ମୁଁ କନ୍ୟାଭୃଣ !

Kanya bhuruna - ମୁଁ କନ୍ୟାଭୃଣ !

ମାଆ ପେଟରେ ଥାଇ ଏ ସୁନ୍ଦର ଦୁନିଆକୁ ଦେଖିବା ପାଇଁ ଯେତେବେଳେ ମୁଁ ଛଟପଟ ହେଉଥିଲି, ଏ ମାନବ ସମାଜରେ ପାଦ ଦେବାପାଇଁ ଯେତେବେଳେ ମୁଁ ଦିନ ଗଣୁଥିଲି ସେତେବେଳେ ମୋ ମାଆ ତା’ ନିଜ ହାତରେ ମୁଁ ଆଖି ଖୋଲିବା ପୂର୍ବରୁ, ଏ ସୁନ୍ଦର ଦୁନିଆକୁ ସ୍ପର୍ଶ କରିବା ପୂର୍ବରୁ ମୋର ସବୁ ସ୍ୱପ୍ନକୁ ଗୋଇଠା ମାରି ସବୁଦିନ ପାଇଁ ମୋତେ ଚିର ନିଦ୍ରାରେ ଶୁଆଇ ଦେଲା ଏବଂ ମୋତେ ନେଇ ଫିଙ୍ଗିଦେଲା ରାସ୍ତା କଡ଼ରେ ଥିବା ଏକ ଡଷ୍ଟବିନ ଭିତରକୁ । କେତୋଟି ବୁଲା କୁକୁର ଆସି ମୋତେ ଟାଣି ଓଟାରି ମୋ ହାତଗୋଡ଼କୁ ଅଲଗା କରି ସେମାନଙ୍କର କ୍ଷୁଧା ନିବାରଣ କଲେ । ମୋ ମାଆ ମୋତେ ଥରୁଟିଏ ହେଲେ ବି ପଛକୁ ଚାହିଁ ଦେଖିଲାନି । ଶେଷରେ ମୁଁ ଏ ସମାଜଠାରୁ ଏକ ନୂଆ ନାମରେ ପରିଚିତ ହେଲି ଏବଂ ଆଖ୍ୟା ପାଇଲି । ତାହା ହେଉଛି ‘କନ୍ୟାଭ୍ରୁଣ’ ।

ତଥାପି ଆଜି ମୁଁ ବହୁତ୍ ଖୁସି । ମୁଁ ଆଉ ମୋ ମାଆ ଉପରେ ରାଗୁ ନାହିଁ କିମ୍ବା ମୋ ଭାଗ୍ୟକୁ ଆଉ ଦୋଷ ଦେଉନାହିଁ । କାରଣ ଆଜି ମୁଁ ସ୍ଵର୍ଗରେ ଥାଇ ଏ ସମାଜରେ କନ୍ୟା ପ୍ରତି ଘଟୁଥିବା ବାସ୍ତବିକ କାରୁଣ୍ୟ ଚିତ୍ରପଟକୁ ଓ ତାଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ଦେଖିପାରୁଛି ଏବଂ କନ୍ୟାର ଅନ୍ତର ବେଦନାକୁ ମଧ୍ୟ ଅନୁଭବ କରିପାରୁଛି । ମନେମନେ ଆଜି ମୁଁ ମୋ ମାଆକୁ ଧନ୍ୟବାଦ ଦେଉଛି । କାହିଁକି ନା ମୁଁ ଜନ୍ମ ହେବା ପୂର୍ବରୁ ସେ ମୋତେ ମାରିଦେଇଛି । ଆଜି ଯଦି ମୁଁ ବଞ୍ଚିଥାଆନ୍ତି ହୁଏତ ଏ ମାନବ ସମାଜରେ କେଉଁଠି ନା କେଉଁଠି ଘର କୋଣରେ ବସି କଷ୍ଟ ପାଇ ତିଳ ତିଳ ହୋଇ ମରୁଥାଆନ୍ତି । ଏହି ଭଳି ଦୁନିଆବାସି ହେବା ଅପେକ୍ଷା ସ୍ୱର୍ଗବାସୀ ହେବା ହଜାର ଗୁଣରେ ଭଲ ।

