ବମ୍ବେରୁ ବାଙ୍ଗାଳୁରୁ ବଦଳି ପରେ କିଛି ସମୟ ଲାଗିଗଲା ସବୁକିଛି ବ୍ୟବସ୍ଥିତ ହେବାପାଇଁ । ବହୁବର୍ଷ ତଳେ ବାଙ୍ଗାଳୁରୁ ଆସିଥିଲି କୌଣସି ଏକ ଟ୍ରେନିଂ ପାଇଁ । ସେତେବେଳର ବେଙ୍ଗାଳୁରୁ ଏହା ଭିତରେ ବହୁତ ବଦଳି ଗଲାଣି । ସକାଳୁ ସକାଳୁ ପାଖ ମନ୍ଦିରରୁ ଶୁଭଲକ୍ଷ୍ମୀଙ୍କ ବିଷ୍ଣୁ ସହସ୍ରନାମ, ରାସ୍ତା କଡ଼ର ଫୁଲ ବିପ୍ପଣୀ କିମ୍ବା ଦକ୍ଷିଣ ଭାରତୀୟ କଫିର ମହାକକୁ ମୁଁ ମନେ ମନେ ଖୋଜୁଥାଏ । ଗଲା ଡିସେମ୍ବର ୨୪ ତାରିଖ ରବିବାର ତଥା ପତ୍ନୀଙ୍କ ଜନ୍ମଦିନ ଥାଏ । ପତ୍ନୀ, ପୁଅ ଓ ମୁଁ, ଆମେ ତିନିଜଣ ସ୍ଥିର କଲୁ କୌଣସି ଏକ ଦକ୍ଷିଣ ଭାରତୀୟ ମନ୍ଦିରକୁ ଭ୍ରମଣରେ ଯିବୁ । ଇଣ୍ଟରନେଟରେ ଘଣ୍ଟା ଚକଟା ଆରମ୍ଭ ହେଇଗଲା । ସାଙ୍ଗସାଥିଙ୍କୁ ପଚାରିଲୁ ବାଙ୍ଗାଳୁରୁ ସପ୍ତାହନ୍ତ (getaway) ବିଷୟରେ । ଶେଷରେ ସ୍ଥିର ହେଲାଯେ ବାଙ୍ଗାଳୁରୁ ଠାରୁ ୨୧୫ କି.ମି. ଦୂର ଲେପାକ୍ଷୀ ମନ୍ଦିର ବୁଲିଯିବୁ । ଦି‘ଦିନ ପୂର୍ବରୁ OLA କ୍ୟାବରେ ଏଡଭାନ୍ସ ବୁକିଂ କରିଦେଲୁ । ଯିବା ଆସିବା ଖର୍ଚ୍ଚ ପାଖାପାଖି ୨୫୦୦ ଟଙ୍କା ୧୨ ଘଣ୍ଟାର ସମୟ ସୀମା ଭିତରେ । ଆମେ ସ୍ଥିରକଲୁ, ରାସ୍ତାରେ ପଡ଼ୁଥିବା ଆଉ ଦୁଇଟି ସ୍ଥାନ ଭୋଗ ନନ୍ଦିଶ୍ୱର ଓ ବାଙ୍ଗାଳୁରୁର ଏକ ଲୋକପ୍ରିୟ ସ୍ଥାନ ନନ୍ଦିହିଲ ମଧ୍ୟ ଦେଖିନେବୁ ।
୨୪ ତାରିଖ ଦିନ ସକାଳ ୭ଟା ବେଳକୁ ଆମ କ୍ୟାବ ଆସି ଛିଡ଼ା ହେଇ ଯାଇଥାଏ । ଆମେ ସ୍ଥିର କଲୁ ପ୍ରଥମେ ଭୋଗ ନନ୍ଦିଶ୍ୱର ମନ୍ଦିର ଯିବୁ । ଘର ପାଖରୁ ଦୂରତା ପ୍ରାୟ ୪୫ କିଲୋମିଟର । ସକାଳୁ ସକାଳୁ ରାସ୍ତାରେ ଭିଡ଼, ରବିବାର ସମସ୍ତେ ଛୁଟୁଥାନ୍ତି ଆମଭଳି ଛୁଟି କଟାଇବାପାଇଁ । ରବିବାର ସକାଳେ ବଡ଼ ବଡ଼ ସହର