ଗିରନାର ପର୍ବତ

ଗିରନାର ପର୍ବତ

ଜୟ ଗିରନାରୀ… ଗିରନାର ବାବା କି …..ଜୟ

ସବୁବର୍ଷ ଶୀତ ଆସିଲେ ମନେପଡ଼େ ବଣଭୋଜି, ପାର୍ଟି, ଆଉଟିଙ୍ଗ ଇତ୍ୟାଦି ଇତ୍ୟାଦି….. ନିଜ କର୍ମମୟ ଜୀବନରୁ କିଛି ଦିନର ଛୁଟିରେ ଟେନସନ ଦୂର କରି ପ୍ରକୃତି କୋଳରେ ହଜିଯିବାର ସ୍ବାଦ ନିଶ୍ଚିତ ଭାବେ ନିଆରା । ସବୁବର୍ଷ ପରି କିଛି ଦିନର ବ୍ୟବଧାନ ପରେ ଅଫିସର କିଛି ସାଙ୍ଗ ବାହାରିଲେ କୁଆଡ଼େ ଗୋଟେ ଯିବାପାଇଁ । କୁଆଡ଼େ ଗୋଟେ କହିଲେ, ପ୍ରକୃତ ଜାଗା ଜଣା ନଥାଏ, ପ୍ରଥମେ ଯିବା ଫାଇନାଲ ହୁଏ ତା’ପରେ ଜାଗା ଖୋଜା ଆରମ୍ଭ ହୁଏ । ବହୁତ ଜାଗାର ନାଆଁ ଆସିଲା ପରେ ଶେଷ ନାଆଁଟି ଥିଲା “ଗିରନାର” ପାହାଡ଼ । ପିଲାଙ୍କ ହଁ-ନାଁ ଭିତରେ, ବହୁତ କଥା କଟାକଟି ପରେ ଶେଷ ବି ହେଲା ଏହି ଜାଗାରେ । ପନ୍ଦରରୁ ବାର, ଏଗାର, ଦଶ, ଆଠ, ଛଅ, ପରେ ଚାରିଜଣ ରାଜି ହେଲେ ଯିବା ପାଇଁ । ଏତେ କଥା ଭିତରେ ଜିଦ ରହିଲା ଗିରନାର ହିଁ ଯିବା ଆଉ ଚଢ଼ିବା ଶେଷ ଯାଏଁ ।

ଗିରନାର କ’ଣ?

ଗୁଜରାଟର ଗିର ଜଙ୍ଗଲ ଭିତରେ, ଜୁନାଗଡ଼ରୁ ମାତ୍ର ସାତ କିଲୋମିଟର ଦୂରରେ ପାଞ୍ଚଟି ପାହାଡ଼ ଅବସ୍ଥିତ, ଯାହାର ନାଁ ଗିରନାର । ଏହାକୁ ପାହାଡ଼ମାନଙ୍କ ସଙ୍କଳନ ମଧ୍ୟ କୁହାଯାଏ । ପୃଥିବୀର ସବୁଠୁ ପୁରୁଣା ପାହାଡ଼ ମାନଙ୍କ ମଧ୍ୟରୁ ଏ ପାହାଡ଼ଟି ଅନ୍ୟତମ । ଗିରନାର ପର୍ବତ (ପ୍ରାଚୀନ ନାମ ଉଜୟନ୍ତ ତଥା ଗିରିବର ତଥା ରେତକ) ହିମାଳୟଠାରୁ ମଧ୍ୟ ପୁରୁଣା ପର୍ବତ ଅଟେ । ଏହା ୨୨ତମ ତୀର୍ଥଙ୍କର ନେମିନାଥଙ୍କର ନିର୍ବାଣ ଭୂମି । ସମୁଦ୍ର ପତ୍ତନଠାରୁ ପ୍ରାୟ ୧୦୩୧ ମିଟର ବା ୩୬୬୬ ଉଚ୍ଚ ଏହି ପର୍ବତଟି ଗୁଜରାଟର ଜୁନାଗଡ଼ ଜିଲ୍ଲାରେ ଅବସ୍ଥିତ । ଏଠାରେ ପ୍ରାୟ ୮୬୬ଟି ହିନ୍ଦୁ ଓ ଜୈନ ମନ୍ଦିର ଅଛି । ଦୂରରୁ ଦେଖିଲେ ପାହାଡ଼ଗୁଡ଼ିକ ଜଣେ ଶୋଇଥିବା ଋଷିଙ୍କ ମୁଖ ବା ମୁହଁ ପରି ଦେଖାଯାଏ । ଏହା ଏକ ପବିତ୍ର ସ୍ଥାନ ।

ମନ୍ଦିରମାନଙ୍କ ମଧ୍ୟରେ ମୁଖ୍ୟତଃ ଜୈନ ମନ୍ଦିର (୪୫୦୦ ପାହାଚ), ଗୋମୂଖୀ ଗଙ୍ଗା (୫୦୦୦ ପାହାଚ), ଅମ୍ବା ମାତା (୫୫୦୦ ପାହାଚ), ଗୋରଖନାଥ ମହାଦେବ (୬୫୦୦ ପାହାଚ) ଓ ଗୁରୁ ଶିଖର ବା ଦତ୍ତାତ୍ରେୟ ମନ୍ଦିର (୧୦୦୦୦ ପାହାଚ) ଅନ୍ୟତମ । (ପାହାଚ ସଂଖ୍ୟାଗୁଡ଼ିକ ପ୍ରକୃତ ପାହାଚର ସଂଖ୍ୟା ନୁହେଁ, ଆନୁମାନିକ…..)

ଦଶହଜାର ପାହାଚ? ଯିବା ଦଶ ହଜାର, ଫେରିବା ବି ଦଶ ହଜାର ! ମାନେ କୋଡ଼ିଏ ହଜାର ! ଏ ସଂଖ୍ୟାଟି ମନଭିତରେ ଭିତ ସଂଚାର କରିବା ଯଥେଷ୍ଟ ଥିଲା, ଯାହାପାଇଁ ଆମ ପିକନିକ ପାର୍ଟିର ମେମ୍ବର ସଂଖ୍ୟା ପନ୍ଦରରୁ ଖସି ଚାରିକୁ ଆସି ସାରିଥିଲା ।

ମୁଁ କିନ୍ତୁ ବହୁତ ଖୁସି ଥିଲି । ଗୁଜରାଟରେ ଆଠବର୍ଷ ରହିବା ଭିତରେ ଗତ ଚାରି ବର୍ଷରେ ଚାରିଥର ନିଶ୍ଚୟ ଚେଷ୍ଟା କରିଥିବି ଗିରନାର ଚଢ଼ିବା ପାଇଁ କିନ୍ତୁ କେବେ ଜଣେ ସାଙ୍ଗ ପାଇ ନଥିଲି । ବେଳେବେଳେ କିଛି ସାଙ୍ଗ ଯାଇ ଫେରିବା ପରେ ଖବର ପାଇଥିଲି ସେମାନେ ଯାଇଥିଲେ ବୋଲି, ତେଣୁ ମନ ଦୁଃଖ ହେଲେ ବି କିଛି କରିବାର ନଥାଏ, କାରଣ ସେମାନେ ସେମାନଙ୍କ ସମ୍ପର୍କୀୟମାନଙ୍କ ସହ ଯାଇ ଫେରିଥାନ୍ତି କିମ୍ବା କୌଣସି କାରଣ ବଶତଃ ସେମାନେ ଜଣେଇ ପାରି ନଥାନ୍ତି । ତେବେ ପ୍ରଭୁ ଜଗନ୍ନାଥଙ୍କ ଡୋରି ନ ଲାଗିଲା ଯାଏଁ ପୁରୀରେ ଥାଇ ମଧ୍ୟ ଦର୍ଶନ ନହେଲାପରି, ଗୁଜରାଟରେ ଥାଇ ମଧ୍ୟ ଗିରନାର ନ ଚଢ଼ିପାରିବାକୁ ମୁଁ ସେପରି କିଛି ଧରି ନେଇଥିଲି ।

ଚାରି ଜଣ ହେଲେବି ସେମାନଙ୍କ ଜୋଶ୍ ଦେଖି, ମୁଁ ୩୬ ବର୍ଷର ବୁଢ଼ା (ବୁଢ଼ା ଏଥିପାଇଁ ଯେ ସେମାନେ ସମସ୍ତେ ମୋଠୁଁ ପ୍ରାୟ ଦଶ, ବାର, ଚଉଦ ବର୍ଷ ସାନ) ବି ଯୋଶୀଲା ହୋଇଯାଇଥିଲି । ତେବେ ମେମ୍ବର ସଂଖ୍ୟା ପୁଣି ବଢ଼ିବାରେ ଲାଗିଲେ । ଆସ୍ତେ ଆସ୍ତେ ।

କର୍ମମୟ ଜୀବନରୁ ଟିକିଏ ବିରତି ବି ବହୁତ ଖୁସି ଦେଇପାରେ । ଆଉ କର୍ମ ପାଇଁ ବେଳେବେଳେ ନିଜ ଖୁସିକୁ ବି ଅଟକେଇବାକୁ ପଡ଼େ । ଡିସେମ୍ବର ପଚିଶରୁ ଆରମ୍ଭ କରିଥିବା ଏ ପ୍ଲାନରେ ହଠାତ ଭଟ୍ଟା ପଡ଼ିଯାଏ, କ୍ଲାଏଣ୍ଟ ଓ କମ୍ପାନୀର ମାଲିକ ଆମେରିକାରୁ ଆସିବା ଶୁଣି । ପ୍ଲାନ ରହିଯାଏ ଅଧାରେ । ଜାନୁଆରୀରେ କ୍ଲାଏଣ୍ଟ ଓ କମ୍ପାନୀ ମାଲିକ ଆସି ବିଭିନ୍ନ ବିଷୟ ତର୍ଜମା କରନ୍ତି, ସକାଳ ଆଠରୁ ରାତି ବାର କେମିତି ହୁଏ ଜଣା ବି ପଡ଼େନାହିଁ । କାମ, କାମ, କାମ….. ବାସ୍, ଏଇତ ଜୀବନ । କିନ୍ତୁ ମଝିରେ ମଝିରେ ଟିକିଏ ଟିକିଏ ଖୁସି ସାଉଁଟି ନେବା ବି ଆମର ହକ୍ । କ୍ଲାଏଣ୍ଟ ଓ କମ୍ପାନୀ ମାଲିକ ଯିବାପରେ ପୁଣି ଆରମ୍ଭ ହୁଏ ଅଧା ରହି ଯାଇଥିବା ପ୍ଲାନ । କିନ୍ତୁ ଓଃ…ଏ ଶୀତ…. କିଏ ବାହାରିବ ଏ ଶୀତରେ…ଘରେ ରେଜେଇ, କମ୍ବଳ ଘୋଡ଼ି ହୋଇ ଶୋଇବାରେ ଲାଭ ଅଛି….

ହଠାତ ମାତ୍ର ଦୁଇଦିନ ପାଇଁ ଶୀତ ଛାଡ଼ିଯାଏ ଓ ମାତ୍ର ଦୁଇ ଘଣ୍ଟାରେ ହୋଇଯାଏ ପ୍ଲାନ । ଶେଷଥର ପାଇଁ ପଚରାଯାଏ କିଏ ଯିବେ କି ନଯିବେ । ଯାହାହେଉ ମେମ୍ବର ପୁଣି ବଢ଼ି ବଢ଼ି ଦଶରେ ପହଞ୍ଚନ୍ତି, ପୁଅ ଛଅ ଜଣ ଝିଅ ଚାରି ଜଣ । ଶୁକ୍ରବାର, (ଫେବୃଆରୀ ୮ ତାରିଖ) ସନ୍ଧ୍ୟା ଛଅଟା ପଇଁଚାଳିସରେ ବସ, ସ୍ଲିପର । ପହଁଚିବୁ ରାତି ୩.୩୦ରେ ଜୁନାଗଡ଼ । ହୋଟେଲରେ ନିତ୍ୟକର୍ମ ସାରି ଭୋର ୪.୩୦ରୁ ଆରମ୍ଭ ହେବ ପାହାଡ଼ ଚଢ଼ା, ଫେରିବୁ ଦିନ ଚାରିଟା ସୁଦ୍ଧା । ପୁଣି ସନ୍ଧ୍ୟା ୫.୩୦ରେ ବସ ଧରିବୁ ଗାନ୍ଧିନଗରକୁ ।

କେଜାଣି କାହିଁକି ଟିକେ ସଂଶୟ ଲାଗୁଥାଏ । ଏତେ କମ ସମୟ, ଚଢ଼ିପାରିବୁ କି ନାହିଁ, ଯଦି ଚଢ଼ିଲା ପରେ ସମୟ ନ ଅଣ୍ଟିଲା ତେବେ? ଫେରିବା ପାଇଁ ତ ସେଇ ସମାନ ରାସ୍ତା । ନିଜେ ହିଁ ଓଲ୍ଲେହିବ । ଗାଡ଼ି ଘୋଡ଼ା ତ ନାହିଁ ଯେ ପଳେଇ ଆସିବ । ଅନ୍ୟ ଏକ ପ୍ଲାନ ବି କାହିଁକି ଠିକ ଲାଗୁ ନଥାଏ, ପାହାଡ଼ରୁ ଓଲ୍ଲେହି ସାରିଲା ପରେ ସେଦିନ ହୋଟେଲରେ ରହି ପରଦିନ ଫେରିବା । କିନ୍ତୁ ପାହାଡଚଢ଼ାରୁ ଫେରି ଗୋଟେ ଦିନ ଶୋଇଲା ପରେ ପରଦିନ ଯେ ଚାଲିବାକୁ ଅବସ୍ଥା ଥିବ, ସେ ବି ସନ୍ଦେହ । ତେବେ?? ଭଗବାନ ଭରସା…..

