ଦିବାକର ବସି ଭାବୁ ଥିଲା ତା’ ପୁଅ ପାଇଁ ଏଠି ଅର୍ଥ ଓ ଚିକିତ୍ସାର ବ୍ୟବସ୍ଥା ହୋଇ ପାରିବ କି ନାହିଁ । ମେଳା, ମହୋତ୍ସବ, ଗାଁ ଯାତ୍ରା, ଟିଭି, ରେଡ଼ିଓ, ସରକାରୀ କାର୍ଯ୍ୟକ୍ରମ ଆଦିରେ ମର୍ଦ୍ଦଳ ଭଳି ପାରମ୍ପରିକ ବାଦ୍ୟକୁ ବଜେଇ ସେ ଖୁବ୍ ନାଁ କମେଇ ଥିଲା । ଅନେକ ମଞ୍ଚ, ସଂସ୍ଥା, ସରକାରୀ କାର୍ଯ୍ୟକ୍ରମ ଆଦିରୁ ପୁରସ୍କାର ପ୍ରାପ୍ତ ହୋଇଥିବା ଜଣେ କଳାକାରକୁ ବି ଏମିତି ଦୁର୍ଦ୍ଦିନର ସାମ୍ନା କରିବାକୁ ପଡ଼ିବ ବୋଲି ସେ କେବେ ବି ଭାବି ନ ଥିଲା ।
ପାକସ୍ଥଳୀ କର୍କଟ ରୋଗରେ ପୀଡ଼ିତ ହୋଇଥିବା ତା’ର ଏକମାତ୍ର ପୁଅ ବିଶୁର ଚିକିତ୍ସା ପାଇଁ ଟଙ୍କା ଯୋଗାଡ଼ କରିବାକୁ ଡାକ୍ତର ତାକୁ କହି ଦେଇଥାଆନ୍ତି । ଏତେ ପଇସା ସେ ଆଣିବ ବା କେଉଁଠୁ କଳାକାରକୁ ସମ୍ମାନ ମିଳେ ସତ ହେଲେ ଦୁର୍ଗତିରେ ପଡ଼ିଥିବା କଳାକାର ସମ୍ମାନକୁ ନେଇ କରିବ କ’ଣ । ସେ ବାଟରେ ଚାଲି କି ଯାଉଯାଉ ଦେଖିଲା ଗୋଟେ ରକ୍ତଦାନ ଶିବିରର ଆୟୋଜନ ହେଉଥାଏ ଭାବିଲା; ଏଇଠି ତ ବହୁତ ସ୍ଵେଛାସେବୀ ବଡ଼ ବଡ଼ ଲୋକ ସବୁ ଥିବେ ମୋ ଦୁଃଖ କାହାଣୀ ଶୁଣିଲେ କିଏ ନା କିଏ ତ ନିଶ୍ଚିତ ସାହାଯ୍ୟର ହାତ ବଢ଼େଇବ । ସେ ସେଠିକି ଗଲା ସଂସ୍ଥାର ମୁଖ୍ୟ ରୋଶନ ବାବୁଙ୍କ ସହ କଥା ହେଇ ସବୁ ଜଣେଇଲା । ରୋଶନ ବାବୁ କହିଲେ, “ସବୁ ଠିକ ଯେ କିନ୍ତୁ ଏ ଜାଗାରେ ତୁମକୁ କୌଣସି ସାହାଯ୍ୟ ମିଳିବନି ।” ତୁମେ କାଲି ଆସି ମୋ ଘରେ ମୋତେ ଦେଖା କର ।” ଏତିକି କହି ସେ ତାଙ୍କର ଘର ଠିକଣା ଦିବାକରକୁ ଦେଲେ । ମନ ଦୁଃଖରେ ଡାକ୍ତରଖାନାକୁ ଫେରି ଆସି ପୁଅ ପାଖରେ ବସିଲା ପୁଅ ବିଶୁ ସେଇଠି ପଡ଼ିକି ଯନ୍ତ୍ରଣାରେ ଛଟପଟ ହଉଥାଏ । ସ୍ତ୍ରୀ ରମା ପାଖରେ ବସି କହୁଥାଏ, “ତମେ ତ କହୁଥିଲ ତମର ଏତେ ସବୁ ବଡ଼ ବଡ଼ିଆ ଲୋକ ଚିହ୍ନା ଅଛନ୍ତି ଏତେ ଅନୁଷ୍ଠାନ ତମକୁ ସମ୍ମାନିତ କରିଛନ୍ତି ଆଉ କାଇଁ ସେ ସମ୍ମାନକୁ ଦେଖେଇଲେ କ’ଣ ଆମ ପୁଅ ବଞ୍ଚିଯିବ । ବାହା ହେଇ କି ଆସିଲା ପରେ ତୁମକୁ ମୁଁ କେତେ ବୁଝେଇଲି ଏ ସବୁ ବାଜାବାଣ ଆମ ପାଇଁ ନୁହେଁ; ପରିବାର ଚଳେଇବା ପାଇଁ କିଛି ଗୋଟେ ସ୍ଥାୟୀ ବ୍ୟବସ୍ଥା କର । ତୁମେ କିନ୍ତୁ ମୋ କଥା କିଛି ଶୁଣିଲନି ଯେତେବେଳେ ଦେଖିଲ ସେଇ ଘର ଭିତରେ ବସି ସେ ବାଜାକୁ ଧରି ଢମଢମ କଲ । ଏବେ ହେଜ ଏ ବିପତ୍ତି ସମୟରେ ତମର କୋଉ ବାଜା କି ଗୀତ ତୁମର ପୁଅକୁ ଏ ରୋଗରୁ ବଞ୍ଚେଇବ !” ରମାର କଥା ଗୁଡ଼ାକ ଦିବାକରର ଅନ୍ତରକୁ ଚିରି ଦେଉଥାଏ । ଗୋଟେ କଳାକାରର ଭାଗ୍ୟ କ’ଣ ଏତେ ହୀନ ଯେ ଯେଉଁ କଳାକୁ ବଞ୍ଚେଇ ରଖିବା ପାଇଁ ମୁଁ ମୋର ସର୍ବସ୍ଵ ଜୀବନକୁ ବାଜି ଲଗେଇ ଦେଲି ଆଜି ସେଇ କଳା ଯୋଗୁଁ ହିଁ ରମାର କୋଳ ଶୂନ୍ୟ ହୋଇଯିବ । ଖରାରେ ବୁଲିବୁଲି ଆସି ଥକା ହୋଇ ବସିପଡ଼ିଥିବା ଦିବାକର ସେଇ ଡାକ୍ତରଖାନାର ବାରଣ୍ଡାରେ ହିଁ ଢୁଳେଇ ପଡ଼ିଲା ।
ନିଦରେ ଦିବାକର ଆଖି ଆଗରେ ନାଚି ଯାଉଥାଏ ତା’ ପିଲାଦିନ କଥା । ଜେଜେ ବାପା ତା’ର ମୃଦଙ୍ଗ ବଜାଉଥିଲେ । ପିଲାବେଳୁ ତାଙ୍କରି ପାଖରେ ବସି ଶୁଣିଶୁଣି ଦେଖିଦେଖି ସେ ତା’ ଜେଜେଙ୍କ ଠାରୁ ଏ କଳାକୁ ଆୟତ୍ତ କରିଥିଲା । ବାପା ଯେତେ କହିଲେ ବି ପାଠପଢ଼ାରେ ତା’ର ମନ ଲାଗେନି । ଦିବାକରର ବୋଉ କିନ୍ତୁ ତାକୁ ଦିନେ କହିଥିଲା, “ବାପରେ ଲକ୍ଷ୍ମୀ ସରସ୍ଵତୀ ଦି ସଉତୁଣୀ । ଏକା ସାଙ୍ଗରେ ସେ କେବେ ବି ରହି ପାରିବେନି ।” ବୋଉର କଥାକୁ ସେ ଜମା କାନ ଦେଇ ନ ଥିଲା । ରାତିରାତି ଧରି ବସି ମୃଦଙ୍ଗ ବଜାଉ ଥିଲା ସେ । ଧୀରେଧୀରେ ମୃଦଙ୍ଗରୁ ସେ ମର୍ଦ୍ଦଳ ବଜେଇଲା । ଭଲ ବଜାଉଛି ବୋଲି କହି ଗାଁ ସରପଞ୍ଚେ ତା’କୁ ସହରକୁ ନେଇ ଗଲେ ବଡ଼ବଡ଼ ସଙ୍ଗୀତ ସମାରୋହରେ ସେ ବଜେଇଲା । ଧୀରେଧୀରେ ନା କମେଇଲା । ଟିଭି, ରେଡ଼ିଓ ଆଦିରେ ବଜେଇ ବହୁ ସଂସ୍ଥା ତରଫରୁ ପୁରସ୍କୃତ ହେଲା । ରମା ସହିତ ବାହାଘର ବି ହେଇଗଲା । ସମୟ ବଦଳିବାକୁବାକୁ ଲାଗିଲା । ମର୍ଦ୍ଦଳର ଜାଗା ନେବାକୁ ଡିଜିଟାଲ୍ ଅକଟାପ୍ୟାଡ୍ ଆସିଗଲା । ଲୋକେ ଆଉ ସେ ପୁରୁଣା କାଳିଆ ଗୀତ କି ବାଜାକୁ ପସନ୍ଦ କଲେନି । ଦିବାକରର ପ୍ରୋଗ୍ରାମ ସଂଖ୍ୟା ବି କମିବାକୁ ଲାଗିଲା । ଯାହା କିଛି ପ୍ରୋଗ୍ରାମରେ ମିଳି ଯାଉଥିଲା ଦୁଇ ପ୍ରାଣୀ ଚଳି ଯାଉଥିଲେ କିନ୍ତୁ ବିଶୁ କୋଳକୁ ଆସିବା ପରେ ଖର୍ଚ୍ଚ ବି ବଢ଼ିଲା । ତା’ ସାଙ୍ଗକୁ ଆୟ ବି କମିବାକୁ ଲାଗିଲା । ହଠାତ୍ ଦିନେ ବିଶୁର ଜୋରରେ ପେଟ ଯନ୍ତ୍ରଣା ବାହାରିଲା । ସ୍ଵାମୀ ସ୍ତ୍ରୀ ଦୁହେଁ ନେଇ ଡାକ୍ତରକୁ ଦେଖେଇଲେ । ଡାକ୍ତର କହିଲେ, “ପରୀକ୍ଷା କରିକି ରିପୋର୍ଟ ଆଣ ।” ପରୀକ୍ଷା କରି ରିପୋର୍ଟରେ ବାହାରିଲା ଯେ ବିଶୁର କ୍ୟାନ୍ସରର ଦ୍ଵିତୀୟ ଅବସ୍ଥା । ଡାକ୍ତର ଶୁଣେଇ ଦେଲେ, “ପିଲାର ଚିକିତ୍ସା ପାଇଁ ଦଶ ଲକ୍ଷ ଟଙ୍କାରୁ ଉର୍ଦ୍ଧ ଖର୍ଚ୍ଚ ହେବ । ପଇସା ଶୀଘ୍ର ଯୋଗାଡ଼ କର ଅପରେସନ କରିବା; ନ ହେଲେ କ୍ୟାନସର ଦେହ ସାରା ମାଡ଼ିଯିବ ।” ଆକାଶ ଛିଣ୍ଡି ପଡ଼ିଲା ଦିବାକରର ମୁଣ୍ଡ ଉପରେ ସବୁ ବ୍ୟାଙ୍କ୍ ଖାତା ଘର ବାଡ଼ି ସବୁ ବିକ୍ରି କରି ଦେଲେ ବି ଦଶ ଲକ୍ଷ ଟଙ୍କା ସେ କେଉଁଠୁ ଆଣିବ ।
