ପବିତ୍ର ବନ୍ଧନ

Odia Story Pabitra Bandhan (ପବିତ୍ର ବନ୍ଧନ) by Himanshu Bhushan Sahoo

୦୧

ବାପା କିଛି ଗୁରୁତ୍ୱପୂର୍ଣ୍ଣ କାମରେ ହଠାତ ଦୋକାନ ଛାଡ଼ି ଯିବାରୁ ପନ୍ଦର ବର୍ଷର ଶୁଭମ୍ ଘଡ଼ିଏ ପାଇଁ ଦୋକାନ ସମ୍ଭାଳିବାକୁ ବସିପଡ଼ିଲା । ରାତି ପହିଲେ ରାକ୍ଷୀପୂର୍ଣ୍ଣିମା, ରାକ୍ଷୀତକ ବିକ୍ରି ନ ହେଲେ ପୁଣି ଆର ବର୍ଷକୁ ରହିଯିବ । ତଥାପି ରାତି ଆଠଟା ଭିତରେ ଅନେକ ବିକ୍ରି ସରିଥାଏ । ସେତେବେଳକୁ ଦୁଇଜଣ ବାର କି ତେର ବର୍ଷର ଝିଅ ପହଞ୍ଚିଲେ, ଯାଆଁଳା ବୋଧେ । ଗରାଖ ନ ଥିବାରୁ ଶୁଭମ୍ ଟିକେ ଘୁମେଇ ପଡ଼ିଥାଏ, ସେ ଦୁଇଜଣଙ୍କ ପାଟି ଶୁଣି ଉଠିପଡ଼ିଲା । ସେମାନେ କହୁଥାନ୍ତି, “ଭାଇ ! ସେ ବଡ଼ ବଡ଼ ରାକ୍ଷୀରୁ ପାଞ୍ଚଟା ଦିଅ । କେତେ ଟଙ୍କା ଗୋଟା?”

ଶୁଭମ୍ ଉଠିଯାଇ ସେ ରାକ୍ଷୀ ହାର ଦୁଇଟି ଆଣି ସେମାନଙ୍କ ସାମ୍ନାରେ ଥୋଇ କହିଲା “ଗୋଟା ୨୫ ଟଙ୍କା, ଅନ୍ୟଗୁଡ଼ିକ ପାଞ୍ଚଟଙ୍କିଆ, ସେଗୁଡ଼ା ପୂର୍ବ ବର୍ଷର ବଳକା-ପୁରୁଣା ।”

ପାଞ୍ଚଟି ରାକ୍ଷୀ ବାଛିବା ପରେ ସେ ଦୁଇଜଣ ତାଙ୍କ ଜାମା ପକେଟରୁ କିଛି ଖୁଚୁରା ଓ କେତୋଟି ଦଶ ଟଙ୍କିଆ ନୋଟ ବାହାର କରି ଟେବୁଲ ଉପରେ ରଖିଦେଲେ । ଶୁଭମ୍ ଗଣିକରି କହିଲା, “୮୦ ଟଙ୍କା ମାତ୍ର ।” ଏକଥା ଶୁଣି ଝିଅ ଦୁଇଟିର ମୁହଁ ଟିକେ ଶୁଖିଗଲା । ଅନ୍ୟ ଦୋକାନ ଗୁଡ଼ିକ ବନ୍ଦ ହୋଇଗଲାଣି, ତେଣେ ଜେଜେମା ଡାକ ପକେଇଲେଣି ଯିବାକୁ ।

ଜଣେ କହିଲା, “ଭାଇ, ଏତିକିରେ ହବନି? ଆମେ କ’ଣ ଜାଣିଥିଲୁ କି ଆମ ମାମୁଁ ପୁଅ ତିନିଜଣ ଆସିବେ ବୋଲି ଏବେ, ଆଉ ଦିନେ ଜେଜେମାଙ୍କୁ କହି ଦେଇଦେବୁ ଆମେ । ଆମ ଘରେ କହିବ ନାହିଁ । ପ୍ରମିଜ !!”