ମାନଙ୍କରେ ଆଉ ଗୋଟିଏ ଦୃଶ୍ୟ ଆପଣଙ୍କ ନଜ଼ରକୁ ଆସିବ– ବାଇକର୍ସ । ଦଳ ଦଳ ହୋଇ ସେମାନେ ଛୁଟୁଥାନ୍ତି କୌଣସି ଏକ ଗନ୍ତବ୍ୟ ସ୍ଥଳକୁ । ଯେମିତିକି ସେମାନଙ୍କ ହିସାବରେ ଯାତ୍ରାରେ ହିଁ ଆନନ୍ଦ, ଗନ୍ତବ୍ୟ ନୁହେଁ । ପ୍ରାୟ ୧ ଘଣ୍ଡା ଭିତରେ ଆମେ ଭୋଗ ନନ୍ଦିଶ୍ୱର ମନ୍ଦିରରେ ପହଞ୍ଚି ଗଲୁ । GPS ଟେକ୍ନୋଲୋଜିର ସହାୟତା ଯୋଗୁଁ ମନ୍ଦିର ପାଇବାରେ କିଛି ଅସୁବିଧା ହେଲାନାହିଁ । ମୁଁ ଏଠାରେ କହିରଖେ ଆମର ଓଡ଼ିଆ ପ୍ରାଣ ହେତୁ, ଛୁଟି କଟାଇବାପାଇଁ ଗୋଆ ଗଲେ ଆମେ ଓଡ଼ିଶାର ବେଳାଭୂମି ସହ ତୁଳନା କରିବସୁ, କୌଣସି ମନ୍ଦିରକୁ ଗଲେ ଓଡ଼ିଶାର ମନ୍ଦିର ସହ ତୁଳନା କରିବା ଆରମ୍ଭ କରିଦେଉ ।
ଭୋଗ ନନ୍ଦିଶ୍ୱର, କର୍ଣ୍ଣାଟକ ରାଜ୍ୟର ପୁରାତନ ମନ୍ଦିର ମାନଙ୍କ ମଧ୍ୟରୁ ଅନ୍ୟତମ । ମନ୍ଦିରର ନିର୍ମାଣ ସମୟ ନବମ କିମ୍ବା ଦଶମ ଶତାବ୍ଦୀ । ମନ୍ଦିରର ଦକ୍ଷିଣ ପାର୍ଶ୍ୱରେ ଅରୁଣାଚଳେଶ୍ୱର ମହାଦେବ, ଉତ୍ତର ପାର୍ଶ୍ଵରେ ଭୋଗ ନନ୍ଦିଶ୍ୱର ମହାଦେବ ପୂଜିତ । ସୁନ୍ଦର ଦ୍ରାବିଡ଼ କାରୁକାର୍ଯ୍ୟରେ ଭରା ମନ୍ଦିର । ଆମେ ମନ୍ଦିରର ଦକ୍ଷିଣ ଦ୍ଵାର ଦେଇ ପ୍ରବେଶ କଲୁ । ମନ୍ଦିରର ପରିବେଶ ଅତୀବ ସୁନ୍ଦର, ବିରାଟ ପରିବେଷ୍ଟନି । ଦକ୍ଷିଣ ଭାରତୀୟ ଶ୍ରୁତି ମଧୁର ଭଜନ ବାଜୁଥାଏ । ପ୍ରଭାତ ସୂର୍ଯ୍ୟଙ୍କ କିରଣରେ ମନ୍ଦିର ତଥା ସମ୍ମୁଖରେ ଥିବା ଘାସ ଗାଲିଚା ଅତୀବ ମନୋମୁଗ୍ଧକର । ମନ୍ଦିରକୁ ପ୍ରବେଶ ପୂର୍ବରୁ ଆମେ ସକଳୁଆ ପରିବେଶ ଓ ସୂର୍ଯ୍ୟାଲୋକରେ କିଛି ଫଟୋ ଉଠେଇବାର ଲୋଭ ସମ୍ବରଣ କରିପାରିଲୁନି । ଦୁର୍ଭାଗ୍ୟକୁ ଆମର କ୍ୟାମେରାଟି କାମ କଲାନି କିନ୍ତୁ ଆମେ ଆମର ମୋବାଇଲରେ ଫୋଟ ଉଠାଇଚାଲିଲୁ । ଦିଅଁ ଦର୍ଶନ ପରେ ମନ୍ଦିରର ସୁନ୍ଦର ବେଢ଼ା, କାରୁକାର୍ଯ୍ୟ ଦେଖି ବିମୋହିତ ହେଲୁ । ଆମ ମୁକ୍ତେଶ୍ଵର, ପୁରୀ, କୋଣାର୍କ ମନ୍ଦିର ସହ ତୁଳନା କରିବା ଠିକ ନୁହେଁ ତଥାପି ମନୋମୁଗ୍ଧକର । ତା‘ପରେ ଆମେ ମନ୍ଦିରର ଉତ୍ତର ପାର୍ଶ୍ଵରେ ଥିବା ପୁଷ୍କରିଣୀ ପରିସରକୁ ଗଲୁ । ଆମକୁ ଲାଗିଲା ଯେମିତି ହଜାର ବର୍ଷ ତଳେ କେହି ଏହି ପରିସରକୁ ବନେଇଥିଲା ଆଜିକା ଯୁଗର ଫଟୋଗ୍ରାଫର ମାନଙ୍କ ପାଇଁ । ଏଠି ଯିଏ ଯାହାର ମୋବାଇଲ, SLR କାମେରାରେ ଫୋଟ ଉଠାଇବାରେ ବ୍ୟସ୍ତ । କିଛି ପ୍ରଫେସନାଲ ଫଟୋଗ୍ରାଫର ମଧ୍ୟ ସେମାନଙ୍କର ଉପକରଣ ସହ ଆସିଥାନ୍ତି । ନବବିବାହିତ ଦମ୍ପତି ମଧ୍ୟ ଆସିଥାନ୍ତି ସେମାନଙ୍କର ଫଟୋଗ୍ରାଫର ଟିମ ସହିତ । ବିଭିନ୍ନ ପ୍ରକାରର ଆଧୁନିକ ଓ ପାରମ୍ପରିକ ପୋଷକରେ ନାନା ଢଙ୍ଗରେ ଫଟୋ ଉଥାଉଥାନ୍ତି । ଆମେ ମଧ୍ୟ ବହୁ ଫୋଟ ଉଠାଇଲୁ । ପୁଷ୍କରିଣୀ ଜଳରେ ଗୋଡ଼ ବୁଡ଼ାଇ ବସିଲୁ କିଛି ସମୟ । ଛୋଟ ଛୋଟ ମାଛ ମନେ ଆସି ଗୋଡ଼କୁ ଖୁମ୍ପୁଥାନ୍ତି । ଭାରି ମଜା ଲାଗୁଥାଏ । ଆଉ କିଛି ସମୟ ବସିବାକୁ ଇଚ୍ଛା ହେଉଥାଏ । କିନ୍ତୁ ଆମର ମୁଖ୍ୟ ଗନ୍ତବ୍ୟସ୍ଥଳୀକୁ ଯିବାପାଇଁ ଡେରି ହେବ । ମନ୍ଦିରର ବାହାରବେଢ଼ାର ପ୍ରାଙ୍ଗଣରେ ସୁନ୍ଦର ପ୍ରସସ୍ଥ ଘାସ ଗଲିଚା । ସୁନ୍ଦର ଭାବରେ ରକ୍ଷଣ ବେକ୍ଷଣ କରାଯାଉଥାଏ । ଏଠି ଆମେ ଆଉ କିଛି ସମୟ ବିତାଇଲୁ ଓ ବହୁ ଫୋଟ ଉତ୍ତୋଳନ କଲୁ । ସକାଳୁ ସକାଳୁ ଦିଅଁ ଦର୍ଶନ ତଥା ସୁନ୍ଦର ମନ୍ଦିର ପରିବେଶରେ ତନୁମନ ପ୍ରଫୁଲ୍ଲିତ ହେଇଯାଇଥାଏ । ମନ୍ଦିର ପୂର୍ବପଟ ଦ୍ୱାରଦେଇ ବାହାରକୁ ଆସିଲୁ । ସାମ୍ନାରେ ଜଳଖିଆ ଦୋକାନ । ଦକ୍ଷିଣ ଭାରତୀୟ ଜଳଖିଆ ଭାରି ସୁଆଦିଆ । ମସଲା ଦୋସା ଗୋଟାକ ୩୦ ଟଙ୍କା, ପରିଷ୍କାର ପରିଛନ୍ନ । ପେଟଭରି ଖାଇଲୁ ଆଉ ୪ ଲିଟର ପାଣି ବୋତଲ କିଣି ଚାଲିଲୁ ଆମର ମୁଖ୍ୟ ଗନ୍ତବ୍ୟ ସ୍ଥଳ ଲେପାକ୍ଷୀ ମନ୍ଦିର ଅଭିମୁଖେ ।
