ସେହି ଦିନଠାରୁ ମା’ ପାର୍ବତୀ ବିମଳା ରୂପରେ ତୋ’ ମନ୍ଦିରରେ ପୂଜା ପାଇ ଆସୁଛନ୍ତି । ଆଉ ତାଙ୍କୁ ଭୋଗ ଲାଗିବା ପରେ ତୋ’ର ସେହି ପ୍ରସାଦ ମହାପ୍ରସାଦ ହୋଇ ଆନନ୍ଦ ବଜାରକୁ ଆସେ ।
ତୋ’ ମହାପ୍ରସାଦ ପ୍ରସ୍ତୁତ ହେବା ଶୈଳୀ ମଧ୍ୟ ଅତ୍ୟନ୍ତ ଅଦ୍ଭୁତ । ମାଟି କୁଡ଼ୁଆ ସବୁରେ ରନ୍ଧନ ସାମଗ୍ରୀ ଭର୍ତ୍ତି କରି ଗୋଟିଏ ଉପରେ ଗୋଟିଏ ସଜେଇ କରି ରଖି ଦିଆଯାଏ । ଆଉ ସେହି ସବୁ ମାଟିହାଣ୍ଡିକୁ ପାରମ୍ପରିକ ଚୁଲା ଉପରେ ବସେଇ ଦିଆଯାଏ । ଆଶ୍ଚର୍ଯ୍ୟଜନକ ଭାବେ ସବୁ ହାଣ୍ଡିରେ ଥରକେ ରୋଷେଇ ହୁଏ ଏବଂ ଆହୁରି ଚମକପ୍ରଦ ତଥ୍ୟ ଅନୁଯାୟୀ ସବା ଉପର କୁଡ଼ୁଆର ଖାଦ୍ୟ ସର୍ବପ୍ରଥମେ ପ୍ରସ୍ତୁତ ହୋଇଯାଇଥାଏ…!! ଏସବୁ କେବଳ ମା’ ଅନ୍ନପୂର୍ଣ୍ଣାଙ୍କର ହାତରନ୍ଧାର ହିଁ ମହିମା ନା କାଳିଆ…!! ଏତେ ରୋଷେଇ ଭିତରେ କେବେ କେଉଁଦିନ କୌଣସି ବ୍ୟଞ୍ଜନ ସ୍ଵାଦ ଦୃଷ୍ଟିରୁ ଅଥବା ଗୁଣାତ୍ମକ ମାନ ଦୃଷ୍ଟିରୁ ଉଣା କି ଅଧିକ ହୁଏନା…!! ସେହି ବାସ୍ନା… ସେହି ସ୍ଵାଦ… ସେହି ତୃପ୍ତି… ଆଃ…!!
ସବୁ ଦେଶୀ ପରିବା ହିଁ ବ୍ୟବହାର କରାଯାଇଥାଏ ଏଥିପାଇଁ । ଏପରିକି ବିଲାତି ବାଇଗଣ ବା ଟମାଟୋ କି ଆଳୁ ମଧ୍ୟ ବର୍ଜନୀୟ ହୋଇଥାଏ । ତୋ’ ରୋଷଶାଳରେ ପ୍ରତ୍ୟହ ଯେତିକି ରୋଷେଇ ହୁଏ କେଜାଣି କେମିତି ସେତିକି ସବୁ ଭକ୍ତଙ୍କ ପେଟ ପୂରେଇ ଦିଏ…!! କେହି କେବେ ତୋ’ ଦୁଆରରୁ ଖାଇବାକୁ ମିଳିଲାନି ବୋଲି ଫେରି ଆସନ୍ତିନି । ମହାପ୍ରସାଦ ପାଖରେ ଛୋଟ ବଡ଼ କିଛି ରୁହେନା । ବୟସ୍କ ବ୍ୟକ୍ତି, ରୁଗ୍ଣ ବ୍ୟକ୍ତିଙ୍କ ପେଟ ହେଉ କି ଛୋଟ ଶିଶୁର ପ୍ରଥମ ଅନ୍ନପ୍ରାସନ୍ନ ସଂସ୍କାର ପରି ମହାନ୍ କାର୍ଯ୍ୟ ହେଉ… ତୋ’ ମହାପ୍ରସାଦ ସମସ୍ତଙ୍କ ପ୍ରିୟ…!!
