ବଡ଼ମା

Badama

ଫେବୃଆରୀ ମାସର ଶୀତୁଆ ସକାଳ, ବରଫ ଗଦା ଭିତରକୁ ଝରକା କାଚଆଡ଼ୁ ଚାହିଁ ରହିଥିଲା ଶୈଳଜା । ରାତିର ଗଦାଏ ବାସନକୁ ଧୋଇବାକୁ ପଡ଼ିବ । ଗ୍ଲୋଭ୍‌ସ୍ ଦୁଇଟାକୁ ପିନ୍ଧି ପକେଇଲା ସେ ଚଞ୍ଚଳ ଚଞ୍ଚଳ । ବାସନଧୋଇବା ମେସିନଟାର କ’ଣହେଇଛି କେଜାଣି, ଜମା ଛାଡ଼ୁନି ଅଁଇଠାଗୁଡ଼ାକ । ଝରକା କାଚରୁ ବାହରଟା ଲାଗୁଥିଲା ପରୀରାଇଜ ଭଳି । ଧଳା ମଖମଲିଚାଦରଟେ ଯେମିତି କିଏ ବିଛେଇ ଦେଇଛି । ଛୁଆ ସୂର୍ଯ୍ୟଙ୍କ କିରଣରେ ଲୋଭନୀୟ ଦେଖା ଯାଉଥିଲା ବାହାର ପରିବେଶ ।

ପ୍ରଥମାଷ୍ଟମୀ ପାଇଁ ଘରକୁ ଫୋନ କରିଥିଲା ସେ । ବିଦେଶରେ ରହି ପୂଜାପର୍ବ ଦିନରେ ଟିକେ ମାଆ ସହିତ କଥା ନହେଲେ ମନ ଭଲ ଲାଗେନି । ଦୁଇ ମାମୁଁ, ମାଆ ତା’ର ଗାଆଁରେ ଥିଲେ । ବଡ଼ମା ଦେହ ଅଚାନକ ଖରାପ ଶୁଣି ରାତା’ରାତି ସମସ୍ତେ ପହଞ୍ଚଥିଲେ ଗାଁରେ । ମା’ର ସ୍ୱରଟା ଭାରି କାନ୍ଦୁରା ଶୁଭୁଥିଲା ତାକୁ । ମନ ତା’ର ଉଡ଼ିଯାଉଥିଲା ସେହି ପରିବେଶକୁ । ନୂଆଁଣିଆ ଚାଳଘର, ମାଟିକାନ୍ଥ, ସେ ଧାନ କିଆରୀ, ଖୋଲା ଅଗଣା, ନାଳବନ୍ଧର ସ୍ମୃତି ତାକୁ ବ୍ୟସ୍ତ କରିପକାଉଥିଲେ । ଆଈକୁ ସେ କାହିଁକି ବଡ଼ମା ଡାକୁଥିଲା, ସେ ନିଜେ ଜାଣିନି । ମାଆ କୁହେ ମା’ର ମାଆ, ମା’ଠୁ ବଡ଼, ତେଣୁ ବଡ଼ମା । ଅଜାଙ୍କୁ ଡାକୁଥିଲେ ସେମାନେ ଭାଇ ବୋଲି । ଭାଇଙ୍କର ଯିବା ପାଞ୍ଚ ବର୍ଷ ହୋଇଗଲାଣି । ସେ ଦିନ ମନେପଡ଼ିଲେ ଘାଣ୍ଟି ହେଇଯାଏ ତା’ ଭିତରଟା । ମୃତ୍ୟୁକୁ ଏତେ ପାଖରୁ ଦେଖିନଥିଲା ଶୈଳଜା । ସେ ସତ୍ୟକୁ ସ୍ୱୀକାର କରିବାକୁ କିଛି ସମୟ ଲାଗିଥିଲା ତାକୁ । ସମୟ କାହାପାଇଁ ଅପେକ୍ଷା କରେନି । ସମୟର ଚକ ଗଡ଼ିଚାଲେ ତା’ ଗତିରେ ।

ଭାଇ ଚାଲିଗଲା ପରେ ବଦଳି ଯାଇଥିଲା ବଡ଼ମା । ଅଦ୍ଭୁତ ମଣିଷଟିଏ ପାଲଟି ଯାଇଥିଲା ସେ; ସମସ୍ତେ କହୁଥିଲେ ଭାରି ସ୍ୱାର୍ଥପର ହୋଇଯାଇଛି ସେ । ତା’ ନିଜ ଛଡ଼ା ବୁଝୁ ନଥିଲା ସେ କାହାକଥା । ତା’ ଦେହ ପା, ତା’ ଔଷଧ, ତା’ ବିଛଣା ହିଁ ଥିଲା ତା’ର ପୃଥିବୀ । ଗାଁକୁ ଫୋନ୍ କଲେ ତା’ରି କଥା ଚର୍ଚ୍ଚାରେ ଫୋନ୍ ରଖିବା ସମୟ ହୋଇଯାଉଥିଲା । କେମିତି ଏତେ ବଦଳି ଗଲା ମଣିଷଟା? ଭଗବାନ ପାଲଟି ଯାଇଥିଲେ ତା’ର ସବୁଠାରୁ ବଡ଼ ଶତ୍ରୁ, ଠାକୁର ଘର ସୀମା ମାଡ଼ୁ ନଥିଲା ସେ । ଶୈଳଜା ଦେଖିଥିଲା ଅନ୍ୟ ରୂପଟିଏ ବଡ଼ମା’ର । ମନେପଡ଼ୁଥିଲା ତା’ ପିଲାଦିନ କଥା ତା’ର । ଖରାଛୁଟିରେ ଗାଁକୁ ଗଲେ କେତେ ଆଦର, ଅଭ୍ୟର୍ଥନାରେ କଟୁଥିଲା ସେ ଦିନଗୁଡ଼ାକ । ତା’ ରନ୍ଧା ଭାତ, ତିଅଣରେ ଥିଲା ଅପୂର୍ବ ସ୍ୱାଦ । ମାଟି ହାଣ୍ଡି, ପଲମ, ଆଉ ନଡ଼ିଆ ଡଙ୍କିରେ କରୁଥିଲା ସେ ଚମତ୍କାର । ବଡ଼ମା ହାତ ତିଆରି ଦହିଛେନାର ସ୍ୱାଦ ସେ ଆଜିଯାଏ କୋଉଠି ବି ପାଇନି । ମଝିଦୁଆରେ ଘଷି ନିଆଁରେ ଘୋଳଦହି ସିଝୁଥିଲା ଘଣ୍ଟା ଘଣ୍ଟା । ଆଉ ତା’ପରେ, ସେ ଭିତରୁ ବାହାରୁ ଥିଲା ହାଲ୍‌କା ଗୋଲାପୀ ରଙ୍ଗର ଅର୍ପୂବ ସ୍ୱାଦଯୁକ୍ତ ଛେନା । ଏବେ ମାମୁଁ ଘରକୁ ଗଲେ ଗୁଡ଼ିଆଘରୁ ଦହିଛେନା ମଗିବା ହୁଏ ତା’ ପାଇଁ, କିନ୍ତୁ ମନ କ’ଣ ବୁଝେ ସେଥିରେ ! ଏବେ ସେହି ବଡ଼ମା ବିଛଣାରେ । ପିଲାମାନେ ତା’ର ସବୁ ସେଇଠି, କେତେ କଷ୍ଟ ସେ ନପାଉଛି ସତରେ, ସମସ୍ତେ କହୁଛନ୍ତି ଚାଲିଯାଉ ସେ, ଶୀଘ୍ର ମୁକ୍ତି ପାଇଯାଉ ଏ ନର୍କରୁ । ଶୈଳଜା ମନକୁ ବୁଝେଇପାରୁନଥିଲା । କିନ୍ତୁ କିଏ ଭରିବ ସେ ଶୂନ୍ୟତାକୁ? ଜନ୍ମ ସତ୍ୟ ହେଲେ, ମୃତ୍ୟୁ ବି ସତ୍ୟ, ଧରା ପୃଷ୍ଠରେ ଦିଅଁ ଦେବତା ବି ଛାଡ଼ ପାଇନାହାନ୍ତି, ସୃଷ୍ଟିର ନିୟମରୁ, ଆଉ ଆମେ ତ ଛାର ମଣିଷ । ସବୁ ବୁଝି ବି କିଛି ବୁଝି ପାରୁନଥିଲା ସେ । ଆଉ କ’ଣ ସେ କାହାକୁ ବଡ଼ମା ବୋଲି ଡାକିପାରିବ? ନା ତା’ ଡାକ ଶୁଣି କିଏ “ଓଲୋ” ବୋଲି ଜବାବ ଦବ ଯେ?

ମା’ଠାରୁ ଶୁଣିଥିଲା ବଡ଼ମାର ଜୀବନ କାହାଣୀ । ଗୁଆଳିପୁର ଜମିଦାର ହରିହର ପଟନାୟକଙ୍କ ଏକମାତ୍ର ସନ୍ତାନ । ମାତ୍ର ଅଢ଼େଇ ବର୍ଷ ବୟସରେ ହଇଜାରେ ପିତୃହରା ହୋଇଯାଇଥିଲା ସେ । କଞ୍ଚା ବୟସରେ ସ୍ୱାମୀକୁ ହରେଇଲା ପରେ, ଝିଅ ମୁଁହକୁ ଚାଁହି ପଡ଼ିରହିଥିଲା ମାଆ ତା’ର ଶାଶୁଘରେ । ମାତ୍ର ଦେଡ଼ଶୁରଙ୍କର କୋପରୁ ନିଜକୁ ବଞ୍ଚଇନପାରି, କ୍ଷୀର ଖାଉଥିବା ଛୁଆକୁ ଛାଡ଼ି ସେ ପଳାଇଯାଇଥିଲେ ତା’ ବାପଘରକୁ । ବଡ଼ମା କିନ୍ତୁ ରହିଯାଇଥିଲା ତା’ ବଡ଼ବାପା, ବଡ଼ବୋଉ ଆଉ ତିନି ଭାଇଙ୍କ ସହିତ । କ୍ଷୀର ଖାଇବା ସମୟ ହେଲେ ମାଆ ତା’ର ପଳାଇ ଆସୁଥିଲା ପଡ଼ିଶା ଘରକୁ । ଦିନ ଗଡ଼ିଚାଲିଲା । ଅତି ଅଲିଅଳି, ଗେହ୍ଲା ବସରରେ ସେ ପାଲଟିଗଲା ବଡ଼ବାପା ମହେଶ୍ୱର ପଟନାୟକଙ୍କର ଝିଅ । ଅମାପ ପୈତୃକ ସମ୍ପତ୍ତିର ମାଲିକାଣୀ, ଷଷ୍ଠ ଶ୍ରେଣୀରେ ପାଠ ପଢ଼ୁଥିଲାବେଳେ ବାହାଘର ପାଇଁ ଆରମ୍ଭ ହେଲା ତା’ ପାଇଁ ସୁପାତ୍ର ଖୋଜା ।

