ଭାରତ ଇଂରେଜମାନଙ୍କ କବଳରେ ପରାଧୀନ ହେବାପରେ ଦେଶକୁ ସ୍ଵାଧୀନ କରିବା ପାଇଁ ବହୁ ସ୍ଵାଧୀନତା ସଂଗ୍ରାମୀମାନେ ବଳିଦାନ ଦେଇଛନ୍ତି । ସ୍ଵାଧୀନତା ସଂଗ୍ରାମରେ ସଂଗ୍ରାମୀଙ୍କର ବଳିଦାନ ଇତିହାସର ପୃଷ୍ଠାରେ ସ୍ଵର୍ଣ୍ଣାକ୍ଷରରେ ଲେଖାଯାଇଛି । ମହାତ୍ମା ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଯାଏଁ ବହୁ ଅମର ପୁରୁଷଙ୍କ ନାମ ଦେଶର ଇତିହାସରେ ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଛି । ସ୍ଵାଧୀନତା ସଂଗ୍ରାମରେ କେତେ ଯେ ମହାମନୀଷି ବଳିଦାନ ଦେଇଛନ୍ତି ତାହା କହିଲେ ଅତ୍ୟୁକ୍ତି ହେବ ନାହିଁ । ତେବେ ଏହି ସଂଗ୍ରାମ ପାଇଁ ଆମ ଓଡ଼ିଶା ମାଟିରୁ ବୀରଗତି ପ୍ରାପ୍ତ କରିଥିବା ଜଣେ ମହାନ ସର୍ବକନିଷ୍ଠ ସ୍ଵାଧୀନତା ସଂଗ୍ରାମୀ ହେଉଛନ୍ତି ବାଜି ରାଉତ । ତାଙ୍କ ନାଁ ଯେପରି ବାଜି ସେ ଦେଶ ପାଇଁ ନିଜ ଜୀବନକୁ ସେହିଭଳି ଭାବରେ ବାଜି ଲଗାଇଥିଲେ ।
ଢେଙ୍କାନାଳ ଏକ ପୂର୍ବତନ ଗଡ଼ଜାତ ରାଜ୍ୟ ଥିଲା । ୧୯୨୫ ଡିସେମ୍ବର ୧୮ରେ ଏ ରାଜ୍ୟର ଶାସନଭାର ଗ୍ରହଣ କଲେ ରାଜା ଶଙ୍କର ପ୍ରତାପ ସିଂହ ଦେ । ନାମ ବଡ଼ କିନ୍ତୁ ଶାସନ କୁତ୍ସିତ । ବଡ଼ ଅହଂକାରୀ ଓ ଗର୍ବୀ ରାଜା ଥିଲେ ସେ । ରାଜା ତଥା ପାରିଷାଦବର୍ଗଙ୍କ ଯାବତୀୟ ଅନ୍ୟାୟ, ଅତ୍ୟାଚାର, ଶୋଷଣ, ବେଠି, ବେଘାରି, ଯୋର ଜବରଦସ୍ତ ଟିକସ ଅସୁଲ, ମନମୁଖି ଶାସନ, ମିଥ୍ୟା, କରବୃଦ୍ଧି ଇତ୍ୟାଦିରେ ପ୍ରଜାକୁଳ ତ୍ରାହି ତ୍ରାହି ଡାକ ଛାଡ଼ିଲେ । ରାଜାଙ୍କ ଶାସନ ବିରୋଧରେ ତୀବ୍ର ଆନ୍ଦୋଳନ ଗଢ଼ିଉଠିଲା । ଗଠିତ ହେଲା ପ୍ରଜାମଣ୍ଡଳ । ଆନ୍ଦୋଳନକୁ ଚଳାଇଲେ ଢେଙ୍କାନାଳର ଲୌହମାନବ ମହେଶ ଚନ୍ଦ୍ର ସୁବାହୁସିଂହ, ଢେଙ୍କାନାଳର ସୁଭାଷ ବୀର ବୈଷ୍ଣବ ପ୍ରମୁଖ ସଂଗ୍ରାମୀମାନେ ।