“ହେଇଟି ଶୁଣୁଛ ! ରାତି ପହିଲାଣି ପରା ତୁମେ ଯାଉନ ସେ ବାବୁଙ୍କ ପାଖକୁ । ସେ କହିଥିଲେ ପରା ତୁମକୁ ନେଇ କେଉଁଠିକି ଯିବେ ।” ସ୍ଵପ୍ନ ରାଇଜରୁ ଫେରିଆସିଲା ଦିବାକର । ମୁହଁ ହାତ ଧୋଇ ବାହାରିପଡ଼ିଲା ସେ ରୋଶନ ବାବୁଙ୍କ ପାଖକୁ; ଏଇ ଆଶାରେ ଯେ କାଳେ କିଏ କେଉଁଠୁ ତାକୁ ସାହାଯ୍ୟ କରିଦେବ । ବହୁତ ଆଶା ନେଇ ସେ ପହଞ୍ଚିଲା ରୋଶନ ବାବୁଙ୍କ ଘରେ । ଘର ଆଗରେ ରୋଶନ ବାବୁ ତାକୁ ଦେଖିକି କହିଲେ, “ଆରେ ହଁ ଦିବାକର ! ଆସ ମୋ କାରରେ ବସ ଆମେ ଆଜି ଯିବା ମନ୍ତ୍ରୀଙ୍କ ଘରକୁ । ତୁମ କାମ ସେଇଠି ହେଇଯିବ ।” ଦୁହେଁ ମିଶିକି ଗଲେ । ଦିବାକର କାରରେ ବସିଥାଏ ସେ କିଛି ବୁଝିପାରୁ ନଥାଏ ଯେ ତା’ ସହିତ ଏ ସବୁ କ’ଣ ହୋଇଯାଉଛି ବୋଲି । କାର୍ ଗୋଟେ ବିରାଟ ବଡ଼ ଅଟ୍ଟାଳିକା ପାଖରେ ରହିଲା । ରୋଶନ ବାବୁ ତାକୁ ନେଇ ଭିତରକୁ ଗଲେ ଓ କହିଲେ, “ତୁମେ ଏଇଠି ଅପେକ୍ଷା କର ମୁଁ ଭିତରକୁ ଯାଇ କଥା ହୋଇ କି ଆସୁଛି ।” ଦିବାକର ବାହାରେ ସେମିତି ମୁଣ୍ଡକୁ ତଳକୁ ପୋତି କି ଠିଆ ହୋଇଥାଏ । ମନ୍ତ୍ରୀଙ୍କ ଗେଟ୍ ଆଗରେ ବଡ଼ବଡ଼ ଆଲସିସିଆନ କୁକୁର ଦୁଇଟା ତାକୁ କଟ ମଟ ଚାହିଁକି ମଝିରେ ମଝିରେ ଦି ଚାରି ଭୁକା ଦେଉଥାଆନ୍ତି ।
ରୋଶନ ବାବୁ କିଛି ସମୟ ପରେ ହସିହସି ଘର ବାହାରକୁ ଆସିଲେ କହିଲେ, “ଦିବାକର ! ତମ ଭାଗ୍ୟ ବହୁତ ଭଲ । ଯୋଗକୁ ଜର୍ମାନୀର ଶିଳ୍ପପତି ରୋଜର ଗିଲବଟ୍ ଓ ତାଙ୍କ ସ୍ତ୍ରୀ ଦୁହେଁ ଓଡ଼ିଶା ଆସୁଛନ୍ତି । ମନ୍ତ୍ରୀ ମହୋଦୟ ଚାହୁଁଛନ୍ତି ଯେ ତୁମେ ତାଙ୍କ ଆଗରେ ଆମ ଓଡ଼ିଶାର ଲୋକଗୀତ ଓ ବାଦ୍ୟକୁ ତୁମର ଦଳ ସହିତ ପ୍ରଦର୍ଶନ କର । ଆଉ ତୁମ ଗୀତନାଚ ଯଦି ତାଙ୍କୁ ଭଲ ଲାଗିଲା ତୁମ ପୁଅର ସବୁ ଖର୍ଚ୍ଚ ସେ ବହନ କରିବେ । ହୁଏତ ତୁମ ପୁଅକୁ ସେ ନେଇ ଜର୍ମାନୀରେ ଚିକିତ୍ସା ବି କରେଇ ପାରନ୍ତି । ତୁମେ ଏବେ ଯାଅ ତୁମର ଟିମ୍ ସହିତ ମିଶି ଭଲ କରି ଅଭ୍ୟାସ କର ଆଉ ଦୁଇ ଦିନ ପରେ ସେମାନେ ଆସିଯିବେ । ଏ ସବୁ ଶୁଣି ଦିବାକର ମନେମନେ ବହୁତ ଖୁସି ହୋଇଗଲା । ସ୍ତ୍ରୀକୁ କିଛି ନ ଜଣେଇ ସିଧା ଘର ମୁହାଁ ହୋଇ ଚାଲିଲା । ଫୋନ କରି ସ୍ତ୍ରୀକୁ ଜଣେଇ ଦେଲା ଯେ ସେ ଦୁଇ ଦିନ ପରେ ଏକା ଥରେ ପଇସା ଧରି କି ହିଁ ଡାକ୍ତରଖାନାକୁ ଆସିବ । ରମା ଯେତେ ପଚାରିଲେ ବି ତୁମେ ଦୁଇ ଦିନ ଧରି କ’ଣ କରିବ ବୋଲି ସେ ତା’ର କିଛି ଉତ୍ତର ନ ଦେଇ ଫୋନ କାଟି ଦେଲା । ଆଉ କହିଲା, “ମୋତେ ଏଇ ଦୁଇ ଦିନ ଜମା ବି ଫୋନ କରି ବ୍ୟସ୍ତ କରିବନି ।” ଆଖଡ଼ା ସହିତ ମିଶି ଦିନରାତି ଏକ କରି ଦିବାକର ମର୍ଦ୍ଦଳରେ ସବୁ ପୁରାତନ ଛାନ୍ଦ, ଓଡ଼ିଶୀ ଆଦି ଗୀତ ଅଭ୍ୟାସ କରି ରଖିଲା । ସେପଟେ ବିଶୁର ଦେହ ଖରାପ ଆଡ଼କୁ ଗତି କରୁଥାଏ । ଦିନ ଆସିଲା ରୋଜର ଗିଲବଟ୍ ଓ ତାଙ୍କ ସ୍ତ୍ରୀ ଆସି ଦିବାକର ଓ ତା’ ଗ୍ରୁପ୍ର ସଙ୍ଗୀତ ପରିବେଷଣ ଦେଖି ବହୁତ ଖୁସି ହେଲେ । ତାଙ୍କ ସହ ଫୋଟୋ ଉଠେଇଲେ ଟିଭି, ସମ୍ବାଦପତ୍ର ଆଦିରେ ସେ ଦିବାକରର ବହୁତ ପ୍ରଶଂସା କଲେ । ଦିବାକର ରୋଶନ ବାବୁଙ୍କୁ ଧରି ତାଙ୍କ ପାଖକୁ ଗଲା ଓ କାକୁତିମିନତି ହୋଇ ବିଶୁ ବିଷୟରେ ସବୁ କଥା କହିଲା । ରୋଜର ଦମ୍ପତ୍ତି ସବୁ କଥା ଶୁଣି ଓ ତାକୁ ସେଇଠି ହିଁ ଦୁଇ ଲକ୍ଷ ଟଙ୍କାର ଚେକ୍ ଦେଇ କହିଲେ, “ତୁମେ ପୁଅର ଚିକିତ୍ସା ଆମେ ସବୁ କରେଇବୁ । ତୁମ ଭଳି କଳାପ୍ରେମୀର ଏ ଦୁଃଖ ଦେଖି ଆମେ ମନସ୍ଥ କରିଛୁ ତୁମର ପୁଅକୁ ଆମେ ନେଇ ତା’ର ଚିକିତ୍ସା ଜର୍ମାନୀରେ କରେଇବୁ ଓ ସେ ଜର୍ମାନୀକୁ ଯିବାର ସବୁ ବ୍ୟବସ୍ଥା ବି ଆମେ କରିବୁ ।” ରୋଶନ ବାବୁ ରୋଜର ଦମ୍ପତ୍ତି ଯାହା ସବୁ କହୁ ଥାଆନ୍ତି ତା’କୁ ଓଡ଼ିଆରେ ଅନୁବାଦ କରି ସେ ଦିବାକରକୁ ବୁଝେଇ ଦଉଥାଆନ୍ତି । ଯାହାକୁ ଶୁଣି ଦିବାକର ଏଣ୍ଡୁଅ ଭଳି ମୁଣ୍ଡ ଟୁଙ୍ଗାରୁ ଥାଏ ଓ ଆଖିରୁ ଧାରଧାର ଲୁହ ଗଡ଼ଉଥାଏ । ସେ ମନେମନେ ଭାବୁଥାଏ ଆମ ସରକାର ସିନା ଆମ ପାଇଁ କିଛି କଲେନି ହେଲେ ବାହାର ଦେଶର ଲୋକେ ଆମ କଳା, ସଙ୍ଗୀତ ଓ ସାହିତ୍ୟକୁ ଆମ ଠାରୁ ବି ଭଲ ବୁଝିଛନ୍ତି । ଯାହା ଫଳରେ ସେ ଗୋଟେ କଳାକାରର ହୃଦୟର ଦୁଃଖକୁ ସେମାନେ ପରଖି ପାରିଛନ୍ତି । ପରଦିନ ସକାଳେ ଦିବାକର ଟଙ୍କା ଓ ମାନପତ୍ର ଧରି ଡାକ୍ତରଖାନା ଆଗରେ ପହଞ୍ଚିଲା । ଦେଖିଲା ଡାକ୍ତରଖାନା ଆଗରେ ଲୋକ ରୁଣ୍ଡ ହେଇଛନ୍ତି । ସେ କାନେଇଲା ବେଳକୁ ଲାଗିଲା ଯେମିତି ରମାର କାନ୍ଦ ଶୁଭୁଚି । ଦଉଡ଼ି କି ଯାଇ ଭିଡ଼ ଭିତରୁ ଦେଖିଲା ବେଳକୁ ରମା ବିଶୁର ଶବ ଉପରେ ମୁଣ୍ଡ ପିଟି କାନ୍ଦୁଛି । ଦିବାକର ମୁଣ୍ଡରେ ହାତ ଦେଇ ସେଇଠି ବସିପଡ଼ିଲା । ସେତିକିବେଳେ ଗୋଟେ ପେପରବାଲା ଟୋକା ପେପର ପେପର ଡାକି କି ଯାଉଥାଏ । ହଠାତ୍ ତା’ର ହାତରୁ ପେପର କିଛି ଖସି ପଡ଼ି ବିଛାଡ଼ି ହୋଇ କି ପଡ଼ିଲା । ଦିବାକର ଦେଖିଲା ସବୁ ପେପରର ପ୍ରଥମ ପୃଷ୍ଠାରେ ରୋଜର ଦମ୍ପତ୍ତି ଓ ମନ୍ତ୍ରୀଙ୍କ ସହ ତାରି ଫଟୋ ବାହାରିଛି ଓ ମୁଖ୍ୟପୃଷ୍ଠାରେ ଲେଖା ଅଛି “ଜର୍ମାନୀର ଶିଳ୍ପପତି ରୋଜର ଦମ୍ପତ୍ତି ଓଡ଼ିଶାରେ ମୋଟର ଯାନ ତିଆରି କାରଖାନା ବସେଇବା ସହିତ ଓଡ଼ିଶାର କଳା ଓ କଳାକାରଙ୍କ ଉନ୍ନତି ପାଇଁ ନିବେଶ କରିବେ ଦଶ ହଜାର କୋଟି ଟଙ୍କା” ।
– ଦୀପକ ଷଡ଼ଙ୍ଗୀ
Comments

ଦୀପକ ଷଡ଼ଙ୍ଗୀ ପେଶାରେ ଜଣେ ଅଧ୍ୟାପକ, ଯିଏକି ରୋଲାଣ୍ଡ ଫାର୍ମାସୀ କଲେଜରେ କାର୍ଯ୍ୟରତ । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି । ଏତଦ୍ବ୍ୟତୀତ ସେ ନିଜେ ଜଣେ ଗୀତାର ବାଦକ ।