ର୍ଦୁଯୋଗ କିମ୍ୱା ସୁଯୋଗକୁ ମହେଶ୍ୱର ପଟ୍ଟନାୟକଙ୍କର ସ୍ତ୍ରୀ ପଡ଼ିଲେ ରୋଗରେ । ଡାକ୍ତରି ପଢ଼ି ସାରି ପ୍ରାକ୍ଟିସ୍ କରୁଥିଲେ ଭାଇ । ତାଙ୍କରି ହାତରୁ ଔଷଧ ଖାଇ ଭଲହୋଇଗଲା ବୁଢ଼ି । ଏ ଡାକ୍ତର ପୁଅର ଭାରି ଭଲ ହାତ, ୟାଙ୍କୁ ହିଁ ଜ୍ୱାଇଁ କରିବି ବୋଲି ଜିଦି ଧରି ବସିଲା ସେ । ଜାତକ ମେଳକ ପରେ ଖୁବ ଯାକଜମକ, ଯାନିଯୈାତୁକ ସହିତ ହେଲା ବାହାଘର । ଶୈଳଜାଙ୍କୁ ତାଙ୍କ ଦୁଇଜଣଙ୍କ ଯୋଡ଼ି ଲାଗେ ପୁରା “ବ୍ଲାକ୍ ଏଣ୍ଡ୍ ହ୍ୱାଇଟ୍” । ଭାଇ ଏକଦମ କଳାକୁ ବଡ଼ମା ଠିକ୍ ଓଲଟା । ଚମ୍ପା ରଙ୍ଗର ଦେହକୁ, ଲମ୍ୱା ସଳଖ ଚେହେରା, ଠିଆ ନାକ, ବଡ଼ ବଡ଼ ଆଖି, ଏକଦମ ସଖୀ କଣ୍ଢେଇ ଭଳି ରୂପ । ଭାଇଙ୍କର ବାପା ଥିଲେ ଓଭରସିୟର୍ । ଖୁବ ନାଁ କରା ପରିବାରକୁ ବାହାହେଇ ଆସିଲା ସେ, ଆଉ ଆଣିଥିଲା ଅଣ୍ଟିଏ ସ୍ୱପ୍ନ । ସେ ସ୍ୱପ୍ନ ଭାଙ୍ଗିବାକୁ ବେଶୀ ସମୟ ଲାଗିଲାନି । ସନ୍ତାନଟିଏ ଦେଇପାରିଲାନି ସେ ସେହି ଘରକୁ । ଆରମ୍ଭ ହେଲା ଛି’ଛାକର, ଗାଳିମନ୍ଦ ଆଉ ଗୋଟିଏ ନୂଆ ନାଁର ଡାକ “ବାଞ୍ଝ” । ଏତେ ଯନ୍ତ୍ରଣା ସହିନପାରି ଫେରି ଯାଇଥିଲା ସେ ବାପଘରକୁ । ଭାଇଙ୍କ ମାଆ ଜିଦ୍ ଧରିବସିଲେ, “ଆଉ ଆଣିବିନି ସେ ବାଞ୍ଝକୁ, ପୁଅ ମୋର ଆଉଥରେ ବାହାହବ ।” ଅଜା ଜିଦ୍ ଧରିବସିଲେ, ସେ କଥା ହୋଇପାରିବନି । ପୁଅର ଜିଦ୍ ଆଗରେ ବୁଢ଼ି ହାର୍ ମାନିଲା । ବଡ଼ମା ପୁଣି ପୁଆଣି ହୋଇ ଆସିଲା ମହାନ୍ତି ଘରକୁ । ବିତିଗଲା ଦଶବର୍ଷ । ଗଡ଼ିଚାଲିଲା ସମୟର ଚକ । କୋଳରେ ପିଲାଟେ ପାଇଁ ବ୍ୟସ୍ତ ହୋଇପଡ଼ୁଥିଲା ସେ । । ବାୟାବାବାଙ୍କ ମଠରୁ ଆସିଥିଲେ ନିଶିମାତା । ଗୁହାରୀ ଶୁଣିଲା ପରେ ଦେଲେ ବାବାଙ୍କ ବିଭୂତି ଆଉ ଚନ୍ଦନ । କହିଦେଇଗଲେ ରବିନାରାୟଣ ବ୍ରତ ଆରମ୍ଭ କରିବାକୁ । ମନଯୋଗ ଦେଇ ଡାକିଥିଲା ସେ ପ୍ରଭୁଙ୍କୁ, “ହେ ଠାକୁରେ ପିଲାଟିଏ କୋଳକୁ ଦିଅ ।” ଦୁଃଖ ଶୁଣିଲେ ରବିନାରାୟଣ । ବ୍ରତ ଉଦ୍‌ଯାପନା ପରେ ପରେ ମାଆ ଆସିଲା ମୋ’ର କୋଳକୁ ତା’ର, ତା’ପରେ ବଡ଼ମାମୁଁ, ଦୁଇ ଯାଁଆଳା ଝିଅ, ଆଉ ସାନମାମୁଁ । ଯାଆଁଳା ଝିଅ ଦୁଇଟି ଆଗପଛ ହୋଇ ଚାଲିଗଲେ କିଛି ଅଜଣା କାରଣରୁ । ପିଲାଙ୍କ ମୁହଁକୁ ଚାହିଁ ଭୁଲିଗଲା ସେ ଦୁଃଖ । ଘର ପୂରି ଉଠିଲା ତା’ର ସୁଖରେ । ଘରପରିବାର, ସ୍ୱାମୀ ଆଉ ପିଲାଙ୍କୁ ଧରି ଜୀବନ ବିତିଲା । ନିଜ ପ୍ରାକ୍ଟିସ୍ ଏବଂ ଭାଇମାନଙ୍କ ସେବାରେ ବ୍ୟସ୍ତ ଥିଲେ ଅଜା । ହଠାତ୍ ଶ୍ୱଶୁର ତା’ର ଚାଲିଗଲେ ଆରପାରିକୁ, ଘଣ୍ଟାକଣ୍ଟା ପୁଣି ଫେରିଆସିଲା ପୂର୍ବ ସ୍ଥାନକୁ । ସମ୍ପତ୍ତି ଭାଗବଣ୍ଟାକୁ ନେଇ ଚାଲିଲା ଭାଇଭାଇଙ୍କର ଝଗଡ଼ା । ନରମ ସ୍ୱଭାବକୁ ନେଇ ଯା’ମାନେ କରିଚାଲିଲେ ଅତ୍ୟାଚାର । ବାପଘରୁ ଆଣିଥିବା ଜିନିଷ ସବୁ ବୁହା ହେଇଗଲା ନଣନ୍ଦମାନଙ୍କ ଘରକୁ । ରୋଷେଇ ଘରକୁ ପ୍ରବେଶ ନିଷେଧ କରିଦେଲେ ଯା’ମାନେ; ଆଖି ସାମ୍ନାରେ ପିଲାମାନେ ଗଡ଼ି ଯାଉଥିଲେ ଭୋକଉପାସରେ । ବଡ଼ଭାଇମାନଙ୍କୁ ମୁହଁ ଟେକି କିଛି କହିପାରୁନଥିଲେ ଅଜା । ଏତେ ବଡ଼ଘରର ଝିଅ, ଏତେ ବଡ଼ଘରର ବୋହୂର ଜୀବନରେ ଆରମ୍ଭ ହେଲା ନୂଆ ଯୋଗଟିଏ; ‘ଦାରିଦ୍ର୍ୟ’ ।

