ସେତିକି କ୍ଷମା କରି ଦେଇଥିଲେ ହୁଏତ…!!
କେତେ ଡରି ଯାଇଥିଲା ଶାମ୍ବ ସେଦିନ…! ଯେତେବେଳେ ଋଷିଙ୍କ ଅଭିଶାପ ପାଇ ବ୍ୟସ୍ତ ହୋଇ ଖୋଲି ପକାଉଥିଲା ତା’ର ମିଥ୍ୟା ରଚିତ ଗର୍ଭକୁ…!! ଆଉ ତା’ ଭିତରୁ ବାହାରି ପଡ଼ିଥିଲା ଏକ ଲୁହାର ମୂଷା…!! ଏଇଟା କ’ଣ କେବେ ସମ୍ଭବ କି ଯେ ଏକ ମିଛ କପଡ଼ା ଭର୍ତ୍ତି ପୋଷାକ ଭିତରୁ ଏକ ଲୌହ ମୂଷିକ ଜନ୍ମ ନେଇଯାଇପାରେ?? ଲୋକକଥା କୁହେ ଶାମ୍ବ କୁଆଡ଼େ ଗର୍ଭ ଯନ୍ତ୍ରଣା ସହ୍ୟ କରିଥିଲା ଏହି ସମୟରେ…!! ଏହି ବିଷୟ ଏଇଠି ସମାପ୍ତ କରିଦେବା ପାଇଁ ଉଗ୍ରସେନ ଆଜ୍ଞା ଦେଇଥିଲେ ମହାବଳୀ ଭୀମଙ୍କୁ…!! ଆଉ ସେହି ଲୁହା ମୂଷାକୁ ସମୂଳେ ନଷ୍ଟ କରିଦେବା ପାଇଁ…!! ତା’ ପରେ ଯାହା ହେଲା ସେଇଟା କେବଳ ତୋ’ ଲୀଳାରେ ହିଁ ସମ୍ଭବ କାଳିଆ…!!
ପଥର ଉପରେ ଘଷି ଘଷି ତାକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେବା ପରେ ଅତି ସୂକ୍ଷ୍ମ ନଗଣ୍ୟ ଅବଶେଷକୁ ଭୀମ କାଳେ ସମୁଦ୍ର ମହାଗର୍ଭକୁ ନିକ୍ଷେପ କରିଥିଲେ…!! ଆଉ ଅତ୍ୟାଶ୍ଚର୍ଯ୍ୟ ଥିଲା ସେହି ଘଟଣା ଯାହା କୁହେ ସେହି ଲୌହଖଣ୍ଡକୁ ଏକ ମାଛ ଗିଳି ପକେଇଥିଲା…!! ତାହା ପହଞ୍ଚିଥିଲା ଶବର ରାଜାଙ୍କ ନିକଟରେ…!! ଆଉ ବିଶେଷ ଶିକାର ଉଦ୍ଦେଶ୍ୟରେ ସେ ସେହି ଲୁହାକୁ ପ୍ରସ୍ତୁତ କରି ରଖିଥିଲେ ନିଜ ତୀର ଅଗ୍ରଭାଗରେ ସଜେଇ ରଖି…!!
ଲୋକକଥା ପୁଣି କହେ ଯେ ଜରାଶବର ଯେଉଁଦିନ ପ୍ରଥମ କରି ଶିକାର କରିବାକୁ ବାହାରିଲେ ତାଙ୍କ ପିତା ତାଙ୍କୁ ଉକ୍ତ ତୀର ପ୍ରଦାନ କଲେ ନିଜର ଶିକାର ଉଦ୍ଦେଶ୍ୟରେ…!!