ଏଠିକାର ଲୋକମାନେ ଗୁରୁ ଦତ୍ତାତ୍ରେୟଙ୍କୁ ବହୁତ ମାନନ୍ତି । କୁହନ୍ତି ଯଦି ଭଗବାନଙ୍କ ଡୋରି ନ ଲାଗିଛି ତେବେ ତୁମେ ଯାଇ ହିଁ ପାରିବନି । ତେବେ? ଯଦି ଡୋରି ଲାଗିଛି, ସେ ହିଁ ବୁଝିବେ । ତଥାପି….ତେବେ ଭଗବାନଙ୍କ ଇଛା ଉପରେ କେବେ ସନ୍ଦେହ କରିବା କଥା ନୁହେଁ । ତାଙ୍କ ଉପରେ ଛାଡ଼ିଦେଲେ ସେ ହିଁ ବୁଝିବେ ଏକଥା ମୁଁ ନିଶ୍ଚେ ଅଙ୍ଗେ ନିଭେଇଛି ଏଥର ।

ବସ ଖୋଜୁ ଖୋଜୁ ଯିବା ପାଇଁ ୬.୪୫ର ବସ ତ ମିଳିଗଲା, କିନ୍ତୁ ଫେରିବାର ସବୁ ବସ ଫୁଲ୍ । ଫେରିବା ପାଇଁ ରାତି ୯.୫୦ ବସରେ ସିଟ୍ ମିଳିଲା । “କ’ଣ କରିବା? ଗୋଟେ ଦିନ ରହି ପରଦିନ ଫେରିବା ନା ସେହିଦିନ ରାତିରେ?” ତେବେ ସର୍ବ ସମ୍ମତି କ୍ରମେ ରାତି ୯.୫୦ ବସ ହିଁ ଫାଇନାଲ ହେଲା ଫେରିବା ପାଇଁ । (ଆଗକୁ ପଢ଼ିବେ, ଏଇଟା ହିଁ ଭଗବାଙ୍କ ଇଛା ଥିଲା) ଆଉ ଟିକେଟ କଟା ବି ସରିଗଲା । ଗୁରୁବାର ସନ୍ଧ୍ୟାରେ ଅଫିସରୁ ଫେରିଲା ପରେ ଫୋନ ଉପରେ ଫୋନ, କ’ଣ ନିଆହେବ? ପ୍ୟାକିଙ୍ଗରେ କ’ଣ କ’ଣ ରହିବ? ଡ୍ରେସ କେତେଖଣ୍ଡ? ବାକି ଆଉ କ’ଣ? ଓଃ……

ବୁଲିଯିବା ଆଗରୁ ସେହି ଜାଗା ବିଷୟରେ ତନାଘନା କରିବା, ମୋର ଗୋଟେ ବହୁତ ବଡ଼ ଖରାପ ଅଭ୍ୟାସ । ସେଥିପାଇଁ ସବୁବେଳେ ମୁଁ ଟିକେ ଅଧିକ ଯତ୍ନବାନ ରହେ । କେତେବାଟ? କେମିତି ଯିବ? ଗୋଟେ ଜାଗାରୁ ଅନ୍ୟ ଜାଗା କେତେବାଟ? କ’ଣ କ’ଣ ସବୁ ଦେଖିବାର ଅଛି? କେଉଁଟା ଭଲ? କେଉଁଟା ଜଷ୍ଟ ସେମିତି? ଯଦି କାର ନମିଳେ, ଅଟୋ ଯାଉଛି କି ନାହିଁ? ଏମିତି ସବୁ । ଏ ସବୁରେ ବେଷ୍ଟ ହେଲା ଆଗରୁ ବୁଲି ଯାଇଥିବା ଲୋକଙ୍କର ମତାମତ ବା ରିଭ୍ୟୁ ପଢ଼ି ଜାଣିବା । ସେମାନେ ସବୁ ବିଷୟରେ ଲେଖିଥାନ୍ତି ।

ଆଗରୁ ଗିରନାର ଚଢ଼ିଥିବା ଲୋକଙ୍କର ମତାମତ ପଢ଼ିବା ପରେ ମୁଁ ଆଗୁଆ କିଛି ଲିଷ୍ଟ ତିଆରି କରିଥିଲି, କ’ଣ କ’ଣ ଅତି ଦରକାରୀ ଜିନିଷ ଆଉ କ’ଣ କ’ଣ ନେବା ଦରକାର ନାହିଁ ।
ଦରକାରୀ ଜିନିଷ ଭିତରେ ଟର୍ଚ୍ଚ, ମେଡ଼ିସିନ, ଗୋଟେ ପାଣି ବୋତଲ, ଲାଠି, କିଛି ଶୁଖିଲା ଖାଦ୍ୟ, moov ସ୍ପ୍ରେ, ଭଲ ଆରାମ ଦାୟକ ଜୋତା (ଯାହା ସବୁ ଯିବ ପାହାଡ଼ ଚଢ଼ିଲା ବେଳେ) ଆଉ ଗୋଟେ ଯୋଡ଼ି ଡ୍ରେସ, ରାତିରେ ବସପାଇଁ କମ୍ବଳ, ଗାମୁଛା ଆଉ ଯାହାର ଯାହା ଅତି ଦରକାରୀ ଜିନିଷ । ମତାମତରୁ ପଢ଼ିଥିଲି ପାହାଡ ଉପରେ ଖାଇବା, ପାଣି ବୋତଲ ସବୁ ମିଳିବ, ତେଣୁ ଅଯଥା ସେସବୁ ବୋହିକି ନେବା ଅପେକ୍ଷା ବରଂ ଖାଲି ଖାଲିରେ ଗଲେ ଅଧିକ ବାଟ ଯାଇ ପାରିବ ତେଣୁ….

ଆସିଗଲା ଶୁକ୍ରବାର, ସକାଳୁ ଉଠୁ ଉଠୁ ମୁଣ୍ଡଟା କାହିଁକି କେଜାଣି ଟିକେ ବୁଲେଇ ଦେଲା । ଅଳ୍ପ ସମୟ ଖଟ ଉପରେ ବସି ତଳକୁ ଓଲ୍ଲେହିଲା ପରେ ଆରମ୍ଭ ହୋଇଗଲା ବାନ୍ତି । କାହିଁକି? କେଜାଣି…ରାତିରେ ତ ସେମିତି କିଛି ଖାଇନି, ତେବେ? ଯିବାରର ଟେନସନ ବୋଧେ । ଦଶ ଜଣଙ୍କ ଭିତରେ ମୁଁ ଥିଲି ସବୁଠୁ ବଡ଼, ପୁଣି ଟିମ୍ ଲିଡର୍, ସାଙ୍ଗରେ ଝିଅମାନେ ବି ଅଛନ୍ତି ତେଣୁ ଚିନ୍ତା ହେବା ସ୍ବାଭାବିକ । ଆଗରୁ ବି ଆମେ ସମସ୍ତେ ମିଶି କି ଯାଉ ବୁଲିବାକୁ । କିନ୍ତୁ ସବୁଥର କିଛି ସାଙ୍ଗମାନଙ୍କ ସହ ସେମାନଙ୍କ ସ୍ତ୍ରୀ ଓ ଛୁଆସବୁ ଥାନ୍ତି । ଏଥର ସ୍ତ୍ରୀମାନେ ଯିବାକୁ ମନା କଲେ (ଦଶହଜାର ପାହାଚ ଚଢ଼ି ପାରିବେନି ବୋଲି) ତେଣୁ ସ୍ବାମୀମାନେ ବି ରହିଲେ ଘରେ ☺☺ । ଯେଉଁମାନେ ଯିବାକୁ ବାହାରିଲେ ସେମାନେ ସବୁ ୨୨, ୨୪, ୨୬ ବର୍ଷର ପିଲା (ମୁଁ ସେମାନଙ୍କ ଭିତରେ ସବୁଠୁ ବୁଢ଼ା) । ପୁଣି ଝିଅମାନେ ବି ଅଛନ୍ତି । ଏବେ ଆଉ ଯାଏ କୁଆଡ଼େ? ଟେନସନ ହେବ ହିଁ ହେବ । ତଥାପି ନିଜକୁ ସମ୍ଭାଳି, ନିତ୍ୟକର୍ମ ସାରି ଅଫିସ ଗଲି । ଅଫିସରେ ବି ନର୍ମାଲ ରହିଲି, ତଥାପି ମଝିରେ ମଝିରେ ମୁଣ୍ଡ ଟିକେ ଟିକେ ବୁଲେଇ ଦେଉଥାଏ, କାହାକୁ କିଛି ଜାଣିବାକୁ ଦେଉନଥିଲେ ବି କାଳେ କିଏ ଜାଣିବ ବୋଲି ସତର୍କ ରହିବାକୁ ପଡ଼ୁଥାଏ । ପାଞ୍ଚଟା ବାଜିବା ମାତ୍ରେ ସମସ୍ତେ ବାହାରିଲେ ଘରକୁ ଯାଇ ପ୍ୟାକିଙ୍ଗ ବ୍ୟାଗ ଧରି ବସ ଷ୍ଟାଣ୍ଡରେ ପହଞ୍ଚିବେ ବୋଲି । ମୁଁ ବି ବାହାରିଲି । ହେଲେ ଘରକୁ ନୁହେଁ, ଡାକ୍ତର ପାଖକୁ । ଡାକ୍ତର ପରୀକ୍ଷା କରି କହିଲେ କି ରକ୍ତରାପ ବଢ଼ିଯାଇଛି, କିନ୍ତୁ ଆଉ ଥରେ ଦି ଥର ପରୀକ୍ଷା କଲାପରେ କହିଲେ, “ସବୁବେଳେ ଯଦି ଏମିତି ରୁହେ ତେବେ ରେଗୁଲାର ମେଡ଼ିସିନ ଖାଇବାକୁ ପଡ଼ିବ । ନଚେତ ସମସାମୟିକ ଭାବେ ବେଳେ ବେଳେ BP ଅଧିକ ହୋଇଯାଏ । କୌଣସି ଟେନସନ, ପ୍ରେସର ଅଧିକ ରହିଲେ ବଢ଼ିଯାଏ, ପୁଣି କିଛି ସମୟ ପରେ କମିଯାଏ । ତେଣୁ ଦି ଦି’ଦିନ ଛାଡ଼ି ପରୀକ୍ଷା କର ତା’ପରେ ଯଦି ଦରକାର ହୁଏ ମେଡ଼ିସିନ ଦେବି ।”

ଏବେ କ’ଣ କରିବି? ମୁଣ୍ଡ ବୁଲାଉଛି, ଘଣ୍ଟେ ପରେ ଗିରନାର ଯିବି ଚଢ଼ିବାକୁ । ଆଉ ସମୟ ନାହିଁ କାହାକୁ କିଛି ଜଣେଇବାକୁ, ଯଦି କହେ ସେମାନଙ୍କ ଇଛା ବି ମରି ଯାଇପାରେ । ତେବେ? ଡାକ୍ତର କହିଲେ, “ଠିକ ଅଛି, ଏଇ ମେଡ଼ିସିନ ଆଜି ଖାଇଦିଅ ଏବେ । କାଲି ସକାଳୁ ଯଦି ମୁଣ୍ଡ ବୁଲେଇଲା ତେବେ ଆଉ ଗୋଟେ ନେବ । ସୋମବାର ଆସି ମୋତେ ପୁଣି ଦେଖା କରିବ”….ok… ok…. ସେଇଠି ମେଡ଼ିସିନ ଖାଇ ଘରକୁ ଆସିଲି ।

ଘରେ ପହଞ୍ଚି ବ୍ୟାଗ ଧରି ବସ ଷ୍ଟାଣ୍ଡ ପହଞ୍ଚିଲା ବେଳକୁ ଦି’ଜଣ ମୋତେ ଖୋଜୁଛନ୍ତି, ଆଉ ବାକି ସବୁ ବସରେ ବସି ଯିବାପାଇଁ ପ୍ରସ୍ତୁତ । ବସରେ ଯାଇ ବସିଲି । ନିର୍ଦ୍ଧାରିତ ସମୟରେ ବସ ଛାଡ଼ିଲା । ଏବେ ଶୋଇବା ବ୍ୟତୀତ ଆଉ କିଛି କାମ ନଥିଲା । ରାତିରେ ବସ କୌଣସି ହୋଟେଲରେ ରଖିଲେ ଖାଇବା ଚିନ୍ତା… ସେବେଯାଏଁ ଜୟ ଜଗନ୍ନାଥ….