ଦୁଃଖକଷ୍ଟରେ ବିତିଚାଲିଲା ସମୟ । କର୍ପୂର ଉଡ଼ିଗଲା, ପଡ଼ିରହିଲା କନା । କାଳର ଚକି ତଳେ ପେଶି ହୋଇ ଯୈାବନ ଯେ କେତେବେଳେ ଅତୀତର ମାନସପଟଳରେ ଛବିଟିଏ ହୋଇଗଲା, ଜାଣିପାରିଲେନି ସେ ଦୁଇଜଣ । ଏତେ ଧନସମ୍ପତ୍ତି ଯେ କୁଆଡ଼େ କେମିତି ଉଭାନ ହୋଇଗଲା । ଛୁଆମାନେ ଯାହିତାହିରେ ମଣିଷ ହୋଇଗଲେ । ଶୈଳଜାର ମନେପଡ଼େ ତା’ ପିଲାଦିନ, ବଡ଼ମା ଭାଇଙ୍କ ସହିତ କାଟିଥିବା ସମୟ । ପୁନେଇଁ ପରବରେ ପିଠା ଗଢ଼ୁଥିବା ବଡ଼ମା, ବାଟଓଷାରେ ପୂଜା କରୁଥିବା ବଡ଼ମା, କଥା କଥାରେ ଢଗ କହୁଥିବା, ସାହି ବୋହୂଙ୍କ ସହିତ ବଡ଼ି ପାରୁଥିବା ବଡ଼ମା । ଭାରି ନିଆରା କାମ ତା’ର ସବୁ, ନିଠେଇ ନିଠେଇ ବସି କାମକରୁଥିବ ।

