ଗୀତଗୋବିନ୍ଦର ଅପୂର୍ବ ସଙ୍ଗୀତ ଝରି ଆସୁଛି । ଧୀରେ ଧୀରେ ଆଲୋକ ଶୂନ୍ୟ ହେଲା ଶ୍ରୀମନ୍ଦିର । ଭକ୍ତମାନେ ବାହୁଡ଼ି ଆସିଲେ । ଝଣଝାଣ ଶବ୍ଦ ହୋଇ ବନ୍ଦ ହୋଇଗଲା ସିଂହଦ୍ୱାରର ଦରଜା । ରାତି ପ୍ରାୟ ଯୌବନ ବୟସ ଧରିବ ଧରିବ ହେଲାଣି । ସଂପୂର୍ଣ୍ଣ ଜନଶୂନ୍ୟ ନ ହେଲେ ବି ଧୀରେ ଧୀରେ ମୌନ ହୋଇଆସୁଛି ବଡ଼ଦାଣ୍ଡର ପରିବେଶ । ଦୀପମାନେ ଘିଅ ଖାଇ ବୁଝି ସାରିବା ପରି ସମସ୍ତଙ୍କ ମନ ଥକା ଧରିଲାଣି । କିନ୍ତୁ ସବୁଦିନ ପରି ଆଜି ମଧ୍ୟ ଏକ ବିକଳ ମନ ନେଇ ଠିଆ ହୋଇଛି ମାରୁତି ବୁଢ଼ା । ୭୫ ବର୍ଷର ବୁଢ଼ା ଲୋକ । ପତଳା ଶରୀର, କୋଟରଗତ ଚକ୍ଷୁ, ଗଳିତ ଦନ୍ତ ଓ ଧଳା ସାର୍ଟ, ଧୋତି । ଖାଲି ସେତିକି ନୁହେଁ, ହାତରେ ତା’ର ବେଲୁନ୍ ବାଡ଼ି । ଏଥିରେ ଥାଏ ବେଲୁନ୍, ପେଁକାଳି, ଠେକୁଆ, ଭାଲୁ ଆଦି ମୁଖା, ବଇଁଶି, ଚିତ୍ର କରି ଲିଭେଇ ହେଉଥିବା ଗୋଲାପି ସିଲଟ ଆଦି କେତେ କ’ଣ । ପ୍ରତିଦିନ ନିଶି ନ ପାହୁଣୁ ନିଶୀଥ ପର୍ଯ୍ୟନ୍ତ ସେଇ ଦାଣ୍ଡରେ ବୁଲୁଥାଏ । ଭାରି ଅନୁଭବି ଓ ସ୍ନେହି ବୁଢ଼ା । ପାକୁଆ ପାଟିର ୨ଟି ଦାନ୍ତ ଦେଖାଇ କେତେ ଛୁଆଙ୍କୁ ଯେ ସେ ମୋହିତ କରେ, ତା’ର ହିସାବ ନାହିଁ । ତା’ଠୁ କିଛି ନ କିଣନ୍ତୁ ପଛେ, ତା ବଇଁଶି ଶୁଣି ହସିଦିଅନ୍ତି ତ ! ସେତେକି ତା’ ପାଇଁ ଢେ଼ର୍ ।
ଦୈନିକ ଠାକୁର ପହୁଡ଼ାଇ ଗଲେ, ସେ ଅପେକ୍ଷା କରେ ବଡ଼ପଣ୍ଡାଙ୍କୁ । ସବୁଦିନ ପରି ସେ ରାତିରେ ମଧ୍ୟ ସେ ବଡ଼ପଣ୍ଡାଙ୍କୁ ପଚାରିଲା, “ଠାକୁର ଭଲରେ ଶୋଇଲେ ଟି?” “ହଁ ହଁ….” କହି ହସିଦେଇ ପଳାନ୍ତି ବଡ଼ପଣ୍ଡା । ସେ ବୁଝିପାରନ୍ତି ନି ଏ ବୁଢ଼ା ଏକଥା ସବୁବେଳେ କାଇଁ ପଚାରେ? ଠାକୁରଙ୍କ ସହ ତା’ ସମ୍ପର୍କ କ’ଣ? …. ଛାଡ଼ କିଏ ଜଣେ ଭକ୍ତ ହୋଇଥିବ । ସେମିତିରେ ବି ରାତି ବଢ଼ି ବଢ଼ି ଚାଲିଲେ କୁଆଡ଼େ କେତେ ବିଚିତ୍ର ପ୍ରକାର ଲୋକ ଏ ବଡ଼ଦାଣ୍ଡରେ ବୁଲନ୍ତି, ତାହା ସେ ତାଙ୍କ ବାପାଙ୍କଠାରୁ ଶୁଣିଛନ୍ତି । ଇଏ ବୁଢ଼ା ସେମିତି କିଏ ଗୋଟେ ହେଇଥିବ….” ଏୟା ଭାବି ନନା ଚାଲିଯା’ନ୍ତି ।
ନନାଙ୍କ କଥା ଶୁଣି ମାରୁତି ବୁଢ଼ା ମଠକୁ ଚାଲିଆସେ । ଇଏ ସେଇ ମଠ ଯେଉଁଠି ତା’ ବୁଢ଼ୀକୁ ଧରି ସେ ଯାତ୍ରା ଦେଖିବାକୁ ଆସୁଥିଲା ଓ ଏଠି ରହୁଥିଲା । ସେତେବେଳେ ୭୫ଟଙ୍କା ଭଡ଼ା ଦେଉଥିଲା । ଏବେ କୁହାବୋଲା କରି ମଠର ଏକ ଭଙ୍ଗା କୋଠରୀରେ ଶୋଇ ରହୁଛି । ଦିନଯାକ ବେପାରର ଅଧା ଆୟ ସେ ମାଲିକ ନବ । ଯେଉଁଦିନ ବେପାର କମ୍ ହେଇଥିବ, ସେଦିନ ତା’ର ବର୍ଷଣ ଦେଖେ କିଏ ! ଆଉ ପୁଣି ଦିଅଁଙ୍କ ରଥ ଆଉ ସ୍ନାନଯାତ୍ରା ହେଲେ, ସେତକ ବି ବୁଢ଼ା ଭାଗ୍ୟରେ ଜୁଟେନା । ମଠର ପିଣ୍ଡା, ଅଗଣା ହିଁ ତାକୁ ମିଳେ । ତଥାପି ସେ ହସି ହସି ରହିଯାଏ । କେବେ କିଛି କହେନା । ସାହାରା ବୋଲି କହିଲେ ତା’ର ନିଜର ପରିବାର ବୋଲି କେହି ନାହିଁ । ଗାଆଁ ସଂପତ୍ତି, ଜମିବାଡ଼ି କିଛି ନାହିଁ । ତାଙ୍କ ଝିଅ ଓ ବୁଢ଼ୀ ନଈବଢ଼ିରେ ଭାସି ଯାଇଛନ୍ତି । ଲୋକେ କୁହନ୍ତି, ତାଙ୍କ ଅନ୍ତେ, ବୁଢ଼ା କିଛିଦିନ ଉଦାସ ହୋଇ ବସି ରହିଲା । ତା’ପରେ ବଢ଼ୀର କାନଫୁଲ ହଳକ ବିକି ତାଙ୍କର ସଂସ୍କାର କଲା, ମହାଜନର କରଜ ସୁଝିଲା ଓ ପୁରୀ ଚାଲିଆସିଲା । ତାଙ୍କ ଅନ୍ତେ, ପିଣ୍ଡାରେ ବସି ବୁଢ଼ା ଭାବେ “ଆଉ ଏ ଜୀବନ ରଖି ଲାଭ କ’ଣ?” କିଛି ଦିନର କ୍ରମାଗତ ନୈରାଶ୍ୟ ତାକୁ ଦୁର୍ବଳ କରି ଗଢ଼ି ଦେଇଥାଏ । ହଠାତ୍ ତା’ମନରେ କ’ଣ ଜୁଟିଲା କେଜାଣି, ସେ ସବୁ ସ୍ମୃତିକୁ ସେଠି ପୋତିଦେଇ ପୁରୀ ଚାଲି ଆସିଲା । ଭାବିଲା, “ଜଗତକୁ ଯେ ଆହାର ଦେଉଛି, ମତେ ବା ନଦେବ କାହିଁକି?” କ୍ଷେତ୍ରରେ ଆସି ପହଞ୍ଚି କାମ ଖୋଜିଲା । ବୁଢ଼ା ବୟସରେ ଶ୍ରମ କାର୍ଯ୍ୟ ଦେବା ପାଇଁ ଲୋକ ଅମଙ୍ଗ ହେଲେ । ଏମିତି ଖୋଜୁଖୋଜୁ ମଣ୍ଟୁ ଚାହାବାଲା ସହ ତା’ର ଭେଟ ହୋଇଗଲା ।
ବଡଦାଣ୍ଡର ଚା, ମଲେଇ ଚା, ନାଲି ଚା, ଲେମ୍ବୁ ଚା…… ପାନ, ଖିଲିପାନ, କଡ଼ା ପାନ, ବିଡ଼ିଆ ମିଠାପାନ,…. ଆଦି ସହ ଅନେକ ଲୋକସମ୍ପର୍କ, ଘଟଣା, ଦୁର୍ଘଟଣାର ସମାହାର ଏଇ ମଣ୍ଟୁ ଚା ଦୋକାନ । ଏତେ ଜିନିଷକୁ ସମ୍ଭାଳିଛି, ବୁଢ଼ାକୁ ପାଶୋରି ଦେଇଥା’ନ୍ତା ବା କିପରି? ବୁଢ଼ା ଯେଉଁଦିନ ପ୍ରଥମ କରି ପାଣି ମୁନ୍ଦେ ମାଗିବାକୁ ତା’ ଦୋକାନକୁ ଆସିଲା, ବୁଢ଼ାର ତୁଣ୍ଡ ନ ଫିଟୁଣୁ, ତା’ ବିକଳ ମୁହଁ ସହୁକଥା ବଖାଣିଗଲା । ଆଉ ତାକୁ ବୁଝିବାକୁ ସୈାଭାଗ୍ୟ ବସତଃ ଗୋଟେ ଦରଦୀ ହୃଦୟଟେ ବି ଥିଲା । ବୁଢ଼ାକୁ ଚାହା-ବିସ୍କୁଟ ଦେଇ ସେଦିନଠୁ ଦୁହେଁ ଅଜା-ନାତି ହୋଇ ରହି ଚାଲିଲେ । ଦୁହେଁ ଅନାଥ, କିନ୍ତୁ ତାଙ୍କୁ ସଂପର୍କର ଡୋରିରେ ବାନ୍ଧିଛି ବଡ଼ ଠାକୁରଙ୍କ ବଡ଼ଦାଣ୍ଡ । ବୁଢ଼ା କିଛିଦିନ ଚା-ଚିନି ମାପ ଭୁଲ୍ କଲା, ଲୋକେ ରାଗିଲେ, କିନ୍ତୁ ମଣ୍ଟୁ କିଛି କହୁନଥାଏ । ମାତ୍ର ବୁଢ଼ା ଭାବିଲା, ଏ ତା’ର କାମ ବୋଧେ ନୁହେଁ, ହାଟରୁ ବାଉଁଶ ବାଡ଼ି କିଣିଆଣି, ତା’ ସହ ଛୋଟ ବାଡ଼ି ବାନ୍ଧି ବେଲୁନ୍, ବଇଁଶି ଆଦି ଟାଙ୍ଗିଲା । ମଣ୍ଟୁର ବସା ଛାଡ଼ି ମଠରେ ରହେ ଓ ଖରାବେଳ, ସଂଧ୍ୟାବେଳର ଖଟି ଓ ଖିଆପିଆ ଦୁହେଁ ଏକାଠି କରନ୍ତି ।