ବିଧିର ବିଡ଼ମ୍ବନା କି କାଳିଆ…? ନା ତୋ’ର ଯୋଜନା ହିଁ ଥିଲା ଏଇୟା…? ଗୋକୁଳର ଗାଈଆଳ କୃଷ୍ଣର କଠିନ ପାଦ ନରମ ମୁଲାୟମ୍ ହୋଇ ଗୋଲାପି ବର୍ଣ୍ଣର ହୋଇଯାଇଥିଲା ଦ୍ଵାରକାକୁ ଆସି… ରାଜସୁଖରେ…!! ନିଜ ଜୀବନର ଅସରନ୍ତି ଅଧ୍ୟାୟ ସବୁକୁ ମନ୍ଥନ କରୁ କରୁ ତୁ ନିଜ ପାଦକୁ ଆସ୍ତେ ଆସ୍ତେ ହଲେଇ ଚାଲିଥିଲୁ…ଆଉ ଅପେକ୍ଷା କରିଥିଲୁ କାହାକୁ ଭାଲକାତୀର୍ଥରେ??
ଲୋକକଥା ମଧ୍ୟ ଏକଥା କୁହେ ଯେ ଯାଦବମାନେ ପରସ୍ପର ସହ ଯୁଦ୍ଧରେ ନିମଗ୍ନ ଥିଲା ସମୟରେ ଯେଉଁଠି ସେହି ବିଧ୍ୱଂଶି ଲୁହାଖଣ୍ଡକୁ ଘଷା ଯାଇଥିଲା ସେହି ସ୍ଥାନରୁ କିଛି ଘାସ ଉଠେଇବା କ୍ଷଣି ତାହା ଘାତକ ଲୁହାରେ ପରିଣତ ହେଇ ଯାଉଥିଲା…!!
ସେହି ଅଶୁଭ ମୁହୂର୍ତ୍ତ ଆସିଗଲା…ଯେତେବେଳେ ତୋ’ ପାଦକୁ କେଉଁ ଏକ ହରିଣର କାନ ଭାବି ଶର ଯୋଖିଦେଲା ଜରାଶବର…!! ଅଭେଦ୍ୟ… ଅକାଟ୍ୟ ଥିଲା ତା’ ପ୍ରହାର…!! ତୀର ସିଧା ଯାଇ ପଶିଗଲା ତୋ’ କୋମଳ ପାଦରେ…!!
ଆହାଃ…!! ଶେଷରେ କ’ଣ ଏଇୟା ବି ହେବାକୁ ଥିଲା କି ରେ କାଳିଆ? ଈଶ୍ଵର ନିଜ ପ୍ରାଣ ହାରିଲେ ଆଉ ତା’ ମଧ୍ୟ ଏକ ଶବରର ବାଣରେ? ଜଗାରେ… ତୁ ସିନା ବୁଝେଇ ଦେଲୁ ଯେ ତ୍ରେତେୟା ଯୁଗର ମହାବଳୀ ବାଳୀକୁ ତୁ ଯେମିତି ଗଛ ଉହାଡ଼ରେ ଲୁଚି ଲୁଚି ମୃତ୍ୟୁ ଦେଇଥିଲୁ… ତୋ’ର ସେହି କର୍ମର ଫଳ ଭୋଗିବାକୁ ଆଜି ତୋତେ ସେହି ବାଳୀ ରୂପୀ ଶବର ହାତରେ ଗଛ ପଛରୁ ଆସିଥିବା ତୀରର ଶିକାର ହେବାକୁ ହୋଇଛି…!! କିନ୍ତୁ ମନ କ’ଣ ଏତିକି ତର୍କ ମାନିଯାଇ ହାରି ଦେବ ତା’ ପ୍ରାଣର ସ୍ପନ୍ଦନକୁ? ତା’ ଆପଣାର ଦିଅଁଙ୍କୁ? ତା’ ଜୀବନ ଧନକୁ??
ନିଜ ମାନବୀୟ ଲୀଳା ସମାପନ ସମୟରେ ଭକ୍ତ ପ୍ରାଣ ବିକଳରେ କାନ୍ଦିବା ଦେଖି ତୁ ବଚନ ଦେଇଗଲୁ… ଫେରିବୁ ତୁ ନୀଳ କନ୍ଦରେ… ନୀଳ ମାଧବ ରୂପରେ… ଆଉ ଜରା ଶବର ହେବ ଶବର ରାଜା ବିଶ୍ଵାବସୁ…!! ତୋ’ର ବିଶ୍ୱସ୍ତ ସେବକ…!!
