ୍ରାମବାସୀମାନେ ସେମାନଙ୍କୁ ଦେଖିବାକୁ ସୁଦ୍ଧା ସୁବିଧା ପାଆନ୍ତି ନାହିଁ । କୃଷ୍ଣ ତିନିଦିନକୁ କଣ୍ଟ କରି ମଥୁରାକୁ ଚିରଦିନପାଇଁ ଚାଲିଗଲା ପରି ସେମାନେ ସବୁଦିନ ପାଇଁ ଗ୍ରାମଭୂମି ଛାଡ଼ି ଚାଲିଆସନ୍ତି; କିନ୍ତୁ କେହି ଭାବନ୍ତି ନାହିଁ ଯେ, ଏହି ଅନୈତିକତା ବା ବିଶ୍ଵାସଘାତକତା କୃଷ୍ଣଙ୍କ ପରି ମହାପୁରୁଷ ସୁଦ୍ଧା ପାର ପାଇନଥିଲେ । ନନ୍ଦ, ଯଶୋଦା ଓ ଗୋପୀ ଗୋପାଳଙ୍କ ଅସୀମ ସ୍ନେହରେ ପରପାଳିତ ହୋଇ ଶେଷବେଳକୁ ପ୍ରବଞ୍ଚନା କରି କୃଷ୍ଣ ଗୋପପୁର ଛାଡ଼ି ଆସିଲେ । ନନ୍ଦ ଯଶୋଦାଙ୍କ ଚକ୍ଷୁ ଅନ୍ଧୀଭୂତ ହୋଇଗଲା, ପ୍ରେମମୟୀ ରାଧା ଶଶୀକଳାପରି ଦୀନା ଓ କ୍ଷୀଣା ହୋଇଗଲେ; କିନ୍ତୁ ଆଉ କୃଷ୍ଣ ଫେରିଲେ ନାହିଁ । ମହାଭାରତର ମହାସମରକୁ ଆଙ୍ଗୁଳି ନିର୍ଦ୍ଦେଶରେ ଚଳାଇ, ମଥୁରା ଠାରୁ ଦ୍ଵାରକା ପର୍ଯ୍ୟନ୍ତ ଦୀର୍ଘପଥ ଅତିକ୍ରମ କରି, ସେ ବିପୁଳ ରାଜ୍ୟ, ଅପରିସୀମ ବିଭବ, ଅଭ୍ରଂକଷ ପ୍ରାସାଦ, ଅଷ୍ଟ ପାଟବଂଶୀ ଓ ଅଗଣିତ ପୁତ୍ରକନ୍ୟାର ଅଧିକାରୀ ହୋଇ ଦ୍ଵାରକାରେ ବସିଗଲେ, କିନ୍ତୁ ପରିଣାମ କ’ଣ ଭଲ ହେଲା? କୃଷ୍ଣଙ୍କର ଅଭ୍ରଂକଷ ପ୍ରାସାଦ ଅତଳ ଜଳଧି ଜଳରେ ନିମଗ୍ନ ହୋଇଗଲା, ଆଉ ତାଙ୍କ ନବ ସଂସାରର ମଦ୍ୟପ ବଂଶଗୋଷ୍ଠୀ ଓ ସାଙ୍ଗସାଥି ମଧ୍ୟ ପ୍ରଭାସ ତୀର୍ଥର ଏରକା ବନରେ ପରସ୍ପରକୁ ହାଣି ଧ୍ଵଂସ ହୋଇଗଲେ । ରାଜ୍ୟହୀନ, ଗୃହହୀନ, ଧନହୀନ ଓ ପୁତ୍ରକନ୍ୟାହୀନ ହୋଇ ଶେଷବେଳକୁ ମହାଭାରତର କର୍ଣ୍ଣଧାର ନିବିଡ଼ ଅରଣ୍ୟର ଲତିକା-ଦୋଳାରେ ଅବଶ ଅଙ୍ଗକୁ ଢ଼ାଳିଦେଲେ, କିନ୍ତୁ ଶେଷରେ ସୁଦ୍ଧା ଶାନ୍ତିରେ ରହିପାରିଲେ ନାହିଁ । ଅଳ୍ପକ୍ଷଣ ପରେ ତାଙ୍କର ଦୋଳାୟମାନ ପଦ-ପଲ୍ଲବରେ ଅଭିଶାପ ପରି ନିଷ୍ଠୁର ଲୌହ ଶରଟିଏ ଆସି ପଡ଼ିଲା । ଏହା ମଧ୍ୟ ତାଙ୍କ କୃତକର୍ମର ପରିଣାମ । ଯେଉଁ ପାଦ ଗୋପପୁରରେ ଗୋ ଚାରଣଦ୍ଵାରା ଚର୍ମ ପାଦୁକା ପରି କଠିନ ହୋଇଥିଲା, ତାହା ଦ୍ୱାରକାର ରାଜଭୋଗରେ ନବପଲ୍ଲବ ପରି ରକ୍ତାଭ ହୋଇପଡ଼ିଲା । ଏଣୁ ନିର୍ବୋଧ ବ୍ୟାଧ ମନରେ ଯେ ତାହା ହରିଣ କର୍ଣ୍ଣର ଭ୍ରମ ଆଣିଦେବ, ଏଥିରେ ବିଚିତ୍ରତା ବା କ’ଣ ଥିଲା? ଏହି ପୂରାତନୀ ଗାଥାରେ ସତ୍ୟ ରହିଛି । କୃଷ୍ଣଙ୍କ ଅଭ୍ରଂକଷ ପ୍ରାସାଦ ଆଉ ନାହିଁ । କିନ୍ତୁ ତାଙ୍କ ମାତୃଭୂମିର ଗୋପ, ବୃନ୍ଦାବନ, ଯମୁନା, ଗୋପୀ, ଗୋପାଳ ପୂର୍ବପରି ରହିଛନ୍ତି । ଆଜି ମଧ୍ୟ ଯମୁନା ବହି ଚାଲିଛି, ବୃନ୍ଦାବନର ପୁଷ୍ପିତ କଦମ୍ୱରେ ମୟୂରର ଉଦ୍ଧତ ନୃତ୍ୟ ଦେଖାଯାଏ ଓ ଦୂର ବଂଶୀସ୍ୱନରେ ଅନୂଢ଼ା ଗୋପକନ୍ୟାର ମନ ଅହେତୁକ ଓ ଅନାହୂତ ବ୍ୟଥାରେ ଭାରାକ୍ରାନ୍ତ ହୋଇଉଠେ । କୃଷ୍ଣଙ୍କର ଏହି ଅମର ଗାଥାରୁ ବହୁ କଥା ଶିଖିବାର ଅଛି ।
Comments
ଚିରଞ୍ଜିବୀ ମିଶ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।