ନିତିଦିନିଆ ଜୀବନରେ ଆମେ ଆନେକଙ୍କ ସହ ସାକ୍ଷାତ କରିଥାଉ ମାତ୍ର ତାଙ୍କର ମହତ୍ତ୍ୱ ଆମେ ଜାଣିପାରି ନଥାଉ । ଜୀବନଠୁ କାହାକୁ ଆମେ ଦୁରେଇ ଦେଲେ କିମ୍ବା ଆମଠାରୁ କିଏ ଦୂରେଇ ଗଲାପରେ ପରବର୍ତ୍ତୀ ମୁହୂର୍ତ୍ତରେ ଆମେ ତାଙ୍କର ମହତ୍ତ୍ୱ ଜାଣିପାରିଥାଉ । ଦୁଇପଦ ମଧୁର କଥା କହିଲେ ଆମେ ଆମର ଅସ୍ତିତ୍ୱ ହରାଇନଥାଉ ମାତ୍ର ଯଦି ସେହି ମୁଖରୁ ବାହାରୁଥିବା ଶବ୍ଦ କଟୁରେ ପରିଣତ ହୋଇଯାଏ ତାହାଲେ ଅନ୍ୟମାନଙ୍କ ମନରେ ବହୁତ କଷ୍ଟ ଦେଇଥାଏ ।
ନିଜ ଜୀବନଲୁ ଉତ୍ସର୍ଗ କରି ପିଆମାତା ନିଜ ସନ୍ତାନର ଶୁଭ ଚିନ୍ତା କରି ଭଗବାନଙ୍କ ପାଖରେ ଅନେକ ପାର୍ଥନା କରିଥାନ୍ତି ଠିକ ଯେପରି ସ୍ବରାଜର ପିତାମାତା । ପୁଅକୁ ଯେମିତି ତିଳେ ହେଲେବି କଷ୍ଟ ନହେବ ସେଥିପାଇଁ ପିତାମାତା ନିଜେ କଷ୍ଟ ସହି ପୁଅର ଇଚ୍ଛାକୁ ପୂରଣ କରିଦିଅନ୍ତି । ଅତ୍ୟାଧୁନିକ ସମାଜ ସମସ୍ତଙ୍କ ଜୀବନକୁ ଏପରି ପରିବର୍ତ୍ତନ କରିଦେଉଛିକି ଭଲ ଚିନ୍ତା କରୁଥିବା ନିଜର ଲୋକଙ୍କୁ ପର କରିଦେଉଛି ଠିକ ଯେପରି ସ୍ଵରାଜ ପରି ।
ଦିଲ୍ଲୀରୁ ପାଠ ପଢ଼ା ସରିବା ପରେ ଗାଆଁକୁ ଆସିଥାଏ । ଉତ୍ତମମାନର ଫଳ ନଥିବା ହେତୁ ଅନେକ ସ୍ଥାନରେ ଚାକିରୀରେ ନିଯୁକ୍ତ ହୋଇ ପାରୁନଥିଲା । ଶେଷରେ ପିତା ମୋହନ ବାବୁଙ୍କ ପରାମର୍ଶକ୍ରମେ ସ୍ଵରାଜ ଆପ୍ରାଣ ଉଦ୍ୟମ କରି ଗୋଟିଏ ସରକାରୀ ଚାକିରୀ କରିପାରିଲା, ଏହାପରେ ସ୍ଵରାଜର ଖୁସି କହିଲେ ନସରେ । ପୁଅ ସ୍ଵରାଜର ସଫଳତାକୁ ଦେଖି ପିତା ଓ ମାତା ସୁଷମା ଦେବୀ ମନରେ ଉତ୍ଫୁଲ୍ଲିତ ହୋଇଯାଇଥାନ୍ତି, ମାତ୍ର ସେମାନେ ଜାଣି ନଥାନ୍ତି ତାଙ୍କର ଏହି ଖୁସିକୁ କିଏ ଯେପରି କଳା ମେଘ ଘୋଡ଼ାଇ ଦେଇଛି । ପୁତ୍ର ରୋଜଗାରକ୍ଷମ ହେବାପରେ ସମସ୍ତ ପିତାମାତାଙ୍କ ଇଚ୍ଛା ପରି ସ୍ଵରାଜକୁ ବିବାହ ବନ୍ଧନରେ ବାନ୍ଧି ଦେଇଥିଲେ ଓ ଏହାପରେ ପରିବର୍ତ୍ତନ ହୋଇଯାଏ ସ୍ଵରାଜର ଜୀବନର ଶୈଳୀ । ଦିଲ୍ଲୀରୁ ପଢା ସାରି ସରକାରୀ ଚାକିରୀ କରିବା ପରେ ଗାଆଁର ପରିଜନମାନଙ୍କୁ ହୀନମାନ୍ୟ ମନେ କରୁଥିଲା ଓ ଏହାର କିଛିଦିନ ପରେ ନିଜ ପରିବାରକୁ ଭଲ ସ୍ଥାନରେ ରଖିବାକୁ ଯାଇ ଗାଆଁରେ ବାପାମାଆଙ୍କୁ ଛାଡ଼ି ସହରକୁ ଚାଲିଗଲା । ନିଜ ପରିବାରକୁ ଖୁସିରେ ରଖିବି ଓ ନାତି ନାତୁଣୀମାନଙ୍କ ସହ ଖେଳିବାକୁ ସ୍ବପ୍ନ ଦେଖୁଥିବା ମୋହନ ବାବୁଙ୍କ ସ୍ବପ୍ନସବୁ ପୁଅ ଚାଲିଯିବା ପରେ ମରୁଭୂମିର ବାଲିକଣିକା ପରି ଧୂଳିସାତ ହୋଇଗଲା ।
ସମୟ ଚାଲିବା ସହ ସ୍ଵରାଜ ପିତା ହୋଇଗଲା, ମାତ୍ର ପିତାର ଅର୍ଥ ସେ ଜାଣିପାରିନଥିଲା । ବୟସ ବଢ଼ିବାପରେ ପୁଅ ରାକେଶକୁ ବିଦ୍ୟାଳୟରେ ଛାଡ଼ିବାପାଇଁ ସ୍ଵରାଜ ପ୍ରତିଦିନ ଯାଇଥାନ୍ତି । କଥାରେ ଅଛି ପିତା ଗୁଣେ ପୁତ୍ର । ଠିକ ସେହିପରି ରାକେଶ ମଧ୍ୟ ନିଜ ପିତା ପରି ଛୋଟବେଳଠାରୁ ବହୁତ ଗର୍ବ ମନରେ ଜାତ ହୋଇସାରିଥାଏ । ପୁଅର ସମସ୍ତ ପ୍ରକାର ଅଳିକୁ ସ୍ଵରାଜ ମାନି ନେଉଥିଲା ଓ ସମସ୍ତ ପ୍ରକାର ଖୁସି ଦେବାକୁ ଯାଇ ତାହାର କୌଣସି ଅଭାବ ରଖିଲେ ନାହିଁ । ସମସ୍ତ ପ୍ରକାର ସୁବିଧା ଦବାକୁ ଯାଇ ସ୍ଵରାଜ ଭୁଲିଯାଇଥାଏ ପୁଅକୁ ଉଚିତ ସଂସ୍କାର ଶିଖେଇବା ପାଇଁ । ରାକେଶର ବା ଭୁଲ୍ କ’ଣ ଅଛି । ମନର ଗର୍ବ ଓ ଅହଂ ଭାବ ରଖିବା ତା’ ପକ୍ଷରେ ସ୍ୱଭାବିକ ଅଟେ । ଏଣୁ ବିଦ୍ୟାଳୟରେ ରାକେଶର ସାଙ୍ଗସାଥି ହାତ ଗଣତିରେ ହିଁ ଥିଲେ ।
