ସମୟ ଆଉ ପରିସ୍ଥିତିର ଷଡ଼ଯନ୍ତ୍ରରେ ପିଲାବେଳୁ ରାଉରକେଲାରେ ଅଷ୍ଟମ ଶ୍ରେଣୀଯାଏଁ ରହିବାକୁ ପଡ଼ିଲା । ଦୀର୍ଘ ପାଞ୍ଚ ବର୍ଷ ପରେ ମୁଁ ନିଜ ସହରକୁ ଫେରିଲି । ସେତେବେଳେ ମୋର ଏଠି କେହି ସାଙ୍ଗ ସାଥି ନଥାନ୍ତି । ମୁଁ ପ୍ରାୟ ସମୟ ଟିଭି ଆଉ ମୋବାଇଲରେ ବିତେଇ ଦିଏ । କିଛିଦିନ ଗଲା ପରେ ବାପା ମୋର ପାଖ ମହିଳା ଉଚ୍ଚ ବିଦ୍ୟାଳୟରେ ଆଡ଼୍ମିସନ କରିଦେଲେ । ଧୀରେ ଧୀରେ ସାଙ୍ଗ ସାଥି ବି ହେଲେ । ବ୍ୟକ୍ତିଗତ ଭାବେ ଜଣେ ଶିକ୍ଷକ ଘରକୁ ଆସି ମତେ ପଢ଼ାନ୍ତି । କିନ୍ତୁ ମୁଁ ଟିକେ ସାଙ୍ଗମାନଙ୍କ ପରି ସାଇକେଲ ଧରି ମଜା ମସ୍ତିରେ ଯିବାକୁ ଚାହୁଁଥିଲି । ତେଣୁ ସାଙ୍ଗମାନଙ୍କ କଥାରେ ଗୋଟେ ପ୍ରାଇଭେଟ୍ କୋଚିଙ୍ଗରେ ମୁଁ ଟିଉସନ୍ ହବାକୁ ଜିଦ୍ ଧରିଲି । ବାପା ଯେତେ ମନା କଲେ ବି ମୋର ଗୋଟିଏ ଜିଦି, ଶେଷରେ ସେଇୟା ହେଲା । ହେଲେ ସେ ଟିଉସନରେ ଦୁଇଟା ଦଳ ହେଇଯାଇଥିଲା ପୁଅ ଝିଅ । ସତେ ଯେମିତି ସାପ ନେଉଳର ସମ୍ପର୍କ; ଛାଇ ପଡ଼ିଲେ ନାହି ଡେଉଁଥିଲା ।
ସେଇ ବର୍ଷ ନୂଆ ବର୍ଷରେ ଗୋଟେ ଭୋଜିର ଆୟୋଜନ କରାଗଲା । ସମସ୍ତେ ମିଶିକି କରିବାକୁ ଶିକ୍ଷକମାନେ କହିଲେ । ହେଲେ ପୁଅମାନେ ଆମକୁ ଭୋଜିରେ ମିଶେଇବେନି ସେଥିପାଇଁ ସେମାନେ ଗୋଟେ ଦିନ ପୂର୍ବରୁ ମିଶିକି ଭୋଜି କରିଦେଲେ । ଆମେ ବି ପୂରା କୁଜି ସ୍ୱାଭିମାନୀ ପିଲା ଥିଲୁ; ଛାଡ଼ିବୁନି ! ଯାହା ବି ହେଇଯାଉ ତା’ ପରଦିନ ସବୁଝିଅ ମିଶି ଭୋଜି କରିବାକୁ ପ୍ରସ୍ତୁତ ହେଲୁ । ଆମେ ବି ଏକା ଏକା କରିବା, ତାଙ୍କୁ ଦେଖେଇ ଦେବା । ସମସ୍ତେ ପୂରା ଭାରତ ପାକିସ୍ତାନ ସୀମାରେ ଥିବା ସୈନିକ ପରି ଜୋସ୍ ନେଇ ଭୋଜିର ଆୟୋଜନରେ ଲାଗିଗଲୁ । ମତେ ଚିକେନ୍ ବନେଇବା ଦାଇତ୍ୱ ଦିଆଗଲା । ଅବଶ୍ୟ ମୁଁ କେବେ ଆଗରୁ ଗ୍ୟାସ୍ ବି ଲଗେଇବା ଶିଖି ନଥିଲି କିନ୍ତୁ ପ୍ରତିଶୋଧ ନବାର କଥା ନା; ମୁଁ ଗୋଟେ ଚୌକି ପକେଇ ବଡ଼ ରୋଷେଇଆ ପରି ବସିଗଲି । ଯଦି ନା କହିବି ଇଜତ୍ ପଳେଇବ । ମୁଣ୍ଡରେ ଧୂଳିର ଟୀକା ମାରି ରୋଷେଇ ଆରମ୍ଭ କଲି । ତେଲ ପିଆଜ ପକେଇ ସାରି ଖଡ଼ିକା ମାରି ଚାଲିଲି