ଏ ସମାଜରେ ଶିଶୁକନ୍ୟାଟେ ଜନ୍ମ ହେବା ପୂର୍ବରୁ ବାପାମାଆଙ୍କ ମନରେ ଏକ ପ୍ରଶ୍ନର ପାଚେରୀ ସୃଷ୍ଟି ହୁଏ , ସେହି କନ୍ୟାଟିକୁ ଜନ୍ମ ଦେବେ ନା ଜନ୍ମ ହେବା ପୂର୍ବରୁ ତା’ର ଆଖି ବନ୍ଦ କରିଦେବେ ! ଯଦିବା ସେହି କନ୍ୟାଟି ଜନ୍ମ ହୋଇଗଲା ତେବେ ତା’ର ଠିକଣା ପାଲଟିଯାଏ ନାଳ ନାର୍ଦ୍ଧମା, ଡଷ୍ଟବିନ୍ କିମ୍ବା କେଉଁ କାଉ, ଶାଗୁଣା ଏବଂ କେଉଁ କୁକୁରର ଆହାର । ଝିଅଟିଏ ଯଦି ବଡ଼ ହୋଇ ସ୍କୁଲ, କଲେଜ କିମ୍ବା ବାହାରକୁ ଯିବା ପାଇଁ ପାଦ କାଢ଼େ, ତେବେ ବାପାମାଆଙ୍କର ଆଖିରୁ ନିଦ ହଜିଯାଏ, ବିଭିନ୍ନ ପ୍ରକାର ପ୍ରଶ୍ନ ଏବଂ ପାପ ଚିନ୍ତା ତାଙ୍କ ମନରେ ଉଙ୍କି ମାରେ, କେତେବେଳେ ଝିଅ ଘରକୁ ଫେରିବ ! କାରଣ ଝିଅ, ବୋହୂ, ନାରୀ ଏଠାରେ ସୁରକ୍ଷିତ ନୁହନ୍ତି । କେଉଁଠି ବଳାତ୍କାର ଧର୍ଷଣର ଶିକାର ହେବାର ଭୟ ତ କେଉଁଠି ଅସଦାଚରଣ ହେବାର ଭୟ ମନରେ କଳା ବାଦଲ ଭଳି ଢାଙ୍କି ରହିଥାଏ ।

ପ୍ରତିଦିନ ଏଠି କେହି ନା କେହି ବଳାତ୍କାରର ଶିକାର ହୋଇ ମରଣ ମୁଖରେ ପଡ଼ୁଛନ୍ତି । ପୁଣି କେହି କେହି ଧର୍ଷଣରେ ପୀଡ଼ିତ ହୋଇ ସମାଜର ନିନ୍ଦା ଅପବାଦକୁ ସହ୍ୟ କରିନପାରି ଆତ୍ମହତ୍ୟାକୁ ଆପଣେଇ ନେଉଛନ୍ତି ।

ଝିଅଟେ ମନପ୍ରାଣ ଦେଇ ଭଲ ପାଇଲେ ଧୋକା ଖାଇବାର ଭୟ, ବାହାହେଲା ପରେ ସ୍ୱାମୀ ଏବଂ ଶାଶୂଶଶୁରଙ୍କଠାରୁ ମାଡ଼ ଗାଳି ଖାଇବାର ଭୟ ଏବଂ ସର୍ବଶେଷରେ ବାର୍ଦ୍ଧକ୍ୟ ହେଲା ପରେ ପୁଅବୋହୂଠାରୁ ଅତ୍ୟାଚାର ସହିବାର ଭୟ ତା’ର ପିଛା ଛାଡ଼େନାହିଁ ।

କନ୍ୟାଟେ ଜନ୍ମ ହେବା ପୂର୍ବରୁ ବୃଦ୍ଧା ହୋଇ ପ୍ରାଣ ତ୍ୟାଗ କରିବା ପର୍ଯ୍ୟନ୍ତ ତାକୁ ଅନେକ ଝଡ଼ ଝଞ୍ଜାର ସାମ୍ନା କରିବାକୁ ପଡ଼ିଥାଏ । ସରକାର ନାରୀଙ୍କ ପାଇଁ ଅନେକ ସୁବିଧା ସୁଯୋଗ ଆଇନ କାନୁନ ପ୍ରଣୟନ କରିଛନ୍ତି ତଥାପି ଏଠାରେ ନାରୀ ଅସୁରକ୍ଷିତ । ଲାଗୁଛି ଯେମିତି କନ୍ୟା ହୋଇ ଜନ୍ମ ନେବା ଗୋଟେ ବହୁତ ବଡ଼ ଅପରାଧ ଏବଂ ଗୋଟେ ବହୁତ ବଡ଼ ଅଭିଶାପ । ଆଜିର ଏ ସମାଜରେ ଜନ୍ମ ନେଇଥିବା ଅନେକ କନ୍ୟା କାନ୍ଦୁଛନ୍ତି ଏବଂ ସ୍ଵର୍ଗରେ ଥାଇ ମୋ ଭଳି କନ୍ୟାଭ୍ରୁଣମାନେ ହସୁଛନ୍ତି ।

ସ୍ୱର୍ଣ୍ଣପ୍ରଭା ମହାଳିକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...