ଏବେବି ଦିଅଇ ମଥାରେ ଓଢ଼ଣା
ମୋ ମାଆଟା ପୁରୁଣାକାଳିଆ,
ଦୂରରୁ କରଇ ଜୁହାର ବଡ଼ଙ୍କୁ
ଚଳେ ଆଜିବି ସେ ଆଗ ଭଳିଆ ।
ପଖାଳର ସାଥେ ବାଢ଼ିଦିଏ ଖାଲି
ବଡ଼ିଚୂରା ସଙ୍ଗେ ଶାଗ ସଜନା,
ଚିଲ୍ଲି ଚିକେନଟା ତା’ପାଇଁ ଅଡ଼ୁଆ
ମେଗି-ଚଉମିନ କରି ଜଣେନା ।
ବାହାରୁ ଆସିଲେ ବନ୍ଧୁ-କୁଣିଆ
ଧୁଅଇ ହଳଦି ପାଣିରେ ଗୋଡ଼,
ହାତ ଧୋଇବାକୁ ଦିଏ ପାଣିଢାଳ
ହେଉ ଅବା ଛୋଟ ହେଉ କି ବଡ଼ ।
ଖାଏ ନା ବାହାର ଖାଇବା ଦରବ
ଚୂଡ଼ାଭଜା-ପାଣି ସାଥେ ବୁହଇ,
ଅଜଣା-ଲୋକ ଦେଖିଲେ ଛୁଏଁନା
କୋଉଠୁ ଆସିଲ ବୋଲି ପଚାରଇ ।
ଗହଳିରେ ବସି କଥା କହିବାକୁ
କରେନା ପସନ୍ଦ ଜମାରୁ ସିଏ,
ଘରେ ବସି ନାତି ନାତୁଣିକୁ ନିତି
କେତେ ଗୀତ-ଗପ ଶୁଣାଉଥାଏ ।
ଅଦା ମିଶା ନାଲି ଚାହା-ଖୁଦଭଜା
ଆଜି ବି ପାରେନା ଏ ମନ ଭୁଲି,
କାଠ ଚୁଲିରନ୍ଧା ଖାଇବା ଦରବ
ସିଏ ତ ଆହୁରି ଥିଲା ଅସଲି ।
ଚଇତମାସରେ ନିମ୍ବ କଢ଼ି ଆଣି
ଭାଜି ଦେଉଥିଲା ଅତି ସରାଗେ,
ଥଣ୍ଡାକାଶ ପାଇଁ ତୁଳସୀ ମହୁରେ
ଔଷଧ କରଇ ସୁନ୍ଦର ବାଗେ ।
ଶୋରିଷ ତେଲରେ ମଖାଏ ନାତିକୁ
ସକାଳ ଖରାରେ ଗୋଡ଼ ଲମ୍ବାଇ,
ଚିତଉ ପିଠାକୁ ଖୁଆଇ ଦିଅଇ
ଫୁଟା ଗାଈକ୍ଷୀର ସଙ୍ଗେ ବୁଡ଼ାଇ ।
ସପିଙ୍ଗ-ଫିଲିମ-ପାର୍କ ଯାଏ ନାହିଁ
ଭାଗବତ ନିତି ପଢ଼େ ଆଦରେ,
ଗୋବରଲିପା ତା’ ଅଗଣାରେ ହସେ
ଝୋଟି-ମୁରୁଜର ଚିତା ସୁନ୍ଦରେ ।
ଆକାଳ-ଅଭାବେ ଚଳିବା ଶିଖାଏ
ଧରଯକୁ କରି ନିଜ ଜୀବନସାଥି,
ତା’ରି ପଣତେ ଘୋଡ଼ାଇ ରଖଛି
ଆସୁ ପଛେ ଯେତେ ରୋଗ-ବିପତ୍ତି ।
ମନେପଡ଼େ ଗାଆଁ, ମନେପଡ଼େ ମାଆ
ଆଜି କରୋନାର ମହା ବିପତ୍ତି କାଳେ,
ଜ୍ଞାନ-ବିଜ୍ଞାନ ହାରିଛି ସିନା ହେଲେ
ମାଆ ଏକା ସାହା ଏମହୀ ତଳେ ।
ଗାଆଁକୁ ଫେରିବ ପୁଅ ବୋଲି ଶୁଣି
ଆଖି କରିଥିବ ଲୁହ ଛଳ ଛଳିଆ,
ଓଢ଼ଣାତଳରେ ଲୁଚି କାନ୍ଦୁଥିବ
ମୋ ମା’ଟା ପୁରୁଣାକାଳିଆ ।
– ସ୍ୱରୂପ ଚନ୍ଦ୍ର ବାରିକ
Comments
ସ୍ୱରୂପ ଚନ୍ଦ୍ର ବାରିକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।