ଭାର୍ଗବୀ କୂଳର ସେହି ଗାଁ…

Bhargabi Kulara Se gaon

ନବେ ଦଶକର ଆରମ୍ଭର କଥା, ବୋଧହୁଏ ୬ଷ୍ଠ ଶ୍ରେଣୀରେ ପଢ଼ୁଥାଏ । ଚିତ୍ର ଆଙ୍କିବାରେ ଭୋକ ଶୋଷ ଭୁଲିବା ଭଳି ଗମ୍ଭୀର ନିଶାରେ ପଡ଼ିଥାଏ । ଯଦିଓ ପାଠପଢ଼ାରେ କମଜୋର୍ ନଥିଲି କିନ୍ତୁ ଚିତ୍ର ଆଙ୍କିବା ଓ ବହି ତଥା ପତ୍ରିକା ପଢ଼ା ଭଳି ଅଭ୍ୟାସ ଆପଣେଇ ନେଇଥିଲି । ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ପରିଚାଳିତ ସହରର ଏକମାତ୍ର ପାଠାଗାର ଥିଲା ଛୁଟିଦିନିଆ ବହି ପଢ଼ାର କେନ୍ଦ୍ର । ବୟସ କମ୍ ଥିବାରୁ ଅନେକ ବହି ପଢ଼ିବା ପାଇଁ ମିଳୁନଥିଲେ ମଧ୍ୟ ନୂଆ ନୂଆ ୬ଷ୍ଠ ଶ୍ରେଣୀରେ ଇତିହାସ ବିଷୟ ଆରମ୍ଭ ହୋଇଥିବା ବାହାନା ନେଇ ଓଡ଼ିଶାର ଇତିହାସର ଅନେକ ବହି ପଢ଼ିଥିଲି ସେଇ ପାଠାଗାରରେ । ଉତ୍କଳ ଦିବସ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ହେଉଥିବା ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ସ୍କୁଲ ପକ୍ଷରୁ ମନୋନୀତ ହୋଇ ପରୀକ୍ଷା ଦେଇଥିଲି ସେହି ପାଠାଗାରରେ । ବିଷୟବସ୍ତୁ ଥିଲା, “ପ୍ରିୟ ସ୍ୱାଧୀନତା ସଂଗ୍ରାମୀ” । ପ୍ରାୟତଃ ସମସ୍ତେ ଗାନ୍ଧୀ, ନେହେରୁ, ଇନ୍ଦିରା ଓ ସୁଭାଷ ବୋଷଙ୍କ ଚିତ୍ର ଆଙ୍କିଥିଲେ ହେଲେ ଏକମାତ୍ର ବ୍ୟତିକ୍ରମ ଥିଲି ମୁଁ । ଅନେକ ଦିନରୁ ପାଠାଗାର କାନ୍ଥରେ ଲାଗିଥିବା ଜଣେ ଧୋତି ପିନ୍ଧା ଲମ୍ୱା ଦାଢ଼ୀ ରଖା କିନ୍ତୁ ଆଖିରେ ଦରଦପଣ ଝଲସି ଉଠୁଥିବା ବ୍ୟକ୍ତିଙ୍କ ଚିତ୍ର ଆଙ୍କି ପ୍ରଥମ ପୁରସ୍କାର ପାଇଥିଲି । ସେହି ଦିନରୁ ତାଙ୍କ ବିଷୟରେ ଜାଣିବା ପାଇଁ ଆଗ୍ରହ ବଢ଼ିବାରେ ଲାଗିଥିଲା କିନ୍ତୁ ଶ୍ରେଣୀ ବଢ଼ିବା ସହିତ ପାଠର ବୋଝରେ ପଡ଼ି କେତେବେଳେ ଚାକିରୀ ଜୀବନ ଆରମ୍ଭ ହୋଇଯାଇଥିଲା ଜଣାପଡ଼ିନଥିଲା ।

ଏକବିଂଶ ଶତାବ୍ଦୀର ଆରମ୍ଭରେ ପୁରୀ ଜିଲ୍ଲାକୁ ବାପାଙ୍କ ବଦଳି ହୁଏ ତା’ସହ ମୋତେ ସୁଯୋଗ ମିଳେ ଜିଲ୍ଲାର ଅନେକ ଗାଁ ବୁଲିବାକୁ । ଥରେ ବାପାଙ୍କ ଜଣେ ସହକର୍ମୀଙ୍କ ଗାଁକୁ ବୁଲିଯିବା ସମୟରେ ଭାର୍ଗବୀ ନଦୀ ପୋଲ ପାର ହେବା ବେଳେ ଆଖିରେ ପଡ଼ିଲା ଲେଖା “ଉତ୍କଳମଣୀ ସେତୁ” ଆଉ ସେଦିନ ଥିଲା ୯ ଅକ୍ଟୋବର । ଉତ୍ସବମୁଖର ଭାର୍ଗବୀ କୂଳର ସେ ଗାଁ ବୁଲିବାର ଅଭିଳାଷ ପରିତ୍ୟାଗ କରିବା ଅସମ୍ଭବ ଥିଲା ମୋ ପାଇଁ । ସେତୁ ପରର ବାମ ପଟେ ସେ ବନ୍ଧ ଦେଇ ଚାଲୁଥିବା ସମୟରେ ଆଖିରେ ପଡ଼ିଥିଲା ନଦୀର ଦୁଇ କୂଳକୁ, ଯାହା ନୂଆ ତିଆରି ହୋଇଥିବା ପଥର ଯୋଡ଼େଇ ସହିତ ଅତି ସୁରକ୍ଷିତ ଲାଗୁଥିଲା । ହେଲେ ଉନବିଂଶ ଶତାବ୍ଦୀର ସେ ବନ୍ଧ କେତେ ଯେ ଘର ଭାଙ୍ଗିଥିଲା ତାହାର ହିସାବ ନାହିଁ; କିନ୍ତୁ ଭାଙ୍ଗି ପାରିନଥିଲା ଜଣେ ଲୋକର ଦମ୍ଭ ଓ ସାହାସକୁ । ନିଜ ଘରେ ପଛେ ଖାଇବାପାଇଁ ନଥାଉ, ନିଜ ଘର ପଛେ ପାଣି ବୁଡ଼ି ଆଣ୍ଠୁଏ ହେଉ କିମ୍ୱା ନିଜ ଏକମାତ୍ର ପୁଅ ପଛେ ରୋଗ ଶଯ୍ୟାରେ ପଡ଼ିଥାଉ ଅନ୍ୟର ଦୁଃଖ ଦେଖି କାନ୍ଦି ପକାଉଥିବା ସେ ଦରଦୀ ମଣିଷର ଗାଁ ଓ ଘର ବୁଲି ଦେଖିବା ମୋ ପାଇଁ ଏକ ଅନନ୍ୟ ଅନୁଭୂତି ଥିଲା ।

Bhargavi River

ବନ୍ଧରୁ ସିଧା ଗାଁ ଭିତରକୁ ଡାହାଣକୁ ଯେଉଁ ରାସ୍ତା ଅଛି ସେଥିରେ ଗଲେ ୫/୬ ଘର ପରେ ପଡ଼ିବ ଏକ ଘର, ଯାହା କୌଣସି କାରଣରୁ ଜଣେ ଏତେ ବର୍ଷ ରାଜନୈତିକ ଜୀବନରେ ରହିଥିବା ଏତେ ବଡ଼ ଶିକ୍ଷାନୁଷ୍ଠାନ କରିଥିବା ତଥା ଅତି ପ୍ରତିଷ୍ଠିତ ସମ୍ୱାଦ ପତ୍ରର ପ୍ରକାଶକଙ୍କ ଘର ବୋଲି ହୃଦବୋଧ ହୋଇନଥିଲା । ଘର ଆଗରେ ଥିବା ମହାପୁରୁଷଙ୍କ ଅବୟବ ପାଦତଳେ ମୁଣ୍ଡିଆ ମାରି ଯେବେ ଘର ଭିତରକୁ ଗଲି କାନ୍ଧରେ କ୍ୟାମେରା ପଡ଼ିଥିବା ଦେଖି ଜଣେ ଭଦ୍ରଲୋକ ସମ୍ୱାଦ ପତ୍ରର ପ୍ରତିନିଧି ଭାବି ସସମ୍ମାନେ ପାଛୋଟି ନେଇଥିଲେ ସିଧା ଡାହାଣ ପଟେ ଥିବା କୁଳ ଦେବତା ଶ୍ରୀ ଶ୍ରୀ ରାଧାବିନୋଦ ବିହାରୀ ଦେବଙ୍କ ମନ୍ଦିରକୁ । ଅବିକଳ ସେ ମହାମାନବଙ୍କ ଭଳି ଦିଶୁଥିବା ଜଣେ ବ୍ୟକ୍ତିଙ୍କ ସହ ପରିଚୟ ହୋଇ ଜାଣିଲି ସେ ହେଉଛନ୍ତି ସେ ଘରର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ପରିବାରର ମୁଖ୍ୟ । ଅତି ଅଣ ଓସାରିଆ ଅଗଣା ଡେଇଁ ପହଞ୍ଚିଲି ଏକ ଘରେ ଯେଉଁଠି ଲେଖାଥିଲା “ଉତ୍କଳମଣିଙ୍କ ଷଠୀଘର” ।