୧୯୨୬ ମସିହା ଅକ୍ଟୋବର ୫ ତାରିଖ ଦିନ ବାଜି ରାଉତ ଢେଙ୍କାନାଳ ଜିଲ୍ଲାର ନୀଳକଣ୍ଠପୁର ଗ୍ରାମରେ ଏକ ଗରିବ ଖଣ୍ଡାୟତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ପିତାଙ୍କ ନାମ ହରିହର ରାଉତ ଓ ମା’ଙ୍କ ନାମ ରାଣିଆ । ସେ ପିଲାବେଳୁ ବାପାଙ୍କୁ ହରାଇ ମା’ଙ୍କଦ୍ୱାରା ପ୍ରତିପାଳିତ ହେଉଥିଲେ । ପରିବାରରେ ଚାଷବାଷ ସକାଶେ ଜମି ନ ଥିଲା । ମା’ ଅନ୍ୟଘରେ ପାଇଟିକରି ତାଙ୍କୁ ପାଳୁଥିଲେ । ସମସ୍ତେ ତାଙ୍କୁ ସ୍ନେହରେ ବାଜିଆ ବୋଲି ଡାକନ୍ତି ।
୧୯୩୮ ମସିହା ଜୁଲାଇରେ ଦିନେ ବେଠି ଖଟିବା ପ୍ରସଙ୍ଗ ନେଇ ଢେଙ୍କାନାଳ ରାଜାଙ୍କ ପୋଲିସ ବାଜିଆର ମା’କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ଅପମାନିତ କଲା । ମା’ ପ୍ରତି ଅପମାନ ବାଜିଆ ହଜମ କରିପାରିଲା ନାହିଁ । ଝାମ୍ପଦେଲା ପୋଲିସ ଉପରକୁ । ପୋଲିସ ବାଜିଆକୁ ଲଙ୍ଗଳା କରି ଧୁମ୍ ପିଟିଲା । ସେ ବାଳକ ବୋଲି ତାକୁ ପୋଲିସ ଛାଡ଼ିଦେଇଗଲା । ହେଲେ ବାଜିଆ ପ୍ରତିଶୋଧ ନେବା ପାଇଁ ବାଜି ପକାଇଲା । ପରେ ଢେଙ୍କାନାଳର ବୈଷ୍ଣବ ଚରଣ ପଟ୍ଟନାୟକ (ବୀର ବୈଷ୍ଣବ) ଯେତେବେଳେ ରାଜାଙ୍କ ବିରୋଧରେ ପ୍ରଜାମଣ୍ଡଳ ଆରମ୍ଭ କଲେ ସେତେବେଳେ ବାଜି ସେହି କୋମଳ ବୟସରେ ସେଥିରେ ଯୋଗ ଦେଇଥିଲେ । ପ୍ରଜାମଣ୍ଡଳରେ ଯୋଗଦେଇ ବାନରସେନା ସାଜିଲେ ବାଜିଆ । ଦେଶ ଓ ଜାତି ପାଇଁ ସେ ନିଜକୁ ଉତ୍ସର୍ଗ କରିଦେଲେ । ବାଜି ରାଉତଙ୍କୁ ପ୍ରଜାମଣ୍ଡଳର ସିପାହୀ କରାଯାଇଥିଲା ।