ପାଣ୍ଡବମାନେ ତୋ’ର ପାର୍ଥିବ ଶରୀରକୁ ଅଗ୍ନି ସଂଯୋଗ କଲେ । ଏହା ହିଁ ସୃଷ୍ଟିର ନିୟମ । ହିନ୍ଦୁ ମାନ୍ୟତା ଅନୁସାରେ ମନୁଷ୍ୟ ଶରୀର ମହାପ୍ରୟାଣ ଲାଭ କଲା ପରେ ପଞ୍ଚମହାଭୂତରେ ଲୀନ ହେବା ହିଁ ଶରୀରୋପରାନ୍ତ ଧର୍ମ…!! କିନ୍ତୁ କହ କାଳିଆ କେଉଁ ଅଗ୍ନି ସକ୍ଷମ ଯେ କି ଜାଳି ପାରନ୍ତା ବିଶ୍ଵନିୟନ୍ତାର ହୃଦୟକୁ??
ହାରିଗଲା ଦାବାନଳ… ତୋ’ ହୃଦୟକୁ ନିଜ ଲେଲିହାନ ଶିଖାରେ ପାଉଁଶ କରିବାକୁ ସେ ନିଜ ଅସମର୍ଥତା ପ୍ରକାଶ କଲା । ଆଉ ପାଣ୍ଡବ ସେହି ହୃଦୟକୁ ଜଳ ସମାଧି ଦେଇ ଅଶ୍ରୁଳ ବିଦାୟ ଦେଇଥିଲେ…!!
ସମୟକ୍ରମେ ତୋ’ର ଲୀଳା ପୁନଃ ଆରମ୍ଭ ହେଲା । ତୁ ନୀଳମାଧବ ହୋଇ ନୀଳଗିରି ଶିଖରରେ ନୀଳକନ୍ଦରରେ ପ୍ରକାଶ ପାଇଲୁ । ଶବରରାଜା ବିଶ୍ଵାବସୁ ଏକ ଗୁମ୍ଫା ମଧ୍ୟରୁ ଆସୁଥିବା ନୀଳ ଆଲୋକ ଶିଖାକୁ ଅନୁଗମନ କରି ପାଇଥିଲା ତୋ’ ସାନିଧ୍ୟ…!! ହାତ ଯୋଡ଼ି ତୋତେ ପ୍ରଣାମ କରି ସମର୍ପି ଦେଇଥିଲା ନିଜ ହୃଦୟର ନିଷ୍ପାପ ଭକ୍ତିପୁଷ୍ପକୁ…!! ବଣରୁ ମିଳୁଥିବା ଫଳମୂଳକୁ ଭୋଗ ଲଗେଇ ଚାଲିଥିଲା ତୋତେ…!! କିନ୍ତୁ ଅନ୍ୟର ନଜର ଆଢ଼ୁଆଳରେ ରଖିବାକୁ ସେହି ମାର୍ଗ ଆଉ ସେହି ଗୁମ୍ଫା ବିଷୟକୁ ଗୁପ୍ତ ରଖିଥିଲା ସେ…!! ଏପରିକି ତା’ ପରିବାର ମଧ୍ୟ ଏହି ବିଷୟ ଜାଣିବାକୁ ସକ୍ଷମ ହୋଇ ନ ଥିଲେ…!!
ଏପଟେ ଉତ୍କଳ କେଶରୀ ମହାରାଜ ଇନ୍ଦ୍ରଦ୍ୟୁମ୍ନ ଆଉ ମହାରାଣୀ ଗୁଣ୍ଡିଚାଙ୍କୁ ତୁ ସ୍ୱପ୍ନାଦେଶ ଦେଇ ଜଣେଇ ସାରିଥିଲୁ ଧରାବକ୍ଷରେ ତୋ’ର ଅବସ୍ଥିତି ସମ୍ପର୍କରେ…!! କ୍ଷଣେ ମାତ୍ର ବିଳମ୍ବ ନ କରି ମହାରାଜ ପଠେଇ ଦେଇଥିଲେ ନିଜ ବିଶ୍ଵସ୍ଥ ବିଦ୍ୟାପତିଙ୍କୁ… ତୁରନ୍ତ ଯାଇ ଖୋଜିବାକୁ… ନୀଳମାଧବଙ୍କୁ…!!