ଭାଇ ଜାଣିଥିଲେ ତା’ର ଜୀବନ ସଂଘର୍ଷର କାହାଣୀ । ବୁଝିପାରୁଥିଲେ ତା’ ଅକୁହା ଭାଷା । କେତେ ଦୁଃଖ ସେ ପାଇଥିଲା ତାଙ୍କ ପାଇଁ । ଶୈଳଜା ଦେଖିଛି, ହାଟରୁ ଆସିଲେ, ଆଣିଥିବା ନୂଆଫଳକୁ ଧୋଇ, କାଟି ଆଗେ ବଡ଼ମାକୁ ଦିଅନ୍ତି ସେ । ସକାଳ ସଞ୍ଜ ଚାହା ଭାଇ କରନ୍ତି, ବାହାର ଚୁଲିରେ ନାଲି ଚାହା ଫୁଟେ, ଛାଣିସାରି ବଡ଼ମା ଆଗରେ ଥୁଅନ୍ତି ପ୍ରଥମେ । ରାତିରେ ଶୋଇବା ପୂର୍ବରୁ ତା’ ବିଛଣା ପାରିଦିଅନ୍ତି ତଳେ । ଖଟ ଉପରେ ଶୁଅନ୍ତି ସେ ନିଜେ । ନାତିନାତୁଣି କି ପୁଅ, ଜ୍ୱାଇଁ ଯିଏ ବି ଗଲେ ସବୁ ନଦା ହୁଅନ୍ତି ସେଇଠି । ଦଳେଇ ଘାଇ ଭାଙ୍ଗିଲା ପରେ ଘରର ଯାହା ସବୁ ଥିଲା ସବୁ ଚାଲିଯାଇଥିଲା ବନ୍ୟା ପାଣିରେ । କିନ୍ତୁ ସହର ଜୀବନର ସେ ଚାକଚମକଠୁ, ଖରାଛୁଟିର ସେ ଗାଆଁରେ ବିତେଇଥିବା ସମୟ ଶୈଳଜାର ଭାରି ମନେପଡ଼େ । ଧୀରେଧୀରେ ବୁଲୁଥିବା ସେ ହାତ ବିଞ୍ଚଣା ପବନର ମଜା, କ’ଣ ଏବେର ଏୟାର କଣ୍ଡିସନର୍‌ରେ ଅଛି? ପାଖରେ ଶୋଇଲେ ରାତି ସାରା ଭାଇଙ୍କର ହାତ ବିଞ୍ଚଣା ଚାଲିଥାଏ । ଗଦାଗଦା ଜହ୍ନମାମୁଁ, ଦସ୍ୟୁ ରବୀନ ରତନଙ୍କ ଭିତରେ ଛୁଟି କେମିତି ସରି ଯାଉଥିଲା ଜାଣିହଉନଥିଲା । ଭାଇଙ୍କର ସେ ସ୍ନେହ, ସେ ଭଲପାଇବାକୁ ସେ ଖୁବ୍ ଝୁରେ ଏବେ ।

ଔଷଧ ଖାଇବା ପାଇଁ ଖୁବ୍ ଗୋଟେ ଦୁର୍ବଳତା ଥିଲା ବଡ଼ମା’ର । ଡାକ୍ତର ବର ତା’ର ସେ ଦୁର୍ବଳତାକୁ ଅଭ୍ୟାସରେ ବଦଳେଇଦେଇଥିଲେ । ଛିଙ୍କ ଟିକେ ହେଲେ ବି ତା’ ପାଟିରେ ଔଷଧ ଦଉଥିଲେ ଭାଇ । ଔଷଧ ଖାଇ ଖାଇ ସେ ନିଜେ ହୋଇଯାଇଥିଲା ଗୋଟେ କୁଜି ଡାକ୍ତର । ସବୁ ନାତିନାତୁଣି ହସୁଥିଲେ ତା’ର ଏ ଗୁଣ ଉପରେ । କିଛି ରୋଗ ନଥିଲା, କିନ୍ତୁ ଔଷଧ ବନ୍ଦ ହୋଇଗଲେ ତା’ର ଖାଇବାପିଇବା, ପୋଖରୀ ପାଣି ସବୁ ଏପଟ ସେପଟ ହେଇଯାଉଥିଲା । ଔଷଧ ଖାଇବା ଅଭ୍ୟାସକୁ ଦେଖି ଡାକ୍ତର ତାକୁ ଭିଟାମିନ୍ ସିରପ୍ ଦଉଥିଲେ । ସମାନ ଔଷଧ ଡବା ଦେଖିଲେ, ତା’ର ରୋଗ ପୁଣି ବାହାରୁଥିଲା । ଏଇଟା ପରା ଆର ମାସ ଖାଇଥିଲି, ପୁଣି କ’ଣ କାମ କରିବ ଏ ମାସରେ? ହସି ହସି ଗଡ଼ି ଯାଉଥିଲେ ସମସ୍ତେ ।