ବୋଉ କହୁଥିଲା ମସଲା ଯେତେ କସା ହବ ସେତେ ସ୍ୱାଦ ଆସିବ; ସେଇୟା ଭାବି ପିଆଜ କସା ହବାର ଲାଗିଲା । ବାକି ମସଲା ସବୁ ସେମିତି ଥୁଆ ହୋଇଥାଏ । ପିଆଜ ତ କସା ହୋଉଛି ସରିଲେ ସିନା । କିଛି ସମୟ ପରେ ପିଆଜ ପୋଡ଼ି କଳା ହେଇଗଲା ମୁଁ ଭାବିଲି ଲାଲ୍ ହବା କଥା କଳା କାଇଁ ହେଇଗଲା । ମୋ ସାଙ୍ଗ ଜଣେ ଉପଦେଶ ଦେଲା ଯେ ଲଙ୍କା ଗୁଣ୍ଡ ଅଧିକ ପଡ଼େ ସେଥିପାଇଁ ତରକାରୀ ଲାଲ୍ ହେଇଯାଏ ।
ମତେ ବି କଥାଟା ଠିକ୍ ଲାଗିଲା । ମୁଁ ଗୋଟେ ବଡ଼ ପ୍ୟାକେଟ୍ ଲଙ୍କା ଗୁଣ୍ଡ ଢାଳିଦେଲି । ସତକୁ ସତ ଲାଲ୍ ବି ଦେଖାଗଲା । ମୋ ସାଙ୍ଗ ସେପଟେ ପୂରା ନିଜକୁ ସେଫ୍ ବୋଲି ଭାବିସାରିଲାଣି; ଦେଖିଲୁ ମୋ କଥା କେମିତି ସତ ହେଲା । ତା’ପରେ ପଡ଼ିଲା ବାକି ଥିବା ମସଲା । ମୁଁ ଭାବିଲି ପିଆଜ ତ କସା ହେଇଛି ଆଉ କଷିବା ଦରକାର ନାହିଁ ଚିକେନ ପକେଇ ଦେବା । ଚିକେନ୍ ପକେଇ କୋଡ଼ିଏ ମିନିଟ୍ ପରେ କାଢ଼ିଦେଲି । କେମିତି ହେଇଛି ତରକାରୀ ଚାଖିବାକୁ ଆମ ଇଂରାଜୀ ଶିକ୍ଷକ ପପୁ ସାର୍ଙ୍କୁ ପ୍ରଥମେ ନେଇ ଦେଲୁ । ସାର୍ ଥରେ ପାଟିରେ ପୂରେଇ ପୂରା ମାମୁଁ ଘର ଭୁଲିଗଲେ । ରାଗିଯାଇ ପାଟିକଲେ, “ଥଟ୍ଟା ଖେଳୁଛ ମୋ ସହ ! ମାରିଦେବ ମଣିଷକୁ । ଏଗୁଡ଼ା କ’ଣ? ଗାଈ ବି ଖାଇବନି ୟାକୁ ।” ଆମେ ନିଜ ନିଜକୁ ଚାହିଁ ଦୌଡ଼ିଲୁ ଚିକେନ୍ ପାଖକୁ ସମସ୍ତେ ଆଣି ଚାଖିଲୁ । ସତରେ ୟାକୁ କୁକୁର ବି ଖାଇବେନି; ରାଗ ଏତେ ଯେ ମୁଣ୍ଡ ତାତିଗଲା । ମସଲା ସେମିତି କଞ୍ଚାକୁ ଚିକେନ ବି କଞ୍ଚା । ବହୁତ ମନ ଦୁଃଖରେ ସମସ୍ତେ ବସିଲୁ । କ’ଣ କରିବା ସମସ୍ତେ ଚିନ୍ତା କଲୁ ଶେଷରେ ପପୁ ସାର୍ ପୁଣି ପୁରୀ ଆଳୁ ତରକାରୀ ବନେଇଲେ ସେଇୟାକୁ ଖାଇକି ଘରକୁ ଆସିଲୁ । ତା’ପର ଦିନ ଘଟଣା ଟିଉସନ ସାରା ଚର୍ଚ୍ଚା ହେଇ ଯାଇଥିଲା । ପୁଅ ପିଲାମାନେ ହସି ହସି ଆମକୁ ଖୁବ୍ ପରିହାସ କଲେ । ଆମେ ଖାଲି ରକ୍ତ ଚାଉଳ ଚୋବେଇ ଚୁପ ଚାପ ଶୁଣୁଥିଲୁ ।
– ପ୍ରିୟଦର୍ଶିନୀ ପଣ୍ଡା
Comments
ପ୍ରିୟଦର୍ଶିନୀ ପଣ୍ଡା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।