ବିଧିର ନିର୍ଦ୍ଦେଶକ୍ରମେ ସେ ଜାଣି ପାରିଥିଲେ ଶବରପଡ଼ାରେ ତୋ’ର ଭବ୍ୟ ଅବସ୍ଥିତି…!! କିନ୍ତୁ କ’ଣ କରନ୍ତେ ସେ? ତୋ ସେବକ ବିଶ୍ଵାବସୁ ତ ସମ୍ପୂର୍ଣ ନୀରବ ରହୁଥିଲେ ନିଜ ଆରାଧ୍ୟଙ୍କ ଅବସ୍ଥିତି ବିଷୟରେ…!! ତାଙ୍କ ମୁଖମଣ୍ଡଳର ସୌମ୍ୟ ପ୍ରଶାନ୍ତି ଆଉ ହୃଦୟର ବିଶ୍ୱାସ ହିଁ ତୋ’ ଅଲୌକିକ ଶକ୍ତିର ଉପଲବ୍ଧିକୁ ଜଣେଇ ଦେଉଥିଲା । ଯେ କୌଣସି ପ୍ରକାରେ ତୋ’ ପାଖରେ ପହଞ୍ଚିବାକୁ ନିଷ୍ପତ୍ତି ନେଇଥିବା ବିଦ୍ୟାପତି ବାଛିନେଲେ ଏକ ସରଳ ମାର୍ଗ… ଲଳିତା…!!
ରାଜା ବିଶ୍ଵାବସୁଙ୍କ ଏକମାତ୍ର ଅଲିଅଳି କନ୍ୟା ଥିଲା ଲଳିତା… ପ୍ରେମ ଜାଲରେ ସେ ବନ୍ଧା ହୋଇ କରି ବସିଲା ଏକ ଏପରି କାର୍ଯ୍ୟ ଯାହା ଇତିହାସ ବଦଳେଇ ଦେବାରେ ସାହାଯ୍ୟ କଲା…!!
ପ୍ରତ୍ୟହ ବିଶ୍ଵାବସୁଙ୍କ ଶରୀରରୁ ଆସୁଥିବା ମନମୋହକ ସୁଗନ୍ଧରେ ଝୁମି ଉଠୁଥିବା ନିଜ ପତିଙ୍କ ବିଭୁ ସନ୍ଧାନ ଇଚ୍ଛାକୁ ଲଳିତା କାଟି ପାରିଲାନି…!! ପିତାଙ୍କ ପାଖରେ ଅଳି କରି ସେ ତାଙ୍କୁ ମନେଇ ପାରିଲା ଥରୁଟିଏ ମାତ୍ର ପ୍ରଭୁ ଦର୍ଶନ ବିଦ୍ୟାପତି କରନ୍ତେ…!! ବିଶ୍ଵାବସୁ ସର୍ତ୍ତ ରଖିଲେ ଯେ ଯଦି ଆଖିରେ ପୁଟୁଳି ବନ୍ଧା ହୁଏ ତେବେ ଯାଇ ସେ ବିଦ୍ୟାପତିଙ୍କୁ ଦେଖେଇବେ ନିଜ ଠାକୁରଙ୍କୁ…!! ବିଦ୍ୟାପତି ମଧ୍ୟ ଭୀଷଣ ଚାଲାକି କରି ନିଜ ଅଣ୍ଟିରେ ବାନ୍ଧିନେଲେ ପୁଳାଏ ସୋରିଷ ଦାନା…!!
ଯାହା ସେ ବୁଣି ଦେଇଗଲେ ବାଟ ସାରା…ସମସ୍ତଙ୍କ ଅଗୋଚରରେ…ସନ୍ତର୍ପଣରେ…!!