ରାତିରେ ଖାଇ ପିଇ, ରାତି ୩.୩୦ରେ ପହଞ୍ଚିଲୁ “ଜୁନାଗଡ଼” । ଗୁଜରାଟି ଭାଷାରେ “ଜୁନା” ଅର୍ଥ ପୁରୁଣା, ଗଡ଼ ମାନେ ଗଡ଼ (ରାଜାରାଜୁଡ଼ାଙ୍କ ଗଡ଼) । ବସଷ୍ଟାଣ୍ଡ ପାଖରେ ହୋଟେଲଟିଏ ବୁଝି, ନିଜର ନିତ୍ୟ କର୍ମ ସାରି, ଗରମ ପାଣିରେ ଗାଧୋଇ, ପାଖରେ ଥିବା ବିସ୍କୁଟ, ମିକ୍ସଚର, କୁରକୁରେ ଖାଇ ଅତି ଦରକାରୀ ଜିନିଷ ବ୍ୟତୀତ ବାକି ସବୁ ହୋଟେଲ ଲକରରେ ରଖି ବାହାରିଲୁ ଗିରନାରର ତଲେଟିକୁ (ପାହାଡ଼ର ପାଦଦେଶ)……

ଭୋର ୪.୩୫ । ଲୋକ ସବୁ ଆସ୍ତେ ଆସ୍ତେ ଆସିବାକୁ ଲାଗିଥାନ୍ତି । ବହୁତ ଲୋକ ଚଢ଼ିବା ଆରମ୍ଭ କଲେଣି । ଆହୁରି କିଛି ନିଜ ନିଜ ଜିନିଷ କିଣୁଥାନ୍ତି ଦୋକାନରୁ । ଏଠି ଚବିଶ ଘଣ୍ଟା ଗହଳି ଚହଳି । ସବୁ ସମୟରେ ଲୋକ ଚଢ଼ନ୍ତି । ଖରା, ବର୍ଷା, ଶୀତ, ଦିନରାତି, ସବୁ ସମୟରେ । କିନ୍ତୁ ଶୀତଦିନେ ଚଢ଼ିବା ଭଲ । ଖରାକୁ ଡର ନଥାଏ କି ବର୍ଷାରେ ଗୋଡ଼ ଖସିବାର ଭୟ ନଥାଏ । ସେଥିପାଇଁ ଶୀତଦିନେ ଅଧିକ ଲୋକ ଆସନ୍ତି । ପାଣିପାଗ ବି ଭଲ ଥାଏ । ଆମେ ସବୁ ଦୋକାନରୁ ଲାଠି (ବାଉଁଶ ବାଡ଼ି) ଖଣ୍ଡେ ଖଣ୍ଡେ ଦଶ ଟଙ୍କା ଭଡ଼ାରେ ଆଣି ଚଢ଼ିବା ଆରମ୍ଭ କଲୁ । ଦୋକାନୀ ପ୍ରତି ଲାଠି ତିରିଶ ଟଙ୍କା ହିସାବରେ ରଖିବ, ଲାଠି ଫେରେଇଲେ ଦଶ ଟଙ୍କା କାଟି କୋଡ଼ିଏ ଟଙ୍କା ଫେରେଇବ । ଯେତେଜଣ ଯାଇଥିଲୁ ଆଗରୁ କେହି ବି ଗିରନାର ଚଢ଼ି ନଥାନ୍ତି, ତେଣୁ ପୂର୍ବରୁ ମତାମତ ପଢ଼ି କିଛି ଜାଣିଥିବା ଲୋକ ହେଲି ମୁଁ, ସବୁଠୁ ଜ୍ଞାନୀ ସେମାନଙ୍କ ଭିତରେ । ସମସ୍ତଙ୍କୁ ବାଧ୍ୟ କରି ଲାଠି ଗୋଟେ ଗୋଟେ ଧରେଇଲି । ଆରମ୍ଭ କଲୁ ଚଢ଼ିବା । ଭୋର ୪.୪୫ରେ ।

ହସଖୁସି, ଥଟ୍ଟାମଜା ଭିତରେ ଉତ୍ସାହ ଅଧିକା ଥାଏ । କେହି କେହି ପାହାଚ ପରେ ପାହାଚ ଦୌଡ଼ିବା ଆରମ୍ଭ କଲେ । ଡାକ ଛାଡି ଏକାଠି କଲି ସମସ୍ତଙ୍କୁ । କହିଲି, “slow and steady win the race । ଦୌଡ଼ିଲେ ଅଧିକ ବାଟ ଯାଇ ପାରିବା ନାହିଁ । କାହା ସହ ଆମେ ପ୍ରତିଯୋଗୀତା କରୁନେ । ଆସ୍ତେ ଆସ୍ତେ ଚାଲ, ଆମକୁ ଦଶହଜାର ପାହାଚ ଚଢ଼ିବାର ଅଛି । ତେଣୁ ଆସ୍ତେ । ଅନ୍ଧାର ଅଳ୍ପ ଅଳ୍ପ ଅଛି । ଷ୍ଟ୍ରୀଟ୍ ଲାଇଟ ଲାଗିଛି ତଥାପି କିଛି ଜାଗା ଅନ୍ଧାର, ତେଣୁ ହାତରେ ଟର୍ଚ୍ଚ ଧରି, ଦରକାର ବେଳେ ବ୍ୟବହାର କରି, ନିଜ ନିଜ ସକ୍ଷମ ଅନୁସାରେ ଚାଲ । ଦରକାର ପଡ଼ିଲେ ଆଉ ଜଣଙ୍କ ପାଇଁ ଅଳ୍ପ ସମୟ ଅପେକ୍ଷା କର । କଥା ବାର୍ତ୍ତା ହେଇ ଚାଲ ଯେ କଷ୍ଟ ଜଣା ପଡ଼ିବ ନାହିଁ, ନଚେତ ମୋତେ ଦୋଷ ଦେବନାହିଁ…. ଏବେ ଚାଲ….”

ପାଞ୍ଚଶହ ପାହାଚ ଅତିକ୍ରମ କଲା ବେଳକୁ, ଯେଉଁମାନେ ଅଧିକ ପାୱାର ଅଛି ବୋଲି ଦେଖେଇ ହେଉଥିଲେ ସେମାନେ ଫୁସ… “ନା, ଆଉ ଯାଇ ହେବନି…. ରହିବା ଟିକେ ।” “ଠିକ ଅଛି, ମାତ୍ର ପାଞ୍ଚ ମିନିଟ, ଅଧିକ ସମୟ ରହିଲେ ପୁଣି ଚାଲି ପାରିବାନି । ଢୋକେ ପାଣି ପିଅ, ଯେତେବେଳେ ଶୋଷ ହେବ, ଢୋକେରୁ ଅଧିକ ପାଣି ପିଇବା ନାହିଁ । ଆଉ ଅଳ୍ପ ସମୟ ଯାଉ, ହଜାରେ ପାହାଚ ଚଢ଼ୋ ସାରିଲା ପରେ ଅଳ୍ପ ଜଳଖିଆ ଖାଇ, ଢୋକେ ପାଣି ପିଇ ପୁଣି ଚଢ଼ିବା ।”

ଆସ୍ତେ ଆସ୍ତେ ହସଖୁସି, ମଜା ମଜଲିସରେ ତିରିଶ ସେକେଣ୍ଡ, ଗୋଟେ ମିନିଟ, ଦୁଇ ମିନିଟ ଜଣେ ଅନ୍ୟ ଜଣଙ୍କୁ ଅପେକ୍ଷା କରି, ବିଶ୍ରାମ ନେଇ ପହଞ୍ଚିଗଲୁ ନଅଶହ ପାହାଚ । କାହା ଦେହରେ ଆଉ ଜୀବନ ନାହିଁ । ମୁଁ ବି ଭାବିଲି ଏତିକି ବୋଧେ । ହଉ, ଦେଖା ଯାଉ । ଆଳୁଚିପସ୍, ଗୋଟେ ତିରିଶ ଟଙ୍କିଆ ପ୍ୟାକେଟକୁ ଦଶ ଜଣ, ଢୋକେ ପାଣି, ପାଞ୍ଚ ମିନିଟର ବିଶ୍ରାମ । ପୁଣି ଚାଲ, ୯୦୧, ୯୦୨, ୯୦୩….୧୦୦୦ । ମଝିରେ ମଝିରେ ଜଣେ ଅନ୍ୟ ଜଣଙ୍କୁ ଅପେକ୍ଷା ବାହାନାରେ ତିରିଶ ସେକେଣ୍ଡ, ଗୋଟେ ମିନିଟର ବିଶ୍ରାମ….. ସେତିକି ହିଁ ଯଥେଷ୍ଟ….. ୧୦୦୧ , ୧୦୦୨ , ୧୦୦୩ … ୧୫୦୦ …. ବାସ, ରହିବା ଏବେ ।

ଆଜିର ପିଲା ମାନଙ୍କୁ selfie, ଫୋଟୋ କଥା କହିଲେ ଶତ ସିଂହର ବଳ ଆସିଯାଏ ସେମାନଙ୍କ ଦେହରେ । ମୋଟରୁ ଚାଲିବାକୁ ଅକ୍ଷମ, ସମାନ ପଥର ଖଣ୍ଡେ ଦେଖିଲେ କ୍ଷଣେ ବସି ଯିବାପାଇଁ ବାହାନା ଖୋଜୁଥିବା ପିଲା ୧୫୦୦ ପାହାଚ ପରେ ତଳେ ଦେଖାଯାଉଥିବା ଜୁନାଗଡ଼ ସହରର ଲାଇଟ ସହ ଫୋଟୋ ଉଠେଇବା ପାଇଁ ଡେଇଁ ପଡ଼ିଲେ । ଖଚାଖଚ ଫୋଟୋ ଉଠା ଚାଲିଲା । ଭିନ୍ନ ଭିନ୍ନ ପୋଜରେ, ଭିନ୍ନ ଭିନ୍ନ ଭଙ୍ଗୀରେ । ପନ୍ଦର ମିନିଟ ଶେଷ । ଏବେ ପୁଣି ଆଉ ୮୫୦୦ ବାକି ଅଛି ଯେ…. ସମୟ ସକାଳ ୬.୧୫, ତଥାପି ଅନ୍ଧାର ଥାଏ…… ଅଳ୍ପ କିଛି ଫୋଟୋ ଉଠେଇ ପୁଣି ଚାଲିଲୁ । ପଶ୍ଚିମ ପଟେ ପୂର୍ବ ଅପେକ୍ଷା ପ୍ରାୟ ଦୁଇଘଣ୍ଟା ବିଳମ୍ବରେ ସୂର୍ଯ୍ୟ ଉଦୟ ହୁଏ ଓ ଦୁଇ ଘଣ୍ଟା ବିଳମ୍ବରେ ଅସ୍ତ ଯାଏ । ସୂର୍ଯ୍ୟ ଉଦୟ ହେବାକୁ ଆଉ ଅଳ୍ପ ସମୟ । ଆକାଶରେ ସିନ୍ଦୁରା ଫାଟି ଟିକେ ଟିକେ ଫରଚା ହୋଇ ଆସିଲାଣି । କେତେ ପାହାଚ ଚଢ଼ିଲୁଣି କିଛି ହିସାବ ନାହିଁ । ମଝିରେ ମଝିରେ ଲେଖା ହୋଇଥାଏ ବୋଲି ପଢ଼ିଥିଲି କିନ୍ତୁ ସବୁ ଜାଗାରେ ନୁହେଁ, ତେଣୁ ଜାଣିବା ଅସମ୍ଭବ । ଚାଲୁ, ଦେଖାଯାଉ ଯେଉଁ ଯାଏଁ ଯାଇହେବ । ପିଲାଙ୍କୁ କହିଲି, ଉପରକୁ ଚାଲ, ସୂର୍ଯ୍ୟ ଉଦୟ ଦେଖିବା । ଶୀଘ୍ର ଚଢ଼ । ପିଲା ବି ଅଳ୍ପ ଜୋଶରେ ଆଗକୁ ମାଡ଼ି ଚାଲିଥାନ୍ତି । କିନ୍ତୁ କାହିଁ? ସୂର୍ଯ୍ୟ ତ ଦିଶୁ ନାହାନ୍ତି । ଯେତେ ଉପରକୁ ଗଲେ ବି ଦେଖାଯାଉ ନଥାନ୍ତି । ପାହାଡ଼ର ପଶ୍ଚିମ ପଟେ ଥାଇ ସୂର୍ଯ୍ୟ ଦେଖିବାକୁ ମନ କଲେ କେମିତି ହେବ? ସୂର୍ଯ୍ୟ, ମଝିରେ ପାହାଡ଼, ପଛରେ ଆମେ । ହତାଶ ହେବାକୁ ପଡ଼ିଲା । ତେବେ ଟିମ ଲିଡର ହିସାବରେ ଖରାପରୁ ବି ଭଲ ବାଛି ଟିମକୁ ଆଗକୁ ନେବା ମୋ କାମ ବୋଲି ଜାଣିଛି । ତେଣୁ ମଝିରେ କହି ଉଠିଲି, “ସୂର୍ଯ୍ୟ ନ ଦେଖିଲେ ନାହିଁ, ସେ ହାୱାରେ ଆମେ କିଛି ନହେଲେ ବି ହଜାରେ ଉପରେ ପାହାଚ ଅତିକ୍ରମ କରିଗଲେ ।” ମନକୁ ନ ପାଇଲେ ବି ବେଳେବେଳେ ନିଜକୁ ବୁଝେଇବାକୁ ପଡ଼େ । ସେମାନେ ବି ମୁଣ୍ଡ ଟୁଙ୍ଗାରି ନିଜ ନିଜ ସମ୍ମତି ପ୍ରଦାନ କଲେ । ପୁଣି ଚାଲିଲୁ । ଚାଲିଲା ବେଳେ ଗରମ ଲାଗିବା ଯୋଗୁଁ, ଜଣେ ପରେ ଜଣେ ସ୍ୱେଟର, ଜ୍ୟାକେଟ ଖୋଲି ଅଣ୍ଟାରେ ବାନ୍ଧିବା ଆରମ୍ଭ କଲେ । ଅଳ୍ପ ଥଣ୍ଡା, ଅଳ୍ପ ଗରମରେ ଚାଲିଲୁ ଆଗକୁ ଆଗକୁ ।