Gopabandhu Sathighara

ଆଖି ପଡ଼ିଥିଲା ଚାଳ ଛପରରୁ ପାଣି ଅଟକାଇବା ପାଇଁ ବନ୍ଧା ହୋଇଥିବା ପଲିଥିନ ଜରି ଖଣ୍ଡେ ଆଉ ତା’ ତଳେ ଥିବା କାଠ ଖଟ ଖଣ୍ଡେ । ଲୋକ ସେବକ ମଣ୍ଡଳର କର୍ମକର୍ତ୍ତାମାନଙ୍କ ଭାଷଣ ତଥା କବିତା ଆବୃତ୍ତି ଭିତରେ ମୋ ଆଖି ଯାଇ ବୁଲିଆସିଥିଲା ଘରର କୋଣ କୋଣରେ ଲୁଚିବାକୁ ଚେଷ୍ଟା କରୁଥିବା ଜନ୍ମପୀଠର ଦୟନୀୟ ଅବସ୍ଥା । “ଫଟୋ ଖଣ୍ଡେ ନିଅନ୍ତୁ ଆମ ସମସ୍ତଙ୍କର” ବୋଲି ଡାକ ଶୁଣି ପ୍ରକୃତିସ୍ଥ ହେଲି । ମନେମନେ ଭାବୁଥିଲି ଉତ୍କଳମଣିଙ୍କ ଘର ପରା ଇଏ, ସିଏ କେବେ ନିଜ ଅବସ୍ଥା କଥା ଯଦି ଭାବିନାହାନ୍ତି ତ ସରକାର ବି ଭାବିବେ କାହିଁକି !!

Suando Samaroha

ଗାଁର ପ୍ରମୁଖ ତଥା ସହୃଦୟ ବ୍ୟକ୍ତି ଜଣେ କହିଲେ ଚାଲନ୍ତୁ ଆପଣଙ୍କୁ ଗାଁ ବୁଲେଇ ଆଣିବି । ଏଭଳି ନିମନ୍ତ୍ରଣକୁ ମନା କରିବା ମୋ ପକ୍ଷରେ ଅସମ୍ଭବ ଥିଲା । ତତ୍‌କ୍ଷଣ ବାହାରି ପଡ଼ିଲୁ ପାଖରେ ଥିବା ସ୍କୁଲ ପରିସରକୁ । ଯଦିଓ ଉତ୍କଳମଣିଙ୍କ ପ୍ରାଥମିକ ଶିକ୍ଷା ପରିସମାପ୍ତିର ଅନେକ ବର୍ଷ ପରେ ବର୍ତ୍ତମାନର ଏ ସ୍କୁଲ ନିର୍ମିତ, କିନ୍ତୁ ପରିସର ମଧ୍ୟରେ ରହିଛି ସଦ୍ୟ ନିର୍ମିତ “ଉତ୍କଳମଣି ସ୍ମୃତି ପରିଷଦ” ନାମିତ ଏକ ଚାରିକାନ୍ଥ ଘେରା ଛାତରୁ ଚୁନ ଛାଡ଼ି ଥିବା ଘର । ଆଉ ସ୍ମୃତି କହିଲେ କେବଳ ଉତ୍କଳମଣିଙ୍କ ଏକ ଅର୍ଦ୍ଧ ଅବୟବ ଯାହା ଥିଲା ।