ନୀଳକନ୍ଦର ଏକ ଉଜ୍ୱଳ ନୀଳ ଆଲୋକରେ ଝଟକୁ ଥିଲା…!! ଆଖି ଉପରୁ ବନ୍ଧନୀ ଖୋଲା ହେଲା ପରେ ସେହି ସୌମ୍ୟ ଦିବ୍ୟକାନ୍ତି ଦର୍ଶନ କରି ଭାବ ସାଗରରେ ଭାସି ଉଠିଲେ ବିଦ୍ୟାପତି… ଧନ୍ୟ ଧନ୍ୟ କହି ଉଠିଲେ ଆଉ ଲୋତକପୂର୍ଣ୍ଣ ଚକ୍ଷୁ ସହିତ ବିଦାୟ ନେଇ ଗୁମ୍ଫାରୁ ବାହାରି ଆସିଲେ ।
ଲୋକକଥା କୁହେ ସେହି ସୋରିଷ ଦାନାସବୁ ଅତି ସ୍ୱଳ୍ପ ସମୟ ଭିତରେ ଦ୍ରୁମରେ ପରିଣତ ହୋଇଥିଲା । ଯେତେବେଳେ ସୈନ୍ୟସାମନ୍ତ ନେଇ ମହାରାଜ ଇନ୍ଦ୍ରଦ୍ୟୁମ୍ନ ନୀଳ ମାଧବଙ୍କୁ ନେଇଯିବା ପାଇଁ ସେହି ସ୍ଥାନରେ ପହଞ୍ଚିଲେ ରାସ୍ତା ଚିହ୍ନିବାରେ ଅସୁବିଧା ହେଲାନି…!! କିନ୍ତୁ ପ୍ରଭୁ ନୀଳ ମାଧବ ସେଇଠି ମିଳି ନ ଥିଲେ । ରିକ୍ତ ସିଂହାସନ ଦେଖି ବିଶ୍ଵାବସୁ ନିଜ ଉପରେ ନିୟନ୍ତ୍ରଣ ରଖି ପାରୁ ନ ଥିଲେ । ସେତିକିବେଳେ କାଳିଆ ତୁ କହିଥିଲୁ ନା ତୋତେ ଆଉ ବଣର କନ୍ଦମୂଳ, ଫଳ ଭଲ ଲାଗୁନି । ଭୋଜନ ପ୍ରିୟ ଦିଅଁ ତୁ ଆନନ୍ଦ ବଜାରେ ଭିଡ଼ କରାଇବାକୁ ଚାହୁଁଥିଲୁ ଛପନ ଭୋଗର… ତେଣୁ ସ୍ଵଇଚ୍ଛାରେ ଏହି ଲୀଳା କରେଇଥିଲୁ ତୁ…!! ବଚନ ଦେଇଥିଲୁ ଶବର ରାଜାକୁ… ସିଏ ଯେପରି ମନ ଦୁଃଖ କରିବନି । ତୋତେ ଏତେ ଦିନ ପୂଜିଥିବା ଶବର କୁଳର ଉତ୍ତର ପୁରୁଷ ଲଳିତା ବଂଶଜ ସମସ୍ତେ ଦଇତାପତି ଆଉ ସୁଆର ହୋଇ ତୋ’ର ଆତ୍ମୀୟଙ୍କ ପରି ତୋ’ ସେବାର ସୌଭାଗ୍ୟ ପାଇବେ…!! ତୋର’ ନୀତିକାନ୍ତି ଆଉ ଭୋଗରାଗ କରିବା ପୁଣ୍ୟ ଅଧିକାର ସେମାନଙ୍କୁ ହିଁ ମିଳିବ…!!
ଆଉ ସେତେବେଳେ କାଳିଆ ତୁ ହିଁ ଶୂନ୍ୟବାଣୀ ଶୁଣେଇ ଥିଲୁ ନା… ଭବ୍ୟ ନିମକାଠର ଦାରୁ ହୋଇ ତୁ ଭାସି ଆସିବୁ ମହୋଦଧିରେ…!!
କି ଅପୂର୍ବ ଲୀଳା ତୋର କାଳିଆ…!!