ଶୁଭମ୍ ହସିକରି କହିଲା “ଆରେ ! ତୁମେ ଦିଜଣ ମୋତେ ଭାଇ ଡାକୁଛ ପରା । ଯାଅ, ରାକ୍ଷୀପୂର୍ଣିମା ପାଇଁ ମୋ ତରଫରୁ ଗିଫ୍ଟ ।” ଏହା କହି ପାଞ୍ଚଟିଯାକ ରାକ୍ଷୀ ଦେଇଦେଲା ଟଙ୍କା ସହ ।

ଝିଅ ଦୁଇଟି ଗଲାବେଳେ କୁନିକୁନି ହାତ ହଲେଇ ଖୁସିମନରେ ଜେଜେମାଙ୍କ ପାଖକୁ ଚାଲିଯାଇଥିଲେ ।

୦୨

ଦୀର୍ଘ ଚାରିବର୍ଷ ପରେ ନବରଙ୍ଗପୁରରୁ ବାବାଙ୍କ ବଦଳି ହେଲା ଆମ ଢେଙ୍କାନାଳକୁ । ଟ୍ରକ୍‌ରେ ଆଗେଆଗେ ଘରର ସମସ୍ତ ଆସବାସପତ୍ର ଯାଉଥାଏ, ପଛରେ ଆମ ଗାଡ଼ି । ବାବାଙ୍କ ଚାକିରୀ ଆଉ ମାତ୍ର ଦୁଇ ବର୍ଷ । ତେଣୁ ନିଜ ସହରରେ ଶେଷ ଚାକିରୀ ଜୀବନ ପାଇଁ ଆମେ ସମସ୍ତେ ଖୁସି । କିନ୍ତୁ ମା’ ୟା ଭିତରେ ଦୁଇ ଚାରିଥର ତାରା କଥା ପଚାରି ସାରିଥାଏ । ତାରା, ଚାନ୍ଦର ଝିଅ ।

ନବରଙ୍ଗପୁରକୁ ବାବା ବଦଳି ହୋଇ ଆସିଲା ବେଳେ ଗାଁକୁ ପ୍ରତ୍ୟକ ଦିନ ଆସୁଥିବା ମୁସଲମାନ ବସ୍ତିର ସବ୍ବିର୍ ଚାଚାକୁ ବୋଉ ଯେତେବେଳେ ତା’ ତାରାକୁ ସମର୍ପି ଥିଲା, କାନ୍ଦ କାନ୍ଦ ହୋଇ କହିଥିଲା, “ସବ୍ବିର୍ ଭାଇ ! ତମ ଭରସାରେ ମୋ ତାରାକୁ ଦେଉଛି । ଓଲିଟା ବୋଲି ତାକୁ କଂସେଇଖାନାକୁ ପଠେଇବେ ନାହିଁ ।”

ଆମ ଗାଁ’ର ଚାରିକୋଷ ପୂର୍ବରୁ ସେ ବସ୍ତି ପାଖରେ ମା’ ଗାଡ଼ି ରଖିବାକୁ କହିଲା । ପଚାରି ପଚାରି ସବ୍ବିର୍ ଖାଁଙ୍କ ଘରେ ପହଞ୍ଚିଲୁ ଆମେ ।

ମା-ବାବାଙ୍କୁ ଦେଖି ସେ ଖୁସି ହୋଇଗଲେ । ମା’ ପଚାରିଲା, “ଭାଇ ! ମୋ ତାରା କାଇଁ ଦେଖାଯାଉନାହିଁ । ତୁମେ କ’ଣ ତାକୁ…”

ମା କଥାକୁ ଅଧାରେ ରୋକିଦେଇ ସେ କହିଲେ, “ସେ ଆଉ କ’ଣ ଅଛି ! ହିଡ଼ ଫାଟରେ ପଡ଼ି ଗୋଡ଼ ଭାଙ୍ଗି ଯାଇଥିଲା, ଅଧିକ ବାଟ ଚାଲି ପାରୁନଥିଲା ଭଲ ହେବା ପରେ ମଧ୍ୟ । ବୁଢ଼ୀ ହୋଇଗଲା ଶୀଘ୍ର, ଫାଟୁରା ରୋଗ ହେଲା ବାରମ୍ବାର, ପେଟ ଦିନେ ଫମ୍ପେଇଲା ଯେ ଆଉ ଭଲ ହେଲାନାହିଁ ।” ଏତକ ମନଦୁଃଖରେ କହିଲା ପରେ ହସିଦେଇ ଗୁହାଳ ଆଢ଼ୁଆଳେ ପାଣିକୁଣ୍ଡ ପାଖେ ବନ୍ଧା ଦୁଇଟି ବାଛୁରୀଙ୍କ ଆଡ଼େ ଇଙ୍ଗିତ କରି କହିଲେ, “ତୁମେ ମନ ଦୁଃଖ କରନି ଦେଈ, ଦେଖ ତୁମ ତାରାର ଦୁଇଟି ଛୁଆକୁ । ଗୋଟିଏ ଅଣ୍ଡିର ଗୋଟିଏ ଛଡ଼ା ।”

ମା’ର ଆଖିରୁ ଲୁହ ବାହାରି ଆସୁଥାଏ, କୋହ ଭରା କଣ୍ଠରେ କହିଲେ, “ଧନ୍ୟବାଦ ସବ୍ବିର୍ ଭାଇ ! ମୁଁ ଭାବିଦେଇଥିଲି କି…”

ଏତିକିରେ ସବ୍ବିର୍ ଚାଚା ହସିଦେଇ କହିଲେ, “ତୁମେ ପରା ମୋ ହାତରେ ଥରେ ଦୁଇଥର ରାକ୍ଷୀ ବାନ୍ଧିଥିଲ, ଭାଇ ବୋଲି ଡାକୁଛ । ତୁମ ତାରାକୁ କଂସେଇଖାନା କେମିତି ପଠେଇ ଦେଇଥାନ୍ତି ଯେ !”

୦୩

ଓଡ଼ିଶାର ଦୁଇପ୍ରାନ୍ତରେ ଥିବା ସତ୍ତ୍ୱେ ରାଜନୈତିକ ଦୃଷ୍ଟିକୋଣରୁ ଅନେକ ବାର ସମ୍ନାସାମ୍ନି ହୋଇସାରିଛନ୍ତି ଅଭିଷ୍ ଓ ଅଶ୍ନିତା । ଦୁଇଟି ମୁଷ୍ଟିମେୟ ଦଳର ଯୁବ ନେତା ଓ ନେତ୍ରୀ । ପ୍ରାୟତଃ ପ୍ରତି ସପ୍ତାହରେ ଦୁଇଜଣଙ୍କ ଭିନ୍ନ ମତ ସାପେକ୍ଷକୁ ନେଇ କ୍ଷୀଣ ଏକ ବଚସା ସୋସିଆଲ ମିଡ଼ିଆରେ ଖୋରାକ ଯୋଗାଏ ବୈଚାରିକ ଯୁଦ୍ଧପାଇଁ । କିଛି ହାସ୍‌ଟ୍ୟାଗ ଟ୍ରେଣ୍ଡ ହୁଏ । କିଛି ଲୋକ କୁହନ୍ତି ଏ ଦୁଇଜଣ ଜଣେ ଅନ୍ୟର ରକ୍ତ ପୀପାଶୁ ଦାନବ କୂଳର ଜାତି । ସବୁ ସମର୍ଥକ ଜଣେ ଅନ୍ୟ ଜଣଙ୍କୁ ନୀଚ ଦେଖାଇବାରେ କୌଣସି ପ୍ରକ୍ରିୟାକୁ ହାତଛଡ଼ା କରନ୍ତି ନାହିଁ ।