ଜୀବନ ଜଞ୍ଜାଳରେ ବାର୍ଦ୍ଧକ୍ୟ ଯେ କେବେ ଛୁଇଁ ଗଲା ସେ ଦୁଇଜଣଙ୍କୁ । ମୋତିଆବିନ୍ଦୁ ଅପରେସନ ପରେ ଭାଇ ପଡ଼ିଗଲେ ଥରେ ପଲଙ୍କ ଉପରୁ । ପାରାଲିସିସ୍ ହୋଇଗଲା ତାଙ୍କୁ । ଖବର ପାଇ ସମସ୍ତେ ପହଞ୍ଚିଲେ ଗାଁରେ । ସେହି ପଡ଼ିବାର ସାତ ଦିନରେ ଭାଇ ଚାଲିଗଲେ । ଜୀବନଟା ଯେ ସତରେ ପାଣି ଫୋଟକା, ସେତିକିବେଳେ ଜାଣିଲା ଶୈଳଜା । ପିଲାମାନେ ତାଙ୍କର ବାପା ଛେଉଣ୍ଡ ହୋଇଗଲେ । ତା’ପରେ ବଡ଼ମାର ହେଲା ଅସ୍ୱାଭାବିକ ପରିବର୍ତ୍ତନ । ଏତେ କାମକରିପାରୁଥିବା, ଖୁସିବାସିଆ ମଣିଷଟେ ବଦଳି ଗଲା କେମିତି ଯେ? ସ୍ୱାମୀ ସାଙ୍ଗ ଛାଡ଼ିଗଲା ପରେ, ପ୍ରକାଶ କରିପାରୁନଥିବା ଦୁଃଖକୁ ସେ ଏମିତି ପିଉଥିଲା । ମନର ମଣିଷ ତା’ର ଚାଲିଗଲେ ତାକୁ ପର କରି । ରୁକ୍ଷ ମଣିଷଟିଏ ପାଲଟିଯାଇଥିଲା ସେ; ତା’ ନିଜ ଦେହ, ନିଜର ଖାଇବା, ନିଜର କାମ ଛଡ଼ା ସେ କିଛି ବୁଝୁନଥିଲା । ଭାରି କମ କଥାକହୁଥିଲା, ଆଉ ଦିନସାରା ଗୋଟିଏ ଜାଗାରେ ବସିରହୁଥିଲା ପ୍ରାୟତଃ । ଭଗବାନ ପାଲଟି ଯାଇଥିଲେ ତା’ର ସବୁଠୁ ବଡ଼ ଶତ୍ରୁ । ସୀମା ମାଡ଼ୁ ନଥିଲା ସେ ଠାକୁର ଘରର; ଠାକୁର ଘରୁ ତାକୁ ଯେମିତି କିଏ ମାରିଗୋଡ଼ଉଥିଲା ।

ଭଲ ମନରେ ବସିଲେ କେବେକେବେ ପୁରୁଣା ପୋଥି ଖୋଲୁଥିଲା ସେ । ତା’ ବାପଘର କଥା କହୁଥିଲା ସେ । କେମିତି ଜାତକରେ ଦୁଇ ଦ୍ୱାଦଶ ଦେଖି ବାହାଘର କରିଥିଲେ ତା’ ବଡ଼ବାପା । ଦୁଇ ଦ୍ୱାଦଶରେ ବାହାଘର ହେଲେ ସେ ଦମ୍ପତ୍ତି ଆଜୀବନ ଦରିଦ୍ର ରୁହନ୍ତି ପରା । ବାପାମା’ଙ୍କ ପରେ ମହେଶ୍ୱର ପଟ୍ଟନାୟକ ତାଙ୍କ ଚକ୍ରାନ୍ତ ଖେଳିଥିଲେ । ଅଚଳାଚଳ ସମ୍ପତ୍ତି ତାଙ୍କ ପୁଅମାନଙ୍କୁଠୁ ଯେମିତି ଭାଗ ନହେଇଯାଉ, ଦାରିଦ୍ର୍ୟର କଷଣରେ କେହି କ’ଣ ର୍କୋଟ କଚେରୀ ପାଇଁ ଖୋରାକ ଯୋଗାଡ଼ିପାରେ ! ବଡ଼ବାପା ତା’ର ଜାଣିଥିଲେ ଝିଆରୀର ସ୍ୱଭାବ, ଆଉ ଭାଇ ଥିଲେ ସବୁ ସହିଯିବା ପକୃତିର ।