“ଉତ୍କଳମଣିଙ୍କ ଲିଖିତ କୌଣସି ବହି କି ବ୍ୟବହୃତ ଆସବାବପତ୍ର ଏଠି ରଖିନାହାନ୍ତି?” ପ୍ରଶ୍ନର ଉତ୍ତରରେ ଭଦ୍ରବ୍ୟକ୍ତି ଜଣକ କହିଲେ ସବୁକିଛି ସମାଜ ଭବନ କଟକରେ ସ୍ଥାନିତ । ଭାବୁଥିଲି ତେବେ ଏ ସ୍ମୃତି ପରିଷଦର ଉଦ୍ଦେଶ୍ୟ କ’ଣ ହୋଇପାରେ !

statchue of utkalamani gopabandhu das

କିଛି ସମୟ ବିତାଇ ପୁଣି ଚାଲିଲୁ ଭାର୍ଗବୀ କୂଳରେ ଥିବା ନୂତନ ଭାବେ ନିର୍ମିତ ଏକ ପଞ୍ଚସଖା ତୀର୍ଥକୁ । ପଞ୍ଚସଖାଙ୍କ ପ୍ରତିମୂର୍ତ୍ତିରେ ପଡ଼ିଥିବା ସକାଳର ସତେଜ ପୁଷ୍ପହାର ସବୁ ଗ୍ରାମର ଛାଗଳ ତଥା ସଜ୍ଜିତ କଦଳୀ ଗଛ ସବୁ ଗୋରୁଗାଈଙ୍କ ଖାଦ୍ୟ ପାଲଟିଯାଇଥିଲା । ପରିସରସ୍ଥ ଏକ ମନ୍ଦିର ଜଳମଗ୍ନ ତଥା ସାଂସଦ ପାଣ୍ଠିରୁ ନିର୍ମିତ ଏକ ରୋଷେଇ ଘର ତାଲା ବନ୍ଦ ଅବସ୍ଥାରେ ଥିବା ଦେଖି ବିଶେଷ ସମୟ ନନେଇ ବିଦାୟ ନେବା ପାଇଁ ଅନୁମତି ମାଗିଲି । “ଉତ୍କଳମଣିଙ୍କ ଗାଁ’କୁ ଆସିଛ ଅଥଚ ନଖାଇ ଚାଲିଯିବେ କିପରି?” କହିଲେ ସାଥିରେ ଥିବା ଭଦ୍ରବ୍ୟକ୍ତି ଜଣକ । ଚାଲିଲୁ ପୁଣି ଗାଁ ଭିତରକୁ । ଗାଁ ଭିତର ରାସ୍ତା ଅପେକ୍ଷାକୃତ ଭାବେ ଉନ୍ନତ ଅବସ୍ଥାରେ ଥିଲା । ଘର ସବୁ ପୁରୀ ଜିଲ୍ଲାର ଅନ୍ୟ ଗାଁ ପରି ନଡ଼ିଆ ଓ ଗୁଆ ଗଛର ଘେର ଭିତରେ । ବାହ୍ୟ ଅତିଥି ତଥା ଗ୍ରାମବାସୀଙ୍କ ନିମନ୍ତେ ଆୟୋଜିତ ହୋଇଥିଲା ପଂକ୍ତି ଭୋଜନର ବ୍ୟବସ୍ଥା । ମନେପଡ଼ିଥିଲେ ଉତ୍କଳମଣି । ବର୍ଷଣ ମୂଖର ରାତ୍ରି, ଦିନ ତମାମ ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ପାଖରେ ଚାଉଳ ଚୁଡ଼ା ପହଞ୍ଚାଇ ଉତ୍କଳମଣି ପହଞ୍ଚନ୍ତି ରାତି ଖାଦ୍ୟ ପାଇଁ । ଖାଉ ଖାଉ କାନ୍ଦି ପକେଇଥିଲେ ଉତ୍କଳମଣି ଲୋକଙ୍କ ଦୁର୍ଦ୍ଦଶା କଥା ଭାବି ।

Panchasakha Samadhi

ଗାନ୍ଧୀ ଆସିଥିଲେ ଓଡ଼ିଶା, ସବୁ ମହାନୁଭବଙ୍କ ଭୋଜନ ପାଇଁ ଉଚ୍ଚ ଜାଗାରେ ବ୍ୟବସ୍ଥା ଥିଲା, ରାଜ୍ୟ କଂଗ୍ରେସ ସଭାପତି ଭାବେ ଉତ୍କଳମଣିଙ୍କର ବି ସେଇଠି ଯୋଗଦେବାର ଥିଲା କିନ୍ତୁ ସିଏ ଯାଇ ବସିଗଲେ ସାଧାରଣ କର୍ମୀଙ୍କ ସହ ପଙ୍ଗତରେ । ଆଜି ତାଙ୍କରି ଗାଁରେ ତାଙ୍କର ସ୍ମୃତିଚାରଣ କରି ଚୁଡ଼ା଼ଘସା ଆଉ ଡାଲମା ଖାଇବାର ସୌଭାଗ୍ୟ ମିଳିଥିବା କଥା ଭାବି ମନ ପ୍ରଫୁଲ୍ଲିତ ଥିଲା ।

ପଞ୍ଚସଖାଙ୍କ ବକୁଳବନର ଶୀତଳ ଛାୟାରେ ଅପରାହ୍ନ ବିତାଇବା କଥା ଚିନ୍ତା କରି ବିଦାୟ ନେଲି ସେ ଭାର୍ଗବୀ କୂଳର ପୂଣ୍ୟଭୂମିରୁ । ପ୍ରଭୁ ସାକ୍ଷୀ ଗୋପାଳଙ୍କ ମନ୍ଦିରରେ ମୁଣ୍ଡିଆ ମାରି ଚାଲିଲି ଉତ୍କଳମଣିଙ୍କ ପ୍ରତିଷ୍ଠିତ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟକୁ । ପରିସର ଭିତରେ ଥିବା ଉତ୍କଳମଣିଙ୍କ ସମାଧିପୀଠରେ ନତମସ୍ତକ ହୋଇ ଛିଡ଼ା ହୋଇ କିଛିସମୟ ପାଖରେ ଥିବା ସେ ଚାଳ ଛପର କୋଠରୀ ସବୁକୁ ଦେଖି ବହିରେ ପଢ଼ିଥିବା ପ୍ରାକ୍ ସ୍ୱାଧୀନତା ସମୟର ସେ ଦୃଶ୍ୟର ସ୍ମୃତିଚାରଣ କରୁଥିଲି । ଯେଉଁଠି ଦିନେ ଉତ୍କଳମଣି, ପଣ୍ଡିତ ଗୋଦାବରୀଶ ମିଶ୍ର, ନୀଳକଣ୍ଠ ଦାସ ଆଦି ମନିଷୀମାନେ ଛାତ୍ରଙ୍କ ସୁନ୍ଦର ଭବିଷ୍ୟତ ଗଢ଼ି଼ବା ସହିତ ସ୍ୱାଧୀନତା ଆନ୍ଦୋଳନରେ ରୂପରେଖ ତଥା ବନ୍ୟା, ବାତ୍ୟା, ମହାମାରୀ ଇତ୍ୟାଦି ବିପର୍ଯ୍ୟୟର ସୁଚାରୁ ପରିଚାଳନା କରୁଥିଲେ ।

Satyabadi High School- Suando

ସ୍କୁଲର କିଛି ଛାତ୍ରଙ୍କ ସହ କଥାହୋଇ ଜାଣିଲି ଯେ ଆଜିର ଦିନ ବିଷୟରେ ସେମାନେ ଥିଲେ ସମ୍ପୂର୍ଣ୍ଣ ଅଜ୍ଞ, ଦୋଷ ଅବଶ୍ୟ ତାଙ୍କର ନୁହେଁ । କାହାର ସେକଥା ବିଚାର କରିବେ ପାଠକ ।