ମହାପ୍ରସାଦ ଅଇଁଠା ତ ହୁଏନି କେବେ ବାସି ମଧ୍ୟ ହୁଏନି । କାଣିଚାଏ ମହାପ୍ରସାଦ ପାଇଗଲେ ଜୀବନ ଧନ୍ୟ ହୋଇଯାଏ । ଏଥିପାଇଁ ତ ଅନ୍ନପ୍ରସାଦକୁ ସୂର୍ଯ୍ୟ କିରଣର ସହାୟତାରେ ସମ୍ପୂର୍ଣ୍ଣ ଶୁଷ୍କ କରି ଦିଆଯାଇ ସେଥିରେ ନିର୍ମାଲ୍ୟ ବା କୈବଲ୍ୟ ପ୍ରସ୍ତୁତ ହୁଏ…!! ବିଧବା ମହିଳାମାନେ ହୁଅନ୍ତୁ କିମ୍ୱା ତୋ’ ନାମ ଜପ କରୁଥିବା ସମର୍ପିତ ଭକ୍ତ ହୁଅନ୍ତୁ ପ୍ରତ୍ୟହ ଗୋଟିଏ ନିର୍ମାଲ୍ୟ ପାଟିରେ ଦେଇଦେବା ପରେ ଯାଇ ନିଜର ଦୀନଚର୍ଯ୍ୟା ଆରମ୍ଭ କରନ୍ତି । କୁହାଯାଏ ବିବାହ ପୂର୍ବରୁ ଯେତେବେଳେ ଦୁଇ ନୂଆ ବନ୍ଧୁ ପରସ୍ପରକୁ ଜୀବନସାରା ପାଇଁ ଆପଣେଇ ନେବାକୁ ବଚନ ଦିଅନ୍ତି… ସେତେବେଳେ ନିର୍ବନ୍ଧ କାର୍ଯ୍ୟ ମହାପ୍ରସାଦ ଦିଆନିଆ ଦ୍ଵାରା ହିଁ ସମ୍ପନ୍ନ ହୁଏ । କାଳିଆ… ତୁ ହିଁ ଜଗି ରହିଥାଉ ଏ ସମ୍ୱନ୍ଧକୁ । ଠିକ୍ ସେପରି ମୃତ ଶରୀର ପାଟିରେ ମଧ୍ୟ ତୁଳସୀପତ୍ର ଗୋଟିଏ ଆଉ ଟୋପେ ଗଙ୍ଗାଜଳ ସହିତ ଗୋଟିଏ କୈବଲ୍ୟ ଦାନା ଦିଆହୋଇଥାଏ । ବିଶ୍ୱାସ ଅଛି… ଏପରି କରିବା ଦ୍ୱାରା ମୃତ ଶରୀର ଶୁଦ୍ଧ ହୁଏ ଆଉ ଆତ୍ମା ମଧ୍ୟ ବୈକୁଣ୍ଠପୁରକୁ ଆଗେଇ ଯାଇଥାଏ…
ନିର୍ମାଲ୍ୟ କିମ୍ୱା କୈବଲ୍ୟ ହେବା ପାଇଁ ମହାପ୍ରସାଦକୁ ନିର୍ମାଲ୍ୟ ଖଳାରେ ଶୁଖାଯାଏ । ଏହି ସ୍ଥାନ କୋଇଲି ବୈକୁଣ୍ଠ ଭିତରେ ଅଛି । କୋଇଲି ବୈକୁଣ୍ଠ ବିଷୟରେ କ’ଣ ବା କହିବି କାଳିଆ…!! ସତରେ ଜଣେ ମନୁଷ୍ୟ ପରି ତୁ ନିଜର ଦୈନନ୍ଦିନ ଲୀଳାଖେଳା କରିବା ସହିତ ଶରୀର ତ୍ୟାଗ ଲୀଳା କରିବାକୁ ମଧ୍ୟ ଭୁଲି ନ ଥାଉ । ପ୍ରତି ଆଠ, ବାର କିମ୍ୱା ଉଣେଇଶ ବର୍ଷରେ ଥରେ ଯୋଡ଼ା ଆଷାଢ଼ ହେଲେ ବା ଅଧୀମାସ ହେଲେ ତୋ’ର ନବ କଳେବର