ମଣ୍ଟୁର ଦୋକାନ ପଛକୁ ରମେଶ ବାବୁଙ୍କର ଘର । ଭାରି ହିଂସା ଓ ରାଗ ତାଙ୍କର ଏ ମଣ୍ଟୁ ଉପରେ । “ସାମାନ୍ୟ ଚା’ବାଲା ଟେ….. ଆଖିରେ ଆଖି ମିଶାଇ ମତେ ଦେଖୁଛି…. ମତେ !” ଆଦି ଅନେକ କଥା, ତା’ ଦୋକାନରୁ ଚୋରୀ ଓ ଆକ୍ରମଣ ଆହୁରି କେତେ କ’ଣ ସବୁକୁ ମଣ୍ଟୁ ସହି ଯାଉଥାଏ । କିନ୍ତୁ ଏଇ କିଛିଦିନ ହେବ ଯାହା ହେଉଛି, ତାହା ଅସହ୍ୟ ।
ଏଇ ଚାରି ମାସ ହେବ ରମେଶ ବାବୁଙ୍କ ପୁଅ ବିବାହ କରିଛି । ବହୁ ଆଡମ୍ବର ସହ ବାହାଘର ଓ ତା’ ପରବର୍ତ୍ତୀ ଦ୍ରବ୍ୟର ବୁହାଘର ମଧ୍ୟ ସରିଲା । ଧୀରେଧୀରେ ଦିନ, ସପ୍ତାହ ଗଡିଯା’ନ୍ତେ, ରମେଶଙ୍କ ପୁଅର ବିଚିତ୍ର ସ୍ୱଭାବ ଦେଖାଗଲା । ମଣିଷର ପ୍ରକୃତିକୁ କ’ଣ ବେଶିଦିନ ଲୁଚାଇ ରଖି ହେବ? ସୁଯୋଗ ଉଣ୍ଡି ସେ ଆଗ୍ନେୟଗିରିର ବିସ୍ପୋରଣ ହବ ହିଁ ହବ । ପିଲାଦିନୁ ଅହଂକାର ଓ ଅର୍ଥ ପାଚୁର୍ଯ୍ୟ ଭିତରେ ବଢ଼ିଥିବା ବଡ଼ବାପର ବିଗିଡ଼ା ପୁଅର ଗୁଣ ସବୁ ବାହାରିଲା । ମଦ ପିଇ ରାତିରେ ଡେରିରେ ଆସି, ଅଶ୍ରାବ୍ୟ ଭାଷା ଗାଳିଗୁଲଜ, ଏପରିକି ପିଟାମରା ବି ଆରମ୍ଭ ହୋଇଗଲା । ୧୦-୧୧ଟା ରାତିରେ ଦୋକାନ ବନ୍ଦ କଲାବେଳେ ମଣ୍ଟୁ ସହ ମାରୁତି ବୁଢ଼ା ମଧ୍ୟ ସବୁ ଶୁଣେ । କିଛି ଉପାୟ ନ ଥିବାରୁ ବୁଢ଼ା ମଠକୁ ଓ ମଣ୍ଟୁ ତା ବସାକୁ ଯେ ଯାହା ବାଟେ ଚାଲିଯା’ନ୍ତି ।
ଦିନ ପରେ ଦିନ ଗଡିଚାଲିଲା । ବୁଢ଼ାକୁ ତା’ ଜେଜ ପରି ନୂଆ ବୋହୁଟି ସମ୍ମାନ କରେ । ଘରେ କେହି ନଥିଲା ବେଳେ, ବୁଢ଼ାକୁ ରାସ୍ତାରୁ ଡାକିନେଇ ତାକୁ ପୁରୁଣା କନ୍ଥା ଓ କେତେଥର ପାଣି ଢାଳରେ ପିଆଇ ତୃପ୍ତ କରିଛି । ତେଣୁ ବୁଢ଼ାକୁ ବେଶି ଖରାପ ଲାଗୁଥାଏ । କିନ୍ତୁ କରିବ ବା କ’ଣ? ପୁଣି ସକାଳ ହୋଇ ସଞ୍ଜ ବୁଡ଼ି ରାତି ହେଲା । ସେଇ ଚିରାଚରିତ ଗାଳି ଗୁଲଜକୁ ମଣ୍ଟୁ ଓ ବୁଢ଼ା ଅପେକ୍ଷା କରିଥା’ନ୍ତି । କିନ୍ତୁ କିଛି ବିପରୀତ ହେଲା ସେଦିନ । ପୁଅ ମଦ ପିଇ ନଥିଲା । ଗାଡ଼ିରୁ ଶବ୍ଦ ଓ ଆଲୁଅ ଉଭୟ ଶୂନ୍ୟ କରି କାହା ସାଙ୍ଗେ କଥା ହେବାକୁ ଲାଗିଲା । ବୁଢ଼ାକୁ ତ ଟିକେ ଊଣା ଶୁଭେ, ତେଣୁ ଚା’ଦୋକାନର ଆଲୁଅ ଲିଭାଇ ବୁଢ଼ା ସେଠି ଛପି ରହିଲା । ମଣ୍ଟୁ ପାଦ ଥାପିଥାପି ଯାଇ ସବୁ ଶୁଣି ଆସିଲା । ଯାହା ଶୁଣିଲା, ବୁଢ଼ାକୁ କହନ୍ତେ, ବୁଢ଼ା ପବନରେ ରମ୍ଭା ବୃକ୍ଷ ପଡ଼ିଲା ପରି କାନ୍ଦି ଅଚେତ ହୋଇଗଲା । ପୁଣି ଚେତା ପାଇ ପାଟି କରି ଉଠିଲା । “ମୋ ଝିଅକୁ ବଞ୍ଚାଇ ପାରି ନ ଥିଲି । ଏଇ ବୋହୂମାଆ ମୋ ଝିଅ । ତାକୁ ଏମାନେ ବିଷ ଦେଇ…..” ଏତିକି କହନ୍ତେ, “ଚୁପ୍କର ମଉସା” କହି ବୁଢ଼ାର ପାଟିକୁ ଚାପି ଧଇଲା ମଣ୍ଟୁ । ବୁଢ଼ା ମନରେ ଭାଳେଣି ପଡ଼ିଲା ବିଷ ଜ୍ୱାଳାର ପ୍ରଭାବରୁ କିପରି ବୋହୂକୁ ବଞ୍ଚାଇବ?
କିନ୍ତୁ ହାରିବା ପାଇଁ ତା’ର ଜନ୍ମ ହୋଇ ନଥିଲା । ନଈବଢ଼ି ପରି ଆଉଏକ ବିଷମ ସ୍ଥିତି ପହଞ୍ଚିଛି । ତା’ ଜନ୍ମିତ ଝିଅ ନ ହେଲେ ମଧ୍ୟ ଆଉ ଏକ ଝିଅର ଜୀବନ ଆଜି ଆଶଙ୍କାରେ ଝୁଲୁଛି । ହାରିବନି ଆଜି ସେ । ହାରିବାର ଥିଲେ ବଡ଼ଠାକୁରଙ୍କ ବଡ଼ଦାଣ୍ଡକୁ ଆସି ନଥାନ୍ତା । ତା’ ସ୍ତ୍ରୀ ଓ ଝିଅ ସହ ନିଜେ ମରି ଯାଇଥାନ୍ତା । ତା’ ଜୀବନ ଏଇଥିପାଇଁ ଅଛି ଓ ତାକୁ ସେ ସାର୍ଥକ ନିଶ୍ଚେ କରିବ । ଏମିତି କେତେ କ’ଣ ଭାବି ବୁଢ଼ା ଛାତିରେ ଦମ୍ଭ ଧରିଲା । ମଣ୍ଟୁ କହୁଥିଲା, “ପୋଲିସରେ କହିବା?” ବୁଢ଼ା ମନେମନେ ଭାବିଲା ଯେ “ଆଇନର ହାତ ଏତେ ଲମ୍ବା ଯେ ଲୋକଙ୍କ ମଧ୍ୟରୁ ଅପରାଧୀକୁ ଖୋଜିଲା ବେଳକୁ ତା’ ଲମ୍ବା