“ବକୁଳବନର କୋକିଳ କବି” ଲେଖାଟି ସାହିତ୍ୟ ବହିରେ ପଢ଼ିଥିବା ପ୍ରାୟତଃ ଛାତ୍ରଙ୍କ ଆଖିରେ ବକୁଳବନର ଏକ ସୁନ୍ଦର ଦୃଶ୍ୟ ରହିଥିବା କଥା ମୁଁ ନିଶ୍ଚିତ ଥିଲି ଯେପର୍ଯ୍ୟନ୍ତ ସ୍ୱଚକ୍ଷୁରେ ଦେଖିନଥିଲି । ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିସରର ଠିକ ପଶ୍ଚାତ ଭାଗରେ ଥିଲା ସେ ପ୍ରସିଦ୍ଧ ବକୁଳବନ, ଯେଉଁଠି ଦିନେ ଶ୍ରେଣୀ ଗୃହ ଅଭାବରୁ ଛାତ୍ରଛାତ୍ରୀ ମାନେ ପ୍ରକୃତି କୋଳରେ ପକ୍ଷୀମାନଙ୍କ ମଧୁର ତାନ ଶୁଣି ପ୍ରସିଦ୍ଧ ଶିକ୍ଷକମାନଙ୍କଠୁ ଶିକ୍ଷାଲାଭ କରୁଥିଲେ କିନ୍ତୁ ଆଜିର ବକୁଳବନର ଅବସ୍ଥା ଭିନ୍ନ । କବିମାନଙ୍କ ଅବୟବସବୁ ଜଙ୍ଗଲି ଲଟାରେ ଆବଦ୍ଧ ଥିଲା । ପ୍ରଶାସନ ତରଫରୁ ତିଆରି ହୋଇଥିବା କିଛି ଗୃହ ଏବଂ ଏକ ମୁକ୍ତ ରଙ୍ଗମଞ୍ଚ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଦେଖି ଦୋଷ କାହାକୁ ଦିଆଯିବ ଭାବୁଥିଲି ।

Radha-Binori Pitha

ବକୁଳବନରୁ ଏବେ ଆଉ ଶୁଭୁନି ସେ ମହାମାନବମାନଙ୍କ ସ୍ୱର, ଶୁଭୁଥିଲା ଉଚ୍ଚ ସ୍ୱରରେ ବଣଭୋଜିରତ କିଛି କଲେଜ ପିଲାଙ୍କ ନାଚଗୀତର ଶବ୍ଦ ତଥା କାଁ ଭାଁ ଘାସଚର ପଶୁଙ୍କ ଚଲାବୁଲାର ଶବ୍ଦ ।

ସଞ୍ଜ ନଇଁ ଆସିଥିଲା, ପାଖ ସାକ୍ଷୀ ଗୋପାଳ ମନ୍ଦିରରୁ ଘଣ୍ଟ ମର୍ଦ୍ଦଳର ଶବ୍ଦ ବି ଭାସି ଆସୁଥିଲା, ଆଉ ତା’ ସହିତ ମୋ ଫେରିବା ସମୟ ବି ହୋଇଯାଇଥିଲା । ମନ୍ଦିର ଭିତରକୁ ଯାଇ ପ୍ରଭୁ ସାକ୍ଷୀ ଗୋପାଳଙ୍କୁ ପ୍ରାର୍ଥନା ଜଣାଇ ଫେରି ଆସିଥିଲି ନିଜ କର୍ମ କ୍ଷେତ୍ରକୁ ।

Satyabadi School

ବିଦ୍ର:- ଲେଖାଟି କିଛି ବର୍ଷ ତଳେ ସୁଆଣ୍ଡୋ ଓ ସତ୍ୟବାଦୀ ଭ୍ରମଣ ଉପରେ ପର୍ଯ୍ୟବେସିତ, ଅବଶ୍ୟ ବର୍ତ୍ତମାନ ସୁଆଣ୍ଡୋ ଓ ବକୁଳବନର ବିଶେଷ କିଛି ପରିବର୍ତ୍ତନ ହୋଇଥିବ ବୋଲି ଆଶା ନାହିଁ ।

ସାଇ ପ୍ରକାଶ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...