ସେଦିନ ଥାଏ ଗହ୍ମାପୂର୍ଣିମା । ପାର୍ଟିର ଏକ ତୁଙ୍ଗ ନେତାଙ୍କ ଅମନ୍ତ୍ରଣ ଜନିତ ଭବ୍ୟ ସ୍ୱାଗତର ଦାୟିତ୍ୱ ବହନ କରିଥିବା ଅଭିଷ୍, ଅନେକ ସମର୍ଥକଙ୍କ ସହ ରାଲି-ଯାତ୍ରା କରୁଥାନ୍ତି ଗନ୍ତବ୍ୟ ସ୍ଥଳକୁ । ପାର୍ଟିର ପତାକା ବାଇକ୍‌ର ଦୁଇ କଡ଼ରେ ବାନ୍ଧି ଆଗେ ଆଗେ ସେ, ପଛରେ ସେ ସହରର ଅନେକ ବନ୍ଧୁ-ସହକାରୀ-ସମର୍ଥକ ।

ଟ୍ରାଫିକ ଛକର ଦୁର୍ଘଟଣା ଖବର ପାଇ ରାଲିର ଗତି ଦିଗ ବଦଳାଇ ମୁହେଁଇଲା ମହିଳା ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ରାସ୍ତା ଦେଇ ରେଳ ଷ୍ଟେସନ ଅଭିମୁଖେ । କିନ୍ତୁ ରାଲିଟି ଅଟକିଗଲା ମହିଳା ବିଶ୍ୱବିଦ୍ୟାଳୟ ଫାଟକର ଠିକ୍ ସାମନାରେ । ଅନେକ ଯୁବତୀ ହାତରେ ପାରମ୍ପରିକ ରାକ୍ଷୀ ଥାଳି ଧରି ବାନ୍ଧିଚାଲିଥାନ୍ତି ଅଜଣା ଲୋକଙ୍କ ହାତରେ ରାକ୍ଷୀ । ଅବଶ୍ୟ ନେତାଙ୍କ ଆଗମନରେ ଯଥେଷ୍ଟ ସମୟ ଥିଲା ତେଣୁ ଯୁବତୀ ମାନଙ୍କ ଏକପ୍ରକାର ଅଭିନବ ପ୍ରୟାସ ପାଇଁ ପ୍ରତିବାଦ ହେଲାନାହିଁ ।

ଅଭିଷ୍ ନିଜ ମୋବାଇଲରେ କିଛି ମେସେଜ୍ ଦେଖୁଥିବା ବେଳେ ‘ଅଶ୍ନିତା’ ନାଁର ଚାପା ଗୁଞ୍ଜରଣ ଶୁଣିବାକୁ ପାଇଲେ । କେହି ଜଣେ ତାଙ୍କୁ ଇଙ୍ଗିତ କରିବାରୁ ସେ ଦେଖନ୍ତି ତ ସାମନାରେ ଅଶ୍ନିତା । ହସହସ-ସ୍ୱଚ୍ଛଳ ଚିରାଚରିତ ମୁଖମଣ୍ଡଳ, ହାତରେ ରାକ୍ଷୀ ଭର୍ତ୍ତି ଥାଳି ଏବଂ ସବୁବେଳ ଭଳି ବାମ ପଟେ ପାର୍ଟିର ଛୋଟ ବ୍ୟାଜ୍ ଗୋଟିଏ । ହସିଦେଲେ ଅଭିଷ୍ । ବନ୍ଧୁତାର ହସ ।

ଅଭିଷ୍‌ଙ୍କ ପ୍ରଶ୍ନର ଉତ୍ତରରେ ଅଶ୍ନିତା କହିଥିଲେ ସାନଭଉଣୀକୁ ଦେଖାକରିବାକୁ ଆସି ସେମାନଙ୍କ ଏ ପର୍ବରେ ଯୋଗ ଦେଇଥିଲେ ।

ଅଭିଷ୍ ଆଉ କିଛି ପଚାରିବା ପୂର୍ବରୁ ଅଶ୍ନିତା ବାନ୍ଧିଦେଇଥିଲେ ଗୋଟିଏ ସୁନ୍ଦର ରାକ୍ଷୀଟିଏ । ତା’ପରେ ସୌଜନ୍ୟତା ମୂଳକ ଟୀକା ।