ବିଧି ଅନୁଷ୍ଠିତ ହୁଏ । ନବ ମାନେ ନୂଆ… ଆଉ କଳେବର ମାନେ ଶରୀର । ଜଗତଠାକୁର ତୁ ତୋ’ର ଦାରୁ ନିର୍ମିତ ଅବୟବ ତ୍ୟାଗ କରି ନୂତନ ରୂପଟିଏ ଏହି ସମୟରେ ପାଇଥାଉ । ଜଗତରେ ସବୁକିଛି କ୍ଷୟଶୀଳ ବୋଲି ଶିକ୍ଷା ଦେଉଥିବା ଏହି ନବ କଳେବର ବିଧି ଅତ୍ୟନ୍ତ ଗୋପନୀୟ ଏବଂ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ ।
ନବ କଳେବର ପୂର୍ବରୁ ତୋ’ର ଦିବ୍ୟ ଦାରୁର ସନ୍ଧାନ ଆରମ୍ଭ ହୁଏ । କାକଟପୁର ମା’ ମଙ୍ଗଳାଙ୍କ ନିକଟରେ ପାଟିରେ କୃଶତୁଣ୍ଡି ଦେଇ ବଡ଼ପଣ୍ଡା ଅଧିଆ ପଡ଼ିବା ପରେ ମାଙ୍କ ଅପାର କରୁଣାରୁ ଭବ୍ୟଦାରୁ ଅବସ୍ଥିତି ସମ୍ପର୍କିତ ସୂଚନା ତାଙ୍କୁ ସ୍ଵପ୍ନାଦେଶରେ ମିଳେ । ତା’ ପରେ ତୋ’ ଦଇତାପତିମାନେ ଗୋଷ୍ଠୀ ଗୋଷ୍ଠୀ ହୋଇ ସେହି ସ୍ଥାନମାନଙ୍କରେ ପ୍ରତ୍ୟେକ ନିମ୍ୱ ବୃକ୍ଷ ଭିତରେ ସେହି ଦାରୁ ଖୋଜିବାରେ ଲାଗି ପଡ଼ନ୍ତି ଯାହା ତାଙ୍କର ଦିଅଁ ହୋଇ ପାରିବ…!!
ସୁଦର୍ଶନଙ୍କ ଦାରୁ ପାଇଁ ଯେଉଁ ନିମ୍ୱ ବୃକ୍ଷ ଖୋଜାଯାଏ ସେଥିରେ କେବଳ ତିନୋଟି ଶାଖା ଥାଏ । ଆଉ ସେହି ବୃକ୍ଷର ଗଣ୍ଡି ଭିତରେ ଚକ୍ର ଚିହ୍ନ ଖୋଦିତ ହୋଇ ରହିଥାଏ । ବୃକ୍ଷର ଗଣ୍ଡଦେଶ ରକ୍ତିମ ବର୍ଣ୍ଣର ହୋଇଥାଏ । ୍
ବଳଭଦ୍ରଙ୍କ ପାଇଁ ଉଦ୍ଦିଷ୍ଟ ନିମ୍ୱ ବୃକ୍ଷ ସପ୍ତ ଶାଖାଯୁକ୍ତ ହୋଇଥାଏ । ବଳଭଦ୍ର ନିଜେ ସପ୍ତଫେଣୀ ଶେଷନାଗ ସ୍ୱରୂପ ହୋଇଥିବାରୁ ଏହି ବୃକ୍ଷ ଏପରି ହୋଇଥାଏ । ବୃକ୍ଷର ଗଣ୍ଡି ଧବଳ ବର୍ଣ୍ଣଯୁକ୍ତ ହୋଇଥାଏ । ଏହି ବୃକ୍ଷରେ ହଳ ମୁଷଳ ଚିହ୍ନ ରହିଥାଏ । ସ୍ଵୟଂ ହଳଧରଙ୍କ ପ୍ରତୀକ ଏହି ବୃକ୍ଷ ଦେହରେ ଏହି ସଂକେତ ରହିବା ସତରେ କେବଳ ଏକ ଆଶ୍ଚର୍ଯ୍ୟ ମାତ୍ର…!!