ସମୟ ପ୍ରାୟ ଆଠଟା । ସୂର୍ଯ୍ୟ ଅଳ୍ପ ଅଳ୍ପ ଦେଖାଗଲେ । ୩୫୦୦ ପାହାଚ ଅତିକ୍ରମ କରି ସାରିଲୁଣି ବୋଲି କାନ୍ଥରେ ଲେଖା ଯାଇଥିବା ଦେଖିବାକୁ ମିଳିଲା । ବହୁତ ଲୋକ ଆମକୁ ଅତିକ୍ରମ କରି ଆଗକୁ ଚାଲି ଯାଉଥାନ୍ତି । ପୁଣି ସେମାନେ ଟିକେ ବିଶ୍ରାମ ନେଲାବେଳେ ଆମେ ଆଗରେ । ଏମିତି ଆଗ ପଛର ଖେଳ ଭିତରେ କିଏ କିଏ ବହୁତ ଆଗକୁ ଚାଲିଯାଉଥାନ୍ତି ତ କିଏ କିଏ ପଛରେ ପଛରେ ରହି ଯାଉଥାନ୍ତି । ବର୍ଷେ ଦୁଇବର୍ଷ ପିଲାଙ୍କଠାରୁ ଆରମ୍ଭକରି ସତୁରି, ପଞ୍ଚସ୍ତରୀ ବର୍ଷର ବୁଢାବୁଢ଼ୀମାନେ ବି ଚାଲୁ ଥାଆନ୍ତି । କିଏ ବାପା କି କାକାର କାନ୍ଧରେ ବସି ତ କିଏ ଭାରୁଆର (ଛୋଟ ପିଲା ଓ ଜିନିଷ ପତ୍ର ବୋହି ନେବା ପାଇଁ ଭାରୁଆ ମିଳନ୍ତି ଏଠି) କାନ୍ଧରେ । କେହି କେହି ବୁଢାବୁଢ଼ୀ ଦୋଳାରେ ବସି ଯାଉଥାନ୍ତି । ଯେଉଁ ମାନେ ଚାଲି ନ ପାରିବେ, ସେମାନଙ୍କ ପାଇଁ ଦୋଳାର ବ୍ୟବସ୍ଥା ଅଛି । ଜଣେ ମଣିଷର ଓଜନକୁ ନେଇ ଭଡ଼ା ଫାଇନାଲ ହୁଏ । ଦୁଇଜଣ ଲୋକ ସେ ଲୋକଟିକୁ ଦୋଳାରେ ବସେଇ ବୋହି ନେଇ ଯାଆନ୍ତି, ପୁଣି ତଳକୁ ଆଣନ୍ତି । ଲୋକର ଓଜନ ଅନୁସାରେ ୧୨୦୦୦ ରୁ ୨୫୦୦୦ ଯାଏଁ ଦର ଛିଣ୍ଡେ । ତଳୁ ଉପର ଯାଏଁ, ପୁଣି ଉପରୁ ତଳଯାଏଁ ସେମାନେ ଗୋଟେ ଭଡ଼ା ନିଅନ୍ତି) । ସମସ୍ତଙ୍କୁ ଦେଖି ଦେଖି, ନିଜ ବାଟରେ ନିଜେ ଚାଲିଥାଉ । ଅଣଓସାରିଆ ପାହାଚଗୁଡିକରେ ଲୋକଙ୍କୁ ଅତିକ୍ରମ କରି ଆଗକୁ ଯିବାକୁ ଜାଗା କମ୍ ପଡ଼ୁଥାଏ । କେହି କେହି ପଛେଇ ଗଲେ କିମ୍ବା ଆସ୍ତେ ଆସ୍ତେ ଚାଲିଲେ, ନିଜ ବେଗ ବି କମ କରିବାକୁ ପଡ଼ୁଥାଏ । ତେଣୁ ଅତି ଗହଳିରେ ବିଶ୍ରାମ ନେଇ ଲୋକ ଖାଲି ଥିଲାବେଳେ ଚାଲିବାକୁ କହିଲି ପିଲାଙ୍କୁ । ନଚେତ କାହା ପଛେ ପଛେ ଗଲେ ସେ ଯଦି ପଛେଇ ଗଲା, ନିଜର ବଳ ଖର୍ଚ୍ଚ ହେବ ସିନା ଆଗକୁ ଯାଇ ହେବନାହିଁ । ତଥାପି ୧୫୦୦ ରୁ ୩୫୦୦ ପର୍ଯ୍ୟନ୍ତ ପାହାଚ ଟିକେ ଅଧିକ କ୍ଳିଷ୍ଟ ଥିଲା । ଉପରକୁ ଉଠିବା ବେଳେ ଗୋଡ଼ କାଟୁଥାଏ । ତେଣୁ ଅଳ୍ପ ବାଟ ଯାଇ ଟିକେ ବିଶ୍ରାମ ନେଇ ପୁଣି ଉପରକୁ ଉଠୁଥାଉ ।

୪୫୦୦ ପାହାଚରେ ଜୈନ ମନ୍ଦିର, ଆଉ ମାତ୍ର ୧୦୦୦ ପାହାଚ, ଆମେ ୩୫୦୦ ଅତିକ୍ରମ କରି ସାରିଲେଣି, କ’ଣ ପହଞ୍ଚି ପାରିବା ନି??….. ଟିକେ ଅଧିକ ଉତ୍ସଛୁକତାର ସହ କହିଲି । ସମସ୍ତେ ମୋତେ ଏମିତି ଦେଖିଲେ ଯେମିତି ଅଫିସରେ ବସି ମୁଁ ଫେସବୁକରେ ଗପ ପଢ଼ୁଛି ଆଉ ସେମାନଙ୍କୁ ଆଠ ଘଣ୍ଟାର କାମ ମାତ୍ର ଦୁଇ ଘଣ୍ଟାରେ ସାରିବାକୁ କହୁଛି । ଓଃ…ମୁହଁ ବୁଲେଇ ଆଗକୁ ଯିବାରେ ମନ ଦେଲି….

ପିଲାଙ୍କ ମନର ଅବସ୍ଥା ବୁଝିବାକୁ ବାକି ନଥିଲା । ୩୭୦୦ ପାଖାପାଖି ପାହାଚ ଅତିକ୍ରମ କରି ସାରିଲୁଣି । ହଠାତ ଦେଖିଲି ଦୋକାନୀ ଭାଇଟିଏ ଦୋକାନ ଖୋଲି ଚାହା ତିଆରି କରିବାକୁ ବାସନ ଧୋଉଛି । ଦୋକାନ ଆଗରେ ଗୋଟେ ଖାଲି ଜାଗା ସହ ବସିବା ପାଇଁ ପିଣ୍ଡିଟିଏ କରାଯାଇଛି । ଦୋକାନୀ ଭାଇକୁ ପଚାରିଲି,”କ’ଣ ଚାହା ତିଆରି କରିବ? କେତେ ଟଙ୍କା?”

– ହଁ, ତିଆରି କରିବି । ହାଫ୍‌କୁ ଦଶ ଟଙ୍କା ।
– ହଉତେବେ, ତିଆରି କର, ଆମେ ବସିଛୁ ଏଠି ।

ସମସ୍ତଙ୍କୁ ଏଇଠି ରହି ଚାହା ପିଇବା ବୋଲି ଯେମିତି କହିଛି, ପିଣ୍ଡି ଉପରେ ଅଧା ଶୁଆ ଭାବେ ଗଡ଼ିଗଲେ ସମସ୍ତେ । ମଣିଷକୁ ବାଧା ଲାଗିଲା ବେଳେ ତୁଚ୍ଛା ମାଟି ପିଣ୍ଡି ବି ତୁଳିତଳ୍ପ ଶେଜଠାରୁ ମୂଲ୍ୟବାନ ଲାଗେ । କି ଝିଅ, କି ପୁଅ, କିଛି ବାଛବିଚାର ନାହିଁ । ଅଛି ତ କେବଳ ଅବଶ ଦେହଟିକୁ ମାତ୍ର ପାଞ୍ଚ ମିନିଟ ପାଇଁ ଗଡେଇ ଦେବାର ଇଚ୍ଛା । ପୁଣି ବାଜିବ ଟିମ ଲିଡରର ହଣ୍ଟର, “ଭାଗୋ, ଲାଇଫ ଇଜ ଏ ରେସ”…. ପ୍ରାୟ ଦଶ ମିନିଟ ପରେ ଦୋକାନୀ ଭାଇ ମନଜାଣି ସମସ୍ତଙ୍କ ପାଇଁ କଡା ଚାହା ଆଣି ଆସିଲା । ସମସ୍ତେ ନିଜ ନିଜ “ସୁପର ପାୱାର ନାପ”ରୁ ଉଠି, ଢୋକେ ଲେଖାଏଁ ପାଣି ପିଇ, ଚାହାକୁ ଏମିତି ପିଇ ଗଲେ ଯେମିତି ବୋଧହୁଏ ପ୍ରାୟ ମାସେ ହେଲା ଚାହା ପିଇ ନାହାନ୍ତି । (ମୁଁ ଏତେ କଥା କହୁଛି କାରଣ ଦୋକାନୀ ହିସାବ କରି ନ ପାରି ମାତ୍ର ନଅଟି ଚାହା ଆଣିଥିଲା ଆଉ ମୁଁ ଚାହା ପିଆରୁ ବଞ୍ଚିତ ଥିଲି, ସେ ପୁନର୍ବାର ଦୋକାନକୁ ଫେରି ଚାହା ଛାଣି ନ ଆଣିବା ଯାଏଁ) । ଚାହା ଦୋକାନୀ ଆଉ ଥରେ ଚାହା ଆଣିବାକୁ ଗଲା, ଆଉ ଗୋଟେ.. ଆଉ ଗୋଟେ.. ଆଉ ଗୋଟେ ହୋଇ, ପୁଣି ତାକୁ ଚାହା ଆଣିବାକୁ ପଡ଼ିଲା ସମସ୍ତଙ୍କ ପାଇଁ ଏଥର କିନ୍ତୁ ଏଗାରଟି (ମୁଁ ବି ଦି’ଟା ଚା ପିଇବି ନା…) ।

ଦଶ ଜାଗାରେ କୋଡ଼ିଏ ମିନିଟ ଯାଇ ସାରିଥିଲା । ଉଠିଲୁ ଏବେ ପୁଣି ଚଢ଼ିବା ପାଇଁ । କିନ୍ତୁ ଏଥର ସମସ୍ତେ ଫୁସ୍ । ଚାଲିବାକୁ ବଳ ପାଉନି, ଗୋଡ଼ କାଟିବା ଆରମ୍ଭ ସମସ୍ତଙ୍କର । ମୁଁ ବି ଟିକେ ଜୋର ପାଟିରେ ଚିଲେଇ ଦେଲି, “ମନା କରିଛି ନା ନାହିଁ? ଅଧିକ ସମୟ ବିଶ୍ରାମ ନେଲେ ଚାଲି ହେବନି ବୋଲି । ଏବେ ଭୋଗ ସମସ୍ତେ । କହିଥିଲି ଶୋଇବା ମନା । ପିଣ୍ଡି ଉପରେ ଗଡ଼ିଗଲ ସମସ୍ତେ । ଏବେ ବୁଝିଲ??” ସମସ୍ତଙ୍କ ମନ ନିରାଶାରେ ଘାଣ୍ଟି ହେଉଥିଲା । ବୁଝି ପାରୁଥିଲେ ସମସ୍ତେ ଭୁଲ କେଉଁଠି ରହିଲା । ବେଳେବେଳେ ପିଲାମାନଙ୍କୁ ଭୁଲ କରିବାକୁ ଛାଡ଼ିଦେବା କଥା । ନିଜେ ବୁଝିଲେ ହିଁ ଆଉ ସେମିତି ଭୁଲ କରିବେନି । ନିଜେ ନିଜେ ଠିକିଲେ ଶିଖିବେ, ଯେବେଯାଏଁ ଭୁଲ କରି ନାହାନ୍ତି, ସେମାନେ ଜାଣି ପାରିବେନି ଭୁଲ କ’ଣ, ଠିକ କ’ଣ । ଯେବେ ଜାଣିବେ ତା’ପରେ ନିଜେ ହିଁ ସୁଧୁରୀଯିବେ ।