ଲେପାକ୍ଷୀ ମନ୍ଦିର ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲାରେ ଅବସ୍ଥିତ । ବାଙ୍ଗାଳୁରୁ ହାଇଦ୍ରାବାଦ ରାଜପଥରେ ପ୍ରାୟ ୧୦୦ କି.ମି. ଯିବାପରେ, ପୁଣି ବାମପାର୍ଶ୍ଵକୁ ୧୫ କି.ମି. ଯିବା ପରେ ପଡ଼େ ମନ୍ଦିର । ଭୋଗ ନନ୍ଦିଶ୍ୱର ମନ୍ଦିରରୁ ଲେପାକ୍ଷୀ ମନ୍ଦିରର ଦୂରତା ପ୍ରାୟ 75 କିଲୋମିଟର, ଆମକୁ ଦେଢ଼ ଘଣ୍ଟା ସମୟ ଲାଗିଲା । ବାଙ୍ଗାଳୁରୁରୁ ଲେପାକ୍ଷୀ ମନ୍ଦିର ମଧ୍ୟରେରେ ଦୁଇଟି ଟୋଲ ଗେଟ, ଯିବା ଆସିବା ପାଇଁ ୨୫୦ ଟଙ୍କା । ରବିବାର ତଥା ବଡ଼ଦିନ ଛୁଟି ଯୋଗୁଁ ଲୋକମାନେ ଛୁଟୁଥାନ୍ତି ଲେପାକ୍ଷୀ ଗ୍ରାମ ଅଭିମୁଖେ । ମନ୍ଦିରର ୨୦୦ମିଟର ପୂର୍ବରୁ ନନ୍ଦୀଙ୍କର ଏକ ବିଶାଳ ସୁନ୍ଦର ପ୍ରତିମା ଦେଖିବାକୁ ପାଇବେ । ପ୍ରତିମାର ଉଚ୍ଚତା ପ୍ରାୟ ୨୭ ଫୁଟ ଓ ଲମ୍ବ ୧୫ ଫୁଟ । ଏକମାତ୍ର ପଥରରେ ଗଠିତ ପୃଥିବୀର ସବୁଠାରୁ ବଡ଼ ନନ୍ଦି ମୁର୍ତ୍ତି । ନିକଟସ୍ଥ ପାର୍କିଂ ଅଞ୍ଚଳରେ ଗାଡ଼ି ରଖି ମୂର୍ତ୍ତି ଥିବା ପରିସରକୁ ଗଲୁ । ସୁନ୍ଦର ଘାସଗାଲିଚା, ଛୋଟ ବଗିଚା, ଛୋଟ ଜଳାଶୟଟିଏ ଭାରି ଭଲ ଲାଗିଲା । ପାଖରେ ଆନ୍ଧ୍ରପ୍ରଦେଶ ଟୁରିଜମ ବିଭାଗର ରେଷ୍ଟୁରାଣ୍ଟଟିଏ, ଯେଉଁଠାରେ ଆପଣମାନେ ଟୟଲେଟ ସୁବିଧା ପାଇପାରିବେ । ତା‘ଛଡ଼ା ଖାଦ୍ୟପେୟର ସୁବନ୍ଦୋବସ୍ତ ଅଛି । ଆମେ ଏଥର ଚାଲିଲୁ ଆମର ମୁଖ୍ୟ ଗନ୍ତବ୍ୟସ୍ଥଳ ଲେପାକ୍ଷୀ ମନ୍ଦିର ଦିଗରେ । ସେଦିନ ଭିଡ଼ ଯୋଗୁଁ ଗାଡ଼ି ପାର୍କିଂପାଇଁ ସ୍ଥାନ ନଥାଏ । ଆମ କ୍ୟାବ ଆମକୁ ମନ୍ଦିରଠୁ କିଛି ଦୂରରେ ଓଲ୍ଲାଇ ଦେଇ ଆଗକୁ ଚାଲିଗଲା ।