ମା’ ସୁଭଦ୍ରା ଦର୍ପଦଳୀନିଙ୍କ ପାଇଁ ପାଞ୍ଚୋଟି ଶାଖା ଥିବା ବୃକ୍ଷକୁ ଖୋଜାଯାଏ । ମା’ ସୁଭଦ୍ରା ସ୍ଵୟଂ ବ୍ରହ୍ମାଙ୍କ ସ୍ୱରୂପ ହୋଇ ବିରାଜିଥିବା ଯୋଗୁଁ ତାଙ୍କ ପାଞ୍ଚୋଟି ମୁଖ ଥିବା କାରଣରୁ ଏପରି ହୋଇଥାଏ । ଏହି ପବିତ୍ର ବୃକ୍ଷରେ ପଦ୍ମ ଚିହ୍ନ ଖୋଦିତ ହୋଇ ରହିଥାଏ । ବ୍ରହ୍ମାଙ୍କ ସୃଷ୍ଟି ବିଷ୍ଣୁଙ୍କ ନାଭିପ୍ରଦେଶରୁ ବାହାରିଥିବା ପଦ୍ମରେ ହୋଇଛି ନା…!! ସେଥିପାଇଁ ଏହି ଚିହ୍ନ ମା’ ସୁଭଦ୍ରାଙ୍କ ପାଇଁ ଉଦ୍ଦିଷ୍ଟ ନିମ୍ୱ ବୃକ୍ଷର ଲକ୍ଷଣ ହୋଇଥାଏ । ଆଉ ଏହି ବୃକ୍ଷର ଗଣ୍ଡି ଈଷତ୍ ହଳଦିଆ ବର୍ଣ୍ଣର ମଧ୍ୟ ହୋଇଥାଏ ।
ଆଉ ତୋ’ ପାଇଁ ଉଦ୍ଧିଷ୍ଟ ନିମ୍ୱବୃକ୍ଷର ଚାରୋଟି ଶାଖା ଥାଏରେ ମହାପ୍ରଭୁ…!! ଏକଥା କହିବା ବାହୁଲ୍ୟ ଯେ ସେହି ଚାରୋଟି ଶାଖା ନାରାୟଣଙ୍କ ପ୍ରତୀକ ମନେ କରାଯାଏ । ବୃକ୍ଷ ଉପରେ ତୋ’ର ଶଙ୍ଖ ଚକ୍ର ଚିହ୍ନ ସ୍ପଷ୍ଟ ଦେଖାଯାଏ । ଆଉ ଗଛର ଗଣ୍ଡି ମଧ୍ୟ କଳା ରଙ୍ଗର ହୋଇଥାଏ…!! ଏହି ସମସ୍ତ ବୃକ୍ଷର ଶାଖା କି ପତ୍ର ଖଣ୍ଡିଆ ହୋଇ ନ ଥାଏ…!!