ଏ ଭିତରେ ମୁଁ ନଶୋଇ ଏପଟ ସେପଟ ହେଉଥିଲି । ଏବେ ମୋ ପାଳି । (ପୂର୍ବର ଚାହାଣି ଭୁଲି ଯାଇଛି ନା କ’ଣ?) ଏଥର ଆଦେଶ ଦେବା ଭଙ୍ଗୀରେ କହିଲି, “ଗୋଡ଼ ଦି’ଥର ଭଲରେ ଛାଟି, ଦଶ ପନ୍ଦର ପାହାଚ ଟିକେ ଜୋର ଜୋର ଚାଲ । ଟିକେ ଭଲ ଲାଗିବ ।” କଥା ମାନି ସମସ୍ତେ ଗୋଡ଼ ଛାଟି ଜୋର ଜୋର ଚାଲିବା ଆରମ୍ଭ କଲେ । ଏଥର କିନ୍ତୁ ଶିକ୍ଷାଟି ଭଲ କାମ ଦେଇଥିଲା । ଆଠଶହ ପାହାଚ ମାତ୍ର ଅଧଘଣ୍ଟା ଭିତରେ ଅତିକ୍ରମ କରି ସାରିଥିଲୁ ।

ଜୈନ ମନ୍ଦିର, ଜୈନ ଧର୍ମାବଲମ୍ବୀମାନଙ୍କ ପାଇଁ ଏ ସ୍ଥାନଟି ଏକ ପବିତ୍ର ସ୍ଥଳ । ଦେଶର ପ୍ରାଚୀନ ଜୈନ ମନ୍ଦିରମାନଙ୍କ ଭିତରେ ଅନ୍ୟତମ । ଏଠି ଶ୍ୱେତାମ୍ବର ଓ ଦିଗାମ୍ବର ଜୈନ ମନ୍ଦିର ସହ ଅନେକଗୁଡ଼ିଏ ମନ୍ଦିର ଓ ମୂର୍ତ୍ତି ସବୁ ଅଛି । ଧାଡ଼ି କି ଧାଡ଼ି ପ୍ରାୟ ୧୦୦ ଉପରେ ମୂର୍ତ୍ତି, ଆଳତି ଚାଲିଥାଏ । ଜୈନ ଧର୍ମାବଲମ୍ବୀମାନେ ପ୍ରାୟତଃ ଧଳା କିମ୍ବା ନାଲି ଲୁଗା ପିନ୍ଧିଥାନ୍ତି, ମୁହଁରେ ଧଳା କନା ବାନ୍ଧିଥାନ୍ତି । ମନ୍ଦିର ଭିତରକୁ ଯାଇ ଦର୍ଶନ କଲୁ । ଜୈନ ମନ୍ଦିର ପାଖରେ ଶୌଚାଳୟ (ପୁରା ପାହାଡ଼ ଉପରେ ଏହି ଗୋଟିଏ ଜାଗାରେ ଶୌଚାଳୟ ଅଛି) ସହ ଗାଧୋଇବା ପାଇଁ ଗରମ ପାଣିର ସୁବିଧା ବି ଅଛି । ତା’ସହ କେବଳ ଜୈନମାନେ ରହିବା ପାଇଁ ଧର୍ମଶାଳାଟିଏ ବି ଅଛି । ବାଡ଼ି, ବ୍ୟାଗ ଓ ଜୋତା ମନ୍ଦିର ବାହାରେ ଦରୁଆନ ପାଖରେ ରଖି ମନ୍ଦିର ବୁଲିବା ପାଇଁ ଗଲୁ । ଦର୍ଶନ ପରେ ପୁଣି ବାହାରକୁ ଆସି ନିଜ ନିଜ ଜିନିଷ ପତ୍ର ଧରି ଚାଲିବା ଆରମ୍ଭ କଲୁ ।

ଜୈନ ମନ୍ଦିର ପରେ ପରେ ଗୌମୁଖୀ ଗଙ୍ଗା ମନ୍ଦିର ଓ କୁଣ୍ଡ । ହିନ୍ଦୁ ମାନଙ୍କର ଏକ ମନ୍ଦିର, ଭିତରେ କୁଣ୍ଡ ଭିତରେ ଗୋ-ମୁଖରୁ ଝରୁଥିବା ଜଳ କୁଣ୍ଡରେ ପଡ଼ୁଥିଲା । ପାହାଡ଼ ଉପରେ ଥିବା ଦୁଇଟି କୁଣ୍ଡ (ଗୌମୁଖୀ ଗଙ୍ଗା ଓ କମଣ୍ଡଳ କୁଣ୍ଡ) ମଧ୍ୟରୁ ଏହା ଅନ୍ୟତମ କୁଣ୍ଡ ।

ଏଥର ଅଳ୍ପ ଆଗକୁ ଯାଇ, ଦୁଇଟି ଚିପ୍ସ ପ୍ୟାକେଟ ଉଦରସ୍ଥ କରି ଅଳ୍ପ ପାଣି ପିଇ ଅଳ୍ପ କିଛି ଫୋଟୋ ଉଠେଇ ପୁଣି ଆରମ୍ଭ କଲୁ ଚଢ଼ିବା । ୫୦୦ ପାହାଚ ପରେ ଅମ୍ବାଜି ମନ୍ଦିର । ହିନ୍ଦୁମାନଙ୍କର ମନ୍ଦିର । ବିଶେଷ କରି ଜୈନ, ହିନ୍ଦୁ ଓ ନବବିବାହିତମାନେ ଏହି ମନ୍ଦିରକୁ ଅଧିକ ସଂଖ୍ୟାରେ ଆସନ୍ତି ମାଆଙ୍କ ଆଶୀର୍ବାଦ ପାଇଁ । ମନ୍ଦିରଟି ପ୍ରାୟ ୧୨୦୦ ଶତାବ୍ଦୀରେ ତିଆରି ହୋଇଥିଲା । ଅଧିକ ସଂଖ୍ୟାରେ ଲୋକ ଏହିଯାଏଁ ଆସି ପୁଣି ଫେରି ଯାଆନ୍ତି ତଳକୁ । ଆଗକୁ ଯିବାକୁ ମନ କରନ୍ତି ନାହିଁ । ମନ୍ଦିର ଦର୍ଶନ, ଭୋଗ ସାରି ଆମେ ପୁଣି ଆଗକୁ ଚାଲିବା ଆରମ୍ଭ କଲୁ । ତଳୁ ଏବେ ଯାଏଁ ଦେଖି ଆସୁଥିବା ଦୋକାନ ଗୁଡ଼ିକ ଏହିଠାରେ ଶେଷ । ଆଗକୁ କୌଣସି ଦୋକାନ ନାହିଁ । ତେଣୁ ଆଗକୁ ଯିବାକୁ ହେଲେ ଏହିଠାରୁ ପାଣି ଓ ଶୁଖିଲା ଖାଦ୍ୟ ନେଇ ଆଗକୁ ଯିବାକୁ ହୁଏ । ଆମ ପାଖରେ ଖାଦ୍ୟ ଓ ପାଣି ଆଗରୁ ଥିଲା । ତଥାପି ଦୋକାନଗୁଡ଼ିକୁ ଦେଖି ଆଶ୍ଚର୍ଯ୍ୟ ଲାଗିଲା । ପାଞ୍ଚହଜାର ପାହାଚ ଉପରେ ବି ବଡ଼ାପାଓ, ଦାବେଲି, ଗାଣ୍ଠିଆ, ପାମ୍ପଡ଼ ସହ ଆଳୁଚପ, ପକୁଡ଼ି ଆଦି ମିଳୁଥିଲା । ତଳୁ ଗ୍ୟାସଟାଙ୍କି ସହ ସବୁ ଆସବାବପତ୍ର ବୋହି ଆଣି ତେଲ କଡ଼େଇ ବସେଇ ସେମାନେ ଗରମ ଗରମ ଜିନିଷ ଛାଣି ଲୋକଙ୍କୁ ପରଷୁଥିଲେ । ଦାମ, ଶହେ ଗ୍ରାମ ପ୍ରତି ମାତ୍ର ଦଶ ଟଙ୍କା ଅଧିକ । ପାଣି ବୋତଲ ତ ପାଞ୍ଚଶହ ପାହାଚ ପରେ ବି ଚାଳିଶ ଟଙ୍କା, ପାଞ୍ଚ ହଜାର ପାହାଚ ପରେ ବି ଚାଳିଶ ଟଙ୍କା । ଫ୍ରିଜ ସହ ଇଲେକ୍ଟ୍ରିର ସବୁ ସୁବିଧା । କିନ୍ତୁ ସବୁ ଜିନିଷ ସେମାନଙ୍କୁ ତଳୁ ବୋହି ବୋହି ଆଣିବାକୁ ପଡ଼ୁଥିବାରୁ ବଡ଼ ବଡ଼ ଅକ୍ଷରରେ ଲେଖାଥିଲା, “ଦୟାକରି ଖାଇ ସାରିବା ପରେ ପିଇବାକୁ ପାଣି ମାଗନ୍ତୁ ନାହିଁ ।” ଭିନ୍ନ ଭିନ୍ନ ପ୍ରକାରର ଦୋକାନ ପୁରା ପାହାଡ଼ ସାରା ଦେଖିବାକୁ ମିଳିଥିଲା । ଏଠି କିନ୍ତୁ ଖାଇବା ସହ ଭୋଗ, ଫଳ ଦୋକାନ, ସାଲଡ଼ ଦୋକାନ ଓ ଅନ୍ୟ ଦୋକାନ ସବୁ ଦେଖିବାକୁ ମିଳିଲା । ତେବେ ଆମେ ପୁଣି ଆଗକୁ ଚାଲିଲୁ…

ଗୋଟିଏ ପାହାଡ଼ ଛାଡି ଅନ୍ୟ ପାହାଡ଼ କୁ ଯିବୁ । ମଝିରେ କିଛି ପାହାଚ ଚଢ଼ି ପୁଣି ଓଲ୍ଳେହିସାରି ପୋଲ ଉପରେ ଚାଲିଲୁ । ସମତଳ ପୋଲ । ଦୁଇ ପାହାଡ଼ର ଅଗ୍ର ଭାଗକୁ ମିଶେଇ ପୋଲଟି ତିଆରି ହୋଇଛି । ଦୁଇ ପାହାଡ଼ ମଝିରେ ଅନ୍ୟ କୌଣସି ପ୍ରତିବନ୍ଧକ ନଥିବାରୁ ପବନ ବହୁତ ଜୋର ହେଉଥାଏ । ଏବେ ଯାଏଁ ଚାଲି ଚାଲି ଗରମ ଥିବା ଦେହ ବି ଶୀତରେ କୋଲ ମାରି ଯାଉଥାଏ । ତାପମାତ୍ରା ହଠାତ ୧୫ ଡିଗ୍ରୀରୁ କମି ପାଞ୍ଚ ଡିଗ୍ରୀକୁ ଚାଲି ଆସିବା ପରି ଲାଗୁଥାଏ । ଚାଲିବା ପାଇଁ ଥିବା ପୋଲ ଦୁଇପଟେ ଶକ୍ତ ସିମେଣ୍ଟ ବାଡ଼ । କିନ୍ତୁ ପବନ ଅଧିକ ଯୋଗୁଁ ଉଡ଼େଇ ନେବା ଭଳି ଲାଗୁଥାଏ । ପଡ଼ିବାର କୌଣସି ଭୟ ନାହିଁ । ଶୀତ ଯୋଗୁଁ ଦେହ ହାତ ଥରି ଯାଉଥିଲେ ବି ବ୍ୟାଗ ଭିତରୁ ସ୍ୱିଟର କିମ୍ବା ଜ୍ୟାକେଟ କାଢ଼ିବା ସମ୍ଭବ ନଥିବାରୁ ଶୀଘ୍ର ଶୀଘ୍ର ପାଦ ପକେଇ ଅନ୍ୟ ପାହାଡ଼କୁ ଯିବାକୁ ଚେଷ୍ଟା କଲୁ ।

ଅନ୍ୟ ପାହାଡ଼ରେ ପହଞ୍ଚୁ ପହଞ୍ଚୁ ଏକ ମନ୍ଦିର ଶିବ ମନ୍ଦିର “ଗୋରଖନାଥ ଶିବ ମନ୍ଦିର” ଦେଖିବାକୁ ମିଳିଲା । ଅଖଣ୍ଡ ଧୁନି ଜଳୁଛି ସେ ମନ୍ଦିର ଭିତରେ । ମନ୍ଦିରରେ ମୁଣ୍ଡିଆଟିଏ ମାରି ଚାଲିଲୁ ଆଗକୁ । ୬୫୦୦ ପାହାଚ ଅତିକ୍ରମ କରି ସାରିଥିଲୁ ଏହା ଭିତରେ । ଏଥର ସମୟ ଥିଲା ସମସ୍ତେ ଆଶ୍ଚର୍ଯ୍ୟ ହେବାର । ମୁଁ ତ ଆଗରୁ ଜାଣିଥିଲି (ମତାମତ ପଢ଼ି ଓ ଫୋଟୋ ଦେଖି), ହେଲେ ବାକି ସମସ୍ତେ ଆଶ୍ଚର୍ଯ୍ୟ ଯେତିକି ହେଲେ ତା’ଠୁ ଅଧିକ ଖୁସି ହେଲେ । କାରଣ ଏବେଥିଲା ଓଲ୍ଲେହିବା ପାଳି । ପଛକୁ ଯିବା ନୁହେଁ, ଆଗକୁ ଯିବାକୁ ହେଲେ ୨୫୦୦ ପାହାଚ ଓଲ୍ଲେହିବାକୁ ପଡ଼ିବ ପାହାଡ଼ ଉପରୁ ଓ ପୁଣି ଚଢ଼ିବାକୁ ପଡ଼ିବ ଅନ୍ୟ ଏକ ପାହାଡ଼ । ପାହାଡ଼ ତଳେ ଅଛି କମଣ୍ଡଳୁ କୁଣ୍ଡ, ଅଖଣ୍ଡ ଧୁନି, ଉପରେ ଅଛି ପ୍ରଭୁ ଦତ୍ତାତ୍ରେୟଙ୍କ ପାଦୁକା । ମଝିରେ ମଝିରେ ମୋବାଇଲର ନେଟୱାର୍କ ଆସୁଥାଏ, ଯାଉଥାଏ । ଘରକୁ ଥରେ ଦି’ଥର କିଏ କିଏ ଫୋନ କରିଥିଲେ, ତିରିଶ ସେକେଣ୍ଡ, ପୁଣି ନେଟୱାର୍କ ଗଲା… ଏମିତି ଚାଲିଥାଏ …

ସୁବିଧା ସୁବିଧାରେ ଓଲ୍ଲେହି ଗଲୁ ୨୫୦୦ ପାହାଚ । ଚାଲି ଚାଲି ଆସିବା ପରି ଲାଗିଲା । ମଝିରେ କେବଳ ଖରା ଟିକିଏ ଖାଇବା ପାଇଁ ଏକ ପଥର ଉପରେ ବସି ପୁଣି କିଛି ଚିପ୍ସ ଖାଇ ପାଣି ପିଇ ପୁଣି ବାହାରିଲୁ । କମଣ୍ଡଳୁ କୁଣ୍ଡରେ ପହଁଚିବା ବେଳକୁ ୧୦.୩୦ ହୋଇ ଯାଇଥିଲା । ମନ୍ଦିର ଭିତରେ ଅଖଣ୍ଡ ଧୁନି ଜଳୁଛି, ପ୍ରତି ସୋମବାର ଏହି ଧୁନି ଚାରିପଟୁ ବିଭୁତି ବାହାର କରାଯାଏ । ଯଦି ଅଖଣ୍ଡ ଧୁନି ଦେଖିବାର ଅଛି ତେବେ ସୋମବାର ପାହାଡ଼ ଚଢ଼ିଲେ ହିଁ ଦେଖି ପାରିବେ । ଏହି ଧୁନି ଦର୍ଶନ ସକାଳ ନଅଟା ଯାଏଁ ହୁଏ, ତା’ପରେ ପୁଣି ଘୋଡ଼େଇ ଦିଆଯାଏ । ତଳେ କମଣ୍ଡଳୁ କୁଣ୍ଡ, ସେଠିକି ଯିବାପାଇଁ ଅନୁମତି ନାହିଁ ।

କମଣ୍ଡଳୁ କୁଣ୍ଡ ବିଷୟରେ :-
ଗୁରୁ ଦତ୍ତାତ୍ରେୟ ପିତାମାତାଙ୍କଠାରୁ ଅନୁମତି ନେଇ ଧ୍ୟାନ କରିବାକୁ ବାହାରିଲେ । ବହୁତ ଜାଗା ଖୋଜି ଖୋଜି ଶେଷରେ ସେ ଗିରନାରରେ ପହଞ୍ଚିଲେ । ସେତେବେଳେ ଗିରନାର ଚାରିପଟେ ସମୁଦ୍ର ପାଣି ଥିଲା । ପିଇବା ପାଇଁ ପାଣିର ଅଭାବ ଅନୁଭୂତ ହେବାରୁ ଗୁରୁ ଦତ୍ତାତ୍ରେୟ ନିଜ କମଣ୍ଡଳୁକୁ ପାହାଡ ଉପରକୁ ଫିଙ୍ଗିବାରୁ ତାହା ଏକ କଳା ପଥର ଦେହରେ ବାଡେଇ ହେଲା ଓ ସେଠାରେ ପାଣିର ଏକ ଫୁଆରା ସୃଷ୍ଟି ହେଲା । ଅନନ୍ତ କାଳରୁ ଆଜିଯାଏଁ ଏହି ଜଳ ଭକ୍ତମାନଙ୍କ ପାଇଁ ବ୍ୟବହୃତ କରାଯାଉଛି ।

କମଣ୍ଡଳୁ କୁଣ୍ଡ ମନ୍ଦିର ଦର୍ଶନ କରି, ପ୍ରସାଦ ପାଇ ଆସିଲୁ ଉପରକୁ । ଏବେ ପୁଣି ଚଢ଼ିବାକୁ ପଡ଼ିବ ଆଉ ୧୦୦୦ ପାହାଚ । ଶେଷ ୧୦୦୦ ପାହାଚ, କିନ୍ତୁ ଭାରି କ୍ଳିଷ୍ଟ । ଫୋଟୋ ଉଠେଇଲୁ ପାହାଡ଼ରେ ପ୍ରାକୃତିକ ଭାବେ ଲାଖିଥିବା ହାତୀ ମୁଣ୍ଡ ଆକୃତିର ପଥରର । ପୁଣି ଚଢ଼ିବା ଆରମ୍ଭ କଲୁ । ପାହାଚ ପାଖରେ ଲୋକଟିଏ ଭୋଗ ଭାବେ ଶୁଖା ନଡ଼ିଆ ଓ ଧୂପକାଠି ବିକ୍ରି କରୁଥିଲା । ମାତ୍ର ୨୫ ଟଙ୍କା । ସେଠୁ ଭୋଗ କିଣି, ଚାଲିଲୁ ଉପରକୁ । ଉପରେ ପହଞ୍ଚିବାକୁ ଲାଗିଗଲା ଘଣ୍ଟେ ପନ୍ଦର ମିନିଟ । ୧୧.୪୫ରେ ଶେଷ କଲୁ ୧୦୦୦୦ ପାହାଚ । ମନ୍ଦିରକୁ ଯାଇ ଦତ୍ତାତ୍ରେୟଙ୍କ ପାଦୁକା ଦର୍ଶନ କରି ଫେରିଲୁ । ୧୨*୧୨ର ଛୋଟ ମନ୍ଦିରଟିଏ । ମନ୍ଦିରଟି ପାହାଡ଼ର ଶିଖରରେ ନିର୍ମିତ । କୁହାଯାଏ ଅନନ୍ତ କାଳରୁ ଆଜି ଯାଏଁ ବଞ୍ଚିଥିବା ଦେବତାମାନଙ୍କ ଭିତରୁ ଦତ୍ତାତ୍ରେୟ ଜଣେ । ସେ ରୁହନ୍ତି ଏହି ମନ୍ଦିରରେ । ଏହି ପାହାଡ଼ରେ ଚଲା ବୁଲା କରନ୍ତି । ପାହାଡ଼ ଉପରେ ପବନର ବେଗ ଅଧିକ ଥିଲା । ତାପମାତ୍ରା ୪ ରୁ ୫ ଡିଗ୍ରୀ ଭିତରେ । ଶୀତ ପ୍ରବଳ ହେଉଥାଏ । ଚଢ଼ି ସାରିଲା ପରେ ଖୁସିରେ ସମସ୍ତେ ପ୍ରସ୍ତେ ପ୍ରସ୍ତେ ସମସ୍ତଙ୍କ ମୁହଁକୁ ଚାହିଁଲୁ । ସ୍ୱିଟର, ଜ୍ୟାକେଟ, ଟୋପି ପିନ୍ଧି ଆମେ ଶୀତରେ ଥରୁଥିବା ବେଳେ ଭିତରେ ବସିଥିବା ବାବା, କେବଳ ନାଲି ରଙ୍ଗର ଖଣ୍ଡେ ମଠା ପିନ୍ଧିବା ସହ ଆଉ ଖଣ୍ଡେ ଘୋଡ଼ି ହୋଇ ବସିଥିଲେ । ମନ୍ଦିରରୁ ଆସି ପାହାଡ଼ ଉପରୁ ଦେଖିଲୁ ପ୍ରକୃତିର ଶୋଭା, ଗିର ଜଙ୍ଗଲ, ଅନ୍ୟ ସବୁ ପାହାଡ଼ ଓ ପ୍ରାକୃତିକ ଦୃଶ୍ୟ । କିଛି ଫୋଟୋ ସ୍ମୃତି ପାଇଁ ଓ କିଛି ଅନ୍ୟମାନଙ୍କୁ ପ୍ରମାଣ ଦେଖେଇବା ପାଇଁ ଉଠେଇ, ଫେରିବାକୁ ଉଦ୍ୟତ ହେଲୁ । ଏତେ ବାଟ ଚଢ଼ି ପାରିବୁ ବୋଲି ନିଜ ଉପରେ ବିଶ୍ୱାସ ନଥିଲା । ସମସ୍ତଙ୍କ ମୁହଁରେ ହସ ଫୁଟି ଉଠୁଥାଏ । “Yes we did it” କହି ଉଠିଲେ କେହି କେହି …. ନିଜ ନିଜ ଘରକୁ ଫୋନ ଲଗେଇ ଆନନ୍ଦରେ କହିବା ପାଇଁ ଗଲାବେଳେ ନେଟୱାର୍କ ନାହିଁ… ମୁହଁ ଶୁଖେଇ ତଳେ ପହଞ୍ଚିଲେ ସମସ୍ତଙ୍କୁ ଜଣେଇବେ ବୋଲି କହି ପୁଣି ଗୋଡ଼ ଟଣାଟଣିରେ ଲାଗି ଗଲେ ସମସ୍ତେ….

ବଡି ଭୋର ୪.୪୫ରୁ ଆରମ୍ଭ କରିଥିଲୁ ଚଢ଼ିବା, ସରିଲା ୧୧.୪୫ ରେ । ବିଗତ ଚାରି ବର୍ଷରେ ଏକକାଳୀନ ତିନି କିଲୋମିଟର ଚାଲି ନଥିବା ମୋ ଶରୀରଟି ଯେ ଦୀର୍ଘ ସାତ ଘଣ୍ଟାର ଯାତ୍ରା, ୧୦୦୦୦ ପାହାଚ ଅତିକ୍ରମ କରି ଏ ଜାଗାରେ ପହଞ୍ଚି ପାରିବ ଏ ଆଶା ନଥିଲା । ଜାଣିନି, ଭଗବାନଙ୍କ ଆଶୀର୍ବାଦ ଥିଲା କି ମୋ ଇଛାଶକ୍ତି, ତେବେ ମୁଁ ଠିଆ ହୋଇଥିଲି ଗୁଜରାଟର ଅର୍ଦ୍ଧାଧିକ ଲୋକ ଚଢ଼ି ପାରି ନଥିବା ଜାଗାରେ । କୁହନ୍ତି, ଜଗାର ଡୋରୀ ନ ଲାଗିଲେ ପୁରୀ ବଡ଼ଦେଉଳ ବାହାରେ ଥାଇ ମଧ୍ୟ ଦର୍ଶନ ମିଳେନାହିଁ । ଏଠି ଗୁଜୁରାଟୀମାନଙ୍କ ବିଶ୍ବାସ ଯେ, ଭଗବାନଙ୍କ ବରାଦ ନଥିଲେ ତୁମେ ଗୁରୁଶିଖର ଯାଏଁ ପହଞ୍ଚି ପାରିବ ନାହିଁ । ତେଣୁ ପାହାଡ଼ ଉପରକୁ ଚାହିଁ ଆଉ ଥରେ ମୁଣ୍ଡିଆଟିଏ ମାରି, ପୁଣି ଥରେ ମୋତେ ଡ଼ାକିବ ବୋଲି ଭଗବାନଙ୍କୁ କହି ଫେରିବାକୁ ଉଦ୍ୟତ ହେଲୁ ।

ଯେଉଁ ରାସ୍ତା ଦେଇ ଆସିଥିଲୁ ଏବେ ଫେରିବୁ ସେହି ରାସ୍ତାରେ….. ପୁଣି ୧୦୦୦୦ ପାହାଚ । ତଳକୁ ଓଲ୍ଲେହିବା ବେଳେ ମୁଁ ସ୍ପଷ୍ଟ ଭାବେ ଦେଖି ପାରୁଥିଲି ପିଲାଙ୍କ ମନରେ ଗଡ଼ ଜିଣି ଯିବାର ଖୁସି ଓ ପୁଣି ପଛକୁ, ସେହି ଅଫିସ, କାମ, କଂକ୍ରିଟ ଜଙ୍ଗଲ, କର୍ପୋରେଟ ଲାଇଫକୁ ଫେରି ଯିବାର ଦୁଃଖ । ତେବେ ଫେରିବାକୁ ତ ପଡ଼ିବ । ଅନ୍ତତଃ ଆଉ କିଛି ଘଣ୍ଟା ମନ ଖୁସିରେ ପ୍ରକୃତି କୋଳରେ କଟେଇ ଦିଆଯାଉ । ଥଣ୍ଡା ପବନ ଖାଇ ପୁଣି ମାତିଗଲୁ ଜଣେ ଅନ୍ୟଜଣଙ୍କ ଗୋଡ଼ ଟାଣିବାରେ…. ବାଟରେ କିଏ କ’ଣ କରିଛି, କିଏ କେମିତି ଚାଲୁଥିଲା, କ’ଣ କ’ଣ ସବୁ ଘଟିଥିଲା ସେ ବିଷୟରେ ସବିଶେଷ ବିବରଣୀ ସହ ଅନ୍ୟର ଗୋଡ଼ ଟାଣି ସମମସ୍ତଙ୍କୁ ଟିକେ ଟିକେ ଖୁସି ଦେବାର ଉଦ୍ୟମରେ ଥିଲୁ ସମସ୍ତେ । ମଜା ମଜାରେ କଟିଗଲା କିଛି ସମୟ..