ସେହିବର୍ଷ ସେପ୍ଟେମ୍ବର ପହିଲାରେ ଜେନାପୁରଠାରେ ଅନୁଷ୍ଠିତ କୃଷକ ସଭାରେ ଢେଙ୍କାନାଳର ୨୦,୦୦୦ କୃଷକ ଯୋଗ ଦେଇଥିଲେ । ସେହି ସମାବେଶରେ ବାଜିଆ ଉପସ୍ଥିତ ହୋଇ ଗଳାଫଟାଇ ଢେଙ୍କାନାଳ ରାଜାଙ୍କ ଅତ୍ୟାଚାର ବିରୋଧରେ ଓଜସ୍ୱିନୀ ଭାଷଣ ଦେଲା । ବିଚକ୍ଷଣ ବାଳକ ବାଜିଆର ଭାଷଣ ଶୁଣି ଉପସ୍ଥିତ ଜନତା ସ୍ତବ୍ଧ ହୋଇଗଲେ । ଏହାପରେ ଢେଙ୍କାନାଳରେ ଦେଖାଦେଲା ମୁକ୍ତି ଆନ୍ଦୋଳନ । ପ୍ରଜାମଣ୍ଡଳର କର୍ମୀମାନଙ୍କୁ ରାଜା ଅନ୍ୟାୟ ଭାବେ ବନ୍ଦୀ କରିବାରୁ ଲୋକେ ଗାଁ ଗହଳିରୁ ବନ୍ଧ ଭାଙ୍ଗିଲା ପରି ମାଡ଼ିଆସିଲେ ଢେଙ୍କାନାଳ ଗଡ଼କୁ । ହଜାର ହଜାର ଲୋକ ପ୍ରଜାମଣ୍ଡଳର ଜୟ, ମହାତ୍ମା ଗାନ୍ଧୀ କୀ ଜୟ ଓ ଶଙ୍କର ପ୍ରତାପ ମୁର୍ଦ୍ଦାବାଦ ଧ୍ୱନି ଦେଇ ଢେଙ୍କାନାଳ ରାଜଉଆସକୁ ଅକ୍ତିଆର କରିନେଲେ । ଏହି ଜନ ସମାବେଶରେ ଯୋଗ ଦେଇଥିଲା ବାଜି ରାଉତ ।
ଲୋକଙ୍କର ବିଜୟ ଘଟିଲା । ରାଜା ଅସହାୟ ହୋଇ ଗୋରା ସରକାରଙ୍କଠାରେ ଶରଣ ପଶିଲେ । କଟକରୁ ଆସି ପହଞ୍ଚିଲେ ଢେଙ୍କାନାଳରେ ପଲିଟିକାଲ ଏଜେଣ୍ଟ ବେଜେଲେଗେଟ୍ । ଘୋଷଣା କଲେ ଢେଙ୍କାନାଳ ଆନ୍ଦୋଳନକୁ ନିଜେ ଦମନ କରିବେ । ଗୋର୍ଖାବାହିନୀ, ଡୋଗ୍ରା ବାହିନୀ, ହାଇଦ୍ରାବାଦୀ ଫୌଜ, ପଞ୍ଜାବୀ ଫୌଜ, ରାୟଗଡ଼ ଓ ଅନ୍ୟ ସୈନ୍ୟ ଆଣି ଢେଙ୍କାନାଳ ରାଜାଙ୍କ ପୋଲିସବାହିନୀ ସହ ମିଶାଇଦେଲେ । ବର୍ବର ଅତ୍ୟାଚାର ଆରମ୍ଭ ହେଲା ଢେଙ୍କାନାଳର ଗାଁ’ଗଣ୍ଡାରେ । ପ୍ରଜାମାନଙ୍କ ସହ ହେଲା ମୁହାଁମୁହିଁ ଯୁଦ୍ଧ । ଅନେକ ଲୋକ ଗୁଳିରେ ପ୍ରାଣ ହରାଇ ବି ଛାଡ଼ୁ ନ ଥାନ୍ତି । ୧୯୩୮ ମସିହା ଅକ୍ଟୋବର ମାସ ୧୧ ତାରିଖ ଇଂରେଜମାନଙ୍କ ବିରୁଦ୍ଧରେ ‘ପ୍ରଜାମଣ୍ଡଳ’ ଦ୍ୱାରା ଭୁବନ ପୁଲିସ ଥାନା ସମ୍ମୁଖରେ ଆନ୍ଦୋଳନ ହୋଇଥିଲା । ଜନ ଆକ୍ରୋଶକୁ ପୁଲିସ ଆୟତ କରି ନ ପାରି ଶେଷରେ ଗୁଳିଚାଳନା ଆରମ୍ଭ କରିଥିଲା । ଏହି ଗୁଳିଚାଳନାରେ ଦୁଇଜଣ ପ୍ରଜାମଣ୍ଡଳର କାର୍ଯ୍ୟକର୍ତ୍ତା ନିହତ ହୋଇଥିଲେ । ଏହାଦ୍ୱାରା ପ୍ରଜାମଣ୍ଡଳ କାର୍ଯ୍ୟକର୍ତ୍ତା ଓ ସାଧାରଣ ନାଗରିକମାନଙ୍କ ମଧ୍ୟରେ ଆକ୍ରୋଶ ବୃଦ୍ଧି ପାଇଥିଲା । ଶେଷରେ ପୁଲିସ ଏହି ଆନ୍ଦୋଳନକୁ ନିୟନ୍ତ୍ରଣ କରିନପାରି ମଧ୍ୟରାତ୍ରରେ ଉକ୍ତ ସ୍ଥାନ ଛାଡ଼ି ପଳାୟନ କରିଥିଲା । ପ୍ରଜାମେଳିକୁ ଭୟ କରି ପୋଲିସ ଫୌଜ ଢେଙ୍କାନାଳ ଗଡ଼କୁ ଫେରିଯିବା ପାଇଁ ରାତିରେ ଆସି ପହଞ୍ଚିଲେ ଭୁବନ ଆଖପାଖ ଅଞ୍ଚଳରେ । ତାଙ୍କ ପଛରେ ହଜାର ହଜାର ଜନତା । ପୋଲିସ ଗୁଳି ଚଳାଇ ସେମାନଙ୍କୁ ଘଉଡ଼ାଉଥାଏ । ଲୋକେ ମରୁଥାଆନ୍ତି କିନ୍ତୁ ଛାଡ଼ୁ ନ ଥାନ୍ତି । ପ୍ରଜାମଣ୍ଡଳ କର୍ମୀମାନେ ଜାଣିପାରିଲେ ନୀଳକଣ୍ଠପୁର ଘାଟ ଦେଇ ପୋଲିସ ଫୌଜ ବ୍ରାହ୍ମଣୀ ପାର ହେବେ । ସେମାନଙ୍କୁ ନଦୀପାର କରାଇ ନ ଦେବା ପାଇଁ ପ୍ରସ୍ତୁତ ହୋଇ ରହିଲେ ବାଳକ ବାଜିଆ, ଲକ୍ଷ୍ମଣ ମଳିକ, ନଟ ମଳିକ, ହୁରୁଷି ପ୍ରଧାନ, ରଘୁ ନାୟକ ଓ ଗୁରୁ ନାୟକ । ‘ପ୍ରଜାମଣ୍ଡଳ’ ପରି ଛୋଟ ପିଲାମାନଙ୍କର ମଧ୍ୟ ‘ବାନରସେନା’ ନାମକ ଏକ ସଂଗଠନ ରହିଥାଏ । ଏହି ସଂଗଠନର ମୁଖିଆ ଥିଲେ ‘ବାଜି ରାଉତ’ । ପ୍ରଜାମଣ୍ଡଳ କର୍ମୀମାନେ ସେଠାରେ ଥିବା ସରକାରୀ ଡଙ୍ଗାକୁ ବୁଡ଼ାଇ ଦେଇଥିଲେ । ଆଉ ଥିଲା ଗୋଟିଏ ମାତ୍ର ବେସରକାରୀ ଡଙ୍ଗା । ସେହି ଡଙ୍ଗାର ମଙ୍ଗ ଉପରେ ବସିଥାଏ ବାଜି ରାଉତ ।