କାଳିଆରେ… କେବଳ ଏତିକି ନୁହେଁ ତୋ’ ଦାରୁ ବିଗ୍ରହ ପାଇଁ ଚିହ୍ନଟ ହେବାକୁ ଥିବା ବୃକ୍ଷ ଯେଉଁ ସ୍ଥାନରେ ମିଳେ ତା’ ନିକଟରେ ନିହାତି ଏକ ଶ୍ମଶାନ ଥାଏ । ଏହା ହୁଏତ ଏହି କଥାକୁ ସିଦ୍ଧ କରେ ଯେ ଯେଉଁଠି ଜୀବନ ଶେଷ ହୁଏ ସେହି ପାଖରେ ହିଁ ପୁନଃ ଜୀବନ ଆରମ୍ଭ ହେବାର ପ୍ରାକ୍ ସୂଚନା ମିଳେ । ଅର୍ଥାତ୍… ମୃତ୍ୟୁ ଏକ ଅନ୍ତ ନୁହେଁ ବରଂ ଏକ ନୂତନ ଆରମ୍ଭର ଦ୍ୱାରଦେଶ ଉନ୍ମୁକ୍ତ କରିଥାଏ…!!
ମହାଦେବଙ୍କ ମନ୍ଦିର ଆଉ ପୁଷ୍କରିଣୀ ସେହି ପାଖରେ ରହିବା ଅନ୍ୟ ଏକ ପ୍ରତୀକ ହୋଇଥାଏ । ତୋ’ର ଆରାଧ୍ୟ ଯିଏ ତାଙ୍କ ଆରାଧ୍ୟ ତୁ… ତେଣୁ ଏକଥା ଅତି ସାଧାରଣ ଯେ ମହାଦେବଙ୍କ ଅବସ୍ଥିତି ପାଖରେ ହିଁ ନାରାୟଣ ମିଳିପାରନ୍ତି…!! ନା କ’ଣ ରେ ଜଗା…??
ବୃଷ ନିକଟରେ ଏକ ଉଈହୁଙ୍କା ମିଳିବା ମଧ୍ୟ ବିଧେୟ ହୋଇଥାଏ । ବୋଧେ ଏହି ବିଲକ୍ଷଣ ଜଣେଇ ଦିଏ ଯେ ଉଈ ହୁଙ୍କା ନିକଟସ୍ଥ ବୃକ୍ଷ ହୋଇ ମଧ୍ୟ ଏହି ଦାରୁ ଶ୍ରୀଜୀଉଙ୍କ ନୂତନ ବିଗ୍ରହ ହେବାରେ ବ୍ୟବହାର ହୁଏ । ତା’ର ଅର୍ଥ ବୋଧେ ଏଇୟା ଯେ ଦୁନିଆରେ ସବୁ ପଦାର୍ଥ… ଜଡ଼ ହେଉ କି ଚେତନ… ପରସ୍ପରର ସାହାଯ୍ୟ କରନ୍ତି । ଆଉ ବିଶ୍ୱାସ ଯେଉଁଠି ଥାଏ ସେଇଠି ବିଲୟ ମଧ୍ୟ ସୃଷ୍ଟିର ବାର୍ତ୍ତା ନେଇ ଆସିପାରେ…!!
ସବୁଠୁ ଆଶ୍ଚର୍ଯ୍ୟ ଲାଗେ ଯେ ଏହି ପବିତ୍ର ବୃକ୍ଷମାନଙ୍କରେ କୌଣସି ପକ୍ଷୀ ବସା କରି ନ ଥାଏ…!! ହଁ… ଅସମ୍ଭବ କ’ଣ…? ତୁ ଚାହିଁଲେ ସବୁକିଛି ସମ୍ଭବ । ଏଇ ଯେମିତି ଛୋଟ ସେଇ ପକ୍ଷୀଟିର କଥା… ଯାହାର ମୃତ୍ୟୁ ଲେଖା ହୋଇଥିଲା ସେ ରହୁଥିବା ସ୍ଥାନଠାରୁ ଅନେକ ଦୂରରେ ଏକ ପଥର ଗହ୍ଵର ଭିତରେ…!! ଯମଦେବଙ୍କ ଚିନ୍ତା ହେଲା ସେ କିପରି ସେଇ ଛୋଟିଆ ଜୀବର ଜୀବନ ନିର୍ଦ୍ଧାରିତ ସ୍ଥାନରେ ନେଇ ପାରିବେ…?? ପକ୍ଷୀରାଜ ଗରୁଡ଼ ଏହି କଥାକୁ ବୁଝିପାରି ମନେ ମନେ ଭାବିଲେ ସେ ଯେହେତୁ ତୋ’ର ବାହନ… ତେଣୁ ସେ କାଳ ବା ଯମଦେବଙ୍କୁ ପରାସ୍ତ କରି ପାରିବେ ଆଉ ପକ୍ଷୀଟିକୁ ବଞ୍ଚେଇ ପାରିବେ । ସେ ଭାବିଲେ ତାକୁ ନେଇ ଅନେକ ଦୂରରେ ରଖିଦେବେ ଯେ ଯମରାଜ ତାକୁ ଖୋଜି ପାଇବେନି…!! ପକ୍ଷୀକୁ ବଞ୍ଚାଇବା ପାଇଁ ସେ ତାକୁ ନିଜ ଶକ୍ତ ଗୋଡ଼ରେ ଧରିଆସି ସେଇ ସ୍ଥାନରେ ପହଞ୍ଚିଲେ ଯେଉଁଠି ତା’ର ମୃତ୍ୟୁ ନିଶ୍ଚିତ ହୋଇଥିଲା । ତାକୁ ସଂପୂର୍ଣ୍ଣ ସୁରକ୍ଷିତ କରି ରଖିଦେଲେ ସେଇ ପଥର ଗହ୍ଵର ଭିତରେ ଯେଉଁଠି ଯମଦେବ ଆରାମରେ ନିଜ କର୍ତ୍ତବ୍ୟ ସମାପନ କରି ପକେଇଲେ…!! ଠିକ୍ ସେମିତି ଯେତେବେଳେ ଜଗତର ପାଳନକର୍ତ୍ତା ହିସାବରେ ତୁ କେମିତି ସବୁ ଜୀବଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରୁଛୁ ତାହା ଜାଣିବା ପାଇଁ ନାରଦମୁନି ଏକ କ୍ଷୁଦ୍ର ପିମ୍ପୁଡ଼ିକୁ ଏକ ବୋତଲ ମଧ୍ୟରେ ବନ୍ଦ କରି ରଖିଦେଲେ । ଆଉ କିଛି ଦିନ ପରେ ଯେତେବେଳେ ତାକୁ ବାହାର କଲେ… ସେ ଦେଖିଲେ ସେହି ବୋତଲ ଭିତରେ କିଛି ଗୁଡ଼ ଥିଲା ଯାହାକୁ ଖାଇ ପିମ୍ପୁଡ଼ିଟି ବଞ୍ଚି ଯାଇଥିଲା । ଅତି କ୍ଷୁଦ୍ର ହେଉ କି ବିରାଟକାୟ ଜୀବ… ସମସ୍ତେ ତୋ’ ସୃଷ୍ଟିର ହିଁ ଅଂଶ ବିଶେଷ । ମାରିବା… ତାରିବା ସବୁ କେବଳ ତୋ’ ହାତରେ…!! ସେଇଥିପାଇଁ ତ … ସମସ୍ତଙ୍କ ମନ ବୁଝୁଛୁ ବୋଲି ହିଁ ତୁ ମନୁଆ…!!