“ଫେରିବା କିରେ??” ପ୍ରଶ୍ନଟି ପଚାରି ଦେଇ ଚାହିଁଲି ପିଲାମାନଙ୍କ ମୁହଁକୁ । ସେମାନଙ୍କ ମୁହଁରେ ଥିଲା “ପ୍ରଶ୍ନବାଚକ ଚିହ୍ନ” ସହ “ନା ଥାଉ, ଯିବାନି” ପରି ଚୁପଚାପ ଉତ୍ତର । ଆଖିରେ ଆଖିଏ ସ୍ବପ୍ନ, କିନ୍ତୁ କେଉଁଠି ଗୋଟେ ହଜି ଯିବାର ଇଛା । ମୋ ପାଇଁ ବଡ଼ ହୃଦୟବିଦାରକ ଦୃଶ୍ୟ ଥିଲା । କାହାକୁ କିଛି ନକହି ଆଉ କିଛି ସମୟ ସେମାନଙ୍କୁ ଏମିତି ଛାଡ଼ି ଦେବାପାଇଁ ମନ କହୁଥିଲା । କିନ୍ତୁ ପେଟର ଭୋକ, ଶୋଷ, ଆଉ ଫେରିବା ପାଇଁ ବାଧ୍ୟ ଥିବା ମନକୁ ନେଇ କେତେ ସମୟ ଅବା ଅପେକ୍ଷା କରିଥାନ୍ତି? ଫେରିବାକୁ ଯଦି ପୁଣି ସାତ ଘଣ୍ଟା ଲାଗେ ତେବେ? ତେଣୁ ବାଧ୍ୟ ହେଲୁ ଫେରିବା ପାଇଁ ।

ଯାତ୍ରା ଆରମ୍ଭ କଲୁ ୧୨ଟା ୨୫ରେ । ୧୦୦୦ ପାହାଚ ଓଲ୍ଲେହିବାର ଥିଲା । ଆସ୍ତେ ଆସ୍ତେ ଅତିକ୍ରମ କରି ଆସିଲୁ ୧୦୦୦ ପାହାଚ । ଏବେ ପୁଣି ଚଢ଼ିବାକୁ ପଡ଼ିବ ୨୫୦୦ ଅତି କ୍ଳିଷ୍ଟ ପାହାଚ, ଯାହାକୁ ଓଲ୍ଲେହିବାକୁ ଆମକୁ ମଜା ଲାଗିଥିଲା । ଏଥର କିନ୍ତୁ ଚଢ଼ିବା । ପ୍ରଥମ ୧୦୦, ୨୦୦ ପାହାଚ ଚଢ଼ି ଗଲାପରେ ପ୍ରତି ୨୦, ୩୦ ପାହାଚ କିମ୍ବା ପ୍ରତି ବାଙ୍କରେ ରହିବାକୁ ପଡ଼ୁଥିଲା । ଗୋଡ଼ ବୋଲ ମାନିବା ଅବସ୍ଥାରେ ନଥିଲେ, ତଥାପି ସାହସ ଦେଖେଇ ଆସ୍ତେ ଆସ୍ତେ ଚଢ଼ିଲୁ । ଗଲାବେଳେ ଯେଉଁ ଜାଗାରେ ବସି ଖାଇଥିଲୁ, ସେହି ଜାଗାରେ ଆଉ ଥରେ ବସିଲୁ । ସମସ୍ତଙ୍କ ପାଖରୁ ପାଣି ସରି ସରି ଆସୁଥାଏ । ଢୋକେ ପିଇ, ଟିକେ ଆଗକୁ ଯାଉଥାଉ । ଅଳ୍ପ ଅଳ୍ପ ପାଣି ବଞ୍ଚେଇବାକୁ କହିଲି, କାରଣ ଅମ୍ବାଜି ମନ୍ଦିର ଯାଏଁ କୌଣସି ଦୋକାନ ନଥିଲା ।

ଟିମ, ଗୃପରେ ଗଲାବେଳେ ଯଦି ଜଣେ ଅନ୍ୟକୁ ସାହାଯ୍ୟ କରେ, ତେବେ ସମସ୍ତେ ଏକାବେଳେ ସକୁଶଳରେ ପହଞ୍ଚି ପାରିବେ । ଦୁଇଜଣ ଝିଅ ଏବେ ତାଙ୍କ ବ୍ୟାଗ ବି ବୋହିବା ଅବସ୍ଥାରେ ନଥିଲେ । ତେଣୁ କିଛି ସମୟ ପାଇଁ ଅଦଳ ବଦଳ କରି ତାଙ୍କ ବ୍ୟାଗ ଧରିଲୁ ସମସ୍ତେ । ସେ ଦି ଜଣଙ୍କୁ ଏକା ଏକା, ଖାଲିରେ ଚାଲିବାକୁ କହିଲୁ ।

୩୫୦୦ ପାହାଚ ସରି ସାରିଥିଲା, ଗୋରେଖ ନାଥ ମନ୍ଦିର ପାଖରେ ପହଞ୍ଚି ସାରିଥିଲୁ, ପାଣି ସରିଯାଇଥିଲା । ଉପରକୁ ଆସି ସାରିଥିଲୁ । ଏବେ ଆଉ ୧୦୦୦ ପାହାଚ, ତା ପରେ ଯାଇ ପାଣି । ଥଣ୍ଡା ପବନରେ ଦେହ କୋଲ ମାରି ଯାଉଥାଏ, ଏଇଟା ସେହି ଜାଗା ଯେଉଁଠି ଆମକୁ ସ୍ଵେଟର ଓ ଜ୍ୟାକେଟ ପିନ୍ଧିବାକୁ ପଡ଼ିଥିଲା । ଏପଟେ ଶୋଷ, ସେପଟେ ଦେହ ହାତ କୋଲ ମାରି ଯାଉଛି, ତଥାପି ସେହି ଥଣ୍ଡା ପବନରେ ଘଡ଼ିଏ ଛିଡ଼ା ହୋଇ ଯିବାକୁ ମନ କହୁଥିଲା । ଠିଆ ହେଲୁ ବି.. କିନ୍ତୁ କେତେ ସମୟ? ଆଗକୁ ତ ଯିବାକୁ ପଡ଼ିବ.. ଚାଲିଲୁ ପୁଣି… ଯେନତେନ କରି ପହଞ୍ଚିଗଲୁ ଅମ୍ବାଜି ପାଖରେ । ପ୍ରଥମେ ଦୋକାନରୁ ଥଣ୍ଡା ପାଣି କିଣି ପିଇବା ପରେ ସମସ୍ତେ କିଛି କିଛି ଜଳଖିଆ ଖାଇବା ପାଇଁ କହିଲେ । ଗାଣ୍ଠିଆ, ଆଳୁଚପ, ବଡ଼ାପାଓ କିଣି ଖାଇଲୁ । ଅହମଦାବାଦରେ ଗାଣ୍ଠିଆ, ଆଳୁଚପ ଓ ବଡ଼ାପାଓ ଯଥାକ୍ରମେ ଶହେ ଗ୍ରାମକୁ ୩୦ ଟଙ୍କା, ୨୦ ରୁ ୩୦, ଓ ୨୦ ଟଙ୍କା ଥିବାବେଳେ ସେଠି ୪୦, ୪୦ ଓ ୩୦ ଥିଲା । ଆରାମରେ ଖାଇ ସାରିବ ପରେ ସେଇଠି ହିଁ ଶୋଇ ଯିବାକୁ ମନ କହୁଥିଲା । କିଛି ସମୟ ବିଶ୍ରାମ ନେଇ ପୁଣି ଚାଲିଲୁ ।

ଜୁନାଗଡ଼ ସହର ସେଇ ହାତ ପାଖରେ ଲାଗୁଥାଏ, କିନ୍ତୁ ପାହାଚ ଯେତେ ଓଲ୍ଲେହିଲେ ବି ସରୁ ନଥାଏ । ଖରା ଆସ୍ତେ ଆସ୍ତେ ବଢ଼ୁଥାଏ, ତା’ସହ ତାଳ ଦେଇ ଗୁଳୁଗୁଳି । ହାତରେ ପ୍ରଚୁର ସମୟ । ରାତି ୯.୫୦ରେ ବସ । ତେଣୁ ଜଲଦି ଫେରିବାର ଇଛା ନଥାଏ । ରହି, ବସି, ଉଠି, ବାଟ ସାରା ଘୋଳଦହି, ମସଲା ସୋଡ଼ା, ଚାହା, ପାଣି, ଲସି ପିଇ ଆସୁଥାଉ । ଚଢ଼ିବାଠାରୁ ଓଲ୍ଲେହିବା ବେଶି କଷ୍ଟ ଲାଗୁଥାଏ । ତେଣୁ ପ୍ରତି ଅଧ ଘଣ୍ଟାରେ ଥରେ, ବସିଉଠି ଚାଲିଥାଉ । ପାଦ, ପେଣ୍ଡା, ଆଣ୍ଠୁ, ଜଙ୍ଘ ସବୁ କେଁ କେଁ ଡାକ ଦେଉଥାଏ । ମଝିରେ ମଝିରେ ସମତଳ ପଥରରେ ବି ଗୋଡ଼ ଖସୁଥାଏ । ଲୋକମାନେ ଚାଲି ଚାଲି ପଥର ସବୁ ପାଲିସ କରି ଦେଇଥାନ୍ତି । ଶେଷ ତିନିହଜାର ପାହାଚ ସରିବାର ନାଁ ନେଉ ନଥାଏ । ମଝିରେ ମଝିରେ ରାସ୍ତା ଉପରେ ମାଙ୍କଡମାନେ ବସି ମଜା ନେଉଥାନ୍ତି । ଆମକୁ ଡରେଇ ନିଜେ ମଜା ଦେଖୁଥାନ୍ତି, ଝିଅମାନଙ୍କ କଥା ଛାଡ଼, ଆମକୁ ଆଗକୁ ଯିବାକୁ ଡର ଲାଗୁଥାଏ । କିନ୍ତୁ ଲାଠି ଦେଖି ସେମାନେ ଦୂରେଇ ଯାଉଥାନ୍ତି..

କିଛି କିଛି ଲୋକ (ଯେଉଁମାନେ ସକାଳ ହେଲାପରେ ୮ଟା, ୯ଟା ପରେ ଚଢ଼ିବା ଆରମ୍ଭ କରିଥିଲେ) ଅମ୍ବାଜି ମନ୍ଦିର ପାଖରୁ ଯାଇ ଫେରୁଥାନ୍ତି । ହେଇ, ଜୁନାଗଢ଼ ଦେଖା ଯାଉଛି ଆଉ ଅଳ୍ପ ପାହାଚ କହି ମନ ଭୁଲେଇଲା ବେଳକୁ ପାହାଡ଼ କଡରେ ୨୩୦୦, ୧୮୦୦, ୧୫୦୦ ପାହାଚ ବୋଲି ଚିହ୍ନଟ କରା ଯାଇଥିବାର ଦିଶିଯାଇ ମନକୁ ଆହୁରି ହତାଶ କରେଇ ଦେଉ ଥାଏ । ଚଢ଼ିଲାବେଳେ ଯେଉଁ ସଂଖ୍ୟା ଦେଖି ଖୁସି ଲାଗୁଥିଲା, ଫେରିଲା ବେଳେ ସେହି ସଂଖ୍ୟା ଦେଖି ମନ ଦୁଃଖ ହେଉଥିଲା । ତଥାପି ଯାତ୍ରା ଚାଲିଥାଏ, ମଝିରେ ମଝିରେ କିଛି କଥା, ଜୋକ୍ସ, ଆଉ ଗୋଡ଼ ଟଣାଟଣିରେ ରାସ୍ତା ସରି ସରି ଚାଲିଥାଏ । ଶେଷରେ ଆସି ପହଞ୍ଚିଲୁ ତଳେ ।

ଆସିଲା ବେଳେ ଭାବୁଥିଲୁ, ଏଇଟା ପ୍ରଥମ ଓ ଶେଷ । ଆଉ ଆସିବିନି ଲୋ ବାପା…. ତଳେ, ପାହାଡ଼ର ପାଦଦେଶରେ କିଛି ସ୍ତ୍ରୀଲୋକ, ବୁଢ଼ୀ ବୁଲୁଥାନ୍ତି । ପଚାରିଲେ, “ପୁରା ଉପରକୁ ଯାଇ ଆସିଲ?”

କହିଲୁ — ହଁ ।
— ଗୁରୁଶିଖର ଯାଏଁ?
— ହଁ…..