ଦିନକର ଘଟଣା । ବିଦ୍ୟାଳୟରେ ଖେଳକୁଦ ଚାଲିଥାଏ । ହଠାତ ଖେଳରେ ଦୌଡ଼ୁଥିବା ରାକେଶ ଝୁଣ୍ଟି ପଡ଼ି ତଳେ ପଡ଼ିଗଲା ଆଉ ତା’ର ଗୋଡ଼ରେ ଆଘାତ ଲାଗିଲା । ସଙ୍ଗେସଙ୍ଗେ ପଛପଟରୁ କିଏ ଜଣେ କହିଲା, “କଣ ହେଲା ସାଙ୍ଗ, ତୁମେ କିପରି ପଡ଼ିଲ । ହଉ ଠିକ ଅଛି ଆସ ସାରଙ୍କୁ କହି ତମ କ୍ଷତ ସ୍ଥାନରେ ମଲମ ଲଗାଇ ଦେବି ।” ପଛକୁ ଚାହିଁ ଦେଖେତ ସେ ଥାଏ ବିନୋଦ, ଯାହାକୁ ସେ ଗତ କିଛିଦିନ ତଳେ ବିନା କାରଣରେ ଗାଳିଗୁଲଜ କରିଥିଲା । ଆଶ୍ଚର୍ଯ୍ୟ ହୋଇ ଚାହିଁବ ପରେ ବିନୋଦ ପୁଣି ଥରେ କହିଲା, “କ’ଣ ହେଲା ସାଙ୍ଗ, ଜଲ୍ଦି ଆସ, ରକ୍ତ ବାହାରି ଯାଉଛି ।” ଆଶ୍ଚର୍ଯ୍ୟ ଓ କଷ୍ଟରେ ଥିବା ରାକେଶ ବିନୋଦ ସହ ସାରଙ୍କ ପାଖକୁ ଯାଇ ମଲମ ଲଗାଇବା ପରେ ରାକେଶ ବିନୋଦକୁ ପଚାରିଲା, “ତୁମେ ମୋର ସାହାଯ୍ୟ କାହିଁକି କରିଲ? ମୁଁ ତୁମକୁ ସେଦିନ ବିନା କାରଣ ଅନେକ କଥା କହିଯାଇଥିଲି ।” ଏତିକି କଥା ରାକେଶର ମୁଖରୁ ସାରିନଥାଏ ସଙ୍ଗେ ସଙ୍ଗେ ବିନୋଦ କହିଲା, “କାହାକୁ ହୀନତୁଲ୍ୟ ମନେ କରିବା ଉଚିତ ନୁହେଁ ।” ବାସ୍ ଏତିକି କହି ବିନୋଦ ହସିକରି ସେଠୁ ଚାଲି ଆସିଲା । ଏତିକି କଥା ଯେପରି ରାକେଶର ଜୀବନକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଦେଇଥିଲା । ବିଦ୍ୟାଳୟରୁ ଆସିବ ପରେ ଅନେକ ଭାବନାର ଅନ୍ତ ପରେ ନିଜର ସମସ୍ତ କୂଅଭ୍ୟାସକୁ ସେ ପରିତ୍ୟାଗ କରିଦେଲା ।
ଏହାର କିଛିଦିନପରେ ହଠାତ ଦିନେ ବାପା ସ୍ଵରାଜ ପୁଅ ରାଳେଶକୁ ବିଦ୍ୟାଳୟକୁ ଛାଡ଼ିବା ପାଇଁ ବାହାରିବା ସମୟରେ ରାକେଶ କହିଲା, “ବାପା, ଜେଜେ ଓ ଜେଜେମାଙ୍କୁ ଆମ ପାଖରେ କାହିଁକି ରହୁନାହାନ୍ତି ।” ପୁଅର ଏପରି ପ୍ରଶ୍ନ ଶୁଣିବା ପରେ ସ୍ଵରାଜ କିଛି ବୁଝିପାରିଲା ନାହିଁ ଓ ପୁଅ ପଚାରିଲା, “କ’ଣ ହୋଇଛି ତାଙ୍କ କଥା କାହିଁକି ପଚାରୁଛୁ ?”
– ହ୍ରିତିକ କୁମାର ବେହେରା
Comments
ହ୍ରିତିକ ବେହେରା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।