ଲେପାକ୍ଷୀ ମନ୍ଦିରର ଆରାଧ୍ୟ ଦେବତା ବୀରଭଦ୍ର ମହାଦେବ । ଷୋଡ଼ଶ ଶତାବ୍ଦୀର ଏହି ମନ୍ଦିର କୂର୍ମାକୃତିର ଏକ ଛୋଟ ପାହାଡ଼ ଉପରେ ନିର୍ମିତ, ବିଜୟାନଗର ବାସ୍ତୁକଳାର ସୁନ୍ଦର ନିଦର୍ଶନ । ନୀଳଶୈଳ ଭଳି ଏହି ପାହାଡ଼କୁ କୂର୍ମଶୈଳ ମଧ୍ୟ କହନ୍ତି । ୧୫୩୦ ମସିହାରେ ବିଜୟନଗର ରାଜାଙ୍କ କର୍ମଚାରୀ ଦୁଇ ଭାଇ ବିରୁପନା ଓ ବିରନା ଏହି ମନ୍ଦିର ଗଢ଼ାଇ ଥିଲେ । କିମ୍ବଦନ୍ତୀ ଅନୁସାରେ ଦୁଇଭାଇ ରାଜାଙ୍କ ଅନୁପସ୍ଥିତି ଓ ଅଜାଣତରେ ରାଜକୋଷର ସବୁ ଅର୍ଥ ବ୍ୟୟକରି ଏହି ମନ୍ଦିର ଗଢ଼ିଥିଲେ । ପୌରାଣିକ ମତରେ ଋଷି ଅଗସ୍ତି ମନ୍ଦିର ପ୍ରତିଷ୍ଠା କରିଥିଲେ । ମନ୍ଦିରଟି ୭୦ଟି ସ୍ତମ୍ଭଉପରେ ଉପବିଷ୍ଟ, ଏଣୁ କେହି କେହି ସ୍ତମ୍ଭ ମନ୍ଦିର ବୋଲି କହନ୍ତି । ଏହି ସ୍ତମ୍ଭ ମଧ୍ୟରୁ ଗୋଟିଏ ସ୍ତମ୍ଭ ଛାତରୁ ଝୁଲିକି ରହିଛି । କେହି କେହି ଏହା ପରୀକ୍ଷା କରିବାପାଇଁ ସ୍ତମ୍ଭ ତଳେ କପଡ଼ା, କାଗଜ ପୁରାଇ ପରୀକ୍ଷା କରୁଥାନ୍ତି । ମନ୍ଦିରର ଚତୁର୍ପାର୍ଶ୍ଵରେ ଥିବା କଳାକୃତି ଓ ଚିତ୍ରକଳା ଅତୀବ ମନୋମୁଗ୍ଧକର । ମନ୍ଦିରର ବାହାରବେଢ଼ାର ବାରଣ୍ଡାରେ ଥିବା କାରୁକାର୍ଯ୍ୟ ଭରା ସ୍ତମ୍ଭ ମଧ୍ୟ ଦର୍ଶନୀୟ । ମନ୍ଦିରର ବହାରବେଢ଼ାରେ ଥିବା ସୁନ୍ଦର ଓ ବିଶାଳ ଗଣେଶ ଓ ଶେଷନାଗଙ୍କ ବିଗ୍ରହ ମଧ୍ୟ ଅତ୍ୟନ୍ତ ଆକର୍ଷଣୀୟ । ଫଟୋଗ୍ରାଫି ପାଇଁ ସବୁଠୁଁ ଅଧିକ ଭିଡ଼ ଏଇଠାରେ ହିଁ ପରିଲକ୍ଷିତ ହେଇଥାଏ । ତା‘ଛଡା ଅନ୍ୟ ଏକ ଆକର୍ଷଣୀୟ ସ୍ଥାନ ହେଲା ଏକ ବିଶାଳ ପ୍ରସ୍ତର, ଯେଉଁଠାରେ ପିଲାଠାରୁ ବୁଢା ଯାଏଁ ସମସ୍ତେ ବହୁବଳୀ ଢ଼ଙ୍ଗରେ ଫୋଟ ଉଥାଉଥାନ୍ତି, ନିଜ ନିଜର ସୋସିଆଲ ମିଡ଼ିଆ ପୃଷ୍ଠା ପାଇଁ । ମନ୍ଦିର ବାହାର ବେଢ଼ାରେ ଏକ ଅର୍ଧ ନିର୍ମିତ ସୁନ୍ଦର କଲ୍ୟାଣମଣ୍ଡପ ଅଛି । ଆମେ ଦିଅଁ ଦର୍ଶନ ପରେ ମନ୍ଦିର ଚାରିପଟେ ବୁଲିଆସିଲୁ ଓ ବେଢ଼ାପାର୍ଶ୍ୱ ବାରଣ୍ଡାରେ ବସିଲୁ । ମୋ ପୁଅ ତାର ଫେସବୁକ ଓ ଇଷ୍ଟାଗ୍ରାମ ପାଇଁ ଫୋଟ ତଥା ସେଲଫି ଉଠେଇବାରେ ଲାଗିପଡ଼ିଲା । ସାଙ୍ଗରେ ଆଣି ଆସିଥାଏ ତିନି ଚାରୋଟି ଟି–ସାର୍ଟ ଓ ଜାକେଟ୍ । ସମୟ ଦିନ ଦିଟା ବଜିଲାଣି, ଭୋକ ମଧ୍ୟ ଲାଗିଲାଣି । ଠାକୁରଙ୍କୁ ମୁଣ୍ଡିଆ ମାରି ବିଦାୟ ନେଲୁ ମନ୍ଦିରରୁ । ଆମେ ପୂର୍ବରୁ ସ୍ଥିର କରିଥାଉ ଯେ ନନ୍ଦିହିଲ ନିକଟସ୍ଥ ଛୋଟିଆ ସହର ଚିକବାଲପୁରରେ ମଧ୍ୟାନ ଭୋଜନ କରିବୁ । ଏକଘଣ୍ଟାର ଯାତ୍ରାପରେ ଆମେ ପହଞ୍ଚିଲୁ ଚିକବାଲପୁରରେ । ସେଠି ଏକ ଛୋଟ ହୋଟେଲରେ ମଧ୍ୟାନ ଭୋଜନ କଲୁ, ଖାଦ୍ୟ ସ୍ୱାଦିଷ୍ଟ ତଥା ଶସ୍ତା ଥିଲା ବାଙ୍ଗାଲୁରୁ ତୁଳନାରେ ।
ଚିକବାଲପୁର ସହରରୁ ନନ୍ଦିହିଲର ଦୂରତା ୧୦ କିଲୋମିଟର । ପାହାଡ଼ର ଉଚ୍ଚତା ୪୮୫୧ ଫୁଟ । କୌଣସି ସମୟରେ ଏହା ଟିପୁ ସୁଲତାନଙ୍କର ଗ୍ରୀଷ୍ମନିବାସ ରୂପେ ବ୍ୟବହାର ହେଉଥିଲା । ଚୋଳ ସମୟରେ ନନ୍ଦିହିଲର ନାମଥିଲା ଆନନ୍ଦଗିରି । ଅଧୁନା ଉଦ୍ୟାନ ବିଭାଗ ପାହାଡ଼ ଉପରିଭାଗର ସୌନ୍ଦର୍ଯ୍ୟକରଣ କରିଛି ଏବଂ ଏକ ଫୁଡ଼କୋର୍ଟ ତିଆରି କରିଛି, ଯେଉଁଠି ସକାହାରି ଖାଦ୍ୟପେୟର ବ୍ୟବସ୍ଥା ଅଛି । ପାହାଡ଼ ଉପରି ଭାଗରେ ଇଉକାଲିପଟାସ୍ ତଥା ବିଭିନ୍ନ ପ୍ରକାରର ବଡ଼ ବଡ଼ ବୃକ୍ଷ ମିଳିଥାଏ । କୁହାଯାଇଥାଏ ଯେ ବାଙ୍ଗାଳୁରୁର ବର୍ଷା ପାଇଁ ଏହି ଜଙ୍ଗଲହିଁ ବର୍ଷାକୁ ଘନୀଭୂତ କରାଇଥାଏ । ବର୍ଷା ଦିନେ ପାହାଡ଼ ଉପରୁ ଥାଇ ତଳେ ବାଦଲ ମାନଙ୍କୁ ଦେଖିବାର ଅପୂର୍ବ ଆନନ୍ଦ ପାଇପାରିବେ । ଶୀତ ଋତୁରେ ପ୍ରବାସୀ ପକ୍ଷୀମାନଙ୍କର ଏହା ଏକ ଆକର୍ଷଣୀୟ ଆବସସ୍ଥଳୀ, ତେଣୁ ପକ୍ଷୀପ୍ରେମୀ ଓ ଫୋଟଗ୍ରାଫରମାନଙ୍କର ମଧ୍ୟ ଭିଡ଼ ଜମେ ।