ସେଦିନ ସୋସିଆଲ ମିଡ଼ିଆରେ ସେ ଦୁଇଜଣଙ୍କ ଭାଇ-ଭଉଣୀ ହାସ୍‌ଟ୍ୟାଗ ଥିବା ଫୋଟୋ ଗୋଟିଏ ଖୁବ୍ ଘୂରିବୁଲିଲା ।

ସେହିଦିନଠାରୁ ଜଣେ ଅନ୍ୟଜଣଙ୍କୁ ଭାଇଭଉଣୀର ସମ୍ବୋଧନ କରିବା ଏବଂ ଯଥେଷ୍ଟ ସମ୍ମାନର ସହ ନିଜ ପକ୍ଷ ଓ ପ୍ରତିପକ୍ଷର କଥାକୁ, କହିବା ଓ ଶୁଣିବା ଅବ୍ୟାହତ ରହିଲା ।

୦୪

ନ’ବର୍ଷର ରିତୁ ତା ସାନ ଭଉଣୀକୁ ଧରି ଯେବେ ଖେଳ ପଡ଼ିଆରୁ ଘରେ ପଶିଲା, ତା’ ବୋଉ ମନଦୁଃଖ କରି ବସିଥିଲା । ଜେଜେମା ମୁହଁ ଫୁଲେଇ ଗରଗର ହୋଇ ଚାଲିଯାଉଥିଲେ । ରିତୁ ବୁଝିପାରୁଥିଲା, କିଛିସମୟ ଚୁପ ରହି ତା’ ବୋଉର ଉଚ୍ଚା ପେଟରେ କୁନି ହାତଟି ଆଉଁଶି ଆଣି କହିଲା, “ବୋଉ ! ଦେଖିବୁ, କୁନି ପୁଅଟିଏ ଆସିବ ଆମ ଘରକୁ, ତୁ ମନ ଦୁଃଖ କରନା, ଆମେ ଆର ବର୍ଷକୁ ତା’ ହାତରୁ ରାକ୍ଷୀ ବାନ୍ଧିନେବୁ । ଏ ବର୍ଷ ତ ମିତୁ ମୋ ହାତରେ ବାନ୍ଧିଦେଲା ଆଉ ମୁଁ ତା’ ହାତରେ ।” ରିତୁ ବୋଉର ମୁହଁରେ ଚେନାଏ ହସ ଖେଳିଗଲା, ଦୁଇ ଝିଅଙ୍କୁ କୋଳେଇ ଧରିଲାବେଳେ ଏକ ଆଶ୍ୱାସନା ଓ ସାହସ ଭରା ପ୍ରଶ୍ୱାସ ନେବାରେ ସେ ଅନୁଭବ କରୁଥିଲା ।