ମୁହଁକୁ ମୁହଁ ଦିଶୁନି | ତିନି ଦିନ ହେଲା ମେଘ, ବର୍ଷା, ବିଜୁଳି ଓ ଘଡ଼ଘଡ଼ିର ତାଣ୍ଡବଲୀଳା ଚାଲିଛି | ବାଜି ଠିଆ ହୋଇଛି ଡଙ୍ଗା ମଝିରେ । ମୁଣ୍ଡରେ ପଗଡ଼ି । ମଥାରେ ସିନ୍ଦୂରକଲି । ହାତରେ ତା’ର କପିଳାସ ଠେଙ୍ଗା । ଅନ୍ୟମାନେ ଡଙ୍ଗା ପାଖରେ ଡଙ୍ଗା ଦଉଡ଼ି ଧରି ଠିଆ ହୋଇଛନ୍ତି । ସେ ପ୍ରଜାମଣ୍ଡଳର ସିପାହୀ ସାଜିଛନ୍ତି । ଘାଟ ଡଙ୍ଗା ଜଗିବା ସେଦିନ ତାଙ୍କର ପାଳିଥିଲା । କାରଣ ପ୍ରଜାମଣ୍ଡଳର ହୁକୁମ ଥିଲା, ନଦୀଘାଟରୁ ଦୂରରେ ଡଙ୍ଗା ଲୁଚେଇ ରଖିବ, ଗୋରା ଫଉଜମାନେ ଯେପରି ନଦୀ ପାର ନହୁଅନ୍ତି, ସେମାନଙ୍କ ଗତିବିଧି ଉପରେ ନଜର ରଖି ଶିବିରକୁ ଖବର ଦେବ, ଆଉ ପ୍ରଜାମଣ୍ଡଳର ସାଥୀଙ୍କୁ ନିରାପଦରେ ପାର କରାଇବ । ପିଲାଲୋକ ସିଏ । ଟିକେ ହାଲିଆ ହୋଇ ବସି ପଡ଼ିଛନ୍ତି କି ନାହିଁ, ନିଦରେ ତାଙ୍କର ଆଖିପତା ମୁଦି ହୋଇଗଲା । କୋଳାହଳରେ ବାଜିଆଙ୍କ ନିଦ ଭାଙ୍ଗିଗଲା । ଅନ୍ୟ ସ୍ୱେଚ୍ଛାସେବୀମାନେ ଧଡ଼ପଡ଼ ହୋଇ ଉଠି ପଡ଼ିଲେ । ଶୁଣିଲେ ଡଙ୍ଗାକୁ ତୁରନ୍ତ କୂଳରେ ଲଗାଇବା ପାଇଁ ନରହନ୍ତା ସିପାହୀ ଦଳ ଗର୍ଜନ କରୁଛନ୍ତି “କୂଳକୁ ଡଙ୍ଗା ଆଣ, କୂଳକୁ ଡଙ୍ଗଗା ଆଣ ।” ବାଜିଆ ଦେହରେ ଶତ ସିଂହର ବଳ ଜାଗି ଉଠିଲା । କ୍ରୋଧରେ ଜର୍ଜରିତ ହୋଇ ରକ୍ତରେ ତାଙ୍କର ନିଆଁ ଲାଗିଗଲା । ସେ ହଠାତ୍ ସ୍ୱେଚ୍ଛାସେବୀଙ୍କ ଓ ବାନର ସେନାଙ୍କ ଆଗକୁ ଚାଲି ଆସିଲେ । ଏ ମାଟିର ସିଂହଛୁଆ ସେ ଫଉଜକୁ ଅନେଇ ବୀରଦର୍ପରେ ଜବାବ ଦେଲେ, “ପ୍ରଜାମଣ୍ଡଳର ହୁକୁମ, ଡଙ୍ଗା ଦେବି ନାହିଁ |” ସିପାହୀମାନେ ପୁଣି କହିଲେ, “ଜାଣିଛୁ ଆମେ କିଏ? ଆମେ ତୋତେ ଗୁଳିରେ ଉଡ଼ାଇ ଦେଇପାରୁ ।” ବାଜିଆ କ୍ରୋଧରେ ଗର୍ଜନ କରି କହିଲେ, “ଆରେ, ରଖ ତୋ’ ଗୁଳି । ମୁଁ ଜାଣିଛି ତୁମେ ହେଉଛ ଅତ୍ୟାଚାରୀ ରାଜାର କୁକୁର ଦଳ; ତୁମେ ଗାଁ ଗାଁ ବୁଲି ଗାଁ’ଗଣ୍ଡା ଛାରଖାର କରୁଛ, ସମ୍ପତ୍ତି ଲୁଟ୍ କରୁଛ, ମା ଓ ଭଉଣୀଙ୍କ ଇଜ୍ଜତ ନେଉଛ, ଭାଇମାନଙ୍କୁ ଜୀବନରେ ମାରୁଛ । ତୁମେ ପଶୁ, ରାକ୍ଷସ ।” ଫୌଜ ଆଉ ବାଜି ରାଉତ ମଧ୍ୟରେ ଯୁକ୍ତିତର୍କ ଓ କଥା କଟାକଟି ଚାଲିଲା । ଆଖି ପିଛୁଳାକେ ଢେଙ୍କାନାଳ ରାଜାଙ୍କ ପୋଲିସ ରବି ସ୍ୱାଇଁ ବାଜି ରାଉତ ମୁଣ୍ଡକୁ ଲକ୍ଷ୍ୟକରି ଚଳାଇଦେଲା ଗୁଳି; ଗୁଡ଼ୁମ୍, ଗୁଡ଼ୁମ୍ । ଗୁଳି ମାଡ଼ରେ ବାଜିଆଙ୍କ କଁଅଁଳିଆ ଖପୁରୀଟି ଫାଟି ଦି’ଫାଳ ହୋଇଗଲା । ଗଛ କାଟିଲା ଭଳି ସେ ତଳେ ପଡ଼ିଗଲେ । ସେଇ ରକ୍ତ ଜୁଡ଼ୁବୁଡ଼ୁ ଦେହରେ ସେ ପୁଣି ଉଠି ଠିଆ ହେଲେ । ସେ ଡରିବାର ପିଲା ନୁହେଁ, ତାଙ୍କ ଭିତରଟା ବଜ୍ରଠାରୁ ଆହୁରି କଠିନ । ଦେହରେ ତାଙ୍କର ଅମାପ ଶକ୍ତି । ବଡ଼ ପାଟିରେ ଡାକ ଛାଡ଼ିଲେ, “ଧାଇଁ ଆସ ହେ ଧାଇଁ ଆସ । ପ୍ରଜାମଣ୍ଡଳର ଲୋକ କେଉଁଠି ଅଛ ଧାଇଁ ଆସ । ଆମ ଘାଟକୁ ପୁଲିସ୍ ଆଇଚି ।” ତା’ ପରେ ସବୁ ଶେଷ । ଗାଁ ଲୋକେ ଡାକ ଶୁଣି ତତକ୍ଷାଣତ୍ ଧାଇଁଲେ । ସତେ ଯେପରି ଗାଁ’ଟା ସାରା ନଈ କୂଳକୁ ଉଠି ଆସିଲେ । ସମସ୍ତେ ସେଇ ନଈ ତୁଠରେ ଡଙ୍ଗା ଦଉଡ଼ିକୁ ଅନଟାରେ ବାନ୍ଧି ଛାତି ଫୁଲାଇ ଠିଆ ହୋଇଗଲେ | ଜୀବନ ପଛକେ ଚାଲିଯିବ ଡଙ୍ଗା ଫିଟିବ ନାହିଁ । ପ୍ରଜାମଣ୍ଡଳର ହୁକୁମ୍ ଏପଟ ସେପଟ ହେବାର ନୁହେଁ ।
ପୁଲିସ୍ ମନେମନେ କୌଶଳ ପାଞ୍ଚିଲା । କାହାକୁ ଆଉ ଗୁଳି ମାରିଲା ନାହିଁ । ଛୁରୀରେ ଡଙ୍ଗା ଦଉଡ଼ି କାଟି ମଝି ନଈକୁ ଡଙ୍ଗା ବାହି ନେଲା । ଡଙ୍ଗା ମଝି ନଈରେ ହୋଇଛି କି ନାହିଁ, ଛୁଟିଲା ଗୁଳିର ସୁଅ ଗୁଡ଼ୁମ୍ ଗୁଡ଼ୁମ୍ । ସେଇଠି ଟଳି ପଡ଼ିଲେ ନୀଳକଣ୍ଠପୁର ଗାଁର ଆଉ କେତେ ଜଣ । ହୁରୁଷି, ରଘୁ, ଗୁର, ନଟ, ଲକ୍ଷମଣ ଓ ଫଗୁ । ଦେଶ ପାଇଁ ଛୁଆ ବଡ଼ ମିଶି ସାତ ଜଣ ଶହୀଦ ହୋଇଗଲେ । ସେଇ ଅନ୍ଧାର ରାତିରେ ମଣିଷର ଉଷୁମ ରକ୍ତରେ ବ୍ରାହ୍ମଣୀ ନଈର ପାଣି ଲାଲ ହୋଇଗଲା । ନୀଳକଣ୍ଠପୁର ଗୁଳିକାଣ୍ଡର ପରଦିନ ଅର୍ଥାତ୍ ୧୯୩୮ ମସିହା ଅକ୍ଟୋବର ମାସ ୧୨ ତାରିଖ ଦିନ ଦେଶ ପାଇଁ ପ୍ରାଣବଳି ଦେଇଥିବା ସାତଜଣ ବୀରଙ୍କର ପାର୍ଥିବ ଶରୀରକୁ କଟକ ଆଣି ବିରାଟ ପଟୁଆର ହେଲା । ଏହି ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ ଅନନ୍ତ ପଟ୍ଟନାୟକ, ବୈଷ୍ଣବ ପଟ୍ଟନାୟକ, ସାରଙ୍ଗଧର ଦାସ, ଗୋବିନ୍ଦ ମହାନ୍ତି, ସଚ୍ଚି ରାଉତରାୟ, ଶରତ ପଟ୍ଟନାୟକ, ରବି ଘୋଷ୍, ବିଶ୍ୱନାଥ ପଶାୟତ, ନବକୃଷ୍ଣ ଚୌଧୁରୀ, ପ୍ରାଣକୃଷ୍ଣ ପଢ଼ିଆରୀ, ସୁରେନ୍ଦ୍ର ନାଥ ଦ୍ୱିବେଦୀ ଓ ଗୌରାଙ୍ଗ ଦାସ ପ୍ରମୁଖ ବିପ୍ଳବୀ ନେତା ।
ଶେଷରେ ଆଜିର ଖାନ୍ନଗର ମଶାଣିରେ ଗୋଟିଏ ଚିତାରେ ସମସ୍ତେ ପାଉଁଶ ହୋଇଗଲେ । ମାଟିର ଦେହ ମାଟିରେ ମିଶିଗଲା । ଯୁଗଯୁଗ ପାଇଁ ସେମାନେ ହେଲେ ସ୍ୱାଧୀନତା ସଂଗ୍ରାମର ବୀର ଅମର ସୈନିକ । ସର୍ବ କନିଷ୍ଠ ବାଜି ରାଉତ ଥିଲେ ମୁକ୍ତି ସଂଗ୍ରାମର ଅନ୍ୟତମ ସଂଗ୍ରାମୀ ଓ ଗଡ଼ଜାତର ସୂର୍ଯ୍ୟ । ପଙ୍କରୁ ପଦ୍ମ ଜନ୍ମ ନେଲା ପରି ଏକ ଅନ୍ଧାରୀ ମୁଲକରେ ଜନ୍ମ ହୋଇଥିଲେ ମଧ୍ୟ ସେ ସାରା ଜାତି ଓ ନିଜର ଜନ୍ମଭୂମି ପାଇଁ ଜୀବନ ଉତ୍ସର୍ଗ କରି ଭବିଷ୍ୟତ ବଂଶଧରମାନଙ୍କ ନିମନ୍ତେ ଏକ ପ୍ରେରଣାର ଉତ୍ସ ହୋଇ ରହିଗଲେ । ସେଦିନ ଚିତାଗ୍ନି ପାଖରେ ଥାଇ କବି ସଚ୍ଚି ରାଉତରାୟ ଗାଇ ଉଠିଲେ-
“ନୁହେଁ ବନ୍ଧୁ ନୁହେଁ ଏହା ଚିତା,
ଏ ଜାତି ତିମିର ତଳେ ଏ ଅଲିଭା ମୁକତି ସଳିତା,
ନୁହେଁ ଏହା ଜଳି ଯିବା ପାଇଁ,
ଏହାର ଜନମ ଏଥି ଜାଳି ପୋଡ଼ି ଦେବାରୁ ଧସାଇ ।”
ଶହୀଦର ସ୍ୱୀକୃତି ନେଇ କାଳ କାଳପାଇଁ ବାଜି ରାଉତ ପାଲଟିଗଲା ଏକ ମିଥ୍ । ଗୁଳିଚୋଟରେ ବାଜିଆ ସବୁଦିନ ପାଇଁ ଆଖି ବୁଜିଲା, ମାତ୍ର ଶହୀଦ ହୋଇଗଲା, ମହାବୀର ପରି ବଞ୍ଚିଲା, ପ୍ରଥମବୀରର ମାନ୍ୟତା ପାଇଲା । ଆଜି ବାଜିଆର ଜୀବନ ଓ ବୀରପଣକୁ ନେଇ କେତେ ଗପ, ଗୀତ, ନାଟକ ଲେଖା ଯାଇଛି । କେତେ ତୁଣ୍ଡରେ, କେତେ ଶ୍ରଦ୍ଧାରେ ସେ ପ୍ରସାରିତ ହୋଇଛି । କେତେମଣିଷଙ୍କ ଜୀବନକୁ ଅନ୍ଧାର ଭିତରୁ ଆଲୁଅ ଆଡ଼କୁ ଆକର୍ଷି ଆଣିଛି, ନୂଆ ଭାବରେ ତିଆରି କରିଛିI ତା’ କଥା ଅନ୍ଧାରୀ ମୁଲକର ଦୀପଟିଏ ପରି ରହିନି । ସେ ନଈକୂଳରୁ ଦେଶ ଭିତରକୁ ଆସିଛି, ପବନ ଓ ଆଲୋକରେ ମିଶିଯାଇଛି । ଅନେକ ଭୀରୁଙ୍କୁ ବୀର କରିବାର କାରଣ ହୋଇଛି ବାଜିଆ । ଅନେକଙ୍କ ଚେତନାର ଶୀତଳତାକୁ ସେ ତତେଇ ଦେଇଛି । ଉଷ୍ମତାର ଉତ୍ସଟିଏ ହୋଇ ପିଲାଠୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କ ହୃଦୟରେ ସେ ବିପ୍ଳବ ଓ ସତ୍ୟର ଶିଖା ପରି ଜଳିଉଠିଛି । ନିଜେ ଜଳିଛି ଏବଂ ଅନେକଙ୍କୁ ଜଳାଇଛି । ସେଇ ଜ୍ୱଳନର ତେଜ ଦିଗବିଦିଗରେ ପ୍ରସରି ଯାଇଛି । ଅନେକଙ୍କ ମଥାରେ ସେ ବିପ୍ଳବର ଶିରପା ବାନ୍ଧିଛି । ମରଣ ଓ ଚିରନ୍ତନ ବର୍ତ୍ତମାନର ଯେ କାରଣହୋଇପାରେ– ଅତି ଶରଧାରେ ଏ ସତ୍ୟକୁ ଯେପରି ସେ ଘୋଷଣା କରୁଛି । ଏ ଦେଶର ତିମିର ତଳେ ଲୁଚିଲୁଚି ଯାଉଥିବା ସେଇ ମୁକ୍ତିସଳିତା ବାଜି ରାଉତଙ୍କ କୋଟି ପ୍ରଣିପାତ କରୁଛି ଏ ବୀର ଜାତି ।
– ସୌଭାଗ୍ୟ ରଞ୍ଜନ ମହାପାତ୍ର
Comments
ସୌଭାଗ୍ୟ ରଞ୍ଜନ ମହାପାତ୍ର ସମ୍ବଲପୁରର ବୈଦିକ ମହାବିଦ୍ୟାଳୟର ଜଣେ ଅଧ୍ୟାପକ । ସେ ଓଡ଼ିଆ ଭାଷାରେ ବିଭନ୍ନ ପ୍ରକାରର କବିତା ରଚନା କରିଥାନ୍ତି ।