ତ୍ରେତୟା ଯୁଗର କଥା । ରାଜା ରାମଚନ୍ଦ୍ର ବନବାସ ସାରି ଅଯୋଧ୍ୟାର ରାଜଗାଦିରେ ଏକ ଉତ୍ତମ ରାଜା ରୂପେ ଶାସନ କରୁଥାନ୍ତି । ପ୍ରଜା ବତ୍ସଳ ରାଜା ରାମଚନ୍ଦ୍ର ଏକ ନିୟମ କରିଥାନ୍ତି, ଯେପରିକି ଯେକୌଣସି ପ୍ରଜା ତାଙ୍କ ନିକଟକୁ ଯେକୌଣସି ସମୟରେ ନ୍ୟାୟ ପାଇବା ଉଦେଶ୍ୟରେ ଆସିପାରିବେ । ସେହି କାରଣରୁ ସେ ରାଜତ୍ୱର ନିକଟରେ ଏକ ବିଶାଳ ଘଣ୍ଟାର ସ୍ଥାପନ କରାଇଥିଲେ । ରାମରାଜ୍ୟରେ ସମସ୍ତ ପ୍ରଜା ସୁଖ ଶାନ୍ତିରେ କାଳାତିପାତ କରୁଥିଲେ, କେଉଁଠାରେ ବି ଚୋରି, ଦୁର୍ନୀତିର ଭୟ ନଥିଲା । ଏପରି ଏକ ସୁଖପ୍ରଦ ସମୟରେ ଏକ ସନ୍ଧ୍ୟା କାଳରେ ହଠାତ ରାଜତ୍ୱର ନିକଟର ଘଣ୍ଟା ବାଜିଉଠିଲା । ରାଜଭବନରେ ସମସ୍ତ ଅଧିବାସୀ ଏପରିକି ପ୍ରଜାଗଣ ମଧ୍ୟ ହତବାକ ଥିଲେ ଯେ ଏପରି ଏକ ସମୟରେ କାହାକୁ ନ୍ୟାୟ ଦରକାର ହେଲା ।
ରାଜା ରାମଚନ୍ଦ୍ର ତତ୍କ୍ଷଣ ଲକ୍ଷ୍ମଣଙ୍କୁ ଆଦେଶ ଦେଲେ ପରିସ୍ଥିତିର ଗମ୍ଭୀରତାକୁ ଅନୁକ୍ଷଣ କରିବା ପାଇଁ ଏବଂ ସେ ଘଣ୍ଟା ବାଦନକାରୀଙ୍କୁ କିପ୍ରକାର ନ୍ୟାୟ ଦରକାର ତାହା ଅବଗତ କରାଇବା ପାଇଁ । ଲକ୍ଷ୍ମଣ ଯାଇ ଦେଖନ୍ତି ତ, ସେହି ସ୍ଥାନରେ ଏକ କୁକୁର ବସିଅଛି । କୌତୁହଳ ବଶତଃ ଲକ୍ଷ୍ମଣ ତାକୁ ପଚାରିଲେ, “ତୋର କ’ଣ ଅସୁବିଧା ହେଲା?” ଦୈବାତ ସେହି କୁକୁର ଉତ୍ତର ଦେଲା, “ମୁଁ ରାଜା ରାମଚନ୍ଦ୍ରଙ୍କୁ ହିଁ ଭେଟିବାକୁ ଚାହେଁ, ମୋର ନ୍ୟାୟ ଦରକାର ।” ଲକ୍ଷ୍ମଣ ଡେରି ନକରି ସେ କୁକୁରକୁ ନେଇ ରାଜସଭାରେ ପହଁଚିଲେ । ରାଜା ରାମ ଏବଂ ଉପସ୍ଥିତ ପାତ୍ରମନ୍ତ୍ରୀଗଣ ସେହି କୁକୁରକୁ ଦେଖି ହତାବକ ଥିଲେ । ସେହି ଏକାନ୍ତକୁ ଭଙ୍ଗ କରି ରାମ ପଚାରିଲେ, “ହେ ଶ୍ଵାନ ! ମୁ ତୁମକୁ କେଉଁ ରୁପେ ସାହାଯ୍ୟ କରିପାରେ?” କୁକୁର ଉତ୍ତର ଦେଲା, “ପ୍ରଭୁ ! ଆଜି ଦ୍ୱିପହର ସମୟରେ ମୁ ଏକ ଶ୍ମଶାନ ନିକଟରେ ଖାଦ୍ୟ ଅନ୍ୱେଷଣ କରୁଥିଲି । ହଠାତ ଏକ ବ୍ରାହ୍ମଣ ମୋ ଉପରେ ଆକ୍ରମଣ କଲା । ମୁଁ ମୋର ପ୍ରତିରକ୍ଷା ପାଇଁ ସେହି ସ୍ଥାନରୁ ପଳାୟନ କଲି । କିନ୍ତୁ ମହାରାଜ ! ମୋ ଦୋଷ କ’ଣ ଥିଲା ମୁଁ ବୁଝିପାରୁନାହିଁ । ସେ ବ୍ରାହ୍ମଣ ବ୍ୟକ୍ତି ବିନାକାରଣରେ ମୋତେ ଆକ୍ରମଣ କରିଛନ୍ତି । ମୋର ନ୍ୟାୟ ଆବଶ୍ୟକ ।” ରାମଚନ୍ଦ୍ରଙ୍କ ଆଦେଶରେ ସେ ବ୍ରାହ୍ମଣ ବ୍ୟକ୍ତିଙ୍କୁ ରାଜସଭାକୁ ଅଣାଗଲା ।
ରାଜା ରାମଚନ୍ଦ୍ର ସେ ବ୍ରାହ୍ମଣଙ୍କୁ ପଚାରିଲେ, “ହେ ବିପ୍ରବର ! ଆପଣ ଏହି ନିରୀହ ଶ୍ଵାନକୁ କେଉଁ କାରଣରୁ ଆକ୍ରମଣ କଲେ?” ବ୍ରାହ୍ମଣ ଉତ୍ତରଦେଲେ, “ହେ ରାଜନ ! ଅପଣଙ୍କ ରାଜ୍ୟରେ ଅନେକ ଦାନୀ ଧର୍ମୀ ଲୋକଙ୍କ ବାସ ଅଛି । ମୋର ପରିବାର କହିଲେ କିଛି ନାହିଁ ତେଣୁ ମୁଁ ଏପରି ବଦାନ୍ୟ ବ୍ୟକ୍ତିମାନଙ୍କ ଦୟାରେ ଜୀବନ ନିର୍ବାହ କରେ । ସେହିଭଳି ଏକ ବଦାନ୍ୟ ବ୍ୟକ୍ତି ଆଜି ଏକ ବ୍ରାହ୍ମଣ ଭୋଜନର ବ୍ୟବସ୍ତା କରାଇଥିଲେ। ମୁଁ ସେହି ସ୍ଥାନରେ ଭୋଜନ କଲି ଏବଂ ରାତ୍ର ସମୟ ପାଇଁ ନିଜ ଥଳିରେ କିଛି ଭୋଜ୍ୟ ପଦାର୍ଥ ନେଇ ଯାଉଥିଲି । ଅଧିକ ଭୋଜନ ହେତୁ ମୋତେ ଥକ୍କା ଆସିଗଲା ଏବଂ ମୁଁ ସେହି ଶ୍ମଶାନ ନିକଟରେ ଥିବା ଏକ ବଟ ବୃକ୍ଷ ତଳେ ବିଶ୍ରାମ ନେଲି, ଆଳସ୍ୟ କାରଣରୁ ମୋତେ ନିଦ୍ରା ଆସିଗଲା । ମୋ ନିଦ୍ରା ଭାଙ୍ଗନ୍ତେ ମୁଁ ଦେଖିଲି ଏହି କୁକୁର ମୋ ଥଳିରୁ ବାହାରି ଆସିଥିବା ଭୋଜ୍ୟ ପଦାର୍ଥକୁ ଭୋଜନ କରୁଛି । କ୍ରୋଧ ବଶତଃ ମୁଁ ସେ ଶ୍ଵାନକୁ ଆକ୍ରମଣ କଲି ।”