୦୫

ସୁମୀ ଦୁଇଦିନ ହେବ ଅନେକ ଲୋକଙ୍କୁ କହିକହି ଥକିଯାଇଥିଲା ରାକ୍ଷୀ ଖଣ୍ଡିଏ ପାଇଁ । ଗତ ବର୍ଷ ଗୋଟିଏ ବେପାରୀ ଆସିଥିଲା ବୋଝ ମୁଣ୍ଡେଇ ରାକ୍ଷୀ ବିକିବାକୁ, ଏ ବର୍ଷ ଆସିନାହିଁ । ତାକୁ ଅନେଇ ଅନେଇ ଏତେ ଡେରି । ତେଣେ ରାକ୍ଷୀ ନ ବାନ୍ଧିଲେ ସୁମା କ’ଣ ମାନିବ? କିନ୍ତୁ ଏ ପାହାଡ଼ ଜଙ୍ଗଲକୁ ଦୁଇଦିନ ହେବ ବର୍ଷା ଲାଗିରହିଛି, କିଏ ଆଉ ଘରୁ ବାହାରୁଛି ଯେ ଯିବ ତିନିକୋଷ ଗାଁରେ ଥିବା ଦୋକାନକୁ ! ସୁମୀ ମୁଣ୍ଡରେ ଗୋଟିଏ ବୁଦ୍ଧି ଜୁଟିଲା । ପାଖ ପଡ଼ିଆକୁ ପଖିଆଟିଏ ମୁଣ୍ଡରେ ପକେଇ ଗଲା ଓ ତାଳ ବରଡ଼ାରୁ ଦୁଇଟି ପତ୍ର ଆଣି ରାକ୍ଷୀଟିଏ ତିଆରି କରି ଗାଧୋଇ ପାଧୋଇ ରାକ୍ଷୀକୁ ଅପେକ୍ଷା କରିଥିବା ତା’ କୁନି ଭାଇ ହାତରେ ବାନ୍ଧିଦେଲା । କଞ୍ଚା ପତ୍ରର ପଟି ଦେଖି ସୁମା କହିଲା, “ଦେଈ, ଏଇଟା ତ ହାତଘଣ୍ଟା, ରାକ୍ଷୀରେ ତ ଜଗନ୍ନାଥ ଥାଆନ୍ତି !” ସୁମୀର ବୋଉ ଚୁଲି ଜାଳୁଥିଲା, ଉଠିଆସିଲା, ଦୁଇଟି ବଡ଼ ବଡ଼ ଟିକିଲି ଲଗେଇଦେଲା ସେ ବରଡ଼ା ପତ୍ର ଘଣ୍ଟାରେ । ସୁମା ଖୁସିହୋଇ କହିଲା, “ଏ ତ ଜଗନ୍ନାଥଙ୍କ ଆଖି, ତାଙ୍କ ନାଲିଆ ପାଟି କାଇଁ ଯେ?”

୦୬

ଠିକ୍ ରାକ୍ଷୀ ପୂର୍ଣ୍ଣିମା ସକାଳୁ ଓକିଲ ଫୋନ କରି କହିଲେ, “ସମ୍ବିତ ବାବୁ ! ଗତ କାଲି ତାରିଖ ମିଳିଥିଲା, ଆସନ୍ତା ୨୫ ତାରିଖ, ଏଇଟା ଶେଷ ଲଢ଼େଇ ହେବ । ଅପଣ ତ ଜିତିକି ଅଛନ୍ତି, ଖାଲି ମିଠା କିଣିବାକୁ ପ୍ରସ୍ତୁତ ଥାନ୍ତୁ ।”

ସେତିକିବେଳେ ଦୀପ୍ ହାତରେ ସିପ୍ରା ରଖି ବାନ୍ଧିସାରି ପାଉଣା ମାଗୁଥାଏ । ଦୀପ୍ ଗୋଟିଏ କଣ୍ଡେଇଟିଏ ଧରେଇଦେଲା, ସେଇଟିକୁ ନନେଇ ସିପ୍ରା କହିଲା, “ମୋର ଏଇଟା ଦରକାର ନାହିଁ, ବାପା ପିଇସୀ ମା’କୁ ଠକିଲା ଭଳି ମୋତେ ଠକିବୁନି ବୋଲି ପ୍ରମିଜ କର ।” ସମ୍ବିତ୍‌ଙ୍କ ଆଖିରୁ ଲୁହ ଝରିଆସିଲା, ସଙ୍ଗେସଙ୍ଗେ ଓକିଲଙ୍କୁ ଫୋନ୍ କରି କହିଲେ, “ରାକେଶ ବାବୁ, ମୁଁ କେସ୍‌ଟି ଉଇଡ଼୍ର କରିବାକୁ ଚାହୁଁଛି…. କ୍ଷମା କରିବେ, ମୋ ଭୁଲ୍‌ର ଦଣ୍ଡ ମୋ ଭଉଣୀ ଖୁବ୍ ପାଇଛି । ମୋ ଦୋଷର ଭାଗିଦାରୀ ମୋ ଛୁଆ ନ ହୁଅନ୍ତୁ ।”

– ହିମାଂଶୁ ଭୂଷଣ ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply