ସ୍ନାନ ମଣ୍ଡପରେ ସୁନାକୂଅରୁ ଅଣା ହୋଇଥିବା ଶହେଆଠ ଗରାରେ ଗାଧୋଇ ପଡ଼ିବା ପରେ ତୋତେ ଜର ହୁଏ । ରତ୍ନବେଦୀ ଉପରୁ ଆସିବା ପରେ ତୁ ଆଉ ସେଠାକୁ ଫେରି ନ ଯାଇ ସିଧା ଅଣସର ପିଣ୍ଡିକୁ ଯାଉ । ସେଠି ସେଇ ଦଇତାମାନେ ତୋ’ ସେବାରେ ଲାଗି ପଡ଼ନ୍ତି ଯିଏ ଶବର ବିଶ୍ଵାବସୁଙ୍କ ବଂଶଧର ହୋଇଥାନ୍ତି । ସେମାନେ ତୋ’ ନିଜ ଆତ୍ମୀୟ ହୋଇ ତୋ’ର ଯତ୍ନ ନିଅନ୍ତି । ଏହି ସମସ୍ତ ସେବାକୁ ଗୁପ୍ତସେବା କୁହାଯାଏ । ତୋ’ ଅନୁପସ୍ଥିତିରେ ଭକ୍ତମାନେ ଅଲାରନାଥଙ୍କୁ ଦର୍ଶନ କରନ୍ତି ଆଉ ବାସୁଦେବ, ନାରାୟଣ ଓ ମା’ ଭୁବନେଶ୍ଵରୀ ରୂପରେ ପଟିଦିଅଁଙ୍କୁ ପୂଜା କରନ୍ତି ।
ତୋ’ ଦେହ ଭଲ ନ ଥିବାରୁ ପ୍ରଥମେ କେବଳ ଶୁଖିଲା ଭୋଗ ପ୍ରସାଦ ହୁଏ ଆଉ ଧୀରେ ଧୀରେ ଫଳଭୋଗ କରାଯାଏ । ପ୍ରଥମେ ତୋ’ର ଶ୍ରୀଙ୍ଗାର ଫିଟା ନୀତି ପାଳନ ହୁଏ । ଦେହ ଭଲ ନ ଲାଗିଲେ ତୋତେ ଆଉ ଶୃଙ୍ଗାର କେମିତି ଭଲ ଲାଗିବ? ତୋ’ ଦେହରେ ବୋଳା ହୋଇଥିବା ଚନ୍ଦନ, କର୍ପୁର ଆଦିର ପ୍ରଲେପ ପୋଛା ହେବା ସହ ବସ୍ତ୍ରାଭରଣ ଫିଟାଇ ଦିଆଯାଏ ।
ତା’ପରେ ପଇତା ଲାଗି ହୁଏ । ସେତେବେଳେ ତୋତେ ହାଲୁକା ରେଶମ ପୋଷାକ ପିନ୍ଧେଇ ଚନ୍ଦନ ପ୍ରଲେପ ଦିଆଯାଏ । ସବୁଠାରୁ ବଡ଼ ଉପଚାର ହୁଏ ଫୁଲେରି ଲାଗିରେ । ଔଷଧୀୟ ଫୁଲ ସବୁ ବର୍ଷକ ତଳୁ ମାଟିରେ କଳସ ଭିତରେ ରଖି ପୋତି ଦିଆ ଯାଇଥାଏ । ଏହା ସହିତ ଅନ୍ୟାନ୍ୟ ଚେରମୂଳି ମିଶେଇ ଏହି ଦିବ୍ୟତୈଳ ପ୍ରସ୍ତୁତ କରି ତୋ’ ଶ୍ରୀଅଙ୍ଗରେ ଲେପ କରାଯାଏ । ତା’ ପରେ ଓଷୁଅ ଲାଗି କରାଯାଏ ।
ଏସବୁ ପରେ ତୋତେ ଟିକେ ଭଲ ଲାଗି ଆସିଲେ ଚକା ବିଜେ ନୀତି ହୁଏ ଆଉ ତା’ ପରେ ଯାଇ ଖଳି ଲାଗି କରାଯାଏ । ଗହମ ଅଟାରେ ପ୍ରସ୍ତୁତ ଖଳି ପ୍ରଲେପ ତୋ’ ବିଗ୍ରହ ଉପରେ ଦିଆଯାଏ । ତା’ ପରେ ରାଜପ୍ରସାଦ ବିଜେ ବା ଖଡ଼ି ପ୍ରସାଦ ବିଜେ ନୀତି ହୁଏ ଯେତେବେଳେ ତୋ’ ବିଗ୍ରହରୁ ବାହାରିଥିବା ଆସ୍ତରଣକୁ ଗଜପତିଙ୍କ ପାଖକୁ ପଠେଇ ଦିଆଯାଏ । ଯାହା ହେଲେ ବି ସେ ତୋ’ର ପ୍ରଥମ ସେବକ ଆଉ ଅତୀବ ଆପଣାର ନା…!!
ତା’ ପରେ ସବୁଠୁ ମହତ୍ତ୍ୱପୂର୍ଣ୍ଣ ନୀତି ଶ୍ରୀପୟର ପୂଜା କରାଯାଏ । ତୋ’ ପାଦ ପୂଜା ହୁଏ ଆଉ ନବ ବସ୍ତ୍ର ପିନ୍ଧେଇ ତୋତେ ସଜେଇ ଦିଆଯାଏ । ଢୋଲ, ମୃଦଙ୍ଗ ଆଦି ମଧ୍ୟ ବାଜିଥାଏ । ଅବଶ୍ୟ ଅଣସର ଘରେ ଏସବୁ ହେଉଥିବାରୁ ବାହାରକୁ ଶବ୍ଦ ଆସେନି ।
ଏହାପରେ ଖଡ଼ିଲାଗି ନୀତିରେ ତୋ’ ଶ୍ରୀଅଙ୍ଗରେ ଶଙ୍ଖରୁ ପ୍ରସ୍ତୁତ କରାଯାଇଥିବା ଚୁନର ପତଳା ପ୍ରଲେପ ଦିଆଯାଏ ଆଉ ତୋ’ ଅଙ୍ଗ ମଧ୍ୟ ଶଙ୍ଖ ପରି ଚିକ୍ ଚିକ୍ ହୁଏ । ଶେଷରେ ବନକ ଲାଗି ହୁଏ ଯେତେବେଳେ ତୋ’ର ବିଗ୍ରହରେ ତୂଳୀର ସ୍ପର୍ଶ ଦେଇ ଶୃଙ୍ଗାର କରାଯାଏ ।
ଆଉ ତା’ ପରେ ହୁଏ ନବଯୌବନ ଦର୍ଶନ, ଉଭା ଯାତ୍ରା…!! ଆଉ ତୁ ପ୍ରସ୍ତୁତ ହେଉ ରଥରେ ଚଢ଼ି ନବଦିନାତ୍ମକ ଯାତ୍ରାରେ ବାହାରିବା ପାଇଁ ।
କିନ୍ତୁ ଯେତେବେଳେ ମହା ଅଣସର ହୁଏ… ସେତେବେଳେ ନୂତନ ଦାରୁ ବିଗ୍ରହ ଗଢ଼ା ହେବା ପାଇଁ ଶଗଡ଼ିରେ କାଠଗଣ୍ଡି ବୁହା ହୋଇ କୋଇଲି ବୈକୁଣ୍ଠକୁ ଆସନ୍ତି । ତା’ ପରେ ତିନିଜଣ ପୁରୁଖା ବିଶ୍ଵକର୍ମାଙ୍କ ସହିତ ନଅଜଣ ବିଶ୍ଵକର୍ମା ଲାଗି ପଡ଼ନ୍ତି ବିଗ୍ରହ ନିର୍ମାଣ କାର୍ଯ୍ୟରେ । ତାଙ୍କୁ ସାହାଯ୍ୟ କରିବା ପାଇଁ ଅନ୍ୟାନ୍ୟ ବଢ଼େଇମାନେ ମଧ୍ୟ ନିଯୁକ୍ତ ହୋଇଥାନ୍ତି । ଏହି କାମ ଅତି ଗୋପନରେ କରା ଯାଇଥାଏ ।
କୋଇଲି ବୈକୁଣ୍ଠରେ ମୂର୍ତ୍ତି ଗଢ଼ଣ କାର୍ଯ୍ୟ ଚାଲିଥିବା ବେଳେ ମନ୍ଦିର ପ୍ରାଙ୍ଗଣରେ ନିରବତା ରକ୍ଷା କରାଯାଇଥାଏ । ସେହି ବିଶ୍ଵକର୍ମାମାନେ ସେତିକି ଦିନ ନିଜ ନିଜ ପରିବାରବର୍ଗଠାରୁ ଦୂରରେ ରୁହନ୍ତି; ଘରକୁ ଯାଆନ୍ତି ନାହିଁ । ମହାପ୍ରସାଦ ଖାଇ ସେହି ସ୍ଥାନରେ ହିଁ ଦୀର୍ଘ ଏକୋଇଶ ଦିନ ରୁହନ୍ତି । ଏହି ସମୟରେ ଅନବରତ ନାମ ସଙ୍କୀର୍ତ୍ତନ ସହିତ ଦେବଦାସୀ ମାନଙ୍କ ସଙ୍ଗୀତ ଗାନ ସେହି ସ୍ଥାନର ବାହାର ପରିବେଶକୁ ଭାବମୟ କରିଦିଏ । ମୁନିଆ ମୁହାଣରେ ହେଉଥିବା ଖୋଦେଇ କାମର ଶବ୍ଦ ମଧ୍ୟ ବାହାରକୁ ଶୁଣା ଯାଏନାହିଁ ।
ଚତୁର୍ଦ୍ଧାମୂର୍ତ୍ତି ନିର୍ମାଣ ସମାପନ ସହିତ ଚତୁର୍ଦ୍ଦଶୀ ତିଥିର ରାତ୍ରିର ଅନ୍ଧକାରରେ ତୋ’ର ଘଟ ପରିବର୍ତ୍ତନ ନୀତି ସମ୍ପାଦିତ ହୁଏ । ସେହିଦିନ ସମ୍ପୂର୍ଣ୍ଣ ଅଞ୍ଚଳରେ ଅନ୍ଧକାର କରି ଦିଆଯାଏ । ଗମ୍ଭୀରୀ ଘରେ କେବଳ ଏକ ଦୀପ ଜଳୁଥାଏ । ନୂତନ ବିଗ୍ରହଙ୍କୁ ଆଣି ପୁରାତନ ବିଗ୍ରହଙ୍କ ସମ୍ମୁଖରେ ଦଣ୍ଡାୟମାନ କରାଯାଏ । ଆଉ ତତ୍ପରେ ସେହି ମହା ଗୋପନୀୟ ନୀତି ଆରମ୍ଭ ହୁଏ ଯାହାକୁ କୁହାଯାଏ “ବ୍ରହ୍ମ ପରିବର୍ତ୍ତନ”…!!
ଶୁଣିଛି ଆଖିରେ ଅନ୍ଧ ପୁଟୁଳି ବାନ୍ଧି ଜଣେ ବୟୋଜ୍ୟେଷ୍ଠ ସେବକ ଅତି ସନ୍ତର୍ପଣରେ ତୋ’ର ବ୍ରହ୍ମ ପଦାର୍ଥକୁ ପୁରୁଣା ବିଗ୍ରହଙ୍କଠାରୁ ଆଣି ନୂତନ ବିଗ୍ରହ ମଧ୍ୟରେ ସ୍ଥାପନା କରନ୍ତି… କ’ଣ ଏହି ବ୍ରହ୍ମ ପଦାର୍ଥ ସେକଥା କେବଳ ତୁ ହିଁ ଜାଣୁ ଜଗା…!! ମୁଁ କିନ୍ତୁ ଏତିକି ଜାଣେ ଯେ ମନୁଷ୍ୟ ପରି ଲୀଳାଖେଳା କରୁଥିବା ଦାରୁଦିଅଁ ତୋ’ର ଆତ୍ମା… ତୋ’ ହୃଦୟ ହେଉଛି ସେହି ବ୍ରହ୍ମ ପଦାର୍ଥ । ଯାହା ଚାଲିଯିବା ପରେ ପୁରାତନ ବିଗ୍ରହ ପ୍ରାଣଶୂନ୍ୟ ହୋଇଯାଏ ଆଉ ସେହି ବିଗ୍ରହ ମାନଙ୍କୁ ନେଇ କୋଇଲି ବୈକୁଣ୍ଠରେ ମାଟିତତ୍ତ୍ଵରେ ଲୀନ କରି ଦିଆଯାଏ ।
ନୂତନ ବିଗ୍ରହ ତା’ ପରେ ରୀତିନୀତି ଅନୁଯାୟୀ ପୂଜା ଲାଭ କରି ସିଧା ନବଯୌବନ ଦର୍ଶନ ଦିଅନ୍ତି ଆଉ ଶ୍ରୀଗୁଣ୍ଡିଚା ଯାତରେ ବାହାରି ଯାଆନ୍ତି । ସତରେ କାଳିଆ… ତୋ’ ସହିତ ସବୁକିଛି ଜଣେ ମନୁଷ୍ୟ ଜୀବନର ଘଟଣା ପରି ହୁଏ ନା…??