ଦୁଇଜଣ ମାଡ଼ି ଆସି ପାଦ ପାଖରୁ ଧୂଳି ନେଇ ମୁଣ୍ଡରେ ମାରିଲେ ଓ ଜଣେ ବସିଲେ ଉଠି ପାରୁ ନଥିବା ବୁଢ଼ୀମା, ରାସ୍ତା ଉପରେ ମୁଣ୍ଡ ଛୁଇଁ ଆମକୁ ପ୍ରଣାମ କଲେ । ହଡବଡେଇ ଗଲେ ବି, ସେମାନଙ୍କ ଭକ୍ତି ଦେଖି ନିଜ ଉପରେ ପ୍ରଶ୍ନ ଆସୁଥିଲା, “ଆମେ କ’ଣ ଏତେ ଭକ୍ତିରେ ପାହାଡ଼ ଚଢ଼ିଥିଲୁ?”

ବୋଧହୁଏ ନା….

ପଛକୁ ଚାହିଁ ପାହାଡ଼କୁ କହି ଆସିଲି, “ଆଉ ଥରେ ଆସିବି ନିଶ୍ଚିତ…”

ସମୟ ସନ୍ଧ୍ୟା ୫.୪୫ । ଚଢ଼ି, ଓହ୍ଲେଇବାକୁ ପୁରା ୧୩ ଘଣ୍ଟା ଲାଗିଲା । ଅବଶ୍ୟ ରହି, ବସି, ଉଠି, ଖାଇ ପିଇ ମଜା କରି ଆସିଥିଲୁ । ଭଲରେ ଯାଇ ଭଲରେ ଫେରିଲୁ ।

ତଳେ ପହଞ୍ଚି ଲାଠି ଫେରେଇ, ଗୋଟେ ଦୋକାନରେ ପାଣି, କଡ଼ା ଚାହା ପିଇ, ସନ୍ଧ୍ୟା ଆଠଟାଯାଏଁ ବସି ଗୁଲିଖଟି କଲୁ । ନିଜ ନିଜ ଘରକୁ ଫୋନ କରି ସକୁଶଳରେ ଫେରିଲୁ ବୋଲି ଜଣେଇ ଦେଲୁ । ଚାଲିବାକୁ ଇଛା ହେଉ ନଥାଏ, ବସିଲେ ଶୋଇ ପଡ଼ିବାକୁ ଇଛା ହେଉ ଥାଏ, ଲାଗୁଥାଏ ଯେମିତି ମୋତେ କିଏ ଜଣେ ଏଇଠି ଖଟିଆ ଖଣ୍ଡେ ଦେଇ ଶୋଇ ପଡ଼ିବାକୁ କୁହନ୍ତାନି? ଆଠଟା ପରେ ହୋଟେଲରେ ରାତି ଖାଇବା ଖାଇ ୯.୫୦ ରେ ବସ ଧରିଲୁ । ବସ ଛାଡ଼ିଲା ବେଳେ ଭାବୁଥିଲି, ଯଦି ଆମେ ୫.୩୦ ବସରେ ଟିକେଟ କରିଥାନ୍ତୁ, ତେବେ ପହଞ୍ଚି ପାରିଥାନ୍ତୁ ତ?? (ନିଶ୍ଚିତ ଭାବେ, ଭଗବାନଙ୍କ ଉପରେ ଛାଡ଼ିଲେ, ସେ ବୁଝିବେ ସବୁ ଜିନିଷ)

ବସ ରେ ଚଢ଼ି, କିଏ କେମିତି ଶୋଇଲେ କେହି ଜାଣି ନାହାନ୍ତି । କଣ୍ଡକ୍ଟର ଆସି ଟିକେଟ ମାଗିବାର ପନ୍ଦର ମିନିଟ ପରେ (ସମସ୍ତେ ନିଦରେ, କେହି ଉଠୁ ନଥିଲେ, କଣ୍ଡକ୍ଟର ଜୋରରେ ପାଟିକରି ଡାକିବାରୁ ଉଠିଲୁ) ଟିକେଟ ଦେଖେଇ ପୁଣି ଶୋଇଗଲୁ । ସକାଳ ୬ରେ ପହଞ୍ଚିଗଲୁ ଗାନ୍ଧିନଗର । ସେଦିନ ଥିଲା ରବିବାର । ନିଜ ନିଜ ଘରେ ପହଞ୍ଚିଲା ପରେ ଆଉ କେହି କାହା ଖବର ରଖିନୁ । ମେଡ଼ିସିନ ଖାଇ, ମୁଭ୍ ମାରି, ଦିନ ସାରା ଶୋଇଲା ପରେ ବି ଗୋଡ଼ରୁ ପୀଡ଼ା ଯାଇ ନଥିଲା । ସୋମବାର ଅଫିସରେ ଦେଖାହେଲା ୭ ଜଣଙ୍କ ସହ, ବାକି ଦୁଇଜଣ ଛୁଟିରେ ଥିଲେ ।

ଏବେ ବି ଗୋଡ଼ରୁ ପୀଡ଼ା ଯାଇନି । ଏବେ ବି ଘର ଓ ଅଫିସର ସିଡି ଚଢ଼ିଲା ବେଳକୁ ଚଢ଼ି ଯାଉଛି ସିନା, ଓଲ୍ଲେହିଲେ ମନେ ପଡ଼ୁଛି ଶେଷ ତିନିହଜାର ପାହାଚ ଓ଼ହ୍ଲେଇବା କଥା ।

ଆହୁରି ବି ମନେ ପଡୁଛି…..(??)

ପଛକୁ ଚାହିଁ ପାହାଡ଼କୁ କହି ଆସିଥିଲି, “ଆଉ ଥରେ ଆସିବି ନିଶ୍ଚିତ…”

ଜୟ ଗିରନାରୀ …..

 

ଗିରନାର ପାହାଡ଼଼ ଚଢ଼ିବା ପୂର୍ବରୁ କିଛି ଜାଣିବା କଥା:

୧. ପାହାଡ଼଼ ଉପରେ ଜଳୀୟ ବାଷ୍ପର ସାନ୍ଦ୍ରତା (Humidity) ସକାଳ ୯ଟା ପରେ ବଢ଼ିଯାଏ, ତେଣୁ ବଡି ଭୋର ୩ଟାରୁ ୫ଟା ଭିତରେ ଚଢ଼ା ଆରମ୍ଭ କରିବା ଭଲ ।
୨. ପାହାଡ଼ ଉପରେ ଲାଇଟ ଓ ଅନ୍ୟ ସୁବିଧା ଥିଲେ ମଧ୍ୟ, ବେଳେବେଳେ କେହି କେହି ଜଙ୍ଗଲୀ ଜନ୍ତୁଙ୍କୁ ଦେଖିଥିବାର କୁହନ୍ତି, ତେଣୁ ଦିନ ଥିବା ଭିତରେ ହିଁ ଚଢ଼ିବା ଓ ଓହ୍ଲେଇବା ଭଲ । ସାଙ୍ଗରେ ଟର୍ଚ୍ଚଟିଏ ରଖନ୍ତୁ । ହାଲକା ଟର୍ଚ୍ଚ ତଳେ ଦୋକାନରେ ମିଳିବ ।
୩. ଶୀତ ଦିନେ ହିଁ, ଏ ପାହାଡ଼଼ ଚଢ଼ିବା ଭଲ । ଖରାଦିନେ ଗରମ ଓ ବର୍ଷାଦିନେ ଖସଡ଼ା ପଥରରୁ ଖସିବାର ଭୟ ଥାଏ । ତେଣୁ ଅକ୍ଟୋବରରୁ ଫେବୃଆରୀ ମାସ ହେଉଛି ପାହାଡ଼ ଚଢ଼ିବା ପାଇଁ ପ୍ରକୃଷ୍ଟ ସମୟ ।
୪. ଚଢ଼ିବା ବେଳେ ଭଲ, ହାଲକା ଓ ସ୍ପଞ୍ଜ ଜୋତା ହିଁ ବ୍ୟବହାର କରନ୍ତୁ, ଅଧିକ ଓଜନ କିମ୍ବା ଚମଡ଼ା ଜୋତା ଫାଟି ଯିବାର ଭୟ ଥାଏ । ଓଜନ ଜୋତା ଫେରିଲା ବେଳକୁ ଅଧିକ କଷ୍ଟ ଦେଇ ପାରେ ।
୫. ଚଢ଼ିବା ପାଇଁ ବାଉଁଶ ବାଡି଼ଟିଏ ସାଙ୍ଗରେ ରଖନ୍ତୁ । ମାତ୍ର ୧୦ଟଙ୍କା ଭଡ଼ାରେ ଏହା ମିଳେ । ଅଧିକ ମୋଟା କିମ୍ବା ଅଧିକ ପତଳା ବାଡ଼ି ନିଅନ୍ତୁ ନାହିଁ ।
୬. କମଣ୍ଡଳୁ କୁଣ୍ଡରେ ମହାପ୍ରସାଦ ଖାଇବାକୁ ଯେମିତି ନ ଭୁଲନ୍ତି ।
୭. ଡୋଲୀ କିମ୍ବା ଜିନିଷ ବୋହୁଥିବା ଲୋକମାନେ ବେଳେ ବେଳେ ମିଛ କଥା କୁହନ୍ତି, “ଚଢ଼ି ପାରିବନି, ଜିନିଷ ବୋହି ହେବନି, ବହୁତ ଦୂର, ବହୁତ କଷ୍ଟ” ଇତ୍ୟାଦି । ନିଜ ଉପରେ ବିଶ୍ୱାସ ରଖନ୍ତୁ ଓ ସମୟ ନେଇ ଚଢ଼ିବାକୁ ଯାଆନ୍ତୁ । ଯିବା ପୂର୍ବରୁ ଇଣ୍ଟରନେଟରୁ ଜାଗା ବିଷୟରେ କିଛି କିଛି ଜ୍ଞାନ ରଖିବା ଭଲ ।
୮. ଭଗବାନଙ୍କ ନାମ ନେଇ, କୌଣସି ଭଲ ଗୀତ ଶୁଣି ଶୁଣି ଓ ଗୁଣୁ ଗୁଣେଇ କିମ୍ବା ସାଙ୍ଗମାନଙ୍କ ସହ ହସ ଖୁସି ହୋଇ ଯାଆନ୍ତୁ, ଚଢ଼ିବାର କଷ୍ଟ ଜଣାପଡ଼ିବ ନାହିଁ । ପୁରା ପାହାଡ଼ ଚଢ଼ିବା କିମ୍ବା ଓହ୍ଲେଇବାକୁ ଅନ୍ୟ ରାସ୍ତା ନାହିଁ । ଆପଣଙ୍କୁ ନିଜେ, ପାଦରେ ଚାଲିଚାଲି ଯିବାକୁ ଓ ଓହ୍ଲେଇବାକୁ ପଡ଼ିବ ।
୯. ପେନ କିଲର, ମୁଭ ଓ ଅନ୍ୟ ଅତି ଦରକାରୀ ଜିନିଷ ସାଙ୍ଗରେ ରଖନ୍ତୁ । ଅଧିକ ଲଗେଜ ବା ଜିନିଷ ପତ୍ର ସାଙ୍ଗରେ ନିଅନ୍ତୁ ନାହିଁ । ଫେରିବା ବେଳେ ପିନ୍ଧିଥିବା ହାତ ଘଣ୍ଟା ବି ବୋହିବାକୁ କଷ୍ଟ ଲାଗିପାରେ । ପାଣି ଓ ଅନ୍ୟ ଖାଇବା ଜିନିଷ ଅଳ୍ପ ଅଧିକ ପଇସାରେ ବାଟସାରା ପ୍ରାୟ ୫୫୦୦ ପାହାଚ ପର୍ଯ୍ୟନ୍ତ ମିଳିବ, ଗୁରୁ ଶିଖର ଯିବା ପୂର୍ବରୁ ପାଣି ବୋତଲଟିଏ ପାଖରେ ରଖନ୍ତୁ ।
୧୦. ରୋଗୀ, ଶ୍ୱାସ ରୋଗୀ, ହୃଦୟ ରୋଗୀ ପାହାଡ଼ ଚଢ଼ିବାରୁ କ୍ଷାନ୍ତ ରୁହନ୍ତୁ । ପାହାଡ଼ ତଳେ ଥାଇ ଭଗବାନଙ୍କୁ ଡାକିଲେ ବି ସେ ଶୁଣିବେ । ଯିବାକୁ ଇଚ୍ଛା ଥିଲେ ପାହାଡ଼ ତଳୁ ଡୋଲୀଟିଏ ଭଡ଼ା କରନ୍ତୁ । ଓଜନ ଅନୁସାରେ ଯିବା ଆସିବା ୧୨୦୦୦ ରୁ ୨୫୦୦୦ ଯାଏଁ ଟଙ୍କା ଲାଗିବ ।

****ସମାପ୍ତ****

ପୁରା ଭ୍ରମଣ କାହାଣୀଟି ପଢ଼ିଥିବାରୁ ଅଶେଷ ଧନ୍ୟବାଦ… ଭ୍ରମଣ କାହାଣୀ ଭାବେ ଏ କାହାଣୀଟି ମୋର ପ୍ରଥମ ଲେଖା । ଲେଖାଟି ସମସ୍ତଙ୍କୁ ଭଲ ଲାଗିଥିବ ବୋଲି ଆଶା..
ତେବେ ପଢ଼ନ୍ତୁ, ମଜା ନିଅନ୍ତୁ ଓ ମତାମତ ଦିଅନ୍ତୁ…. ଜୟ ଜଗନ୍ନାଥ…

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...