ଶେଷଥର ଦେଖିଥିଲା ଶୈଳଜା ବଡ଼ମାକୁ, ମାମୁଁ ଝିଅ ଭଉଣୀର ବାହାଘରରେ । ସବୁ କାମକୁ ନିଘା ତା’ର । କିଏ ଆସିଲା, କିଏ ଗଲା, କ’ଣ ଦେଲା, କ’ଣ ବେଭାର ନେଲା ସବୁ ପଚାରି ବୁଝିବ । ବଡ଼ପାଟିରେ କଥାହେଲେ କିଏ କ’ଣ କାଳେ କହିବ ବୋଲି, ଭାରି ଫୁସଫୁସ କଥା ତା’ର । ଝିଅ ବିଦା ବେଳେ ଭଉଣୀ-ଜ୍ୱାଇଁଙ୍କୁ ଧରି କାନ୍ଦୁଥିଲା, “ମୋ ଝିଅକୁ ଭଲରେ ରଖିବ ହେ ବାବୁ ।” ବାସ୍ ସେତିକି, ତା’ପରେ ସେ ଚାଲିଆସିଥିଲା ରବିଙ୍କ ପାଖକୁ ଆମେରିକା । ଫୋନ୍‌ରେ କଥାହେଲେ ସେ ପଚାରି ବୁଝେ ବଡ଼ମା ଖବର । ସେଇ କଳଗାଉଣା ରେକର୍ଡ଼ ବାଜେ । ବଡ଼ମାର ଔଷଧ ଖାଇବାର ଦୁର୍ବଳତା, ଜିଦ୍ ଧରି ବସିବା ବଢ଼ିଚାଲିଥିଲା ବୟସ ବଢ଼ିବା ସହିତ ।

ରବି ଡାକୁଛନ୍ତି ଉପର ଘରୁ, ପିଲାମାନେ ଉଠିଲେଣି । ଛୁଟି ଦିନରେ ବେଶୀ କାମ । ତା’ ଉପରେ ଶୀତ ଋତୁ ତ ଅସରନ୍ତି ଏପଟେ । ନିଜ ଦୁନିଆକୁ ଫେରିଆସିଲା ଶୈଳଜା । ସମୟର ଚକ କାହାକୁ ଅପେକ୍ଷା କରେନି । ଗଡ଼ିଚାଲେ ତା’ ନିଜ ମତେ । କୋଉଦିନ ଫୋନ୍ କଲେ ଶୁଣେ, ବଡ଼ମା ଭଲ ଅଛି, ଏବେ ଟିକେ ବସିଲାଣି, ଖାଇବା ପିଇବା ଠିକ ଅଛି । ପୁଣି କେବେ ଶୁଣୁଥିଲା, ପାଣି ଟୋପେ ବି ତଣ୍ଟିରେ ଯାଉନି କି ସେ ମଣିଷ ଚିହ୍ନୁନି । ବିଛଣାରେ ପଡ଼ି ପଡ଼ି ଦେହରେ ଘା ସବୁ ଆରମ୍ଭ ହୋଇଯାଇଥିଲା । ଭାରି ଯନ୍ତ୍ରଣା ପାଉଥିଲା ସେ । ପିଲାବେଳ କଥା ମନେପଡ଼ୁଥିଲା ଶୈଳଜାର । ସମୟ କୁଅଡ଼େ ଚାଲିଗଲା ଯେ, କେତେ ଶୀଘ୍ର ସେ ବଡ଼ ହୋଇଗଲା ଆଉ ବଡ଼ମା ତା’ର ବୁଢ଼ି ହୋଇଗଲା । ଶୈଳଜାର ଆଶା ମରିନଥିଲା ତଥାପି, ସବୁଦିନେ ସେ କଥା ହେବା ପୂର୍ବରୁ ଭାବୁଥିଲା, ଆଜି ସେ ଶୁଣିବ ବଡ଼ମା ଭଲଅଛି । ଆଉ ସେ ଧୀରେ ଧୀରେ ଭଲ ହୋଇ ଯିବ । ଖରା ଛୁଟିରେ ପୁଣି ସେ ଦେଖିବ ବଡ଼ମାକୁ । ଏଥର ଗଲେ ମନଭରି ଗପିବ ସେ ତା’ସହିତ, ଲେଖି ରଖିବ ତା’ର ଡଗଢମାଳି ସବୁ । ବଡ଼ମା ଭଲହୋଇଯାଉ, ପ୍ରଭୁଙ୍କ ଚରଣରେ ଗୁହାରି ବାଢ଼ୁଥିଲା ଶୈଳଜା ।