ରାମଚନ୍ଦ୍ର କହିଲେ, “ହେ ବିପ୍ର ! ସେ ଶ୍ଵାନ ଆପଣଙ୍କ ଥଳିରୁ ବାହାରିଆସିଥିବା ପଦାର୍ଥକୁ ଗ୍ରହଣ କଲା, ସେ ଆପଣଙ୍କୁ କୌଣସି ପ୍ରକାରେ କ୍ଷତି କରିନାହିଁ । ଆପଣ ଅକାରଣରେ ତାକୁ ଆକ୍ରମଣ କରିବା ହେତୁ ଆପଣ ଦୋଷୀ ସାବ୍ୟସ୍ତ ହେଲେ । ଆପଣ ଦଣ୍ଡର ଅଧିକାରୀ, କିନ୍ତୁ ଆମେ ସୂର୍ଯ୍ୟବଂଶୀ କୌଣସି ପ୍ରକାରେ ଗୋ, ନାରୀ ଏବଂ ବ୍ରାହ୍ମଣଙ୍କୁ କ୍ଷତି କରୁନାହୁଁ । ଅତଏବ ଉପସ୍ଥିତ ସମସ୍ତଙ୍କୁ ମୋର ଅନୁରୋଧ ଯେ ମୋତେ ଏହି ବିଚାରରେ ପରାମର୍ଶ ଓ ସାହାଯ୍ୟ କରନ୍ତୁ ।” ସମସ୍ତ ସଭାସଦ ଚିନ୍ତାରେ, ଏପରି ଏକ ଘଟଣାରେ କିପରି ବିଚାର କରାଯିବ । ସେହି ସମୟ ରେ କୁକୁର କହିଲା, “ହେ ରାଜନ ! ଯଦି ଆପଣ ଅନୁମତି ଦେବେ ତା’ହେଲେ ମୋ ମନରେ ଏକ ବିଚାର ଆସୁଛି ।” ରାମଚନ୍ଦ୍ରଙ୍କ ଅନୁମତିରେ କୁକୁର ପୁଣି କହିଲେ, “ପ୍ରଭୁ ! ସରଜୁ ନଦୀ କୁଳରେ ଏକ ବିଶାଳ ମଠ ଆପଣଙ୍କ ପୂର୍ବପୁରୁଷ ମାନେ ସ୍ଥାପନ କରାଇଥିଲେ । ସେ ମଠ ବର୍ତ୍ତମାନ କୁଳପତି (ମହନ୍ତ) ବିହୀନ । ଆପଣ ଏହି ବ୍ରାହ୍ମଣଙ୍କୁ ସେହି ମଠର କୁଳପତିର ସ୍ଥାନ ଦିଅନ୍ତୁ ।” ରାମଚନ୍ଦ୍ର କହିଲେ, “ଅତି ଉତ୍ତମ ।” ତତ୍କ୍ଷଣାତ ସେହି ବ୍ରାହ୍ମଣଙ୍କୁ କୁଳପତି ରୂପେ ଅଭିଷେକ କରାଇ, ହାତୀ ପିଠିରେ ବସାଇ ସେହି ମଠରେ ଛାଡ଼ିଦିଆଗଲା ।