ହାତକୁ କେତେ ବଡ଼ବଡ଼ୁଆ ସୁନା, ରୂପାରେ ଛାଇଁ ଦେଇଥିବେ ଯେ, ସେ ହାତ ଶୂନ୍ୟରେ ଶୂନ୍ୟରେ ବୁଲିବୁଲି ଫେରିଯିବ ।” ବୁଢ଼ା ନିଜେ ହିଁ କିଛି କରିବାକୁ ସ୍ଥିର କଲା । ନା’ ତା’ର ସହଜେ ମାରୁତି, ସୀତା ପରି ବୋହୂମାଙ୍କୁ ଉଦ୍ଧାର କରିବାକୁ ସେ, ଦୋକାନ ଝରକାରେ ଗୋଡ଼ ଦେଇ ଲଙ୍କା ନଗର ରୂପକ ରମେଶବାବୁଙ୍କ ଘର ପାଚେରୀ ମଧ୍ୟକୁ ଡେଇଁଗଲା । ମଣ୍ଟୁ ଭୟରେ ଆଖି ବୁଜିଦେଲାଣି । ବୁଢ଼ା ପଡ଼ିଲେ ତା’ର ୨୦୬ ଖଣ୍ଡ ହାଡ଼ ଯେ ୬୦୨ ହୋଇଯିବ ଏକଥା ଥୟ । ତା’ ସାଙ୍ଗକୁ ସେ ମଧ୍ୟ ଧରା ପଡ଼ିଯିବ । କିନ୍ତୁ ସତ୍ୟ ଓ ନ୍ୟାୟର ପଥରେ ଅପାର ବଳ ପ୍ରାପ୍ତି ହୁଏ, ତେଣୁ ବୁଢ଼ା ମଧ୍ୟ ପାରି ହୋଇଗଲା ।
ବୁଢ଼ା ତ ଆଗରୁ ତାଙ୍କ ଘରକୁ ଯାଇଥିଲା । ବୋହୂ ରୁମ୍କୁ ପଛପଟ କବାଟ ବାଟେ ପାଦ ଥାପିଥାପି ଯାଇ, ବୋହୂକୁ କାନ୍ଦି ସବୁ କହି ପକାଇଲା । ବୁଢ଼ା ଆଖି ଲୁହରେ ସତ୍ୟତାର ସୂର୍ଯ୍ୟଉଦୟ ଦେଖି ବୋହୂ କାଳବିଳମ୍ବ ନକରି ବାହାରି ପଡ଼ିଲା । କାନ୍ଧର ଗାମୁଛାକୁ ଅଣ୍ଟାରେ ଭିଡ଼ାଇ ବୋହୂକୁ ପାଚେରୀ ଡିଆଁଇ ଦେଲା । ନିଜେ ବି ଡେଇଁ ଆସିଲା ବେଳେ, ପାଚେରୀରୁ ଥାଇ ନୀଳଚକ୍ର, ପତିତପାବନଙ୍କୁ ଓଳଗି ହୋଇ ଏ ଧୃଷ୍ଟତା ପାଇଁ କ୍ଷମାର୍ଚ୍ଚନ କଲା । ପତାକା କୃପାହସରେ ଉଡ଼ିଉଡ଼ି ତା’ ଚଲାପଥକୁ ସମର୍ଥନ କରୁଥାଏ । ବୋହୂକୁ ସାଙ୍ଗରେ ଧରି ବସ୍ଷ୍ଟାଣ୍ଡରେ ପହଞ୍ଚିଲା । ତାକୁ ସାଙ୍ଗରେ ଧରି ଗାଆଁକୁ ଗଲା । କିଛିଦିନ ସେଠି ରହିଲା । ଗାଁ ଲୋକଙ୍କୁ ସବୁ କଥା କହିଲାରୁ ତା’ ସୁରକ୍ଷାକୁ ସେମାନେ ସମ୍ମାନର ସହ ଗ୍ରହଣ କରିନେଲେ । ନିଜର ସଞ୍ଚିତ ଅର୍ଥରୁ କିଛି ଦେଇ ତାକୁ ଶିକ୍ଷୟିତ୍ରୀ ଭାବେ ରଖାଇଲା ଓ ଘର ଖଞ୍ଜାଇଲା । ଗାଁ ଲୋକଙ୍କ ସହାନୁଭୂତି ଓ ବୁଢ଼ାର ବାତ୍ସଲ୍ୟଭରା ପିତୃତ୍ୱ ତାକୁ ନୂତନ ଜୀବନ ଦାନ ଦେଲା ।
ଦି’ଖଣ୍ଡ କନ୍ଥା ଓ କେତେ ଗରା ପାଣିର ମୂଲ୍ୟକୁ ଅମୂଲ୍ୟ କରି ମାରୁତି ବୁଢ଼ା ସୁଝି ଦେଇଥିଲା । ଶରୀର ବୁଢ଼ା ହେଲେ କ’ଣ ହେବ ! ତା’ ମନର ଅଦମ୍ୟ ଦମ୍ଭ ଓ ସାହାସ ଯୁବକମାନଙ୍କ ପାଖେ ଆଜି ଦୁର୍ଲ୍ଲଭ । ହଁ ଏୟା ସତ ଯେ ତା’ ଜୀବନର ପୂର୍ବ ଅନୁଭୂତି, ନିଜ ଝିଅକୁ ହରାଇବାର ବେଦନା ତା’ର ଏପରି ଆଚରଣକୁ ପୃଷ୍ଠପୋଷକତା ଦେଇଥିଲା । କିନ୍ତୁ ଏପରି ଅତୀତ ଥିବା ମଣିଷ ସର୍ବଦା ଯେ ଏପରି ସଠିକ୍ ରୂପରେ ତାକୁ ବିନିଯୋଗ କରିବ, ତାହା ଆଜିକାଲିର ହିସାବ ନିକାସ ସଂସାରରେ ଦୁର୍ଲ୍ଲଭ ହୋଇଗଲାଣି । ସେଇ ଗୋଟିଏ ବଡଦାଣ୍ଡ, କିନ୍ତୁ ଦୁଇଟି ବିପରୀତ ଧର୍ମୀ ଚରିତ୍ର । ଗୋଟିଏ ରମେଶ ବାବୁଙ୍କ ପୁଅ ଓ ଅନ୍ୟଟି ମାରୁତି ବୁଢ଼ା । ସେଦିନ ରାତିର ସେ ଘଟଣାକ୍ରମର ସାକ୍ଷୀ ଥିଲା ଉପରେ ନୀଳାଦ୍ରି ଆକାଶ ଓ ତଳେ ବଡ଼ଦାଣ୍ଡ । ନିଜର ନିଶ୍ୱାସକୁ ବେଲୁନ୍ ମଧ୍ୟରେ ପୂରାଇ ସକାଳୁ ସଞ୍ଜଯାଏଁ ବୁଲୁଥିବା ଲୋକଟି ଏତେ ବଡ଼ କାମ କରି ଅନେକ ଜୀବନ ନାରଖାର ହେବାରୁ ବଞ୍ଚାଇ ଦେଲା । ଏହି ମାରୁତି ବୁଢ଼ା ସମାଜର ସୁବିଧାବାଦୀ ମଣିଷଙ୍କ ପାଇଁ ଏକ ଶିକ୍ଷଣୀୟ ଅବତାରଣା ସୃଷ୍ଟି କରୁ ଓ ଆଜିର ସମାଜରେ ଆମେ ସୁଗ୍ରୀବ ନ ହୋଇ ହନମାନ ପାଲଟି ଯାଉ, ଏତିକି କାମ୍ୟ ।
– ଇଂ. ଶିବରାମ ସୁଆର
Comments
ଶିବରାମ ସୁଆର ପେଶାରେ ଜଣେ ଇଞ୍ଜିନିୟର୍ ଏବଂ ନିଶାରେ ଜଣେ କଥାକାର । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗଳ୍ପ ଓ ପ୍ରବନ୍ଧ ଆଦି ରଚନା କରିଥାନ୍ତି ।