ଏଇ ଯେମିତି ଭାଇ ଭଉଣୀ ସାଙ୍ଗରେ ବୁଲି ବାହାରି ଗଲାବେଳେ ତୁ ନିଜ ପତ୍ନୀଙ୍କ କଥା ଭୁଲିଯାଉ । ଆଉ ସେଇଥିପାଇଁ ତୋ’ ମାଉସୀ ଘରେ ତୁ ବିଶ୍ରାମ ନେବା ସମୟରେ ମା’ ଲକ୍ଷ୍ମୀ ଠାକୁରାଣୀ ନିଜ କ୍ରୋଧରେ ଅଙ୍କୁଶ ଲଗେଇ ନ ପାରି ସପ୍ତମୀ ତିଥିରେ ରାତି ସମୟରେ ଲୁଚି ଲୁଚି ଆଡ଼ପ ମଣ୍ଡପ ନିକଟକୁ ଯାଆନ୍ତି । ତୋ’ ନନ୍ଦିଘୋଷ ରଥର ଅଖ ଭାଙ୍ଗି ରଥଚକକୁ ବୁଲେଇ ଦିଅନ୍ତି ଆଉ ଖଣ୍ଡେ କାଠ ନେଇ ଲୁଚି ଲୁଚି ହରଗୌରୀ ସାହି ଭିତର ଦେଇ ମନ୍ଦିରକୁ ପଳେଇ ଆସନ୍ତି । ଆସିଲା ବେଳେ କିଛି ବଶିକରଣ ଗୁଣ୍ଡ ତୋ’ ରଥ ଉପରକୁ ଫୋପାଡ଼ି ଦିଅନ୍ତି । ଏହି ସବୁ ନୀତିକୁ ହେରାପଞ୍ଚମୀ ଉତ୍ସବ ରୂପେ ପାଳନ କରାଯାଏ ।
ରଥର ଅବସ୍ଥା ଦେଖି ତୁ ସବୁକିଛି ବୁଝିଯାଉ । ଆଉ ଲକ୍ଷ୍ମୀଙ୍କ କଥା ମନେ ପଡ଼ିବା ପରେ ବଡ଼ ଦେଉଳକୁ ଆସିବାକୁ ସଜ ହେଉ । ରଥ ଦକ୍ଷିଣ ମୋଡ଼ ନିଏ । ଭାଙ୍ଗି ଯାଇଥିବା ଅଂଶର ମରାମତି ହୁଏ । ଆଉ ମାଉସୀଠାରୁ ବିଦାୟ ନେଇ ପୁଣି ଆସିବି ବୋଲି ପ୍ରତିଶ୍ରୁତି ଦେଇ ତୋ’ କର୍ମଭୂମିକୁ ଫେରି ଆସିବାକୁ ମନ କରୁ ।
ରଥଯାତରାରେ ଯେମିତି ପହଣ୍ଡିରେ ତୁ ରଥରେ ଚଢ଼ିଥାଉ… ଠିକ୍ ସେମିତି ପହଣ୍ଡି ହୋଇ ଆସି ରଥରେ ଭାଇ ଭଉଣୀ ସହିତ ବସିଯାଉ । ପଛରେ ରହିଯାଏ ତୋ’ ଜନ୍ମବେଦୀ… ଆଡ଼ପ ମଣ୍ଡପ । କୁହାଯାଏ ତୋତେ ବର୍ଷସାରା ବଡ଼ ଦେଉଳରେ ଦର୍ଶନ କଲେ ଯେତେ ପୁଣ୍ୟ ମିଳେନା ତାଠୁଁ ଅଧିକ ପୁଣ୍ୟ ଥରେ ଏହି ଆଡ଼ପ ମଣ୍ଡପରେ ଦର୍ଶନ କଲେ ମିଳିଥାଏ । ଅନନ୍ଦବଜାରରେ ଯେମିତି ଅବଢ଼ା ମିଳେ ଆଡ଼ପ ମଣ୍ଡପରେ ମଧ୍ୟ ସେମିତି ଅବଢ଼ା ପ୍ରସାଦ ବାହାରିଥାଏ । ସତରେ କାଳିଆ… ନିଜ ମା’ କୋଳକୁ ଛୁଆ ଆସିଲେ ବହୁତ୍ ଖୁସି ହୋଇଥାଏ ନା…!! ସେହି କଥାକୁ ମନେ ପକାଇ ତୁ ମଧ୍ୟ ଏହି ଦିନସବୁରେ ଖୁସି ହେଇଯାଉ । ହେଲେ କେତେଦିନ ରହିପାରୁ ଭଲା…?? ପହଞ୍ଚିଲା ବେଳକୁ ପ୍ରାୟ ତୃତୀୟା ସରି ଆସିଥାଏ । ଆଉ ଦଶମୀ ଦିନ ତୁ ବାହାରି ଆସୁ । ଏଇ ସପ୍ତାହକର ରହଣୀ ଭିତରେ ମା’ ମନର ତୃଷ୍ଣା କ’ଣ ମେଣ୍ଟି ଥାଏ କି…!!?? କିନ୍ତୁ କ’ଣ କରାଯିବ…?? ତା’ ପୁଅ ତ ଜଗତ ଠାକୁର । ତା’ ଛଡ଼ା କର୍ତ୍ତବ୍ୟପାଳନ ଆଗରେ ସବୁ ତୁଚ୍ଛ ହୋଇଥାଏ ବୋଲି ତ ଦୁନିଆକୁ ଶିଖେଇବାକୁ ପଡ଼ିବ ନା…!!?ତେଣୁ ବାହୁଡ଼ା ଯାତ୍ରା ଯଥାରୀତି ପାରମ୍ପରିକ ଢଙ୍ଗରେ ସମ୍ପାଦିତ ହୁଏ ।
ଯେମିତି ଯେମିତି ତୋ’ ରଥ ବଡ଼ଦେଉଳ ପାଖକୁ ଆସେ… ଭକ୍ତମାନଙ୍କ କୋଳାହଳ ଆଉ ଘଣ୍ଟ ଘଣ୍ଟା ହୁଳହୁଳି ଶଙ୍ଖ ଶବ୍ଦରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହୁଏ… ତୋ’ ସିଂହଦ୍ଵାର ସଜ ହୋଇଯାଏ ତା’ ସିଂହରାଜାକୁ ସ୍ଵାଗତ କରିବା ପାଇଁ । ତୋ’ ଭକ୍ତ ବତ୍ସଳତା ଆଗରେ ସତରେ ସବୁକିଛି ଫିକାରେ କାଳିଆ…!! କାଳେ କିଏ କେଉଁ କାରଣରୁ ତୋ’ର ଦର୍ଶନ ପାଇ ପାରି ନ ଥିବ… ଆଉଥରେ ବର୍ଷେ ପରେ ବାହାରକୁ ଆସିବୁ ନା… ଏଇୟା ଭାବି ରଥ ଉପରେ ତୁ ଦିନଟିଏ ରହିଯାଉ । ଏହିଦିନ ସ୍ଵର୍ଣ୍ଣ ଅଳଙ୍କାରରେ ଆପାଦମସ୍ତକ ସଜେଇ ହୋଇ ସୁନାବେଶରେ ଦର୍ଶନ ଦେଉ…!! ଆଉ ଏଇ ରଥ ଉପରେ ଆଉ ଏକ ଅଦ୍ଭୁତ ନୀତି ମଧ୍ୟ ସମ୍ପାଦିତ ହୋଇଥାଏ ।
ଜୀବ ଜଗତ… କୀଟ ପତଙ୍ଗ… ପଶୁ ପକ୍ଷୀ… ମାନବ ଦାନବ ସହିତ ଭୂତ ପ୍ରେତ ମାନେ ମଧ୍ୟ ତୋ’ ଦୟାର ପାତ୍ର ହୋଇଥାନ୍ତି । ସେମାନଙ୍କ ଆଶା ମଧ୍ୟ ମହାପ୍ରସାଦ ଟିକେ ପାଇବାକୁ ଥାଏ । କୁହାଯାଏ ଶ୍ରୀମନ୍ଦିର ଦୁଆର ଭିତରକୁ କୌଣସି ଆତ୍ମା ପ୍ରବେଶ କରିପାରନ୍ତି ନାହିଁ । ତେଣୁ ସେମାନଙ୍କୁ ତୋ’ର ପ୍ରସାଦ ଦେଇ ମୋକ୍ଷ ପ୍ରଦାନ କରିବା ଅଭିପ୍ରାୟ ରଖି ତୋ’ର ଅଧରପଣା ନୀତି ଆରମ୍ଭ ହୁଏ । ଏଇ ନୀତିରେ ବଡ଼ ବଡ଼ ପଣାହାଣ୍ଡିକୁ ତୋ’ ଅଧରର ଉଚ୍ଚାରେ ତିଆରି କରାଯାଇ ଏଥିରେ ପଣା ଭର୍ତ୍ତି କରାଯାଏ । ତୋତେ ଭୋଗ ଲାଗିବା ପରେ ସେହି ହାଣ୍ଡିମାନଙ୍କୁ ରଥ ତଳକୁ ଗଡ଼େଇ ଦେଇ ଭାଙ୍ଗି ଦିଆଯାଏ । ସେତିକିବେଳେ ଯେଉଁ ପଣା ଗଡ଼ି ତଳେ ପଡ଼ିଥାଏ… ଭୂତ ପ୍ରେତଗଣ ସେହି ପ୍ରସାଦକୁ ସେତିକିବେଳେ ପାଇ ମୋକ୍ଷପ୍ରାପ୍ତିର ପ୍ରଥମ ଚରଣକୁ ପାର କରନ୍ତି । ଅଦ୍ଭୁତ… ସତରେ ଅଦ୍ଭୁତ ଜଗା ତୋ’ ପ୍ରେମ… ତୋ’ ପ୍ରୀତି… ତୋ’ କରୁଣା…!! ଅପୂର୍ବ ତୋ’ ଗାଥା…!!
ମା’ ମହାଲକ୍ଷ୍ମୀ ନିଜ ପ୍ରାଣପ୍ରିୟଙ୍କ ଆସିବା ବାଟକୁ ଚାହାଣୀ ମଣ୍ଡପରେ ଚାହିଁ ରହିଥାନ୍ତି । ବଡ଼ ଠାକୁର ବଳଭଦ୍ର ଆଉ ଗେହ୍ଲି ଭଉଣୀ ସୁଭଦ୍ରା ଆଗ ପହଣ୍ଡି ହୋଇ ରଥରୁ ଓହ୍ଲେଇ ବଡ଼ ଦେଉଳ ଭିତରକୁ ଚାଲି ଯାଆନ୍ତି । ଶେଷରେ ତୁ ଗହଳ ଲଗେଇ ଝୁଲି ଝୁଲି ଆସିଥାଉ ଶ୍ରୀମନ୍ଦିର ଅଭିମୁଖେ…!! ଆଉ ଠିକ୍ ସେତିକିବେଳେ…!!
ମା’ ମହାଲକ୍ଷ୍ମୀ ସିଧା ଉଠିଆସି ସିଂହଦୁଆରକୁ କିଳି ଦିଅନ୍ତି । ଆଉ ତୁ ଯେତେ ନେହୁରା ହେଲେବି ଦେଶ ଓ ବିଦେଶରେ ପତ୍ନୀ ବିନା ବୁଲିବାକୁ ଗଲେ କି ପରିଣତି ହୁଏ ଏଇୟା ଶିଖେଇବାକୁ ଏହି ଅଦ୍ଭୁତ ଲୀଳାର ଏକ ଅଂଶ ବିଶେଷ ହୋଇ ମା’ ମହାଲକ୍ଷ୍ମୀ ଜମାରୁ ବି ଦ୍ଵାର ଖୋଲନ୍ତି ନାହିଁ । ଆଉ ଏତିକିବେଳେ ଅନୁଷ୍ଠିତ ହୁଏ ଲକ୍ଷ୍ମୀ ନାରାୟଣ ବଚନିକା । ଏହି ନାଟ ପାଇଁ ତୁ କେତେ ଫିକରଫନ୍ଦି କରିଥାଉ । ହେଲେ ମା’ ତୋ’ କଥା ଜମାରୁ ଶୁଣନ୍ତି ନାହିଁ । ତୁ ସେମିତି ଦେଉଳ ଆଗରେ କବାଟ ସେପଟେ ଥାଉ ଆଉ ତାଙ୍କୁ ବୁଝାଇବାକୁ ପ୍ରୟାସ ଜାରି ରଖିଥାଉ…!!
କ୍ରମଶଃ…
– ମଧୁମିତା ମିଶ୍ର
Comments
ମଧୁମିତା ମିଶ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।