କାଠରେ ପାଣି ଲାଗିଲେ ତାହା ଖରାପ୍ ହୋଇଯାଏ…ହେଲେ ତୋ ଦିବ୍ୟ ଦାରୁ ପୁଣି ପାଣିରେ ଭାସି ଆସିଗଲା…!! ମୁହାଣରେ ଲାଗିବା ପରେ କେତେ ବୀର ସୈନ୍ୟ ଚେଷ୍ଟା କଲେ ତାକୁ ଉଠେଇ ନେବାକୁ… ଉଠେଇବା ତ ଦୂରର କଥା ତାକୁ କେହି ଟିକେ ହଲେଇ ମଧ୍ୟ ପାରିଲେନି…!! ମହାରାଜ ଆଉ ମହାରାଣୀ ଅଧିଆ ପଡ଼ିବାରୁ ତୁ ଡାକିବାକୁ କହିଥିଲୁ ତୋ’ର ପୁରୁଣା ସେବକ ବିଶ୍ଵାବସୁଙ୍କୁ… ଯିଏ କେବଳ ହାତ ଲଗେଇ ଦେବା ପରେ ଆରାମରେ ଆସି ଯାଇଥିଲୁ ତୁ… ରାଜମହଲକୁ…!!
ତୋ’ ବିଗ୍ରହର ରୂପରେଖ କ’ଣ ହେବ ଆଉ କିଏ ବା ଦାରୁକୁ ଦିଅଁ କରି ଗଢ଼ି ତୋଳିବ ସେହି ଭାଳେଣି ପଡ଼ିଗଲା ରାଜ୍ୟସାରା…!! କେଉଁ ବିନ୍ଧାଣି ଫୁଟେଇ ପାରିବ କାଠରେ ଠାକୁରକୁ??
ଶେଷରେ ପହଞ୍ଚିଲେ ଦେବଶିଳ୍ପୀ ବିଶ୍ଵକର୍ମା… ଏକ ବୁଢ଼ା ବଢ଼େଇ ବେଶରେ…!! ଆଉ କହିଲେ ଏହି କାଠଗଣ୍ଡିରୁ ଦିଅଁ ନ ତିଆରି ହେଲା ଯାଏଁ ସେ ଏକୋଇଶ ଦିନ ରହିବେ ଏକ ଗମ୍ଭିରୀ ଭିତରେ…!! ସର୍ତ୍ତ ଥିଲା କେହି ଯେପରି ଗମ୍ଭିରା ଦ୍ଵାର ଖୋଲିବେନି…!!
ତାଙ୍କ ଆଜ୍ଞା ଶୁଣି ଦ୍ୱାରଦେଶରେ କୋଲପ ଲଗେଇ ରାଜାରାଣୀ ଦୁହେଁ ପହରା ଦେବାପ୍ରାୟ ଜଗି ରହିଲେ…!! କାଳିଆ… ତୋ ଲୀଳା କିଏ ବା ବୁଝିବ? ଚଉଦ ଦିନ ପରେ ସେହି ବନ୍ଦ ଘରୁ ନିହାଣ ମୁନର ଶବ୍ଦ ଆଉ ଶୁଣାଗଲା ନାହିଁ…!! ରାଣୀ ଗୁଣ୍ଡିଚାଙ୍କ ମନରେ ଦକା ପଶିଲା…!! କ’ଣ ହେଲା? ଭିତରେ ଖାଦ୍ୟ ନାହିଁ ପାନୀୟ ନାହିଁ… ବୟସ୍କ ବଢ଼େଇବାବା ଜଣକ ସେମିତି ବସି ଦାରୁକୁ ଦିଅଁ କରୁଛନ୍ତି… ହେଲେ ନିହାଣ ମୂନର ଶବ୍ଦ କାହିଁକି ଶୁଭୁନି? ଆଉ କିଛି ଅନର୍ଥ ହୋଇ ଯାଇନି ତ…??
କ’ଣ କରିବେ କ’ଣ ନ କରିବେ ଭାବି ଭାବି ବିକଳ ହୋଇ ସେ ଶେଷରେ ସେହି ବନ୍ଦ ଦୁଆରକୁ ଖୋଲିଦେଲେ…!!
ଆଉ ତା ପରେ…
କ୍ରମଶଃ…
– ମଧୁମିତା ମିଶ୍ର
Comments
ମଧୁମିତା ମିଶ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।