ପର୍ଯ୍ୟଟକମାନଙ୍କ ପାଇଁ କିଛି ଆକର୍ଷଣୀୟ ସ୍ଥଳ ମଧ୍ୟରେ ଟିପୁ ଡ୍ରପ, ଟିପୁଙ୍କ ଗ୍ରୀଷ୍ମ ଆବାସ, ଏକ ଗୁପ୍ତ ନିକାସ ରାସ୍ତା, ଗାଭୀ ବୀରଭଦ୍ର ସ୍ୱାମୀ ମନ୍ଦିର, ଶିଶୁ ଉଦ୍ୟାନ, ନେହୁରୁ ନୀଳୟ, ଗାନ୍ଧୀ ହାଉସ ଇତ୍ୟାଦି । ରବିବାରଯୋଗୁଁ ସେଦିନ ନନ୍ଦିହିଲରେ ଭାରି ଭିଡ଼ । ଅଙ୍କା ବଙ୍କା ରାସ୍ତା ଦେଇ ଆମ ଗାଡ଼ି ପହଁଚିଲା ପାହାଡ଼ ଉପରି ଭାଗରେ । ଗାଡ଼ି ଓ ଯାତ୍ରୀଙ୍କ ପାଇଁ ୧୦୦ ଟଙ୍କାର ପ୍ରବେଶ ଶୁକ୍ଳ ପୈଠ କଲୁ । ପାହାଡ଼ ଉପରୁ ବାଙ୍ଗାଳୁରୁ ନଗରୀର ଦୃଶ୍ୟ ଅତି ସୁନ୍ଦର । ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ କିଛି କିଛି ସ୍ଥାନରେ ଲୁହାର ବାଡ଼ ଦିଆଯାଇଛି । ସ୍ଥାନେ ସ୍ଥାନେ ଦର୍ଶକଙ୍କ ପାଇଁ ମଞ୍ଚ ତିଆରି କରାଯାଇଛି । ଅସ୍ତଗାମୀ ସୂର୍ଯ୍ୟ କିରଣରେ ପାହାଡ଼ ଉପରିସ୍ତ ମନ୍ଦିର ଚମତ୍କାର ଦିଶୁଥାଏ । ମନ୍ଦିର ପଛପାଖ ପଥର ଉପରେ ବସି ଏହି ଚମତ୍କାର ଦୃଶ୍ୟ ଓ ପରିବେଶକୁ ଆମେ କିଛି ସମୟ ଉପଭୋଗ କଲୁ । ସନ୍ଧ୍ୟା ନଇଁ ଆସୁଥାଏ । ଏଥର ଆମେ ପ୍ରସ୍ତାନ ପାଇଁ ପ୍ରସ୍ତୁତ ହେଲୁ । ନନ୍ଦିହିଲରୁ କିଛି ସୂର୍ଯ୍ୟାସ୍ତ ଫୋଟ ଉତ୍ତଳନ କରି ଫେରିଆସିଲୁ ଆମ ବାଙ୍ଗାଳୁରୁ ମହନଗରୀକୁ ଆଉ ଆମ ସ୍ମୃତିରେ ଏବଂ କ୍ୟାମେରାରେ ସାଇତି ରଖିଲୁ ସାରା ଦିନର ମଧୁର ମୁହୂର୍ତ୍ତ ମାନଙ୍କୁ ।
Comments
ପରାଶର ନାୟକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ ଭ୍ରମଣ କାହାଣୀ ଆଦି ରଚନା କରିଥାନ୍ତି ।