ସମସ୍ତ ସଭାସଦ ଆଶ୍ଚର୍ଯ୍ୟ ଥିଲେ ଯେ ରାଜାରାମ ସେହି ବ୍ରାହ୍ମଣଙ୍କୁ ଦଣ୍ଡ ଦେଲେ ନା ପୁରସ୍କାର । ସଭିଙ୍କ ମନଦଶାକୁ ଜାଣି ପ୍ରଭୁ ରାମ ସେହି କୁକୁରକୁ ପଚାରିଲେ, “ଏକ ଶ୍ଵାନ ହୋଇ ମଧ୍ୟ ତୁମେ କିପ୍ରକାରେ ମଣିଷଙ୍କ ଭଳି କଥା କହୁଚ ଏବଂ ସେ ବ୍ରାହ୍ମଣଙ୍କୁ ଏପରି ଦଣ୍ଡବିଧାନ ପାଇଁ କାହିଁକି ଉପେଦେଶ ଦେଲ?” କୁକୁର କହିଲା, “ପ୍ରଭୁ ! ମୋ ପୂର୍ବଜନ୍ମରେ ମୁଁ ଜଣେ ବ୍ରାହ୍ମଣ ଥିଲି ଏବଂ ସେହି ପୁରାତନ ମଠର ମହନ୍ତ ଥିଲି । ସେ ମଠର ସମସ୍ତ ସମ୍ପତ୍ତିକୁ କଦାପି ନିଜର ନଭାବି ସମସ୍ତ ପ୍ରଜାଙ୍କ ହିତରେ ତାକୁ ଖର୍ଚ୍ଚ କରିଥିଲି । ସେହି ପୁଣ୍ୟ ବଳରୁ ମୁଁ ଆଜି ବି ମନୁଷ୍ୟ ଭଳି କଥା କହିପାରୁଛି । କିନ୍ତୁ ସେହି ଦାନ ଧର୍ମ କାର୍ଯ୍ୟରେ ହିଁ କୌଣସି ଅଜ୍ଞାତ ଭୁଲ ଯୋଗୁଁ ମୁଁ ଏ ଜନ୍ମରେ କୁକୁର ଜନ୍ମ ପାଇଲି । କୌଣସି ପ୍ରକାର ଆଶା ବା ଲୋଭ ନରଖି ମଧ୍ୟ ମୁଁ କୁକୁର ଜନ୍ମ ପାଇଲି । ତା’ହେଲେ ସେ ଲୋଭି, କ୍ରୋଧୀ, ଅଳସୁଆ ବ୍ରାହ୍ମଣ କୁଳପତି ପଦ ପାଇ କ’ଣ ନ କରିବ? ସମସ୍ତ ସମ୍ପତିକୁ ନିଜର ଭାବି ବ୍ୟର୍ଥରେ ନଷ୍ଟ କରିବ ଏବଂ ତା’ର ଦଣ୍ଡ ସେ ଅବଶ୍ୟ ପାଇବ । ତେଣୁ ମହାରାଜ ! ମୋ ମତରେ କିଛି କଥା, କିଛି ବିଷୟ ଆମେ ସମୟ ଉପରେ ଛାଡ଼ିଦେବା ଦରକାର । ଆମରି ସାମ୍ନାରେ ଅନେକ ଲୋକ କୁକାର୍ଯ୍ୟ କରି ଉନ୍ନତି ପାଇବେ, କିନ୍ତୁ ସମୟ ସଭିଙ୍କୁ ସ୍ୱସ୍ଥାନକୁ ନେଇଆସିବ, ଏହା ନିଶ୍ଚୟ ।”
– ଅଶୋକ ମିଶ୍ର
Comments
ଅଶୋକ ମିଶ୍ର ପେଶାରେ ଜଣେ ସଫ୍ଟଓୟାର୍ ଇଞ୍ଜିନିୟର୍ । ସେ ତାଙ୍କର ଫାଙ୍କା ସମୟରେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ରଚନା କରିଥାନ୍ତି । ତାଙ୍କ ରଚିତ କିଛି ଗଳ୍ପ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନିତ ହୋଇଛି ।