ସତରେ କାଳିଆ… ତୋ’ ଲୀଳା ଅଦ୍ଭୁତ । ବାଟୋଇଟିଏ ଦିନେ ଖରାରେ ଚାଲି ଚାଲି ଯାଉଥିବା ବେଳେ କ୍ଳାନ୍ତି ମେଣ୍ଟାଇବା ପାଇଁ ଏକ ବିରାଟ ବଟବୃକ୍ଷ ତଳେ ଆଶ୍ରୟ ନେଲା ଆଉ ଶୋଇ ଶୋଇ ଭାବିଲା ବିଶ୍ଵନିୟନ୍ତାଙ୍କ ନ୍ୟାୟ ଠିକ୍ ହେଲାନି । ଏତେ ବଡ଼ ଗଛରେ ଏତେ ଛୋଟ ଫଳ ଦେଇଛନ୍ତି ହେଲେ ପାଖରେ ଥିବା କଖାରୁ ଲତା ଦେହରେ ଏତେ ବଡ଼ ବଡ଼ କଖାରୁ ଫଳେଇ ଦେଇଛନ୍ତି…!!?? କିଛି କ୍ଷଣ ପାଇଁ ସେ ଭାବିଲା ଈଶ୍ଵର ନିଶ୍ଚୟ ଭୁଲ୍ କରି ପକାଇଛନ୍ତି । ଆଉ ଠିକ୍ ସେତିକି ବେଳେ ବରଗଛରୁ କିଛି ଫଳ ଝଡ଼ି ଆସି ତା’ ଛାତି ଉପରେ ପଡ଼ିଲା । ସଙ୍ଗେ ସଙ୍ଗେ ସେ ବୁଝିଗଲା ତୋ’ ରହସ୍ୟକୁ । ଯଦି ବଡ଼ ଗଛର ବଡ଼ ଫଳ ତା’ ଉପରେ ପଡ଼ନ୍ତା ହେଲେ ବୋଧେ ତା’ ଜୀବନ ବିପଦରେ ପଡ଼ି ଯାଆନ୍ତା…!! ଆଉ ସେତେବେଳେ ସେ ତୋ’ ଚିନ୍ତାଧାରା ଆଗରେ ମଥାନତ କରି ତୋ’ ଉଦ୍ଦେଶ୍ୟରେ ହାତଯୋଡ଼ି ଜୁହାର ହୋଇଥିଲା…!!
ହେ ଲୀଳାଧର… ଆଜି ମଧ୍ୟ ଠିକ୍ ସେମିତି ତୋ’ ଭବ୍ୟ ଲୀଳାର ଅଂଶ ବିଶେଷ ହୋଇଥିବା ବ୍ରହ୍ମଦାରୁ ବୃକ୍ଷ ଉପରେ କ’ଣ ପକ୍ଷୀମାନେ ବସା କରି ରହି ପାରନ୍ତେ…?? ନାହିଁ ନା…!!?? ତୋ’ ଭବ୍ୟ ଦାରୁ ଚିହ୍ନଟ ହେବା ପରେ ଛ’ ଚକା ବିଶିଷ୍ଟ ଶଗଡ଼ି ଉପରେ ଘଣ୍ଟ ଘଣ୍ଟା ହୁଳହୁଳି ଶଙ୍ଖ ଆଦି ବଜେଇ ତାକୁ ଶ୍ରୀମନ୍ଦିରକୁ ଅଣାଯାଏ…!! ସେହି ଦାରୁରୁ ତୋ’ର ନୂତନ ଶରୀର ଗଠନ ହୁଏ ନା…!!
କୋଇଲି ବୈକୁଣ୍ଠରେ ନିଜେ ମହାଦେବ ସୁରକ୍ଷା ଦିଅନ୍ତି । ବିଶ୍ୱାସ ଅଛି ଯେ କେହି ମଧ୍ୟ ମନଇଚ୍ଛା ଏଇଠି ବୁଲି ପାରିବେନି । ତୋ’ ପରି ଜଣେ ଅବତାରୀ ଦେହୀର ଦେହତ୍ୟାଗ ପ୍ରସଙ୍ଗ ଅତ୍ୟନ୍ତ ଲୋମହର୍ଷଣକାରୀ ହୋଇଥାଏ । ସାଧାରଣ ଅଣସର ତୋ’ର ସ୍ନାନଯାତ୍ରା ଠାରୁ ଆରମ୍ଭ ହୋଇ ନବ ଯୌବନ ଦର୍ଶନ ଦିନଯାଏଁ ଚଉଦ ଦିନ ହେଉଥିବା ବେଳେ ତୋ’ର ଏହି ଘଟ ପରିବର୍ତ୍ତନ ସମୟରେ ମହା ଅଣସର ଦୀର୍ଘ ପଇଁଚାଳିଶ ଦିନ ଧରି ଅନୁଷ୍ଠିତ ହୁଏ ।
କ୍ରମଶଃ…
– ମଧୁମିତା ମିଶ୍ର
Comments
ମଧୁମିତା ମିଶ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।