ବ୍ୟସ୍ତ ବହୁଳ ଜୀବନର ଚକ ଗଡ଼ିଚାଲିଥିଲା । ବରଫ ପଡ଼ିବା କମ ହୋଇଯାଇଥିଲା, ମାତ୍ର ସୂର୍ଯ୍ୟଙ୍କର ଲୁଚକାଳି ଖେଳ ଚାଲୁରହିଥିଲା । ସେ ମଧ୍ୟରେ ବଡ଼ମା ସହିତ କଥା ହେବାପାଇଁ ଚେଷ୍ଟା କରିଥିଲା ସେ । କାନ ପାଖରେ ଫୋନ୍ ଦେଲେ ଗଣଗଣିଆ ସ୍ୱର ତା’ର ଭାସି ଆସୁଥିଲା, ଅସ୍ପଷ୍ଟ ଶଦ୍ଦ ସବୁ କିଛି ବୁଝିହେଉନଥିଲା । ମନଭରି କାନ୍ଦିଥିଲା ଶୈଳଜା ସେଦିନ, ସତରେ କ’ଣ ବଡ଼ମା ଆଉ ଭଲ ହବନି? ଏତେ ପ୍ରିୟ ମଣିଷଟିକୁ ହରାଇବାର ଆସନ୍ନ ଦୁଃଖରେ ଛାତି ଫାଟିଯାଉଥିଲା ତା’ର । ଜୀବନଟା ପାଣିଫୋଟକା, କେତେବେଳେ ଯେ ପାଣିରେ ମିଳେଇ ଯିବ, ତା’ର କି ଭରସା? ସେ କ’ଣ ଆଉ ଦେଖିପାରିବ ବଡ଼ମାକୁ? କେତେ କଥା ବାକି ରହିଯାଇଥିଲା ତା’ର, ହାତ ମୁଠାରୁ ଖସି ଚାଲିଥିଲା ସମୟର ବାଲି । ଯେତେ ଜୋର୍‌ରେ ମୁଠେଇ ଧରିଲେ ବି, ବାକି ତକ ବି ଖସି ଯାଉଥିଲା ତା’ ନିଜ ଗତିରେ । ଚେଷ୍ଟା କରି ବି ସେ ସମୟକୁ ଅଟକେଇପାରୁନଥିଲା । ଗାଁରୁ ଘରକୁ ଫେରି ଆସିଥିଲା ମାଆ । ନିଜ ନିଜର କର୍ମସ୍ଥଳୀକୁ ଲେଉଟି ଯାଇଥିଲେ ମାମୁଁମାନେ । ବଡ଼ମା ଅବସ୍ଥାରେ କିଛି ପରିବର୍ତ୍ତନ ନଥିଲା । କେତେଦିନ ବା ଆଉ କିଏ ରହିପାରିବ ନିଜର ବେଉସା ଛାଡ଼ି ।

ମାର୍ଚ୍ଚ ମାସର ଛାଇଲେଉଟାଣି ଅପରାହ୍ନ । ବଶିଷ୍ଠ ସ୍କୁଲରୁ ଫେରିବାକୁ ଅପେକ୍ଷା କରୁଥିଲା ଶୈଳଜା । ଘର ଫୋନ୍‌ର ଚିତ୍କାରରେ ସେ ଚମକି ପଡ଼ିଲା । ମା’ର ନମ୍ବର ଦେଖି ସେ ଭାବିପାରୁନଥିଲା ଅବେଳରେ ଏ ଫୋନ୍‌କଲ୍‌ର ଅର୍ଥ । ଫୋନ୍‌ରେ ମା’ର କୋହ ଭରା ସ୍ୱର, “ମୋ ମାଆ ଚାଲିଗଲାରେ ମାଆ ।” ରିସିଭର୍‌ଟିକୁ ଧରି ସେ ବସିପଡ଼ିଲା ସେଇଠି । ଲିଭିଗଲା ଦୀପ, ଲିଭିଯିବା ପୂର୍ବରୁ ଜଳିଉଠିଥିଲା ଜୋର୍‌ରେ, ସ୍ପଷ୍ଟ କଥା କହୁଥିଲା ସେ, ଚିହ୍ନି ପାରୁଥିଲା ସେ ସମସ୍ତଙ୍କୁ । କହୁଥିଲା କେମିତି କୋଉକାଳରୁ ମରିଯାଇଥିବା ତା’ ବଡ଼ଭାଇ ଆଉ ବାପା ଆସିଛନ୍ତି ତା’ ପାଖକୁ । ଗୋଟିଏ ଯୁଗ ସରିଗଲା । ଭାଇ-ବଡ଼ମାଙ୍କ ଯୁଗଟି ସରିଗଲା । ପିଲାଦିନର ଗୋଟିଏ ପାଦ୍ୟରେ ପରଦା ପଡ଼ିଗଲା । ଗାଁର ସେ ଆକର୍ଷଣ, ସେ ସ୍ନେହ, ମମତା ସବୁ ଚାଲିଗଲା ବଡ଼ମା ସହିତ । ଗାଁ, ମାମୁଁ ଘର, ରଜଦୋଳି, ଖରାଛୁଟି, ସଜନାଫୁଲ ରାଇ, ସେ ମାଟିହାଣ୍ଡି ମରା ଘିଅର ବାସ୍ନା ସବୁ ଝାପ୍ସା ଦିଶୁଥିଲା । ସ୍ମୃତି ସବୁ ଏବେ ଅନୁଭୂତି । ପିଲାଦିନ ସବୁ ଚକଚକ ଦିଶୁଥିଲା ଶୈଳଜାର ଲୁହଭର୍ତ୍ତି ଆଖିରେ । ସ୍ମୃତି ଏକ ରୂପା ଜହ୍ନ ପରା ।

– ସ୍ୱାଗତିକା ନାୟକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...